୬. ଭଗବାନଙ୍କ
ଉପରେ ପୂର୍ଣ୍ଣ ବିଶ୍ବାସ ରଖି ବର୍ତ୍ତମାନରେ ବଞ୍ଚିବା
ଆଜି ଆମେ
ବର୍ତ୍ତମାନରେ ବଂଚିବାର ମହତ୍ବ ସମ୍ପର୍କରେ ଆଲୋଚନା କରିବା | ଏହା ବର୍ତ୍ତମାନ ମୁହୂର୍ତ୍ତଟି ହିଁ ଅଟେ ଯେତେବେଳେ ଆମ ଜୀବନର
କ୍ଷେତ୍ର ଆମ ସମ୍ମୁଖରେ ପ୍ରକାଶିତ ହୋଇଥାଏ, ଅଥଚ ଅତୀତର ଦୁଃଖଦ ସ୍ମୃତି, ଭବିଷ୍ୟତର ଚିନ୍ତା
ଏବଂ ଆଶଂକାରେ ବୁଡି ରହି ଆମେ ତାକୁ ଅଦେଖା କରି ଦେଇଥାଏ | କୌଣସି କାର୍ଯ୍ୟ କରିବାକୁ ଗଲାବେଳେ
ଆମେ ଯଦି ନିଜର ସାମର୍ଥ୍ୟକୁ ପୂର୍ଣ୍ଣ ଉଜାଗର କରି ନିଜର ଜୀବନ ଯାତ୍ରାକୁ ଉପଭୋଗ କରିବାକୁ
ଇଚ୍ଛା କରୁଥାଏ, ତେବେ ଆମେ ବର୍ତ୍ତମାନରେ ବଂଚିବା ପାଇଁ ଅଭ୍ୟାସ କରିବା ଆବଶ୍ୟକ |
ଅତୀତରେ ଘଟିଥିବା ବିପର୍ଯ୍ୟୟ, ଦୈବୀ ଦୁର୍ବିପାକ ଏବଂ
ଦୁର୍ଘଟଣାର ଅନୁଶୋଚନା ଆମ୍ଭେମାନେ କାହିଁକି କରିଥାଏ ? ଆପଣମାନେ କହିପାରନ୍ତି ତାହା ଆମ ଜୀବନର
ଏକ ଅଂଶ ଅଟେ, ଆମେ ତାହାକୁ ଭୁଲିଯିବୁ କିପରି ? ଜଣେ ମହିଳା ବୁଦ୍ଧଦେବଙ୍କ ପାଖକୁ ଆସି କହିଲେ,
ମୋର ପୁତ୍ର ଚାଲିଗଲା, ଆପଣ ତାହାକୁ ଜୀବନ ଦାନ ଦିଅନ୍ତୁ | ବୁଦ୍ଧଦେବ କହିଲେ, “ପାଖ ପଡିଶାରେ
ଯାହା ଘରେ କେବେ ବି କାହାର ମୃତ୍ୟୁ ହୋଇନାହିଁ, ତୁମେ ଯଦି ତାଙ୍କ ଘରୁ ମୋ ପାଇଁ କିଛି ସୋରିଷ
ମାଗି ଆଣି ପାରିବ, ତେବେ ମୁଁ ତୁମର ପୁଅକୁ ଜୀବିତ କରିଦେବି |” ମହିଳା ଜଣକ ଗୋଟିଏ ପରେ ଗୋଟିଏ ସବୁ ଘରକୁ ଯାଇ ନିରାଶ
ହେଲେ | ଶେଷରେ ବୁଦ୍ଧଦେବ ତାଙ୍କୁ କହିଲେ, “ଦେଖ, ଏହା ହିଁ ଜୀବନ ଅଟେ | ଏଠାରେ ଜନ୍ମ,
ବ୍ୟାଧି, ଜରା ଏବଂ ମୃତ୍ୟୁ ନିର୍ଦ୍ଧାରିତ ଅଟେ | ତେଣୁ ବିଚଳିତ ନ ହୋଇ ଏହି ସତ୍ୟକୁ ସ୍ବୀକାର
କର |” ଆପଣମାନେ ପଚାରି ପାରନ୍ତି, “ସ୍ବାମିଜୀ, ମନକୁ ଆମେ ଅନୁଶୋଚନା ମୁକ୍ତ କରିବୁ କିପରି ?”
