ଭଗବାନଙ୍କର ଶକ୍ତି
ହୋଇଥିବା କାରଣରୁ ଜୀବକୁ ଭଗବାନଙ୍କର ଅଂଶ ମଧ୍ୟ କୁହାଯାଇ ଥାଏ | ଭଗବାନ ଆମର ଅଂଶୀ ଅଟନ୍ତି, ଆମେ ଭଗବାନଙ୍କର ଅଂଶ ଅଟେ | ମାଟୀର
ଗୋଟିଏ କଣ୍ଢେଇ ଯେପରି ମାଟୀର ଅଂଶ ଅଟେ, ସେହିପରି ଆମେ ସବୁ
ଜୀବ ଭଗବାନଙ୍କର ଅଂଶ ଅଟେ | ଅଂଶ ମାନେ ଖଣ୍ଡ ବା ଭାଗ | କିନ୍ତୁ ଭଗବାନଙ୍କୁ ଭାଗ କରାଯିବ
କିପରି ? ବେଦ ଅନୁଯାୟୀ, ସେ ତ –
ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ | (ବୃହଦା:
୫-୧-୧)
ସଦା ପରିପୂର୍ଣ୍ଣ,
ଅଖଣ୍ଡ ଅଟନ୍ତି | ତାଙ୍କୁ ଖଣ୍ଡ ବା ଭାଗ କରାଯିବ କିପରି ? ଏତଦ୍ ବ୍ୟତିତ, -
ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ |
ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ || (ଗୀତା:
୨-୨୩)
ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଲେଦ୍ୟୋଽଶୋଷ୍ୟ ଏବ ଚ |
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ || (ଗୀତା:
୨-୨୪)
ଆତ୍ମାକୁ ହିଁ ଭାଗ
କରାଯାଇ ପାରିବ ନାହିଁ, ପରମାତ୍ମା ଭଗବାନଙ୍କ କଥା କ’ଣ କହିବା ? ଅଥଚ କେତେ ଜଣ ଅଜ୍ଞ
ବ୍ୟକ୍ତି ଏପରି କହିଥାଆନ୍ତି – ବଦ୍ରୀନାରାୟଣ ଭଗବାନ ସବୁଠାରୁ ବଡ ଅଟନ୍ତି | ଆପଣଙ୍କ ସାହି
ମନ୍ଦିରରେ ଥିବା ଭଗବାନ ? ନା, ସେ ସେତେ ବଡ
ନୁହଁନ୍ତି | ଆପଣଙ୍କ ଭିତରେ ଯେଉଁ ଭଗବାନ ବସିଛନ୍ତି ? ନା, ସେ ମଧ୍ୟ ସେତେ ବଡ ନୁହଁନ୍ତି |
କିନ୍ତୁ ବାସ୍ତବରେ ଭଗବାନଙ୍କର ଭିନ୍ନ ଭିନ୍ନ ସ୍ବରୂପ ମଧ୍ୟରେ ବଡ-ସାନ ଭେଦ ନାହିଁ | ଆମ ଭିତରେ
ଅବସ୍ଥାନ କରିଥିବା ଭଗବାନ, ଆମ ଘର ପାଖ
ମନ୍ଦିରରେ ବିରାଜମାନ ହୋଇଥିବା ଭଗବାନ ଏବଂ ବଦ୍ରୀନାରାୟଣ ଭଗବାନ – ଏମାନେ ଭିନ୍ନ ଭିନ୍ନ ଭଗବାନ
ନୁହଁନ୍ତି | ଭଗବାନ ତ ଏକ ଅଟନ୍ତି –
ଏକୋ ହି ରୁଦ୍ରୋ ନ ଦ୍ବିତୀୟାୟ ତସ୍ଥୁର୍ଯ ଇମାଁଲ୍ଲୋକା ନୀଶତ ଈଶନୀଭିଃ | (ଶ୍ବେତା: ୩-୨)
