ଭଗବାନଙ୍କର ଶକ୍ତି ହୋଇଥିବା କାରଣରୁ ଜୀବକୁ ଭଗବାନଙ୍କର ଅଂଶ ମଧ୍ୟ କୁହାଯାଇ ଥାଏ | ଭଗବାନ ଆମର ଅଂଶୀ ଅଟନ୍ତି, ଆମେ ଭଗବାନଙ୍କର ଅଂଶ ଅଟେ | ମାଟୀର ଗୋଟିଏ କଣ୍ଢେଇ ଯେପରି ମାଟୀର ଅଂଶ ଅଟେ, ସେହିପରି ଆମେ ସବୁ ଜୀବ ଭଗବାନଙ୍କର ଅଂଶ ଅଟେ | ଅଂଶ ମାନେ ଖଣ୍ଡ ବା ଭାଗ | କିନ୍ତୁ ଭଗବାନଙ୍କୁ ଭାଗ କରାଯିବ କିପରି ? ବେଦ ଅନୁଯାୟୀ, ସେ ତ –

ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ |     (ବୃହଦା: ୫-୧-୧)

ସଦା ପରିପୂର୍ଣ୍ଣ, ଅଖଣ୍ଡ ଅଟନ୍ତି | ତାଙ୍କୁ ଖଣ୍ଡ ବା ଭାଗ କରାଯିବ କିପରି ? ଏତଦ୍ ବ୍ୟତିତ, -

ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ |

ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ||        (ଗୀତା: ୨-୨୩)

ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଲେଦ୍ୟୋଽଶୋଷ୍ୟ ଏବ ଚ |

ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ ||            (ଗୀତା: ୨-୨୪)

ଆତ୍ମାକୁ ହିଁ ଭାଗ କରାଯାଇ ପାରିବ ନାହିଁ, ପରମାତ୍ମା ଭଗବାନଙ୍କ କଥା କଣ କହିବା ? ଅଥଚ କେତେ ଜଣ ଅଜ୍ଞ ବ୍ୟକ୍ତି ଏପରି କହିଥାଆନ୍ତି – ବଦ୍ରୀନାରାୟଣ ଭଗବାନ ସବୁଠାରୁ ବଡ ଅଟନ୍ତି | ଆପଣଙ୍କ ସାହି ମନ୍ଦିରରେ ଥିବା ଭଗବାନ ? ନା, ସେ ସେତେ ବଡ ନୁହଁନ୍ତି | ଆପଣଙ୍କ ଭିତରେ ଯେଉଁ ଭଗବାନ ବସିଛନ୍ତି ? ନା, ସେ ମଧ୍ୟ ସେତେ ବଡ ନୁହଁନ୍ତି | କିନ୍ତୁ ବାସ୍ତବରେ ଭଗବାନଙ୍କର ଭିନ୍ନ ଭିନ୍ନ ସ୍ବରୂପ ମଧ୍ୟରେ ବଡ-ସାନ ଭେଦ ନାହିଁ | ଆମ ଭିତରେ ଅବସ୍ଥାନ କରିଥିବା ଭଗବାନ, ଆମ ଘର ପାଖ ମନ୍ଦିରରେ ବିରାଜମାନ ହୋଇଥିବା ଭଗବାନ ଏବଂ ବଦ୍ରୀନାରାୟଣ ଭଗବାନ – ଏମାନେ ଭିନ୍ନ ଭିନ୍ନ ଭଗବାନ ନୁହଁନ୍ତି | ଭଗବାନ ତ ଏକ ଅଟନ୍ତି –

ଏକୋ ହି ରୁଦ୍ରୋ ନ ଦ୍ବିତୀୟାୟ ତସ୍ଥୁର୍ଯ ଇମାଁଲ୍ଲୋକା ନୀଶତ ଈଶନୀଭିଃ |  (ଶ୍ବେତା: ୩-୨)

ଏକଂ ସଦ୍ବିପ୍ରା ବହୁଧା ବଦନ୍ତି |            (ଋଗବେଦ)

ଏକଂ ସନ୍ତଂ ବହୁଧା କଳ୍ପୟନ୍ତି |             (ଋଗବେଦ)

