ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ

ଦ୍ବିତୀୟ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ସୃଷ୍ଟି-ବର୍ଣ୍ଣନ

 

ନାରଦ ଉବାଚ

ଦେବଦେବ ନମସ୍ତେଽସ୍ତୁ ଭୂତଭାବନ ପୂର୍ୱଜ ।

ତଦ୍ୱିଜାନୀହି ଯଜ୍ଜ୍ଞାନମାତ୍ମତତ୍ତ୍ୱନିଦର୍ଶନମ୍ ॥ ୧॥

ନାରଦ ପଚାରିଲେ – ପିତାଜୀ ! ଆପଣ କେବଳ ମୋର ହିଁ ନୁହଁନ୍ତି, ସମସ୍ତଙ୍କର ପିତା ଅଟନ୍ତି; ସମସ୍ତ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଆପଣ ସୃଷ୍ଟିକର୍ତ୍ତା ଅଟନ୍ତି | ଆପଣଙ୍କୁ ମୋର ପ୍ରଣାମ | ଆପଣ ମୋତେ ସେହି ଜ୍ଞାନ ପ୍ରଦାନ କରନ୍ତୁ ଯଦ୍ବାରା ଆତ୍ମତତ୍ତ୍ବର ସାକ୍ଷାତକାର ହୋଇଥାଏ |

ଯଦ୍ରୂପଂ ଯଦଧିଷ୍ଠାନଂ ଯତଃ ସୃଷ୍ଟମିଦଂ ପ୍ରଭୋ ।

ଯତ୍ସଂସ୍ଥଂ ଯତ୍ପରଂ ଯଚ୍ଚ ତତ୍ତତ୍ତ୍ୱଂ ବଦ ତତ୍ତ୍ୱତଃ ॥ ୨॥

ପିତାଜୀ ! ଏହି ସଂସାରର ଲକ୍ଷଣ କଣ ? ଏହାର ଆଧାର କଣ ? ଏହାକୁ କିଏ ନିର୍ମାଣ କରିଛି ? ଏହାର ପ୍ରଳୟ କେଉଁଠାରେ ହୁଏ ? ଏହା କାହାର ଅଧୀନସ୍ତ ଅଟେ ? ବାସ୍ତବରେ ଏହା କେଉଁ ପ୍ରକାରର ବସ୍ତୁ ଅଟେ? ଏହି ସବୁ ତତ୍ତ୍ବର ବର୍ଣ୍ଣନା କରନ୍ତୁ |

ସର୍ୱଂ ହ୍ୟେତଦ୍ଭବାନ୍ ବେଦ ଭୂତଭବ୍ୟଭବତ୍ପ୍ରଭୁଃ ।

କରାମଲକବଦ୍ୱିଶ୍ୱଂ ବିଜ୍ଞାନାବସିତଂ ତବ ॥ ୩॥

ଆପଣ ତ ସବୁ କିଛି ଜାଣନ୍ତି;  ଯାହା କିଛି ହୋଇସାରିଛି, ହେଉଛି ଏବଂ ହେବ, ସେହି ସବୁର ସ୍ବାମୀ ଆପଣ ଅଟନ୍ତି | ଏହି ସାରା ସଂସାର ହାତ ପାପୁଲିରେ ଧାରଣ କରିଥିବା ଅଁଳାକୋଳି ପରି ଆପଣଙ୍କ ଜ୍ଞାନ-ଦୃଷ୍ଟି ଅନ୍ତର୍ଗତ ହିଁ ଅଟେ |

ଯଦ୍ୱିଜ୍ଞାନୋ ଯଦାଧାରୋ ଯତ୍ପରସ୍ତ୍ୱଂ ଯଦାତ୍ମକଃ ।

ଏକଃ ସୃଜସି ଭୂତାନି ଭୂତୈରେବାତ୍ମମାୟଯା ॥ ୪॥

ପିତାଜୀ ! ଆପଣଙ୍କୁ ଏହି ଜ୍ଞାନ କେଉଁଠାରୁ ମିଳିଛି ? ଆପଣ କାହା ଆଧାରରେ ସ୍ଥିତ ଅଟନ୍ତି ? ଆପଣଙ୍କର ସ୍ବାମୀ କିଏ ? ଆପଣଙ୍କର ସ୍ବରୂପ କଣ ? ଆପଣ ଏକାକୀ ହିଁ ନିଜ ମାୟାରେ ପଞ୍ଚଭୂତ ଦ୍ବାରା ପ୍ରାଣୀମାନଙ୍କୁ ସୃଷ୍ଟି କରିଥାଆନ୍ତି, ଏହା କେତେ ଅଦ୍ଭୁତ ଅଟେ |

ଆତ୍ମନ୍ ଭାବୟସେ ତାନି ନ ପରାଭାବୟନ୍ ସ୍ୱୟମ୍ ।

ଆତ୍ମଶକ୍ତିମବଷ୍ଟଭ୍ୟ ଊର୍ଣନାଭିରିବାକ୍ଲମଃ ॥ ୫॥

ବୁଢ଼ିଆଣୀ ଅନାୟାସ ନିଜ ମୁହଁରୁ ଜାଲ କାଢି ନିଜେ ତା ଉପରେ ବିଚରଣ କରିବା ପରି ଆପଣ ନିଜ ଶକ୍ତିକୁ ଆଶ୍ରୟ କରି ଜୀବକୁ ନିଜ ଭିତରୁ ଉତ୍ପନ୍ନ କରନ୍ତି, ତଥାପି ଆପଣଙ୍କଠାରେ କୌଣସି ବିକାର ନ ଥାଏ |