ଏକଂ ସଦ୍ବିପ୍ରା ବହୁଧା ବଦନ୍ତି | (ଋଗବେଦ)
ଏକଂ ସନ୍ତଂ ବହୁଧା କଳ୍ପୟନ୍ତି | (ଋଗବେଦ)
ଏକମେବାଦ୍ବିତୀୟଂ ବ୍ରହ୍ମ | (ଛାନ୍ଦୋ: ୬-୨-୧)
ଈଶାବାସ୍ୟମିଦଙ୍ ସର୍ବମ୍ | (ଈଶାବାସ୍ୟୋ: ୧)
ସର୍ବଂ ପୁରୁଷ ଏବେଦମ୍ | (ଭାଗବତ: ୨-୬-୧୫)
ସମସ୍ତ ବେଦ ମନ୍ତ୍ର
ବାରମ୍ବାର ଡିଣ୍ଡିମ ଘୋଷ କରିଥାଆନ୍ତି, ବ୍ରହ୍ମ ଏକ
ଅଟନ୍ତି | ଆମ୍ଭମାନଙ୍କ ପରି ଅଜ୍ଞାନୀ ମୂଢ଼ ବ୍ୟକ୍ତି ତାଙ୍କର ଭିନ୍ନ ଭିନ୍ନ ସ୍ବରୂପରେ ଭେଦଭାବ
ପରିଲକ୍ଷିତ କରି ତାଙ୍କୁ ଭିନ୍ନ ମନେକରି ଥାଆନ୍ତି | ପାହାଡ ଉପରେ ଦେବୀ ମନ୍ଦିରଟିଏ ନିର୍ମାଣ
କରିଦେଇ ପ୍ରଚାର କରିଦେଲେ – ଇଏ ଚମତ୍କାରୀ ଦେବୀ ଅଟନ୍ତି | ବାସ୍, ଦୂରଦୂରାନ୍ତରୁ ଲୋକ ଆସି ଭିଡ ଜମାଇଲେ
| ମଲେ ମରିବେ, କିନ୍ତୁ ପାହାଡ ଚଢିବେ | ପୂର୍ବେ
ବଦ୍ରୀନାରାୟଣ ଦର୍ଶନ କରିବାକୁ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅନେକ ଯାତ୍ରୀ ବାଟରେ ହିଁ
ମୃତ୍ୟୁବରଣ କରୁଥିଲେ | ରାସ୍ତା ଭଲ ନ ଥିଲା, ପାଦରେ ଚାଲି ଚାଲି
ଯିବାକୁ ପଡୁଥିଲା | ସେମାନଙ୍କ ମୃତ୍ୟୁର ଖବର ଶୁଣି ପରିବାର ଲୋକ କହୁଥିଲେ – “ତାଙ୍କର ବହୁତ ବଡ
ଭାଗ୍ୟ, ସିଧା ଗୋଲୋକ ଚାଲିଗଲେ |” ହଁ, ଆମ ଦେଶରେ ଏହିପରି
ଅନନ୍ତ କାଳିଦାସ ଅଛନ୍ତି | ଜେଜେ ବାପା ଆସନ୍ନ ମୃତ୍ୟୁ ଶଯ୍ୟାରେ, ଇଚ୍ଛା କରୁଛନ୍ତି ହାଲୁଆ
ଖାଇବେ | ଡାକ୍ତରଙ୍କର କଡା ନିର୍ଦ୍ଦେଶ – ମିଠା ଖାଇବା ମନା | କିନ୍ତୁ ପରିବାରର ସମସ୍ତେ ଜେଜେ
ବାପାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ବ୍ୟଗ୍ର | ମରିବା ପୂର୍ବରୁ ଜେଜେଙ୍କର ସବୁ ଇଚ୍ଛା
ପୂରଣ କରିବା ଆମର ଧର୍ମ ଅଟେ | ଆଉ ଦୁଇ ଦିନ ବଂଚି ଥାଆନ୍ତେ କି କ’ଣ, ହାଲୁଆ ଖାଇବା ମାତ୍ରେ ଜେଜେଙ୍କର
ପ୍ରାଣ ଚାଲିଗଲା, କିନ୍ତୁ ଯାହାହେଉ ତାଙ୍କର ଇଚ୍ଛା ତ
ପୂରଣ ହୋଇଗଲା !
ଏହିପରି, ଅନେକ ଅନ୍ଧ ବିଶ୍ବାସ ଆମର ରହିଛି | ଗାଁ’ର କେହି ଜଣେ ବ୍ୟକ୍ତି ଗଙ୍ଗା
ସ୍ନାନ କରିବାକୁ ପ୍ରୟାଗ ଯାଉଛନ୍ତି | ତାଙ୍କର ପଡୋଶୀ ତାଙ୍କୁ ଅନୁରୋଧ କରୁଛନ୍ତି – ଭାଈ ! ମୋ
ପାଇଁ ଥରେ ବୁଡ ପକାଇ ଦେବ, ତାହାହେଲେ ମୋର ବି
ବୈକୁଣ୍ଠ-ପ୍ରାପ୍ତି ହୋଇଯିବ | ଦେଖନ୍ତୁ, କିପରି ଅଜ୍ଞାନ ! କାହାର ପୁଅର ଦେହ ବହୁତ ଖରାପ,
ଏକଦମ୍ ମରଣାସନ୍ନ ଅବସ୍ଥା | ବାପା ପଣ୍ଡିତଙ୍କୁ ପାଂଚ ଶହ ଟଙ୍କା ଦକ୍ଷିଣା ଦେଇ ମହା
ମୃତ୍ୟୁଞ୍ଜୟ ଜପ କରାଉଛନ୍ତି | ଜପ କଲେ କ’ଣ ହେବ ? ପୁଅ ମରିବ
ନାହିଁ, ଠିକ୍ ହୋଇଯିବ | ଆଚ୍ଛା ! ଯାହାର
ମାମୁଁ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ, ପିତା
ଗୀତା-ଜ୍ଞାନୀ ଅର୍ଜୁନ, ବିବାହ କରାଇ ଥିବା ଆଚାର୍ଯ୍ୟ ମହାମୁନି
ବେଦବ୍ୟାସ, ସେହି ଅଭିମନ୍ୟୁ ମୃତ୍ୟୁବରଣ କଲେ |
ଶୋହଳ ବର୍ଷର ସ୍ବଳ୍ପ ଆୟୁରେ ଉତ୍ତରା ବିଧବା ହେଲେ | କେହି ମଧ୍ୟ ଅଭିମନ୍ୟୁଙ୍କୁ ବଂଚାଇ ପାରିଲେ
ନାହିଁ | ଅଥଚ, ପାଂଚ ଶହ ଟଙ୍କାରେ ମୃତ୍ୟୁଞ୍ଜୟ
ମନ୍ତ୍ର ଜପ କରି ପଣ୍ଡିତ ମହାଶୟ ଆପଣଙ୍କ ପୁଅକୁ ବଂଚାଇ ଦେବେ ? ଛୋଟ ଗୋଟିଏ ମନ୍ତ୍ର –
ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ |
ଉର୍ବାରୁକମିବବନ୍ଧନାନ୍ମୃତ୍ୟୋର୍ମୁକ୍ଷୀୟମାମୃତାତ୍ || (ଋଗବେଦ, ଯଜୁର୍ବେଦ)
ଏହି ମନ୍ତ୍ର ଜପ
କଲେ ବ୍ୟକ୍ତି ମୃତ୍ୟୁଞ୍ଜୟୀ ହୋଇଯିବ | ଆମ ଭିତରେ ଏହିସବୁ ଯେଉଁ ଅଜ୍ଞାନ ଭରି ରହିଛି, ତାହାର ଏକମାତ୍ର କାରଣ ଏହା ଯେ ଆମେ
ଅନାଦି କାଳରୁ ମାୟାଧୀନ ଅଟେ | ଭଗବାନଙ୍କର ମାୟାଶକ୍ତି, ଯାହା ଅନାଦି-ଅନନ୍ତ ଏବଂ ସନାତନ ଅଟେ, ସେ ଆମକୁ ନିଜର ଅଧୀନସ୍ତ କରି ରଖିଛି |
