ପରଦୋଷ ଦେଖିବା ପୂର୍ବରୁ ନିଜ ଦୋଷ ଦେଖନ୍ତୁ --

ବାଲ୍ୟାବସ୍ଥାରେ କୌଣସି କାରଣରୁ ଆମେ ଯେତେବେଳେ ଅସନ୍ତୋଷ ବା ଦୁଃଖ ଅନୁଭବ କରିଥାଏ, ସେତେବେଳେ ଆମେ ସ୍ବଭାବତଃ ସବୁ ଦୋଷ ଅନ୍ୟମାନଙ୍କ ଉପରେ ଢାଳି ଦେଇଥାଏ | ବୟସ ବୃଦ୍ଧି ସହିତ କ୍ରମଶଃ ବୌଦ୍ଧିକ ସ୍ତରରେ ଆମେ ପରିପକ୍ବ ହୋଇଥାଏ ସତ, କିନ୍ତୁ ସେହି ଅନୁପାତରେ ଆବେଗାତ୍ମକ ସ୍ତରରେ ଆମେ ପରିପକ୍ବ ହୋଇ ନ ଥାଏ | ଆନନ୍ଦ ଅଭିଯାନ ଶୃଂଖଳାର ପଞ୍ଚମ ଦିବସରେ ଆଜି ଆମେ ସୁଖୀ ହେବାର କଳା ବିଷୟକ ଆଲୋଚନା ପ୍ରସଙ୍ଗରେ ଆବେଗାତ୍ମକ ସ୍ତରରେ ବିକାଶ ପ୍ରକ୍ରିୟା ସମ୍ବନ୍ଧରେ ଚର୍ଚ୍ଚା କରିବା |

ଜଣେ ମହିଳା ନିଜ ସ୍ବାମୀଙ୍କ ସମ୍ମୁଖରେ ସର୍ବଦା ନିଜ ପଡୋଶୀଙ୍କର ନିନ୍ଦାଗାନ କରୁଥାଆନ୍ତି – ଦେଖ, ତାଙ୍କ ଘରର କାନ୍ଥରେ କେତେ ମଇଳା ଲାଗିଛି | ତାଙ୍କର ଲୁଗା ଶୁଖାଇବା ତାରରେ ଯେଉଁ ସବୁ ଲୁଗା ଶୁଖୁଛି, ସେଥିରେ ମଇଳା ଦାଗ ଯେମିତି ସେମିତି ରହିଛି, ଆଦୌ ସଫା ହୋଇନାହିଁ | ଦେଖ, ଏମାନେ ଏତେ ଅପରିଷ୍କାର ଯେ ନିଜ କାରକୁ ଟିକିଏ ପୋଛି ସଫା କରୁନାହାଁନ୍ତି | ଦିନେ ସକାଳେ ଉଠି ମହିଳା ଜଣକ ବାହାରକୁ ଚାହିଁ ଦେଖିଲେ, ପଡୋଶୀଙ୍କ ଘରର ସବୁ କିଛି ପରିଷ୍କାର-ପରିଚ୍ଛନ୍ନ ଦେଖାଯାଉଛି | ଆଶ୍ଚର୍ଯ୍ୟ ହୋଇ ସେ ନିଜ ସ୍ବାମୀଙ୍କୁ କହିଲେ, “ଆଜି କଣ ହେଲା ? ଆମ ପଡୋଶୀଙ୍କ ଘର ଏତେ ସଫା-ସୁତୁରା ହୋଇଯାଇଛି କିପରି ?” ସ୍ବାମୀ କହିଲେ, “କିଛି ହୋଇନାହିଁ | ଗତକାଲି ରାତିରେ ମୁଁ ଆମ ଝରକାର କାଚକୁ କପଡାରେ ଭଲ ଭାବରେ ପୋଛି ସଫା କରିଦେଇ ଥିଲି |” କଥାଟି ଅତି ବାହୁଲ୍ୟ ମନେ ହୋଇପାରେ, କିନ୍ତୁ ପ୍ରାୟତଃ ଏହା ଆମ ଜୀବନର ବାସ୍ତବତା ଅଟେ | ଆମ ନିଜ ଝରକାର କାଚ ଅପରିଷ୍କାର ଅଟେ, ଅଥଚ ସେହି ଝରକା ବାଟ ଦେଇ ଦୋଷ ଆମେ ବାହାରେ ଦେଖୁଥାଏ |

