. ଆତ୍ମ-ସଂଯମ ଇଚ୍ଛାଶକ୍ତି

 

ଆମ ଶରୀରରେ ପାଂଚଟି ଜ୍ଞାନେନ୍ଦ୍ରିୟ ରହିଛି ଯାହା ଦ୍ବାରା ଆମେ ନିଜ ଚତୁର୍ପାର୍ଶ୍ବରେ ଥିବା ସଂସାରକୁ ଅନୁଭବ କରିଥାଏ | ସେମାନେ ଆବଶ୍ୟକ ଅଟନ୍ତି, କିନ୍ତୁ ସେମାନେ ଯଦି ଅନିୟନ୍ତ୍ରିତ ହୋଇଯିବେ ତେବେ ସେମାନେ ଆମର ମହତ୍ତର ପ୍ରୟାସକୁ ମଧ୍ୟ ବ୍ୟର୍ଥ କରି ଦେଇ ପାରନ୍ତି | ଏହି ଇନ୍ଦ୍ରିୟମାନେ ସେମାନଙ୍କର ବିଷୟର କାମନା କରନ୍ତି ଏବଂ କାମନାର ପୂର୍ତ୍ତି ନିମନ୍ତେ ଆମେ ତତ୍ପର ହୋଇଉଠେ | କିନ୍ତୁ ସମସ୍ୟା ଏହା ଯେ ସେହି ସବୁ କାମନା ଅଗ୍ନି ସଦୃଶ ଅଟନ୍ତି ଯାହାକୁ ଆମେ ଘୃତାହୁତି ଦେଇ ନିର୍ବାପିତ କରିବାକୁ ଚେଷ୍ଟା କରିଥାଏ | ଗୋଟିଏ ମୁହୂର୍ତ୍ତ ପାଇଁ ଏହା ପ୍ରଶମିତ ହୋଇ ଯାଇଥାଏ ସତ, କିନ୍ତୁ ପର ମୁହୂର୍ତ୍ତରେ ଏହାର ପ୍ରବଳତା ଦ୍ବିଗୁଣିତ ହୋଇଯାଏ |