ଅତଏବ, ‘ମୁଁ’ ଅତିରିକ୍ତ ଅନ୍ୟ ଯେଉଁ ଦୁଇଟି ତତ୍ତ୍ବ
ରହିଛି, ସେହି ଦୁହିଁଙ୍କ ମଧ୍ୟରୁ କେହି ଜଣେ
ବାସ୍ତବରେ ‘ମୁଁ’ର ‘ମୋର’ ହୋଇଥିବେ ଏବଂ ‘ମୁଁ’ ମଧ୍ୟ ଦୁହିଁଙ୍କ ମଧ୍ୟରୁ କାହାର
ଜଣଙ୍କର ହୋଇଥିବି | ଆସନ୍ତୁ, ବେଦରୁ ତାହା
ବିଷୟରେ ଜାଣିବା –
ପାଦୋଽସ୍ୟ ବିଶ୍ଵାଭୂତାନି ତ୍ରିପାଦସ୍ୟାମୃତଂ ଦିବି | (ପୁରୁଷସୁକ୍ତ ୩)
ବେଦ କହେ, ଜୀବ
ଚରାଚର ଭଗବାନଙ୍କର ଅଂଶ ଅଟନ୍ତି, ଭଗବାନଙ୍କର ଶକ୍ତି
ଅଟନ୍ତି | କେବଳ ଭଗବାନଙ୍କର ହିଁ ଅଟନ୍ତି, ଅନ୍ୟ କାହାର
ନୁହେଁ | ଅନ୍ୟର ତାତ୍ପର୍ଯ୍ୟ ମାୟା | ମାୟା ତ ଜଡ ଅଟେ, ତେଣୁ ଜୀବ ମାୟାର ଶକ୍ତି ବା ଅଂଶ
ହେବାର ପ୍ରଶ୍ନ ହିଁ ଉଠେ ନାହିଁ | ଜଡ ତତ୍ତ୍ବର ଅଂଶ ଜଡ ହିଁ ହେବ | ଆମେ ଚୈତନ୍ୟ ହୋଇଥିବା
ଦୃଷ୍ଟିରୁ ଭଗବାନଙ୍କର ଅଂଶ ଅଟେ | ଛାନ୍ଦୋଗ୍ୟୋପନିଷଦ ମଧ୍ୟ ସେହି କଥା କହିଥାଏ –
ପାଦୋଽସ୍ୟ ସର୍ବାଭୂତାନି ତ୍ରିପାଦସ୍ୟାମୃତଂ ଦିବି | (ଛାନ୍ଦୋଗ୍ୟୋ: ୩-୧୨-୬)
ଏହି ମନ୍ତ୍ର ତ୍ରିପାଦବିଭୂତିନାରାୟଣୋପନିଷଦରେ
ମଧ୍ୟ ରହିଛି (୪-୧) | ତାଛଡା, ଭାଗବଟରେ ତ
ଆପଣମାନେ ଶୁଣିଥିବେ –
ସ୍ବକୃତ ପୁରେଷ୍ବମୀଷ୍ବବହିରନ୍ତରସମ୍ବରଣଂ
ତବ ପୁରୁଷଂ ବଦନ୍ତ୍ୟଖିଳ ଶକ୍ତିଧୃତୋଂଽଶକୃତମ୍ | (ଭାଗବତ:
୧୦-୮୭-୨୦)
ଏହି ଜୀବ ଅବହିରନ୍ତର, ଅର୍ଥାତ୍ ପ୍ରତ୍ୟକ୍ଷ ରୂପରେ
ଭଗବାନଙ୍କର ଅଂଶ ନୁହେଁ କି ମାୟାର ଅଂଶ ନୁହେଁ | କିନ୍ତୁ ଭଗବାନଙ୍କର ଅନ୍ୟ ଏକ ଶକ୍ତିର ଅଂଶ
ଅଟେ |
ବିଷ୍ଣୁଶକ୍ତିଃ ପରା ପ୍ରୋକ୍ତା କ୍ଷେତ୍ରଜ୍ଞାଖ୍ୟା ତଥାଽପରା |
ଅବିଦ୍ୟା କର୍ମସଜ୍ଞାନା ତୃତୀୟା ଶକ୍ତିରିଷ୍ୟତେ || (ବି.ପୁ.