ଏକମେବାଦ୍ବିତୀୟଂ ବ୍ରହ୍ମ |                 (ଛାନ୍ଦୋ: ୬-୨-୧)

ଈଶାବାସ୍ୟମିଦଙ୍ ସର୍ବମ୍ |                (ଈଶାବାସ୍ୟୋ: ୧)

ସର୍ବଂ ପୁରୁଷ ଏବେଦମ୍ |                  (ଭାଗବତ: ୨-୬-୧୫)

ସମସ୍ତ ବେଦ ମନ୍ତ୍ର ବାରମ୍ବାର ଡିଣ୍ଡିମ ଘୋଷ କରିଥାଆନ୍ତି, ବ୍ରହ୍ମ ଏକ ଅଟନ୍ତି | ଆମ୍ଭମାନଙ୍କ ପରି ଅଜ୍ଞାନୀ ମୂଢ଼ ବ୍ୟକ୍ତି ତାଙ୍କର ଭିନ୍ନ ଭିନ୍ନ ସ୍ବରୂପରେ ଭେଦଭାବ ପରିଲକ୍ଷିତ କରି ତାଙ୍କୁ ଭିନ୍ନ ମନେକରି ଥାଆନ୍ତି | ପାହାଡ ଉପରେ ଦେବୀ ମନ୍ଦିରଟିଏ ନିର୍ମାଣ କରିଦେଇ ପ୍ରଚାର କରିଦେଲେ – ଇଏ ଚମତ୍କାରୀ ଦେବୀ ଅଟନ୍ତି | ବାସ୍, ଦୂରଦୂରାନ୍ତରୁ ଲୋକ ଆସି ଭିଡ ଜମାଇଲେ | ମଲେ ମରିବେ, କିନ୍ତୁ ପାହାଡ ଚଢିବେ | ପୂର୍ବେ ବଦ୍ରୀନାରାୟଣ ଦର୍ଶନ କରିବାକୁ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅନେକ ଯାତ୍ରୀ ବାଟରେ ହିଁ ମୃତ୍ୟୁବରଣ କରୁଥିଲେ | ରାସ୍ତା ଭଲ ନ ଥିଲା, ପାଦରେ ଚାଲି ଚାଲି ଯିବାକୁ ପଡୁଥିଲା | ସେମାନଙ୍କ ମୃତ୍ୟୁର ଖବର ଶୁଣି ପରିବାର ଲୋକ କହୁଥିଲେ – “ତାଙ୍କର ବହୁତ ବଡ ଭାଗ୍ୟ, ସିଧା ଗୋଲୋକ ଚାଲିଗଲେ |” ହଁ, ଆମ ଦେଶରେ ଏହିପରି ଅନନ୍ତ କାଳିଦାସ ଅଛନ୍ତି | ଜେଜେ ବାପା ଆସନ୍ନ ମୃତ୍ୟୁ ଶଯ୍ୟାରେ, ଇଚ୍ଛା କରୁଛନ୍ତି ହାଲୁଆ ଖାଇବେ | ଡାକ୍ତରଙ୍କର କଡା ନିର୍ଦ୍ଦେଶ – ମିଠା ଖାଇବା ମନା | କିନ୍ତୁ ପରିବାରର ସମସ୍ତେ ଜେଜେ ବାପାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ବ୍ୟଗ୍ର | ମରିବା ପୂର୍ବରୁ ଜେଜେଙ୍କର ସବୁ ଇଚ୍ଛା ପୂରଣ କରିବା ଆମର ଧର୍ମ ଅଟେ | ଆଉ ଦୁଇ ଦିନ ବଂଚି ଥାଆନ୍ତେ କି କ, ହାଲୁଆ ଖାଇବା ମାତ୍ରେ ଜେଜେଙ୍କର ପ୍ରାଣ ଚାଲିଗଲା, କିନ୍ତୁ ଯାହାହେଉ ତାଙ୍କର ଇଚ୍ଛା ତ ପୂରଣ ହୋଇଗଲା !

