ଶ୍ରୀମଦ୍ ଭାଗବତ ମହାପୁରାଣ
ଓଁ ନମୋ ଭଗବତେ ବାସୁଦେବାୟ
ଦ୍ବିତୀୟ ସ୍କନ୍ଧ
ଦଶମ ଅଧ୍ୟାୟ
ଭାଗବତର ଦଶ ଲକ୍ଷଣ
ଶ୍ରୀଶୁକ ଉବାଚ
ଅତ୍ର ସର୍ଗୋ ବିସର୍ଗଶ୍ଚ ସ୍ଥାନଂ
ପୋଷଣମୂତୟଃ ।
ମନ୍ୱନ୍ତରେଶାନୁକଥା ନିରୋଧୋ
ମୁକ୍ତିରାଶ୍ରୟଃ ॥ ୧॥
ଶ୍ରୀ ଶୁକଦେବ କହୁଛନ୍ତି – ଏହି ଭାଗବତ
ମହାପୁରାଣରେ ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଊତି, ମନ୍ବନ୍ତର, ଈଶାନୁକଥା, ନିରୋଧ, ମୁକ୍ତି ଏବଂ ଆଶ୍ରୟ – ଏହି ଦଶ ବିଷୟର ବର୍ଣ୍ଣନ ରହିଛି |
ଦଶମସ୍ୟ ବିଶୁଦ୍ଧ୍ୟର୍ଥଂ ନବାନାମିହ
ଲକ୍ଷଣମ୍ ।
ବର୍ଣୟନ୍ତି ମହାତ୍ମାନଃ ଶ୍ରୁତେନାର୍ଥେନ
ଚାଞ୍ଜସା ॥ ୨॥
ଏମାନଙ୍କ ମଧ୍ୟରୁ ଦଶମ ଆଶ୍ରୟ-ତତ୍ତ୍ବର
ଯଥାର୍ଥ ନିଶ୍ଚୟ କରିବା ନିମନ୍ତେ ମହାତ୍ମାମାନେ କେତେବେଳେ ଶ୍ରୁତିରୁ ତ କେତେବେଳେ
ତାତ୍ପର୍ଯ୍ୟରୁ ଏବଂ ଆଉ କେତେବେଳେ ଉଭୟର ଅନୁକୂଳ ଅନୁଭବରୁ ଅତ୍ୟନ୍ତ ସୁଗମ ରୀତିରେ ଅନ୍ୟ ନଅଟି ତତ୍ତ୍ବର
ବର୍ଣ୍ଣନ କରିଛନ୍ତି |
ଭୂତମାତ୍ରେନ୍ଦ୍ରିୟଧିୟାଂ ଜନ୍ମ ସର୍ଗ
ଉଦାହୃତଃ ।
ବ୍ରହ୍ମଣୋ ଗୁଣବୈଷମ୍ୟାଦ୍ୱିସର୍ଗଃ
ପୌରୁଷଃ ସ୍ମୃତଃ ॥ ୩॥
ଈଶ୍ବରଙ୍କ ପ୍ରେରଣାରେ ଗୁଣରେ କ୍ଷୋଭ
ଉତ୍ପନ୍ନ ହୋଇ ରୂପାନ୍ତରିତ ହେବା ଦ୍ବାରା ଯେଉଁ ଆକାଶାଦି ପଂଚଭୂତ, ଶବ୍ଦାଦି ତନ୍ମାତ୍ରା, ଇନ୍ଦ୍ରିୟ, ଅହଂକାର ଏବଂ ମହତ୍ତତ୍ତ୍ବର ଉତ୍ପତ୍ତି ହୋଇଥାଏ, ତାହାକୁ ‘ସର୍ଗ’ କହନ୍ତି | ବିରାଟପୁରୁଷଙ୍କଠାରୁ
ଉତ୍ପନ୍ନ ବ୍ରହ୍ମାଙ୍କ ଦ୍ବାରା ଯେଉଁ ବିଭିନ୍ନ ଚରାଚର ସୃଷ୍ଟିର ନିର୍ମାଣ ହୋଇଥାଏ, ତାହାର ନାମ ‘ବିସର୍ଗ’ ଅଟେ |
ସ୍ଥିତିର୍ୱୈକୁଣ୍ଠବିଜୟଃ ପୋଷଣଂ
ତଦନୁଗ୍ରହଃ ।
ମନ୍ୱନ୍ତରାଣି ସଦ୍ଧର୍ମ ଊତୟଃ
କର୍ମବାସନାଃ ॥ ୪॥
ପ୍ରତିପଦରେ ନାଶ ଏବଂ ବୃଦ୍ଧି ଅଭିମୁଖରେ
ଅଗ୍ରସର ହେଉଥିବା ସୃଷ୍ଟିକୁ ଏକ ମର୍ଯ୍ୟାଦାରେ ସ୍ଥିର ରଖିବାରେ ଭଗବାନ ବିଷ୍ଣୁଙ୍କର ଯେଉଁ
ଶ୍ରେଷ୍ଠତ୍ବ ସିଦ୍ଧ ହୋଇଥାଏ, ତାହାକୁ ‘ସ୍ଥାନ’ କହନ୍ତି | ନିଜ ଦ୍ବାରା ସୁରକ୍ଷିତ ସୃଷ୍ଟିରେ ଭକ୍ତମାନଙ୍କ ଉପରେ ତାଙ୍କର ଯେଉଁ ବିଶେଷ
କୃପା ହୋଇଥାଏ, ତାହାର ନାମ ‘ପୋଷଣ’ ଅଟେ | ମନ୍ବନ୍ତରମାନଙ୍କର ଅଧିପତି
ଯେଉଁ ଭଗବଦ୍ଭକ୍ତି ଏବଂ ପ୍ରଜାପାଳନ ରୂପ ଧର୍ମର ଅନୁଷ୍ଠାନ କରିଥାଆନ୍ତି, ତାହାକୁ ମନ୍ବନ୍ତର କହନ୍ତି | ଜୀବର ଯେଉଁ ବାସନା କ୍ରିୟାନ୍ବିତ ହୋଇ ତାକୁ ବନ୍ଧନରେ ପକାଇ
ଥାଏ, ତାହା ‘ଊତି’ ନାମରେ ବାଚ୍ୟ |
ଅବତାରାନୁଚରିତଂ
ହରେଶ୍ଚାସ୍ୟାନୁବର୍ତିନାମ୍ ।
ସତାମୀଶକଥାଃ ପ୍ରୋକ୍ତା
ନାନାଽଽଖ୍ୟାନୋପବୃଂହିତାଃ ॥ ୫॥
ଭଗବାନଙ୍କର ବିଭିନ୍ନ ଅବତାର ଏବଂ ତାଙ୍କ
ପ୍ରେମୀ ଭକ୍ତମାନଙ୍କର ଆଖ୍ୟାନରେ ଯୁକ୍ତ ଗାଥା ‘ଈଶକଥା’ ଅଟେ |
ନିରୋଧୋଽସ୍ୟାନୁଶୟନମାତ୍ମନଃ ସହ
ଶକ୍ତିଭିଃ ।
ମୁକ୍ତିର୍ହିତ୍ୱାନ୍ୟଥା ରୂପଂ ସ୍ୱରୂପେଣ
ବ୍ୟବସ୍ଥିତିଃ ॥ ୬॥
ଭଗବାନ ଯେତେବେଳେ ଯୋଗନିଦ୍ରା ସ୍ବୀକାର
