ଓଁ ନମୋ ଭଗବତେ ବାସୁଦେବାୟ ॥

                            ଶ୍ରୀମଦ୍ ଭାଗବତ ମହାପୁରାଣ

   ପ୍ରଥମ ସ୍କନ୍ଧ

ଦ୍ବାଦଶ ଅଧ୍ୟାୟ

ପରୀକ୍ଷିତଙ୍କର ଜନ୍ମ

 

ଶୌନକ ଉବାଚ

ଅଶ୍ୱତ୍ଥାମ୍ନୋପସୃଷ୍ଟେନ ବ୍ରହ୍ମଶୀର୍ଷ୍ଣୋରୁତେଜସା ।

ଉତ୍ତରାୟା ହତୋ ଗର୍ଭ ଈଶେନାଜୀବିତଃ ପୁନଃ ||୧||

ଶୌନକ ପଚାରିଲେ – ଅଶ୍ବତ୍ଥାମା ଯେଉଁ ଅତ୍ୟନ୍ତ ତେଜସ୍ବୀ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ, ତଦ୍ବାରା ଉତ୍ତରାଙ୍କର ଗର୍ଭ ନଷ୍ଟ ହୋଇ ଯାଇଥିଲା; କିନ୍ତୁ ଭଗବାନ ତାହାକୁ ପୁନର୍ଜୀବିତ କରିଦେଲେ |

ତସ୍ୟ ଜନ୍ମ ମହାବୁଦ୍ଧେଃ କର୍ମାଣି ଚ ମହାତ୍ମନଃ ।

ନିଧନଂ ଚ ଯଥୈବାସୀତ୍ସ ପ୍ରେତ୍ୟ ଗତବାନ୍ ଯଥା ॥ ୨॥

ତଦିଦଂ ଶ୍ରୋତୁମିଚ୍ଛାମୋ ଗଦିତୁଂ ଯଦି ମନ୍ୟସେ ।

ବ୍ରୂହି ନଃ ଶ୍ରଦ୍ଦଧାନାନାଂ ଯସ୍ୟ ଜ୍ଞାନମଦାଚ୍ଛୁକଃ ॥ ୩॥

ସେହି ଗର୍ଭରୁ ଜାତ ମହାଜ୍ଞାନୀ ମହାତ୍ମା ପରୀକ୍ଷିତ, ଯାହାଙ୍କୁ ଶୁକଦେବ ମହାମୁନି ଜ୍ଞାନ-ଉପଦେଶ ଦେଇଥିଲେ, ତାଙ୍କର ଜନ୍ମ, କର୍ମ, ମୃତ୍ୟୁ ଏବଂ ତତ୍ପଶ୍ଚାତ୍ ସେ ଯେଉଁ ଗତି ପ୍ରାପ୍ତ କରିଥିଲେ, ସେହିସବୁ ବିଷୟରେ ଆପଣ ଯଦି ସମ୍ୟକ ଭାବରେ ଜାଣନ୍ତି, ତେବେ ଆମ୍ଭମାନଙ୍କୁ କୁହନ୍ତୁ; ଆମ୍ଭେମାନେ ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ ତାହା ଶୁଣିବାକୁ ଇଚ୍ଛା କରୁଛୁ |

ସୂତ ଉବାଚ

ଅପୀପଲଦ୍ଧର୍ମରାଜଃ ପିତୃବଦ୍ରଞ୍ଜୟନ୍ ପ୍ରଜାଃ ।

ନିଃସ୍ପୃହଃ ସର୍ୱକାମେଭ୍ୟଃ କୃଷ୍ଣପାଦାବ୍ଜସେବୟା ॥ ୪॥

ସୂତ ମୁନି କହୁଛନ୍ତି – ଧର୍ମରାଜ ଯୁଧିଷ୍ଠିର ନିଜ ପ୍ରଜାବର୍ଗଙ୍କୁ ପ୍ରସନ୍ନ ରଖି ପିତୃବତ୍ ସେମାନଙ୍କୁ ପାଳନ କରିବାରେ ଲାଗିଲେ | ଭଗବାନ ଶ୍ରୀକୃଷ୍ଣଙ୍କ ଚରଣକମଳ ସେବନରେ ସେ ସମସ୍ତ ଭୋଗ ପ୍ରତି ନିଃସ୍ପୃହ ହୋଇ ଯାଇଥିଲେ |