୬-୭-୬୧)
ବେଦବ୍ୟାସ
କହୁଛନ୍ତି, ଭଗବାନଙ୍କର ଗୋଟିଏ ଶକ୍ତିର ନାମ ‘ପରା’, ଦ୍ବିତୀୟ ଶକ୍ତି ‘କ୍ଷେତ୍ରଜ୍ଞ’ ଏବଂ ତୃତୀୟ ଶକ୍ତିର ନାମ ‘ମାୟା’ | ପରାଶକ୍ତି ଭଗବାନଙ୍କର ବ୍ୟକ୍ତିଗତ
ଶକ୍ତି ଅଟେ | ଏହାକୁ ସ୍ବରୂପ ଶକ୍ତି, ଏବଂ ଯୋଗମାୟା
ଶକ୍ତି ମଧ୍ୟ କୁହାଯାଇ ଥାଏ | ଏହା ଏପରି ଶକ୍ତି ଅଟେ ଯିଏ ଅସମ୍ଭବକୁ ସମ୍ଭବ କରିପାରେ | କିପରି
? ମନେକରନ୍ତୁ, ଆପଣଙ୍କର କେବଳ ଗୋଟିଏ ଇନ୍ଦ୍ରିୟ ଅଛି
: ଆଖି | ସେହି ଆଖି ବଳରେ ଆପଣ କେବଳ ଦେଖି ପାରୁଛନ୍ତି | କିନ୍ତୁ ଆପଣ ଯଦି ଭଗବତ୍-ପ୍ରାପ୍ତି କରିନେବେ, ତେବେ ଭଗବାନଙ୍କର ସ୍ବରୂପ ଶକ୍ତି
ପ୍ରାପ୍ତ କରି ଆପଣ ସେହି ଗୋଟିଏ ଇନ୍ଦ୍ରିୟ ଦ୍ବାରା ଅନ୍ୟ ସବୁ ଇନ୍ଦ୍ରିୟର କର୍ମ କରିପାରିବେ |
ସେହି ଆଖିରେ ଆପଣ ଦେଖିବା ସହିତ ଶୁଣି ପାରିବେ, ଶୁଂଘି ପାରିବେ, ରସ ଆସ୍ବାଦନ କରିପାରିବେ, ଚିନ୍ତା ମଧ୍ୟ କରିପାରିବେ, ନିର୍ଣ୍ଣୟ ମଧ୍ୟ କରିପାରିବେ | କୌଣସି ଇନ୍ଦ୍ରିୟ
ନ ଥିଲେ ବି ଆପଣ ସବୁ କର୍ମ କରିପାରିବେ –
ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁଃ ସ ଶୃଣୋତ୍ୟକର୍ଣଃ |
ସ ବେତ୍ତି ବେଦ୍ୟଂ ନ ଚ ତସ୍ୟାସ୍ତି ବେତ୍ତା ତମାହୁରଗ୍ର୍ୟଂ ପୁରୁଷଂ ମହାନ୍ତମ୍ || (ଶ୍ବେତା: ୩-୧୯)
ବିନୁ ପଗ ଚଲଇ ସୁନଇ ବିନୁ କାନା | କର ବିନୁ କର୍ମ କରଇ ବିଧି ନାନା ||
ଆନନ ରହିତ ସକଲ ରସ ଭୋଗୀ | ବିନୁ ଜିହ୍ବା ବକ୍ତା ବଡ଼ ଜୋଗୀ ||
ତନ ବିନୁ ପରସ ନୟନ ବିନୁ ଦେଖା | ଗ୍ରହଇ ଘ୍ରାଣ ବିନୁ ବାସ ଅସେଷା ||
ଅସି ସବ ଭାଁତି ଅଲୌକିକ କରନୀ | ମହିମା ଜାସୁ ଜାଇ ନହୀଁ ବରନୀ ||
ଅଲୌକିକ ମାନେ
ଅସମ୍ଭବକୁ ସମ୍ଭବ କରିବା |
କର୍ତ୍ତୁମକର୍ତ୍ତୁମନ୍ୟଥାକର୍ତ୍ତୁଂ ସମର୍ଥଃ |