କରି ଶୟନ କରନ୍ତି, ସେହି ସମୟରେ ଜୀବ ନିଜର ଉପାଧି ସହିତ
ତାଙ୍କ ମଧ୍ୟରେ ଲୀନ ହୋଇଯିବା ‘ନିରୋଧ’ ଅଟେ | ଅଜ୍ଞାନକଳ୍ପିତ କର୍ତୃତ୍ବ,
ଭୋକ୍ତୃତ୍ବ ଆଦି ଅନାତ୍ମଭାବ ପରିତ୍ୟାଗ କରି ନିଜର ବାସ୍ତବ ସ୍ବରୂପରେ ପରମାତ୍ମାଙ୍କଠାରେ ସ୍ଥିତ
ହୋଇଯିବା ହିଁ ‘ମୁକ୍ତି’ ଅଟେ |
ଆଭାସଶ୍ଚ ନିରୋଧଶ୍ଚ ଯତଶ୍ଚାଧ୍ୟବସୀୟତେ
।
ସ ଆଶ୍ରୟଃ ପରଂ ବ୍ରହ୍ମ ପରମାତ୍ମେତି
ଶବ୍ଦ୍ୟତେ ॥ ୭॥
ହେ ପରୀକ୍ଷିତ ! ଏହି ଜଗତର ଉତ୍ପତ୍ତି
ଏବଂ ପ୍ରଳୟ ଯେଉଁ ତତ୍ତ୍ବରେ ପ୍ରକାଶିତ ହୋଇଥାଏ, ସେହି ପରମ ବ୍ରହ୍ମ ହିଁ ‘ଆଶ୍ରୟ’ ଅଟନ୍ତି | ଶାସ୍ତ୍ରମାନଙ୍କରେ ତାହାକୁ
ହିଁ ପରମାତ୍ମା କୁହାଯାଇଥାଏ |
ଯୋଽଧ୍ୟାତ୍ମିକୋଽୟଂ ପୁରୁଷଃ
ସୋଽସାବେବାଧିଦୈବିକଃ ।
ଯସ୍ତତ୍ରୋଭୟବିଚ୍ଛେଦଃ ପୁରୁଷୋ
ହ୍ୟାଧିଭୌତିକଃ ॥ ୮॥
ଯିଏ ନେତ୍ର ଆଦି ଇନ୍ଦ୍ରିୟ-ଅଭିମାନୀ
ଦ୍ରଷ୍ଟା ଜୀବ ଅଟେ, ସେ ହିଁ ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତୃ-ଦେବତା ସୂର୍ଯ୍ୟ ଆଦି ରୂପରେ ମଧ୍ୟ ଅଛନ୍ତି ଏବଂ
ଯାହା ନେତ୍ରଗୋଲକ ଆଦି-ଯୁକ୍ତ ଦୃଶ୍ୟ ଦେହ ଅଟେ, ସେ ହିଁ ଉଭୟଙ୍କୁ ପୃଥକ-ପୃଥକ କରିଥାଏ |
ଏକମେକତରାଭାବେ ଯଦା ନୋପଲଭାମହେ ।
ତ୍ରିତୟଂ ତତ୍ର ଯୋ ବେଦ ସ ଆତ୍ମା
ସ୍ୱାଶ୍ରୟାଶ୍ରୟଃ ॥ ୯॥
ଏହି ତିନୋଟି ମଧ୍ୟରୁ କୌଣସି ଗୋଟିଏର
ଯଦି ଅଭାବ ହୋଇଯାଏ, ତେବେ ଅନ୍ୟ ଦୁଇଟିର ଉପଲବଧି ହୋଇ ନ
ଥାଏ | ଅତଏବ ଯିଏ ଏହି ତିନୋଟି ତତ୍ତ୍ବକୁ ଜାଣନ୍ତି, ସେହି ପରମାତ୍ମା ହିଁ ସମସ୍ତଙ୍କର ଆଶ୍ରୟ ତତ୍ତ୍ବ ଅଟନ୍ତି | ତାଙ୍କର ଆଶ୍ରୟ ସେ ସ୍ବୟଂ
ଅଟନ୍ତି, ଅନ୍ୟ କେହି ନୁହଁନ୍ତି |
ପୁରୁଷୋଽଣ୍ଡଂ ବିନିର୍ଭିଦ୍ୟ ଯଦାସୌ ସ
ବିନିର୍ଗତଃ ।
ଆତ୍ମନୋଽୟନମନ୍ୱିଚ୍ଛନ୍ନପୋଽସ୍ରାକ୍ଷୀଚ୍ଛୁଚିଃ
ଶୁଚୀଃ ॥ ୧୦॥
ବ୍ରହ୍ମାଣ୍ଡକୁ ବିଦାରଣ କରି ସେହି
ବିରାଟ ପୁରୁଷ ଯେତେବେଳେ ଭିତରୁ ବାହାରକୁ ଆସିଲେ, ସେ ନିଜର ରହିବା ପାଇଁ ସ୍ଥାନର ଅନ୍ବେଷଣ କଲେ ଏବଂ ସ୍ଥାନ ଇଚ୍ଛାରେ ସେହି ଶୁଦ୍ଧ-ସଂକଳ୍ପ
ପୁରୁଷ ଅତ୍ୟନ୍ତ ପବିତ୍ର ଜଳର ସୃଷ୍ଟି କଲେ |
ତାସ୍ୱବାତ୍ସୀତ୍ସ୍ୱସୃଷ୍ଟାସୁ
ସହସ୍ରପରିବତ୍ସରାନ୍ ।
ତେନ ନାରାୟଣୋ ନାମ ଯଦାପଃ
ପୁରୁଷୋଦ୍ଭବାଃ ॥ ୧୧॥
ବିରାଟ ପୁରୁଷ-ରୂପୀ ‘ନର’ଙ୍କଠାରୁ ଉତ୍ପନ୍ନ ହୋଇଥିବା କାରଣରୁ ଜଳକୁ ‘ନାର’ କୁହାଗଲା ଏବଂ ନିଜେ ଉତ୍ପନ୍ନ କରିଥିବା ନାରରେ ସେହି ପୁରୁଷ ଦୀର୍ଘ ଏକ ହଜାର ବର୍ଷ ନିବାସ
କରିଥିବାରୁ ତାଙ୍କୁ ‘ନାରାୟଣ’ କୁହାଗଲା |
ଦ୍ରବ୍ୟଂ କର୍ମ ଚ କାଲଶ୍ଚ ସ୍ୱଭାବୋ ଜୀବ
ଏବ ଚ ।
ଯଦନୁଗ୍ରହତଃ ସନ୍ତି ନ ସନ୍ତି
ଯଦୁପେକ୍ଷୟା ॥ ୧୨॥
ସେହି ନାରାୟଣଭଗବାନଙ୍କ କୃପାରେ ହିଁ
ଦ୍ରବ୍ୟ, କର୍ମ, କାଳ, ସ୍ବଭାବ ଏବଂ ଜୀବ ଆଦିର ସତ୍ତା ନିହିତ | ତାଙ୍କର ଉପେକ୍ଷା କରିଦେଲେ, କାହାର ବି ଅସ୍ତିତ୍ବ ରହିବ ନାହିଁ |
ଏକୋ ନାନାତ୍ୱମନ୍ୱିଚ୍ଛନ୍