ସମ୍ପଦଃ କ୍ରତବୋ ଲୋକା ମହିଷୀ ଭ୍ରାତରୋ ମହୀ ।

ଜମ୍ବୂଦ୍ୱୀପାଧିପତ୍ୟଂ ଚ ଯଶଶ୍ଚ ତ୍ରିଦିବଂ ଗତମ୍ ॥ ୫॥

ହେ ଶୌନକାଦି ଋଷିଗଣ ! ତାଙ୍କ ପାଖରେ ଅତୁଳ ସମ୍ପତ୍ତି ଥିଲା, ସେ ବହୁତ ବଡ ବଡ ଯଜ୍ଞ କରିଥିଲେ, ଯାହାର ଫଳସ୍ବରୂପ ତାଙ୍କୁ ଶ୍ରେଷ୍ଠ ଲୋକର ଅଧିକାର ମଧ୍ୟ ପ୍ରାପ୍ତ ହୋଇଥିଲା | ରାଣୀମାନେ ଏବଂ ଭାଇମାନେ ତାଙ୍କର ଅନୁକୂଳ ଥିଲେ, ସାରା ପୃଥିବୀ ତାଙ୍କର ଥିଲା, ସେ ଜମ୍ବୁଦ୍ବୀପର ସ୍ବାମୀ ଥିଲେ ଏବଂ ତାଙ୍କର କୀର୍ତ୍ତି ସ୍ବର୍ଗଯାଏଁ ବ୍ୟାପ୍ତ ଥିଲା |

କିଂ ତେ କାମାଃ ସୁରସ୍ପାର୍ହା ମୁକୁନ୍ଦମନସୋ ଦ୍ୱିଜାଃ ।

ଅଧିଜହ୍ରୁର୍ମୁଦଂ ରାଜ୍ଞଃ କ୍ଷୁଧିତସ୍ୟ ଯଥେତରେ ॥ ୬॥

ତାଙ୍କ ପାଖରେ ଏପରି ସବୁ ଭୋଗସାମଗ୍ରୀ ଥିଲା, ଯାହା ପାଇଁ ଦେବତାମାନେ ମଧ୍ୟ ଲାଳାୟିତ ଥିଲେ | କିନ୍ତୁ କ୍ଷୁଧାର୍ତ୍ତ ମନୁଷ୍ୟକୁ ଭୋଜନ ଅତିରିକ୍ତ ଅନ୍ୟ କିଛି ଭଲ ନ ଲାଗିବା ପରି, ଭଗବାନଙ୍କ ବ୍ୟତିତ ଅନ୍ୟ କୌଣସି ବସ୍ତୁ ତାଙ୍କୁ ସୁଖ ଦେଉ ନ ଥିଲା |

ମାତୁର୍ଗର୍ଭଗତୋ ବୀରସ୍ସ ତଦା ଭୃଗୁନନ୍ଦନ ।

ଦଦର୍ଶ ପୁରୁଷଂ କଞ୍ଚିଦ୍ଦହ୍ୟମାନୋଽସ୍ତ୍ରତେଜସା ॥ ୭॥

ହେ ଶୌନକ ! ଉତ୍ତରାଙ୍କ ଗର୍ଭସ୍ଥିତ ବୀର ଶିଶୁ ପରୀକ୍ଷିତ, ଯେତେବେଳେ ଅଶ୍ବତ୍ଥାମାଙ୍କ ବ୍ରହ୍ମାସ୍ତ୍ରର ତେଜରେ ଦଗ୍ଧ ହେବାରେ ଲାଗିଥିଲେ, ସେତେବେଳେ ନିଜ ଚକ୍ଷୁ ସମ୍ମୁଖରେ ସେ ଜଣେ ଜ୍ୟୋତିର୍ମୟ ପୁରୁଷଙ୍କୁ ଦେଖିବାକୁ ପାଇଲେ |