ନାହଂ ବେଦ ପରଂ ହ୍ୟସ୍ମିନ୍ ନାପରଂ ନ ସମଂ ବିଭୋ ।

ମରୂପଗୁଣୈର୍ଭାବ୍ୟଂ ସଦସତ୍କିଞ୍ଚିଦନ୍ୟତଃ ॥ ୬॥

ଜଗତରେ ନାମ, ରୂପ ଓ ଗୁଣ ଦ୍ବାରା ଯାହା ସବୁ ଜ୍ଞାତ, ତନ୍ମଧ୍ୟରେ ଏପରି କୌଣସି ସତ୍, ଅସତ୍, ଉତ୍ତମ, ମଧ୍ୟମ ବା ଅଧମ ପଦାର୍ଥ ନାହିଁ, ଯାହା ଆପଣଙ୍କ ଅତିରିକ୍ତ ଅନ୍ୟ କାହାଠାରୁ ଉତ୍ପନ୍ନ ହୋଇଛି |

ସ ଭବାନଚରଦ୍ଘୋରଂ ଯତ୍ତପଃ ସୁସମାହିତଃ ।

ତେନ ଖେଦୟସେ ନସ୍ତ୍ୱଂ ପରାଶଙ୍କାଂ ପ୍ରୟଚ୍ଛସି ॥ ୭॥

ଏହିରୂପେ ସମସ୍ତଙ୍କର ଈଶ୍ବର ହୋଇ ମଧ୍ୟ ଆପଣ ଏକାଗ୍ର ଚିତ୍ତରେ ଘୋର ତପସ୍ୟା କରିଥିଲେ – ଏହି ବିଷୟକୁ ନେଇ ମୋହ ସହିତ ମୋ ମନରେ ବହୁତ ବଡ ଶଙ୍କା ମଧ୍ୟ ଉତ୍ପନ୍ନ ହେଉଛି ଯେ ଆପଣଙ୍କଠାରୁ ବଡ ଆଉ କିଏ ଅଛନ୍ତି କି ?

ଏତନ୍ମେ ପୃଚ୍ଛତଃ ସର୍ୱଂ ସର୍ୱଜ୍ଞ ସକଲେଶ୍ୱର ।

ବିଜାନୀହି ଯଥୈବେଦମହଂ ବୁଧ୍ୟେଽନୁଶାସିତଃ ॥ ୮॥

ପିତାଜୀ ! ଆପଣ ସର୍ବଜ୍ଞ ଏବଂ ସର୍ବେଶ୍ବର ଅଟନ୍ତି | ମୁଁ ଯାହା ପଚାରୁଛି, ଆପଣ କୃପା କରି ତାହା ମୋତେ ଏପରି ଭାବରେ ବୁଝାଇ କହନ୍ତୁ ଯେପରି କି ଆପଣଙ୍କର ଉପଦେଶକୁ ମୁଁ ଠିକ୍ ଠିକ୍ ବୁଝିପାରିବି |

ବ୍ରହ୍ମୋବାଚ

ସମ୍ୟକ୍କାରୁଣିକସ୍ୟେଦଂ ବତ୍ସ ତେ ବିଚିକିତ୍ସିତମ୍ ।

ଯଦହଂ ଚୋଦିତଃ ସୌମ୍ୟ ଭଗବଦ୍ୱୀର୍ୟଦର୍ଶନେ ॥ ୯॥

ବ୍ରହ୍ମା କହିଲେ – ପୁତ୍ର ନାରଦ ! ଜୀବ ପ୍ରତି କରୁଣା ଭାବଯୁକ୍ତ ହୋଇ ତୁମେ ବହୁତ ସୁନ୍ଦର ପ୍ରଶ୍ନ ପଚାରିଛ; କାରଣ ଏହାଦ୍ବାରା ଭଗବାନଙ୍କ ଗୁଣର ବର୍ଣ୍ଣନା କରିବାର ପ୍ରେରଣା ମୋତେ ପ୍ରାପ୍ତ ହୋଇଛି |

ନାନୃତଂ ତବ ତଚ୍ଚାପି ଯଥା ମାଂ ପ୍ରବ୍ରବୀଷି ଭୋଃ ।

ଅବିଜ୍ଞାୟ ପରଂ ମତ୍ତ ଏତାବତ୍ତ୍ୱଂ ଯତୋ ହି ମେ ॥ ୧୦॥

ତୁମେ ମୋ ବିଷୟରେ ଯାହା ସବୁ କହିଲ, ତୁମର ସେହି କଥନ ମଧ୍ୟ ଅସତ୍ୟ ନୁହେଁ; କାରଣ ଯେପର୍ଯ୍ୟନ୍ତ ତୁମେ ମୋ ଠାରୁ ଉର୍ଦ୍ଧ୍ବରେ ଥିବା ତତ୍ତ୍ବ, ଯିଏ କି ସ୍ବୟଂ ଭଗବାନ ଅଟନ୍ତି, ତାଙ୍କୁ ନ ଜାଣିଛ, ସେପର୍ଯ୍ୟନ୍ତ ସବୁକିଛି ମୋର ପ୍ରଭାବ ପରି ପ୍ରତୀତ ହୋଇଥାଏ |