ଏହି ପରିପ୍ରେକ୍ଷୀରେ ଶ୍ରୀମଦ୍ ଭାଗବତ ମହାପୁରାଣ ବର୍ଣ୍ଣିତ ସୌଭରି ଋଷିଙ୍କର ଆଖ୍ୟାନକୁ ଦୃଷ୍ଟାନ୍ତ ଭାବରେ ଉପସ୍ଥାପନ କରାଯାଇ ପାରେ | ସୌଭରି ମୁନି ଇତିହାସର ଜଣେ ବହୁତ ବଡ ତପସ୍ବୀ ଥିଲେ | ଯମୁନା ନଦୀର ଅତଳ ତଳେ ଜଳ ସମାଧିରେ ନିମଗ୍ନ ରହି ସେ କଠୋର ତପସ୍ୟା କରୁଥିଲେ | ଥରେ ସମାଧିରୁ ଉଠି ଆଖି ଖୋଲିବା ମାତ୍ରେ ସେ ଦୁଇଟି ମତ୍ସ୍ୟଙ୍କୁ ବିଷୟଭୋଗ କରୁଥିବା ଅବସ୍ଥାରେ ଦେଖିବାକୁ ପାଇଲେ ଯାହା ତାଙ୍କର ଚିତ୍ତକୁ ଆନ୍ଦୋଳିତ କରିଦେଲା | ତାଙ୍କ ମନରେ ବିଷୟଭୋଗର ଇଚ୍ଛା ଜାଗ୍ରତ ହେଲା ଏବଂ ସେହି ଇଚ୍ଛା ପୂର୍ତ୍ତି ଉଦ୍ଦେଶ୍ୟରେ ସେ ବିବାହ କରିବାକୁ ମନସ୍ଥ କରି ସମାଧି ତ୍ୟାଗ କଲେ | ନିକଟରେ ମାନ୍ଧାତା ରାଜାଙ୍କର ରାଜ୍ୟ ଥିଲା | ରାଜାଙ୍କ ପାଖକୁ ଯାଇ ସୌଭରି କହିଲେ, “ମୁଁ ବିବାହ କରିବାକୁ ଇଚ୍ଛା କରୁଛି | ଦୟାକରି ଆପଣଙ୍କର ଗୋଟିଏ କନ୍ୟାର ବିବାହ ମୋ ସହିତ କରାଇ ଦିଅନ୍ତୁ |” ରାଜା ମାନ୍ଧାତାଙ୍କର ପଚାଶଟି କନ୍ୟା ଥିଲେ | ତଥାପି ସେ କୁଣ୍ଠିତ ହେଲେ, “ଏହି କୃଶକାୟ ବୃଦ୍ଧ ସାଧୁଙ୍କ ସହିତ ବିବାହ କରାଇ ମୁଁ କଣ ମୋର ଗୋଟିଏ ଝିଅର ଜୀବନ ନଷ୍ଟ କରିଦେବି ?” ମାନ୍ଧାତା ଟିକିଏ ଚାଲବାଜି କରି କହିଲେ, “ଠିକ୍ ଅଛି, ମୁଁ ମୋର ସବୁ କନ୍ୟାଙ୍କୁ ଆପଣଙ୍କ ସମ୍ମୁଖକୁ ଆସିବାକୁ କହୁଛି | ସେମାନଙ୍କ ମଧ୍ୟରୁ ଯିଏ ଆପଣଙ୍କୁ ପସନ୍ଦ କରିବ, ଆପଣ ତାହାକୁ ବିବାହ କରିପାରନ୍ତି |” ମାନ୍ଧାତା ଭାବିଲେ କେହି ଜଣେ ମଧ୍ୟ ଏହି ବୃଦ୍ଧ ସାଧୁଙ୍କୁ ପସନ୍ଦ କରିବେ ନାହିଁ ଏବଂ ଏହିପରି ଭାବରେ ସେ ସବୁ ସମସ୍ୟାରୁ ମୁକ୍ତ ହୋଇଯିବେ | କିନ୍ତୁ ତାଙ୍କର ଚାଲାକି ବୁଝିପାରି ସୌଭରି କହିଲେ, “ଠିକ୍ ଅଛି, ଆସନ୍ତାକାଲି ଆମେ ଏହାର ଅନୁଷ୍ଠାନ କରିବା |” ପର ଦିନ ନିଜ ଯୋଗଶକ୍ତି ବଳରେ ସୌଭରି ମୁନି ଜଣେ ଦିବ୍ୟ ସୁନ୍ଦର ଯୁବକର ରୂପ ଧାରଣ କରିନେଲେ | ସେହି ରୂପରେ ସେ ଯେତେବେବେଳେ ରାଜ ଦରବାରରେ ଉପସ୍ଥିତ ହେଲେ, ମାନ୍ଧାତାଙ୍କର ସମସ୍ତ କନ୍ୟା ତାଙ୍କ ସହିତ ବିବାହ କରିବାକୁ ଇଚ୍ଛା କଲେ | ମାନ୍ଧାତା ତ ବଚନବଦ୍ଧ ଥିଲେ, ତେଣୁ ସେ ବାଧ୍ୟ ହୋଇ ପଚାଶଟି କନ୍ୟାଙ୍କର ବିବାହ ମୁନିଙ୍କ ସହିତ କରିଦେଲେ | ଏବେ ରାଜା ଚିନ୍ତାରେ ପଡିଗଲେ ପଚାଶ ଜଣଙ୍କୁ ଏ ମୁନି ସମ୍ଭାଳିବେ କେମିତି ? କିନ୍ତୁ ସୌଭରି ଅଦ୍ଭୁତ ଶକ୍ତିର ଅଧିକାରୀ ଥିଲେ | ନିଜ ଯୋଗଶକ୍ତି ବଳରେ ସେ ପଚାଶଟି ରୂପ ଧାରଣ କରିନେଲେ ଏବଂ ପଚାଶଟି ମହଲ ସୃଷ୍ଟି କରି ପଚାଶ ଜଣ ପତ୍ନୀଙ୍କ ସହିତ ବିହାର କଲେ | ପ୍ରତ୍ୟେକ ପତ୍ନୀଙ୍କ ଠାରୁ ତାଙ୍କୁ ଦଶ-ଦଶଟି ସନ୍ତାନ ପ୍ରାପ୍ତ ହେଲା | ସେହି ଦଶଟିରୁ ପୁଣି ଦଶଟି.....ଏହିପରି ଭାବରେ ଭାଗବତ କହେ ଗୋଟିଏ ନଗର ସ୍ଥାପିତ ହୋଇଗଲା |