ଅଙ୍ଗୁଷ୍ଠମାତ୍ରମମଲଂ ସ୍ଫୁରତ୍ପୁରଟମୌଲିନମ୍ ।

ଅପୀଚ୍ୟଦର୍ଶନଂ ଶ୍ୟାମଂ ତଡିଦ୍ୱାସସମଚ୍ୟୁତମ୍ ॥ ୮॥

ଶ୍ରୀମଦ୍ଦୀର୍ଘଚତୁର୍ବାହୁଂ ତପ୍ତକାଞ୍ଚନକୁଣ୍ଡଲମ୍ ।

କ୍ଷତଜାକ୍ଷଂ ଗଦାପାଣିମାତ୍ମନଃ ସର୍ୱତୋ ଦିଶମ୍ ।

ପରିଭ୍ରମନ୍ତମୁଲ୍କାଭାଂ ଭ୍ରାମୟନ୍ତଂ ଗଦାଂ ମୁହୁଃ ॥ ୯॥

ଆକାରରେ ସେ ଅଙ୍ଗୁଳି ପରି ଅତି ଛୋଟ ଥିଲେ, କିନ୍ତୁ ତାଙ୍କର ସ୍ବରୂପ ଅତ୍ୟନ୍ତ ନିର୍ମଳ ଥିଲା | ସୁନ୍ଦର ଶ୍ୟାମ ଶରୀରରେ ସେ ବିଦ୍ୟୁତ୍ ପରି ଝଟକୁଥିବା ପୀତାମ୍ବର ଧାରଣ କରିଥିଲେ, ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଝଲମଲ ହେଉଥିଲା | ସେହି ନିର୍ବିକାର ପୁରୁଷଙ୍କର ଅତି ସୁନ୍ଦର ଏବଂ ସୁଦୀର୍ଘ ଚାରୋଟି ଭୁଜ ଥିଲା | କର୍ଣ୍ଣରେ ସେ ତପ୍ତ କାଞ୍ଚନର ସୁନ୍ଦର କୁଣ୍ଡଳ ଧାରଣ କରିଥିଲେ, ଆଖିରେ ତାଙ୍କର ଲାଲିମା ଥିଲା | ଗୋଟିଏ ହାତରେ ଅଗ୍ନି ପରି ତେଜୀୟାନ ଗଦା ଧାରଣ କରି ସେ ତାହାକୁ ଘୂରାଇବାରେ ଲାଗିଥିଲେ ଏବଂ ନିଜେ ଶିଶୁର ଚତୁର୍ପାର୍ଶ୍ବରେ ଘୂରି ବୁଲୁଥିଲେ |

ଅସ୍ତ୍ରତେଜଃ ସ୍ୱଗଦୟା ନୀହାରମିବ ଗୋପତିଃ ।

ବିଧମନ୍ତଂ ସନ୍ନିକର୍ଷେ ପର୍ୟୈକ୍ଷତ କ ଇତ୍ୟସୌ ॥ ୧୦॥

ସୂର୍ଯ୍ୟ ନିଜ କିରଣ ଦ୍ବାରା କୁହୁଡିକୁ ନିଃଶେଷ କରିଦେବା ପରି ସେହି ଗଦା କ୍ରମଶଃ ବ୍ରହ୍ମାସ୍ତ୍ରର ତେଜକୁ ଶାନ୍ତ କରିବାରେ ଲାଗିଲା | ସେହି ପୁରୁଷଙ୍କୁ ନିଜ ସମୀପରେ ଦେଖି ଗର୍ଭସ୍ଥ ଶିଶୁଟି ବିଚାର କରିବାରେ ଲାଗିଲା ଇଏ କିଏ ହୋଇଥିବେ |

ବିଧୂୟ ତଦମେୟାତ୍ମା ଭଗବାନ୍ ଧର୍ମଗୁବ୍ୱିଭୁଃ ।

ମିଷତୋ ଦଶମାସ୍ୟସ୍ୟ ତତ୍ରୈବାନ୍ତର୍ଦଧେ ହରିଃ ॥ ୧୧॥

ଏହିପ୍ରକାରେ ଦଶ ମାସର ସେହି ଗର୍ଭସ୍ଥ ଶିଶୁ ସମ୍ମୁଖରେ ଧର୍ମରକ୍ଷକ ଅପ୍ରମେୟ ଭଗବାନ ଶ୍ରୀକୃଷ୍ଣ ବ୍ରହ୍ମାସ୍ତ୍ରର ତେଜକୁ ଶାନ୍ତ କରି ସେହିଠାରେ ହିଁ ଅନ୍ତର୍ଧାନ ହୋଇଗଲେ |

ତତଃ ସର୍ୱଗୁଣୋଦର୍କେ ସାନୁକୂଲଗ୍ରହୋଦୟେ ।

ଜଜ୍ଞେ ବଂଶଧରଃ ପାଣ୍ଡୋର୍ଭୂୟଃ ପାଣ୍ଡୁରିବୌଜସା ॥ ୧୨॥

ତଦନନ୍ତର ଅନୁକୂଳ ଗ୍ରହମାନଙ୍କର ଉଦୟ ହେବା ଯୋଗୁଁ ସମସ୍ତ ସଦଗୁଣକୁ ବିକସିତ କରୁଥିବା ଶ୍ରେଷ୍ଠ ସମୟରେ ପାଣ୍ଡୁଙ୍କର ବଂଶଧର ପରୀକ୍ଷିତ ଜନ୍ମ ଲାଭ କଲେ |

