ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ପଞ୍ଚମ ଅଧ୍ୟାୟ
ବିଦୁରଙ୍କର ପ୍ରଶ୍ନ ଏବଂ ମୈତ୍ରେୟଙ୍କ ଦ୍ବାରା ସୃଷ୍ଟିକ୍ରମବର୍ଣ୍ଣନ
ଶ୍ରୀଶୁକ ଉବାଚ
ଦ୍ୱାରି ଦ୍ୟୁନଦ୍ୟା ଋଷଭଃ କୁରୂଣାଂ
ମୈତ୍ରେୟମାସୀନମଗାଧବୋଧମ୍ ।
କ୍ଷତ୍ତୋପସୃତ୍ୟାଚ୍ୟୁତଭାବଶୁଦ୍ଧଃ
ପପ୍ରଚ୍ଛ ସୌଶୀଲ୍ୟଗୁଣାଭିତୃପ୍ତଃ ॥ ୧॥
ଶ୍ରୀ ଶୁକଦେବ କହୁଛନ୍ତି – ପରମ ଜ୍ଞାନୀ ମୈତ୍ରେୟ ମୁନି ହରିଦ୍ବାରରେ
ବିରାଜମାନ ଥିଲେ | ଭଗବତ୍-ଭକ୍ତି ଦ୍ବାରା ଶୁଦ୍ଧହୃଦୟ ବିଦୁରଜୀ ତାଙ୍କ ନିକଟକୁ ଯାଇ ତାଙ୍କର
ସାଧୁସ୍ବଭାବରେ ଆପ୍ୟାୟିତ ହୋଇ ପଚାରିଲେ -
ବିଦୁର ଉବାଚ
ସୁଖାୟ କର୍ମାଣି କରୋତି ଲୋକୋ
ନ ତୈଃ ସୁଖଂ ବାନ୍ୟଦୁପାରମଂ ବା ।
ବିନ୍ଦେତ ଭୂୟସ୍ତତ ଏବ ଦୁଃଖଂ
ଯଦତ୍ର ଯୁକ୍ତଂ ଭଗବାନ୍ ବଦେନ୍ନଃ ॥ ୨॥
ବିଦୁର ପଚାରିଲେ – ଭଗବନ୍ ! ସଂସାରରେ ସମସ୍ତେ ସୁଖ-ପ୍ରାପ୍ତି
ନିମନ୍ତେ କର୍ମ କରିଥାଆନ୍ତି; କିନ୍ତୁ ତଦ୍ବାରା ସେମାନଙ୍କୁ ସୁଖ ତ ମିଳି ନ ଥାଏ, ସେମାନଙ୍କର ଦୁଃଖନିବୃତ୍ତି ମଧ୍ୟ ହୋଇ ନ ଥାଏ ବରଂ ଦୁଃଖ ବୃଦ୍ଧି
ହିଁ ହୋଇଥାଏ | ତେଣୁ ଏହି ଦିଗରେ କ’ଣ କରିବା ଉଚିତ୍, କୃପା କରି ଆପଣ ତାହାର ଦିଗଦର୍ଶନ କରାନ୍ତୁ |
ଜନସ୍ୟ କୃଷ୍ଣାଦ୍ୱିମୁଖସ୍ୟ ଦୈବା-
ଦଧର୍ମଶୀଲସ୍ୟ ସୁଦୁଃଖିତସ୍ୟ ।
ଅନୁଗ୍ରହାୟେହ ଚରନ୍ତି ନୂନଂ
ଭୂତାନି ଭବ୍ୟାନି ଜନାର୍ଦନସ୍ୟ ॥ ୩॥
ଦୁର୍ଭାଗ୍ୟବଶତଃ ଯେଉଁମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ବିମୁଖ
ଅଟନ୍ତି, ଅଧର୍ମପରାୟଣ ଏବଂ
ଅତ୍ୟନ୍ତ ଦୁଃଖୀ ଅଟନ୍ତି, ସେମାନଙ୍କ ଉପରେ
କୃପା କରିବା ପାଇଁ ହିଁ ଆପଣମାନଙ୍କ ପରି ଭାଗ୍ୟଶାଳୀ ଭଗବତ୍-ଭକ୍ତମାନେ ସଂସାରରେ ବିଚରଣ
କରୁଥାଆନ୍ତି |
ତତ୍ସାଧୁବର୍ୟାଦିଶ ବର୍ତ୍ମ ଶଂ ନଃ
ସଂରାଧିତୋ ଭଗବାନ୍ ଯେନ ପୁଂସାମ୍ ।
ହୃଦି ସ୍ଥିତୋ ଯଚ୍ଛତି ଭକ୍ତିପୂତେ
ଜ୍ଞାନଂ ସ ତତ୍ତ୍ୱାଧିଗମଂ ପୁରାଣମ୍ ॥ ୪॥
ହେ ସାଧୁଶିରୋମଣି ! ଆପଣ ମୋତେ ସେହି ଶାନ୍ତିପ୍ରଦ ସାଧନର ଉପଦେଶ
ପ୍ରଦାନ କରନ୍ତୁ, ଯାହା ଅନୁଯାୟୀ ଆରାଧନା
କରିବା ଦ୍ବାରା ଭଗବାନ ନିଜ ଭକ୍ତମାନଙ୍କର ଭକ୍ତିପୂତ ହୃଦୟରେ ବିରାଜମାନ କରିଥାଆନ୍ତି ଏବଂ ନିଜ
ସ୍ବରୂପର ଅପରୋକ୍ଷ ଅନୁଭବ କରାଉଥିବା ସନାତନ ଜ୍ଞାନ ସେମାନଙ୍କୁ ପ୍ରଦାନ କରିଥାଆନ୍ତି |
କରୋତି କର୍ମାଣି କୃତାବତାରୋ
ଯାନ୍ୟାତ୍ମତନ୍ତ୍ରୋ ଭଗବାଂସ୍ତ୍ର୍ୟଧୀଶଃ ।
ଯଥା ସସର୍ଜାଗ୍ର ଇଦଂ ନିରୀହଃ
ସଂସ୍ଥାପ୍ୟ ବୃତ୍ତିଂ ଜଗତୋ ବିଧତ୍ତେ ॥ ୫॥
ଯଥା ପୁନଃ ସ୍ୱେ ଖ ଇଦଂ ନିବେଶ୍ୟ
ଶେତେ ଗୁହାୟାଂ ସ ନିବୃତ୍ତବୃତ୍ତିଃ ।
ଯୋଗେଶ୍ୱରାଧୀଶ୍ୱର ଏକ ଏତ-
ଦନୁପ୍ରବିଷ୍ଟୋ ବହୁଧା ଯଥାଽଽସୀତ୍ ॥ ୬॥
ତ୍ରିଲୋକୀର ନିୟନ୍ତା ପରମ ସ୍ବତନ୍ତ୍ର ଶ୍ରୀହରି ଅବତାର ଗ୍ରହଣ କରି
ଯେଉଁ ସବୁ ଲୀଳା କରନ୍ତି; ଅକର୍ତ୍ତା ହୋଇ ମଧ୍ୟ
କଳ୍ପର ପ୍ରାରମ୍ଭରେ ସେ ଯେପରି ସୃଷ୍ଟିର ରଚନା କରନ୍ତି;
ତାହାକୁ ସ୍ଥାପିତ କରି ସେ ଯେପରି ଜଗତର ଜୀବସମୁଦାୟ ପାଇଁ ଜୀବିକାର ବିଧାନ କରନ୍ତି; ତାପରେ ନିଜ ହୃଦୟାକାଶରେ ସବୁ କିଛି ଲୀନ କରି ସେ ଯେପରି ଯୋଗମାୟାର