ଯେନ ସ୍ୱରୋଚିଷା ବିଶ୍ୱଂ ରୋଚିତଂ ରୋଚୟାମ୍ୟହମ୍ ।

ଯଥାର୍କୋଽଗ୍ନିର୍ୟଥା ସୋମୋ ଯଥର୍କ୍ଷଗ୍ରହତାରକାଃ ॥ ୧୧॥

ଯେପରି ସୂର୍ଯ୍ୟ, ଅଗ୍ନି, ଚନ୍ଦ୍ରମା, ଗ୍ରହ, ନକ୍ଷତ୍ର ଏବଂ ତାରା ତାଙ୍କ ପ୍ରକାଶରେ ପ୍ରକାଶିତ ହୋଇ ଜଗତରେ ପ୍ରକାଶ ପରିବ୍ୟାପ୍ତ କରିଥାଆନ୍ତି, ସେହିପରି ମୁଁ ମଧ୍ୟ ସେହି ସ୍ବୟଂପ୍ରକାଶ ଭଗବାନଙ୍କର ଚିନ୍ମୟ ପ୍ରକାଶରେ ପ୍ରକାଶିତ ହୋଇ ସଂସାରକୁ ପ୍ରକାଶିତ କରୁଛି |

ତସ୍ମୈ ନମୋ ଭଗବତେ ବାସୁଦେବାୟ ଧୀମହି ।

ଯନ୍ମାୟଯା ଦୁର୍ଜୟଯା ମାଂ ବ୍ରୁବନ୍ତି ଜଗଦ୍ଗୁରୁମ୍ ॥ ୧୨॥

ସେହି ବାସୁଦେବ ଭଗବାନଙ୍କର ମୁଁ ବନ୍ଦନା କରୁଛି ଏବଂ ଧ୍ୟାନ ମଧ୍ୟ କରୁଛି, ଯାହାର ଦୁର୍ଜୟ ମାୟାରେ ମୋହିତ ହୋଇ ଲୋକେ ମୋତେ ଜଗଦଗୁରୁ କହନ୍ତି |

ବିଲଜ୍ଜମାନୟା ଯସ୍ୟ ସ୍ଥାତୁମୀକ୍ଷାପଥେଽମୁୟା ।

ବିମୋହିତା ବିକତ୍ଥନ୍ତେ ମମାହମିତି ଦୁର୍ଧିୟଃ ॥ ୧୩॥

ଏହି ମାୟା ତ ତାଙ୍କର ଦୃଷ୍ଟି ସମ୍ମୁଖରେ ରହିପାରେ ନାହିଁ; ଲଜ୍ଜାବଶତଃ ଲମ୍ପ ମାରି ଦୂରକୁ ଚାଲିଯାଏ | କିନ୍ତୁ ସଂସାରର ଅଜ୍ଞାନୀ ମନୁଷ୍ୟ ତାହା ଦ୍ବାରା ମୋହିତ ହୋଇ ‘ଏହା ମୁଁ ଅଟେ, ଏହା ମୋର ଅଟେ ଏହିପରି ପ୍ରଳାପ କରିବାରେ ଲାଗିଥାଆନ୍ତି |

ଦ୍ରବ୍ୟଂ କର୍ମ ଚ କାଲଶ୍ଚ ସ୍ୱଭାବୋ ଜୀବ ଏବ ଚ ।

ବାସୁଦେବାତ୍ପରୋ ବ୍ରହ୍ମନ୍ ନ ଚାନ୍ୟୋଽର୍ଥୋଽସ୍ତି ତତ୍ତ୍ୱତଃ ॥ ୧୪॥

ହେ ଭଗବତ୍-ସ୍ବରୂପ ନାରଦ ! ଦ୍ରବ୍ୟ, କର୍ମ, କାଳ, ସ୍ବଭାବ ଏବଂ ଜୀବ – ବାସ୍ତବରେ ଭଗବାନଙ୍କଠାରୁ ପୃଥକ୍ ଅନ୍ୟ କୌଣସି ବି ବସ୍ତୁ ନାହିଁ |

ନାରାୟଣପରା ବେଦା ଦେବା ନାରାୟଣାଙ୍ଗଜାଃ ।

ନାରାୟଣପରା ଲୋକା ନାରାୟଣପରା ମଖାଃ ॥ ୧୫॥

ବେଦ ନାରାୟଣ ପରାୟଣ ଅଟେ | ଦେବତାମାନେ ନାରାୟଣଙ୍କ ଅଙ୍ଗରେ ହିଁ କଳ୍ପିତ ଅଟନ୍ତି | ସମସ୍ତ ଯଜ୍ଞର ଉଦ୍ଦେଶ୍ୟ ନାରାୟଣଙ୍କର ପ୍ରସନ୍ନତା ହିଁ ଅଟେ ତଥା ତଦ୍ବାରା ଯେଉଁ ଲୋକର ପ୍ରାପ୍ତି ହୋଇଥାଏ, ସେହି ସବୁ ଲୋକ ମଧ୍ୟ ନାରାୟଣଙ୍କଠାରେ କଳ୍ପିତ ଅଟନ୍ତି |

