॥ ଓଁ ନମୋ ଭଗବତେ ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ତୃତୀୟ ଅଧ୍ୟାୟ
ଭଗବାନଙ୍କ ଅବତାରର
ବର୍ଣ୍ଣନ
ସୂତ ଉବାଚ
ଜଗୃହେ ପୌରୁଷଂ ରୂପଂ ଭଗବାନ୍ ମହଦାଦିଭିଃ ।
ସମ୍ଭୂତଂ ଷୋଡଶକଲମାଦୌ ଲୋକସିସୃକ୍ଷୟା ॥ ୧॥
ସୃଷ୍ଟିର ପ୍ରାରମ୍ଭରେ ଭଗବାନ ସଂସାର ନିର୍ମାଣ କରିବାକୁ ଇଚ୍ଛା କଲେ
| ଇଚ୍ଛା କରିବା ମାତ୍ରେ ସେ ମହତ୍ ତତ୍ତ୍ବ ଆଦିରେ ନିଷ୍ପନ୍ନ ପୁରୁଷ ରୂପ ଗ୍ରହଣ କଲେ | ସେଥିରେ
ଦଶ ଇନ୍ଦ୍ରିୟ, ମନ ଏବଂ ପଞ୍ଚ
ମହାଭୂତ – ଏହିପରି ଭାବରେ ଷୋଳ କଳା ରହିଥିଲା |
ଯସ୍ୟାମ୍ଭସି ଶୟାନସ୍ୟ ଯୋଗନିଦ୍ରାଂ ବିତନ୍ୱତଃ ।
ନାଭିହ୍ରଦାମ୍ବୁଜାଦାସୀଦ୍ବ୍ରହ୍ମା ବିଶ୍ୱସୃଜାଂ ପତିଃ ॥ ୨॥
ସେ କାରଣାର୍ଣ୍ଣବରେ ଶୟନ କରି ଯୋଗନିଦ୍ରା ବିସ୍ତାର କରିଥିବା ସମୟରେ
ତାଙ୍କର ନାଭି-ସରୋବରରୁ ଏକ କମଳ ପ୍ରକଟ ହେଲା ଏବଂ ସେହି କମଳରୁ ପ୍ରଜାପତିମାନଙ୍କର ଅଧିପତି
ବ୍ରହ୍ମା ଉତ୍ପନ୍ନ ହେଲେ |
ଯସ୍ୟାବୟବସଂସ୍ଥାନୈଃ କଲ୍ପିତୋ ଲୋକବିସ୍ତରଃ ।
ତଦ୍ୱୈ ଭଗବତୋ ରୂପଂ ବିଶୁଦ୍ଧଂ ସତ୍ତ୍ୱମୂର୍ଜିତମ୍ ॥ ୩॥
ଭଗବାନଙ୍କର ସେହି ବିରାଟ ରୂପର ଅଙ୍ଗ-ପ୍ରତ୍ୟଙ୍ଗରେ ହିଁ ସମସ୍ତ
ବ୍ରହ୍ମାଣ୍ଡର ଅସ୍ତିତ୍ବ କଳ୍ପିତ, ତାହା ଭଗବାନଙ୍କର
ବିଶୁଦ୍ଧ ସତ୍ତ୍ବମୟ ଶ୍ରେଷ୍ଠ ରୂପ ଅଟେ |
ପଶ୍ୟନ୍ତ୍ୟଦୋ ରୂପମଦଭ୍ରଚକ୍ଷୁଷା
ସହସ୍ରପାଦୋରୁଭୁଜାନନାଦ୍ଭୁତମ୍ ।
ସହସ୍ରମୂର୍ଧଶ୍ରବଣାକ୍ଷିନାସିକଂ
ସହସ୍ରମୌଲ୍ୟମ୍ବରକୁଣ୍ଡଲୋଲ୍ଲସତ୍ ॥ ୪॥
ସହସ୍ର ପାଦ, ଜଘନ, ଭୁଜ, ମୁଖ ଆଦି ଯୁକ୍ତ
ଭଗବାନଙ୍କର ସେହି ରୂପ ଅତ୍ୟନ୍ତ ବିଲକ୍ଷଣ ଅଟେ | ସେଥିରେ ସହସ୍ର ସିର, ହଜାର ହଜାର କର୍ଣ୍ଣ, ଚକ୍ଷୁ ଏବଂ ନାସିକା ରହିଛି | ହଜାର ହଜାର
ମୁକୁଟ, ବସ୍ତ୍ର ଓ କୁଣ୍ଡଳ
ଆଦି ଆଭୂଷଣରେ ତାହା ସୁଶୋଭିତ |
ଏତନ୍ନାନାବତାରାଣାଂ ନିଧାନଂ ବୀଜମବ୍ୟଯମ୍ ।
ଯସ୍ୟାଂଶାଂଶେନ ସୃଜ୍ୟନ୍ତେ ଦେବତିର୍ୟଙ୍ନରାଦୟଃ ॥ ୫॥
ଭଗବାନଙ୍କର ଏହି ପୁରୁଷ ରୂପ,
ଯାହାକୁ ନାରାୟଣ କହନ୍ତି, ଅନେକ ଅବତାରଙ୍କର
ଅକ୍ଷୟ କୋଷ ଅଟେ – ସମସ୍ତ ଅବତାର ଏଥିରୁ ପ୍ରକଟ ହୁଅନ୍ତି | ଏହି ରୂପର ଛୋଟ-ଛୋଟ ଅଂଶରୁ ଦେବତା, ପଶୁ-ପକ୍ଷୀ, ମନୁଷ୍ୟ ଆଦି ଯୋନିର
ସୃଷ୍ଟି ହୋଇଥାଏ |
ସ ଏବ ପ୍ରଥମଂ ଦେବଃ କୌମାରଂ ସର୍ଗମାଶ୍ରିତଃ ।
ଚଚାର ଦୁଶ୍ଚରଂ ବ୍ରହ୍ମା ବ୍ରହ୍ମଚର୍ୟମଖଣ୍ଡିତମ୍ ॥ ୬॥