ଏହି ସର୍ବସମର୍ଥ
ଶକ୍ତିର ନାମ ପରାଶକ୍ତି ବା ସ୍ବରୂପ ଶକ୍ତି ଅଟେ | ଦ୍ବିତୀୟ ଶକ୍ତିର ନାମ କ୍ଷେତ୍ରଜ୍ଞ ବା ଜୀବ
ଶକ୍ତି ଅଟେ ଏବଂ ତୃତୀୟ ଶକ୍ତି ମାୟା ଶକ୍ତି ଅଟେ | ଅତଏବ, ଜୀବ ପରାଶକ୍ତି-ଯୁକ୍ତ ଶ୍ରୀକୃଷ୍ଣଙ୍କର
ଅଂଶ ନୁହେଁ କାରଣ ଜୀବ ମାୟାଧୀନ ଅଟେ ଏବଂ ମାୟା ଭଗବାନଙ୍କ ସମ୍ମୁଖକୁ ଯାଇ ପାରେନାହିଁ –
ମାୟା ପରୈତ୍ୟଭିମୁଖେ ଚ ବିଲଜ୍ଜମାନା | (ଭାଗ:
୨-୭-୪୭)
ଧାମ୍ନା ସ୍ବେନ ସଦା ନିରସ୍ତକୁହକଂ ସତ୍ୟଂ ପରଂ ଧୀମହି | (ଭାଗ:
୧-୧-୧)
ଭାଗବତର
ପ୍ରାରମ୍ଭରେ ହିଁ କହି ଦିଆଗଲା |
ସ୍ବତେଜସା ନିତ୍ୟନିବୃତ୍ତମାୟା ଗୁଣପ୍ରବାହଂ ଭଗବନ୍ତମୀମହି | (ଭାଗ: ୧୦-୩୭-୨୩)
ମାୟାର ସେଠାକୁ ଗତି
ହିଁ ନାହିଁ | ଭଗବତ୍-ପ୍ରାପ୍ତି ହୋଇଯିବା ମାତ୍ରେ ମାୟା ସେଠାରୁ ଧାଇଁ ପଳାଏ |
ସଦା ପଶ୍ୟନ୍ତି ସୂରୟଃ | ତଦ୍ବିଷ୍ଣୋଃ ପରମଂ ପଦମ୍ |
(ସୁବାଳୋ: ୬-୭, ସ୍କନ୍ଦୋପନିଷଦ: ୧୪, ଗୋ.ତା.ଉପ: ୨୭, ନୃସିଂହତାପନୀୟ: ୮-୩)
ଅର୍ଥାତ୍, ସବୁଦିନ ପାଇଁ ମାୟା ଚାଲିଯାଏ | ତେଣୁ
ଆମେ ଯଦି ଭଗବାନଙ୍କ ପରାଶକ୍ତିର ଅଂଶ ହୋଇଥାଆନ୍ତେ, ତେବେ ଆମେ ମାୟାଧୀନ ହୋଇ ନ ଥାଆନ୍ତେ |
ହଁ, ସେପରି ଜୀବ ମଧ୍ୟ ଅଛନ୍ତି ଯେଉଁମାନେ
ଅନାଦି କାଳରୁ ଭଗବାନଙ୍କ ପରାଶକ୍ତିର ଅଂଶ ଅଟନ୍ତି | ସେମାନେ ଭଗବାନଙ୍କର ନିତ୍ୟ ପରିକର | ଅନ୍ୟ
ଯେଉଁ ଜୀବ ଭଗବାନଙ୍କୁ ପ୍ରାପ୍ତ କରିନେଇ ଥାଆନ୍ତି, ସେମାନେ ମଧ୍ୟ ସବୁଦିନ ପାଇଁ
ପରାଶକ୍ତି-ଯୁକ୍ତ ହୋଇଯାଆନ୍ତି | ଆମ୍ଭମାନଙ୍କ ପରି ଅନାଦି କାଳରୁ ମାୟାଧୀନ ଜୀବ, ଯେଉଁମାନେ ଭଗବତ୍-ପ୍ରାପ୍ତି
କରିନାହାଁନ୍ତି, ସେମାନେ ପରାଶକ୍ତି-ଯୁକ୍ତ
ଶ୍ରୀକୃଷ୍ଣଙ୍କର ଅଂଶ ନୁହଁନ୍ତି |
ମାୟାବଦ୍ଧ ଜୀବ
