ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ଅଷ୍ଟମ ଅଧ୍ୟାୟ

ବ୍ରହ୍ମାଙ୍କର ଉତ୍ପତ୍ତି

 

ମୈତ୍ରେୟ ଉବାଚ

ସତ୍ସେବନୀୟୋ ବତ ପୂରୁବଂଶୋ

ଯଲ୍ଲୋକପାଲୋ ଭଗବତ୍ପ୍ରଧାନଃ ।

ବଭୂବିଥେହାଜିତକୀର୍ତିମାଲାଂ

ପଦେ ପଦେ ନୂତନୟସ୍ୟଭୀକ୍ଷ୍ଣମ୍ ॥ ୧॥

ମୈତ୍ରେୟ କହିଲେ – ହେ ବିଦୁରଜୀ ! ଆପଣ ଭଗବତ୍-ଭକ୍ତମାନଙ୍କ ମଧ୍ୟରେ ସ୍ବୟଂ ଲୋକପାଳ ଯମରାଜ ହିଁ ଅଟନ୍ତି | ଆପଣ ପୁରୁବଂଶରେ ଜନ୍ମ ଗ୍ରହଣ କରିଥିବା ଯୋଗୁଁ ସେହି ବଂଶ ସାଧୁଜନମାନଙ୍କର ମଧ୍ୟ ସେବ୍ୟ ହୋଇଯାଇଛି | ଆପଣ ଧନ୍ୟ ଅଟନ୍ତି ଯେ ନିରନ୍ତର ଶ୍ରୀହରିଙ୍କର କୀର୍ତ୍ତିମୟୀ ମାଳାକୁ ନିତ୍ୟ-ନୂତନ କରୁଥାଆନ୍ତି |

ସୋଽହଂ ନୃଣାଂ କ୍ଷୁଲ୍ଲସୁଖାୟ ଦୁଃଖଂ

ମହଦ୍ଗତାନାଂ ବିରମାୟ ତସ୍ୟ ।

ପ୍ରବର୍ତୟେ ଭାଗବତଂ ପୁରାଣଂ

ଯଦାହ ସାକ୍ଷାଦ୍ଭଗବାନ୍ ଋଷିଭ୍ୟଃ ॥ ୨॥

ଏବେ ମୁଁ କ୍ଷୁଦ୍ର ବିଷୟ-ସୁଖ କାମନାରେ ମହାନ୍ ଦୁଃଖକୁ ନିମନ୍ତ୍ରଣ କରୁଥିବା ପୁରୁଷମାନଙ୍କର ଦୁଃଖନିବୃତ୍ତି ନିମନ୍ତେ ଶ୍ରୀମଦ୍ ଭାଗବତ ପୁରାଣ ପ୍ରାରମ୍ଭ କରିବାକୁ ଯାଉଛି, ଯାହା ସ୍ବୟଂ ଶ୍ରୀସଂକର୍ଷଣ ଭଗବାନ ସନକାଦି ଋଷିଙ୍କୁ ଶୁଣାଇ ଥିଲେ |

ଆସୀନମୁର୍ୱ୍ୟାଂ ଭଗବନ୍ତମାଦ୍ୟଂ

ସଙ୍କର୍ଷଣଂ ଦେବମକୁଣ୍ଠସତ୍ତ୍ୱମ୍ ।

ବିବିତ୍ସବସ୍ତତ୍ତ୍ୱମତଃପରସ୍ୟ

କୁମାରମୁଖ୍ୟା ମୁନୟୋଽନ୍ୱପୃଚ୍ଛନ୍ ॥ ୩॥

ଅଖଣ୍ଡ ଜ୍ଞାନସମ୍ପନ୍ନ ଆଦିଦେବ ଭଗବାନ ସଂକର୍ଷଣ ପାତାଳଲୋକରେ ବିରାଜମାନ କରିଥିଲେ | ସନତ୍ କୁମାର ଆଦି ଋଷିଗଣ ପରମ ପୁରୁଷୋତ୍ତମ ବ୍ରହ୍ମଙ୍କର ତତ୍ତ୍ବ ଜାଣିବା ନିମନ୍ତେ ତାଙ୍କୁ ପ୍ରଶ୍ନ କଲେ |

ସ୍ୱମେବ ଧିଷ୍ଣ୍ୟଂ ବହୁ ମାନୟନ୍ତଂ

ଯଂ ବାସୁଦେବାଭିଧମାମନନ୍ତି ।

ପ୍ରତ୍ୟଗ୍ଧୃତାକ୍ଷାମ୍ବୁଜକୋଶମୀଷ-

ଦୁନ୍ମୀଲୟନ୍ତଂ ବିବୁଧୋଦୟାୟ ॥ ୪॥

ସେହି ସମୟରେ ଭଗବାନ ଶେଷଦେବ ନିଜର ଆଶ୍ରୟରୂପ ସେହି ପରମାତ୍ମାଙ୍କର ମାନସିକ ପୂଜା କରୁଥିଲେ, ଯାହାଙ୍କୁ ବେଦ ବାସୁଦେବ ନାମରେ ନିରୂପଣ କରିଥାଏ | ତାଙ୍କର କମଳକୋଶ-ସଦୃଶ ନେତ୍ର ମୁଦ୍ରିତ ଥିଲା | ସନତ୍ କୁମାର ଆଦି ଜ୍ଞାନୀଜନ ପ୍ରଶ୍ନ କରିବାରୁ, ସେମାନଙ୍କୁ ଆନନ୍ଦିତ କରିବା ଉଦ୍ଦେଶ୍ୟରେ, ସେ ଅର୍ଦ୍ଧନିମୀଳିତ ନେତ୍ରରେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲେ |

