ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ ॥

ପଞ୍ଚମ ଅଧ୍ୟାୟ

ବୀରଭଦ୍ରକୃତ ଦକ୍ଷଯଜ୍ଞବିଧ୍ବଂସ ଏବଂ ଦକ୍ଷବଧ

 

ମୈତ୍ରେୟ ଉବାଚ

ଭବୋ ଭବାନ୍ୟା ନିଧନଂ ପ୍ରଜାପତେ-

ରସତ୍କୃତାୟା ଅବଗମ୍ୟ ନାରଦାତ୍ ।

ସ୍ୱପାର୍ଷଦସୈନ୍ୟଂ ଚ ତଦଧ୍ୱରର୍ଭୁଭି-

ର୍ୱିଦ୍ରାବିତଂ କ୍ରୋଧମପାରମାଦଧେ ॥ ୧॥

ମୈତ୍ରେୟ କହୁଛନ୍ତି – ଦେବର୍ଷି ନାରଦଙ୍କ ମୁଖରୁ ଯେତେବେଳେ ମହାଦେବ ଏହା ଶୁଣିଲେ ଯେ ନିଜ ପିତା ଦକ୍ଷଙ୍କ ଦ୍ବାରା ଅପମାନିତ ହୋଇ ସତୀ ପ୍ରାଣତ୍ୟାଗ କରିଛନ୍ତି ଏବଂ ଦକ୍ଷଙ୍କ ଯଜ୍ଞବେଦିରୁ ପ୍ରକଟିତ ଋଭୁମାନେ ତାଙ୍କର ପାର୍ଷଦ ସେନାଙ୍କୁ ସେଠାରୁ ମାରି ବିତାଡିତ କରି ଦେଇଛନ୍ତି, ସେତେବେଳେ ସେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ |

କ୍ରୁଦ୍ଧଃ ସୁଦଷ୍ଟୌଷ୍ଠପୁଟଃ ସ ଧୂର୍ଜଟି-

ର୍ଜଟାଂ ତଡିଦ୍ୱହ୍ନିସଟୋଗ୍ରରୋଚିଷମ୍ ।

ଉତ୍କୃତ୍ୟ ରୁଦ୍ରଃ ସହସୋତ୍ଥିତୋ ହସନ୍

ଗମ୍ଭୀରନାଦୋ ବିସସର୍ଜ ତାଂ ଭୁବି ॥ ୨॥

ସେ ଉଗ୍ର ରୂପ ଧାରଣ କରି କ୍ରୋଧରେ ଓଠ ଚୋବାଇ ନିଜର ଏକ ଜଟା ଉତ୍ପାଟନ କଲେ – ଯାହା ବିଦ୍ୟୁତ ଏବଂ ଅଗ୍ନିଶିଖା ସଦୃଶ ଦିପ୍ତୀମାନ ଥିଲା – ଏବଂ ହଠାତ୍ ଠିଆ ହୋଇ ଗମ୍ଭୀର ଅଟ୍ଟହାସ କରି ତାକୁ ଭୂମିରେ କଚାଡି ଦେଲେ |