ଏହିପରି, ଅନେକ ଅନ୍ଧ ବିଶ୍ବାସ ଆମର ରହିଛି | ଗାଁ’ର କେହି ଜଣେ ବ୍ୟକ୍ତି ଗଙ୍ଗା ସ୍ନାନ କରିବାକୁ ପ୍ରୟାଗ ଯାଉଛନ୍ତି | ତାଙ୍କର ପଡୋଶୀ ତାଙ୍କୁ ଅନୁରୋଧ କରୁଛନ୍ତି – ଭାଈ ! ମୋ ପାଇଁ ଥରେ ବୁଡ ପକାଇ ଦେବ, ତାହାହେଲେ ମୋର ବି ବୈକୁଣ୍ଠ-ପ୍ରାପ୍ତି ହୋଇଯିବ | ଦେଖନ୍ତୁ, କିପରି ଅଜ୍ଞାନ ! କାହାର ପୁଅର ଦେହ ବହୁତ ଖରାପ, ଏକଦମ୍ ମରଣାସନ୍ନ ଅବସ୍ଥା | ବାପା ପଣ୍ଡିତଙ୍କୁ ପାଂଚ ଶହ ଟଙ୍କା ଦକ୍ଷିଣା ଦେଇ ମହା ମୃତ୍ୟୁଞ୍ଜୟ ଜପ କରାଉଛନ୍ତି | ଜପ କଲେ କଣ ହେବ ? ପୁଅ ମରିବ ନାହିଁ, ଠିକ୍ ହୋଇଯିବ | ଆଚ୍ଛା ! ଯାହାର ମାମୁଁ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ, ପିତା ଗୀତା-ଜ୍ଞାନୀ ଅର୍ଜୁନ, ବିବାହ କରାଇ ଥିବା ଆଚାର୍ଯ୍ୟ ମହାମୁନି ବେଦବ୍ୟାସ, ସେହି ଅଭିମନ୍ୟୁ ମୃତ୍ୟୁବରଣ କଲେ | ଶୋହଳ ବର୍ଷର ସ୍ବଳ୍ପ ଆୟୁରେ ଉତ୍ତରା ବିଧବା ହେଲେ | କେହି ମଧ୍ୟ ଅଭିମନ୍ୟୁଙ୍କୁ ବଂଚାଇ ପାରିଲେ ନାହିଁ | ଅଥଚ, ପାଂଚ ଶହ ଟଙ୍କାରେ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ପଣ୍ଡିତ ମହାଶୟ ଆପଣଙ୍କ ପୁଅକୁ ବଂଚାଇ ଦେବେ ? ଛୋଟ ଗୋଟିଏ ମନ୍ତ୍ର –

ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ |

ଉର୍ବାରୁକମିବବନ୍ଧନାନ୍ମୃତ୍ୟୋର୍ମୁକ୍ଷୀୟମାମୃତାତ୍ ||               (ଋଗବେଦ, ଯଜୁର୍ବେଦ)

ଏହି ମନ୍ତ୍ର ଜପ କଲେ ବ୍ୟକ୍ତି ମୃତ୍ୟୁଞ୍ଜୟୀ ହୋଇଯିବ | ଆମ ଭିତରେ ଏହିସବୁ ଯେଉଁ ଅଜ୍ଞାନ ଭରି ରହିଛି, ତାହାର ଏକମାତ୍ର କାରଣ ଏହା ଯେ ଆମେ ଅନାଦି କାଳରୁ ମାୟାଧୀନ ଅଟେ | ଭଗବାନଙ୍କର ମାୟାଶକ୍ତି, ଯାହା ଅନାଦି-ଅନନ୍ତ ଏବଂ ସନାତନ ଅଟେ, ସେ ଆମକୁ ନିଜର ଅଧୀନସ୍ତ କରି ରଖିଛି | ଅତଏବ, ‘ମୁଁ ଅତିରିକ୍ତ ଅନ୍ୟ ଯେଉଁ ଦୁଇଟି ତତ୍ତ୍ବ ରହିଛି, ସେହି ଦୁହିଁଙ୍କ ମଧ୍ୟରୁ କେହି ଜଣେ ବାସ୍ତବରେ ‘ମୁଁର ‘ମୋର ହୋଇଥିବେ ଏବଂ ‘ମୁଁ ମଧ୍ୟ ଦୁହିଁଙ୍କ ମଧ୍ୟରୁ କାହାର ଜଣଙ୍କର ହୋଇଥିବି | ଆସନ୍ତୁ, ବେଦରୁ ତାହା ବିଷୟରେ ଜାଣିବା –