ନାରାୟଣପରୋ ଯୋଗୋ ନାରାୟଣପରଂ ତପଃ ।

ନାରାୟଣପରଂ ଜ୍ଞାନଂ ନାରାୟଣପରା ଗତିଃ ॥ ୧୬॥

ସବୁ ପ୍ରକାର ଯୋଗର ଉଦ୍ଦେଶ୍ୟ ନାରାୟଣଙ୍କର ପ୍ରାପ୍ତି ହିଁ ଅଟେ | ସମସ୍ତ ତପସ୍ୟା ନାରାୟଣଙ୍କ ପ୍ରତି ହିଁ ଲକ୍ଷିତ | ଜ୍ଞାନ ଦ୍ବାରା ମଧ୍ୟ ନାରାୟଣଙ୍କର ଜ୍ଞାନ ହିଁ ପ୍ରାପ୍ତ ହୋଇଥାଏ | ସମସ୍ତ ସାଧ୍ୟ-ସାଧନର ପର୍ଯ୍ୟାବସାନ ଭଗବାନ ନାରାୟଣଙ୍କଠାରେ ହିଁ ହୋଇଥାଏ |

ତସ୍ୟାପି ଦ୍ରଷ୍ଟୁରୀଶସ୍ୟ କୂଟସ୍ଥସ୍ୟାଖିଲାତ୍ମନଃ ।

ସୃଜ୍ୟଂ ସୃଜାମି ସୃଷ୍ଟୋଽହମୀକ୍ଷୟୈବାଭିଚୋଦିତଃ ॥ ୧୭॥

ସେ ଦ୍ରଷ୍ଟା ହୋଇ ମଧ୍ୟ ଈଶ୍ବର ଅଟନ୍ତି, ସ୍ବାମୀ ଅଟନ୍ତି; ନିର୍ବିକାର ହୋଇ ମଧ୍ୟ ସର୍ବସ୍ବରୂପ ଅଟନ୍ତି | ସେ ହିଁ ମୋତେ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ଦୃଷ୍ଟିରେ ପ୍ରେରିତ ହୋଇ ତାଙ୍କ ଇଚ୍ଛା ଅନୁସାରେ ମୁଁ ସୃଷ୍ଟି-ରଚନା କରିଥାଏ |

ସତ୍ତ୍ୱଂ ରଜସ୍ତମ ଇତି ନିର୍ଗୁଣସ୍ୟ ଗୁଣାସ୍ତ୍ରୟଃ ।

ସ୍ଥିତିସର୍ଗନିରୋଧେଷୁ ଗୃହୀତା ମାୟଯା ବିଭୋଃ ॥ ୧୮॥

ଭଗବାନ ମାୟା-ଗୁଣରହିତ ଅନନ୍ତ ଅଟନ୍ତି | ସୃଷ୍ଟି, ସ୍ଥିତି, ପ୍ରଳୟ ହେତୁ ସତ୍ତ୍ବଗୁଣ, ରଜୋଗୁଣ ଏବଂ ତମୋଗୁଣ – ମାୟାର ଏହି ତିନିଗୁଣ ତାଙ୍କ ଦ୍ବାରା ସ୍ବୀକୃତ |

କାର୍ୟକାରଣକର୍ତୃତ୍ୱେ ଦ୍ରବ୍ୟଜ୍ଞାନକ୍ରିୟାଶ୍ରୟାଃ ।

ବଧ୍ନନ୍ତି ନିତ୍ୟଦା ମୁକ୍ତଂ ମାୟିନଂ ପୁରୁଷଂ ଗୁଣାଃ ॥ ୧୯॥

ଏହି ତିନି ଗୁଣ ହିଁ ଦ୍ରବ୍ୟ, ଜ୍ଞାନ ଓ କ୍ରିୟାର ଆଶ୍ରୟ ଗ୍ରହଣ କରି ମାୟାତୀତ ନିତ୍ୟମୁକ୍ତ ପୁରୁଷଙ୍କୁ ମାୟାରେ ସ୍ଥିତ ରହିବା ପରି କାର୍ଯ୍ୟ, କାରଣ ଓ କର୍ତ୍ତାପଣର ଅଭିମାନରେ ବାନ୍ଧି ନେଇଥାଏ |

ସ ଏଷ ଭଗବାଂଲ୍ଲିଙ୍ଗୈସ୍ତ୍ରିଭିରେଭିରଧୋକ୍ଷଜଃ ।

ସ୍ୱଲକ୍ଷିତଗତିର୍ବ୍ରହ୍ମନ୍ ସର୍ୱେଷାଂ ମମ ଚେଶ୍ୱରଃ ॥ ୨୦॥

ହେ ନାରଦ ! ଗୁଣର ଏହି ତିନୋଟି ଆବରଣରେ ଭଗବାନ ନିଜ ସ୍ଵରୂପକୁ ପୂର୍ଣ୍ଣତଃ ଆବୃତ କରି ରଖିଥାଆନ୍ତି; ସେଥିପାଇଁ ସାଧାରଣ ମନୁଷ୍ୟ ତାଙ୍କୁ ଜାଣିପାରନ୍ତି ନାହିଁ | ସାରା ସଂସାରର ଏବଂ ମୋର ମଧ୍ୟ ଏକମାତ୍ର ସ୍ବାମୀ ସେ ହିଁ ଅଟନ୍ତି |

କାଲଂ କର୍ମ ସ୍ୱଭାବଂ ଚ ମାୟେଶୋ ମାୟଯା ସ୍ୱୟା ।

ଆତ୍ମନ୍ ଯଦୃଚ୍ଛୟା ପ୍ରାପ୍ତଂ ବିବୁଭୂଷୁରୁପାଦଦେ ॥ ୨୧॥

ମାୟାପତି ଭଗବାନ ଏକରୁ ଅନେକ ହେବାର ଇଚ୍ଛାରେ ନିଜ ମାୟାରେ ନିଜ ସ୍ବରୂପରେ ସ୍ବୟଂ ପ୍ରାପ୍ତ କାଳ, କର୍ମ ଏବଂ ସ୍ବଭାବକୁ ସ୍ବୀକାର କରିନେଲେ |