ତତୋଽତିକାୟସ୍ତନୁବା ସ୍ପୃଶନ୍ ଦିବଂ

ସହସ୍ରବାହୁର୍ଘନରୁକ୍ ତ୍ରିସୂର୍ୟଦୃକ୍ ।

କରାଲଦଂଷ୍ଟ୍ରୋ ଜ୍ୱଲଦଗ୍ନିମୂର୍ଧଜଃ

କପାଲମାଲୀ ବିବିଧୋଦ୍ୟତାୟୁଧଃ ॥ ୩॥

ତହିଁରୁ ତତକ୍ଷଣାତ୍ ଏକ ଲମ୍ବା-ଚୌଡା ବୃହଦାକାର ପୁରୁଷ ଉତ୍ପନ୍ନ ହେଲା; ତାହାର ଶରୀର ଏତେ ବିଶାଳ ଥିଲା ଯେ ତାହା ସ୍ବର୍ଗକୁ ସ୍ପର୍ଶ କରୁଥିଲା | ତାହାର ଏକ ହଜାର ଭୁଜ ଥିଲା | ସେ ମେଘ ସଦୃଶ ଶ୍ୟାମ ବର୍ଣ୍ଣର ଥିଲା, ତାର ସୂର୍ଯ୍ୟ ପରି ଦିପ୍ତିମାନ ତିନୋଟି ନେତ୍ର ଥିଲା, ବିକରାଳ ଦନ୍ତ ଏବଂ ଅଗ୍ନିଜ୍ବାଳା ପରି ଲାଲ-ଲାଲ ଜଟା ଥିଲା | ତାର ଗଳାରେ ନରମୁଣ୍ଡ ମାଳା ଥିଲା ଏବଂ ହାତରେ ଅନେକ ପ୍ରକାରର ଅସ୍ତ୍ର-ଶସ୍ତ୍ର ଥିଲା |

ତଂ କିଂ କରୋମୀତି ଗୃଣନ୍ତମାହ

ବଦ୍ଧାଞ୍ଜଲିଂ ଭଗବାନ୍ ଭୂତନାଥଃ ।

ଦକ୍ଷଂ ସୟଜ୍ଞଂ ଜହି ମଦ୍ଭଟାନାଂ

ତ୍ୱମଗ୍ରଣୀ ରୁଦ୍ରଭଟାଂଶକୋ ମେ ॥ ୪॥

ସେ ଯେତେବେଳେ ହାତଯୋଡି ପଚାରିଲା, ‘ଭଗବନ୍ ! ମୁଁ କଣ କରିବି ?’, ସେତେବେଳେ ଭଗବାନ ଭୂତନାଥ କହିଲେ, ‘ବୀର ରୁଦ୍ର ! ତୁ ମୋର ଅଂଶ ଅଟୁ, ସେଥିପାଇଁ ମୋ ପାର୍ଷଦଙ୍କର ଅଧିନାୟକ ଭାବରେ ତୁ ଅତିଶୀଘ୍ର ଯାଇ ଦକ୍ଷ ତଥା ତାର ଯଜ୍ଞକୁ ନଷ୍ଟ କର |’

ଆଜ୍ଞପ୍ତ ଏବଂ କୁପିତେନ ମନ୍ୟୁନା

ସ ଦେବଦେବଂ ପରିଚକ୍ରମେ ବିଭୁମ୍ ।

ମେନେ ତଦାତ୍ମାନମସଙ୍ଗରଂହସା

ମହୀୟସାଂ ତାତ ସହଃ ସହିଷ୍ଣୁମ୍ ॥ ୫॥

ପ୍ରିୟ ବିଦୁର ! ଦେବାଧିଦେବ ଭଗବାନ ଶଂକର ଯେତେବେଳେ କ୍ରୋଧାନ୍ବିତ ହୋଇ ଏପରି ଆଜ୍ଞା ଦେଲେ, ବୀରଭଦ୍ର ତାଙ୍କର ପରିକ୍ରମା କରି ଯିବା ପାଇଁ ପ୍ରସ୍ତୁତ ହୋଇଗଲେ | ସେହି ସମୟରେ ସେ ଏପରି ମନେ କରୁଥିଲେ ଯେ ତାଙ୍କ ବେଗର ସମ୍ମୁଖୀନ ହେବାକୁ ସଂସାରରେ କେହି ମଧ୍ୟ ସମର୍ଥ ନୁହଁନ୍ତି ଏବଂ ସେ ସ୍ବୟଂ ବଡ ବଡ ବୀରଙ୍କର ବେଗକୁ ସହନ କରିପାରିବେ |