ଜୀବଶକ୍ତି ବିଶିଷ୍ଟ ଶ୍ରୀକୃଷ୍ଣଙ୍କର ଅଂଶ ଅଟନ୍ତି | ସେମାନେ ପରାଶକ୍ତିର ଅନ୍ତର୍ଗତ ନୁହଁନ୍ତି
କି ମାୟାଶକ୍ତିର ଅନ୍ତର୍ଗତ ମଧ୍ୟ ନୁହଁନ୍ତି | ସେଥିପାଇଁ ଭାଗବତର ବେଦ ସ୍ତୁତିରେ କୁହାଗଲା, ଅବହିରନ୍ତରସମ୍ବରଣମ୍ – ଏହା ତଟସ୍ଥ
ଅଟେ | ଆପଣମାନେ ଏଠାରେ ପ୍ରଶ୍ନ କରିପାରନ୍ତି, ଭଗବାନଙ୍କର ତିନୋଟି ଶକ୍ତି ପରସ୍ପର
ଠାରୁ ପୃଥକ୍ ରହିଥାଆନ୍ତି କି ? ନା, ସବୁ ଶକ୍ତି
ଯେହେତୁ ଭଗବାନଙ୍କର ହିଁ ଅଟନ୍ତି, ସେମାନେ ଭଗବାନଙ୍କ
ଠାରୁ ପୃଥକ୍ ରହିପାରିବେ ନାହିଁ | ଆମେ ଭଗବାନଙ୍କର ଶକ୍ତି ଅଟେ, ମାୟା ମଧ୍ୟ ଭଗବାନଙ୍କର ଶକ୍ତି ଅଟେ,
ତେଣୁ ଆମେ ଦୁହେଁ ସର୍ବଦା ଭଗବାନଙ୍କ ସହିତ ସମ୍ବନ୍ଧିତ ରହିବା | ତାଛଡା, ବେଦ କହେ –
ପ୍ରଧାନକ୍ଷେତ୍ରଜ୍ଞପତିର୍ଗୁଣେଶଃ (ଶ୍ବେତା: ୬-୧୬)
ସେ ଆମର ସଂଚାଳକ, ଅଧୀଶ, ସ୍ବାମୀ ଅଟନ୍ତି ଏବଂ ମାୟାର ମଧ୍ୟ ସେ
ସ୍ବାମୀ ଅଟନ୍ତି | ସେ ଉଭୟ ମାୟାଧୀଶ ଓ ଜୀବାଧୀଶ ଅଟନ୍ତି | ଆମେ କେହି ସ୍ବତନ୍ତ୍ର ନୁହେଁ |
ମାୟା ବିଚାରୀ ତ ଜଡ ଅଟେ, ତା’ର ଅବା ସ୍ବତନ୍ତ୍ରତା ଆସିବ କେଉଁଠାରୁ ?
ସେ ଯାହା କିଛି କରିଥାଏ – ସଂସାରର ରଚନା କରିଥାଏ, ସଂସାରକୁ ନଚାଇ ଥାଏ ଇତ୍ୟାଦି –
ସବୁକିଛି ଭଗବାନଙ୍କ ବଳରେ କରିଥାଏ |
ଜାସୁ ସତ୍ୟତା ତେ ଜଡ
ମାୟା |
ଜଡ ମାୟା କଥା
ଛାଡନ୍ତୁ, ଭଗବାନଙ୍କୁ ବାଦ ଦେଇ ଚୈତନ୍ୟ ଜୀବର
ମଧ୍ୟ କୌଣସି ଅସ୍ତିତ୍ବ ନାହିଁ | ଭଗବାନଙ୍କ ଠାରୁ ଚେତନା ପ୍ରାପ୍ତ କରି ହିଁ ଜୀବ ଚୈତନ୍ୟ ଅଟେ |
ଚେତନଶ୍ଚେତନାନାମ୍ | (ଶ୍ବେତା: ୬-୧୩)
ସ କାରଣଂ କରଣାଧିପାଧିପଃ | (ଶ୍ବେତା: ୬-୯)
ପୁନଶ୍ଚ ବେଦ କହେ –
କ୍ଷରାତ୍ମାନାବୀଶତେ ଦେବ ଏକଃ | (ଶ୍ବେତା: ୧-୧୦)