କାଲାଦ୍ଗୁଣବ୍ୟତିକରଃ ପରିଣାମଃ ସ୍ୱଭାବତଃ ।

କର୍ମଣୋ ଜନ୍ମ ମହତଃ ପୁରୁଷାଧିଷ୍ଠିତାଦଭୂତ୍ ॥ ୨୨॥

ଭଗବାନଙ୍କ ଶକ୍ତିରେ ହିଁ କାଳ ତ୍ରିଗୁଣରେ କ୍ଷୋଭ ଉତ୍ପନ୍ନ କଲା, ସ୍ବଭାବ ସେମାନଙ୍କୁ ରୂପାନ୍ତରିତ କରିଦେଲା ଏବଂ କର୍ମ ମହତ୍-ତତ୍ତ୍ବକୁ ଜନ୍ମ ଦେଲା |

ମହତସ୍ତୁ ବିକୁର୍ୱାଣାଦ୍ରଜଃସତ୍ତ୍ୱୋପବୃଂହିତାତ୍ ।

ତମଃପ୍ରଧାନସ୍ତ୍ୱଭବଦ୍ଦ୍ରବ୍ୟଜ୍ଞାନକ୍ରିୟାତ୍ମକଃ ॥ ୨୩॥

ରଜୋଗୁଣ ଏବଂ ସତ୍ତ୍ବଗୁଣ ବୃଦ୍ଧି ହେବା ଯୋଗୁଁ ମହତ୍-ତତ୍ତ୍ବରେ ଯେଉଁ ବିକାର ଜାତ ହେଲା, ତହିଁରୁ ଜ୍ଞାନ, କ୍ରିୟା ଏବଂ ଦ୍ରବ୍ୟରୂପ ତମଃପ୍ରଧାନ ବିକାର ଉତ୍ପନ୍ନ ହେଲା |

ସୋଽହଙ୍କାର ଇତି ପ୍ରୋକ୍ତୋ ବିକୁର୍ୱନ୍ ସମଭୂତ୍ତ୍ରିଧା ।

ବୈକାରିକସ୍ତୈଜସଶ୍ଚ ତାମସଶ୍ଚେତି ଯଦ୍ଭିଦା ।

ଦ୍ରବ୍ୟଶକ୍ତିଃ କ୍ରିୟାଶକ୍ତିର୍ଜ୍ଞାନଶକ୍ତିରିତି ପ୍ରଭୋ ॥ ୨୪॥

ତାହା ଅହଂକାର ବୋଲାଇଲା ଏବଂ ବିକାର ପ୍ରାପ୍ତ ହୋଇ ତାହା ତିନି ପ୍ରକାରରେ ବିଭକ୍ତ ହୋଇଗଲା – ବୈକାରିକ, ତୈଜସ୍, ଏବଂ ତାମସ | ସେମାନେ କ୍ରମଶଃ ଜ୍ଞାନଶକ୍ତି, କ୍ରିୟାଶକ୍ତି, ଏବଂ ଦ୍ରବ୍ୟଶକ୍ତିପ୍ରଧାନ ଅଟନ୍ତି |

ତାମସାଦପି ଭୂତାଦେର୍ୱିକୁର୍ୱାଣାଦଭୂନ୍ନଭଃ ।

ତସ୍ୟ ମାତ୍ରା ଗୁଣଃ ଶବ୍ଦୋ ଲିଙ୍ଗଂ ଯଦ୍ଦ୍ରଷ୍ଟୃଦୃଶ୍ୟଯୋଃ ॥ ୨୫॥

ପଞ୍ଚମହାଭୂତର କାରଣରୂପ ତାମସ ଅହଂକାରରେ ବିକାର ଜାତ ହେବା ଫଳରେ ତହିଁରୁ ଆକାଶ ଉତ୍ପତ୍ତି ଲାଭ କଲା | ଆକାଶର ତନ୍ମାତ୍ରା ଏବଂ ଗୁଣ ଶବ୍ଦ ଅଟେ | ଏହି ଶବ୍ଦ ଦ୍ବାରା ହିଁ ଦ୍ରଷ୍ଟା ଓ ଦୃଶ୍ୟର ବୋଧ ହୋଇଥାଏ |

ନଭସୋଽଥ ବିକୁର୍ୱାଣାଦଭୂତ୍ସ୍ପର୍ଶଗୁଣୋଽନିଲଃ ।

ପରାନ୍ୱୟାଚ୍ଛବ୍ଦବାଂଶ୍ଚ ପ୍ରାଣ ଓଜଃ ସହୋ ବଲମ୍ ॥ ୨୬॥

ଆକାଶରେ ବିକାର ଜାତ ହୋଇ ତହିଁରୁ ବାୟୁର ଉତ୍ପତ୍ତି ହେଲା, ଏହାର ଗୁଣ ସ୍ପର୍ଶ ଅଟେ | ନିଜ କାରଣର ଗୁଣ ଏଥିରେ ରହିଥିବାରୁ ଏହା ଶବ୍ଦଯୁକ୍ତ ମଧ୍ୟ ଅଟେ | ଇନ୍ଦ୍ରିୟମାନଙ୍କରେ ସ୍ଫୁର୍ତ୍ତି, ଶରୀରରେ ଜୀବନୀଶକ୍ତି, ଓଜ ଏବଂ ବଳ ଏହାର ରୂପ ଅଟେ |