ଅନ୍ୱୀୟମାନଃ ସ ତୁ ରୁଦ୍ର ପାର୍ଷଦୈ-

ର୍ଭୃଶନ୍ନଦଦ୍ଭିର୍ୱ୍ୟନଦତ୍ସୁଭୈରବମ୍ ।

ଉଦ୍ୟମ୍ୟ ଶୂଲଂ ଜଗଦନ୍ତକାନ୍ତକଂ

ସ ପ୍ରାଦ୍ରବଦ୍ଘୋଷଣଭୂଷଣାଙ୍ଘ୍ରିଃ ॥ ୬॥

ଭୟଙ୍କର ସିଂହନାଦ କରି, ହାତରେ ଅତି କରାଳ ତ୍ରିଶୂଳ ଧାରଣ କରି, ସେ ଦକ୍ଷର ଯଜ୍ଞମଣ୍ଡପ ଅଭିମୁଖରେ ଧାଇଁଗଲେ | ତାଙ୍କର ତ୍ରିଶୂଳ ସଂସାରସଂହାରକ ମୃତ୍ୟୁର ସଂହାର କରିବାକୁ ମଧ୍ୟ ସମର୍ଥ ଥିଲା | ଭଗବାନ ରୁଦ୍ରଙ୍କର ଆହୁରି ଅନେକ ସେବକ ଗର୍ଜନ କରି ତାଙ୍କର ଅନୁଗମନ କରିବାରେ ଲାଗିଲେ | ସେହି ସମୟରେ ବୀରଭଦ୍ରଙ୍କ ପାଦର ନୂପୁରାଦି ଆଭୂଷଣ ଝଣଝଣ ଶବ୍ଦ କରି ବାଜିବାରେ ଲାଗିଥିଲା |

ଅଥର୍ତ୍ୱିଜୋ ଯଜମାନଃ ସଦସ୍ୟାଃ

କକୁଦ୍ଭ୍ୟୁଦୀଚ୍ୟାଂ ପ୍ରସମୀକ୍ଷ୍ୟ ରେଣୁମ୍ ।

ତମଃ କିମେତତ୍କୁତ ଏତଦ୍ରଜୋଽଭୂ-

ଦିତି ଦ୍ୱିଜା ଦ୍ୱିଜପତ୍ନ୍ୟଶ୍ଚ ଦଧ୍ୟୁଃ ॥ ୭॥

ଏଣେ ଯଜ୍ଞଶାଳାରେ ବସିଥିବା ଋତ୍ବିଜ୍, ଯଜମାନ, ସଦସ୍ୟ ତଥା ଅନ୍ୟ ବ୍ରାହ୍ମଣ ଏବଂ ବ୍ରାହ୍ମଣୀମାନେ ଯେତେବେଳେ ଉତ୍ତର ଦିଶାରୁ ଧୂଳି ଉଡି ଆସୁଥିବା ଦେଖିଲେ, ସେମାନେ ଚିନ୍ତା କରିବାରେ ଲାଗିଲେ – ଆରେ ! ହଠାତ୍ ଏତେ ଅନ୍ଧାର କିପରି ହୋଇଗଲା ? ଏହି ଧୂଳି କେଉଁଠାରୁ ଆସିଲା ?

ବାତା ନ ବାନ୍ତି ନ ହି ସନ୍ତି ଦସ୍ୟବଃ

ପ୍ରାଚୀନବର୍ହିର୍ଜୀବତି ହୋଗ୍ରଦଣ୍ଡଃ ।

ଗାବୋ ନ କାଲ୍ୟନ୍ତ ଇଦଂ କୁତୋ ରଜୋ

ଲୋକୋଽଧୁନା କିଂ ପ୍ରଲୟାୟ କଲ୍ପତେ ॥ ୮॥

ଏହି ସମୟରେ ତ ବାତ୍ୟାର ଚିହ୍ନ-ବର୍ଣ୍ଣ ସୁଦ୍ଧା ନାହିଁ ଅଥବା କେଉଁଠାରେ ଡକାୟତମାନେ ପ୍ରବଳ ହେବା ବିଷୟରେ ମଧ୍ୟ ଶୁଣିବାକୁ ମିଳୁନାହିଁ, କାରଣ ଅପରାଧୀମାନଙ୍କ ପ୍ରତି କଠୋର ଦଣ୍ଡବିଧାନକାରୀ ରାଜା ପ୍ରାଚୀନବର୍ହି ଏବେ ଜୀବିତ ଅଛନ୍ତି | ଏବେ ଗାଈଗୋଠର ଫେରିବା ସମୟ ମଧ୍ୟ ହୋଇନାହିଁ | ତେଣୁ ଏହି ଧୂଳି କେଉଁଠାରୁ ଆସୁଛି ? ଏବେ ସଂସାରର ପ୍ରଳୟ ହେବାକୁ ଯାଉନାହିଁ ତ ?