ଆଶ୍ରୟ ଗ୍ରହଣ କରି ବୃତ୍ତିଶୂନ୍ୟ ହୋଇ ଶୟନ କରନ୍ତି ଏବଂ ଏକ ହୋଇ ମଧ୍ୟ ସେହି ଯୋଗେଶ୍ବର ପ୍ରଭୁ
ଯେପରି ବ୍ରହ୍ମାଣ୍ଡରେ ଅନ୍ତର୍ଯ୍ୟାମୀ ରୂପରେ ଅନୁପ୍ରବିଷ୍ଟ ହୋଇ ଅନେକ ରୂପରେ ପ୍ରକଟ ହୁଅନ୍ତି –
ଏହି ସବୁ ରହସ୍ୟ ଆପଣ ମୋତେ ବୁଝାଇ କହନ୍ତୁ |
କ୍ରୀଡନ୍ୱିଧତ୍ତେ ଦ୍ୱିଜଗୋସୁରାଣାଂ
କ୍ଷେମାୟ କର୍ମାଣ୍ୟବତାରଭେଦୈଃ ।
ମନୋ ନ ତୃପ୍ୟତ୍ୟପି ଶୃଣ୍ୱତାଂ ନଃ
ସୁଶ୍ଲୋକମୌଲେଶ୍ଚରିତାମୃତାନି ॥ ୭॥
ବ୍ରାହ୍ମଣ, ଗୌ ଏବଂ ଦେବତାମାନଙ୍କର କଲ୍ୟାଣ ନିମନ୍ତେ ଅନେକ ଅବତାର ଗ୍ରହଣ କରି ଲୀଳାରେ ହିଁ ସେ ଯେଉଁ ସବୁ ଦିବ୍ୟ କର୍ମ କରିଥାଆନ୍ତି, ତାହା ମଧ୍ୟ ଆପଣ ମୋତେ ଶୁଣାନ୍ତୁ | ଯଶସ୍ବୀମାନଙ୍କର ମୁକୁଟମଣି ଶ୍ରୀହରିଙ୍କର ଲୀଳାମୃତ ପାନ କରି ମୋର ମନ ତୃପ୍ତ ହୁଏନାହିଁ |
ଯୈସ୍ତତ୍ତ୍ୱଭେଦୈରଧିଲୋକନାଥୋ
ଲୋକାନଲୋକାନ୍ ସହ ଲୋକପାଲାନ୍ ।
ଅଚୀକ୍ଲୃପଦ୍ୟତ୍ର ହି ସର୍ୱସତ୍ତ୍ୱ-
ନିକାୟଭେଦୋଽଧିକୃତଃ ପ୍ରତୀତଃ ॥ ୮॥
ମୋତେ ଏହା ମଧ୍ୟ ଶୁଣାନ୍ତୁ ଯେ ଲୋକପତିମାନଙ୍କର ସ୍ବାମୀ ଶ୍ରୀହରି
ଏହିସବୁ ଲୋକ, ଲୋକପାଳ ଏବଂ
ଲୋକାଲୋକ ଜଗତର ବାହ୍ୟ ଭାଗ, ଯେଉଁଠାରେ ସମସ୍ତ
ପ୍ରକାରର ପ୍ରାଣୀମାନଙ୍କ ମଧ୍ୟରେ ଅଧିକାର ଅନୁସାରେ ଭିନ୍ନ ଭିନ୍ନ ଭେଦ ପ୍ରତୀତ ହୋଇଥାଏ, କେଉଁ ତତ୍ତ୍ବରୁ ରଚନା କରିଥିଲେ |
ଯେନ ପ୍ରଜାନାମୁତ ଆତ୍ମକର୍ମ-
ରୂପାଭିଧାନାଂ ଚ ଭିଦାଂ ବ୍ୟଧତ୍ତ ।
ନାରାୟଣୋ ବିଶ୍ୱସୃଗାତ୍ମୟୋନି-
ରେତଚ୍ଚ ନୋ ବର୍ଣୟ ବିପ୍ରବର୍ୟ ॥ ୯॥
ପରାବରେଷାଂ ଭଗବନ୍ୱ୍ରତାନି
ଶ୍ରୁତାନି ମେ ବ୍ୟାସମୁଖାଦଭୀକ୍ଷ୍ଣମ୍ ।
ଅତୃପ୍ନୁମ କ୍ଷୁଲ୍ଲସୁଖାବହାନାଂ
ତେଷାମୃତେ କୃଷ୍ଣକଥାମୃତୌଘାତ୍ ॥ ୧୦॥
ହେ ଦ୍ବିଜବର ! ସେହି ବିଶ୍ବକର୍ତ୍ତା ସ୍ବୟମ୍ଭୂ ଶ୍ରୀନାରାୟଣ ସ୍ବଭାବ, କର୍ମ, ରୂପ ଓ ନାମ ଭେଦରେ
ନିଜ ପ୍ରଜାମାନଙ୍କର ରଚନା କିପରି କଲେ ? ଶ୍ରୀ ବ୍ୟାସଦେବଙ୍କ ମୁଖରୁ ମୁଁ ଉଚ୍ଚ-ନୀଚ ବର୍ଣ୍ଣର
ଧର୍ମ ବିଷୟରେ ଅନେକ ଥର ଶୁଣିଛି | କିନ୍ତୁ ଏବେ ଶ୍ରୀକୃଷ୍ଣ-କଥାମୃତର
ପ୍ରବାହ ବ୍ୟତିତ ଅନ୍ୟ ସ୍ବଳ୍ପସୁଖଦାୟକ ଧର୍ମ ପ୍ରତି ମୋର ଚିତ୍ତରେ ଅଶ୍ରଦ୍ଧା ଉତ୍ପନ୍ନ ହୋଇଛି |
କସ୍ତୃପ୍ନୁୟାତ୍ତୀର୍ଥପଦୋଽଭିଧାନା-
ତ୍ସତ୍ରେଷୁ ବଃ ସୂରିଭିରୀଡ୍ୟମାନାତ୍ ।
ଯଃ କର୍ଣନାଡୀଂ ପୁରୁଷସ୍ୟ ଯାତୋ
ଭବପ୍ରଦାଂ ଗେହରତିଂ ଛିନତ୍ତି ॥ ୧୧॥
ସେହି ତୀର୍ଥପାଦ ଶ୍ରୀହରିଙ୍କ ଗୁଣାନୁବାଦରେ କିଏ ଅବା ତୃପ୍ତ ହେଉଥିବ
? ନାରଦାଦି ମହାତ୍ମାଗଣ ତ ଆପଣମାନଙ୍କ ପରି ସାଧୁ-ସମାଜରେ ତାଙ୍କର କୀର୍ତ୍ତନ କରୁଥାଆନ୍ତି |
ମନୁଷ୍ୟର କର୍ଣରନ୍ଧ୍ରରେ ଯେତେବେଳେ ତାହା ପ୍ରବେଶ କରିଥାଏ,
ସେତେବେଳେ ତାହା ସଂସାରଚକ୍ରରେ ଘୂରାଉଥିବା ସେମାନଙ୍କର ଘର-ଗୃହସ୍ଥୀର ଆସକ୍ତିକୁ ଛିନ୍ନ କରିଦେଇ
ଥାଏ |
ମୁନିର୍ୱିବକ୍ଷୁର୍ଭଗବଦ୍ଗୁଣାନାଂ
ସଖାପି ତେ ଭାରତମାହ କୃଷ୍ଣଃ ।
ଯସ୍ମିନ୍ନୃଣାଂ ଗ୍ରାମ୍ୟସୁଖାନୁବାଦୈ-
ର୍ମତିର୍ଗୃହୀତା ନୁ ହରେଃ କଥାୟାମ୍ ॥ ୧୨॥
ଭଗବନ୍ ! ଆପଣଙ୍କର ସଖା ମୁନିବର କୃଷ୍ଣଦ୍ବୈପାୟନ ମଧ୍ୟ ଭଗବାନଙ୍କ