ତସ୍ୟ ପ୍ରୀତମନା ରାଜା ବିପ୍ରୈର୍ଧୌମ୍ୟକୃପାଦିଭିଃ ।

ଜାତକଂ କାରୟାମାସ ବାଚୟିତ୍ୱା ଚ ମଙ୍ଗଲମ୍ ॥ ୧୩॥

ପୌତ୍ର-ଜନ୍ମ ବିଷୟକ ସମ୍ବାଦ ଶୁଣି ରାଜା ଯୁଧିଷ୍ଠିରଙ୍କର ମନ ଅତି ପ୍ରସନ୍ନ ହେଲା | ସେ ଧୌମ୍ୟ, କୃପାଚାର୍ଯ୍ୟ ଆଦି ବ୍ରାହ୍ମଣମାନଙ୍କ ଦ୍ବାରା ତାଙ୍କର ମଙ୍ଗଳବାଚନ ଏବଂ ଜାତ-କର୍ମ ସଂସ୍କାର କରାଇଲେ |

ହିରଣ୍ୟଂ ଗାଂ ମହୀଂ ଗ୍ରାମାନ୍ ହସ୍ତ୍ୟଶ୍ୱାନ୍ ନୃପତିର୍ୱରାନ୍ ।

ପ୍ରାଦାତ୍ସ୍ୱନ୍ନଂ ଚ ବିପ୍ରେଭ୍ୟଃ ପ୍ରଜାତୀର୍ଥେ ସ ତୀର୍ଥବିତ୍ ॥ ୧୪॥

ମହାରାଜ ଯୁଧିଷ୍ଠିରଙ୍କୁ ଦାନର ଉପଯୁକ୍ତ ସମୟ ବିଷୟରେ ଜ୍ଞାତ ଥିଲା | ସେ ପ୍ରଜାତୀର୍ଥ କାଳରେ ଅର୍ଥାତ୍ ନାଡି କଟା ହେବା ପୂର୍ବରୁ ବ୍ରାହ୍ମଣମାନଙ୍କୁ ସୁବର୍ଣ୍ଣ, ଗାଭୀ, ଜମି, ଗ୍ରାମ, ଉତ୍ତମ ଜାତିର ହାଥୀ-ଘୋଡା ଏବଂ ଉତ୍ତମ ଅନ୍ନ ଦାନ ଦେଲେ |

ତମୂଚୁର୍ବ୍ରାହ୍ମଣାସ୍ତୁଷ୍ଟା ରାଜାନଂ ପ୍ରଶ୍ରୟାନ୍ୱିତମ୍ ।

ଏଷ ହ୍ୟସ୍ମିନ୍ ପ୍ରଜାତନ୍ତୌ ପୁରୂଣାଂ ପୌରବର୍ଷଭ ॥ ୧୫॥

ଦୈବେନାପ୍ରତିଘାତେନ ଶୁକ୍ଲେ ସଂସ୍ଥାମୁପେୟୁଷି ।

ରାତୋ ବୋଽନୁଗ୍ରହାର୍ଥାୟ ବିଷ୍ଣୁନା ପ୍ରଭବିଷ୍ଣୁନା ॥ ୧୬॥

ବ୍ରାହ୍ମଣମାନେ ସନ୍ତୁଷ୍ଟ ହୋଇ ଅତ୍ୟନ୍ତ ବିନୟୀ ଯୁଧିଷ୍ଠିରଙ୍କୁ କହିଲେ – ହେ ପୁରୁବଂଶ ଶିରୋମଣି ! କାଳର ଦୁର୍ନିବାର ଗତିରେ ଏହି ପବିତ୍ର ପୁରୁବଂଶ ସମାପ୍ତ ହେବାକୁ ଯାଉଥିଲା | କିନ୍ତୁ ତୁମ୍ଭମାନଙ୍କ ପ୍ରତି କୃପା କରିବାକୁ ଯାଇ ଭଗବାନ ବିଷ୍ଣୁ ଏହି ବାଳକ ପ୍ରଦାନ କରି ବଂଶ ରକ୍ଷା କଲେ |

ତସ୍ମାନ୍ନାମ୍ନା ବିଷ୍ଣୁରାତ ଇତି ଲୋକେ ବୃହଚ୍ଛ୍ରବାଃ ।

ଭବିଷ୍ୟତି ନ ସନ୍ଦେହୋ ମହାଭାଗବତୋ ମହାନ୍ ॥ ୧୭॥

ସେଥିପାଇଁ ଏହାର ନାମ ବିଷ୍ଣୁରାତ ରଖାଯିବ | ସଂସାରରେ ଏହି ବାଳକ ନିଃସନ୍ଦେହରେ ଅତ୍ୟନ୍ତ ଯଶସ୍ବୀ ହେବ, ଭଗବାନଙ୍କର ପରମ ଭକ୍ତ ଏବଂ ମହାପୁରୁଷ ହେବ |