ପ୍ରସୂତିମିଶ୍ରାଃ ସ୍ତ୍ରିୟ ଉଦ୍ୱିଗ୍ନଚିତ୍ତା

ଊଚୁର୍ୱିପାକୋ ବୃଜିନସ୍ୟୈବ ତସ୍ୟ ।

ଯତ୍ପଶ୍ୟନ୍ତୀନାଂ ଦୁହିତୄଣାଂ ପ୍ରଜେଶଃ

ସୁତାଂ ସତୀମବଦଧ୍ୟାବନାଗାମ୍ ॥ ୯॥

ସେତେବେଳେ ଦକ୍ଷପତ୍ନୀ ପ୍ରସୂତି ଏବଂ ଅନ୍ୟ ସ୍ତ୍ରୀମାନେ ବ୍ୟାକୁଳ ହୋଇ କହିଲେ – ପ୍ରଜାପତି ଦକ୍ଷ ଯେପରି ଭାବରେ ନିଜର ସମସ୍ତ କନ୍ୟାଙ୍କ ସମ୍ମୁଖରେ ବିଚାରୀ ନିରପରାଧ ସତୀଙ୍କର ତିରସ୍କାର କଲେ, ମନେହେଉଛି ଏହା ସେହି ପାପର ଫଳ ଅଟେ | (ଅଥବା ନିଶ୍ଚିତଭାବରେ ଏହା ସଂହାରମୂର୍ତ୍ତି ଭଗବାନ ରୁଦ୍ରଙ୍କ ଅନାଦରର ପରିଣାମ ଅଟେ |)

ଯସ୍ତ୍ୱନ୍ତକାଲେ ବ୍ୟୁପ୍ତଜଟାକଲାପଃ

ସ୍ୱଶୂଲସୂଚ୍ୟର୍ପିତଦିଗ୍ଗଜେନ୍ଦ୍ରଃ ।

ବିତତ୍ୟ ନୃତ୍ୟତ୍ୟୁଦିତାସ୍ତ୍ରଦୋର୍ଧ୍ୱଜା-

ନୁଚ୍ଚାଟ୍ଟହାସସ୍ତନୟିତ୍ନୁଭିନ୍ନଦିକ୍ ॥ ୧୦॥

ପ୍ରଳୟକାଳ ଉପସ୍ଥିତ ହେଲେ ସେ ଯେତେବେଳେ ନିଜର ଜଟାଜୂଟ ମୁକୁଳିତ କରି ତଥା ଶସ୍ତ୍ରାସ୍ତ୍ରରେ ସୁସଜ୍ଜିତ ନିଜର ଭୁଜକୁ ଧ୍ବଜା ପରି ବିସ୍ତାରିତ କରି ତାଣ୍ଡବ ନୃତ୍ୟ କରନ୍ତି, ସେତେବେଳେ ତାଙ୍କ ତ୍ରିଶୂଳର ଆଘାତରେ ଦିଗପାଳ ବିଦ୍ଧ ହୋଇଥାଆନ୍ତି ତଥା ମେଘଗର୍ଜନ ପରି ତାଙ୍କର ଭୟଙ୍କର ଅଟ୍ଟହାସରେ ଦିଗ-ବିଦିଗ ବିଦୀର୍ଣ୍ଣ ହୋଇଯାଏ |

ଅମର୍ଷୟିତ୍ୱା ତମସହ୍ୟତେଜସଂ

ମନ୍ୟୁପ୍ଲୁତଂ ଦୁର୍ୱିଷହଂ ଭ୍ରୁକୁଟ୍ୟା ।

କରାଲଦଂଷ୍ଟ୍ରାଭିରୁଦସ୍ତଭାଗଣଂ

ସ୍ୟାତ୍ସ୍ୱସ୍ତି କିଂ କୋପୟତୋ ବିଧାତୁଃ ॥ ୧୧॥

ସେହି ସମୟରେ ତାଙ୍କର ତେଜ ଅସହ୍ୟ ହୋଇଥାଏ, ସେ ନିଜର ବକ୍ର ଭୃକୁଟି କାରଣରୁ ଅତ୍ୟନ୍ତ ଦୁର୍ଧର୍ଷ ମନେ ହୁଅନ୍ତି ଏବଂ ତାଙ୍କର ବିକରାଳ ଦନ୍ତ ଦ୍ବାରା ତାରାଗଣ ଅସ୍ତ-ବ୍ୟସ୍ତ ହୋଇଯାଆନ୍ତି | ସେହି ସଂହାରକର୍ତ୍ତା ଭଗବାନ ଶଂକରଙ୍କୁ ବାରମ୍ବାର କୁପିତ କରୁଥିବା ପୁରୁଷ ସାକ୍ଷାତ୍ ବିଧାତା ହୋଇଥାଆନ୍ତୁ ନା କାହିଁକି, ତାଙ୍କର କଣ କେବେ କଲ୍ୟାଣ ହୋଇପାରିବ ?