କଥା କଥାରେ ଅନ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଯଦି ଆମର ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥାଏ, ତେବେ ଆମେ ପୁନର୍ବିଚାର କରି ଦେଖିବା ଉଚିତ୍ ବାସ୍ତବରେ ଦୋଷ ଆମ ନିଜର ନୁହେଁ ତ ! ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଯାଇ କହିଲେ, “ଡାକ୍ତର ବାବୁ ! ମୁଁ ନିଜ ସାରା ଶରୀରରେ ଯନ୍ତ୍ରଣା ଅନୁଭବ କରୁଛି |” ସବୁ ପରୀକ୍ଷା-ନିରୀକ୍ଷା କରିବା ପରେ ଡାକ୍ତର ରୋଗୀଙ୍କର ଗୋଟିଏ ଆଙ୍ଗୁଠିକୁ ତାଙ୍କର ହିଁ ଜଂଘରେ ଛୁଆଁଇ ପଚାରିଲେ, “ଏଠାରେ ଯନ୍ତ୍ରଣା ହେଉଛି ?” ରୋଗୀ ଜଣକ ଚିତ୍କାର କରି କହିଲେ, “ହଁ ହଁ, ବହୁତ କଷ୍ଟ |” ତାପରେ ଡାକ୍ତର ସେହି ଆଙ୍ଗୁଠିକୁ ତାଙ୍କ କପାଳରେ ସ୍ପର୍ଶ କରାଇ ପଚାରିଲେ, “ଏଠାରେ କଷ୍ଟ ହେଉଛି ?” “ଓଃ ! ଡାକ୍ତର ବାବୁ ଆଗରୁ ଏତେ କଷ୍ଟ ମୁଁ କେବେ ବି ଅନୁଭବ କରି ନ ଥିଲି |” ତାପରେ ଡାକ୍ତର ଅଙ୍ଗୁଳିକୁ ତାଙ୍କର କାନ୍ଧରେ ସ୍ପର୍ଶ କରାଇଲେ | ରୋଗୀଙ୍କର ପ୍ରତିକ୍ରିୟା ପୂର୍ବବତ୍ ଥିଲା, “ଆଃ ! ଭୀଷଣ କଷ୍ଟ |” ଶେଷରେ ଡାକ୍ତର ରୋଗୀଙ୍କୁ ତାଙ୍କ ଅଙ୍ଗୁଳିର ଅଗ୍ରଭାଗ ଦେଖାଇଲେ | ଅଙ୍ଗୁଳିର ଅଗ୍ରଭାଗରେ ଛୋଟ ଗୋଟିଏ କଣ୍ଟା ପଶି ରହିଛି | ଯନ୍ତ୍ରଣାର କାରଣ ବାସ୍ତବରେ ତାଙ୍କ ଅଙ୍ଗୁଳିରେ ରହିଛି ଏବଂ ସେହି ଅଙ୍ଗୁଳିରେ ଶରୀରର ବିଭିନ୍ନ ସ୍ଥାନକୁ ସ୍ପର୍ଶ କରି ସେ ଭାବୁଛନ୍ତି ଯେ ଯନ୍ତ୍ରଣା ତାଙ୍କ ସାରା ଶରୀରରେ ହେଉଛି | ଅତଏବ, ସାରା ସଂସାର ଯଦି ଆମକୁ ଦୋଷମୟ ପ୍ରତୀତ ହେଉଥାଏ – ସବୁ ଦୋଷ ସରକାରଙ୍କର, ସବୁ ଦୋଷ କଳିଯୁଗର ଇତ୍ୟାଦି ଇତ୍ୟାଦି – ତେବେ ଆମେ ନିଜ ଅବଧାରଣାର ପୁନର୍ସମୀକ୍ଷା କରିବା ଆବଶ୍ୟକ, ଦୋଷ ଆମ ନିଜ ଭିତରେ ନାହିଁ ତ !!