ପାଦୋଽସ୍ୟ ବିଶ୍ଵାଭୂତାନି ତ୍ରିପାଦସ୍ୟାମୃତଂ ଦିବି |              (ପୁରୁଷସୁକ୍ତ ୩)

ବେଦ କହେ, ଜୀବ ଚରାଚର ଭଗବାନଙ୍କର ଅଂଶ ଅଟନ୍ତି, ଭଗବାନଙ୍କର ଶକ୍ତି ଅଟନ୍ତି | କେବଳ ଭଗବାନଙ୍କର ହିଁ ଅଟନ୍ତି, ଅନ୍ୟ କାହାର ନୁହେଁ | ଅନ୍ୟର ତାତ୍ପର୍ଯ୍ୟ ମାୟା | ମାୟା ତ ଜଡ ଅଟେ, ତେଣୁ ଜୀବ ମାୟାର ଶକ୍ତି ବା ଅଂଶ ହେବାର ପ୍ରଶ୍ନ ହିଁ ଉଠେ ନାହିଁ | ଜଡ ତତ୍ତ୍ବର ଅଂଶ ଜଡ ହିଁ ହେବ | ଆମେ ଚୈତନ୍ୟ ହୋଇଥିବା ଦୃଷ୍ଟିରୁ ଭଗବାନଙ୍କର ଅଂଶ ଅଟେ | ଛାନ୍ଦୋଗ୍ୟୋପନିଷଦ ମଧ୍ୟ ସେହି କଥା କହିଥାଏ –

ପାଦୋଽସ୍ୟ ସର୍ବାଭୂତାନି ତ୍ରିପାଦସ୍ୟାମୃତଂ ଦିବି |    (ଛାନ୍ଦୋଗ୍ୟୋ: ୩-୧୨-୬)

ଏହି ମନ୍ତ୍ର ତ୍ରିପାଦବିଭୂତିନାରାୟଣୋପନିଷଦରେ ମଧ୍ୟ ରହିଛି (୪-୧) | ତାଛଡା, ଭାଗବଟରେ ତ ଆପଣମାନେ ଶୁଣିଥିବେ –

ସ୍ବକୃତ ପୁରେଷ୍ବମୀଷ୍ବବହିରନ୍ତରସମ୍ବରଣଂ

ତବ ପୁରୁଷଂ ବଦନ୍ତ୍ୟଖିଳ ଶକ୍ତିଧୃତୋଂଽଶକୃତମ୍ |             (ଭାଗବତ: ୧୦-୮୭-୨୦)

ଏହି ଜୀବ ଅବହିରନ୍ତର, ଅର୍ଥାତ୍ ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କର ଅଂଶ ନୁହେଁ କି ମାୟାର ଅଂଶ ନୁହେଁ | କିନ୍ତୁ ଭଗବାନଙ୍କର ଅନ୍ୟ ଏକ ଶକ୍ତିର ଅଂଶ ଅଟେ |

ବିଷ୍ଣୁଶକ୍ତିଃ ପରା ପ୍ରୋକ୍ତା କ୍ଷେତ୍ରଜ୍ଞାଖ୍ୟା ତଥାଽପରା |

ଅବିଦ୍ୟା କର୍ମସଜ୍ଞାନା ତୃତୀୟା ଶକ୍ତିରିଷ୍ୟତେ ||                (ବି.ପୁ. ୬-୭-୬୧)