ଯୋଗତଲ୍ପାତ୍ସମୁତ୍ଥିତଃ ।
ବୀର୍ୟଂ ହିରଣ୍ମୟଂ ଦେବୋ ମାୟଯା ବ୍ୟସୃଜତ୍ତ୍ରିଧା
॥ ୧୩॥
ଅଧିଦୈବମଥାଧ୍ୟାତ୍ମମଧିଭୂତମିତି ପ୍ରଭୁଃ
।
ଯଥୈକଂ ପୌରୁଷଂ ବୀର୍ୟଂ ତ୍ରିଧାଭିଦ୍ୟତ
ତଚ୍ଛୃଣୁ ॥ ୧୪॥
ସେହି ଅଦ୍ବିତୀୟ ଭଗବାନ ନାରାୟଣ
ଯୋଗନିଦ୍ରାରୁ ଉଠି ଅନେକ ହେବାର ଇଚ୍ଛାରେ ନିଜ ମାୟାରେ ଅଖିଳ ବ୍ରହ୍ମାଣ୍ଡର ବୀଜସ୍ବରୂପ ନିଜ
ସୁବର୍ଣ୍ଣମୟ ବୀର୍ଯ୍ୟକୁ ତିନି ଭାଗରେ ବିଭକ୍ତ କଲେ – ଅଧିଦୈବ, ଅଧ୍ୟାତ୍ମ, ଏବଂ ଅଧିଭୂତ | ହେ
ପରୀକ୍ଷିତ ! ବିରାଟ ପୁରୁଷଙ୍କର ଗୋଟିଏ ହିଁ ବୀର୍ଯ୍ୟ ତିନି ଭାଗରେ ବିଭକ୍ତ ହେଲା କିପରି, ତାହା ଶୁଣ |
ଅନ୍ତଃଶରୀର ଆକାଶାତ୍ପୁରୁଷସ୍ୟ
ବିଚେଷ୍ଟତଃ ।
ଓଜଃ ସହୋ ବଲଂ ଜଜ୍ଞେ ତତଃ ପ୍ରାଣୋ
ମହାନସୁଃ ॥ ୧୫॥
ବିରାଟ ପୁରୁଷଙ୍କର ହଲିବା-ଦୋହଲିବା ଆଦି
କ୍ରିୟା ଯୋଗୁଁ ତାଙ୍କ ଶରୀର ଭିତରେ ଥିବା ଆକାଶରେ ଇନ୍ଦ୍ରିୟବଳ, ମନୋବଳ ଏବଂ ଶରୀରବଳର ଉତ୍ପତ୍ତି ହେଲା | ତହିଁରୁ ସେହି ସମସ୍ତଙ୍କର ରାଜା ପ୍ରାଣ ଉତ୍ପନ୍ନ
ହେଲା |
ଅନୁପ୍ରାଣନ୍ତି ଯଂ ପ୍ରାଣାଃ ପ୍ରାଣନ୍ତଂ
ସର୍ୱଜନ୍ତୁଷୁ ।
ଅପାନନ୍ତମପାନନ୍ତି ନରଦେବମିବାନୁଗାଃ ॥
୧୬॥
ସେବକ ନିଜ ସ୍ବାମୀ ରାଜାଙ୍କର ଅନୁଗମନ
କରିବା ପରି ଶରୀରରେ ପ୍ରାଣର ପ୍ରବଳତା ଯୋଗୁଁ ଇନ୍ଦ୍ରିୟମାନେ ପ୍ରବଳ ରହନ୍ତି ଏବଂ ପ୍ରାଣ
ଯେତେବେଳେ ସୁସ୍ତ ହୋଇଯାଏ, ସମସ୍ତ ଇନ୍ଦ୍ରିୟ ସେତେବେଳେ ସୁସ୍ତ
ହୋଇଯାଆନ୍ତି |
ପ୍ରାଣେନ କ୍ଷିପତା କ୍ଷୁତ୍ତୃଡନ୍ତରା
ଜାୟତେ ପ୍ରଭୋଃ ।
ପିପାସତୋ ଜକ୍ଷତଶ୍ଚ ପ୍ରାଙ୍ମୁଖଂ
ନିରଭିଦ୍ୟତ ॥ ୧୭॥
ପ୍ରାଣ ଯେତେବେଳେ ତୀବ୍ର ବେଗରେ
ଯିବା-ଆସିବା କରିବାରେ ଲାଗିଲା, ସେତେବେଳେ ବିରାଟ ପୁରୁଷ କ୍ଷୁଧା-ତୃଷା
ଅନୁଭବ କରିବାରେ ଲାଗିଲେ | ଭୋଜନ-ପାନର ଇଚ୍ଛାରେ ହିଁ ସର୍ବପ୍ରଥମେ ତାଙ୍କ ଶରୀରରେ ମୁଖ ପ୍ରକଟ
ହେଲା |
ମୁଖତସ୍ତାଲୁ ନିର୍ଭିନ୍ନଂ ଜିହ୍ୱା
ତତ୍ରୋପଜାୟତେ ।
ତତୋ ନାନାରସୋ ଜଜ୍ଞେ ଜିହ୍ୱୟା
ଯୋଽଧିଗମ୍ୟତେ ॥ ୧୮॥
ମୁଖରୁ ତାଳୁକା ଏବଂ ତାଳୁକାରୁ ରସନେନ୍ଦ୍ରିୟ
ପ୍ରକଟ ହେଲା | ଏହାପରେ ରସନାର ଗ୍ରହଣଯୋଗ୍ୟ ଆନେକ ପ୍ରକାରର ରସ ଉତ୍ପନ୍ନ ହେଲା |
ବିବକ୍ଷୋର୍ମୁଖତୋ ଭୂମ୍ନୋ
ବହ୍ନିର୍ୱାଗ୍ୱ୍ୟାହୃତଂ ତୟୋଃ ।
ଜଲେ ଚୈତସ୍ୟ ସୁଚିରଂ ନିରୋଧଃ ସମଜାୟତ ॥
୧୯॥
ତାପରେ ଯେତେବେଳେ ଇଚ୍ଛା ପ୍ରକାଶ
କରିବାର ଆବଶ୍ୟକତା ଅନୁଭୂତ ହେଲା, ସେତେବେଳେ ବାକ୍-ଇନ୍ଦ୍ରିୟ, ତାହାର
ଅଧିଷ୍ଠାତୃ-ଦେବତା ଅଗ୍ନି ଏବଂ ତାଙ୍କର ବିଷୟ ବାଣୀ – ଏହି ତିନିହେଁ ପ୍ରକଟ ହେଲେ | ଏହାପରେ
ବହୁତ ଦିନଯାଏଁ ସେ ସେହି ଜଳରେ ଅଟକି ରହିଲେ |
ନାସିକେ ନିରଭିଦ୍ୟେତାଂ ଦୋଧୂୟତି
ନଭସ୍ୱତି ।
ତତ୍ର ବାୟୁର୍ଗନ୍ଧବହୋ ଘ୍ରାଣୋ ନସି
ଜିଘୃକ୍ଷତଃ ॥ ୨୦॥
ତାଙ୍କ ଶ୍ବାସ-ବେଗରୁ ନାସା-ରନ୍ଧ୍ର