ସଂସାରରେ ଦୁଇ ପ୍ରକାରର ଲୋକ ଅଛନ୍ତି | କିଛି ଲୋକ ପ୍ରତିକ୍ରିୟାଶୀଳ ଅଟନ୍ତି ଏବଂ ଆଉ କିଛି ଲୋକ ଅଗ୍ରସକ୍ରିୟ ଅଟନ୍ତି | ଅଗ୍ରସକ୍ରିୟ ବ୍ୟକ୍ତି ଏହା ଜାଣିଥାଆନ୍ତି ଯେ ଆବେଗାତ୍ମକ ସ୍ତରରେ କୌଣସି ଉଦ୍ଦୀପକକୁ ସେମାନେ ଯେଉଁ ପ୍ରତିକ୍ରିୟା ଦେଖାନ୍ତି, ତାହା ତାଙ୍କର ନିଜସ୍ବ ପସନ୍ଦ ଅଟେ | ଅନ୍ୟ ପକ୍ଷରେ, ପ୍ରତିକ୍ରିୟାଶୀଳ ବ୍ୟକ୍ତିମାନେ ନିଜର ଭାବାବେଗ ପାଇଁ ଅନ୍ୟମାନଙ୍କୁ ବା ବାହ୍ୟ ପରିସ୍ଥିତିକୁ ଦାୟୀ ମନେକରି ଥାଆନ୍ତି ଏବଂ ଯେହେତୁ ଅନ୍ୟମାନଙ୍କୁ ବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସେମାନଙ୍କ ହାତରେ ନ ଥାଏ, ସେମାନେ ନିଜର ଭାବାବେଗକୁ ପରିବର୍ତ୍ତିତ କରିପାରନ୍ତି ନାହିଁ | ଜଣେ ପ୍ରତିକ୍ରିୟାଶୀଳ ବ୍ୟକ୍ତିଙ୍କର ବକ୍ତବ୍ୟ ପ୍ରାୟତଃ ଏହିପରି ହୋଇଥାଏ – “ ଆଜିକାଲି ମୁଁ ନିଜ ସ୍ତ୍ରୀ/ସ୍ବାମୀଙ୍କ ପ୍ରତି କୌଣସି ପ୍ରକାରର ପ୍ରେମଭାବ ଅନୁଭବ କରିପାରୁ ନାହିଁ | ତାହାର କାରଣ କ, ମୁଁ ଜାଣେ ନାହିଁ | ମୁଁ ଅପେକ୍ଷା କରୁଛି, କେତେବେଳେ ସେହି ପ୍ରେମଭାବ ପୁନର୍ବାର ଫେରି ଆସିବ |” ସେମାନେ ବିଚରା ଏହା ଜାଣନ୍ତି ନାହିଁ ଯେ ପ୍ରେମ ଏକ ଅନୁଭବ ନୁହେଁ, ପ୍ରେମ ଗୋଟିଏ କ୍ରିୟା ଅଟେ | ପ୍ରେମ କରିବାକୁ ଯାଇ ଆମେ ପ୍ରେମପୂର୍ଣ୍ଣ ଭାବନା ଚୟନ କରିଥାଏ | ତେଣୁ, ଜୀବନରେ ଆମେ ଅଗ୍ରସକ୍ରିୟ ହେବାକୁ ଚେଷ୍ଟା କରିବା ଆବଶ୍ୟକ | ପରିସ୍ଥିତି ଯେପରି ହୋଇଥାଉ, ସେହି ପରିସ୍ଥିତିରେ ଆମର ଭାବନା ଯାହା ବି ହେଉ, ଆମେ ଚିନ୍ତା କରିବା, ଏହାଠାରୁ ଉଚ୍ଚତର କୌଣସି ଭାବନା ଆମେ ମନରେ ରଖିପାରିଵା କି ? ନିଜ ଭିତରେ ଏହାଠାରୁ କିଛି ଉଚ୍ଚତର ଆବେଗ ଆମେ ପୋଷଣ କରିପାରିବା କି ? ଆମେ ଯେତେବେଳେ ଏହିପରି ଚିନ୍ତା କରିବାକୁ ଆରମ୍ଭ କରିବା, ଆବେଗାତ୍ମକ ସ୍ତରରେ ଆମର ପରିପକ୍ବତା ବୃଦ୍ଧି ପାଇବାରେ ଲାଗିବ | ଅର୍ଥାତ୍, ଆମେ ନିଜର ଆବେଗକୁ ଜାଣି ତାହା ଉପରେ ନିୟନ୍ତ୍ରଣ ପ୍ରାପ୍ତ କରିପାରିବା | ଅତଏବ, ଭଗବଦ୍ ଗୀତାର ପ୍ରସିଦ୍ଧ ଶ୍ଲୋକ -

ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍ |

                             ଆତ୍ମୈବ ହ୍ୟାତ୍ମନୋ ବନ୍ଧୁରାତ୍ମୈବ ରିପୁରାତ୍ମନଃ ||             (ଗୀତା: ୬/୫)

ଏହି ମନ ଆମର ପରମ ମିତ୍ର ହୋଇପାରେ, ଚରମ ଶତ୍ରୁ ମଧ୍ୟ ହୋଇପାରେ | ମନର ଶକ୍ତି ଦ୍ବାରା ଆମେ ନିଜର ଉତ୍ଥାନ କରିବା, ପତନ କରିବା ନାହିଁ | ସେଥିପାଇଁ ଅଗ୍ରସକ୍ରିୟ ଭାବରେ ଅନ୍ତର୍ନିରୀକ୍ଷଣ କରି ଆମେ ନିଜର ଭାବନା ଓ ଆବେଗରେ ମାତ୍ରାଧିକ ଉନ୍ନତିମୂଳକ ପରିବର୍ତ୍ତନ ଆଣିବା ଯଦ୍ବାରା ଜୀବନରେ ଆମେ ଅଗ୍ରଗତି କରିପାରିବା |

 ------------xxxxxx-----------

                                                                                    Happiness Challenge Day 5

                                                                                    Swami Mukundananda

 

 


 

Comments

Popular posts from this blog