ଗୁଣର ବର୍ଣ୍ଣନା କରିବା ଇଚ୍ଛାରେ ହିଁ ମହାଭାରତ ରଚନା କରିଛନ୍ତି | ସେଥିରେ ବିଷୟସୁଖର ଉଲ୍ଲେଖ
କରାଯାଇଥିବା ସହିତ ମନୁଷ୍ୟର ବୁଦ୍ଧିକୁ ଭଗବାନଙ୍କ କଥାରେ ଲଗାଇବା ନିମନ୍ତେ ପ୍ରଯତ୍ନ କରାଯାଇଛି
|
ସା ଶ୍ରଦ୍ଦଧାନସ୍ୟ ବିବର୍ଧମାନା
ବିରକ୍ତିମନ୍ୟତ୍ର କରୋତି ପୁଂସଃ ।
ହରେଃ ପଦାନୁସ୍ମୃତିନିର୍ୱୃତସ୍ୟ
ସମସ୍ତଦୁଃଖାପ୍ୟଯମାଶୁ ଧତ୍ତେ ॥ ୧୩॥
ଶ୍ରଦ୍ଧାଳୁ ପୁରୁଷଙ୍କ ହୃଦୟରେ ଯେତେବେଳେ ଭଗବତ୍-କଥା ପ୍ରତି ରୁଚି
ବୃଦ୍ଧି ଲାଭ କରିଥାଏ, ସେତେବେଳେ ତାହା
ସେମାନଙ୍କୁ ଅନ୍ୟ ବିଷୟରୁ ବିରକ୍ତ କରିଦେଇ ଥାଏ | ଭଗବତ୍-ଚରଣର ନିରନ୍ତର ଚିନ୍ତନରେ ସେମାନଙ୍କର
ହୃଦୟ ଆନନ୍ଦମଗ୍ନ ରହିଥାଏ ଏବଂ ତଦ୍ବାରା ସେମାନଙ୍କର ସମସ୍ତ ଦୁଃଖର ତତ୍କାଳ ଅନ୍ତ ହୋଇଯାଏ |
ତାଞ୍ଛୋଚ୍ୟଶୋଚ୍ୟାନବିଦୋଽନୁଶୋଚେ
ହରେଃ କଥାୟାଂ ବିମୁଖାନଘେନ ।
କ୍ଷିଣୋତି ଦେବୋଽନିମିଷସ୍ତୁ ଯେଷା-
ମାୟୁର୍ୱୃଥା ବାଦଗତିସ୍ମୃତୀନାମ୍ ॥ ୧୪॥
ମୋ ମନରେ ତ ସେହି ଶୋଚନୀୟଠାରୁ ମଧ୍ୟ ଅଧିକ ଶୋଚନୀୟ ଅଜ୍ଞାନୀ
ପୁରୁଷମାନଙ୍କ ପାଇଁ ଅତିଶୟ ଖେଦ ଜାତ ହୋଇଥାଏ,
ଯେଉଁମାନେ ନିଜର ପୂର୍ବକୃତ ପାପକର୍ମ ଯୋଗୁଁ ଶ୍ରୀହରିଙ୍କ କଥା ପ୍ରତି ବିମୁଖ ରହିଥାଆନ୍ତି |
ହାୟ ! କାଳଭଗବାନ ସେମାନଙ୍କର ଅମୂଲ୍ୟ ଜୀବନକୁ ସମାପ୍ତ କରି ଚାଲିଛନ୍ତି; ଅଥଚ ସେମାନେ ଶରୀର-ମନ-ବାଣୀରେ ବୃଥା ବାଦ-ବିବାଦ, ବୃଥା ଚେଷ୍ଟା ଏବଂ ବୃଥା ଚିନ୍ତନରେ ଲିପ୍ତ ରହିଛନ୍ତି |
ତଦସ୍ୟ କୌଷାରବ ଶର୍ମ ଦାତୁ-
ର୍ହରେଃ କଥାମେବ କଥାସୁ ସାରମ୍ ।
ଉଦ୍ଧୃତ୍ୟ ପୁଷ୍ପେଭ୍ୟ ଇବାର୍ତବନ୍ଧୋ
ଶିବାୟ ନଃ କୀର୍ତୟ ତୀର୍ଥକୀର୍ତେଃ ॥ ୧୫॥
ହେ ମୈତ୍ରେୟଜୀ ! ଆପଣ ଦୀନମାନଙ୍କ ପ୍ରତି କୃପା କରିଥାଆନ୍ତି | ଭ୍ରମର ଫୁଲମାନଙ୍କରୁ ରସ ଶୋଷିଵା ପରି ଆପଣ
ଲୌକିକ କଥାମାନଙ୍କରୁ ସେମାନଙ୍କର ସାରଭୂତ ପରମ କଲ୍ୟାଣକାରୀ ପବିତ୍ରକୀର୍ତ୍ତି ଶ୍ରୀହରିଙ୍କର
କଥା ଚୟନ କରି ମୋର କଲ୍ୟାଣ ନିମନ୍ତେ ମୋତେ ଶୁଣାନ୍ତୁ |
ସ ବିଶ୍ୱଜନ୍ମସ୍ଥିତିସଂୟମାର୍ଥେ
କୃତାବତାରଃ ପ୍ରଗୃହୀତଶକ୍ତିଃ ।
ଚକାର କର୍ମାଣ୍ୟତିପୂରୁଷାଣି
ଯାନୀଶ୍ୱରଃ କୀର୍ତୟ ତାନି ମହ୍ୟମ୍ ॥ ୧୬॥
ସଂସାରର ଉତ୍ପତ୍ତି,
ସ୍ଥିତି, ସଂହାର ନିମନ୍ତେ
ସେହି ସର୍ବେଶ୍ବର ନିଜ ମାୟାଶକ୍ତିକୁ ସ୍ବୀକାର କରି ରାମ-କୃଷ୍ଣ ଆଦି ଅବତାରରେ ଯେଉଁସବୁ ଅଲୌକିକ
ଲୀଳା କରିଥିଲେ, ମୋତେ ତାହା
ଶୁଣାଇବାକୁ କୃପା କରନ୍ତୁ |
ଶ୍ରୀଶୁକ ଉବାଚ
ସ ଏବଂ ଭଗବାନ୍ ପୃଷ୍ଟଃ କ୍ଷତ୍ତ୍ରା କୌଷାରବିର୍ମୁନିଃ ।
ପୁଂସାଂ ନିଃଶ୍ରେୟସାର୍ଥେନ ତମାହ ବହୁମାନୟନ୍ ॥ ୧୭॥
ଶ୍ରୀ ଶୁକଦେବ କହୁଛନ୍ତି – ଜୀବକଲ୍ୟାଣ ନିମନ୍ତେ ବିଦୁରଜୀ ଯେଉଁସବୁ
ପ୍ରଶ୍ନ ପଚାରି ଥିଲେ, ତାହାର ଭୂରି ଭୂରି
ପ୍ରଶଂସା କରି ମୁନିଶ୍ରେଷ୍ଠ ଭଗବନ୍ ମୈତ୍ରେୟଜୀ ତାଙ୍କୁ ଏହିପରି କହିଥିଲେ |
ମୈତ୍ରେୟ ଉବାଚ
ସାଧୁ ପୃଷ୍ଟଂ ତ୍ୱୟା ସାଧୋ ଲୋକାନ୍ ସାଧ୍ୱନୁଗୃହ୍ଣତା ।
କୀର୍ତିଂ ବିତନ୍ୱତା ଲୋକେ ଆତ୍ମନୋଽଧୋକ୍ଷଜାତ୍ମନଃ ॥ ୧୮॥
ଶ୍ରୀ ମୈତ୍ରେୟ କହିଲେ – ହେ ସାଧୁସ୍ବଭାବ ବିଦୁରଜୀ ! ଆପଣ