ସେହି ପ୍ରଭୁ ପ୍ରଥମେ କୌମାରସର୍ଗରେ ସନକ, ସନନ୍ଦନ, ସନାତନ ଏବଂ ସନତ୍
କୁମାର – ଏହି ଚାରୋଟି ବ୍ରାହ୍ମଣ ରୂପରେ ଅବତାର ଗ୍ରହଣ କରି ଅତ୍ୟନ୍ତ କଠିନ ତଥା ଅଖଣ୍ଡ
ବ୍ରହ୍ମଚର୍ଯ୍ୟ ପାଳନ କଲେ |
ଦ୍ୱିତୀୟଂ ତୁ ଭବାୟାସ୍ୟ ରସାତଲଗତାଂ ମହୀମ୍ ।
ଉଦ୍ଧରିଷ୍ୟନ୍ନୁପାଦତ୍ତ ଯଜ୍ଞେଶଃ ସୌକରଂ ବପୁଃ ॥ ୭॥
ଦ୍ବିତୀୟରେ, ସଂସାରର କଲ୍ୟାଣ ଅଭିପ୍ରାୟରେ ରସାତଳରେ ପତିତ ପୃଥିବୀକୁ
ଉଦ୍ଧାର କରିବା ନିମନ୍ତେ ସମସ୍ତ ଯଜ୍ଞର ଅଧୀଶ ଭଗବାନ ଶୂକର ରୂପ ଧାରଣ କଲେ |
ତୃତୀୟଂ ଋଷିସର୍ଗଂ ଚ ଦେବର୍ଷିତ୍ୱମୁପେତ୍ୟ ସଃ ।
ତନ୍ତ୍ରଂ ସାତ୍ୱତମାଚଷ୍ଟ ନୈଷ୍କର୍ମ୍ୟଂ କର୍ମଣାଂ ଯତଃ ॥ ୮॥
ଋଷି ପରମ୍ପରାରେ ଭଗବାନ ଦେବର୍ଷି ନାରଦ ରୂପରେ ତୃତୀୟ ଅବତାର ଗ୍ରହଣ
କରି ସାତ୍ବତ ତନ୍ତ୍ର (ଯାହାକୁ ନାରଦ ପାଞ୍ଚରାତ୍ର କହନ୍ତି ) ର ଉପଦେଶ ପ୍ରଦାନ କଲେ, ଯହିଁରେ କର୍ମ ଦ୍ବାରା କିପରି ଭାବରେ କର୍ମବନ୍ଧନରୁ ମୁକ୍ତି
ମିଳିଥାଏ, ତାହାର ବର୍ଣ୍ଣନ
ଦେଖିବାକୁ ମିଳେ |
ତୁର୍ୟେ ଧର୍ମକଲାସର୍ଗେ ନରନାରାୟଣାବୃଷୀ ।
ଭୂତ୍ୱାଽଽତ୍ମୋପଶମୋପେତମକରୋଦ୍ଦୁଶ୍ଚରଂ ତପଃ ॥ ୯॥
ଧର୍ମପତ୍ନୀ ମୂର୍ତିଙ୍କ ଗର୍ଭରୁ ଭଗବାନ ନର-ନାରାୟଣ ରୂପରେ ଚତୁର୍ଥ
ଅବତାର ଗ୍ରହଣ କରିଥିଲେ | ଏହି ଅବତାରରେ ସେ ଋଷି ଭାବରେ ମନ-ଇନ୍ଦ୍ରିୟକୁ ସଂଯମିତ କରି ଅତ୍ୟନ୍ତ
କଠିନ ତପସ୍ୟା କରିଥିଲେ |
ପଞ୍ଚମଃ କପିଲୋ ନାମ ସିଦ୍ଧେଶଃ କାଲବିପ୍ଲୁତମ୍ ।
ପ୍ରୋବାଚାସୁରୟେ ସାଙ୍ଖ୍ୟଂ ତତ୍ତ୍ୱଗ୍ରାମବିନିର୍ଣୟମ୍ ॥ ୧୦॥
ଷଷ୍ଠମତ୍ରେରପତ୍ୟତ୍ୱଂ ବୃତଃ ପ୍ରାପ୍ତୋଽନସୂୟଯା ।
ଆନ୍ୱୀକ୍ଷିକୀମଲର୍କାୟ ପ୍ରହ୍ଲାଦାଦିଭ୍ୟ ଊଚିବାନ୍ ॥ ୧୧॥
ଅନସୂୟା ବର ଯାଚନା କରିଥିବାରୁ ଷଷ୍ଠ ଅବତାରରେ ଭଗବାନ ଅତ୍ରି-ପୂତ୍ର
ଦତ୍ତାତ୍ରେୟ ଭାବରେ ଜନ୍ମ ଗ୍ରହଣ କରିଥିଲେ | ଏହି ଅବତାରରେ ସେ ଅଳର୍କ ଏବଂ ପ୍ରହ୍ଲାଦ
ଆଦିଙ୍କୁ ବ୍ରହ୍ମଜ୍ଞାନ ଉପଦେଶ ପ୍ରଦାନ କରିଥିଲେ |
ତତଃ ସପ୍ତମ ଆକୂତ୍ୟାଂ ରୁଚେର୍ୟଜ୍ଞୋଽଭ୍ୟଜାୟତ ।
ସ ଯାମାଦ୍ୟୈଃ ସୁରଗଣୈରପାତ୍ସ୍ୱାୟମ୍ଭୁବାନ୍ତରମ୍ ॥ ୧୨॥
ସପ୍ତମ ଅବତାରରେ ରୁଚି ପ୍ରଜାପତିଙ୍କର ଆକୂତି ନାମକ ପତ୍ନୀଙ୍କ
ଗର୍ଭରୁ ଭଗବାନ ଯଜ୍ଞ ରୂପରେ ଅବତରିତ ହୋଇଥିଲେ ଏବଂ ନିଜ ପୂତ୍ର ଯାମ ଆଦି ଦେବତାଙ୍କ ସହ
ସ୍ବାୟମ୍ଭୂବ ମନ୍ବନ୍ତରର ରକ୍ଷା କରିଥିଲେ |