ଏହି ଉଦାହରଣଟିକୁ ନିଅନ୍ତୁ:
ଖଣ୍ଡେ କାଠ ଜଣେ ଶିଳ୍ପୀଙ୍କ
ପାଖକୁ ଯାଇ କହିଲା, “ଆପଣ ମୋତେ ସୁନ୍ଦର କରି ପାରିବେ କି ?” ଶିଳ୍ପୀ କହିଲେ, “ମୁଁ ପ୍ରସ୍ତୁତ
ଅଛି, କିନ୍ତୁ ତୁମେ କଣ ସେଥିପାଇଁ ପ୍ରସ୍ତୁତ ?” କାଠ କହିଲା, “ହଁ, ମୁଁ ପ୍ରସ୍ତୁତ |” ଶିଳ୍ପୀ
ନିଜର ହତିୟାର ସାହାଯ୍ୟରେ କାଠରେ ଖୋଦେଇ କରିବାକୁ ଆରମ୍ଭ କରିଦେଲେ | କାଠ ପ୍ରତିବାଦ କରି
କହିଲା, “ତୁମେ ଏ କଣ କରୁଛ ? ଏହା ଅତୀବ କଷ୍ଟଦାୟକ, ବନ୍ଦ କର |” ଶିଳ୍ପୀ କହିଲେ, “ତୁମେ ଯଦି
ସୁନ୍ଦର ହେବାକୁ ଇଚ୍ଛା କରୁଥାଅ, ଏତିକି କଷ୍ଟ ତ ତୁମକୁ ସହ୍ୟ କରିବାକୁ ପଡିବ |” “ଠିକ୍ ଅଛି, ଯାହା
କରିବ କର | କିନ୍ତୁ ସବୁଦିନ ଅଳ୍ପ ଅଳ୍ପ କର, ଗୋଟିଏ ଦିନରେ ଅତି ବେଶୀ ଖୋଦେଇ କର ନାହିଁ |”
ଶିଳ୍ପୀ ନିଜର କାମ କରି ଚାଲିଲେ ଏବଂ ଦିନେ କାଠ ଖଣ୍ଡଟି ଗୋଟିଏ ସୁନ୍ଦର ମୂର୍ତ୍ତିରେ ପରିଣତ
ହୋଇ ମନ୍ଦିର ବେଦୀରେ ସ୍ଥାପିତ ହୋଇଗଲା | ଠିକ୍ ସେହିପରି, ଆମ୍ଭେମାନେ ମଧ୍ୟ ନିଜ ଅନ୍ତଃକରଣର ବିରୁପତାକୁ
ଦୂର କରି ଜୀବନକୁ ପବିତ୍ର କରିବାକୁ ଇଚ୍ଛା କରିଥାଏ, ସବୁ ପ୍ରକାରର ସଦଗୁଣରେ ନିଜକୁ ବିଭୂଷିତ
କରି ସୁନ୍ଦର ହେବାକୁ ଇଚ୍ଛା କରିଥାଏ | ସେ କ୍ଷେତ୍ରରେ, ଜୀବନରେ ଯେଉଁ ସବୁ ସମସ୍ୟା ଏବଂ
କଠିନତାର ଆମେ ସମ୍ମୁଖୀନ ହୋଇଥାଏ, ତାହା ଆମକୁ ସୁନ୍ଦର କରି ଗଢିବାର ଭଗବାନଙ୍କର ତରିକା ଅଟେ |
ଅତଏବ, ଅତୀତର ବିପର୍ଯ୍ୟୟକୁ ନେଇ ଶୋଚନା କରିବା ପରିବର୍ତ୍ତେ ଆମେ ତାହାକୁ ବୈରାଗ୍ୟ ବୃଦ୍ଧି