ସ୍ୱର୍ଧୁନ୍ୟୁଦାର୍ଦ୍ରୈଃ ସ୍ୱଜଟାକଲାପୈ-

ରୁପସ୍ପୃଶନ୍ତଶ୍ଚରଣୋପଧାନମ୍ ।

ପଦ୍ମଂ ଯଦର୍ଚନ୍ତ୍ୟହିରାଜକନ୍ୟାଃ

ସପ୍ରେମନାନାବଲିଭିର୍ୱରାର୍ଥାଃ ॥ ୫॥

ସନତ୍ କୁମାର ଆଦି ଋଷିଗଣ ମନ୍ଦାକିନୀ ଜଳରେ ସିକ୍ତ ନିଜର ଜଟସମୂହରେ ତାଙ୍କର ଚରଣ-ଚୌକୀ ରୂପରେ ସ୍ଥିତ କମଳକୁ ସ୍ପର୍ଶ କଲେ, ଯାହାର ପୂଜନ ନାଗରାଜକୁମାରୀମାନେ ଅଭିଳଷିତ ବର ପ୍ରାପ୍ତି ନିମନ୍ତେ ଅନେକ ଉପହାର ସାମଗ୍ରୀ ଦ୍ବାରା କରିଥାଆନ୍ତି |

ମୁହୁର୍ଗୃଣନ୍ତୋ ବଚସାନୁରାଗ-

ସ୍ଖଲତ୍ପଦେନାସ୍ୟ କୃତାନି ତଜ୍ଜ୍ଞାଃ ।

କିରୀଟସାହସ୍ରମଣିପ୍ରବେକ-

ପ୍ରଦ୍ୟୋତିତୋଦ୍ଦାମଫଣାସହସ୍ରମ୍ ॥ ୬॥

ସନତ୍ କୁମାରାଦି ତାଙ୍କ ଲୀଳାର ମର୍ମଜ୍ଞ ଅଟନ୍ତି | ସେମାନେ ପ୍ରେମ ଗଦଗଦ ବାଣୀରେ ତାଙ୍କର ଲୀଳାଗାନ କଲେ | ଶେଷଭଗବାନଙ୍କର କିରିଟୀ ସଦୃଶ ଉତ୍ତୋଳିତ ସହସ୍ର ଫଣ ସହସ୍ର-ସହସ୍ର ଶ୍ରେଷ୍ଠ ମଣିରୁ ବିଚ୍ଛୁରିତ ରଶ୍ମି ଦ୍ବାରା ଝଲମଲ ହେଉଥିଲା |

ପ୍ରୋକ୍ତଂ କିଲୈତଦ୍ଭଗବତ୍ତମେନ

ନିବୃତ୍ତିଧର୍ମାଭିରତାୟ ତେନ ।

ସନତ୍କୁମାରାୟ ସ ଚାହ ପୃଷ୍ଟଃ

ସାଙ୍ଖ୍ୟାୟନାୟାଙ୍ଗ ଧୃତବ୍ରତାୟ ॥ ୭॥

ଏହା ପ୍ରସିଦ୍ଧ ଯେ ନିବୃତ୍ତିପରାୟଣ ସନତ୍ କୁମାରଙ୍କୁ ଭଗବାନ ସଂକର୍ଷଣ ଏହି ଭାଗବତ ଶୁଣାଇ ଥିଲେ | ପଶ୍ଚାତ୍ ପରମ ବ୍ରତଶୀଳ ସାଂଖ୍ୟାୟନ ମୁନିଙ୍କ ପ୍ରଶ୍ନର ଉତ୍ତରରେ ସନତ୍ କୁମାର ତାଙ୍କୁ ଏହା ଶୁଣାଇ ଥିଲେ |

ସାଙ୍ଖ୍ୟାୟନଃ ପାରମହଂସ୍ୟମୁଖ୍ୟୋ

ବିବକ୍ଷମାଣୋ ଭଗବଦ୍ୱିଭୂତୀଃ ।

ଜଗାଦ ସୋଽସ୍ମଦ୍ଗୁରବେଽନ୍ୱିତାୟ

ପରାଶରାୟାଥ ବୃହସ୍ପତେଶ୍ଚ ॥ ୮॥

ପରମହଂସମାନଙ୍କ ମଧ୍ୟରେ ପ୍ରଧାନ ସାଂଖ୍ୟାୟନ ମୁନି ଯେତେବେଳେ ଭଗବାନଙ୍କର ବିଭୂତିମାନଙ୍କର ବର୍ଣ୍ଣନା କରିବାକୁ ଇଚ୍ଛା କଲେ, ସେତେବେଳେ ସେ ନିଜର ଅନୁଗତ ଶିଷ୍ୟ, ଆମ୍ଭମାନଙ୍କର ଗୁରୁ ଶ୍ରୀପରାଶର ମୁନି ଏବଂ ବୃହଷ୍ପତିଙ୍କୁ ତାହା ଶୁଣାଇ ଥିଲେ |

ପ୍ରୋବାଚ ମହ୍ୟଂ ସ ଦୟାଲୁରୁକ୍ତୋ

ମୁନିଃ ପୁଲସ୍ତ୍ୟେନ ପୁରାଣମାଦ୍ୟମ୍ ।

ସୋଽହଂ ତବୈତତ୍କଥୟାମି ବତ୍ସ

ଶ୍ରଦ୍ଧାଲବେ ନିତ୍ୟମନୁବ୍ରତାୟ ॥ ୯॥

ତତ୍ ପଶ୍ଚାତ୍ ପୁଲସ୍ତ୍ୟ ମୁନିଙ୍କର ଅନୁରୋଧ କ୍ରମେ ପରମ ଦୟାଳୁ ପରାଶର ମୁନି ଏହି ଆଦିପୁରାଣ ମୋତେ କହିଥିଲେ | ବତ୍ସ ! ତୁମକୁ ଶ୍ରଦ୍ଧାଳୁ ଏବଂ ସଦା ଅନୁଗତ ଦେଖି ମୁଁ ସେହି ପୁରାଣ ଏବେ ତୁମକୁ ଶୁଣାଉଛି |

