ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ଉନତ୍ରିଂଶ ଅଧ୍ୟାୟ
ଭକ୍ତିର ମର୍ମ ଏବଂ କାଳର ମହିମା
ଦେବହୂତିରୁବାଚ
ଲକ୍ଷଣଂ ମହଦାଦୀନାଂ ପ୍ରକୃତେଃ ପୁରୁଷସ୍ୟ ଚ ।
ସ୍ୱରୂପଂ ଲକ୍ଷ୍ୟତେଽମୀଷାଂ ଯେନ ତତ୍ପାରମାର୍ଥିକମ୍ ॥ ୧॥
ଯଥା ସାଙ୍ଖ୍ୟେଷୁ କଥିତଂ ଯନ୍ମୂଲଂ ତତ୍ପ୍ରଚକ୍ଷତେ ।
ଭକ୍ତିୟୋଗସ୍ୟ ମେ ମାର୍ଗଂ ବ୍ରୂହି ବିସ୍ତରଶଃ ପ୍ରଭୋ ॥ ୨॥
ଦେବହୂତି ପଚାରିଲେ – ହେ ପ୍ରଭୁ ! ପ୍ରକୃତି, ପୁରୁଷ, ମହତ୍ତତ୍ତ୍ବ ଆଦିର
ଯେଉଁସବୁ ଲକ୍ଷଣ ସାଂଖ୍ୟଶାସ୍ତ୍ରରେ କୁହାଯାଇଛି ତଥା ଯାହା ଦ୍ବାରା ସେମାନଙ୍କର ବାସ୍ତବିକ
ସ୍ବରୂପ ଭିନ୍ନ ଭିନ୍ନ ଜଣା ପଡିଥାଏ ଏବଂ ଭକ୍ତିଯୋଗକୁ ହିଁ ଯାହାର ପ୍ରୟୋଜନ କୁହାଯାଏ, ତାହା ଆପଣ ମୋତେ ବୁଝାଇ କହିଲେ | ଏବେ ଆପଣ କୃପା କରି ମୋତେ
ଭକ୍ତିଯୋଗର ମାର୍ଗ ବିସ୍ତାରପୂର୍ବକ ବୁଝାଇ କହନ୍ତୁ |
ବିରାଗୋ ଯେନ ପୁରୁଷୋ ଭଗବନ୍ ସର୍ୱତୋ ଭବେତ୍ ।
ଆଚକ୍ଷ୍ୱ ଜୀବଲୋକସ୍ୟ ବିବିଧା ମମ ସଂସୃତୀଃ ॥ ୩॥
ଏତଦ୍ ବ୍ୟତିତ ଜୀବର ଜନ୍ମ-ମରଣରୂପ ଅନେକ ପ୍ରକାରର ଗତିର ମଧ୍ୟ
ବର୍ଣ୍ଣନା କରନ୍ତୁ, ଯାହା ଶ୍ରବଣ କରି
ଜୀବର ସମସ୍ତ ପ୍ରକାରର ବସ୍ତୁରେ ବୈରାଗ୍ୟ ହୋଇଯାଏ |
କାଲସ୍ୟେଶ୍ୱରରୂପସ୍ୟ ପରେଷାଂ ଚ ପରସ୍ୟ ତେ ।
ସ୍ୱରୂପଂ ବତ କୁର୍ୱନ୍ତି ଯଦ୍ଧେତୋଃ କୁଶଲଂ ଜନାଃ ॥ ୪॥
ଯାହାର ଭୟରେ ମନୁଷ୍ୟ ଶୁଭ କର୍ମରେ ପ୍ରବୃତ୍ତ ହୋଇଥାଏ ଏବଂ ଯିଏ
ବ୍ରହ୍ମାଦିଙ୍କର ମଧ୍ୟ ଶାସକ ଅଟେ, ସେହି ସର୍ବସମର୍ଥ