ବହ୍ୱେବମୁଦ୍ୱିଗ୍ନଦୃଶୋଚ୍ୟମାନେ

ଜନେନ ଦକ୍ଷସ୍ୟ ମୁହୁର୍ମହାତ୍ମନଃ ।

ଉତ୍ପେତୁରୁତ୍ପାତତମାଃ ସହସ୍ରଶୋ

ଭୟାବହା ଦିବି ଭୂମୌ ଚ ପର୍ୟକ୍ ॥ ୧୨॥

ଯେଉଁ ମହାତ୍ମାମାନେ ଦକ୍ଷଙ୍କ ଯଜ୍ଞରେ ବସିଥିଲେ, ସେମାନେ ଭୟରେ ପରସ୍ପରକୁ କାତର ଦୃଷ୍ଟିରେ ଚାହିଁ ଏହିପରି ଅନେକ ସମ୍ଭାବନାର ଆଶଙ୍କା କରୁଥିବା ବେଳେ ଆକାଶ ଏବଂ ପୃଥିବୀରେ ସବୁ ଦିଗରୁ ସହସ୍ର ସଂଖ୍ୟାରେ ଭୟଙ୍କର ଉତ୍ପାତ ହେବାରେ ଲାଗିଲା |

ତାବତ୍ସ ରୁଦ୍ରାନୁଚରୈର୍ମଖୋ ମହାନ୍

ନାନାୟୁଧୈର୍ୱାମନକୈରୁଦାୟୁଧୈଃ ।

ପିଙ୍ଗୈଃ ପିଶଙ୍ଗୈର୍ମକରୋଦରାନନୈଃ

ପର୍ୟାଦ୍ରବଦ୍ଭିର୍ୱିଦୁରାନ୍ୱରୁଧ୍ୟତ ॥ ୧୩॥

ହେ ବିଦୁର ! ଇତ୍ୟବସରରେ ସେଠାକୁ ଧାଇଁ ଆସିଥିବା ରୁଦ୍ରସେବକମାନେ ସେହି ମହାନ୍ ଯଜ୍ଞମଣ୍ଡପକୁ ସବୁ ଦିଗରୁ ଘେରିଗଲେ | ସେମାନେ ସମସ୍ତେ ଭିନ୍ନ ଭିନ୍ନ ଅସ୍ତ୍ର-ଶସ୍ତ୍ର ଧାରଣ କରିଥିଲେ | ସେମାନଙ୍କ ମଧ୍ୟରୁ କିଏ ବାଦାମୀ, କିଏ ଧୂସର ତ କିଏ ପୀତ ବର୍ଣ୍ଣର ଥିଲା ଏବଂ କାହାର ଉଦର ଓ ମୁଖ କୁମ୍ଭୀର ପରି ଥିଲା |