ଉତ୍ପନ୍ନ ହେଲେ | ଯେତେବେଳେ ତାଙ୍କର ସୂଂଘିବାକୁ ଇଚ୍ଛା ହେଲା, ସେତେବେଳେ ତାଙ୍କର ନାସିକା ବା ଘ୍ରାଣେନ୍ଦ୍ରିୟ ପ୍ରକଟ ହେଲା ଏବଂ ସେହି ଗନ୍ଧକୁ ବ୍ୟାପ୍ତ
କରୁଥିବା ଦେବତା ବାୟୁଦେବ ମଧ୍ୟ ପ୍ରକଟ ହେଲେ |
ଯଦାତ୍ମନି ନିରାଲୋକମାତ୍ମାନଂ ଚ
ଦିଦୃକ୍ଷତଃ ।
ନିର୍ଭିନ୍ନେ ହ୍ୟକ୍ଷିଣୀ ତସ୍ୟ
ଜ୍ୟୋତିଶ୍ଚକ୍ଷୁର୍ଗୁଣଗ୍ରହଃ ॥ ୨୧॥
ପ୍ରଥମେ ତାଙ୍କ ଶରୀରରେ ପ୍ରକାଶ ନ ଥିଲା
| ତାପରେ ଯେତେବେଳେ ତାଙ୍କର ନିଜକୁ ତଥା ଅନ୍ୟ ସମସ୍ତ ବସ୍ତୁଙ୍କୁ ଦେଖିବାକୁ ଇଚ୍ଛା ହେଲା, ସେତେବେଳେ ନେତ୍ର-ଛିଦ୍ର, ତା’ର ଅଧିଷ୍ଠାତା ସୂର୍ଯ୍ୟ ଏବଂ ନେତ୍ରେନ୍ଦ୍ରିୟ ପ୍ରକଟ ହେଲେ | ତଦ୍ବାରା ରୂପ ଗ୍ରହଣ ହେବାରେ
ଲାଗିଲା |
ବୋଧ୍ୟମାନସ୍ୟ ଋଷିଭିରାତ୍ମନସ୍ତଜ୍ଜିଘୃକ୍ଷତଃ
।
କର୍ଣୌ ଚ ନିରଭିଦ୍ୟେତାଂ ଦିଶଃ
ଶ୍ରୋତ୍ରଂ ଗୁଣଗ୍ରହଃ ॥ ୨୨॥
ବେଦରୂପ ଋଷି ଯେତେବେଳେ ବିରାଟ
ପୁରୁଷଙ୍କୁ ସ୍ତୁତି ଦ୍ବାରା ଜଗାଇବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କର ଶ୍ରବଣ କରିବାକୁ ଇଚ୍ଛା ହେଲା | ସେହି ଇଚ୍ଛାରୁ କାନ, ତାହାର ଅଧିଷ୍ଠାତୃ-ଦେବତା ଦିଶା ଏବଂ ଶ୍ରବଣେନ୍ଦ୍ରିୟ ପ୍ରକଟ ହେଲା | ତଦ୍ବାରା ଶବ୍ଦ
ଗ୍ରହଣ କରାଯାଇ ପାରିଲା |
ବସ୍ତୁନୋ
ମୃଦୁକାଠିନ୍ୟଲଘୁଗୁର୍ୱୋଷ୍ଣଶୀତତାମ୍ ।
ଜିଘୃକ୍ଷତସ୍ତ୍ୱଙ୍ ନିର୍ଭିନ୍ନା ତସ୍ୟାଂ
ରୋମମହୀରୁହାଃ ।
ତତ୍ର ଚାନ୍ତର୍ବହିର୍ୱାତସ୍ତ୍ୱଚା
ଲବ୍ଧଗୁଣୋ ବୃତଃ ॥ ୨୩॥
ଯେତେବେଳେ ସେ ବସ୍ତୁର କୋମଳତା, କଠିନତା, ଓଜନ, ଉଷ୍ମତା, ଶୀତଳତା ଆଦି ଜାଣିବାକୁ ଇଚ୍ଛା କଲେ, ସେତେବେଳେ ତାଙ୍କ ଶରୀରରେ ଚର୍ମ ପ୍ରକଟ ହେଲା | ପୃଥିବୀରୁ ବୃକ୍ଷ ଉତ୍ପନ୍ନ ହେବା ପରି
ତାଙ୍କ ଚର୍ମରୁ ରୋମ ଉତ୍ପନ୍ନ ହେଲା ଏବଂ ତା’ର ଭିତରେ-ବାହାରେ ରହୁଥିବା ବାୟୁ ମଧ୍ୟ
ପ୍ରକଟ ହେଲେ | ତା ସହିତ ସ୍ପର୍ଶ ଗ୍ରହଣକାରୀ ତ୍ବଚା-ଇନ୍ଦ୍ରିୟ ଚତୁର୍ଦ୍ଦିଗରୁ ଶରୀରକୁ ଆବୃତ
କରିଦେଲେ, ଯଦ୍ବାରା ସେ ସ୍ପର୍ଶ ଅନୁଭବ କରିପାରିଲେ |
ହସ୍ତୌ ରୁରୁହତୁସ୍ତସ୍ୟ
ନାନାକର୍ମଚିକୀର୍ଷୟା ।
ତୟୋସ୍ତୁ ବଲମିନ୍ଦ୍ରଶ୍ଚ
ଆଦାନମୁଭୟାଶ୍ରୟମ୍ ॥ ୨୪॥
ଯେତେବେଳେ ତାଙ୍କର ଅନେକ ପ୍ରକାର କର୍ମ
କରିବାକୁ ଇଚ୍ଛା ହେଲା, ତାଙ୍କ ଶରୀରରେ ହାତ ପ୍ରକଟ ହେଲା | ସେହି ହାତରେ ଗ୍ରହଣ କରିବାର ଶକ୍ତି
ହସ୍ତେନ୍ଦ୍ରିୟ ତଥା ତା’ର ଅଧିଷ୍ଠାତା-ଦେବତା ଇନ୍ଦ୍ର ପ୍ରକଟ
ହେଲେ ଏବଂ ଉଭୟଙ୍କ ଆଶ୍ରୟରେ ହେଉଥିବା କର୍ମ ମଧ୍ୟ ପ୍ରକଟ ହେଲା |
ଗତିଂ ଜିଗୀଷତଃ ପାଦୌ
ରୁରୁହାତେଽଭିକାମିକାମ୍ ।
ପଦ୍ଭ୍ୟାଂ ଯଜ୍ଞଃ ସ୍ୱୟଂ ହବ୍ୟଂ
କର୍ମଭିଃ କ୍ରିୟତେ ନୃଭିଃ ॥ ୨୫॥
ଯେତେବେଳେ ତାଙ୍କର ଅଭୀଷ୍ଟ ସ୍ଥାନକୁ
ଯିବା ପାଇଁ ଇଚ୍ଛା ହେଲା, ତାଙ୍କ ଶରୀରରୁ ପାଦ ପ୍ରକଟ ହେଲା |
ଚରଣ ସହିତ ଚରଣେନ୍ଦ୍ରିୟ ଏବଂ ଅଧିଷ୍ଠାତା ରୂପରେ ସେଠାରେ ସ୍ବୟଂ ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ
ସ୍ଥିତ ହୋଇଗଲେ ଏବଂ ତହିଁରେ ଗମନ-ରୂପୀ କର୍ମ ପ୍ରକଟ ହେଲା | ଚରଣେନ୍ଦ୍ରିୟ ସାହାଯ୍ୟରେ ଚାଲି
ମନୁଷ୍ୟ ଯଜ୍ଞ-ସାମଗ୍ରୀ ଏକତ୍ରିତ କରିଥାଏ |
ନିରଭିଦ୍ୟତ ଶିଶ୍ନୋ ବୈ
ପ୍ରଜାନନ୍ଦାମୃତାର୍ଥିନଃ ।
ଉପସ୍ଥ ଆସୀତ୍କାମାନାଂ ପ୍ରିୟଂ
ତଦୁଭୟାଶ୍ରୟମ୍ ॥ ୨୬॥
ସନ୍ତାନ, ରତି ଏବଂ ସ୍ବର୍ଗ-ଭୋଗ କାମନାରୁ ବିରାଟ ପୁରୁଷଙ୍କର ଶରୀରରେ ଲିଙ୍ଗର ଉତ୍ପତ୍ତି ହେଲା |
ତହିଁରେ ଉପସ୍ଥେନ୍ଦ୍ରିୟ ଏବଂ ପ୍ରଜାପତି ଦେବତା ତଥା ସେହି ଦୁହିଁଙ୍କ ଆଶ୍ରୟରେ ରହୁଥିବା
କାମସୁଖର ଆବିର୍ଭାବ ହେଲା |
ଉତ୍ସିସୃକ୍ଷୋର୍ଧାତୁମଲଂ ନିରଭିଦ୍ୟତ ବୈ
ଗୁଦମ୍ ।
ତତଃ ପାୟୁସ୍ତତୋ ମିତ୍ର ଉତ୍ସର୍ଗ
ଉଭୟାଶ୍ରୟଃ ॥ ୨୭॥
ମଳତ୍ୟାଗ କରିବାର ଇଚ୍ଛାରୁ ମଳଦ୍ବାର
ପ୍ରକଟ ହେଲା | ତତ୍ପଶ୍ଚାତ୍ ସେଥିରେ ପାୟୁ-ଇନ୍ଦ୍ରିୟ ଏବଂ ମିତ୍ର-ଦେବତା ଉତ୍ପନ୍ନ ହେଲେ | ଏହି
ଦୁହିଁଙ୍କ ଦ୍ବାରା ମଳତ୍ୟାଗ କ୍ରିୟା ସମ୍ପନ୍ନ ହୋଇଥାଏ |
ଆସିସୃପ୍ସୋଃ ପୁରଃ ପୁର୍ୟା
ନାଭିଦ୍ୱାରମପାନତଃ ।
ତତ୍ରାପାନସ୍ତତୋ ମୃତ୍ୟୁଃ
ପୃଥକ୍ତ୍ୱମୁଭୟାଶ୍ରୟମ୍ ॥ ୨୮॥
ଅପାନମାର୍ଗ ଦ୍ବାରା ଗୋଟିଏ ଶରୀରରୁ
ଅନ୍ୟ ଶରୀରକୁ ଯିବାର ଇଚ୍ଛାରୁ ନାଭିଦ୍ବାର ପ୍ରକଟ ହେଲା | ସେଥିରୁ ଅପାନ ଏବଂ ମୃତ୍ୟୁ ଦେବତା
ପ୍ରକଟ ହେଲେ | ଏହି ଦୁହିଁଙ୍କର ଆଶ୍ରୟରେ ହିଁ ପ୍ରାଣ ଏବଂ ଅପାନର ବିଚ୍ଛେଦ, ଅର୍ଥାତ୍ ମୃତ୍ୟୁ
ହୋଇଥାଏ |
ଆଦିତ୍ସୋରନ୍ନପାନାନାମାସନ୍
କୁକ୍ଷ୍ୟନ୍ତ୍ରନାଡୟଃ ।
ନଦ୍ୟଃ ସମୁଦ୍ରାଶ୍ଚ ତୟୋସ୍ତୁଷ୍ଟିଃ
ପୁଷ୍ଟିସ୍ତଦାଶ୍ରୟେ ॥ ୨୯॥
ବିରାଟ ପୁରୁଷଙ୍କର ଅନ୍ନ-ଜଳ ଗ୍ରହଣ
କରିବାର ଇଚ୍ଛାରୁ ଉଦର, ଶିରା, ଧମନୀ ଉତ୍ପନ୍ନ ହେଲେ | ତା ସହିତ ଉଦରର
ଦେବତା ସମୁଦ୍ର ଏବଂ ନାଡିମାନଙ୍କର ଦେବତା ନଦୀ ତଥା ସେହି ଦୁହିଁଙ୍କର ଆଶ୍ରିତ ବିଷୟ
ତୁଷ୍ଟି-ପୁଷ୍ଟି ଉତ୍ପନ୍ନ ହେଲେ |
ନିଦିଧ୍ୟାସୋରାତ୍ମମାୟାଂ ହୃଦୟଂ
ନିରଭିଦ୍ୟତ ।
ତତୋ ମନସ୍ତତଶ୍ଚନ୍ଦ୍ରଃ ସଙ୍କଲ୍ପଃ କାମ
ଏବ ଚ ॥ ୩୦॥
ଯେତେବେଳେ ସେ ନିଜ ମାୟା ଉପରେ ବିଚାର
କରିବାକୁ ଇଚ୍ଛା କଲେ, ହୃଦୟର ଉତ୍ପତ୍ତି ହେଲା | ସେଥିରୁ
ମନରୂପୀ ଇନ୍ଦ୍ରିୟ ଏବଂ ମନରୁ ତା’ର ଦେବତା ଚନ୍ଦ୍ରମା ତଥା ବିଷୟ-କାମନା
ଏବଂ ସଂକଳ୍ପ ପ୍ରକଟ ହେଲେ |
ତ୍ୱକ୍ଚର୍ମମାଂସରୁଧିରମେଦୋମଜ୍ଜାସ୍ଥିଧାତବଃ
।
ଭୂମ୍ୟପ୍ତେଜୋମୟାଃ ସପ୍ତ ପ୍ରାଣୋ
ବ୍ୟୋମାମ୍ବୁବାୟୁଭିଃ ॥ ୩୧॥
ବିରାଟ ପୁରୁଷଙ୍କ ଶରୀରରେ ପୃଥିବୀ, ଜଳ ଏବଂ ତେଜରୁ ତ୍ବଚା, ଚର୍ମ, ମାଂସ, ରୁଧିର, ମେଦ, ମଜ୍ଜା ଏବଂ ଅସ୍ଥି – ଏହି ସପ୍ତ ଧାତୁ ପ୍ରକଟ ହେଲେ | ସେହିପରି, ଆକାଶ, ଜଳ ଏବଂ ବାୟୁରୁ ପ୍ରାଣର ଉତ୍ପତ୍ତି
ହେଲା |
ଗୁଣାତ୍ମକାନୀନ୍ଦ୍ରିୟାଣି
ଭୂତାଦିପ୍ରଭବା ଗୁଣାଃ ।
ମନଃ ସର୍ୱବିକାରାତ୍ମା
ବୁଦ୍ଧିର୍ୱିଜ୍ଞାନରୂପିଣୀ ॥ ୩୨॥
ଶ୍ରୋତ୍ର ଆଦି ସମସ୍ତ ଇନ୍ଦ୍ରିୟ