ବାୟୋରପି ବିକୁର୍ୱାଣାତ୍କାଲକର୍ମସ୍ୱଭାବତଃ ।

ଉଦପଦ୍ୟତ ତେଜୋ ବୈ ରୂପବତ୍ସ୍ପର୍ଶଶବ୍ଦବତ୍ ॥ ୨୭॥

କାଳ, କର୍ମ ଏବଂ ସ୍ବଭାବ ଦ୍ବାରା ବାୟୁରେ ମଧ୍ୟ ବିକାର ଜାତ ହୁଏ, ଯହିଁରୁ ତେଜ ଉତ୍ପତ୍ତି ଲାଭ କରେ | ଏହାର ପ୍ରଧାନ ଗୁଣ ରୂପ ଅଟେ | ତା ସହିତ ଏହାର କାରଣ ଆକାଶ ଏବଂ ବାୟୁର ଗୁଣ ଶବ୍ଦ ଏବଂ ସ୍ପର୍ଶ ମଧ୍ୟ ଏଥିରେ ରହିଥାଏ |

ତେଜସସ୍ତୁ ବିକୁର୍ୱାଣାଦାସୀଦମ୍ଭୋ ରସାତ୍ମକମ୍ ।

ରୂପବତ୍ସ୍ପର୍ଶବଚ୍ଚାମ୍ଭୋ ଘୋଷବଚ୍ଚ ପରାନ୍ୱୟାତ୍ ॥ ୨୮॥

ତେଜ ବିକାର ପ୍ରାପ୍ତ ହୋଇ ଜଳର ଉତ୍ପତ୍ତି ହେଲା | ଏହାର ଗୁଣ ରସ ଅଟେ; କାରଣ-ତତ୍ତ୍ବର ଗୁଣ ଶବ୍ଦ, ସ୍ପର୍ଶ ଏବଂ ରୂପ ମଧ୍ୟ ଏଥିରେ ରହିଥାଏ |

ବିଶେଷସ୍ତୁ ବିକୁର୍ୱାଣାଦମ୍ଭସୋ ଗନ୍ଧବାନଭୂତ୍ ।

ପରାନ୍ୱୟାଦ୍ରସସ୍ପର୍ଶଶବ୍ଦରୂପଗୁଣାନ୍ୱିତଃ ॥ ୨୯॥

ଜଳର ବିକାରରୁ ପୃଥିବୀର ଉତ୍ପତ୍ତି ହେଲା, ଯାହାର ଗୁଣ ଗନ୍ଧ ଅଟେ | କାରଣର ଗୁଣ କାର୍ଯ୍ୟରେ ଆସିଥାଏ – ଏହି ନ୍ୟାୟରେ ଶବ୍ଦ, ସ୍ପର୍ଶ, ରୂପ, ରସ – ଏହି ଚାରି ଗୁଣ ମଧ୍ୟ ଏଥିରେ ବିଦ୍ୟମାନ ଅଟେ |

ବୈକାରିକାନ୍ମନୋ ଜଜ୍ଞେ ଦେବା ବୈକାରିକା ଦଶ ।

ଦିଗ୍ୱାତାର୍କପ୍ରଚେତୋଽଶ୍ୱିବହ୍ନୀନ୍ଦ୍ରୋପେନ୍ଦ୍ରମିତ୍ରକାଃ ॥ ୩୦॥

ବୈକାରିକ ଅହଂକାରରୁ ମନ ଏବଂ ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତୃ ଦେବତାମାନଙ୍କର ଉତ୍ପତ୍ତି ହେଲା | ସେମାନଙ୍କର ନାମ – ଦିଶା, ବାୟୁ, ସୂର୍ଯ୍ୟ, ବରୁଣ, ଅଶ୍ବିନୀକୁମାର, ଅଗ୍ନି, ଇନ୍ଦ୍ର, ବିଷ୍ଣୁ, ମିତ୍ର ଏବଂ ପ୍ରଜାପତି |

ତୈଜସାତ୍ତୁ ବିକୁର୍ୱାଣାଦିନ୍ଦ୍ରିୟାଣି ଦଶାଭବନ୍ ।

ଜ୍ଞାନଶକ୍ତିଃ କ୍ରିୟାଶକ୍ତିର୍ବୁଦ୍ଧିଃ ପ୍ରାଣଶ୍ଚ ତୈଜସୌ ।

ଶ୍ରୋତ୍ରଂ ତ୍ୱଗ୍ଘ୍ରାଣଦୃଗ୍ଜିହ୍ୱା ବାଗ୍ଦୋର୍ମେଢ୍ରାଙ୍ଘ୍ରିପାୟବଃ ॥ ୩୧॥

ତୈଜସ୍ ଅହଂକାରର ବିକାରରୁ ଶ୍ରୋତ୍ର, ତ୍ବଚା, ନେତ୍ର, ଜିହ୍ବା ଓ ଘ୍ରାଣ – ଏହି ପଞ୍ଚ ଜ୍ଞାନେନ୍ଦ୍ରିୟ ଏବଂ ବାକ୍, ହସ୍ତ, ପାଦ, ଗୁଦା ଓ ଜନନେନ୍ଦ୍ରିୟ – ଏହି ପଞ୍ଚ କର୍ମେନ୍ଦ୍ରିୟ ଉତ୍ପନ୍ନ ହେଲେ | ତା ସହିତ ଜ୍ଞାନଶକ୍ତିରୂପ ବୁଦ୍ଧି ଏବଂ କ୍ରିୟାଶକ୍ତିରୂପ ପ୍ରାଣ ମଧ୍ୟ ଏହି ତୈଜସ୍ ଅହଂକାରରୁ ଉତ୍ପନ୍ନ ହୋଇଥାଆନ୍ତି |