ଅଷ୍ଟମେ ମେରୁଦେବ୍ୟାଂ ତୁ ନାଭେର୍ଜାତ ଉରୁକ୍ରମଃ ।
ଦର୍ଶୟନ୍ ବର୍ତ୍ମ ଧୀରାଣାଂ ସର୍ୱାଶ୍ରମନମସ୍କୃତମ୍ ॥ ୧୩॥
ରାଜା ନାଭିଙ୍କର ପତ୍ନୀ ମେରୁଦେବୀଙ୍କ ଗର୍ଭରୁ ଋଷଭଦେବ ରୂପରେ ଭଗବାନ
ଅଷ୍ଟମ ଅବତାର ଗ୍ରହଣ କରିଥିଲେ | ଏହି ରୂପରେ ସେ ସମସ୍ତ ଆଶ୍ରମ ନିମନ୍ତେ ବନ୍ଦନୀୟ
ପରମହଂସମାନଙ୍କର ଧର୍ମର ମାର୍ଗଦର୍ଶନ କରାଇ ଥିଲେ |
ଋଷିଭିର୍ୟାଚିତୋ ଭେଜେ ନବମଂ ପାର୍ଥିବଂ ବପୁଃ ।
ଦୁଗ୍ଧେମାମୋଷଧୀର୍ୱିପ୍ରାସ୍ତେନାୟଂ ସ ଉଶତ୍ତମଃ ॥ ୧୪॥
ଋଷିମାନଙ୍କର ପ୍ରାର୍ଥନା ସ୍ବୀକାର କରି ନବମ ଅବତାରରେ ଭଗବାନ ରାଜା
ପୃଥୁଙ୍କ ରୂପରେ ଅଵତୀର୍ଣ୍ଣ ହୋଇଥିଲେ | ଶୌନକାଦି ଋଷିଗଣ ! ଏହି ଅବତାରରେ ଭଗବାନ ପୃଥିବୀରୁ
ସମସ୍ତ ବୃକ୍ଷ-ଲତାର ଦୋହନ କରିଥିଲେ, ଯାହା ସମସ୍ତଙ୍କ
ପାଇଁ ଅତ୍ୟନ୍ତ କଲ୍ୟାଣକାରୀ ସିଦ୍ଧ ହୋଇଥିଲା |
ରୂପଂ ସ ଜଗୃହେ ମାତ୍ସ୍ୟଂ ଚାକ୍ଷୁଷୋଦଧିସମ୍ପ୍ଲବେ ।
ନାବ୍ୟାରୋପ୍ୟ ମହୀମୟ୍ୟାମପାଦ୍ୱୈବସ୍ୱତଂ ମନୁମ୍ ॥ ୧୫॥
ଚାକ୍ଷୁଷ ମନ୍ବନ୍ତରର ଅନ୍ତରେ ଯେତେବେଳେ ସମ୍ପୂର୍ଣ୍ଣ ତ୍ରିଭୂବନ ସମୁଦ୍ର
ଗର୍ଭରେ ବୁଡିବାକୁ ଯାଉଥିଲା, ଭଗବାନ ମତ୍ସ୍ୟ
ରୂପରେ ଦଶମ ଅବତାର ଗ୍ରହଣ କରିଥିଲେ ଏବଂ ପୃଥିବୀରୂପୀ ନୌକାରେ ବସାଇ ପରବର୍ତ୍ତୀ ମନ୍ବନ୍ତରର
ଅଧିପତି ବୈବସ୍ବତ ମନୁଙ୍କୁ ରକ୍ଷା କରିଥିଲେ |
ସୁରାସୁରାଣାମୁଦଧିଂ ମଥ୍ନତାଂ ମନ୍ଦରାଚଲମ୍ ।
ଦଧ୍ରେ କମଠରୂପେଣ ପୃଷ୍ଠ ଏକାଦଶେ ବିଭୁଃ ॥ ୧୬॥
ଦେବତା ଏବଂ ଦୈତ୍ୟମାନେ ସମୁଦ୍ର ମନ୍ଥନ କରୁଥିବା ସମୟରେ ଏକାଦଶ
ଅବତାର ଗ୍ରହଣ କରି କଚ୍ଛପ ରୂପରେ ଭଗବାନ ମନ୍ଦରାଚଳକୁ ନିଜ ପୃଷ୍ଠଦେଶରେ ଧାରଣ କରିଥିଲେ |
ଧାନ୍ୱନ୍ତରଂ ଦ୍ୱାଦଶମଂ ତ୍ରୟୋଦଶମମେବ ଚ ।
ଅପାୟଯତ୍ସୁରାନନ୍ୟାନ୍ ମୋହିନ୍ୟା ମୋହୟନ୍ ସ୍ତ୍ରିୟା ॥ ୧୭॥
ଦ୍ବାଦଶ ଅବତାରରେ ସେ ଧନ୍ବନ୍ତରୀ ରୂପରେ ଅମୃତ କଲଶ ଧାରଣ କରି
ସମୁଦ୍ରରୁ ପ୍ରକଟ ହେଲେ ଏବଂ ତ୍ରୟୋଦଶ ଅବତାରରେ ମୋହିନୀ ରୂପରେ ଦୈତ୍ୟମାନଙ୍କୁ ମୋହିତ କରି
ଦେବତାମାନଙ୍କୁ ଅମୃତ ପାନ କରାଇ ଥିଲେ |
ଚତୁର୍ଦଶଂ ନାରସିଂହଂ ବିଭ୍ରଦ୍ଦୈତ୍ୟେନ୍ଦ୍ରମୂର୍ଜିତମ୍ ।
ଦଦାର କରଜୈର୍ୱକ୍ଷସ୍ୟେରକାଂ କଟକୃଦ୍ୟଥା ॥ ୧୮॥
ଚତୁର୍ଦ୍ଦଶ ଅବତାରରେ ସେ ନରସିଂହ ରୂପ ଧାରଣ କରି ପ୍ରବଳ ପ୍ରତାପୀ