ଶବ୍ଦାଦି ବିଷୟକୁ ଗ୍ରହଣ କରିଥାଆନ୍ତି | ସେହି ସବୁ ବିଷୟ ଅହଂକାରରୁ ଉତ୍ପନ୍ନ ହୋଇଛନ୍ତି | ମନ
ସମସ୍ତ ବିକାରର ଉତ୍ପତ୍ତିସ୍ଥାନ ଅଟେ ଏବଂ ବୁଦ୍ଧି ସମସ୍ତ ପଦାର୍ଥର ବୋଧ କରାଇ ଥାଏ |
ଏତଦ୍ଭଗବତୋ ରୂପଂ ସ୍ଥୂଲଂ ତେ ବ୍ୟାହୃତଂ
ମୟା ।
ମହ୍ୟାଦିଭିଶ୍ଚାବରଣୈରଷ୍ଟଭିର୍ବହିରାବୃତମ୍
॥ ୩୩॥
ଭଗବାନଙ୍କର ଏହି ସ୍ଥୁଳ ରୂପର ବର୍ଣ୍ଣନା
ମୁଁ ତୁମକୁ ଶୁଣାଇଲି | ଏହା ବାହ୍ୟତଃ ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ଅହଂକାର, ମହତ୍ତତ୍ତ୍ବ ଏବଂ ପ୍ରକୃତି – ଏହି ଅଷ୍ଟ ଆବରଣରେ ଆବୃତ ରହିଛି |
ଅତଃ ପରଂ ସୂକ୍ଷ୍ମତମମବ୍ୟକ୍ତଂ
ନିର୍ୱିଶେଷଣମ୍ ।
ଅନାଦିମଧ୍ୟନିଧନଂ ନିତ୍ୟଂ ବାଙ୍ମନସଃ
ପରମ୍ ॥ ୩୪॥
ଏହାର ଉର୍ଦ୍ଧ୍ବରେ ଭଗବାନଙ୍କର ଅତ୍ୟନ୍ତ
ସୂକ୍ଷ୍ମ ରୂପ ରହିଛି | ତାହା ଅବ୍ୟକ୍ତ, ନିର୍ବିଶେଷ, ଆଦି-ମଧ୍ୟ-ଅନ୍ତ ରହିତ ଏବଂ ନିତ୍ୟ ଅଟେ | ବାଣୀ ଏବଂ ମନର ଗତି ସେଠାକୁ ନାହିଁ |
ଅମୁନୀ ଭଗବଦ୍ରୂପେ ମୟା ତେ ଅନୁବର୍ଣିତେ
।
ଉଭେ ଅପି ନ ଗୃହ୍ଣନ୍ତି ମାୟାସୃଷ୍ଟେ
ବିପଶ୍ଚିତଃ ॥ ୩୫॥
ମୁଁ ଭଗବାନଙ୍କର ଯେଉଁ ସ୍ଥୁଳ ଏବଂ ସୂକ୍ଷ୍ମ ବା ବ୍ୟକ୍ତ ଏବଂ ଅବ୍ୟକ୍ତ ଦୁଇଟି
ରୂପ ବିଷୟରେ ତୁମକୁ କହିଲି, ସେହି ଦୁଇଟି ରୂପ ଭଗବାନଙ୍କ ମାୟା
ଦ୍ବାରା ରଚିତ ଅଟେ | ସେଥିପାଇଁ ବିଦ୍ବାନ ପୁରୁଷ ଉଭୟଙ୍କୁ ହିଁ ସ୍ବୀକାର କରନ୍ତି ନାହିଁ |
ସ ବାଚ୍ୟବାଚକତୟା ଭଗବାନ୍
ବ୍ରହ୍ମରୂପଧୃକ୍ ।
ନାମରୂପକ୍ରିୟା ଧତ୍ତେ ସକର୍ମାକର୍ମକଃ
ପରଃ ॥ ୩୬॥
ବାସ୍ତବରେ ଭଗବାନ ନିଷ୍କ୍ରିୟ ଅଟନ୍ତି |
ନିଜ ଶକ୍ତି ଦ୍ବାରା ହିଁ ସେ ସକ୍ରିୟ ହୋଇଥାଆନ୍ତି | ତାପରେ ସେ ବ୍ରହ୍ମ ବା ବିରାଟ ରୂପ ଧାରଣ
କରି ବାଚ୍ୟ ଏବଂ ବାଚକ ବା ଶବ୍ଦ ଏବଂ ତା’ର ଅର୍ଥ ରୂପରେ ପ୍ରକଟ ହୁଅନ୍ତି ଏବଂ
ଅନେକ ନାମ, ରୂପ ଓ କ୍ରିୟା ସ୍ବୀକାର କରିଥାଆନ୍ତି |
ପ୍ରଜାପତୀନ୍ ମନୂନ୍ ଦେବାନ୍ ଋଷୀନ୍
ପିତୃଗଣାନ୍ ପୃଥକ୍ ।
ସିଦ୍ଧଚାରଣଗନ୍ଧର୍ୱାନ୍
ବିଦ୍ୟାଧ୍ରାସୁରଗୁହ୍ୟକାନ୍ ॥ ୩୭॥
କିନ୍ନରାପ୍ସରସୋ ନାଗାନ୍ ସର୍ପାନ୍
କିମ୍ପୁରୁଷୋରଗାନ୍ ।
ମାତୄରକ୍ଷଃପିଶାଚାଂଶ୍ଚ
ପ୍ରେତଭୂତବିନାୟକାନ୍ ॥ ୩୮॥
କୂଷ୍ମାଣ୍ଡୋନ୍ମାଦବେତାଲାନ୍
ଯାତୁଧାନାନ୍ ଗ୍ରହାନପି ।
ଖଗାନ୍ ମୃଗାନ୍ ପଶୂନ୍ ବୃକ୍ଷାନ୍
ଗିରୀନ୍ ନୃପ ସରୀସୃପାନ୍ ॥ ୩୯||
ହେ ପରୀକ୍ଷିତ ! ପ୍ରଜାପତି, ମନୁ, ଦେବତା, ଋଷି, ପିତୃପୁରୁଷ, ସିଦ୍ଧ, ଚାରଣ, ଗନ୍ଧର୍ବ, ବିଦ୍ୟାଧର, ଅସୁର, ଯକ୍ଷ, କିନ୍ନର, ଅପ୍ସରା, ନାଗ, ସର୍ପ, କିମ୍ପୁରୁଷ, ଉରଗ, ମାତୃକା, ରାକ୍ଷସ, ପିଶାଚ, ପ୍ରେତ, ଭୂତ, ବିନାୟକ, କୁଷ୍ମାଣ୍ଡ, ଉନ୍ମାଦ, ବେତାଳ, ଯାତୁଧାନ, ଗ୍ରହ, ପକ୍ଷୀ, ମୃଗ, ପଶୁ, ବୃକ୍ଷ, ପର୍ବତ, ସରୀସୃପ ଇତ୍ୟାଦି ସଂସାରରେ ଯେତେ ବି ନାମ-ରୂପ ରହିଛି, ସବୁ ଭଗବାନଙ୍କର ହିଁ ପ୍ରକାଶ ଅଟେ |
ଦ୍ୱିବିଧାଶ୍ଚତୁର୍ୱିଧା ଯେଽନ୍ୟେ
ଜଲସ୍ଥଲନଭୌକସଃ ।