କ୍ଷର ମାନେ ମାୟା, ଆତ୍ମା ମାନେ ଜୀବ – ଦୁହିଁଙ୍କର ସ୍ବାମୀ
ଏବଂ ଶାସକ ଭଗବାନ |
ଦ୍ବେ ଅକ୍ଷରେ ବ୍ରହ୍ମପରେ ତ୍ବନନ୍ତେ ବିଦ୍ୟାବିଦ୍ୟେ ନିହିତେ ଯତ୍ର ଗୂଢ଼େ |
କ୍ଷରଂ ତ୍ବବିଦ୍ୟା ହ୍ୟମୃତଂ ତୁ ବିଦ୍ୟା ବିଦ୍ୟାବିଦ୍ୟେ ଈଶତେ ଯସ୍ତୁ ସୋଽନ୍ୟଃ ||
(ଶ୍ବେତା: ୫-୧)
ଜୀବ ଓ ମାୟାକୁ ଯିଏ
ଶାସନ କରନ୍ତି, ସେ ହେଉଛନ୍ତି ଭଗବାନ | ସେ ପ୍ରେରକ, ଶାସକ, ଈଶ, ତଥା ଶକ୍ତିଦାତା ଅଟନ୍ତି |
ସେଥିପାଇଁ ତାଙ୍କର ଦୁଇଟିଯାକ ଶକ୍ତି – ଜୀବ ଏବଂ ମାୟା – ତାଙ୍କଠାରୁ ସ୍ବତନ୍ତ୍ର ନୁହଁନ୍ତି |
ସଦା ସର୍ବଦା ସେ ଦୁହେଁ ତାଙ୍କର ଅଧୀନସ୍ଥ ଅଟନ୍ତି |
ପ୍ରଧାନପୁରୁଷେଶ୍ବରଃ (ଭାଗ: ୭-୧୫-୨୭)
ପ୍ରଧାନ ମାନେ ମାୟା, ପୁରୁଷ ମାନେ ଜୀବ – ଦୁହିଁଙ୍କର ଈଶ୍ବର
ଭଗବାନ |
ଯତ୍ର ଯେନ ଯତୋ ଯସ୍ୟ ଯସ୍ମୈ ଯଦ୍ ଯଦ୍ ଯଥା ଯଦା |
ସ୍ୟାଦିଦଂ ଭଗବାନ୍ ସାକ୍ଷାତ୍ ପ୍ରଧାନପୁରୁଷେଶ୍ବରଃ || (ଭାଗ:
୧୦-୮୫-୪)
ସୁତରାଂ, ଜୀବ, ମାୟା ଏବଂ ବ୍ରହ୍ମ ତିନିହେଁ ସନାତନ
ଅଟନ୍ତି | ଏମାନଙ୍କ ମଧ୍ୟରୁ ଜୀବ ଓ ବ୍ରହ୍ମ ଚୈତନ୍ୟ ତତ୍ତ୍ବ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରେ
ଭେଦାଭେଦ ସମ୍ବନ୍ଧ ରହିଛି | ଜୀବ ଭଗବାନଙ୍କର ଅଧୀନସ୍ତ ତ ଅଟେ, କିନ୍ତୁ ଅନାଦି କାଳରୁ ଏହା ଉପରେ
ମାୟାର ଅଧିକାର ମଧ୍ୟ ରହିଛି | ସେଥିପାଇଁ ଏହାକୁ ତଟସ୍ଥ ଶକ୍ତି କୁହାଯାଏ | ଜୀବ ଉପରେ ମାୟାର
ଅଧିକାର ଅନାଦିକାଳୀନ ତ ଅଟେ, କିନ୍ତୁ ସେହି ଅଧିକାର ଯେ ଅନନ୍ତ କାଳ
ଯାଏଁ ରହିବ, ସେଥିରେ କିଛି ନିଶ୍ଚିତତା ନାହିଁ |
କେଉଁ ଏକ ଜନ୍ମରେ ଭଗବାନଙ୍କୁ ପ୍ରାପ୍ତ କରି ଜୀବ ମାୟା କବଳରୁ ମୁକ୍ତ ହୋଇଯାଇ ପାରେ |
------------xxxxxx---------
Comments
Post a Comment