କାଳର ସ୍ବରୂପ ବିଷୟରେ ମଧ୍ୟ ଆପଣ ମୋତେ ବୁଝାଇ କହନ୍ତୁ |
ଲୋକସ୍ୟ ମିଥ୍ୟାଭିମତେରଚକ୍ଷୁଷ-
ଶ୍ଚିରଂ ପ୍ରସୁପ୍ତସ୍ୟ ତମସ୍ୟନାଶ୍ରୟେ ।
ଶ୍ରାନ୍ତସ୍ୟ କର୍ମସ୍ୱନୁବିଦ୍ଧୟା ଧିୟା
ତ୍ୱମାବିରାସୀଃ କିଲ ଯୋଗଭାସ୍କରଃ ॥ ୫॥
ଜ୍ଞାନଦୃଷ୍ଟି ଲୁପ୍ତ ହୋଇ ଯାଇଥିବା କାରଣରୁ ଦେହାଦି ମିଥ୍ୟା
ବସ୍ତୁରେ ଯେଉଁମାନଙ୍କର ଆତ୍ମାଭିମାନ ହୋଇ ଯାଇଛି ତଥା ବୁଦ୍ଧି କର୍ମାସକ୍ତ ରହିଥିବା କାରଣରୁ
ଅତ୍ୟନ୍ତ ଶ୍ରମୀ ହୋଇ ଯେଉଁମାନେ ଚିରକାଳରୁ ଅପାର ଅନ୍ଧକାରମୟ ସଂସାରରେ ଶୋଇ ରହିଛନ୍ତି, ସେମାନଙ୍କୁ ଜଗାଇଵା ପାଇଁ ଆପଣ ଯୋଗପ୍ରକାଶକ ସୂର୍ଯ୍ୟ ରୂପରେ ହିଁ
ପ୍ରକଟ ହୋଇଛନ୍ତି |
ମୈତ୍ରେୟ ଉବାଚ
ଇତି ମାତୁର୍ୱଚଃ ଶ୍ଲକ୍ଷ୍ଣଂ ପ୍ରତିନନ୍ଦ୍ୟ ମହାମୁନିଃ ।
ଆବଭାଷେ କୁରୁଶ୍ରେଷ୍ଠ ପ୍ରୀତସ୍ତାଂ କରୁଣାର୍ଦିତଃ ॥ ୬॥
ମୈତ୍ରେୟ ମୁନି କହୁଛନ୍ତି – ହେ କୁରୁଶ୍ରେଷ୍ଠ ବିଦୁର ! ମାତାଙ୍କର
ଏହି ମନୋହର ବଚନ ଶୁଣି ମହାମୁନି କପିଳ ତାଙ୍କର ପ୍ରଶଂସା କଲେ ଏବଂ ଜୀବ ପ୍ରତି ଦୟାରେ ଦ୍ରବୀଭୂତ
ହୋଇ ପ୍ରସନ୍ନତାପୂର୍ବକ ତାଙ୍କୁ ଏହିପରି କହିଲେ -
ଶ୍ରୀଭଗବାନୁବାଚ
ଭକ୍ତିୟୋଗୋ ବହୁବିଧୋ ମାର୍ଗୈର୍ଭାମିନି ଭାବ୍ୟତେ ।
ସ୍ୱଭାବଗୁଣମାର୍ଗେଣ ପୁଂସାଂ ଭାବୋ ବିଭିଦ୍ୟତେ ॥ ୭॥
ଶ୍ରୀଭଗବାନ କହିଲେ – ହେ ମାତା ! ସାଧକମାନଙ୍କର ଭାବ ଅନୁସାରେ
ଭକ୍ତିଯୋଗର ପ୍ରକାଶ ଅନେକ ପ୍ରକାରରେ ହୋଇଥାଏ; କାରଣ ସ୍ବଭାବ ଏବଂ ଗୁଣ ଭେଦରେ ମନୁଷ୍ୟର ଭାବରେ