ଦୈତ୍ୟରାଜ ହିରଣ୍ୟକଶିପୁର ବକ୍ଷସ୍ଥଳକୁ ନିଜ ନଖରେ ଅନାୟାସ ବିଦୀର୍ଣ୍ଣ କରିଥିଲେ, ଯେପରି ଚଟାଇ ପ୍ରସ୍ତୁତ କରୁଥିବା ଜଣେ କାରିଗର ପତ୍ରକୁ ଚିରିଥାଏ |
ପଞ୍ଚଦଶଂ ବାମନକଂ କୃତ୍ୱାଗାଦଧ୍ୱରଂ ବଲେଃ ।
ପଦତ୍ରୟଂ ଯାଚମାନଃ ପ୍ରତ୍ୟାଦିତ୍ସୁସ୍ତ୍ରିବିଷ୍ଟପମ୍ ॥ ୧୯॥
ପଞ୍ଚଦଶ ଅବତାରରେ ଭଗବାନ ବାମନ ରୂପରେ ଦୈତ୍ୟରାଜ ବଳିଙ୍କର ଯଜ୍ଞରେ
ଉପସ୍ଥିତ ହୋଇଥିଲେ | ତ୍ରିଲୋକର ଆଧିପତ୍ୟ ଇଚ୍ଛା କରି ସେ ଦାନ ସ୍ବରୂପ ବଳିଙ୍କଠାରୁ କେବଳ ତିନି
ପାଦ ଭୂମି ମାଗିଥିଲେ |
ଅବତାରେ ଷୋଡଶମେ ପଶ୍ୟନ୍ ବ୍ରହ୍ମଦ୍ରୁହୋ ନୃପାନ୍ ।
ତ୍ରିଃସପ୍ତକୃତ୍ୱଃ କୁପିତୋ ନିଃକ୍ଷତ୍ରାମକରୋନ୍ମହୀମ୍ ॥ ୨୦॥
ଷଷ୍ଠଦଶ ପର୍ଶୁରାମ ଅବତାରରେ ସେ ଯେତେବେଳେ ଦେଖିଥିଲେ ଯେ ରାଜାମାନେ
ବ୍ରାହ୍ମଣ ଦ୍ରୋହୀ ହୋଇ ଯାଇଛନ୍ତି, ସେତେବେଳେ କ୍ରୋଧିତ
ହୋଇ ସେ ପୃଥିବୀକୁ ଏକୋଇଶ ଥର କ୍ଷତ୍ରୀୟଶୂନ୍ୟ କରିଥିଲେ |
ତତଃ ସପ୍ତଦଶେ ଜାତଃ ସତ୍ୟବତ୍ୟାଂ ପରାଶରାତ୍ ।
ଚକ୍ରେ ବେଦତରୋଃ ଶାଖା ଦୃଷ୍ଟ୍ୱା ପୁଂସୋଽଲ୍ପମେଧସଃ ॥ ୨୧॥
ଏହାପରେ ସପ୍ତଦଶ ଅବତାରରେ ସେ ପରାଶର ମୁନିଙ୍କ ଦ୍ବାରା ସତ୍ୟବତୀଙ୍କ
ଗର୍ଭରୁ ବ୍ୟାସ ରୂପରେ ଅବତୀର୍ଣ୍ଣ ହେଲେ | ସେହି ସମୟରେ ଲୋକମାନଙ୍କର ବୋଧଶକ୍ତି ତଥା
ଧାରଣଶକ୍ତି ସ୍ବଳ୍ପ ଥିବା ଲକ୍ଷ୍ୟ କରି ସେ ବେଦରୂପୀ ବୃକ୍ଷକୁ ଅନେକ ଶାଖାରେ ବିଭାଜିତ କରିଥିଲେ
|
ନରଦେବତ୍ୱମାପନ୍ନଃ ସୁରକାର୍ୟଚିକୀର୍ଷୟା ।
ସମୁଦ୍ରନିଗ୍ରହାଦୀନି ଚକ୍ରେ ବୀର୍ୟାଣ୍ୟତଃ ପରମ୍ ॥ ୨୨॥
ଅଷ୍ଟାଦଶ ଅବତାରରେ ଦେବତାମାନଙ୍କର କାର୍ଯ୍ୟ ସମ୍ପାଦନ କରିବା
ଉଦ୍ଦେଶ୍ୟରେ ସେ ରାଜା ରୂପରେ ରାମାବତାର ଗ୍ରହଣ କରି ସେତୁ-ବନ୍ଧନ, ରାବଣବଧ ଆଦି ଅନେକ ବୀରତାପୂର୍ଣ୍ଣ ଲୀଳା କରିଥିଲେ |
ଏକୋନବିଂଶେ ବିଂଶତିମେ ବୃଷ୍ଣିଷୁ ପ୍ରାପ୍ୟ ଜନ୍ମନୀ ।
ରାମକୃଷ୍ଣାବିତି ଭୁବୋ ଭଗବାନହରଦ୍ଭରମ୍ ॥ ୨୩॥
ଉନବିଂଶ ଏବଂ ବିଂଶ ଅବତାରରେ ସେ ଯଦୁବଂଶରେ ବଳରାମ ଏବଂ ଶ୍ରୀକୃଷ୍ଣ
ନାମରେ ପ୍ରକଟ ହୋଇ ଭୂ-ଭାର ହରଣ କରିଥିଲେ |
ତତଃ କଲୌ ସମ୍ପ୍ରବୃତ୍ତେ ସମ୍ମୋହାୟ ସୁରଦ୍ୱିଷାମ୍ ।
ବୁଦ୍ଧୋ ନାମ୍ନାଜନସୁତଃ କୀକଟେଷୁ ଭବିଷ୍ୟତି ॥ ୨୪॥
ତତପଶ୍ଚାତ୍ କଳିଯୁଗର ଆଗମନରେ ଦେବତାମାନଙ୍କର ଦ୍ବେଷୀ ଦୈତ୍ୟମାନଙ୍କୁ
ମୋହିତ କରିବା ପାଇଁ ସେ ମଗଧ ଦେଶର ଅଜନଙ୍କ ପୂତ୍ର ଭାବରେ ବୁଦ୍ଧାବତାର ଗ୍ରହଣ କରିବେ |