ବେଦବ୍ୟାସ କହୁଛନ୍ତି, ଭଗବାନଙ୍କର ଗୋଟିଏ ଶକ୍ତିର ନାମ ‘ପରା, ଦ୍ବିତୀୟ ଶକ୍ତି ‘କ୍ଷେତ୍ରଜ୍ଞ ଏବଂ ତୃତୀୟ ଶକ୍ତିର ନାମ ‘ମାୟା | ପରାଶକ୍ତି ଭଗବାନଙ୍କର ବ୍ୟକ୍ତିଗତ ଶକ୍ତି ଅଟେ | ଏହାକୁ ସ୍ବରୂପ ଶକ୍ତି, ଏବଂ ଯୋଗମାୟା ଶକ୍ତି ମଧ୍ୟ କୁହାଯାଇ ଥାଏ | ଏହା ଏପରି ଶକ୍ତି ଅଟେ ଯିଏ ଅସମ୍ଭବକୁ ସମ୍ଭବ କରିପାରେ | କିପରି ? ମନେକରନ୍ତୁ, ଆପଣଙ୍କର କେବଳ ଗୋଟିଏ ଇନ୍ଦ୍ରିୟ ଅଛି : ଆଖି | ସେହି ଆଖି ବଳରେ ଆପଣ କେବଳ ଦେଖି ପାରୁଛନ୍ତି | କିନ୍ତୁ ଆପଣ ଯଦି ଭଗବତ୍-ପ୍ରାପ୍ତି କରିନେବେ, ତେବେ ଭଗବାନଙ୍କର ସ୍ବରୂପ ଶକ୍ତି ପ୍ରାପ୍ତ କରି ଆପଣ ସେହି ଗୋଟିଏ ଇନ୍ଦ୍ରିୟ ଦ୍ବାରା ଅନ୍ୟ ସବୁ ଇନ୍ଦ୍ରିୟର କର୍ମ କରିପାରିବେ | ସେହି ଆଖିରେ ଆପଣ ଦେଖିବା ସହିତ ଶୁଣି ପାରିବେ, ଶୁଂଘି ପାରିବେ, ରସ ଆସ୍ବାଦନ କରିପାରିବେ, ଚିନ୍ତା ମଧ୍ୟ କରିପାରିବେ, ନିର୍ଣ୍ଣୟ ମଧ୍ୟ କରିପାରିବେ | କୌଣସି ଇନ୍ଦ୍ରିୟ ନ ଥିଲେ ବି ଆପଣ ସବୁ କର୍ମ କରିପାରିବେ –

ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁଃ ସ ଶୃଣୋତ୍ୟକର୍ଣଃ |

ସ ବେତ୍ତି ବେଦ୍ୟଂ ନ ଚ ତସ୍ୟାସ୍ତି ବେତ୍ତା ତମାହୁରଗ୍ର୍ୟଂ ପୁରୁଷଂ ମହାନ୍ତମ୍ ||  (ଶ୍ବେତା: ୩-୧୯)

ବିନୁ ପଗ ଚଲଇ ସୁନଇ ବିନୁ କାନା | କର ବିନୁ କର୍ମ କରଇ ବିଧି ନାନା ||

ଆନନ ରହିତ ସକଲ ରସ ଭୋଗୀ | ବିନୁ ଜିହ୍ବା ବକ୍ତା ବଡ଼ ଜୋଗୀ ||

ତନ ବିନୁ ପରସ ନୟନ ବିନୁ ଦେଖା | ଗ୍ରହଇ ଘ୍ରାଣ ବିନୁ ବାସ ଅସେଷା ||

ଅସି ସବ ଭାଁତି ଅଲୌକିକ କରନୀ | ମହିମା ଜାସୁ ଜାଇ ନହୀଁ ବରନୀ ||

ଅଲୌକିକ ମାନେ ଅସମ୍ଭବକୁ ସମ୍ଭବ କରିବା |  କର୍ତ୍ତୁମକର୍ତ୍ତୁମନ୍ୟଥାକର୍ତ୍ତୁଂ ସମର୍ଥଃ |

ଏହି ସର୍ବସମର୍ଥ ଶକ୍ତିର ନାମ ପରାଶକ୍ତି ବା ସ୍ବରୂପ ଶକ୍ତି ଅଟେ | ଦ୍ବିତୀୟ ଶକ୍ତିର ନାମ କ୍ଷେତ୍ରଜ୍ଞ ବା ଜୀବ ଶକ୍ତି ଅଟେ ଏବଂ ତୃତୀୟ ଶକ୍ତି ମାୟା ଶକ୍ତି ଅଟେ | ଅତଏବ, ଜୀବ ପରାଶକ୍ତି-ଯୁକ୍ତ ଶ୍ରୀକୃଷ୍ଣଙ୍କର ଅଂଶ ନୁହେଁ କାରଣ ଜୀବ ମାୟାଧୀନ ଅଟେ ଏବଂ ମାୟା ଭଗବାନଙ୍କ ସମ୍ମୁଖକୁ ଯାଇ ପାରେନାହିଁ –