କେଚିଦ୍ବଭଞ୍ଜୁଃ ପ୍ରାଗ୍ୱଂଶଂ ପତ୍ନୀଶାଲାଂ ତଥାପରେ ।

ସଦ ଆଗ୍ନୀଧ୍ରଶାଲାଂ ଚ ତଦ୍ୱିହାରଂ ମହାନସମ୍ ॥ ୧୪॥

ସେମାନଙ୍କ ମଧ୍ୟରୁ କିଏ ଯଜ୍ଞଶାଳାର ପୂର୍ବ ଓ ପଶ୍ଚିମରେ ସ୍ଥିତ ସ୍ତମ୍ଭ ମଝିରେ ଥିବା ଦଣ୍ଡକୁ ଭାଙ୍ଗିଦେଲା ତ କିଏ ଯଜ୍ଞଶାଳାର ପଶ୍ଚିମରେ ସ୍ଥିତ ପତ୍ନୀଶାଳାକୁ ନଷ୍ଟ କରିଦେଲା, କିଏ ଯଜ୍ଞଶାଳା ସମ୍ମୁଖରେ ସ୍ଥିତ ସଭାମଣ୍ଡପକୁ, କିଏ ମଣ୍ଡପ ଆଗରେ ଉତ୍ତର ଦିଗକୁ ଥିବା ଆଗ୍ନୀଧଶାଳାକୁ ଭାଙ୍ଗିଦେଲା; ପୁଣି କିଏ ଯଜମାନଗୃହକୁ ଏବଂ ପାକଶାଳାକୁ ନଷ୍ଟ-ଭ୍ରଷ୍ଟ କରିଦେଲା |

ରୁରୁଜୁର୍ୟଜ୍ଞପାତ୍ରାଣି ତଥୈକେଽଗ୍ନୀନନାଶୟନ୍ ।

କୁଣ୍ଡେଷ୍ୱମୂତ୍ରୟନ୍ କେଚିଦ୍ବିଭିଦୁର୍ୱେଦିମେଖଲାଃ ॥ ୧୫॥

କିଏ ଯଜ୍ଞପାତ୍ରରେ ଛେଦ କରିଦେଲା, କିଏ ଯଜ୍ଞାଗ୍ନିକୁ ନିର୍ବାପିତ କରିଦେଲା, କିଏ ଯଜ୍ଞକୁଣ୍ଡରେ ପରିସ୍ରା କରିଦେଲା ଏବଂ କିଏ ବେଦୀର ସୀମାସୂତ୍ରକୁ ଛିଣ୍ଡାଇ ଦେଲା |

ଅବାଧନ୍ତ ମୁନୀନନ୍ୟେ ଏକେ ପତ୍ନୀରତର୍ଜୟନ୍ ।

ଅପରେ ଜଗୃହୁର୍ଦେବାନ୍ ପ୍ରତ୍ୟାସନ୍ନାନ୍ ପଲାୟିତାନ୍ ॥ ୧୬॥

କିଏ କିଏ ମୁନିମାନଙ୍କୁ ହଇରାଣ କରିବାରେ ଲାଗିଲେ, କିଏ କିଏ ସ୍ତ୍ରୀମାନଙ୍କୁ ଡରାଇବା-ଧମକାଇବାରେ ଲାଗିଲେ ଏବଂ କିଏ କିଏ ନିଜ ପାଖ ଦେଇ ଧାଇଁ ପଳାଉଥିବା ଦେବତାମାନଙ୍କୁ ଧରିନେଲେ |

ଭୃଗୁଂ ବବନ୍ଧ ମଣିମାନ୍ ବୀରଭଦ୍ରଃ ପ୍ରଜାପତିମ୍ ।

ଚଣ୍ଡେଶଃ ପୂଷଣଂ ଦେବଂ ଭଗଂ ନନ୍ଦୀଶ୍ୱରୋଽଗ୍ରହୀତ୍ ॥ ୧୭॥

ମଣିମାନ ଭୃଗୁଋଷିଙ୍କୁ ବାନ୍ଧି ଦେଲା, ବୀରଭଦ୍ର ଦକ୍ଷ ପ୍ରଜାପତିଙ୍କୁ ବନ୍ଦୀ କରିନେଲେ ତଥା ଚଣ୍ଡୀଶ ପୂଷାଙ୍କୁ ଏବଂ ନନ୍ଦୀଶ୍ବର ଭଗ ଦେବତାଙ୍କୁ ଧରିନେଲେ |

ସର୍ୱ ଏବର୍ତ୍ୱିଜୋ ଦୃଷ୍ଟ୍ୱା ସଦସ୍ୟାଃ ସଦିବୌକସଃ ।

ତୈରର୍ଦ୍ୟମାନାଃ ସୁଭୃଶଂ ଗ୍ରାବଭିର୍ନୈକଧାଦ୍ରବନ୍ ॥ ୧୮॥

ଭଗବାନ ଶଂକରଙ୍କ ପାର୍ଷଦମାନଙ୍କର ଏତାଦୃଶ ଭୟଙ୍କର ଲୀଳା ଦେଖି ତଥା ସେମାନଙ୍କର ଢେଲା-ପଥର ମାଡରେ ଅତିଷ୍ଠ ହୋଇ ସେଠାରେ ଉପସ୍ଥିତ ଥିବା ସମସ୍ତ ଋତ୍ବିଜ, ସଦସ୍ୟ ଏବଂ ଦେବତା ଏଣେତେଣେ ଧାଇଁ ପଳାଇଲେ |