ହଜାର ହଜାର ବର୍ଷ ବିତିଗଲା | ଦିନେ ସୌଭରି ଏକାନ୍ତରେ ବସି ନିଜର ଗତି ବିଷୟରେ ଅନୁଧ୍ୟାନ କରି ଦେଖିଲେ ବାସ୍ତବରେ ତାଙ୍କର ତ ଅଧଃପତନ ହୋଇଛି !! ଅତ୍ୟନ୍ତ ମର୍ମାହତ ହୋଇ ସେ ଅନୁଶୋଚନା କଲେ:

ଅହୋ ଇମଂ ପଶ୍ୟତ ମେ ବିନାଶଂ ତପସ୍ବିନଃ ସଚ୍ଚରିତ୍ରବ୍ରତସ୍ୟ |

            ଅନ୍ତର୍ଜଳେ ବାରିଚରପ୍ରସଂଗାତ୍ ପ୍ରଚ୍ୟାଵିତଂ ବ୍ରହ୍ମ ଚିରଂ ଘୃତଂ ଯତ୍  || ଭାଗବତ ୯.୬.୫୦ ||

“ହେ ମନୁଷ୍ୟ ! ମୋର ବିନାଶକୁ ଦେଖ | ଇନ୍ଦ୍ରିୟ ସୁଖ ଭୋଗ କରିବାର ତୁମର ସାମର୍ଥ୍ୟ କେତେ ? ମୁଁ ଯୋଗବଳ ଦ୍ବାରା ତାହା ଭୋଗ କରିବାକୁ ପ୍ରୟାସ କଲି, କିନ୍ତୁ ଦେଖିଲି ଯେ ତାହାର କୌଣସି ଅନ୍ତ ନାହିଁ |” ଇନ୍ଦ୍ରିୟ ସୁଖ କାମନାର ସ୍ବରୁପ ଏହା ଯେ ଆମେ ଯେତେବେଳେ ତାହାକୁ ତୃପ୍ତ କରିବାକୁ ଚେଷ୍ଟା କରିଥାଏ, ମୁହୂର୍ତ୍ତକ ପାଇଁ ତାହା ଶାନ୍ତ ହୋଇଯାଏ, କିନ୍ତୁ ଅତିଶୀଘ୍ର ତାହା ଦ୍ବିଗୁଣିତ ହୋଇ ଫେରିଆସେ |

            ଏହାକୁ ପ୍ରସମିତ କରିବାର ଏକମାତ୍ର ଉପାୟ ହେଉଛି ଇନ୍ଦ୍ରିୟ ନିଗ୍ରହ | ସେଥିପାଇଁ ଜୀବନ ପରିବର୍ତ୍ତନ ଅଭିଯାନର ଆଜି ପଂଚମ ଦିବସରେ ମୁଁ ଲୋଭ ତ୍ୟାଗର ଉପକରଣକୁ ଅନୁମୋଦନ କରିବାକୁ ଇଚ୍ଛା କରିବି | ମନେରଖନ୍ତୁ, କାମନାଟିଏ ଯେତେବେଳେ ପ୍ରଥମେ ଉତ୍ପନ୍ନ ହୋଇଥାଏ, ସେତେବେଳେ ତାହା ଅତ୍ୟନ୍ତ କ୍ଷୀଣ ଥାଏ | ଜଣେ ବ୍ୟକ୍ତି ଯେତେବେଳେ ପ୍ରଥମ ଥର ଗୋଟିଏ ଢୋକ ମଦ ପିଇଥାଆନ୍ତି, ସେ ଏକଥା ଭାବି ନ ଥାଆନ୍ତି ଯେ ଦିନ ଆସିବ ଯେତେବେଳେ ଏହି ମଦ ତାଙ୍କର ମନ-ମସ୍ତିଷ୍କକୁ ଏତେ ଜୋରରେ ଜାବୋଡି ଧରିବା ଯେ ତା ବିନା ସେ ବଂଚି ପାରିବେ ନାହିଁ | ବ୍ୟକ୍ତି ଯେତେବେଳେ ପ୍ରଥମ ଥର ସିଗାରେଟ୍ ପିଇଥାଏ, ସେ ଏକଥା ଭାବି ନ ଥାଏ ଯେ ଦିନେ ସେ ଜଣେ ଚେନ୍ ସ୍ମୋକର୍ ହୋଇଯିବ | ତାତ୍ପର୍ଯ୍ୟ ଏହା ଯେ କୌଣସି କାମନାର ବାରମ୍ବାର ପୂର୍ତ୍ତି ହେବା ଫଳରେ ତାହା ଲୁହା ଶିକୁଳିରେ ବାନ୍ଧିବା ପରି ମନକୁ ଅତି ଶକ୍ତ ଭାବରେ ଜାବୋଡି ଧରି ଥାଏ |