ଉଦାପ୍ଲୁତଂ ବିଶ୍ୱମିଦଂ ତଦାସୀ-

ଦ୍ୟନ୍ନିଦ୍ରୟାଽଽମୀଲିତଦୃଙ୍ ନ୍ୟମୀଲୟତ୍ ।

ଅହୀନ୍ଦ୍ରତଲ୍ପେଽଧିଶୟାନ ଏକଃ

କୃତକ୍ଷଣଃ ସ୍ୱାତ୍ମରତୌ ନିରୀହଃ ॥ ୧୦॥

ସୃଷ୍ଟି ପୂର୍ବରୁ ସମ୍ପୂର୍ଣ୍ଣ ବିଶ୍ବ ଜଳ ପ୍ଲାବିତ ଥିଲା | ସେହି ସମୟରେ ଏକମାତ୍ର ଶ୍ରୀନାରାୟଣଦେବ ଶେଷଶଯ୍ୟାରେ ଅଧିଷ୍ଠିତ ଥିଲେ | ସେ ନିଜ ଜ୍ଞାନଶକ୍ତିକୁ ଅକ୍ଷୁର୍ଣ ରଖି, ଯୋଗନିଦ୍ରାର ଆଶ୍ରୟ ଗ୍ରହଣ କରି ନିଜର ନେତ୍ର ମୁଦ୍ରିତ ରଖିଥିଲେ | ସୃଷ୍ଟିକର୍ମରୁ ଅବକାଶ ନେଇ ସେ ଆତ୍ମାନନ୍ଦରେ ମଗ୍ନ ଥିଲେ | କୌଣସି କ୍ରିୟାର ଉନ୍ମେଷ ତାଙ୍କଠାରେ ନ ଥିଲା |

ସୋଽନ୍ତଃଶରୀରେଽର୍ପିତଭୂତସୂକ୍ଷ୍ମଃ

କାଲାତ୍ମିକାଂ ଶକ୍ତିମୁଦୀରୟାଣଃ ।

ଉବାସ ତସ୍ମିନ୍ ସଲିଲେ ପଦେ ସ୍ୱେ

ଯଥାନଲୋ ଦାରୁଣି ରୁଦ୍ଧବୀର୍ୟଃ ॥ ୧୧॥

ଅଗ୍ନି ଯେପରି ନିଜର ଦାହକତ୍ବ ଆଦି ଶକ୍ତିକୁ ଅନ୍ତର୍ନିହିତ ରଖି କାଷ୍ଠରେ ବ୍ୟାପ୍ତ ରହିଥାଏ, ସେହିପରି ଶ୍ରୀଭଗବାନ ସମ୍ପୂର୍ଣ୍ଣ ପ୍ରାଣୀଜଗତର ସୂକ୍ଷ୍ମ ଶରୀରକୁ ନିଜ ମଧ୍ୟରେ ଲୀନ ରଖି ନିଜ ଆଧାରଭୂତ ସେହି ଜଳରେ ଶୟନ କରିଥାଆନ୍ତି | ସୃଷ୍ଟିକାଳ ଆଗତ ହେଲେ ସେମାନଙ୍କୁ ପୁନଃ ଜାଗ୍ରତ କରିବା ପାଇଁ ନିଜ ଅତିରିକ୍ତ ସେ କେବଳ କାଳଶକ୍ତିକୁ ଜାଗ୍ରତ ରଖିଥାଆନ୍ତି |

ଚତୁର୍ୟୁଗାନାଂ ଚ ସହସ୍ରମପ୍ସୁ

ସ୍ୱପନ୍ ସ୍ୱୟୋଦୀରିତୟା ସ୍ୱଶକ୍ତ୍ୟା ।

କାଲାଖ୍ୟଯାଽଽସାଦିତକର୍ମତନ୍ତ୍ରୋ

ଲୋକାନପୀତାନ୍ ଦଦୃଶେ ସ୍ୱଦେହେ ॥ ୧୨॥

ଏହିପରି ଭାବରେ ନିଜ ସ୍ବରୂପଭୂତା ଚିତ୍-ଶକ୍ତି ସହିତ ଏକ ସହସ୍ର ଚତୁର୍ଯୁଗପର୍ଯ୍ୟନ୍ତ ଜଳରେ ଶୟନ କରିବା ଅନନ୍ତର ଯେତେବେଳେ ତାଙ୍କ ଦ୍ବାରା ନିଯୁକ୍ତ ତାଙ୍କର କାଳଶକ୍ତି ତାଙ୍କୁ ଜୀବର କର୍ମପ୍ରବୃତ୍ତି ନିମନ୍ତେ ପ୍ରେରିତ କରିଥାଏ, ସେତେବେଳେ ସେ ନିଜ ଶରୀରରେ ଲୀନ ଅନନ୍ତ ଲୋକକୁ ନିରୀକ୍ଷଣ କରନ୍ତି |

ତସ୍ୟାର୍ଥସୂକ୍ଷ୍ମାଭିନିବିଷ୍ଟଦୃଷ୍ଟେ-

ରନ୍ତର୍ଗତୋଽର୍ଥୋ ରଜସା ତନୀୟାନ୍ ।

ଗୁଣେନ କାଲାନୁଗତେନ ବିଦ୍ଧଃ

ସୂଷ୍ୟଂସ୍ତଦାଭିଦ୍ୟତ ନାଭିଦେଶାତ୍ ॥ ୧୩॥

ଭଗବାନଙ୍କର ଦୃଷ୍ଟି ଯେତେବେଳେ ତାଙ୍କ ନିଜ ମଧ୍ୟରେ ନିହିତ ଲିଙ୍ଗଶରୀରାଦି ସୂକ୍ଷ୍ମ ତତ୍ତ୍ବ ଉପରେ ପଡିଲା, ସେତେବେଳେ ତାହା କାଳାଶ୍ରିତ ରଜୋଗୁଣ ଦ୍ବାରା କ୍ଷୋଭିତ ହୋଇ ସୃଷ୍ଟିରଚନା ନିମନ୍ତେ ତାଙ୍କ ନାଭିଦେଶରୁ ବାହାରକୁ ଆସିଲା |