ଜୁହ୍ୱତଃ ସ୍ରୁବହସ୍ତସ୍ୟ ଶ୍ମଶ୍ରୂଣି ଭଗବାନ୍ ଭବଃ ।

ଭୃଗୋର୍ଲୁଲୁଞ୍ଚେ ସଦସି ଯୋଽହସଚ୍ଛ୍ମଶ୍ରୁ ଦର୍ଶୟନ୍ ॥ ୧୯॥

ଭୃଗୁଋଷି ହାତରେ ସ୍ରୁବା ଧାରଣ କରି ଆହୂତି ଦେଉଥିଲେ | ବୀରଭଦ୍ର ତାଙ୍କର ନିଶ-ଦାଢ଼ି ଟାଣି-ଓଟାରି ପକାଇଲେ; କାରଣ ସେ ହିଁ ପ୍ରଜାପତିମାନଙ୍କର ସଭାରେ ନିଶ ମୋଡି ମହାଦେବଙ୍କୁ ଉପହାସ କରିଥିଲେ |

ଭଗସ୍ୟ ନେତ୍ରେ ଭଗବାନ୍ ପାତିତସ୍ୟ ରୁଷା ଭୁବି ।

ଉଜ୍ଜହାର ସଦଃସ୍ଥୋଽକ୍ଷ୍ଣା ଯଃ ଶପନ୍ତମସୂସୁଚତ୍ ॥ ୨୦॥

କ୍ରୋଧାବେଶରେ ସେହି ରୁଦ୍ରଗଣ ଭଗଦେବତାଙ୍କୁ ଭୂମିରେ କଚାଡି ଦେଲେ ଏବଂ ସେମାନଙ୍କର ଆଖି ତାଡିଦେଲେ; କାରଣ ଦେବସଭାରେ ଦକ୍ଷ ଯେତେବେଳେ ଶ୍ରୀମହାଦେବଙ୍କର ତିରସ୍କାର କରି ତାଙ୍କୁ ଶାପ ଦେଉଥିଲା, ସେତେବେଳେ ଏହି ଦେବତାମାନେ ତାଙ୍କୁ ଆଖିର ଇଶାରାରେ ଅଭିପ୍ରେରିତ କରୁଥିଲେ |

ପୂଷ୍ଣଶ୍ଚାପାତୟଦ୍ଦନ୍ତାନ୍ କାଲିଙ୍ଗସ୍ୟ ଯଥା ବଲଃ ।

ଶପ୍ୟମାନେ ଗରିମଣି ଯୋଽହସଦ୍ଦର୍ଶୟନ୍ ଦତଃ ॥ ୨୧॥

ଏହାପରେ ଅନିରୁଦ୍ଧଙ୍କ ବିବାହ କାଳରେ ବଳରାମ ଯେପରି କଳିଙ୍ଗରାଜଙ୍କର ଦାନ୍ତ ଓପାଡି ଦେଇଥିଲେ, ସେହିପରି ରୁଦ୍ରଗଣ ପୂଷାର ଦାନ୍ତ ଓପାଡି ଦେଲେ; କାରଣ ଦକ୍ଷ ଯେତେବେଳେ ମହାଦେବଙ୍କର ନିନ୍ଦାଗାନ କରୁଥିଲା, ସେମାନେ ସେ ଦାନ୍ତ ଦେଖାଇ ହସୁଥିଲେ |

ଆକ୍ରମ୍ୟୋରସି ଦକ୍ଷସ୍ୟ ଶିତଧାରେଣ ହେତିନା ।

ଛିନ୍ଦନ୍ନପି ତଦୁଦ୍ଧର୍ତୁଂ ନାଶକ୍ନୋତ୍ତ୍ର୍ୟମ୍ବକସ୍ତଦା ॥ ୨୨॥

ତାପରେ ସେମାନେ ଦକ୍ଷର ଛାତି ଉପରେ ବସି ଏକ ତୀକ୍ଷ୍ଣ ତରବାରୀ ଦ୍ବାରା ତାର ମସ୍ତକ ଛେଦନ କରିବାରେ ଲାଗିଲେ, କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ସେମାନେ ତାର ଶରୀରରୁ ମସ୍ତକକୁ ପୃଥକ୍ କରିପାରିଲେ ନାହିଁ |