ଜୀବସମୁଦାୟ ଉପରେ ଅନୁଗ୍ରହ କରିବାକୁ ଯାଇ ଅତ୍ୟନ୍ତ ସୁନ୍ଦର ପ୍ରଶ୍ନ କରିଛନ୍ତି | ଆପଣଙ୍କର
ଚିତ୍ତ ତ ସଦା ସର୍ବଦା ଭଗବାନଙ୍କଠାରେ ସଂଲଗ୍ନ ରହିଥାଏ;
ଏହାଦ୍ବାରା ସଂସାରରେ ଆପଣଙ୍କର ସୁଯଶ ପରିବ୍ୟାପ୍ତ ହେବ |
ନୈତଚ୍ଚିତ୍ରଂ ତ୍ୱୟି କ୍ଷତ୍ତର୍ବାଦରାୟଣବୀର୍ୟଜେ ।
ଗୃହୀତୋଽନନ୍ୟଭାବେନ ଯତ୍ତ୍ୱୟା ହରିରୀଶ୍ୱରଃ ॥ ୧୯॥
ଆପଣ ଶ୍ରୀବ୍ୟାସଜୀଙ୍କ ଔରସ-ଜାତ ପୁତ୍ର ଅଟନ୍ତି; ତେଣୁ ଅନନ୍ୟ ଭାବରେ
ସର୍ବେଶ୍ବର ଶ୍ରୀହରିଙ୍କର ଆଶ୍ରିତ ହୋଇଯିବା, ଏହା ଆପଣଙ୍କ ପକ୍ଷରେ କିଛି ବଡ କଥା ନୁହେଁ |
ମାଣ୍ଡବ୍ୟଶାପାଦ୍ଭଗବାନ୍ ପ୍ରଜାସଂୟମନୋ ଯମଃ ।
ଭ୍ରାତୁଃ କ୍ଷେତ୍ରେ ଭୁଜିଷ୍ୟାୟାଂ ଜାତଃ ସତ୍ୟବତୀସୁତାତ୍ ॥ ୨୦॥
ଆପଣ ପ୍ରଜାଙ୍କ ନିମନ୍ତେ ଦଣ୍ଡବିଧାନ କରୁଥିବା ଭଗବାନ ଯମ ହିଁ
ଅଟନ୍ତି | ମାଣ୍ଡବ୍ୟ ଋଷିଙ୍କ ଅଭିଶାପରୁ ହିଁ ଆପଣ ଶ୍ରୀବ୍ୟାସଜୀଙ୍କ ବୀର୍ଯ୍ୟରୁ ତାଙ୍କ ଭାଇ
ବିଚିତ୍ରବୀର୍ଯ୍ୟଙ୍କର ଭୋଗପତ୍ନୀ ଦାସୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଛନ୍ତି |
ଭବାନ୍ଭଗବତୋ ନିତ୍ୟଂ ସମ୍ମତଃ ସାନୁଗସ୍ୟ ହ ।
ଯସ୍ୟ ଜ୍ଞାନୋପଦେଶାୟ ମାଽଽଦିଶଦ୍ଭଗବାନ୍ ବ୍ରଜନ୍ ॥ ୨୧॥
ଆପଣ ସର୍ବଦା ଭଗବାନ ଏବଂ ତାଙ୍କ ଭକ୍ତମାନଙ୍କର ଅତ୍ୟନ୍ତ ପ୍ରିୟ
ଅଟନ୍ତି; ସେଥିପାଇଁ ଭଗବାନ ସ୍ବଧାମକୁ ପ୍ରସ୍ଥାନ କରୁଥିବା ସମୟରେ ଆପଣଙ୍କୁ ଜ୍ଞାନୋପଦେଶ ଦେବା
ପାଇଁ ମୋତେ ଆଜ୍ଞା ଦେଇଥିଲେ |
ଅଥ ତେ ଭଗବଲ୍ଲୀଲାୟୋଗମାୟୋରୁବୃଂହିତାଃ ।
ବିଶ୍ୱସ୍ଥିତ୍ୟୁଦ୍ଭବାନ୍ତାର୍ଥା ବର୍ଣୟାମ୍ୟନୁପୂର୍ୱଶଃ ॥ ୨୨॥
ସେଥିପାଇଁ ଏବେ ମୁଁ ଜଗତର ଉତ୍ପତ୍ତି, ସ୍ଥିତି ଏବଂ ଲୟ ନିମନ୍ତେ ଯୋଗମାୟା ଦ୍ବାରା ବିସ୍ତାରିତ ଭଗବାନଙ୍କର
ବିଭିନ୍ନ ଲୀଳାମାନଙ୍କର କ୍ରମଶଃ ବର୍ଣ୍ଣନା କରିବାକୁ ଯାଉଛି |
ଭଗବାନେକ ଆସେଦମଗ୍ର ଆତ୍ମାଽଽତ୍ମନାଂ ବିଭୁଃ ।
ଆତ୍ମେଚ୍ଛାନୁଗତାବାତ୍ମା ନାନାମତ୍ୟୁପଲକ୍ଷଣଃ ॥ ୨୩॥
ସୃଷ୍ଟିରଚନା ପୂର୍ବରୁ ସମସ୍ତ ଆତ୍ମାଙ୍କର ଆତ୍ମା ଏକ ପୂର୍ଣ୍ଣ
ପରମାତ୍ମା ହିଁ ଥିଲେ – ଦ୍ରଷ୍ଟା ନ ଥିଲେ କି ଦୃଶ୍ୟ ନ ଥିଲା | ସୃଷ୍ଟିକାଳରେ ଅନେକ ବୃତ୍ତି
ଭେଦରେ ଯେଉଁ ଅନେକତା ଦେଖା ଯାଇଥିଲା, ତାହା ସେ ହିଁ ଥିଲେ; କାରଣ ସେ ଏକାକୀ ରହିବାକୁ ଇଚ୍ଛା କରିଥିଲେ |
ସ ବା ଏଷ ତଦା ଦ୍ରଷ୍ଟା ନାପଶ୍ୟଦ୍ଦୃଶ୍ୟମେକରାଟ୍ ।
ମେନେଽସନ୍ତମିବାତ୍ମାନଂ ସୁପ୍ତଶକ୍ତିରସୁପ୍ତଦୃକ୍ ॥ ୨୪॥
ସେ ହିଁ ଦ୍ରଷ୍ଟା ହୋଇ ଦେଖିବାରେ ଲାଗିଲେ, କିନ୍ତୁ ତାଙ୍କୁ କିଛି ଦୃଶ୍ୟ ହେଲାନାହିଁ; କାରଣ ସେହି ସମୟରେ ସେ ହିଁ ଅଦ୍ବିତୀୟ ରୂପରେ ସର୍ବତ୍ର ପ୍ରକାଶିତ
ହେଉଥିଲେ | ଏପରି ଅବସ୍ଥାରେ ନିଜକୁ ସେ ଅସତ୍ ମନେ କରିବାରେ ଲାଗିଥିଲେ | ବସ୍ତୁତଃ ସେ ଅସତ୍ ନ
ଥିଲେ, କାରଣ ତାଙ୍କର
ଶକ୍ତିସମୂହ ସୁପ୍ତ ଥିଲା, ଜ୍ଞାନର ବିଲୋପ ହୋଇ
ନ ଥିଲା |
ସା ବା ଏତସ୍ୟ ସନ୍ଦ୍ରଷ୍ଟୁଃ ଶକ୍ତିଃ ସଦସଦାତ୍ମିକା ।
ମାୟା ନାମ ମହାଭାଗ ଯୟେଦଂ ନିର୍ମମେ ବିଭୁଃ ॥ ୨୫॥
ଏହି ଦ୍ରଷ୍ଟା ଏବଂ ଦୃଶ୍ୟର ଅନୁସନ୍ଧାନକାରୀ ଶକ୍ତି ହିଁ