କୁଶଲାକୁଶଲା ମିଶ୍ରାଃ କର୍ମଣାଂ
ଗତୟସ୍ତ୍ୱିମାଃ ॥ ୪୦॥
ସଂସାରରେ ଚର ଓ ଅଚର ଭେଦରେ ଦୁଇ
ପ୍ରକାରର ତଥା ଜରାୟୁଜ, ଅଣ୍ଡଜ, ସ୍ବେଦଜ ଏବଂ ଉଦ୍ଭିଜ୍ଜ ଭେଦରେ ଚାରି ପ୍ରକାରର, ଏହିପରି ଭାବରେ ଯେତେ ଜଳଚର, ସ୍ଥଳଚର ତଥା ଆକାଶଚାରୀ ପ୍ରାଣୀ
ରହିଛନ୍ତି, ସମସ୍ତେ ଶୁଭ, ଅଶୁଭ ଏବଂ ମିଶ୍ରିତ କର୍ମ ଅନୁରୂପ ଫଳ
ଅଟନ୍ତି |
ସତ୍ତ୍ୱଂ ରଜସ୍ତମ ଇତି ତିସ୍ରଃ
ସୁରନୃନାରକାଃ ।
ତତ୍ରାପ୍ୟେକୈକଶୋ ରାଜନ୍ ଭିଦ୍ୟନ୍ତେ
ଗତୟସ୍ତ୍ରିଧା ।
ଯଦୈକୈକତରୋଽନ୍ୟାଭ୍ୟାଂ ସ୍ୱଭାବ
ଉପହନ୍ୟତେ ॥ ୪୧॥
ସତ୍ତ୍ବଗୁଣର ପ୍ରାଧାନ୍ୟରୁ ଦେବତା, ରଜୋଗୁଣର ପ୍ରାଧାନ୍ୟରୁ ମନୁଷ୍ୟ ଏବଂ ତମୋଗୁଣର ପ୍ରାଧାନ୍ୟରୁ ନାରକୀୟ ଯୋନି ପ୍ରାପ୍ତ
ହୋଇଥାଏ | ଏହି ଗୁଣମାନଙ୍କ ମଧ୍ୟରୁ ବି ଯେତେବେଳେ କୌଣସି ଗୋଟିଏ ଗୁଣ ଅନ୍ୟ ଦୁଇଟି ଗୁଣ ଦ୍ବାରା
ଅଭିଭୂତ ହୋଇଯାଏ, ସେତେବେଳେ ପ୍ରତ୍ୟେକ ଗତିରେ ତିନୋଟି ଭେଦ ପରିଲକ୍ଷିତ ହୋଇଥାଏ |
ସ ଏବେଦଂ ଜଗଦ୍ଧାତା ଭଗବାନ୍
ଧର୍ମରୂପଧୃକ୍ ।
ପୁଷ୍ଣାତି ସ୍ଥାପୟନ୍ ବିଶ୍ୱଂ ତିର୍ୟଙ୍
ନରସୁରାଦିଭିଃ ॥ ୪୨॥
ସେହି ଭଗବାନ ଜଗତର ଧାରଣ-ପୋଷଣ ନିମନ୍ତେ
ଧର୍ମମୟ ବିଷ୍ଣୁରୂପ ସ୍ବୀକାର କରି ଦେବତା, ମନୁଷ୍ୟ ଏବଂ ପଶୁ-ପକ୍ଷୀ ରୂପରେ ଅବତାର
ଗ୍ରହଣ କରନ୍ତି ତଥା ବିଶ୍ବର ପାଳନ-ପୋଷଣ କରନ୍ତି |
ତତଃ କାଲାଗ୍ନିରୁଦ୍ରାତ୍ମା
ଯତ୍ସୃଷ୍ଟମିଦମାତ୍ମନଃ ।
ସନ୍ନିୟଚ୍ଛତି କାଲେନ ଘନାନୀକମିବାନିଲଃ
॥ ୪୩॥
ପ୍ରଳୟ ସମୟ ଆଗତ ହେଲେ ସେହି ଭଗବାନ ହିଁ
କାଳାଗ୍ନିସ୍ବରୂପ ରୁଦ୍ର ରୂପ ଧାରଣ କରି, ବାୟୁ ମେଘମାଳାକୁ ନିଃଶେଷ କରିଦେବା ପରି, ନିଜ ନିର୍ମିତ ବିଶ୍ବକୁ ନିଜ ମଧ୍ୟରେ ଲୀନ କରିଦିଅନ୍ତି |
ଇତ୍ଥମ୍ଭାବେନ କଥିତୋ ଭଗବାନ୍ ଭଗବତ୍ତମଃ
।
ନେତ୍ଥମ୍ଭାବେନ ହି ପରଂ
ଦ୍ରଷ୍ଟୁମର୍ହନ୍ତି ସୂରୟଃ ॥ ୪୪॥
ହେ ପରୀକ୍ଷିତ ! ଅଚିନ୍ତ୍ୟ
ଐଶ୍ବର୍ଯ୍ୟରୂପ ଭଗବାନଙ୍କର ବର୍ଣ୍ଣନା ମହାତ୍ମାମାନେ ଏହିପରି ଭାବରେ କରିଥାଆନ୍ତି | କିନ୍ତୁ
ତତ୍ତ୍ବଜ୍ଞ ପୁରୁଷ ଭଗବାନଙ୍କୁ କେବଳ ଏହି ସୃଷ୍ଟି, ପାଳନ ଓ ପ୍ରଳୟ କରୁଥିବା ରୂପରେ ଦେଖିବାକୁ ଇଚ୍ଛା କରନ୍ତି ନାହିଁ; କାରଣ ବାସ୍ତବରେ ଭଗବାନ ତ ତାହାର ଉର୍ଦ୍ଧ୍ବରେ ଅଟନ୍ତି |
ନାସ୍ୟ କର୍ମଣି ଜନ୍ମାଦୌ
ପରସ୍ୟାନୁବିଧୀୟତେ ।
କର୍ତୃତ୍ୱପ୍ରତିଷେଧାର୍ଥଂ
ମାୟଯାଽଽରୋପିତଂ ହି ତତ୍ ॥ ୪୫॥
ସୃଷ୍ଟି ରଚନା ଆଦି କର୍ମର ନିରୂପଣ କରି
ପୂର୍ଣ୍ଣ ପରମାତ୍ମାଙ୍କଠାରେ କର୍ମ ବା କର୍ତ୍ତାପଣର ସମ୍ବନ୍ଧ ଆରୋପିତ କରାଯାଏ ନାହିଁ | ତାହା ତ
ମାୟାରେ ଆରୋପିତ ହୋଇଥିବା କାରଣରୁ କର୍ତ୍ତୁତ୍ବର ନିଷେଧ କରୁଥିବା ଅର୍ଥରେ ଅଟେ |
ଅୟଂ ତୁ ବ୍ରହ୍ମଣଃ କଲ୍ପଃ ସବିକଲ୍ପ
ଉଦାହୃତଃ ।
ବିଧିଃ ସାଧାରଣୋ ଯତ୍ର ସର୍ଗାଃ
ପ୍ରାକୃତବୈକୃତାଃ ॥ ୪୬॥
ଏହା ମୁଁ ବ୍ରହ୍ମାଜୀଙ୍କର ମହାକଳ୍ପର