ଯୁଧିଷ୍ଠିର ଉବାଚ

ଅପ୍ୟେଷ ବଂଶ୍ୟାନ୍ ରାଜର୍ଷୀନ୍ ପୁଣ୍ୟଶ୍ଲୋକାନ୍ ମହାତ୍ମନଃ ।

ଅନୁବର୍ତିତା ସ୍ୱିଦ୍ୟଶସା ସାଧୁବାଦେନ ସତ୍ତମାଃ ॥ ୧୮॥

ଯୁଧିଷ୍ଠିର ପଚାରିଲେ – ହେ ମହାଶୟ ! ଏହି ବାଳକ କଣ ନିଜର ଉଜ୍ବଳ ଯଶରେ ଆମ ବଂଶର ପବିତ୍ରକୀର୍ତ୍ତି ମହାତ୍ମା ରାଜର୍ଷିମାନଙ୍କର ଅନୁସରଣ କରିବେ ?

ବ୍ରାହ୍ମଣା ଊଚୁଃ

ପାର୍ଥ ପ୍ରଜାବିତା ସାକ୍ଷାଦିକ୍ଷ୍ୱାକୁରିବ ମାନବଃ ।

ବ୍ରହ୍ମଣ୍ୟଃ ସତ୍ୟସନ୍ଧଶ୍ଚ ରାମୋ ଦାଶରଥିର୍ୟଥା ॥ ୧୯॥

ବ୍ରାହ୍ମଣମାନେ କହିଲେ – ହେ ଧର୍ମରାଜ ! ଏହି ବାଳକ ମନୁପୁତ୍ର ଇକ୍ଷ୍ଵାକୁଙ୍କ ପରି ପ୍ରଜାପାଳକ ହେବେ ଏବଂ ଦଶରଥନନ୍ଦନ ଶ୍ରୀରାମଙ୍କ ପରି ବ୍ରାହ୍ମଣଭକ୍ତ ତଥା ସତ୍ୟପ୍ରତିଜ୍ଞ ହେବେ |

ଏଷ ଦାତା ଶରଣ୍ୟଶ୍ଚ ଯଥା ହ୍ୟୌଶୀନରଃ ଶିବିଃ ।

ଯଶୋ ବିତନିତା ସ୍ୱାନାଂ ଦୌଷ୍ୟନ୍ତିରିବ ଯଜ୍ୱନାମ୍ ॥ ୨୦॥

ଉଶୀନର-ନରେଶ ଶିବିଙ୍କ ପରି ଦାତା ଏବଂ ଶରଣାଗତ-ବତ୍ସଳ ହେବେ ଏବଂ ଯାଜ୍ଞିକମାନଙ୍କ ମଧ୍ୟରେ ଦୁଷ୍ୟନ୍ତ-ପୁତ୍ର ଭରତଙ୍କ ପରି ନିଜ ବଂଶର ଯଶ ପରିବ୍ୟାପ୍ତ କରିବେ |

ଧନ୍ୱିନାମଗ୍ରଣୀରେଷ ତୁଲ୍ୟଶ୍ଚାର୍ଜୁନୟୋର୍ଦ୍ୱୟୋଃ ।

ହୁତାଶ ଇବ ଦୁର୍ଧର୍ଷଃ ସମୁଦ୍ର ଇବ ଦୁସ୍ତରଃ ॥ ୨୧॥

ଧନୁର୍ଧରମାନଙ୍କ ମଧ୍ୟରେ ସେ ନିଜ ପିତାମହ ଅର୍ଜୁନଙ୍କ ସମତୁଲ୍ୟ ଅଗ୍ରଗଣ୍ୟ ହେବେ | ସେ ଅଗ୍ନିଙ୍କ ପରି ଦୁର୍ଧର୍ଷ ଏବଂ ସମୁଦ୍ର ପରି ଦୁସ୍ତର ହେବେ |

ମୃଗେନ୍ଦ୍ର ଇବ ବିକ୍ରାନ୍ତୋ ନିଷେବ୍ୟୋ ହିମବାନିବ ।

ତିତିକ୍ଷୁର୍ୱସୁଧେବାସୌ ସହିଷ୍ଣୁଃ ପିତରାବିବ ॥ ୨୨॥

ସେ ସିଂହ ପରି ପରାକ୍ରମୀ, ହିମାଚଳ ସଦୃଶ ଯୋଗ୍ୟ ଆଶ୍ରୟ, ପୃଥିବୀ ସଦୃଶ ତିତିକ୍ଷୁ ଏବଂ ମାତା-ପିତାଙ୍କ ସମାନ ସହନଶୀଳ ହେବେ |