ଅଥାସୌ ଯୁଗସନ୍ଧ୍ୟାୟାଂ ଦସ୍ୟୁପ୍ରାୟେଷୁ ରାଜସୁ ।
ଜନିତା ବିଷ୍ଣୁୟଶସୋ ନାମ୍ନା କଲ୍କିର୍ଜଗତ୍ପତିଃ ॥ ୨୫॥
ପୁନଶ୍ଚ କଳିଯୁଗର ଅନ୍ତ ହେବାକୁ ଯାଉଥିବା ବେଳେ ରାଜାମାନେ ଯେତେବେଳେ
ଲୁଣ୍ଠନକାରୀ ହୋଇଯିବେ, ସେତେବେଳେ ଜଗତ
ରକ୍ଷକ ଭଗବାନ ବିଷ୍ଣୁଯଶ ନାମକ ବ୍ରାହ୍ମଣ ଗୃହରେ କଲ୍କୀ ରୂପରେ ଅବତୀର୍ଣ୍ଣ ହେବେ |
ଅବତାରା ହ୍ୟସଙ୍ଖ୍ୟେୟା ହରେଃ ସତ୍ତ୍ୱନିଧେର୍ଦ୍ୱିଜାଃ ।
ଯଥାବିଦାସିନଃ କୁଲ୍ୟାଃ ସରସଃ ସ୍ୟୁଃ ସହସ୍ରଶଃ ॥ ୨୬॥
ହେ ଶୌନକାଦି ଋଷିଗଣ ! ଅଗାଧ ସରୋବରରୁ ହଜାର ହଜାର ଛୋଟ ଚୋଟ ନାଳ
ନିର୍ଗତ ହେବା ପରି ସତ୍ତ୍ବନିଧି ଭଗବାନ ଶ୍ରୀହରିଙ୍କର ଅବତାର ଅସଂଖ୍ୟ ଅଟେ |
ଋଷୟୋ ମନବୋ ଦେବା ମନୁପୁତ୍ରା ମହୌଜସଃ ।
କଲାଃ ସର୍ୱେ ହରେରେବ ସପ୍ରଜାପତୟସ୍ତଥା ॥ ୨୭॥
ଋଷି, ମନୁ, ଦେବତା, ପ୍ରଜାପତି, ମନୁପୁତ୍ର ଏବଂ ଯେତେ ସବୁ ଶକ୍ତିଶାଳୀ ବ୍ୟକ୍ତିତ୍ବ ରହିଛନ୍ତି, ସେମାନେ ସମସ୍ତେ ଭଗବାନଙ୍କର ହିଁ ଅଂଶ ଅଟନ୍ତି |
ଏତେ ଚାଂଶକଲାଃ ପୁଂସଃ କୃଷ୍ଣସ୍ତୁ ଭଗବାନ୍ ସ୍ୱୟମ୍ ।
ଇନ୍ଦ୍ରାରିବ୍ୟାକୁଲଂ ଲୋକଂ ମୃଡ୍ୟନ୍ତି ଯୁଗେ ଯୁଗେ ॥ ୨୮॥
ଏହି ସବୁ ଅବତାର ତ ଭଗବାନଙ୍କର ଅଂଶାବତାର ଅଥବା କଳାବତାର ଅଟନ୍ତି, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସ୍ବୟଂ ଭଗବାନ (ଅବତାରୀ) ହିଁ ଅଟନ୍ତି |
ଦୈତ୍ୟମାନଙ୍କର ଅତ୍ୟାଚାରରେ ଲୋକେ ଯେତେବେଳେ ବ୍ୟାକୁଳ ହୋଇ ଉଠନ୍ତି, ଯୁଗେ ଯୁଗେ ଭିନ୍ନ ଭିନ୍ନ ରୂପ ଧାରଣ କରି ଭଗବାନ ସେମାନଙ୍କୁ ରକ୍ଷା
କରିଥାଆନ୍ତି |
ଜନ୍ମ ଗୁହ୍ୟଂ ଭଗବତୋ ଯ ଏତତ୍ପ୍ରୟତୋ ନରଃ ।
ସାୟଂ ପ୍ରାତର୍ଗୃଣନ୍ ଭକ୍ତ୍ୟା ଦୁଃଖଗ୍ରାମାଦ୍ୱିମୁଚ୍ୟତେ ॥ ୨୯॥
ଭଗବାନଙ୍କର ଦିବ୍ୟ ଜନ୍ମ ସମ୍ବନ୍ଧୀୟ ଏହି କଥା ଅତ୍ୟନ୍ତ ଗୋପନୀୟ ତଥା
ରହସ୍ୟମୟ ଅଟେ | ଯେଉଁ ବ୍ୟକ୍ତି ପ୍ରେମପୂର୍ଣ୍ଣ ଏକାଗ୍ର ଚିତ୍ତରେ ନିୟମପୂର୍ବକ ପ୍ରତ୍ୟହ
ସାୟଂକାଳ ଏବଂ ପ୍ରାତଃକାଳରେ ଏହାର ପଠନ କରନ୍ତି,
ତାଙ୍କର ସବୁ ଦୁଃଖ ଦୂର ହୋଇଯାଏ |
ଏତଦ୍ରୂପଂ ଭଗବତୋ ହ୍ୟରୂପସ୍ୟ ଚିଦାତ୍ମନଃ ।
ମାୟାଗୁଣୈର୍ୱିରଚିତଂ ମହଦାଦିଭିରାତ୍ମନି ॥ ୩୦॥
ପ୍ରାକୃତ ସ୍ବରୂପରହିତ ଚିନ୍ମୟ ଭଗବାନଙ୍କର ସ୍ଥୁଳ ଜଗଦାକାର ରୂପ
ତାଙ୍କ ମାୟାର ମହତ୍ବାଦି ଗୁଣରେ ଭଗବାନଙ୍କଠାରେ ହିଁ କଳ୍ପିତ ଅଟେ |