କାର୍ଯ୍ୟକାରଣରୂପା ମାୟା ଅଟେ | ମହାଭାଗ ବିଦୁରଜୀ ! ଏହି ଭାବାଭାବରୂପ ଅନିର୍ବଚନୀୟ ମାୟା
ଦ୍ବାରା ହିଁ ଭଗବାନ ଏହି ବିଶ୍ବର ନିର୍ମାଣ କରିଛନ୍ତି |
କାଲବୃତ୍ତ୍ୟା ତୁ ମାୟାୟାଂ ଗୁଣମୟ୍ୟାମଧୋକ୍ଷଜଃ ।
ପୁରୁଷେଣାତ୍ମଭୂତେନ ବୀର୍ୟମାଧତ୍ତ ବୀର୍ୟବାନ୍ ॥ ୨୬॥
କାଳଶକ୍ତି ବଳରେ ଯେତେବେଳେ ଏହି ତ୍ରିଗୁଣମୟୀ ମାୟା କ୍ଷୋଭକୁ
ପ୍ରାପ୍ତ ହୋଇଥିଲା, ସେତେବେଳେ ସେହି
ଇନ୍ଦ୍ରିୟାତୀତ ଚିନ୍ମୟ ପରମାତ୍ମା ନିଜ ଅଂଶ ପୁରୁଷରୂପରେ ସେଥିରେ ଚିଦାଭାସରୂପ ବୀଜ ସ୍ଥାପିତ
କଲେ |
ତତୋଽଭବନ୍ମହତ୍ତତ୍ତ୍ୱମବ୍ୟକ୍ତାତ୍କାଲଚୋଦିତାତ୍ ।
ବିଜ୍ଞାନାତ୍ମାଽଽତ୍ମଦେହସ୍ଥଂ ବିଶ୍ୱଂ ବ୍ୟଞ୍ଜଂସ୍ତମୋନୁଦଃ ॥ ୨୭॥
ତାପରେ କାଳର ପ୍ରେରଣାରେ ସେହି ଅବ୍ୟକ୍ତ ମାୟାରୁ ମହତ୍ତତ୍ତ୍ବ ପ୍ରକଟ
ହେଲା | ତାହା ମିଥ୍ୟା ଅଜ୍ଞାନର ନାଶକ ହୋଇଥିବା କାରଣରୁ ବିଜ୍ଞାନସ୍ବରୂପ ଏବଂ ନିଜଠାରୁ
ସୂକ୍ଷ୍ମ ରୂପରେ ସ୍ଥିତ ପ୍ରପଞ୍ଚର ଅଭିବ୍ୟକ୍ତି କରାଇ ଥାଏ |
ସୋଽପ୍ୟଂଶଗୁଣକାଲାତ୍ମା ଭଗବଦ୍ଦୃଷ୍ଟିଗୋଚରଃ ।
ଆତ୍ମାନଂ ବ୍ୟକରୋଦାତ୍ମା ବିଶ୍ୱସ୍ୟାସ୍ୟ ସିସୃକ୍ଷୟା ॥ ୨୮॥
ତତ୍ ପଶ୍ଚାତ୍ ଭଗବାନଙ୍କର ଦୃଷ୍ଟି ପଡିବା ମାତ୍ରେ ଚିଦାଭାସ, ଗୁଣ ଏବଂ କାଳର ଅଧୀନସ୍ତ ସେହି ମହତ୍ତତ୍ତ୍ବ ବିଶ୍ବ ରଚନା ନିମନ୍ତେ
ନିଜକୁ ରୂପାନ୍ତରିତ କଲା |
ମହତ୍ତତ୍ତ୍ୱାଦ୍ୱିକୁର୍ୱାଣାଦହନ୍ତତ୍ତ୍ୱଂ ବ୍ୟଜାୟତ ।
କାର୍ୟକାରଣକର୍ତ୍ରାତ୍ମା ଭୂତେନ୍ଦ୍ରିୟମନୋମୟଃ ॥ ୨୯॥
ମହତ୍ତତ୍ତ୍ବ ବିକୃତ ହେବାରୁ ଅହଂକାରର ଉତ୍ପତ୍ତି ହେଲା, ଯାହା କାର୍ଯ୍ୟ (ଅଧିଭୂତ), କାରଣ (ଅଧ୍ୟାତ୍ମ) ଏବଂ କର୍ତ୍ତା
(ଅଧିଦେବ) ରୂପ ହୋଇଥିବା କାରଣରୁ ଭୂତ, ଇନ୍ଦ୍ରିୟ ଓ ମନର
କାରଣ ଅଟେ |
ବୈକାରିକସ୍ତୈଜସଶ୍ଚ ତାମସଶ୍ଚେତ୍ୟହଂ ତ୍ରିଧା ।
ଅହନ୍ତତ୍ତ୍ୱାଦ୍ୱିକୁର୍ୱାଣାନ୍ମନୋ ବୈକାରିକାଦଭୂତ୍ ।
ବୈକାରିକାଶ୍ଚ ଯେ ଦେବା ଅର୍ଥାଭିବ୍ୟଞ୍ଜନଂ ଯତଃ ॥ ୩୦॥
ସେହି ଅହଂକାର ବୈକାରିକ (ସାତ୍ତ୍ବିକ), ତୈଜସ (ରାଜସ) ଏବଂ ତାମସ
ଭେଦରେ ତିନି ପ୍ରକାରର ଅଟେ | ସୁତରାଂ ଅହଂତତ୍ତ୍ବରେ ବିକାର ହୋଇ ବୈକାରିକ ଅହଂକାରରୁ ମନ ଏବଂ
ଯାହା ଦ୍ବାରା ବିଷୟର ଜ୍ଞାନ ହୋଇଥାଏ ସେହି ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତା ଦେବତା ଉତ୍ପନ୍ନ
ହେଲେ |
ତୈଜସାନୀନ୍ଦ୍ରିୟାଣ୍ୟେବ ଜ୍ଞାନକର୍ମମୟାନି ଚ ।
ତାମସୋ ଭୂତସୂକ୍ଷ୍ମାଦିର୍ୟତଃ ଖଂ ଲିଙ୍ଗମାତ୍ମନଃ ॥ ୩୧॥
ତୈଜସ ଅହଂକାରରୁ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଉତ୍ପନ୍ନ ହେଲେ
ଏବଂ ତାମସ ଅହଂକାରରୁ ସୂକ୍ଷ୍ମଭୂତମାନଙ୍କର କାରଣ ଶବ୍ଦତନ୍ମାତ୍ରା ଏବଂ ସେଥିରୁ
ଦୃଷ୍ଟାନ୍ତରୂପରେ ଆତ୍ମାର ବୋଧ କରାଉଥିବା ଆକାଶ ଉତ୍ପନ୍ନ ହେଲା |
କାଲମାୟାଂଶୟୋଗେନ ଭଗବଦ୍ୱୀକ୍ଷିତଂ ନଭଃ ।
ନଭସୋଽନୁସୃତଂ ସ୍ପର୍ଶଂ ବିକୁର୍ୱନ୍ନିର୍ମମେଽନିଲମ୍ ॥ ୩୨॥
ଭଗବାନଙ୍କ ଦୃଷ୍ଟି ଆକାଶ ଉପରେ ପଡିବାରୁ କାଳ, ମାୟା ଏବଂ ଚିଦାଭାସର ସଂଯୋଗରୁ ସ୍ପର୍ଶତନ୍ମାତ୍ରା ସୃଷ୍ଟି ହେଲା