ଶସ୍ତ୍ରୈରସ୍ତ୍ରାନ୍ୱିତୈରେବମନିର୍ଭିନ୍ନତ୍ୱଚଂ ହରଃ ।

ବିସ୍ମୟଂ ପରମାପନ୍ନୋ ଦଧ୍ୟୌ ପଶୁପତିଶ୍ଚିରମ୍ ॥ ୨୩॥

ଯେତେବେଳେ କୌଣସି ଅସ୍ତ୍ର-ଶସ୍ତ୍ର ଦ୍ବାରା ଦକ୍ଷର ତ୍ବଚା କଟିଲା ନାହିଁ, ସେତେବେଳେ ବୀରଭଦ୍ର ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ଏବଂ ସେ ବହୁତ ସମୟ ଧରି ବିଚାର କରିବାରେ ଲାଗିଲେ |

ଦୃଷ୍ଟ୍ୱା ସଞ୍ଜ୍ଞପନଂ ଯୋଗଂ ପଶୂନାଂ ସ ପତିର୍ମଖେ ।

ଯଜମାନପଶୋଃ କସ୍ୟ କାୟାତ୍ତେନାହରଚ୍ଛିରଃ ॥ ୨୪॥

ତାପରେ ସେ ଯଜ୍ଞମଣ୍ଡପରେ ଯେପରି ଯଜ୍ଞପଶୁକୁ ବଳି ଦିଆଯାଇ ଥାଏ, ସେହିପରି ଭାବରେ ଦକ୍ଷରୂପ ସେହି ଯଜମାନ ପଶୁର ମସ୍ତକ ଛେଦନ କରିଦେଲେ |

ସାଧୁବାଦସ୍ତଦା ତେଷାଂ କର୍ମ ତତ୍ତସ୍ୟ ପଶ୍ୟତାମ୍ ।

ଭୂତପ୍ରେତପିଶାଚାନାମନ୍ୟେଷାଂ ତଦ୍ୱିପର୍ୟଯଃ ॥ ୨୫॥

ଏହା ଦେଖି ଭୂତ, ପ୍ରେତ, ପିଶାଚାଦି ତାଙ୍କ କର୍ମର ପ୍ରଶଂସା କରି ବାଃ ବାଃ କରିବାରେ ଲାଗିଲେ, କିନ୍ତୁ ଦକ୍ଷଙ୍କ ଅନୁଯାୟୀମାନଙ୍କ ମଧ୍ୟରେ ହାହାକାର ଖେଳିଗଲା |

ଜୁହାବୈତଚ୍ଛିରସ୍ତସ୍ମିନ୍ ଦକ୍ଷିଣାଗ୍ନାବମର୍ଷିତଃ ।

ତଦ୍ଦେବୟଜନଂ ଦଗ୍ଧ୍ୱା ପ୍ରାତିଷ୍ଠଦ୍ଗୁହ୍ୟକାଲୟମ୍ ॥ ୨୬॥

ବୀରଭଦ୍ର ଅତ୍ୟନ୍ତ କୁପିତ ହୋଇ ଦକ୍ଷର ମସ୍ତକକୁ ଯଜ୍ଞର ଦକ୍ଷିଣାଗ୍ନିରେ ନିକ୍ଷେପ କଲେ ଏବଂ ଯଜ୍ଞଶାଳାରେ ଅଗ୍ନି ସଂଯୋଗ କରିବା ପରେ ଯଜ୍ଞକୁ ଧ୍ବଂସ-ବିଧ୍ବଂସ କରି କୈଳାଶ ପର୍ବତକୁ ଫେରିଗଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଦକ୍ଷୟଜ୍ଞବିଧ୍ୱଂସୋ ନାମ ପଞ୍ଚମୋଽଧ୍ୟାୟଃ ॥ ୫॥

 

Comments

Popular posts from this blog