ସ ପଦ୍ମକୋଶଃ ସହସୋଦତିଷ୍ଠ-

ତ୍କାଲେନ କର୍ମପ୍ରତିବୋଧନେନ ।

ସ୍ୱରୋଚିଷା ତତ୍ସଲିଲଂ ବିଶାଲଂ

ବିଦ୍ୟୋତୟନ୍ନର୍କ ଇବାତ୍ମୟୋନିଃ ॥ ୧୪॥

କର୍ମଶକ୍ତିକୁ ଜାଗ୍ରତ କରୁଥିବା କାଳ ଦ୍ବାରା ବିଷ୍ଣୁ ଭଗବାନଙ୍କର ନାଭିରୁ ପ୍ରକଟ ହୋଇ ସେହି ସୂକ୍ଷ୍ମ ତତ୍ତ୍ବ କମଳକୋଶ ରୂପରେ ସହସା ବହୁତ ଉଚ୍ଚକୁ ଉଠିଗଲା ଏବଂ ସୂର୍ଯ୍ୟ ସଦୃଶ ନିଜ ତେଜରେ ସେହି ଅପାର ଜଳରାଶିକୁ ଦେଦୀପ୍ୟମାନ କରିଦେଲା |

ତଲ୍ଲୋକପଦ୍ମଂ ସ ଉ ଏବ ବିଷ୍ଣୁଃ

ପ୍ରାବୀବିଶତ୍ସର୍ୱଗୁଣାବଭାସମ୍ ।

ତସ୍ମିନ୍ ସ୍ୱୟଂ ବେଦମୟୋ ବିଧାତା

ସ୍ୱୟମ୍ଭୁବଂ ଯଂ ସ୍ମ ବଦନ୍ତି ସୋଽଭୂତ୍ ॥ ୧୫॥

ସମସ୍ତ ଗୁଣକୁ ପ୍ରକାଶିତ କରୁଥିବା ସେହି ସର୍ବଲୋକମୟ କମଳରେ ସ୍ବୟଂ ବିଷ୍ଣୁ ଭଗବାନ ହିଁ ଅନ୍ତର୍ଯ୍ୟାମୀ ରୂପରେ ପ୍ରବେଶ କଲେ | ତାପରେ ସେଥିରୁ ସ୍ବତଃ ସମ୍ପୂର୍ଣ୍ଣ ବେଦର ଜ୍ଞାତା ସାକ୍ଷାତ୍ ବେଦମୂର୍ତ୍ତି ଶ୍ରୀବ୍ରହ୍ମାଜୀ ପ୍ରକଟ ହେଲେ, ଯାହାଙ୍କୁ ଲୋକେ ସ୍ବୟମ୍ଭୂ କହନ୍ତି |

ତସ୍ୟାଂ ସ ଚାମ୍ଭୋରୁହକର୍ଣିକାୟା-

ମବସ୍ଥିତୋ ଲୋକମପଶ୍ୟମାନଃ ।

ପରିକ୍ରମନ୍ ବ୍ୟୋମ୍ନି ବିବୃତ୍ତନେତ୍ର-

ଶ୍ଚତ୍ୱାରି ଲେଭେଽନୁଦିଶଂ ମୁଖାନି ॥ ୧୬॥

ସେହି କମଳ କର୍ଣିକାରେ ଉପବେଶନ କରି ବ୍ରହ୍ମାଜୀଙ୍କୁ ଯେତେବେଳେ କୌଣସି ଲୋକ ପରିଦୃଶ୍ୟ ହେଲା ନାହିଁ, ସେ ନିଜର ଗ୍ରୀବା ଘୂର୍ଣ୍ଣନ କରି ଆକାଶରେ ଚତୁର୍ଦ୍ଦିଗ ନିରୀକ୍ଷଣ କରିବାରେ ଲାଗିଲେ, ସେଥିପାଇଁ ଚତୁର୍ଦ୍ଦିଗକୁ ତାଙ୍କର ଚାରୋଟି ମୁଖ ହୋଇଗଲା |

ତସ୍ମାଦ୍ୟୁଗାନ୍ତଶ୍ୱସନାବଘୂର୍ଣ-

ଜଲୋର୍ମିଚକ୍ରାତ୍ସଲିଲାଦ୍ୱିରୂଢମ୍ ।

ଉପାଶ୍ରିତଃ କଞ୍ଜମୁ ଲୋକତତ୍ତ୍ୱଂ

ନାତ୍ମାନମଦ୍ଧାବିଦଦାଦିଦେବଃ ॥ ୧୭॥

ସେହି ସମୟରେ ପ୍ରଳୟକାଳୀନ ପ୍ରଖର ଝଞ୍ଜାରେ ଜଳରେ ସୃଷ୍ଟି ହୋଇଥିବା ଉତ୍ତାଳ ତରଙ୍ଗମାଳା ଯୋଗୁଁ ଜଳରାଶିର ବହୁ ଉର୍ଦ୍ଧ୍ବକୁ ଉଠିଥିବା କମଳପୁଷ୍ପରେ ବିରାଜମାନ ଆଦିଦେବ ବ୍ରହ୍ମାଜୀ ନିଜର ତଥା ସେହି ଲୋକତତ୍ତ୍ବରୂପ କମଳର କିଛି ବି ରହସ୍ୟ ଜାଣି ପାରିଲେ ନାହିଁ |