ଏବଂ ତାହା ବିକୃତ ହେବା ଫଳରେ ସେଥିରୁ ବାୟୁ ଉତ୍ପନ୍ନ ହେଲା |
ଅନିଲୋଽପି ବିକୁର୍ୱାଣୋ ନଭସୋରୁବଲାନ୍ୱିତଃ ।
ସସର୍ଜ ରୂପତନ୍ମାତ୍ରଂ ଜ୍ୟୋତିର୍ଲୋକସ୍ୟ ଲୋଚନମ୍ ॥ ୩୩॥
ଅତ୍ୟନ୍ତ ବଲବାନ୍ ବାୟୁ ଆକାଶ ସହିତ ବିକୃତ ହୋଇ ରୂପତନ୍ମାତ୍ରାର
ରଚନା କଲା ଏବଂ ସେଥିରୁ ସଂସାରର ପ୍ରକାଶକ ତେଜ ଉତ୍ପନ୍ନ ହେଲା |
ଅନିଲେନାନ୍ୱିତଂ ଜ୍ୟୋତିର୍ୱିକୁର୍ୱତ୍ପରବୀକ୍ଷିତମ୍ ।
ଆଧତ୍ତାମ୍ଭୋ ରସମୟଂ କାଲମାୟାଂଶୟୋଗତଃ ॥ ୩୪॥
ପୁନଶ୍ଚ, ପରମାତ୍ମାଙ୍କର ଦୃଷ୍ଟି ପଡି ବାୟୁଯୁକ୍ତ ତେଜ କାଳ, ମାୟା ଏବଂ ଚିଦଂଶର ସଂଯୋଗରେ ବିକୃତ ହୋଇ ରସତନ୍ମାତ୍ରାର
କାର୍ଯ୍ୟରୂପ ଜଳ ଉତ୍ପନ୍ନ କଲା |
ଜ୍ୟୋତିଷାମ୍ଭୋଽନୁସଂସୃଷ୍ଟଂ ବିକୁର୍ୱଦ୍ବ୍ରହ୍ମବୀକ୍ଷିତମ୍ ।
ମହୀଂ ଗନ୍ଧଗୁଣାମାଧାତ୍କାଲମାୟାଂଶୟୋଗତଃ ॥ ୩୫॥
ତଦନନ୍ତର ବ୍ରହ୍ମଙ୍କ ଦୃଷ୍ଟିପାତର ଫଳସ୍ବରୂପ କାଳ, ମାୟା ଏବଂ ଚିଦଂଶର ସଂଯୋଗରେ ତେଜଯୁକ୍ତ ଜଳରୁ ଗନ୍ଧଗୁଣମୟୀ ପୃଥିବୀ
ଉତ୍ପନ୍ନ ହେଲା |
ଭୂତାନାଂ ନଭ ଆଦୀନାଂ ଯଦ୍ୟଦ୍ଭବ୍ୟାବରାବରମ୍ ।
ତେଷାଂ ପରାନୁସଂସର୍ଗାଦ୍ୟଥା ସଙ୍ଖ୍ୟଂ ଗୁଣାନ୍ ବିଦୁଃ ॥ ୩୬॥
ହେ ବିଦୁରଜୀ ! ଆକାଶାଦି ଏହି ଭୂତମାନଙ୍କ ମଧ୍ୟରୁ ଯେଉଁ ଯେଉଁ ଭୂତ
ପରେ ପରେ ଉତ୍ପନ୍ନ ହେଲେ, ସେମାନଙ୍କଠାରେ
କ୍ରମଶଃ ପୂର୍ବ ଭୂତମାନଙ୍କର ଗୁଣ ମଧ୍ୟ ଅନୁଗତ ରହିଥାଏ |
ଏତେ ଦେବାଃ କଲା ବିଷ୍ଣୋଃ କାଲମାୟାଂଶଲିଙ୍ଗିନଃ ।
ନାନାତ୍ୱାତ୍ସ୍ୱକ୍ରିୟାନୀଶାଃ ପ୍ରୋଚୁଃ ପ୍ରାଞ୍ଜଲୟୋ ବିଭୁମ୍ ॥ ୩୭॥
ଏହି ମହତ୍ତତ୍ତ୍ବାଦି ଅଭିମାନୀ ବିକାର, ବିକ୍ଷେପ ଏବଂ
ଚେତନାଂଶବିଶିଷ୍ଟ ଦେବଗଣ ଶ୍ରୀଭଗବାନଙ୍କର ହିଁ ଅଂଶ ଅଟନ୍ତି | କିନ୍ତୁ ପୃଥକ୍ ପୃଥକ୍ ରହିଥିବା
କାରଣରୁ ସେମାନେ ଯେତେବେଳେ ବିଶ୍ବରଚନାରୂପ ନିଜ କାର୍ଯ୍ୟରେ ସଫଳ ହୋଇ ପାରିଲେ ନାହିଁ, ସେତେବେଳେ ସେମାନେ ଯୋଡହସ୍ତପୂର୍ବକ ଭଗବାନଙ୍କୁ କହିବାରେ ଲାଗିଲେ -
ଦେବା ଊଚୁଃ
ନମାମ ତେ ଦେବପଦାରବିନ୍ଦଂ
ପ୍ରପନ୍ନତାପୋପଶମାତପତ୍ରମ୍ ।
ଯନ୍ମୂଲକେତା ଯତୟୋଽଞ୍ଜସୋରୁ-
ସଂସାରଦୁଃଖଂ ବହିରୁତ୍କ୍ଷିପନ୍ତି ॥ ୩୮॥
ଦେବତାମାନେ କହିଲେ – ହେ ଦେବ ! ଆମ୍ଭେମାନେ ଆପଣଙ୍କ ଚରଣ-କମଳର
ବନ୍ଦନା କରୁଛୁ | ଶରଣାଗତ ଜୀବର ତାପ ଦୂର କରିବା ପାଇଁ ଏହା ଛତ୍ର ସଦୃଶ ଅଟେ | ଏହାର ଆଶ୍ରୟ
ଗ୍ରହଣ କରି ଯତିଜନ ଅନନ୍ତ ସଂସାର-ଦୁଃଖକୁ ସୁଗମତାପୂର୍ବକ ଦୂରୀଭୂତ କରିପାରନ୍ତି |
ଧାତର୍ୟଦସ୍ମିନ୍ ଭବ ଈଶ ଜୀବା-
ସ୍ତାପତ୍ରୟେଣୋପହତା ନ ଶର୍ମ ।
ଆତ୍ମନ୍ ଲଭନ୍ତେ ଭଗବଂସ୍ତବାଙ୍ଘ୍ରି-
ଚ୍ଛାୟାଂ ସବିଦ୍ୟାମତ ଆଶ୍ରୟେମ ॥ ୩୯॥
ହେ ଜଗତ୍-କର୍ତ୍ତା ଜଗଦୀଶ୍ବର ! ଏହି ସଂସାରର ତାପତ୍ରୟରେ ବ୍ୟାକୁଳିତ
ରହିଥିବା କାରଣରୁ ଜୀବକୁ ତିଳେ ମାତ୍ର ଶାନ୍ତି ମିଳି ନ ଥାଏ | ସେଥିପାଇଁ ହେ ଭଗବନ୍ ! ଆମେ
ଆପଣଙ୍କ ଚରଣ-ରୂପୀ ଜ୍ଞାନମୟୀ ଛାୟାର ଆଶ୍ରୟ ଗ୍ରହଣ କରୁଛୁ |
ମାର୍ଗନ୍ତି ଯତ୍ତେ ମୁଖପଦ୍ମନୀଡୈ-
ଶ୍ଛନ୍ଦଃସୁପର୍ଣୈରୃଷୟୋ ବିବିକ୍ତେ ।
ଯସ୍ୟାଘମର୍ଷୋଦସରିଦ୍ୱରାୟାଃ
ପଦଂ ପଦଂ ତୀର୍ଥପଦଃ ପ୍ରପନ୍ନାଃ ॥ ୪୦॥