ପିତାମହସମଃ ସାମ୍ୟେ ପ୍ରସାଦେ ଗିରିଶୋପମଃ ।

ଆଶ୍ରୟଃ ସର୍ୱଭୂତାନାଂ ଯଥା ଦେବୋ ରମାଶ୍ରୟଃ ॥ ୨୩॥

ତାଙ୍କଠାରେ ପିତାମହ ବ୍ରହ୍ମାଙ୍କ ପରି ସମତା ରହିବ, ଭଗବାନ ଶଂକରଙ୍କ ପରି ସେ କୃପାଳୁ ହେବେ ଏବଂ ସମ୍ପୂର୍ଣ୍ଣ ପ୍ରାଣୀକୁ ଆଶ୍ରୟ ଦାନ କରିବାରେ ସେ ଲକ୍ଷ୍ମୀପତି ଭଗବାନ ବିଷ୍ଣୁଙ୍କ ସମତୁଲ୍ୟ ହେବେ |

ସର୍ୱସଦ୍ଗୁଣମାହାତ୍ମ୍ୟେ ଏଷ କୃଷ୍ଣମନୁବ୍ରତଃ ।

ରନ୍ତିଦେବ ଇବୋଦାରୋ ଯୟାତିରିବ ଧାର୍ମିକଃ ॥ ୨୪॥

ସମସ୍ତ ସଦଗୁଣ ଧାରଣ କରିବାରେ ଶ୍ରୀକୃଷ୍ଣଙ୍କର ଅନୁଯାୟୀ ହେବେ | ରନ୍ତିଦେବଙ୍କ ପରି ସେ ଉଦାର ଏବଂ ଯଯାତିଙ୍କ ପରି ସେ ଧାର୍ମିକ ହେବେ |

ଧୃତ୍ୟା ବଲିସମଃ କୃଷ୍ଣେ ପ୍ରହ୍ଲାଦ ଇବ ସଦ୍ଗ୍ରହଃ ।

ଆହର୍ତୈଷୋଽଶ୍ୱମେଧାନାଂ ବୃଦ୍ଧାନାଂ ପର୍ୟୁପାସକଃ ॥ ୨୫॥

ଧୈର୍ଯ୍ୟରେ ବଳୀଙ୍କ ସଦୃଶ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଦୃଢ ନିଷ୍ଠାରେ ପ୍ରହ୍ଲ୍ଲାଦଙ୍କ ସଦୃଶ ହେବେ | ସେ ଅନେକ ଅଶ୍ବମେଧ ଯଜ୍ଞ କରିବେ ଏବଂ ବୃଦ୍ଧମାନଙ୍କର ସେବକ ହେବେ |

ରାଜର୍ଷୀଣାଂ ଜନୟିତା ଶାସ୍ତା ଚୋତ୍ପଥଗାମିନାମ୍ ।

ନିଗ୍ରହୀତା କଲେରେଷ ଭୁବୋ ଧର୍ମସ୍ୟ କାରଣାତ୍ ॥ ୨୬॥

ଏହାଙ୍କ ପୁତ୍ର ରାଜର୍ଷି ହେବେ | ମର୍ଯ୍ୟାଦା ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ଇଏ ଦଣ୍ଡ ଦେବେ | ପୃଥିବୀ ମାତା ଏବଂ ଧର୍ମର ରକ୍ଷା ନିମନ୍ତେ ଇଏ କଳିଯୁଗକୁ ମଧ୍ୟ ଦମନ କରିବେ |

ତକ୍ଷକାଦାତ୍ମନୋ ମୃତ୍ୟୁଂ ଦ୍ୱିଜପୁତ୍ରୋପସର୍ଜିତାତ୍ ।

ପ୍ରପତ୍ସ୍ୟତ ଉପଶ୍ରୁତ୍ୟ ମୁକ୍ତସଙ୍ଗଃ ପଦଂ ହରେଃ ॥ ୨୭॥

ବ୍ରାହ୍ମଣକୁମାରଙ୍କ ଅଭିଶାପରେ ତକ୍ଷକ ଦଂଶନରେ ତାଙ୍କର ମୃତ୍ୟୁ ହେବ ଜାଣି ସେ ସମସ୍ତ ଆସକ୍ତି ତ୍ୟାଗ କରି ଭଗବାନଙ୍କ ଚରଣର ଶରଣ ଗ୍ରହଣ କରିବେ |