ମାୟା ପରୈତ୍ୟଭିମୁଖେ ଚ ବିଲଜ୍ଜମାନା |          (ଭାଗ: ୨-୭-୪୭)

ଧାମ୍ନା ସ୍ବେନ ସଦା ନିରସ୍ତକୁହକଂ ସତ୍ୟଂ ପରଂ ଧୀମହି |     (ଭାଗ: ୧-୧-୧)

ଭାଗବତର ପ୍ରାରମ୍ଭରେ ହିଁ କହି ଦିଆଗଲା |

ସ୍ବତେଜସା ନିତ୍ୟନିବୃତ୍ତମାୟା ଗୁଣପ୍ରବାହଂ ଭଗବନ୍ତମୀମହି | (ଭାଗ: ୧୦-୩୭-୨୩)

ମାୟାର ସେଠାକୁ ଗତି ହିଁ ନାହିଁ | ଭଗବତ୍-ପ୍ରାପ୍ତି ହୋଇଯିବା ମାତ୍ରେ ମାୟା ସେଠାରୁ ଧାଇଁ ପଳାଏ |

ସଦା ପଶ୍ୟନ୍ତି ସୂରୟଃ | ତଦ୍ବିଷ୍ଣୋଃ ପରମଂ ପଦମ୍ |

(ସୁବାଳୋ: ୬-୭, ସ୍କନ୍ଦୋପନିଷଦ: ୧୪, ଗୋ.ତା.ଉପ: ୨୭, ନୃସିଂହତାପନୀୟ: ୮-୩)

ଅର୍ଥାତ୍, ସବୁଦିନ ପାଇଁ ମାୟା ଚାଲିଯାଏ | ତେଣୁ ଆମେ ଯଦି ଭଗବାନଙ୍କ ପରାଶକ୍ତିର ଅଂଶ ହୋଇଥାଆନ୍ତେ, ତେବେ ଆମେ ମାୟାଧୀନ ହୋଇ ନ ଥାଆନ୍ତେ | ହଁ, ସେପରି ଜୀବ ମଧ୍ୟ ଅଛନ୍ତି ଯେଉଁମାନେ ଅନାଦି କାଳରୁ ଭଗବାନଙ୍କ ପରାଶକ୍ତିର ଅଂଶ ଅଟନ୍ତି | ସେମାନେ ଭଗବାନଙ୍କର ନିତ୍ୟ ପରିକର | ଅନ୍ୟ ଯେଉଁ ଜୀବ ଭଗବାନଙ୍କୁ ପ୍ରାପ୍ତ କରିନେଇ ଥାଆନ୍ତି, ସେମାନେ ମଧ୍ୟ ସବୁଦିନ ପାଇଁ ପରାଶକ୍ତି-ଯୁକ୍ତ ହୋଇଯାଆନ୍ତି | ଆମ୍ଭମାନଙ୍କ ପରି ଅନାଦି କାଳରୁ ମାୟାଧୀନ ଜୀବ, ଯେଉଁମାନେ ଭଗବତ୍-ପ୍ରାପ୍ତି କରିନାହାଁନ୍ତି, ସେମାନେ ପରାଶକ୍ତି-ଯୁକ୍ତ ଶ୍ରୀକୃଷ୍ଣଙ୍କର ଅଂଶ ନୁହଁନ୍ତି |

