୪. ଦ୍ବେଷ
ଭାବନା ଅନ୍ୟ ଅପେକ୍ଷା ନିଜ ପାଇଁ ଅଧିକ ହାନିକାରକ
ଆଜି, ଜୀବନ ପରିବର୍ତ୍ତନ ଅଭିଯାନର ଚତୁର୍ଥ ଦିବସରେ, ଆମେ କ୍ଷମା କରିବାର ମହନୀୟତା ସମ୍ପର୍କରେ ଆଲୋଚନା କରିବା | ଜଣେ ମହିଳା ମୋ ପାଖକୁ ଆସି କହିଲେ, “ସ୍ବାମିଜୀ, ମୁଁ ନିଜ ଭିତରେ ସର୍ବଦା ଅଶାନ୍ତି ଅନୁଭବ କରୁଛି | ମୋର ସ୍ବାସ୍ଥ୍ୟ ଖରାପ ରହୁଛି | ଧ୍ୟାନ କରିବାକୁ ବସିଲା ବେଳେ ମନ ଅତି ମାତ୍ରାରେ ବିକ୍ଷିପ୍ତ ରହୁଛି | ଏହାର ଉପଚାର କଣ ?” ମୁଁ ପଚାରିଲି, “ମନରେ ତୁମେ କିଛି ଦ୍ବେଷ ଭାବ ରଖୁଛ କି ?” ସେ କହିଲେ, “ହଁ” | ମୁଁ କହିଲି, “ଏବେ ତୁମେ କ୍ଷମା କରିବାର ଗୁଣ ଆହରଣ କରିବା ଆବଶ୍ୟକ |” ଏହା ଏପରି ଏକ ଉପହାର୍ ଯାହା ଆମେ ଅନ୍ୟକୁ ନ ଦେଇ ନିଜକୁ ଦେଇଥାଏ | ଜର୍ମାନ କାରା ଶିବିରର ଜଣେ ପୂର୍ବତନ ବନ୍ଦୀ ଅନ୍ୟ ଜଣେ ପୂର୍ବତନ ବନ୍ଦୀଙ୍କୁ ପଚାରିଲେ, “ନାଜିମାନଙ୍କର ବ୍ୟବହାର ତୁମେ କଣ ଭୁଲିଗଲଣି ?” ସେ କହିଲେ, “ହଁ” | “କିନ୍ତୁ ମୁଁ ଭୁଲିପାରୁନି”, ପ୍ରଥମ ବନ୍ଦୀ କହିଲେ | ତାହା ଶୁଣି ଦ୍ବିତୀୟ ବନ୍ଦୀ ଜଣକ କହିଲେ, “ତାହାହେଲେ ତୁମେ ଏବେ ବି କାରା ଶିବିରରେ ଅଛ |” ଏହା ଦ୍ବେଷର କାରାଗାର ଅଟେ | କାହାର ବ୍ୟବହାରକୁ ନେଇ ଆମେ ଯଦି ତାଙ୍କ ପ୍ରତି ଦ୍ବେଷ ଭାବ ରଖିବା, ତେବେ ସେହି ନକାରାତ୍ମକ ଭାବନା ଆମର ହୃଦୟକୁ ବନ୍ଦୀ କରିଦେବ | ଏପରି କୁହାଯାଏ ଯେ ଦ୍ବେଷ କରିବା ଅର୍ଥ ନିଜେ ବିଷ ପାନ କରି ଅନ୍ୟ କାହାର ମୃତ୍ୟୁର ପ୍ରତୀକ୍ଷା କରିବା | ସେଥିପାଇଁ ସବୁ ଆଧ୍ୟାତ୍ମିକ ଗୁରୁ ଏବଂ ଧର୍ମ ପରମ୍ପରା କ୍ଷମାଶୀଳତାକୁ ଅତ୍ୟଧିକ ମହତ୍ତ୍ବ ପ୍ରଦାନ କରିଥାଆନ୍ତି | ଏହି ଗୋଟିଏ ଗୁଣ ଯାହା ଆମ ସମସ୍ତଙ୍କ ପାଖରେ ରହିବା ଆବଶ୍ୟକ କାରଣ ଆମେ ସମସ୍ତେ ଗୋଟିଏ ଦୋଷ ଯୁକ୍ତ ସଂସାରରେ ରହୁଅଛେ, ଯେଉଁଠାରେ ଅଧିକାଂଶତଃ ଲୋକେ ସ୍ବାର୍ଥପର ଅଟନ୍ତି ଯାହା ସ୍ବାଭାବିକ ଅଟେ, କାରଣ ସେମାନେ ମାୟାଧୀନ ଅଟନ୍ତି | ଆମେ ସେମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାଉଥିଲେ ମଧ୍ୟ ସେମାନେ ଆମ ସହିତ ଖରାପ ବ୍ୟବହାର କରନ୍ତି | ସେ କ୍ଷେତ୍ରରେ, ଆମେ ଯଦି କ୍ଷମା ନ କରିବା ତେବେ ଆମର ମନ ଦ୍ବେଷ ଏବଂ ପୀଡାରେ ଭରିଯିବ | ମାନସିକ ଦୁଶ୍ଚିନ୍ତା ତଥା ଅନେକ ଗୁଡିଏ ଶାରୀରିକ ବ୍ୟାଧି, ଯେଉଁଥିରେ ଆମ୍ଭେମାନେ ପୀଡିତ, ତାହାର ସର୍ବଶ୍ରେଷ୍ଠ ଉପଚାର କ୍ଷମା ହିଁ ଅଟେ | ସେହି କ୍ଷମା ଗୁଣକୁ ଆମେ କିପରି ବିକସିତ କରବା ? ସେଥିପାଇଁ ଗୋଟିଏ ଦୃଷ୍ଟିକୋଣର ଆବଶ୍ୟକତା ରହିଛି |
ଜୀବନରେ ଆମେ ସୁଖ ସୁବିଧା ଅପେକ୍ଷା ପ୍ରଗତିକୁ ଅଧିକ
ପ୍ରାଧାନ୍ୟ ଦେବା | ଏବେ କିଏ ଆପଣଙ୍କୁ ମାନସିକ ସ୍ତରରେ ଆହତ କଲେ ଆପଣ ତାହାକୁ ଆଧ୍ୟାତ୍ମିକ
ଉନ୍ନତି ନିମନ୍ତେ ଏକ ସୁଯୋଗ ଭାବରେ ଗ୍ରହଣ କରିବେ | ସଂତ ତୁକାରାମଙ୍କ ଜୀବନୀରୁ ଆମେ ପ୍ରେରଣା
ଲାଭ କରି ପାରିବା | ସଂତ ତୁକାରାମ ଜଣେ ଗୃହସ୍ଥ ସଂତ ଥିଲେ | ତାଙ୍କ ପତ୍ନୀଙ୍କର ସ୍ବଭାବ
ଅତ୍ୟନ୍ତ କର୍କଶା ଥିଲା | ଦିନେ ଘରେ କିଛି ଜିନିଷ ନ ଥିଲା, ଅଥଚ ତୁକାରାମ ନିଶ୍ଚିନ୍ତରେ ଘରେ
ବସି ଭଜନ କରୁଥାଆନ୍ତି | ତାହା ଦେଖି ତାଙ୍କର ପତ୍ନୀ ଗର୍ଜନ କରି କହିଲେ, “ଘରେ ବସି ରୁକ୍ମିଣୀ –ବିଠ୍ଠଲ,
ରୁକ୍ମିଣୀ –ବିଠ୍ଠଲ କଲେ କଣ ମିଳିବ ? ଯାଅ, ଦୋକାନରେ ବସିବ ଏବଂ ଘରକୁ କିଛି ସଉଦା ଆଣିବ |”
ପତ୍ନୀଙ୍କ ତାଗିଦା ଶୁଣି ତୁକାରାମ ଦୋକାନକୁ ଗଲେ | ଦୋକାନରେ କିଛି ବିକ୍ରୟ କରି ସେହି ପଇସାରେ
ସେ ସଉଦା ନେଇ ଘରକୁ ଫେରିଲେ | ଫେରିବା ବାଟରେ ରାସ୍ତା କଡରେ ସେ କେତେଜଣ ଭିଖାରୀଙ୍କୁ ଦେଖିଲେ