ଅବାନ୍ତର କଳ୍ପମାନଙ୍କ ସହିତ ବର୍ଣ୍ଣନା କରିଛି | ସବୁ କଳ୍ପରେ ସୃଷ୍ଟି-କ୍ରମ ଏକ ପ୍ରକାରର ହିଁ
ରହିଥାଏ | ପାର୍ଥକ୍ୟ କେବଳ ଏତିକି ଯେ ମହାକଳ୍ପ ପ୍ରାରମ୍ଭରେ ପ୍ରକୃତିରୁ କ୍ରମଶଃ ମହତ୍ତତ୍ତ୍ବ
ଆଦିର ଉତ୍ପତ୍ତି ହୋଇଥାଏ ଏବଂ କଳ୍ପର ପ୍ରାରମ୍ଭରେ ପ୍ରାକୃତ ସୃଷ୍ଟି ତ ଯଥାବତ୍ ରହିଥାଏ, ଚରାଚର ପ୍ରାଣୀମାନଙ୍କର ବୈକୃତ ସୃଷ୍ଟି ନବୀନ ରୂପରେ ହୋଇଥାଏ |
ପରିମାଣଂ ଚ କାଲସ୍ୟ
କଲ୍ପଲକ୍ଷଣବିଗ୍ରହମ୍ ।
ଯଥା ପୁରସ୍ତାଦ୍ୱ୍ୟାଖ୍ୟାସ୍ୟେ ପାଦ୍ମଂ
କଲ୍ପମଥୋ ଶୃଣୁ ॥ ୪୭॥
ହେ ପରୀକ୍ଷିତ ! କାଳର ପରିମାଣ, କଳ୍ପ ଏବଂ ତା’ ଅନ୍ତର୍ଗତ ମନ୍ବନ୍ତରର ବର୍ଣ୍ଣନା ଆଗକୁ
କରାଯିବ | ଏବେ ତୁମେ ସାବଧାନ ସହକାରେ ପାଦ୍ମକଳ୍ପର ବର୍ଣ୍ଣନା ଶୁଣ |
ଶୌନକ ଉବାଚ
ଯଦାହ ନୋ ଭବାନ୍ ସୂତ କ୍ଷତ୍ତା
ଭାଗବତୋତ୍ତମଃ ।
ଚଚାର ତୀର୍ଥାନି ଭୁବସ୍ତ୍ୟକ୍ତ୍ୱା
ବନ୍ଧୂନ୍ ସୁଦୁସ୍ତ୍ୟଜାନ୍ ॥ ୪୮॥
ଶୌନକ ପଚାରିଲେ – ହେ ସୂତ ମହାଶୟ ! ଆପଣ
ଆମ୍ଭମାନଙ୍କୁ କହିଥିଲେ ଯେ ଭଗବାନଙ୍କର ପରମ ଭକ୍ତ ବିଦୁର ନିଜର ଅତି ଦୁସ୍ତ୍ୟଜ
କୁଟୁମ୍ବ-ପରିଜନଙ୍କୁ ତ୍ୟାଗ କରି ପୃଥିବୀର ବିଭିନ୍ନ ତୀର୍ଥମାନଙ୍କରେ ବିଚରଣ କରୁଥିଲେ |
କୁତ୍ର କୌଷାରବେସ୍ତସ୍ୟ
ସମ୍ବାଦୋଽଧ୍ୟାତ୍ମସଂଶ୍ରିତଃ ।
ଯଦ୍ୱା ସ ଭଗବାଂସ୍ତସ୍ମୈ
ପୃଷ୍ଟସ୍ତତ୍ତ୍ୱମୁବାଚ ହ ॥ ୪୯॥
ସେହି ଯାତ୍ରାରେ ତାଙ୍କର ମୈତ୍ରେୟ
ଋଷିଙ୍କ ସହିତ ଅଧ୍ୟାତ୍ମ-ତତ୍ତ୍ବ ସମ୍ବନ୍ଧୀୟ ବାର୍ତ୍ତାଳାପ କେଉଁଠାରେ ହୋଇଥିଲା ଏବଂ ତାଙ୍କ
ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୈତ୍ରେୟ ଋଷି ତାଙ୍କୁ କ’ଣ ଉପଦେଶ ଦେଇଥିଲେ ?
ବ୍ରୂହି ନସ୍ତଦିଦଂ ସୌମ୍ୟ ବିଦୁରସ୍ୟ
ବିଚେଷ୍ଟିତମ୍ ।
ବନ୍ଧୁତ୍ୟାଗନିମିତ୍ତଂ ଚ ତଥୈବାଗତବାନ୍
ପୁନଃ ॥ ୫୦॥
ହେ ସୂତଜୀ ! ଆପଣଙ୍କର ସ୍ବଭାବ ଅତ୍ୟନ୍ତ
ସୌମ୍ୟ ଅଟେ | ଆପଣ ଆମ୍ଭମାନଙ୍କୁ ବିଦୁରଙ୍କର ଚରିତ୍ର ଶୁଣାନ୍ତୁ | ସେ ନିଜର ଭାଇ-ବନ୍ଧୁଙ୍କୁ
କାହିଁକି ତ୍ୟାଗ କରିଥିଲେ ଏବଂ ପୁନର୍ବାର ସେମାନଙ୍କ ପାଖକୁ କାହିଁକି ଫେରି ଆସିଥିଲେ ?
ସୂତ ଉବାଚ
ରାଜ୍ଞା ପରୀକ୍ଷିତା ପୃଷ୍ଟୋ
ଯଦବୋଚନ୍ମହାମୁନିଃ ।
ତଦ୍ୱୋଽଭିଧାସ୍ୟେ ଶୃଣୁତ ରାଜ୍ଞଃ
ପ୍ରଶ୍ନାନୁସାରତଃ ॥ ୫୧॥
ସୂତ ମୁନି କହିଲେ – ହେ ଶୌନକାଦି ଋଷିଗଣ
! ଏହି ପ୍ରଶ୍ନ ରାଜା ପରୀକ୍ଷିତ ମଧ୍ୟ ପଚାରି ଥିଲେ | ତାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ
ଶୁକଦେବମୁନି ଯାହା କହିଥିଲେ, ତାହା ମୁଁ ଆପଣମାନଙ୍କୁ କହୁଛି |
ସାବଧାନତା ପୂର୍ବକ ଶ୍ରବଣ କରନ୍ତୁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ
ବୈୟାସକ୍ୟାମଷ୍ଟାଦଶସାହସ୍ର୍ୟାଂ ପାରମହଂସ୍ୟାଂ
ସଂହିତାୟାଂ ଦ୍ୱିତୀୟସ୍କନ୍ଧେ
ପୁରୁଷସଂସ୍ଥାନୁବର୍ଣନଂ ନାମ ଦଶମୋଽଧ୍ୟାୟଃ ॥ ୧୦॥
॥ ଇତି
ଦ୍ୱିତୀୟସ୍କନ୍ଧଃ ସମାପ୍ତଃ ॥

Comments
Post a Comment