ମାୟାବଦ୍ଧ ଜୀବ ଜୀବଶକ୍ତି ବିଶିଷ୍ଟ ଶ୍ରୀକୃଷ୍ଣଙ୍କର ଅଂଶ ଅଟନ୍ତି | ସେମାନେ ପରାଶକ୍ତିର ଅନ୍ତର୍ଗତ ନୁହଁନ୍ତି କି ମାୟାଶକ୍ତିର ଅନ୍ତର୍ଗତ ମଧ୍ୟ ନୁହଁନ୍ତି | ସେଥିପାଇଁ ଭାଗବତର ବେଦ ସ୍ତୁତିରେ କୁହାଗଲା, ଅବହିରନ୍ତରସମ୍ବରଣମ୍ – ଏହା ତଟସ୍ଥ ଅଟେ | ଆପଣମାନେ ଏଠାରେ ପ୍ରଶ୍ନ କରିପାରନ୍ତି, ଭଗବାନଙ୍କର ତିନୋଟି ଶକ୍ତି ପରସ୍ପର ଠାରୁ ପୃଥକ୍ ରହିଥାଆନ୍ତି କି ? ନା, ସବୁ ଶକ୍ତି ଯେହେତୁ ଭଗବାନଙ୍କର ହିଁ ଅଟନ୍ତି, ସେମାନେ ଭଗବାନଙ୍କ ଠାରୁ ପୃଥକ୍ ରହିପାରିବେ ନାହିଁ | ଆମେ ଭଗବାନଙ୍କର ଶକ୍ତି ଅଟେ, ମାୟା ମଧ୍ୟ ଭଗବାନଙ୍କର ଶକ୍ତି ଅଟେ, ତେଣୁ ଆମେ ଦୁହେଁ ସର୍ବଦା ଭଗବାନଙ୍କ ସହିତ ସମ୍ବନ୍ଧିତ ରହିବା | ତାଛଡା, ବେଦ କହେ –

ପ୍ରଧାନକ୍ଷେତ୍ରଜ୍ଞପତିର୍ଗୁଣେଶଃ              (ଶ୍ବେତା: ୬-୧୬)

ସେ ଆମର ସଂଚାଳକ, ଅଧୀଶ, ସ୍ବାମୀ ଅଟନ୍ତି ଏବଂ ମାୟାର ମଧ୍ୟ ସେ ସ୍ବାମୀ ଅଟନ୍ତି | ସେ ଉଭୟ ମାୟାଧୀଶ ଓ ଜୀବାଧୀଶ ଅଟନ୍ତି | ଆମେ କେହି ସ୍ବତନ୍ତ୍ର ନୁହେଁ | ମାୟା ବିଚାରୀ ତ ଜଡ ଅଟେ, ତାର ଅବା ସ୍ବତନ୍ତ୍ରତା ଆସିବ କେଉଁଠାରୁ ? ସେ ଯାହା କିଛି କରିଥାଏ – ସଂସାରର ରଚନା କରିଥାଏ, ସଂସାରକୁ ନଚାଇ ଥାଏ ଇତ୍ୟାଦି – ସବୁକିଛି ଭଗବାନଙ୍କ ବଳରେ କରିଥାଏ |

                        ଜାସୁ ସତ୍ୟତା ତେ ଜଡ ମାୟା |

ଜଡ ମାୟା କଥା ଛାଡନ୍ତୁ, ଭଗବାନଙ୍କୁ ବାଦ ଦେଇ ଚୈତନ୍ୟ ଜୀବର ମଧ୍ୟ କୌଣସି ଅସ୍ତିତ୍ବ ନାହିଁ | ଭଗବାନଙ୍କ ଠାରୁ ଚେତନା ପ୍ରାପ୍ତ କରି ହିଁ ଜୀବ ଚୈତନ୍ୟ ଅଟେ |

ଚେତନଶ୍ଚେତନାନାମ୍ |                    (ଶ୍ବେତା: ୬-୧୩)

ସ କାରଣଂ କରଣାଧିପାଧିପଃ |          (ଶ୍ବେତା: ୬-୯)

ପୁନଶ୍ଚ ବେଦ କହେ –

କ୍ଷରାତ୍ମାନାବୀଶତେ ଦେବ ଏକଃ |       (ଶ୍ବେତା: ୧-୧୦)