ମୁନିଜନ ଏକାନ୍ତ ସ୍ଥାନରେ ବାସ କରି ଆପଣଙ୍କ ମୁଖକମଳର ଆଶ୍ରୟ ଗ୍ରହଣ
କରିଥିବା ବେଦମନ୍ତ୍ରରୂପ ପକ୍ଷୀମାନଙ୍କ ଦ୍ବାରା ଯାହାର ଅନୁସନ୍ଧାନ କରୁଥାଆନ୍ତି ତଥା ଯିଏ
ସମସ୍ତ ପାପନାଶିନୀ ନଦୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଶ୍ରୀଗଙ୍ଗାଜୀଙ୍କର ଉଦଗମସ୍ଥାନ ଅଟେ, ଆପଣଙ୍କର ସେହି ପରମ ପାବନ ପାଦପଦ୍ମର ଆମେ ଆଶ୍ରୟ ଗ୍ରହଣ କରୁଛୁ |
ଯଚ୍ଛ୍ରଦ୍ଧୟା ଶ୍ରୁତବତ୍ୟା ଚ ଭକ୍ତ୍ୟା
ସମ୍ମୃଜ୍ୟମାନେ ହୃଦୟେଽବଧାୟ ।
ଜ୍ଞାନେନ ବୈରାଗ୍ୟବଲେନ ଧୀରା
ବ୍ରଜେମ ତତ୍ତେଽଙ୍ଘ୍ରିସରୋଜପୀଠମ୍ ॥ ୪୧॥
ଆମେ ଆପଣଙ୍କ ଚରଣକମଳ-ସ୍ଥାପିତ ସେହି ଆସନର ଆଶ୍ରୟ ଗ୍ରହଣ କରୁଛୁ,
ଯାହାକୁ ଭକ୍ତଜନ ଶ୍ରଦ୍ଧା ଏବଂ ଶ୍ରବଣ-କୀର୍ତ୍ତନାଦି ଭକ୍ତି ଦ୍ବାରା ପରିମାର୍ଜିତ ଅନ୍ତଃକରଣରେ
ଧାରଣ କରି ବୈରାଗ୍ୟପୁଷ୍ଟ ଜ୍ଞାନ ଦ୍ବାରା ଧୀର ହୋଇଯାଆନ୍ତି |
ବିଶ୍ୱସ୍ୟ ଜନ୍ମସ୍ଥିତିସଂୟମାର୍ଥେ
କୃତାବତାରସ୍ୟ ପଦାମ୍ବୁଜଂ ତେ ।
ବ୍ରଜେମ ସର୍ୱେ ଶରଣଂ ଯଦୀଶ
ସ୍ମୃତଂ ପ୍ରୟଚ୍ଛତ୍ୟଭୟଂ ସ୍ୱପୁଂସାମ୍ ॥ ୪୨॥
ହେ ଈଶ୍ବର ! ସଂସାରର ଉତ୍ପତ୍ତି,
ସ୍ଥିତି, ସଂହାର ହେତୁ ହିଁ
ଆପଣ ଅବତାର ଧାରଣ କରିଥାଆନ୍ତି | ଆମେ ସବୁ ଆପଣଙ୍କର ସେହି ଚରଣକମଳର ଶରଣ ଗ୍ରହଣ କରୁଛୁ, ଯିଏ
ତାହାର ସ୍ମରଣ କରୁଥିବା ଭକ୍ତଜନଙ୍କୁ ଅଭୟ ପ୍ରଦାନ କରିଥାଏ |
ଯତ୍ସାନୁବନ୍ଧେଽସତି ଦେହଗେହେ
ମମାହମିତ୍ୟୂଢଦୁରାଗ୍ରହାଣାମ୍ ।
ପୁଂସାଂ ସୁଦୂରଂ ବସତୋଽପି ପୁର୍ୟାଂ
ଭଜେମ ତତ୍ତେ ଭଗବନ୍ ପଦାବ୍ଜମ୍ ॥ ୪୩॥
ଯେଉଁ ପୁରୁଷର ଦେହ-ଗେହ ତଥା ତା ସହିତ ସମ୍ବନ୍ଧିତ ଅନ୍ୟ ତୁଚ୍ଛ
ପଦାର୍ଥରେ ଅହଂତା-ମମତାର ଦୃଢ ଦୁରାଗ୍ରହ ରହିଥାଏ,
ଆପଣ ଅନ୍ତର୍ଯ୍ୟାମୀରୂପରେ ସେମାନଙ୍କ ଶରୀରରେ ନିବାସ କରୁଥିଲେ ବି ସେମାନଙ୍କଠାରୁ ବହୁ ଦୂରରେ
ରହିଥାଆନ୍ତି | ଆପଣଙ୍କ ଚରଣାରବିନ୍ଦର ଆମେ ଭଜନ କରୁଛୁ |
ତାନ୍ୱୈ ହ୍ୟସଦ୍ୱୃତ୍ତିଭିରକ୍ଷିଭିର୍ୟେ
ପରାହୃତାନ୍ତର୍ମନସଃ ପରେଶ ।
ଅଥୋ ନ ପଶ୍ୟନ୍ତ୍ୟୁରୁଗାୟ ନୂନଂ
ଯେ ତେ ପଦନ୍ୟାସବିଲାସଲକ୍ଷ୍ୟାଃ ॥ ୪୪॥
ପରମ ଯଶସ୍ବୀ ପରମେଶ୍ବର ! ଇନ୍ଦ୍ରିୟମାନେ ବିଷୟାଭିମୁଖ ରହିଥିବା
କାରଣରୁ ଯାହାର ମନ ବାହ୍ୟ ଜଗତରେ ଧାଇଁ ବୁଲୁଥାଏ,
ସେହି ପାମର ପୁରୁଷ ଆପଣଙ୍କର ବିଳାସପୂର୍ଣ୍ଣ ପାଦବିନ୍ୟାସ ଶୋଭାର ବିଶେଷଜ୍ଞ ଭକ୍ତଜନଙ୍କର ଦର୍ଶନ
ପ୍ରାପ୍ତ କରିପାରନ୍ତି ନାହିଁ ଏବଂ ସେଥିପାଇଁ ସେମାନେ ଆପଣଙ୍କ ଚରଣଠାରୁ ଦୂରରେ ରହିଥାଆନ୍ତି |
ପାନେନ ତେ ଦେବ କଥାସୁଧାୟାଃ
ପ୍ରବୃଦ୍ଧଭକ୍ତ୍ୟା ବିଶଦାଶୟା ଯେ ।
ବୈରାଗ୍ୟସାରଂ ପ୍ରତିଲଭ୍ୟ ବୋଧଂ
ଯଥାଞ୍ଜସାନ୍ୱୀୟୁରକୁଣ୍ଠଧିଷ୍ଣ୍ୟମ୍ ॥ ୪୫॥
ହେ ଦେବ ! ଆପଣଙ୍କର କଥାମୃତ ପାନ କରିବା ଦ୍ବାରା ଭକ୍ତିର ଉଦ୍ରେକ
ହୋଇ ଯେଉଁମାନଙ୍କର ଅନ୍ତଃକରଣ ନିର୍ମଳ ହୋଇ ଯାଇଥାଏ,
ସେମାନେ, ବୈରାଗ୍ୟ ହିଁ ଯାହାର
ସାର ଅଟେ, ଏପରି ଆତ୍ମଜ୍ଞାନ
ପ୍ରାପ୍ତ କରି ଅନାୟାସ ଆପଣଙ୍କ ବୈକୁଣ୍ଠଲୋକକୁ ଚାଲିଯାଆନ୍ତି |
ତଥାପରେ ଚାତ୍ମସମାଧିୟୋଗ-
ବଲେନ ଜିତ୍ୱା ପ୍ରକୃତିଂ ବଲିଷ୍ଠାମ୍ ।
ତ୍ୱାମେବ ଧୀରାଃ ପୁରୁଷଂ ବିଶନ୍ତି