କ ଏଷ ଯୋଽସାବହମବ୍ଜପୃଷ୍ଠ

ଏତତ୍କୁତୋ ବାବ୍ଜମନନ୍ୟଦପ୍ସୁ ।

ଅସ୍ତି ହ୍ୟଧସ୍ତାଦିହ କିଞ୍ଚନୈତ-

ଦଧିଷ୍ଠିତଂ ଯତ୍ର ସତା ନୁ ଭାବ୍ୟମ୍ ॥ ୧୮॥

ସେ ଚିନ୍ତା କରିବାରେ ଲାଗିଲେ, ‘ଏହି କମଳ କର୍ଣ୍ଣିକାରେ ଉପବେଶନ କରିଥିବା ମୁଁ କିଏ ? ଏହି କମଳ ମଧ୍ୟ ଅନ୍ୟ କୌଣସି ଆଧାର ବିନା ଜଳରେ କେଉଁଠାରୁ ଉତ୍ପନ୍ନ ହୋଇଛି ? ଏହାର ନିମ୍ନଦେଶରେ ନିଶ୍ଚିତ ଭାବରେ ଏପରି କୌଣସି ବସ୍ତୁ ଥିବ, ଯାହାର ଆଧାରରେ ଏହା ସ୍ଥିତ ଅଟେ |’

ସ ଇତ୍ଥମୁଦ୍ୱୀକ୍ଷ୍ୟ ତଦବ୍ଜନାଲ-

ନାଡୀଭିରନ୍ତର୍ଜଲମାବିବେଶ ।

ନାର୍ୱାଗ୍ଗତସ୍ତତ୍ଖରନାଲନାଲ-

ନାଭିଂ ବିଚିନ୍ୱଂସ୍ତଦବିନ୍ଦତାଜଃ ॥ ୧୯॥

ଏହିପରି ଚିନ୍ତା କରି ସେ ସେହି କମଳ-ନାଳର ସୂକ୍ଷ୍ମ ଛିଦ୍ର ମଧ୍ୟ ଦେଇ ଜଳରେ ପ୍ରବେଶ କଲେ | କିନ୍ତୁ ସେହି ନାଳର ଆଧାରକୁ ଖୋଜି ଖୋଜି ସେ ନାଭିଦେଶ ସମୀପରେ ପହଞ୍ଚି ଗଲେ ସିନା ତାହାକୁ ଠାବ କରିପାରିଲେ ନାହିଁ |

ତମସ୍ୟପାରେ ବିଦୁରାତ୍ମସର୍ଗଂ

ବିଚିନ୍ୱତୋଽଭୂତ୍ସୁମହାଂସ୍ତ୍ରିଣେମିଃ ।

ଯୋ ଦେହଭାଜାଂ ଭୟମୀରୟାଣଃ

ପରିକ୍ଷିଣୋତ୍ୟାୟୁରଜସ୍ୟ ହେତିଃ ॥ ୨୦॥

ହେ ବିଦୁର ! ସେହି ଅପାର ଅନ୍ଧକାରରେ ନିଜର ଉତ୍ପତ୍ତି-ସ୍ଥାନକୁ ଖୋଜି ଖୋଜି ବ୍ରହ୍ମାଜୀଙ୍କର ବହୁ କାଳ ଅତିବାହିତ ହୋଇଗଲା | ଏହି କାଳ ହିଁ ଭଗବାନଙ୍କର ଚକ୍ର ଅଟେ, ଯାହା ପ୍ରାଣୀମାନଙ୍କୁ ଭୟଭୀତ କରି ସେମାନଙ୍କର ଆୟୁକୁ କ୍ଷୀଣ କରିବାରେ ଲାଗିଥାଏ |

ତତୋ ନିବୃତ୍ତୋଽପ୍ରତିଲବ୍ଧକାମଃ

ସ୍ୱଧିଷ୍ଣ୍ୟମାସାଦ୍ୟ ପୁନଃ ସ ଦେବଃ ।

ଶନୈର୍ଜିତଶ୍ୱାସନିବୃତ୍ତଚିତ୍ତୋ

ନ୍ୟଷୀଦଦାରୂଢସମାଧିୟୋଗଃ ॥ ୨୧॥

ଅନ୍ତତଃ ବିଫଳ ମନୋରଥ ହୋଇ ବ୍ରହ୍ମାଜୀ ସେଠାରୁ ଫେରି ଆସିଲେ ଏବଂ ପୁନର୍ବାର ନିଜର ଆଧାରଭୂତ କମଳ ଉପରେ ବସି ଧୀରେ ଧୀରେ ପ୍ରାଣବାୟୁକୁ ନିୟନ୍ତ୍ରଣ କରି ଚିତ୍ତକୁ ନିଃସଂକଳ୍ପ କଲେ ଏବଂ ସମାଧିରେ ସ୍ଥିତ ହୋଇଗଲେ |

କାଲେନ ସୋଽଜଃ ପୁରୁଷାୟୁଷାଭି-

ପ୍ରବୃତ୍ତୟୋଗେନ ବିରୂଢବୋଧଃ ।

ସ୍ୱୟଂ ତଦନ୍ତର୍ହୃଦୟେଽବଭାତ-

ମପଶ୍ୟତାପଶ୍ୟତ ଯନ୍ନ ପୂର୍ୱମ୍ ॥ ୨୨॥

ଏହିପରି ଭାବରେ ପୁରୁଷର ପୂର୍ଣ୍ଣ ଆୟୁକାଳ ପର୍ଯ୍ୟନ୍ତ (ଅର୍ଥାତ୍ ଦିବ୍ୟ ଶହେ ବର୍ଷଯାଏଁ) ଉତ୍ତମ ରୂପେ ଯୋଗାଭ୍ୟାସ କରିବା ଦ୍ବାରା ବ୍ରହ୍ମାଜୀଙ୍କୁ ଜ୍ଞାନ ପ୍ରାପ୍ତ ହେଲା ଏବଂ ତାପରେ ସେ ନିଜର ଅଧିଷ୍ଠାନକୁ, ଯାହାକୁ ସେ ପୂର୍ବରୁ ଖୋଜି ଖୋଜି ଦେଖି ପାରି ନ ଥିଲେ, ତାହାକୁ ସେ ନିଜ ଅନ୍ତଃକରଣରେ ପ୍ରକାଶିତ ହୋଇଥିବା ଦେଖିପାରିଲେ |