କ୍ଷର ମାନେ ମାୟା, ଆତ୍ମା ମାନେ ଜୀବ – ଦୁହିଁଙ୍କର ସ୍ବାମୀ ଏବଂ ଶାସକ ଭଗବାନ |

ଦ୍ବେ ଅକ୍ଷରେ ବ୍ରହ୍ମପରେ ତ୍ବନନ୍ତେ ବିଦ୍ୟାବିଦ୍ୟେ ନିହିତେ ଯତ୍ର ଗୂଢ଼େ |

କ୍ଷରଂ ତ୍ବବିଦ୍ୟା ହ୍ୟମୃତଂ ତୁ ବିଦ୍ୟା ବିଦ୍ୟାବିଦ୍ୟେ ଈଶତେ ଯସ୍ତୁ ସୋଽନ୍ୟଃ ||  (ଶ୍ବେତା: ୫-୧)

ଜୀବ ଓ ମାୟାକୁ ଯିଏ ଶାସନ କରନ୍ତି, ସେ ହେଉଛନ୍ତି ଭଗବାନ | ସେ ପ୍ରେରକ, ଶାସକ, ଈଶ, ତଥା ଶକ୍ତିଦାତା ଅଟନ୍ତି | ସେଥିପାଇଁ ତାଙ୍କର ଦୁଇଟିଯାକ ଶକ୍ତି – ଜୀବ ଏବଂ ମାୟା – ତାଙ୍କଠାରୁ ସ୍ବତନ୍ତ୍ର ନୁହଁନ୍ତି | ସଦା ସର୍ବଦା ସେ ଦୁହେଁ ତାଙ୍କର ଅଧୀନସ୍ଥ ଅଟନ୍ତି |

ପ୍ରଧାନପୁରୁଷେଶ୍ବରଃ            (ଭାଗ: ୭-୧୫-୨୭)

ପ୍ରଧାନ ମାନେ ମାୟା, ପୁରୁଷ ମାନେ ଜୀବ – ଦୁହିଁଙ୍କର ଈଶ୍ବର ଭଗବାନ |

ଯତ୍ର ଯେନ ଯତୋ ଯସ୍ୟ ଯସ୍ମୈ ଯଦ୍ ଯଦ୍ ଯଥା ଯଦା |

ସ୍ୟାଦିଦଂ ଭଗବାନ୍ ସାକ୍ଷାତ୍ ପ୍ରଧାନପୁରୁଷେଶ୍ବରଃ ||          (ଭାଗ: ୧୦-୮୫-୪)

ସୁତରାଂ, ଜୀବ, ମାୟା ଏବଂ ବ୍ରହ୍ମ ତିନିହେଁ ସନାତନ ଅଟନ୍ତି | ଏମାନଙ୍କ ମଧ୍ୟରୁ ଜୀବ ଓ ବ୍ରହ୍ମ ଚୈତନ୍ୟ ତତ୍ତ୍ବ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରେ ଭେଦାଭେଦ ସମ୍ବନ୍ଧ ରହିଛି | ଜୀବ ଭଗବାନଙ୍କର ଅଧୀନସ୍ତ ତ ଅଟେ, କିନ୍ତୁ ଅନାଦି କାଳରୁ ଏହା ଉପରେ ମାୟାର ଅଧିକାର ମଧ୍ୟ ରହିଛି | ସେଥିପାଇଁ ଏହାକୁ ତଟସ୍ଥ ଶକ୍ତି କୁହାଯାଏ | ଜୀବ ଉପରେ ମାୟାର ଅଧିକାର ଅନାଦିକାଳୀନ ତ ଅଟେ, କିନ୍ତୁ ସେହି ଅଧିକାର ଯେ ଅନନ୍ତ କାଳ ଯାଏଁ ରହିବ, ସେଥିରେ କିଛି ନିଶ୍ଚିତତା ନାହିଁ | କେଉଁ ଏକ ଜନ୍ମରେ ଭଗବାନଙ୍କୁ ପ୍ରାପ୍ତ କରି ଜୀବ ମାୟା କବଳରୁ ମୁକ୍ତ ହୋଇଯାଇ ପାରେ |

                                                ------------xxxxxx---------

 

   

Comments

Popular posts from this blog