କରିବାର ଏକ ସୁଯୋଗ ଭାବରେ ଗ୍ରହଣ କରିବା ଆବଶ୍ୟକ | ଛୋଟ ପିଲାଟିଏ ଖେଳଣା ଧରି ଖେଳିବାରେ ଏତେ
ମଗ୍ନ ହୋଇଯାଏ ଯେ ନିଜ ମା’କୁ ଭୁଲିଯାଏ | ସେ କ୍ଷେତ୍ରରେ ମା’ ପିଲାଟିକୁ ତା ପାଖକୁ ଆସିବାକୁ
ବାଧ୍ୟ ନ କରି ଖେଳଣାଟିକୁ ଲୁଚାଇ ଦିଏ | ଖେଳଣାଟି ଆଖି ଆଗରୁ ଚାଲିଯିବା ମାତ୍ରେ ପିଲାର ମା’
କଥା ମନେପଡେ ଏବଂ ମା’ ତତ୍ କ୍ଷଣାତ୍ ଆସି ତାକୁ ଦୁଗ୍ଧ ପାନ କରାଇଥାଏ | ଠିକ୍ ସେହିପରି,
ଆମ୍ଭେମାନେ ସଂସାରର ଇନ୍ଦ୍ରିୟ ବିଷୟ ରୂପୀ ମାୟିକ ଖେଳଣାରେ ମଜ୍ଜି ରହି ନିଜର ସନାତନ
ମାତା-ପିତାଙ୍କୁ ଭୁଲିଯାଇଛେ | ପ୍ରାକୃତିକ ବିପର୍ଯ୍ୟୟମାନେ ଆମକୁ ସଂସାରରୁ ବିମୁଖ ହୋଇ ଶାଶ୍ବତ
ଜୀବନ ପ୍ରତି ଉନ୍ମୁଖ ହେବାରେ ସାହାଯ୍ୟ କରିଥାଆନ୍ତି | ଯେ କୌଣସି ଘଟଣା ପ୍ରତି ଏହି ଦୃଷ୍ଟିକୋଣ
ରଖି ଆମ୍ଭେମାନେ ବୃଥା ଅନୁଶୋଚନାରୁ ନିଜକୁ ନିବୃତ୍ତ କରିପାରିବା | ବର୍ତ୍ତମାନରେ ନିଜକୁ
ଚିନ୍ତା ମୁକ୍ତ କରିବା ପାଇଁ କେବଳ ବିଶ୍ବାସର ଆବଶ୍ୟକତା ରହିଛି |
ଜଣେ ନୌସେନା ଅଧିକାରୀ ବିବାହ
ପରେ ନିଜ ସ୍ତ୍ରୀଙ୍କ ସହିତ ଜାହାଜରେ ଯାତ୍ରା କରୁଥାଆନ୍ତି | ଦୁର୍ଭାଗ୍ୟବଶତଃ, ଗଭୀର ସମୁଦ୍ରରେ
ଜାହାଜଟି ଗୋଟିଏ ଭୟାନକ ସାମୁଦ୍ରିକ ଝଡର ସମ୍ମୁଖୀନ ହେଲା | ସେହି ଅଧିକାରୀ ଜଣଙ୍କ ବ୍ୟତିତ ଜାହାଜର
ଅନ୍ୟ ସମସ୍ତ ଯାତ୍ରୀ ଏହି ଘଟଣାରେ ଆଶଙ୍କାଗ୍ରସ୍ତ ହୋଇ ଉଠିଲେ | ଅଧିକାରୀ ଜଣଙ୍କର ଏପରି ଶାନ୍ତ
ଭାବକୁ ଦେଖି ତାଙ୍କ ସ୍ତ୍ରୀ ପଚାରିଲେ, “ସ୍ବାମୀ ! ଏପରି ଏକ କଠିନ ପରିସ୍ଥିତିରେ ଆପଣ ଶାନ୍ତ