ମଧ୍ୟ ବିଭିନ୍ନତା ଦେଖା ଯାଇଥାଏ |
ଅଭିସନ୍ଧାୟ ଯୋ ହିଂସାଂ ଦମ୍ଭଂ ମାତ୍ସର୍ୟମେବ ବା ।
ସଂରମ୍ଭୀ ଭିନ୍ନଦୃଗ୍ଭାବଂ ମୟି କୁର୍ୟାତ୍ସ ତାମସଃ ॥ ୮॥
ଯେଉଁ ଭେଦଦର୍ଶୀ କ୍ରୋଧୀ ପୁରୁଷ ହୃଦୟରେ ହିଂସା, ଦମ୍ଭ ଅଥବା ମାତ୍ସର୍ଯ୍ୟ ଭାବ ରଖି ମୋତେ ପ୍ରେମ କରନ୍ତି, ସେ ମୋର ତାମସ ଭକ୍ତ ଅଟନ୍ତି |
ବିଷୟାନଭିସନ୍ଧାୟ ଯଶ ଐଶ୍ୱର୍ୟମେବ ବା ।
ଅର୍ଚାଦାବର୍ଚୟେଦ୍ୟୋ ମାଂ ପୃଥଗ୍ଭାବଃ ସ ରାଜସଃ ॥ ୯॥
ଯେଉଁ ପୁରୁଷ ବିଷୟ,
ଯଶ ଏବଂ ଐଶ୍ବର୍ଯ୍ୟ କାମନାରେ ପ୍ରତିମାଦିରେ ମୋର ଭେଦଭାବ ରଖି ପୂଜନ କରନ୍ତି, ସେ ରଜସ ଭକ୍ତ ଅଟନ୍ତି |
କର୍ମନିର୍ହାରମୁଦ୍ଦିଶ୍ୟ ପରସ୍ମିନ୍ ବା ତଦର୍ପଣମ୍ ।
ଯଜେଦ୍ୟଷ୍ଟବ୍ୟମିତି ବା ପୃଥଗ୍ଭାବଃ ସ ସାତ୍ତ୍ୱିକଃ ॥ ୧୦॥
ଯେଉଁ ବ୍ୟକ୍ତି ପାପକ୍ଷୟ ଉଦ୍ଦେଶ୍ୟରେ ପରମାତ୍ମାଙ୍କୁ କର୍ମ ଅର୍ପଣ
କରିବା ଏବଂ ପୂଜନ କରିବା କର୍ତ୍ତବ୍ୟ ଅଟେ – ଏହି ବୁଦ୍ଧିରେ ମୋର ଭେଦଭାବରେ ପୂଜନ କରନ୍ତି, ସେ
ସାତ୍ତ୍ବିକ ଭକ୍ତ ଅଟନ୍ତି |
ମଦ୍ଗୁଣଶ୍ରୁତିମାତ୍ରେଣ ମୟି ସର୍ୱଗୁହାଶୟେ ।
ମନୋଗତିରବିଚ୍ଛିନ୍ନା ଯଥା ଗଙ୍ଗାମ୍ଭସୋଽମ୍ବୁଧୌ ॥ ୧୧॥
ଲକ୍ଷଣଂ ଭକ୍ତିୟୋଗସ୍ୟ ନିର୍ଗୁଣସ୍ୟ ହ୍ୟୁଦାହୃତମ୍ ।
ଅହୈତୁକ୍ୟବ୍ୟବହିତା ଯା ଭକ୍ତିଃ ପୁରୁଷୋତ୍ତମେ ॥ ୧୨॥
ଗଙ୍ଗାର ପ୍ରବାହ ଯେପରି ଅଖଣ୍ଡରୂପରେ ସମୁଦ୍ର ଅଭିମୁଖରେ ଚାଲିଥାଏ, ସେହିପରି ମୋର ଗୁଣର ଶ୍ରବଣମାତ୍ରେ ମନର ଗତି ତୈଳଧାରାବତ୍