ମୃଣାଲଗୌରାୟତଶେଷଭୋଗ-

ପର୍ୟଙ୍କ ଏକଂ ପୁରୁଷଂ ଶୟାନମ୍ ।

ଫଣାତପତ୍ରାୟୁତମୂର୍ଧରତ୍ନ-

ଦ୍ୟୁଭିର୍ହତଧ୍ୱାନ୍ତୟୁଗାନ୍ତତୋୟେ ॥ ୨୩॥

ସେ ଦେଖିଲେ, ସେହି ପ୍ରଳୟକାଳୀନ ଜଳରେ ଶେଷଦେବଙ୍କର କମଳନାଳସଦୃଶ ଗୌର ଏବଂ ବିଶାଳ ବିଗ୍ରହର ଶଯ୍ୟାରେ ପୁରୁଷୋତ୍ତମ ଭଗବାନ ଏକାକୀ ବିଶ୍ରାମ କରୁଛନ୍ତି | ଶେଷଦେବଙ୍କର ଦଶ ହଜାର ଫଣା ଛତ୍ର ସଦୃଶ ତାଙ୍କୁ ଛାୟା ପ୍ରଦାନ କରୁଛି | ତାଙ୍କର ମସ୍ତକରେ ଶୋଭିତ କିରିଟୀ ମଣି-ଜଟିତ ହୋଇ ତାର ଆଭାରେ ଚତୁର୍ଦ୍ଦିଗର ଅନ୍ଧକାରକୁ ଦୂରୀଭୂତ କରିଦେଉଛି |

ପ୍ରେକ୍ଷାଂ କ୍ଷିପନ୍ତଂ ହରିତୋପଲାଦ୍ରେଃ

ସନ୍ଧ୍ୟାଭ୍ରନୀବେରୁରୁରୁକ୍ମମୂର୍ଧ୍ନଃ ।

ରତ୍ନୋଦଧାରୌଷଧିସୌମନସ୍ୟ-

ବନସ୍ରଜୋ ବେଣୁଭୁଜାଙ୍ଘ୍ରିପାଙ୍ଘ୍ରେଃ ॥ ୨୪॥

ସେ ନିଜ ଶ୍ୟାମଳ ଶରୀରର ଆଭାରେ ମର୍କତମଣି ପର୍ବତର ଶୋଭାକୁ ଲଜ୍ଜିତ କରୁଛନ୍ତି | ତାଙ୍କ କଟିଦେଶର ପୀତାମ୍ବର ପର୍ବତର ପ୍ରାନ୍ତଦେଶରେ ଛାଇ ରହିଥିବା ସାୟଂକାଳୀନ ମେଘର ପୀତ ଚକମକ ଆଭାକୁ ମଳୀନ କରିଦେଉଛି; ମସ୍ତକରେ ସୁଶୋଭିତ ସୁବର୍ଣ୍ଣମୁକୁଟ ସୁବର୍ଣ୍ଣମୟ ଶିଖରର ମାନ ମର୍ଦ୍ଦନ କରୁଛି | ତାଙ୍କର ବନମାଳ ପର୍ବତର ରତ୍ନ, ଜଳପ୍ରପାତ, ବୃକ୍ଷରାଜି ଏବଂ ପୁଷ୍ପର ଶୋଭାକୁ ପରାସ୍ତ କରୁଛି ତଥା ତାଙ୍କର ଭୁଜଦଣ୍ଡ ବେଣୁଦଣ୍ଡକୁ ଏବଂ ଚରଣ ବୃକ୍ଷକୁ ତିରସ୍କାର କରୁଛି |

ଆୟାମତୋ ବିସ୍ତରତଃ ସ୍ୱମାନ-

ଦେହେନ ଲୋକତ୍ରୟସଙ୍ଗ୍ରହେଣ ।

ବିଚିତ୍ରଦିବ୍ୟାଭରଣାଂଶୁକାନାଂ

କୃତଶ୍ରିୟାପାଶ୍ରିତବେଷଦେହମ୍ ॥ ୨୫॥

ତାଙ୍କର ସେହି ଶ୍ରୀବିଗ୍ରହର ପରିମାଣ ଦୈର୍ଘ୍ୟ-ପ୍ରସ୍ଥରେ ତ୍ରିଲୋକୀର ସଂଗ୍ରହ କରୁଛି | ନିଜ ଶୋଭାରେ ସେ ବିଚିତ୍ର ଏବଂ ଦିବ୍ୟ ବସ୍ତ୍ରାଭୂଷଣର ଶୋଭାକୁ ସୁଶୋଭିତ କରି ପାରୁଥିଲେ ମଧ୍ୟ ପୀତାମ୍ବର ଆଦି ବେଶ-ଭୂଷାରେ  ସୁସଜ୍ଜିତ ରହିଛନ୍ତି |