ଜିଜ୍ଞାସିତାତ୍ମୟାଥାତ୍ମ୍ୟୋ ମୁନେର୍ୱ୍ୟାସସୁତାଦସୌ ।

ହିତ୍ୱେଦଂ ନୃପ ଗଙ୍ଗାୟାଂ ଯାସ୍ୟତ୍ୟଦ୍ଧାକୁତୋଭୟମ୍ ॥ ୨୮॥

ହେ ରାଜନ୍ ! ବ୍ୟାସନନ୍ଦନ ଶୁକଦେବଙ୍କଠାରୁ ସେ ଆତ୍ମାର ଯଥାର୍ଥ ସ୍ବରୂପ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ କରିବେ ଏବଂ ଶେଷରେ ଗଙ୍ଗାକୂଳରେ ନିଜ ଶରୀର ତ୍ୟାଗ କରି ନିଶ୍ଚିତ ଭାବରେ ଅଭୟପଦ ପ୍ରାପ୍ତ କରିବେ |

ଇତି ରାଜ୍ଞ ଉପାଦିଶ୍ୟ ବିପ୍ରା ଜାତକକୋବିଦାଃ ।

ଲବ୍ଧାପଚିତୟଃ ସର୍ୱେ ପ୍ରତିଜଗ୍ମୁଃ ସ୍ୱକାନ୍ ଗୃହାନ୍ ॥ ୨୯॥

ଜ୍ୟୋତିଷଶାସ୍ତ୍ର ବିଶେଷଜ୍ଞ ବ୍ରାହ୍ମଣମାନେ ରାଜା ଯୁଧିଷ୍ଠିରଙ୍କୁ ଏହିପରି ଭାବରେ ବାଳକର ଜନ୍ମ-ଲଗ୍ନ ଫଳ ବିଷୟରେ କହି, ଭେଟ-ପୂଜା ସ୍ବୀକାର କରି ନିଜ ନିଜ ଘରକୁ ଚାଲିଗଲେ |

ସ ଏଷ ଲୋକେ ବିଖ୍ୟାତଃ ପରୀକ୍ଷିଦିତି ଯତ୍ପ୍ରଭୁଃ ।

ଗର୍ଭେ ଦୃଷ୍ଟମନୁଧ୍ୟାୟନ୍ ପରୀକ୍ଷେତ ନରେଷ୍ୱିହ ॥ ୩୦॥

ସେହି ବାଳକ ହିଁ ସଂସାରରେ ପରୀକ୍ଷିତ ନାମରେ ପ୍ରସିଦ୍ଧ ହେଲେ; କାରଣ ସେହି ସମର୍ଥ ବାଳକ ଗର୍ଭରେ ଯେଉଁ 
ପୁରୁଷଙ୍କର ଦର୍ଶନ କରିଥିଲେ, ଜନ୍ମ ହେବା ପରେ ସେ ତାଙ୍କର ସ୍ମରଣ କରି ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ପରୀକ୍ଷା କରି ଦେଖୁଥିଲେ ଏମାନଙ୍କ ମଧ୍ୟରୁ ସେହି ପୁରୁଷ ଜଣକ କିଏ |

ସ ରାଜପୁତ୍ରୋ ବବୃଧେ ଆଶୁ ଶୁକ୍ଲ ଇବୋଡୁପଃ ।

ଆପୂର୍ୟମାଣଃ ପିତୃଭିଃ କାଷ୍ଠାଭିରିବ ସୋଽନ୍ୱହମ୍ ॥ ୩୧॥

ଶୁକ୍ଲପକ୍ଷରେ ଚନ୍ଦ୍ରମା ପ୍ରତିଦିନ ନିଜ ପୂର୍ଣ୍ଣକଳାରେ ବୃଦ୍ଧି ଲାଭ କରିବା ପରି ରାଜକୁମାର ନିଜ ଗୁରୁଜନମାନଙ୍କର ଲାଳନ-ପାଳନରେ କ୍ରମଶଃ ବୃଦ୍ଧି ଲାଭ କରି ଅତି ଶୀଘ୍ର ପରିପକ୍ବତା ହାସଲ କରିଥିଲେ |

ଯକ୍ଷ୍ୟମାଣୋଽଶ୍ୱମେଧେନ ଜ୍ଞାତିଦ୍ରୋହଜିହାସୟା ।

ରାଜାଲବ୍ଧଧନୋ ଦଧ୍ୟାବନ୍ୟତ୍ର କରଦଣ୍ଡୟୋଃ ॥ ୩୨॥

ଏହି ସମୟରେ ସ୍ବଜନ-ବଧର ପ୍ରାୟଶ୍ଚିତ କରିବା ପାଇଁ ରାଜା ଯୁଧିଷ୍ଠିର ଅଶ୍ବମେଧ ଯଜ୍ଞ ଦ୍ବାରା ଭଗବାନଙ୍କର ଆରାଧନା କରିବାକୁ ବିଚାର କଲେ | କିନ୍ତୁ ସେଥିପାଇଁ ଆବଶ୍ୟକୀୟ ଧନ-ରାଶି ଭାବରେ ରାଜକୋଷରେ କେବଳ ପ୍ରଜାଗଣଙ୍କଠାରୁ ଆଦାୟ କରାଯାଇଥିବା କର ଏବଂ ଜୋରିମାନା ଗଚ୍ଛିତ ରହିଥିବା ଦେଖି ସେ ଚିନ୍ତାରେ ପଡିଗଲେ |