ଯଥା ନଭସି ମେଘୌଘୋ ରେଣୁର୍ୱା ପାର୍ଥିବୋଽନିଲେ ।
ଏବଂ ଦ୍ରଷ୍ଟରି ଦୃଶ୍ୟତ୍ୱମାରୋପିତମବୁଦ୍ଧିଭିଃ ॥ ୩୧॥
ବାଦଲ ବାୟୁର ଆଶ୍ରିତ ଅଟେ ଏବଂ ଧୂସରତା ଧୂଳିର ଆଶ୍ରିତ ଅଟେ |
କିନ୍ତୁ ଅଳ୍ପବୁଦ୍ଧିସମ୍ପନ୍ନ ବ୍ୟକ୍ତି ବାଦଲକୁ ଆକାଶରେ ଏବଂ ଧୂସରତାକୁ ବାୟୁରେ ଆରୋପ
କରିଥାଆନ୍ତି | ଠିକ୍ ସେହିପରି ଅବିବେକୀ ପୁରୁଷ ସାକ୍ଷୀରୂପ ଆତ୍ମାରେ ସ୍ଥୁଳ ଦୃଶ୍ୟମାନ ଜଗତର
ଆରୋପ କରିଥାଆନ୍ତି |
ଅତଃ ପରଂ ଯଦବ୍ୟକ୍ତମବ୍ୟୂଢଗୁଣବ୍ୟୂହିତମ୍ ।
ଅଦୃଷ୍ଟାଶ୍ରୁତବସ୍ତୁତ୍ୱାତ୍ସ ଜୀବୋ ଯତ୍ପୁନର୍ଭବଃ ॥ ୩୨॥
ସ୍ଥୁଳରୂପ ଉର୍ଦ୍ଧ୍ବରେ ଭଗବାନଙ୍କର ଏକ ସୂକ୍ଷ୍ମ ଅବ୍ୟକ୍ତ ରୂପ
ରହିଛି | ସ୍ଥୁଳ ରୂପ ସଦୃଶ ଏହା ଆକାରାଦି ଗୁଣଯୁକ୍ତ ନୁହେଁ ଏବଂ ଏହା ଦର୍ଶନ-ଶ୍ରବଣ ଆଦି
ଇନ୍ଦ୍ରିୟ-ଗ୍ରାହ୍ୟ ନୁହେଁ; ଏହା ହିଁ ସୂକ୍ଷ୍ମ
ଶରୀର ଅଟେ | ଆତ୍ମା ପ୍ରବେଶ କରିବା ପରେ ଏହାକୁ ଜୀବ କୁହାଯାଏ ଏବଂ ଏହାର ହିଁ ବାରମ୍ବାର ଜନ୍ମ
ହୋଇଥାଏ |
ଯତ୍ରେମେ ସଦସଦ୍ରୂପେ ପ୍ରତିଷିଦ୍ଧେ ସ୍ୱସମ୍ବିଦା ।
ଅବିଦ୍ୟଯାଽଽତ୍ମନି କୃତେ ଇତି ତଦ୍ବ୍ରହ୍ମଦର୍ଶନମ୍ ॥ ୩୩॥
ଉପରୋକ୍ତ ସ୍ଥୁଳ ଏବଂ ସୂକ୍ଷ୍ମ ଶରୀରକୁ ଆତ୍ମା ମନେ କରିବାର ପ୍ରମୁଖ
କାରଣ ଅବିଦ୍ୟା ଅଟେ | ଆତ୍ମସ୍ବରୂପର ଜ୍ଞାନ ହୋଇଯିବା ପରେ ଏହି ଆରୋପ ଦୂର ହୋଇଯାଏ ଏବଂ
ବ୍ରହ୍ମଙ୍କର ସାକ୍ଷାତକାର ହୋଇଯାଏ |
ଯଦ୍ୟେଷୋପରତା ଦେବୀ ମାୟା ବୈଶାରଦୀ ମତିଃ ।
ସମ୍ପନ୍ନ ଏବେତି ବିଦୁର୍ମହିମ୍ନି ସ୍ୱେ ମହୀୟତେ ॥ ୩୪॥
ତତ୍ତ୍ବଜ୍ଞାନୀମାନେ ଜାଣନ୍ତି ଯେ ଯେଉଁ ମୁହୂର୍ତ୍ତରେ ବୁଦ୍ଧି
ପରମେଶ୍ବରଙ୍କର ମାୟାର ପ୍ରଭାବରୁ ମୁକ୍ତ ହୋଇଯାଏ,
ଜୀବ ପରମାନନ୍ଦମୟ ହୋଇ ନିଜ ସ୍ବରୂପ ମହିମାରେ ପ୍ରତିଷ୍ଠିତ ହୋଇଯାଏ |
ଏବଂ ଜନ୍ମାନି କର୍ମାଣି ହ୍ୟକର୍ତୁରଜନସ୍ୟ ଚ ।
ବର୍ଣୟନ୍ତି ସ୍ମ କବୟୋ ବେଦଗୁହ୍ୟାନି ହୃତ୍ପତେଃ ॥ ୩୫॥
ବାସ୍ତବରେ ଯାହାର ଜନ୍ମ ନାହିଁ କି କର୍ମ ନାହିଁ, ସେହି ହୃଦୟେଶ୍ବର ଭଗବାନଙ୍କର ଅପ୍ରାକୃତ ଜନ୍ମ ଏବଂ କର୍ମର
ବର୍ଣ୍ଣନା ତତ୍ତ୍ବଜ୍ଞାନୀମାନେ ଏହିପରି ଭାବରେ କରିଥାଆନ୍ତି କାରଣ ତାଙ୍କର ଜନ୍ମ ଏବଂ କର୍ମ
ବେଦର ଅତ୍ୟନ୍ତ ଗୋପନୀୟ ରହସ୍ୟ ଅଟେ |
ସ ବା ଇଦଂ ବିଶ୍ୱମମୋଘଲୀଲଃ
ସୃଜତ୍ୟବତ୍ୟତ୍ତି ନ ସଜ୍ଜତେଽସ୍ମିନ୍ ।
ଭୂତେଷୁ ଚାନ୍ତର୍ହିତ ଆତ୍ମତନ୍ତ୍ରଃ