ପୁଂସାଂ ସ୍ୱକାମାୟ ବିବିକ୍ତମାର୍ଗୈ-

ରଭ୍ୟର୍ଚତାଂ କାମଦୁଘାଙ୍ଘ୍ରିପଦ୍ମମ୍ ।

ପ୍ରଦର୍ଶୟନ୍ତଂ କୃପୟା ନଖେନ୍ଦୁ-

ମୟୂଖଭିନ୍ନାଙ୍ଗୁଲିଚାରୁପତ୍ରମ୍ ॥ ୨୬॥

ନିଜ ନିଜର ଅଭିଳାଷ ପୂର୍ତ୍ତି ନିମନ୍ତେ ଭିନ୍ନ ଭିନ୍ନ ମାର୍ଗରେ ତାଙ୍କର ଉପାସନା କରୁଥିବା ଭକ୍ତଜନଙ୍କୁ ସେ କୃପାପୂର୍ବକ ନିଜ ଭକ୍ତବାଞ୍ଛାକଳ୍ପତରୁ ଚରଣକମଳର ଦର୍ଶନ ପ୍ରଦାନ କରୁଛନ୍ତି; ଯାହାର ସୁନ୍ଦର ଅଙ୍ଗୁଳିଦଳ ନଖଚନ୍ଦ୍ରର ଚନ୍ଦ୍ରିକାରୁ ଭିନ୍ନ ଭିନ୍ନ ଜ୍ୟୋତି ବିକିରଣ ହେଉଛି |

ମୁଖେନ ଲୋକାର୍ତିହରସ୍ମିତେନ

ପରିସ୍ଫୁରତ୍କୁଣ୍ଡଲମଣ୍ଡିତେନ ।

ଶୋଣାୟିତେନାଧରବିମ୍ବଭାସା

ପ୍ରତ୍ୟର୍ହୟନ୍ତଂ ସୁନସେନ ସୁଭ୍ର୍ୱା ॥ ୨୭॥

ସୁନ୍ଦର ନାସିକା, ଅନୁଗ୍ରହବର୍ଷଣକାରୀ ଭ୍ରୁଲତା, କାନରେ ଝଲମଲ ହେଉଥିବା କୁଣ୍ଡଳର ଶୋଭା, ବିମ୍ବଫଳ ସଦୃଶ ରକ୍ତିମ ଅଧରର କାନ୍ତି ଏବଂ ଲୋକାର୍ତ୍ତହାରୀ ସ୍ମିତହାସ୍ୟ ଯୁକ୍ତ ମୁଖାରବିନ୍ଦ ଦ୍ବାରା ସେ ନିଜ ଉପାସକମାନଙ୍କର ଅଭିନନ୍ଦନ କରୁଛନ୍ତି |

କଦମ୍ବକିଞ୍ଜଲ୍କପିଶଙ୍ଗବାସସା

ସ୍ୱଲଙ୍କୃତଂ ମେଖଲୟା ନିତମ୍ବେ ।

ହାରେଣ ଚାନନ୍ତଧନେନ ବତ୍ସ

ଶ୍ରୀବତ୍ସବକ୍ଷଃସ୍ଥଲବଲ୍ଲଭେନ ॥ ୨୮॥

ହେ ବତ୍ସ ! ତାଙ୍କର ନିତମ୍ବଦେଶରେ କଦମ୍ବପୁଷ୍ପର କେଶର ସଦୃଶ ପୀତବସ୍ତ୍ର ଏବଂ ସୁବର୍ଣ୍ଣମୟୀ ମେଖଳା ସୁଶୋଭିତ ତଥା ବକ୍ଷସ୍ଥଳ ଅମୂଲ୍ୟ ହାର ଓ ସୁବର୍ଣ୍ଣ ରେଖାଙ୍କିତ ଶ୍ରୀବତ୍ସଚିହ୍ନରେ ଅପୂର୍ବ ଭାବରେ ଶୋଭାୟମାନ |

ପରାର୍ଧ୍ୟକେୟୂରମଣିପ୍ରବେକ-

ପର୍ୟସ୍ତଦୋର୍ଦଣ୍ଡସହସ୍ରଶାଖମ୍ ।

ଅବ୍ୟକ୍ତମୂଲଂ ଭୁବନାଙ୍ଘ୍ରିପେନ୍ଦ୍ର-

ମହୀନ୍ଦ୍ରଭୋଗୈରଧିବୀତବଲ୍ଶମ୍ ॥ ୨୯॥

ସେ ଅବ୍ୟକ୍ତମୂଳ ଚନ୍ଦନ ବୃକ୍ଷ ସଦୃଶ ଅଟନ୍ତି | ମହାମୂଲ୍ୟ କେୟୂର ଏବଂ ଉତ୍ତମ ମଣିମାନଙ୍କ ଦ୍ବାରା ସୁଶୋଭିତ ତାଙ୍କର ଭୁଜଦଣ୍ଡ ହିଁ ସେହି ବୃକ୍ଷର ସହସ୍ର ଶାଖା ଅଟନ୍ତି | ଚନ୍ଦନ ବୃକ୍ଷରେ ସର୍ପମାନେ ଗୁଡାଇ ହୋଇ ରହିଥିବା ପରି ତାଙ୍କ କାନ୍ଧରେ ଶେଷଦେବଙ୍କର ଫଣା ସବୁ ଗୁଡାଇ ହୋଇ ରହିଛନ୍ତି |