କାଲିଫର୍ନିୟାର ବିଶାଳକାୟ ସିକୋୟା ବୃକ୍ଷରେ ଗୋଟିଏ ଭଅଁର ବସା ବାନ୍ଧିଥିଲା | ୩୦୦ ଫୁଟ୍ ଉଚ୍ଚର ବିଶାଳ ସିକୋୟା ବୃକ୍ଷ ଆଗରେ ଛାର ଗୋଟିଏ ଭଅଁରର ବା ଶକ୍ତି କେତେ ? କିଛି ଦିନ ପରେ ଭଅଁରଟି ୫୦ଟି ଅଣ୍ଡା ଦେଲା ଏବଂ ସେଥିରୁ ୫୦ଟି ଛୁଆ ବାହାରି ଗଛ ପାଖରେ ଘୂରି ବୁଲିଲେ | ୫୦ଟି ଭଅଁରଙ୍କର ଶକ୍ତି ମଧ୍ୟ ସିକୋୟା ବୃକ୍ଷ ସହିତ ତୁଳନୀୟ ନୁହେଁ | ତେବେ ଧୀରେ ଧୀରେ ଭଅଁରମାନେ ବହୁଗୁଣିତ ହେବାରେ ଲାଗିଲେ ଏବଂ ସେମାନଙ୍କର ସଂଖ୍ୟା ହଜାରରୁ ବଢି ଦଶ ହଜାର, ଦଶ ହଜାରରୁ ବଢି ଏକ ଲକ୍ଷରେ ପହଂଚିଲା | ତାପରେ ବେଶୀ ଦିନ ଲାଗିଲା ନାହିଁ ଯେତେବେଳେ ଲକ୍ଷ ଲକ୍ଷ ଭଅଁର ବୃକ୍ଷର ଗଣ୍ଡିରେ ଛିଦ୍ର କରି ସେହି ଭୀମକାୟ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଲେ | ଠିକ୍ ସେହିପରି, ଆମେ ଯେତେବେଳେ ଇନ୍ଦ୍ରିୟ ସୁଖ ଭୋଗ କରିବାରେ ଲାଗେ, ଆମେ ଚିନ୍ତା କରିପାରେ ନାହିଁ ଯେ ସେହି କ୍ରିୟା ଦିନେ ଆମ ଜୀବନରେ ପତନର କାରଣ ହେବ | ସେଥିପାଇଁ ଆଦ୍ୟରୁ ହିଁ ପ୍ରବୃତ୍ତିକୁ ଦମନ କରି ଇନ୍ଦ୍ରିୟମାନଙ୍କୁ ସଂଯମିତ ରଖିବା ଆବଶ୍ୟକ | ଅମାନିଆ ଘୋଡା ପରି ଏହା ନିୟନ୍ତ୍ରଣ ଆବଶ୍ୟକ କରିଥାଏ | ଅତଏବ ଆସନ୍ତୁ ଏହି ଜ୍ଞାନକୁ ବୁଦ୍ଧିରେ ଧାରଣ କରି ନିୟନ୍ତ୍ରଣ କରିବାର ଅଭ୍ୟାସ କରିବା –  କାମନାର ବିନାଶ କାମନା ପୂର୍ତ୍ତି ଦ୍ବାରା ହୋଇ ନ ଥାଏ, ବରଂ ଆତ୍ମ-ସଂଯମ ବଳରେ ହୋଇଥାଏ | ଆଜି ଏହି ଜ୍ଞାନର ଉପଯୋଗ କରିବା ଏବଂ ଆସନ୍ତାକାଲି ଆମେ ଷଷ୍ଠ ଉପକରଣ ସହିତ ଜୀବନ ପରିବର୍ତ୍ତନର ଏହି ଯାତ୍ରା ଚାଲୁ ରଖିବା |

                                                            *****   *****   *****


Comments

Popular posts from this blog