ରହିଛନ୍ତି କିପରି ?” ଅଧିକାରୀ ଜଣକ ସ୍ମିତ ହସି ଖୋଳ ଭିତରୁ ତାଙ୍କର ଖଣ୍ଡାଟିକୁ କାଢ଼ିଲେ ଏବଂ ତାହାକୁ
ସ୍ତ୍ରୀଙ୍କର ମୁଣ୍ଡ ଉପରେ ରଖି ପଚାରିଲେ, “ତୁମକୁ ଭୟ ଲାଗୁଛି ?” ସ୍ତ୍ରୀ କହିଲେ, “ନା |”
“କାହିଁକି ? ଖଣ୍ଡାଟି ତ ତୁମ ମୁଣ୍ଡ ଉପରେ ଅଛି, କେତେବେଳେ ତାହା ତୁମର ମୁଣ୍ଡକୁ ଚିରି ଦୁଇ
ଫାଳ କରି ଦେଇପାରେ |” ସ୍ତ୍ରୀ କହିଲେ, “ଅସ୍ତ୍ରଟି ଆପଣଙ୍କ ହାତରେ ଅଛି ଏବଂ ଆପଣ ମୋର
ହିତାକାଂକ୍ଷୀ, ଏହି ବିଶ୍ବାସ ମୋର ରହିଛି | ତେଣୁ ଭୟ କରିବାରେ କଣ ଅଛି ?” ନୌସେନା ଅଧିକାରୀ
ଜଣକ କହିଲେ, “ଠିକ୍ ସେହିପରି ମୋର ମଧ୍ୟ ବିଶ୍ବାସ ରହିଛି ଯେ ଭଗବାନ ମୋର ହିତୈଷୀ ଅଟନ୍ତି ଏବଂ
ସେ ଯାହା କରିବେ ସେଥିରେ ନିଶ୍ଚିତ ଭାବରେ ମୋର କଲ୍ୟାଣ ନିହିତ ରହିଛି |”
ବିଶ୍ବାସ ବର୍ତ୍ତମାନରେ ଆମ୍ଭମାନଙ୍କୁ ନିଃଶଙ୍କ ଏବଂ ନିର୍ଦ୍ବନ୍ଦ କରିବା ସହିତ ଆମର ସର୍ବଶ୍ରେଷ୍ଠ ପ୍ରୟାସରେ ଚେତନାକୁ କେନ୍ଦ୍ରୀଭୂତ କରିଥାଏ, ଯାହା ଆମର ଭବିଷ୍ୟତକୁ ଗଢି ତୋଳିବାରେ ସହାୟକ ହୋଇଥାଏ | ତେଣୁ ଭବିଷ୍ୟତ ପାଇଁ ଚିନ୍ତା ନ କରି ଆମେ ନିଜ ଜୀବନକୁ ଏହିପରି ଭାବରେ ସରଳୀକୃତ କରିପାରିବା | ନିଜର ସର୍ବୋତ୍ତମ ପ୍ରୟାସ କରିବା ପରେ ସବୁ କିଛି ଭଗବାନଙ୍କ ହାତରେ ଛାଡି ଦେବା | ଏହା ହିଁ ଆଜିର ସନ୍ଦେଶ ଅଟେ | ଆସନ୍ତାକାଲି ଆମେ ଆତ୍ମୋନ୍ନତିର ଅନ୍ୟ ଏକ ଶକ୍ତିଶାଳୀ ଆୟୁଧ ସହିତ ଆମର ଅଭିଯାନ ଜାରି ରଖିବା |
***** ***** *****

Comments
Post a Comment