ତେଷାଂ ଶ୍ରମଃ ସ୍ୟାନ୍ନ ତୁ ସେବୟା ତେ ॥ ୪୬॥
ଅନ୍ୟ ଧୀର ପୁରୁଷ ଚିତ୍ତନିରୋଧରୂପ ସମାଧି ବଳରେ ଆପଣଙ୍କ ବଳବତୀ
ମାୟାକୁ ଜୟ କରି ଆପଣଙ୍କ ମଧ୍ୟରେ ଲୀନ ତ ହୋଇଯାଆନ୍ତି,
କିନ୍ତୁ ସେଥିପାଇଁ ସେମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ; କିନ୍ତୁ ଆପଣଙ୍କ ସେବା ମାର୍ଗରେ କୌଣସି କଷ୍ଟ କରିବାକୁ ପଡି ନ ଥାଏ
|
ତତ୍ତେ ବୟଂ ଲୋକସିସୃକ୍ଷୟାଦ୍ୟ
ତ୍ୱୟାନୁସୃଷ୍ଟାସ୍ତ୍ରିଭିରାତ୍ମଭିଃ ସ୍ମ ।
ସର୍ୱେ ବିୟୁକ୍ତାଃ ସ୍ୱବିହାରତନ୍ତ୍ରଂ
ନ ଶକ୍ନୁମସ୍ତତ୍ପ୍ରତିହର୍ତବେ ତେ ॥ ୪୭॥
ହେ ଆଦିଦେବ ! ସୃଷ୍ଟିରଚନାର ଇଚ୍ଛାରେ ଆପଣ ଆମ୍ଭମାନଙ୍କୁ ତ୍ରିଗୁଣମୟ
ଭାବରେ ରଚନା କରିଛନ୍ତି | କିନ୍ତୁ ଭିନ୍ନ ଭିନ୍ନ ସ୍ବଭାବଯୁକ୍ତ ହୋଇଥିବା କାରଣରୁ ଆମ୍ଭମାନଙ୍କର
ବିଚାର ପରସ୍ପର ସହିତ ମେଳ ଖାଉନାହିଁ ଏବଂ ସେଥିପାଇଁ ଆପଣଙ୍କ କ୍ରୀଡା ସାଧନରୂପ ବ୍ରହ୍ମାଣ୍ଡ
ରଚନା କରି ଆପଣଙ୍କୁ ସମର୍ପଣ କରିବାକୁ ଆମେ ଅସମର୍ଥ ହେଉଅଛୁ |
ଯାବଦ୍ବଲିଂ ତେଽଜ ହରାମ କାଲେ
ଯଥା ବୟଂ ଚାନ୍ନମଦାମ ଯତ୍ର ।
ଯଥୋଭୟେଷାଂ ତ ଇମେ ହି ଲୋକା
ବଲିଂ ହରନ୍ତୋଽନ୍ନମଦନ୍ତ୍ୟନୂହାଃ ॥ ୪୮॥
ତେଣୁ ହେ ଅଜନ୍ମା ଭଗବାନ ! ଯେପରି
ଭାବରେ ଆମେ ବ୍ରହ୍ମାଣ୍ଡ ରଚନା କରି ଆପଣଙ୍କୁ ଠିକ ସମୟରେ ସବୁ ପ୍ରକାରର ଭୋଗ ଅର୍ପଣ କରିପାରିବୁ, ଏବଂ ଯେଉଁଠାରେ ସ୍ଥିତ ରହି ଆମ୍ଭେମାନେ ମଧ୍ୟ ନିଜ ଯୋଗ୍ୟତାନୁସାରେ ଅନ୍ନ ଗ୍ରହଣ
କରିପାରିବୁ ତଥା ଏହି ସବୁ ଜୀବ ମଧ୍ୟ ସବୁ ପ୍ରକାରର ବାଧାବିଘ୍ନରୁ ଦୂରରେ ରହି ଆପଣଙ୍କୁ ଏବଂ
ଆମ୍ଭମାନଙ୍କୁ ଭୋଗ ଅର୍ପଣ କରି ନିଜର ଅନ୍ନ ଭକ୍ଷଣ କରିପାରିବେ, ଏପରି କୌଣସି ଉପାୟ କରନ୍ତୁ |
ତ୍ୱଂ ନଃ ସୁରାଣାମସି ସାନ୍ୱୟାନାଂ
କୂଟସ୍ଥ ଆଦ୍ୟଃ ପୁରୁଷଃ ପୁରାଣଃ ।
ତ୍ୱଂ ଦେବ ଶକ୍ତ୍ୟାଂ ଗୁଣକର୍ମୟୋନୌ
ରେତସ୍ତ୍ୱଜାୟାଂ କବିମାଦଧେଽଜଃ ॥ ୪୯॥
ନିର୍ବିକାର ପୁରାଣପୁରୁଷ ଆପଣ ହିଁ ଅନ୍ୟ କାର୍ଯ୍ୟବର୍ଗଙ୍କ ସହିତ
ଆମ୍ଭମାନଙ୍କ ପରି ଦେବତାମାନଙ୍କର ଆଦି କାରଣ ଅଟନ୍ତି | ହେ ଦେବ ! ପ୍ରଥମେ ଆପଣ ଜନ୍ମରହିତ
ସତ୍ତ୍ଵାଦି ଗୁଣ ଏବଂ ଜନ୍ମାଦି କର୍ମର କାରଣରୂପା ମାୟାଶକ୍ତିରେ ଚିଦାଭାସରୂପ ବୀଜ ସ୍ଥାପନ କରିଥିଲେ
|
ତତୋ ବୟଂ ସତ୍ପ୍ରମୁଖା ଯଦର୍ଥେ
ବଭୂବିମାତ୍ମନ୍ କରବାମ କିଂ ତେ ।
ତ୍ୱଂ ନଃ ସ୍ୱଚକ୍ଷୁଃ ପରିଦେହି ଶକ୍ତ୍ୟା
ଦେବ କ୍ରିୟାର୍ଥେ ଯଦନୁଗ୍ରହାଣାମ୍ ॥ ୫୦॥
ହେ ପରମାତ୍ମଦେବ ! ମହତ୍ତତ୍ତ୍ବାଦିରୂପ ଆମେ ସବୁ ଦେବଗଣ ଯେଉଁ
କାର୍ଯ୍ୟ ନିମନ୍ତେ ଉତ୍ପନ୍ନ ହୋଇଅଛୁ, ସେହି ଉଦ୍ଦେଶ୍ୟରେ
ଆମେ କ’ଣ କରିପାରିବୁ ? ହେ
ଦେବ ! ଆପଣ ଆମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବାକୁ ସକ୍ଷମ | ତେଣୁ ବ୍ରହ୍ମାଣ୍ଡ ରଚନା ନିମନ୍ତେ
ଆପଣ ଆମ୍ଭମାନଙ୍କୁ କ୍ରିୟାଶକ୍ତି ସହିତ ନିଜର ଜ୍ଞାନଶକ୍ତି ମଧ୍ୟ ପ୍ରଦାନ କରନ୍ତୁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁରୋଦ୍ଧବସମ୍ବାଦେ ପଞ୍ଚମୋଽଧ୍ୟାୟଃ ॥ ୫॥

Comments
Post a Comment