ଷାଡ୍ୱର୍ଗିକଂ ଜିଘ୍ରତି ଷଡ୍ଗୁଣେଶଃ ॥ ୩୬॥
ଭଗବାନଙ୍କର ଲୀଳା ଅମୋଘ ଅଟେ | ଲୀଳାରେ ହିଁ ସେ ଏହି ସଂସାରର ସୃଜନ,
ପାଳନ ଏବଂ ସଂହାର କରିଥାଆନ୍ତି, କିନ୍ତୁ ସ୍ବୟଂ
ସେଥିରେ ଆସକ୍ତ ହୁଅନ୍ତି ନାହିଁ | ପ୍ରାଣୀର ହୃଦୟରେ ଲୁଚି ରହି ସେ ଜ୍ଞାନେନ୍ଦ୍ରିୟ ଓ ମନର
ନିୟନ୍ତା ରୂପେ ସେମାନଙ୍କର ବିଷୟକୁ ଗ୍ରହଣ ବି କରନ୍ତି,
କିନ୍ତୁ ସେଥିରେ ଲିପ୍ତ ହୁଅନ୍ତି ନାହିଁ, ତହିଁରୁ ପୃଥକ
ରହନ୍ତି | ସେ ପରମ ସ୍ବତନ୍ତ୍ର ଅଟନ୍ତି |
ନ ଚାସ୍ୟ କଶ୍ଚିନ୍ନିପୁଣେନ ଧାତୁ-
ରବୈତି ଜନ୍ତୁଃ କୁମନୀଷ ଊତୀଃ ।
ନାମାନି ରୂପାଣି ମନୋବଚୋଭିଃ
ସନ୍ତନ୍ୱତୋ ନଟଚର୍ୟାମିବାଜ୍ଞଃ ॥ ୩୭॥
ନିର୍ବୋଧ ମନୁଷ୍ୟ ଯେପରି ଜାଦୁଗର ବା ନଟମାନଙ୍କର ଅଦ୍ଭୁତ ଚମତ୍କାରୀ
କାର୍ଯ୍ୟକଳାପକୁ ବୁଝିପାରନ୍ତି ନାହିଁ, ସେହିପରି ନିଜର ସଂକଳ୍ପ ଏବଂ ବେଦବାଣୀ ଦ୍ବାରା ପ୍ରକଟିତ
ଭଗବାନଙ୍କର ବିବିଧ ନାମ, ରୂପ ତଥା ଲୀଳାକୁ
କୁବୁଦ୍ଧି ଜୀବ ନାନାବିଧ ତର୍କ ଏବଂ ଯୁକ୍ତି ଦ୍ବାରା ବୁଝିପାରନ୍ତି ନାହିଁ |
ସ ବେଦ ଧାତୁଃ ପଦବୀଂ ପରସ୍ୟ
ଦୁରନ୍ତବୀର୍ୟସ୍ୟ ରଥାଙ୍ଗପାଣେଃ ।
ଯୋଽମାୟଯା ସନ୍ତତୟାନୁବୃତ୍ତ୍ୟା
ଭଜେତ ତତ୍ପାଦସରୋଜଗନ୍ଧମ୍ ॥ ୩୮॥
ଚକ୍ରପାଣି ଭଗବାନଙ୍କର ଶକ୍ତି ଏବଂ ପରାକ୍ରମ ଅନନ୍ତ ଅଟେ – କେହି
ମଧ୍ୟ ତାହାର କଳନା କରିପାରିବେ ନାହିଁ | ସମ୍ପୂର୍ଣ୍ଣ ଜଗତର ନିର୍ମାତା ହୋଇ ମଧ୍ୟ ସେ ସବୁର
ଉପରେ ଅଟନ୍ତି | ତାଙ୍କର ସ୍ବରୂପ ଅଥବା ଲୀଳା ରହସ୍ୟକୁ କେବଳ ସେହିମାନେ ଜାଣିପାରନ୍ତି, ଯିଏ ନିତ୍ୟ-ନିରନ୍ତର ନିଷ୍କପଟ ଭାବରେ ତାଙ୍କ ଚରଣକମଳର ଦିବ୍ୟ
ଗନ୍ଧର ସେବନ କରନ୍ତି – ସେବାଭାବରେ ତାଙ୍କ ଚରଣକମଳର ଚିନ୍ତନ କରୁଥାଆନ୍ତି |
ଅଥେହ ଧନ୍ୟା ଭଗବନ୍ତ ଇତ୍ଥଂ
ଯଦ୍ୱାସୁଦେବେଽଖିଲଲୋକନାଥେ ।
କୁର୍ୱନ୍ତି ସର୍ୱାତ୍ମକମାତ୍ମଭାବଂ
ନ ଯତ୍ର ଭୂୟଃ ପରିବର୍ତ ଉଗ୍ରଃ ॥ ୩୯॥
ହେ ଶୌନକାଦି ଋଷିଗଣ ! ଆପଣମାନେ ପରମ ସୌଭାଗ୍ୟଶାଳୀ ଏବଂ ଧନ୍ୟ
ଅଟନ୍ତି ଯେ ଏହି ଜୀବନରେ, ବାଧାବିଘ୍ନଭରା ଏହି
ସଂସାରରେ ଆପଣମାନେ ସମସ୍ତ ବ୍ରହ୍ମାଣ୍ଡର ସ୍ବାମୀ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ସର୍ବାତ୍ମକ
ଆତ୍ମଭାବରେ ଅନିର୍ବଚନୀୟ ଅନନ୍ୟ ପ୍ରେମ କରୁଛନ୍ତି, ଯଦ୍ବାରା ପୁନର୍ବାର ଆପଣମାନଙ୍କୁ ଜନ୍ମ-ମରଣ
ଚକ୍ରରେ ଘୂରିବାକୁ ପଡିବ ନାହିଁ |