ତଦଭିପ୍ରେତମାଲକ୍ଷ୍ୟ ଭ୍ରାତରୋଽଚ୍ୟୁତଚୋଦିତାଃ

ଧନଂ ପ୍ରହୀଣମାଜହ୍ରୁରୁଦୀଚ୍ୟାଂ ଦିଶି ଭୂରିଶଃ ॥ ୩୩॥

ତାଙ୍କର ଅଭିପ୍ରାୟ ବୁଝିପାରି ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେରଣାରେ ତାଙ୍କ ଭାଇମାନେ ଉତ୍ତର ଦିଗରେ ରାଜା ମରୁତ ଏବଂ ବ୍ରାହ୍ମଣମାନେ ଛାଡି ଯାଇଥିବା ପ୍ରଚୁର ଧନରାଶି ବୋହି ଆଣିଲେ |

ତେନ ସମ୍ଭୃତସମ୍ଭାରୋ ଧର୍ମପୁତ୍ରୋ ଯୁଧିଷ୍ଠିରଃ ।

ବାଜିମେଧୈସ୍ତ୍ରିଭିର୍ଭୀତୋ ଯଜ୍ଞୈଃ ସମୟଜଦ୍ଧରିମ୍ ॥ ୩୪॥

ତଦ୍ବାରା ଯଜ୍ଞ ସାମଗ୍ରୀ ଏକତ୍ରିତ କରି ଧର୍ମଭୀରୁ ମହାରାଜ ଯୁଧିଷ୍ଠିର ତିନୋଟି ଅଶ୍ବମେଧ ଯଜ୍ଞ ଦ୍ବାରା ଭଗବାନଙ୍କର ପୂଜା କରିଥିଲେ |

ଆହୂତୋ ଭଗବାନ୍ ରାଜ୍ଞା ଯାଜୟିତ୍ୱା ଦ୍ୱିଜୈର୍ନୃପମ୍ ।

ଉବାସ କତିଚିନ୍ମାସାନ୍ ସୁହୃଦାଂ ପ୍ରିୟକାମ୍ୟଯା ॥ ୩୫॥

ଯୁଧିଷ୍ଠିରଙ୍କର ନିମନ୍ତ୍ରଣରେ ସେଠାରେ ପହଞ୍ଚି ଭଗବାନ ବ୍ରାହ୍ମଣମାନଙ୍କ ଦ୍ବାରା ଯଜ୍ଞ ସମ୍ପନ୍ନ କରାଇ ନିଜ ସୁହୃଦ ପାଣ୍ଡବମାନଙ୍କର ପ୍ରସନ୍ନତା ନିମନ୍ତେ କିଛି କାଳ ସେମାନଙ୍କ ସହିତ ରହିଲେ |

ତତୋ ରାଜ୍ଞାଭ୍ୟନୁଜ୍ଞାତଃ କୃଷ୍ଣୟା ସହବନ୍ଧୁଭିଃ ।

ଯୟୌ ଦ୍ୱାରବତୀଂ ବ୍ରହ୍ମନ୍ ସାର୍ଜୁନୋ ଯଦୁଭିର୍ୱୃତଃ ॥ ୩୬॥

ହେ ଶୌନକ ! ତତ୍ପଶ୍ଚାତ୍ ଭାଇମାନଙ୍କ ସହିତ ରାଜା ଯୁଧିଷ୍ଠିର ଏବଂ ଦ୍ରୌପଦୀଙ୍କଠାରୁ ଅନୁମତି ନେଇ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହିତ ଯଦୁବଂଶୀମାନଙ୍କ ଗହଣରେ ଦ୍ବାରିକା ଅଭିମୁଖରେ ପ୍ରସ୍ଥାନ କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ପରୀକ୍ଷିଜ୍ଜନ୍ମାଦ୍ୟୁତ୍କର୍ଷୋ ନାମ ଦ୍ୱାଦଶୋଽଧ୍ୟାୟଃ ॥ ୧୨॥

Comments

Popular posts from this blog