ଯଦୈତେଽସଙ୍ଗତା ଭାବା ଭୂତେନ୍ଦ୍ରିୟମନୋଗୁଣାଃ ।

ଯଦାୟତନନିର୍ମାଣେ ନ ଶେକୁର୍ବ୍ରହ୍ମବିତ୍ତମ ॥ ୩୨॥

ହେ ଶ୍ରେଷ୍ଠ ବ୍ରହ୍ମବିତ୍ ! ଯେଉଁ ସମୟରେ ଏହି ପଞ୍ଚଭୂତ, ଇନ୍ଦ୍ରିୟ, ମନ, ଏବଂ ସତ୍ତ୍ବ ଆଦି ତ୍ରିଗୁଣ ପରସ୍ପର ସଂଗଠିତ ନ ଥିଲେ, ସେହି ସମୟରେ ସେମାନେ ନିଜେ ରହିବା ପାଇଁ ଏହି ଭୋଗରୂପ ଶରୀର ରଚନା କରିପାରି ନ ଥିଲେ |

ତଦା ସଂହତ୍ୟ ଚାନ୍ୟୋନ୍ୟଂ ଭଗବଚ୍ଛକ୍ତିଚୋଦିତାଃ ।

ସଦସତ୍ତ୍ୱମୁପାଦାୟ ଚୋଭୟଂ ସସୃଜୁର୍ହ୍ୟଦଃ ॥ ୩୩॥

ଭଗବାନ ଯେତେବେଳେ ସେମାନଙ୍କୁ ନିଜ ଶକ୍ତିରେ ପ୍ରେରିତ କଲେ, ସେତେବେଳେ ସେହି ସବୁ ତତ୍ତ୍ବ ପରସ୍ପର ମିଳିତ ହେଲେ ଏବଂ ପରସ୍ପର ମଧ୍ୟରେ କାର୍ଯ୍ୟ-କାରଣଭାବ ସ୍ବୀକାର କରି ବ୍ୟଷ୍ଟି-ସମଷ୍ଟିରୂପ ଉଭୟ ପିଣ୍ଡ ଓ ବ୍ରହ୍ମାଣ୍ଡର ରଚନା କଲେ |

ବର୍ଷପୂଗସହସ୍ରାନ୍ତେ ତଦଣ୍ଡମୁଦକେଶୟମ୍ ।

କାଲକର୍ମସ୍ୱଭାବସ୍ଥୋ ଜୀବୋଽଜୀବମଜୀବୟତ୍ ॥ ୩୪॥

ସେହି ବ୍ରହ୍ମାଣ୍ଡରୂପ ଅଣ୍ଡା ଏକ ସହସ୍ର ବର୍ଷଯାଏଁ ନିର୍ଜୀବରୂପରେ ଜଳରେ ପଡି ରହିଲା | ତାପରେ କାଳ, କର୍ମ ଏବଂ ସ୍ବଭାବ ସ୍ବୀକାର କରିଥିବା ଭଗବାନ ତାହାକୁ ଜୀବିତ କଲେ |

ସ ଏବ ପୁରୁଷସ୍ତସ୍ମାଦଣ୍ଡଂ ନିର୍ଭିଦ୍ୟ ନିର୍ଗତଃ ।

ସହସ୍ରୋର୍ୱଙ୍ଘ୍ରିବାହ୍ୱକ୍ଷଃ ସହସ୍ରାନନଶୀର୍ଷବାନ୍ ॥ ୩୫॥

ସେହି ଅଣ୍ଡାକୁ ଫଟାଇ ତନ୍ମଧ୍ୟରୁ ସେହି ବିରାଟ ପୁରୁଷଙ୍କର ଆବିର୍ଭାବ ହେଲା, ଯାହାର ଜାନୁ, ଚରଣ, ଭୁଜ, ନେତ୍ର, ମୁଖ ଏବଂ ମସ୍ତକ ସହସ୍ର ସଂଖ୍ୟାର ଥିଲା |

ଯସ୍ୟେହାବୟବୈର୍ଲୋକାନ୍ କଲ୍ପୟନ୍ତି ମନୀଷିଣଃ ।

କଟ୍ୟାଦିଭିରଧଃ ସପ୍ତ ସପ୍ତୋର୍ଧ୍ୱଂ ଜଘନାଦିଭିଃ ॥ ୩୬॥

ବିଦ୍ବାନ ପୁରୁଷ ତାଙ୍କର ଅଙ୍ଗମାନଙ୍କରେ ସମସ୍ତ ଲୋକ ଏବଂ ସେଥିରେ ରହିଥିବା ବସ୍ତୁର କଳ୍ପନା କରନ୍ତି | କଟିଦେଶର ନିମ୍ନଭାଗରେ ଥିବା ଅଙ୍ଗମାନଙ୍କରେ ସପ୍ତ ପାତାଳ ଏବଂ ଉର୍ଦ୍ଧ୍ବଭାଗରେ ଥିବା ଅଙ୍ଗମାନଙ୍କରେ ସାତ ସ୍ବର୍ଗର କଳ୍ପନା କରାଯାଇ ଥାଏ |