ଇଦଂ ଭାଗବତଂ ନାମ ପୁରାଣଂ ବ୍ରହ୍ମସମ୍ମିତମ୍ ।
ଉତ୍ତମଶ୍ଲୋକଚରିତଂ ଚକାର ଭଗବାନ୍ ଋଷିଃ ॥ ୪୦॥
ଭଗବାନ ବେଦବ୍ୟାସ ବେଦ ସଦୃଶ ବନ୍ଦନୀୟ ଏହି ଭଗବତ୍-ଚରିତ୍ରରେ
ପରିପୂର୍ଣ୍ଣ ଭାଗବତ ନାମକ ପୁରାଣର ରଚନା କରିଛନ୍ତି |
ନିଃଶ୍ରେୟସାୟ ଲୋକସ୍ୟ ଧନ୍ୟଂ ସ୍ୱସ୍ତ୍ୟୟନଂ ମହତ୍ ।
ତଦିଦଂ ଗ୍ରାହୟାମାସ ସୁତମାତ୍ମବତାଂ ବରମ୍ ॥ ୪୧॥
ମନୁଷ୍ୟର ପରମ କଲ୍ୟାଣ ନିମନ୍ତେ ସେ ଏହି ପରମୋଚ୍ଚ କଲ୍ୟାଣକାରୀ ମହାନ୍
ପୁରାଣକୁ ନିଜର ଆତ୍ମଜ୍ଞାନୀ ଶିରୋମଣି ପୁତ୍ରଙ୍କୁ ଗ୍ରହଣ କରାଇ ଥିଲେ |
ସର୍ୱବେଦେତିହାସାନାଂ ସାରଂ ସାରଂ ସମୁଦ୍ଧୃତମ୍ ।
ସ ତୁ ସଂଶ୍ରାବୟାମାସ ମହାରାଜଂ ପରୀକ୍ଷିତମ୍ ॥ ୪୨॥
ଏଥିରେ ସମସ୍ତ ବେଦ ଏବଂ ଇତିହାସର ସାର ସଂଗୃହିତ | ଶୁକଦେବ ମୁନି
ଏହାକୁ ରାଜା ପରୀକ୍ଷିତଙ୍କୁ ଶୁଣାଇ ଥିଲେ |
ପ୍ରାୟୋପବିଷ୍ଟଂ ଗଙ୍ଗାୟାଂ ପରୀତଂ ପରମର୍ଷିଭିଃ ।
କୃଷ୍ଣେ ସ୍ୱଧାମୋପଗତେ ଧର୍ମଜ୍ଞାନାଦିଭିଃ ସହ ॥ ୪୩॥
କଲୌ ନଷ୍ଟଦୃଶାମେଷ ପୁରାଣାର୍କୋଽଧୁନୋଦିତଃ ।
ତତ୍ର କୀର୍ତୟତୋ ବିପ୍ରା ବିପ୍ରର୍ଷେର୍ଭୂରିତେଜସଃ ॥ ୪୪॥
ଅହଂ ଚାଧ୍ୟଗମଂ ତତ୍ର ନିବିଷ୍ଟସ୍ତଦନୁଗ୍ରହାତ୍ ।
ସୋଽହଂ ବଃ ଶ୍ରାବୟିଷ୍ୟାମି ଯଥାଧୀତଂ ଯଥାମତି ॥ ୪୫॥
ସେହି ସମୟରେ ରାଜା ପରୀକ୍ଷିତ ଋଷି-ମହର୍ଷିଙ୍କ ଦ୍ବାରା ପରିବେଷ୍ଟିତ ହୋଇ ଆମରଣ ଅନଶନର ବ୍ରତ ଧାରଣ କରି ଗଙ୍ଗାତଟରେ ଉପବେଶନ କରିଥିଲେ | ଧର୍ମ ଏବଂ ଜ୍ଞାନ ଆଦି ସହିତ ଭଗବାନ ଶ୍ରୀକୃଷ୍ଣ ନିଜର ପରମ ଧାମକୁ ଗମନ କରିବା ଉପରାନ୍ତେ କଳିଯୁଗର ଆଗମନରେ ଲୋକେ ଯେତେବେଳେ ଅଜ୍ଞାନରୂପୀ ଅନ୍ଧକାରରେ ଅନ୍ଧ ହୋଇ ଯାଇଥିଲେ, ଏହି ପୁରାଣରୂପୀ ସୂର୍ଯ୍ୟ ସେମାନଙ୍କ ସମ୍ମୁଖରେ ପ୍ରକଟ ହେଲା | ଶୌନକାଦି ଋଷିଗଣ ! ମହାତେଜସ୍ବୀ ଶ୍ରୀ ଶୁକଦେବ ଜୀ ମହାରାଜ ଯେତେବେଳେ ଏହି ପୁରାଣ ଶୁଣାଉଥିଲେ, ସେତେବେଳେ ସେଠାରେ ମୁଁ ମଧ୍ୟ ଉପସ୍ଥିତ ଥିଲି | ତାଙ୍କର କୃପାପୂର୍ଣ୍ଣ ଅନୁମତିରେ ମୁଁ ତାହା ଅଧ୍ୟୟନ କରିଥିଲି | ମୁଁ ଯାହା ଅଧ୍ୟୟନ କରିଥିଲି ଏବଂ ମୋର ବୁଦ୍ଧି ଯେପରି ଭାବରେ ଯତକିଂଚିତ୍ ତାହା ଗ୍ରହଣ କରିଥିଲା, ତାହା ମୁଁ ଆଜି ଆପଣମାନଙ୍କୁ ଶୁଣାଇବି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ତୃତୀୟୋଽଧ୍ୟାୟଃ ॥ ୩॥

Comments
Post a Comment