ଚରାଚରୌକୋ ଭଗବନ୍ ମହୀଧ୍ର-

ମହୀନ୍ଦ୍ରବନ୍ଧୁଂ ସଲିଲୋପଗୂଢମ୍ ।

କିରୀଟସାହସ୍ରହିରଣ୍ୟଶୃଙ୍ଗ-

ମାବିର୍ଭବତ୍କୌସ୍ତୁଭରତ୍ନଗର୍ଭମ୍ ॥ ୩୦॥

ସେ ନାଗରାଜ ଅନନ୍ତଙ୍କର ବନ୍ଧୁ ଶ୍ରୀନାରାୟଣ ଜଳ ପରିବେଷ୍ଟିତ ପର୍ବତରାଜ ତୁଲ୍ୟ ପ୍ରତୀତ ହେଉଛନ୍ତି | ପର୍ବତ ଉପରେ ଯେପରି ଅନେକ ଜୀବ ବାସ କରିଥାଆନ୍ତି, ସେହିପରି ସେ ସମ୍ପୂର୍ଣ ଚରାଚର ଜଗତର ଆଶ୍ରୟ ଅଟନ୍ତି | ଶେଷଦେବଙ୍କର ଫଣ ଉପରେ ଯେଉଁ ସହସ୍ର-ସହସ୍ର ମୁକୁଟ ରହିଛି, ତାହା ସେହି ପର୍ବତର ସୁବର୍ଣ୍ଣମଣ୍ଡିତ ଶିଖର ଅଟେ ଏବଂ ତାଙ୍କ ବକ୍ଷସ୍ଥଳରେ ବିରାଜମାନ କରୁଥିବା କୌସ୍ତୁଭମଣି ସେହି ପର୍ବତ ଗର୍ଭର ରତ୍ନ ଅଟେ |

ନିବୀତମାମ୍ନାୟମଧୁବ୍ରତଶ୍ରିୟା

ସ୍ୱକୀର୍ତିମୟ୍ୟା ବନମାଲୟା ହରିମ୍ ।

ସୂର୍ୟେନ୍ଦୁବାୟ୍ୱଗ୍ନ୍ୟଗମଂ ତ୍ରିଧାମଭିଃ

ପରିକ୍ରମତ୍ପ୍ରାଧନିକୈର୍ଦୁରାସଦମ୍ ॥ ୩୧॥

ପ୍ରଭୁଙ୍କ ଗଳାରେ ବେଦରୂପ ଭ୍ରମରମାନଙ୍କ ଦ୍ବାରା ଗୁଂଜାୟମାନ ନିଜର କୀର୍ତ୍ତିମୟୀ ବନମାଳ ବିରାଜମାନ କରୁଥିଲା; ସୂର୍ଯ୍ୟ, ଚନ୍ଦ୍ର, ବାୟୁ ଏବଂ ଅଗ୍ନି ଆଦି ଦେବତାମାନଙ୍କର ମଧ୍ୟ ତାଙ୍କ ସମୀପକୁ ପ୍ରବେଶ ନାହିଁ ତଥା ତ୍ରିଭୁବନରେ ଅବାଧ ବିଚରଣ କରୁଥିବା ସୁଦର୍ଶନ ଚକ୍ର ଆଦି ଆୟୁଧମାନେ ଯଦିଓ ତାଙ୍କ ଆଖ-ପାଖରେ ଘୂରି ବୁଲୁଥାଆନ୍ତି, ସେମାନଙ୍କ ପାଇଁ ମଧ୍ୟ ସେ ଅତ୍ୟନ୍ତ ଦୁର୍ଲଭ ଅଟନ୍ତି |

ତର୍ହ୍ୟେବ ତନ୍ନାଭିସରଃସରୋଜ-

ମାତ୍ମାନମମ୍ଭଃ ଶ୍ୱସନଂ ବିୟଚ୍ଚ ।

ଦଦର୍ଶ ଦେବୋ ଜଗତୋ ବିଧାତା

ନାତଃ ପରଂ ଲୋକବିସର୍ଗଦୃଷ୍ଟିଃ ॥ ୩୨॥

ସେତେବେଳେ ବିଶ୍ବରଚନାର ଇଚ୍ଛା ରଖିଥିବା ଲୋକବିଧାତା ବ୍ରହ୍ମାଜୀ ଭଗବାନଙ୍କ ନାଭିସରୋବରରୁ ପ୍ରକଟ ହୋଇଥିବା ସେହି କମଳ, ଜଳ, ଆକାଶ, ବାୟୁ ଏବଂ ନିଜ ଶରୀର – ଏହି ପାଞ୍ଚଟି ହିଁ ପଦାର୍ଥ ଦେଖିବାକୁ ପାଇଥିଲେ, ତାଛଡା ତାଙ୍କୁ ଅନ୍ୟ କିଛି ଦେଖାଯାଇ ନ ଥିଲା |

ସ କର୍ମବୀଜଂ ରଜସୋପରକ୍ତଃ

ପ୍ରଜାଃ ସିସୃକ୍ଷନ୍ନିୟଦେବ ଦୃଷ୍ଟ୍ୱା ।

ଅସ୍ତୌଦ୍ୱିସର୍ଗାଭିମୁଖସ୍ତମୀଡ୍ୟ-

ମବ୍ୟକ୍ତବର୍ତ୍ମନ୍ୟଭିବେଶିତାତ୍ମା ॥ ୩୩॥

ରଜୋଗୁଣରେ ବ୍ୟାପ୍ତ ବ୍ରହ୍ମାଜୀ ପ୍ରଜା ରଚନା କରିବାକୁ ଇଚ୍ଛା କରୁଥିଲେ | କିନ୍ତୁ ସୃଷ୍ଟିର କାରଣରୂପ ସେ ମାତ୍ର ଏହି ପାଞ୍ଚଟି ପଦାର୍ଥ ଦେଖିବାକୁ ପାଉଥିଲେ | ସେଥିପାଇଁ ଲୋକରଚନା ନିମନ୍ତେ ପରମ ଉତ୍ସୁକ ବ୍ରହ୍ମାଜୀ ଅଚିନ୍ତ୍ୟଗତି ଶ୍ରୀହରିଙ୍କଠାରେ ଚିତ୍ତ ସଂଲଗ୍ନ କରି ସେହି ପରମପୂଜନୀୟ ପ୍ରଭୁଙ୍କର ସ୍ତୁତି କରିବାରେ ଲାଗିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ତୃତୀୟସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ ॥ ୮॥


Comments

Popular posts from this blog