ପୁରୁଷସ୍ୟ ମୁଖଂ ବ୍ରହ୍ମ କ୍ଷତ୍ରମେତସ୍ୟ ବାହବଃ ।

ଊର୍ୱୋର୍ୱୈଶ୍ୟୋ ଭଗବତଃ ପଦ୍ଭ୍ୟାଂ ଶୂଦ୍ରୋ ବ୍ୟଜାୟତ ॥ ୩୭॥

ସେହି ବିରାଟ ପୁରୁଷଙ୍କର ମୁଖରୁ ବ୍ରାହ୍ମଣ, ଭୁଜରୁ କ୍ଷତ୍ରିୟ, ଜାନୁରୁ ବୈଶ୍ୟ ଏବଂ ପାଦରୁ ଶୂଦ୍ର ଉତ୍ପନ୍ନ ହୋଇଛନ୍ତି |

ଭୂର୍ଲୋକଃ କଲ୍ପିତଃ ପଦ୍ଭ୍ୟାଂ ଭୁବର୍ଲୋକୋଽସ୍ୟ ନାଭିତଃ ।

ହୃଦା ସ୍ୱର୍ଲୋକ ଉରସା ମହର୍ଲୋକୋ ମହାତ୍ମନଃ ॥ ୩୮॥

ବିରାଟ ପୁରୁଷଙ୍କର ପାଦରୁ କଟି ପର୍ଯ୍ୟନ୍ତ ସପ୍ତ ପାତାଳ ଏବଂ ଭୂଲୋକର କଳ୍ପନା କରାଯାଇ ଥାଏ; ତାଙ୍କ ନାଭିରେ ଭୂବର୍ଲୋକ, ହୃଦୟରେ ସ୍ବର୍ଲୋକ, ବକ୍ଷ-ସ୍ଥଳରେ ମହର୍ଲୋକର କଳ୍ପନା କରାଯାଇ ଥାଏ |

ଗ୍ରୀବାୟାଂ ଜନଲୋକଶ୍ଚ ତପୋଲୋକଃ ସ୍ତନଦ୍ୱୟାତ୍ ।

ମୂର୍ଧଭିଃ ସତ୍ୟଲୋକସ୍ତୁ ବ୍ରହ୍ମଲୋକଃ ସନାତନଃ ॥ ୩୯॥

ତାଙ୍କ ଗଳାରେ ଜନଲୋକ, ଦୁଇ ସ୍ତନରେ ତପୋଲୋକ, ଏବଂ ମସ୍ତକରେ ବ୍ରହ୍ମାଙ୍କର ନିତ୍ୟ ନିବାସସ୍ଥାନ ସତ୍ୟଲୋକ କଳ୍ପିତ ଅଟେ |

ତତ୍କଟ୍ୟାଂ ଚାତଲଂ କୢପ୍ତମୂରୁଭ୍ୟାଂ ବିତଲଂ ବିଭୋଃ ।

ଜାନୁଭ୍ୟାଂ ସୁତଲଂ ଶୁଦ୍ଧଂ ଜଙ୍ଘାଭ୍ୟାଂ ତୁ ତଲାତଲମ୍ ॥ ୪୦॥

ସେହି ବିରାଟ ପୁରୁଷଙ୍କର କଟିରେ ଅତଳ, ଉରୁରେ ବିତଳ, ଜାନୁରେ ସୁତଳ ଏବଂ ଜଂଘରେ ତଳାତଳର କଳ୍ପନା କରାଯାଇ ଥାଏ |

ମହାତଲଂ ତୁ ଗୁଲ୍ଫାଭ୍ୟାଂ ପ୍ରପଦାଭ୍ୟାଂ ରସାତଲମ୍ ।

ପାତାଲଂ ପାଦତଲତ ଇତି ଲୋକମୟଃ ପୁମାନ୍ ॥ ୪୧॥

ଗୋଇଠି ଉପରସ୍ଥ ଗଣ୍ଠିରେ ମହାତଳ, ପଞ୍ଜା ଏବଂ ଗୋଇଠିର ମଧ୍ୟଭାଗରେ ରସାତଳ ଏବଂ ପାଦ ତଳିପାରେ ପାତାଳ ଅବସ୍ଥିତ | ଏହି ପ୍ରକାରେ ବିରାଟ ପୁରୁଷ ସର୍ବଲୋକମୟ ଅଟନ୍ତି |

ଭୂର୍ଲୋକଃ କଲ୍ପିତଃ ପଦ୍ଭ୍ୟାଂ ଭୁବର୍ଲୋକୋଽସ୍ୟ ନାଭିତଃ ।

ସ୍ୱର୍ଲୋକଃ କଲ୍ପିତୋ ମୂର୍ଧ୍ନା ଇତି ବା ଲୋକକଲ୍ପନା ॥ ୪୨॥

ବିରାଟ ଭଗବାନଙ୍କର ଅଙ୍ଗରେ ଲୋକମାନଙ୍କର କଳ୍ପନା ଏପରି ଭାବରେ ମଧ୍ୟ କରାଯାଇ ଥାଏ ଯେ ତାଙ୍କର ଚରଣରେ ପୃଥିବୀ, ନାଭିରେ ଭୁବର୍ଲୋକ ଏବଂ ମସ୍ତକରେ ସ୍ବର୍ଲୋକ ରହିଛି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଦ୍ୱିତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ॥ ୫॥

Comments

Popular posts from this blog