| ନିଜ ହାତରେ ସଉଦାକୁ ସେ ସେମାନଙ୍କ ମଧ୍ୟରେ ବାଣ୍ଟି ଦେଲେ | ଘରେ ପହଂଚିଲା ବେଳକୁ ତାଙ୍କ
ହାତରେ କେବଳ ଗୋଟିଏ ଆଖୁ ଦଣ୍ଡା ଥାଏ | ଆଖୁ ଦଣ୍ଡାଟିକୁ ପତ୍ନୀଙ୍କ ହାତକୁ ବଢାଇ ଦେଇ ସେ
କହିଲେ, “ଆଜି କେବଳ ଏତିକି ମିଳିଲା |” ତାଙ୍କ ପତ୍ନୀଙ୍କୁ ଏତେ ରାଗ ଲାଗିଲା ଯେ ଆଖୁ
ଦଣ୍ଡାଟିରେ ସେ ତୁକାରାମଙ୍କ
ମୁଣ୍ଡକୁ ଖୁବ୍ ଜୋରରେ ପ୍ରହାର କଲେ, ଯାହା ଫଳରେ ଦଣ୍ଡାଟି ଭାଙ୍ଗି ଦୁଇ ଗଡ ହୋଇଗଲା | ତାହା
ଦେଖି ତୁକାରାମ ହସି ହସି କହିଲେ, “ଭଲ ହେଲା, ଏବେ ତୁମେ ଖଣ୍ଡେ ଖାଇଦିଅ,ଏବଂ ମୁଁ ଖଣ୍ଡେ
ଖାଇଦେଉଛି |” ତାପରେ ତୁକାରାମ ପୂଜା ଘରକୁ ଯାଇ ବିଠ୍ଠଲ ଭଗବାନଙ୍କୁ ପ୍ରଣାମ କରି କହିଲେ, “ହେ
ପ୍ରଭୁ ! ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ | ଆପଣ କୃପା କରି ମୋତେ ଏପରି ଗୋଟିଏ ସ୍ତ୍ରୀ
ଦେଇଛନ୍ତି ଯେ କୌଣସି ମାୟିକ ବିଷୟରେ ମୋର କେବେ ବି ଆସକ୍ତି ଜାତ ହେବ ନାହିଁ |” ତୁକାରାମଙ୍କର
କୌଣସି ଘଟଣାକୁ ଅବଲୋକନ କରିବାର ଦୃଷ୍ଟିଭଙ୍ଗୀକୁ ଦେଖନ୍ତୁ | ଅନ୍ୟର ଦୁର୍ବ୍ୟବହାରକୁ ମଧ୍ୟ ସେ
ନିଜ ଆତ୍ମୋନ୍ନତି ଏବଂ ଆତ୍ମ-କଲ୍ୟାଣର ଏକ ସୁଯୋଗ ଭାବରେ ଦର୍ଶନ କରୁଛନ୍ତି | ଏହାକୁ ଏକ ବହୁତ
ବଡ ଶିକ୍ଷା ଭାବରେ ଗ୍ରହଣ କରି ନିଜ ଜୀବନରେ ଏହାର ଉପଯୋଗ କରନ୍ତୁ | ଅନ୍ତର୍ନିରୀକ୍ଷଣ କରି
ସନ୍ଧାନ କରନ୍ତୁ ଆପଣ ନିଜ ଭିତରେ କାହା ପ୍ରତି କିଛି ଦ୍ବେଷ ଭାବନା ପୋଷଣ କରିଛନ୍ତି କି ଏବଂ
ଅତିଶୀଘ୍ର ତାହାକୁ ସମୂଳେ ଦୂର କରିବାକୁ ଚେଷ୍ଟା କରନ୍ତୁ କାରଣ ତାହା ହିଁ ଆଧ୍ୟାତ୍ମିକ ବିକାଶର
ସିଢି ଅଟେ |
ଆସନ୍ତାକାଲି
ଆମେ ଏହି ଜୀବନ ପରିବର୍ତ୍ତନ ଅଭିଯାନ ଆତ୍ମୋନ୍ନତିର ଅନ୍ୟ ଏକ ଉପକରଣ ସହିତ ଜାରି ରଖିବା |
***** *****
*****
Comments
Post a Comment