ଅବିଚ୍ଛିନ୍ନରୂପେ ସର୍ବାନ୍ତର୍ଯ୍ୟାମୀ ମୋ ପ୍ରତି ଧାବିତ ହେବା ତଥା ପୁରୁଷୋତ୍ତମ ମୋ ଠାରେ ନିଷ୍କାମ ଏବଂ ଅନନ୍ୟ ପ୍ରେମ ହୋଇଯିବା –
ଏହାକୁ ନିର୍ଗୁଣ ଭକ୍ତିଯୋଗର ଲକ୍ଷଣ ନିରୂପିତ କରାଯାଏ |
ସାଲୋକ୍ୟସାର୍ଷ୍ଟିସାମୀପ୍ୟସାରୂପ୍ୟୈକତ୍ୱମପ୍ୟୁତ ।
ଦୀୟମାନଂ ନ ଗୃହ୍ଣନ୍ତି ବିନା ମତ୍ସେବନଂ ଜନାଃ ॥ ୧୩॥
ଏପରି ନିଷ୍କାମ ଭକ୍ତ ମୋର ସେବା ଅତିରିକ୍ତ ଅଯାଚିତ ଭାବରେ ପ୍ରଦାନ
କରାଯାଉ ଥିବା ସାର୍ଷ୍ଟି, ସାଲୋକ୍ୟ, ସାମୀପ୍ୟ, ସାରୂପ୍ୟ ଏବଂ ସାୟୁଜ୍ୟ ମୋକ୍ଷ ମଧ୍ୟ ସ୍ବୀକାର କରନ୍ତି ନାହିଁ |
ସ ଏବ ଭକ୍ତିୟୋଗାଖ୍ୟ ଆତ୍ୟନ୍ତିକ ଉଦାହୃତଃ ।
ଯେନାତିବ୍ରଜ୍ୟ ତ୍ରିଗୁଣଂ ମଦ୍ଭାବାୟୋପପଦ୍ୟତେ ॥ ୧୪॥
ଭଗବତ୍-ସେବା ନିମନ୍ତେ ମୁକ୍ତିର ତିରସ୍କାର କରୁଥିବା ଏହି ଭକ୍ତିଯୋଗ
ହିଁ ପରମ ପୁରୁଷାର୍ଥ ଅଟେ, ଯାହାକୁ ସାଧ୍ୟ
କୁହାଯାଏ | ଏହା ଦ୍ବାରା ପୁରୁଷ ତ୍ରିଗୁଣକୁ ଲଂଘନ କରି ମୋର ଭାବ – ମୋର ପ୍ରେମରୂପ ଅପ୍ରାକୃତ
ସ୍ଵରୂପକୁ ପ୍ରାପ୍ତ ହୋଇଯାଏ |
ନିଷେବିତେନାନିମିତ୍ତେନ ସ୍ୱଧର୍ମେଣ ମହୀୟସା ।
କ୍ରିୟାୟୋଗେନ ଶସ୍ତେନ ନାତିହିଂସ୍ରେଣ ନିତ୍ୟଶଃ ॥ ୧୫॥
ମଦ୍ଧିଷ୍ଣ୍ୟଦର୍ଶନସ୍ପର୍ଶପୂଜାସ୍ତୁତ୍ୟଭିବନ୍ଦନୈଃ ।
ଭୂତେଷୁ ମଦ୍ଭାବନୟା ସତ୍ତ୍ୱେନାସଙ୍ଗମେନ ଚ ॥ ୧୬॥
ମହତାଂ ବହୁମାନେନ ଦୀନାନାମନୁକମ୍ପୟା ।
ମୈତ୍ର୍ୟା ଚୈବାତ୍ମତୁଲ୍ୟେଷୁ ଯମେନ ନିୟମେନ ଚ ॥ ୧୭॥
ଆଧ୍ୟାତ୍ମିକାନୁଶ୍ରବଣାନ୍ନାମସଙ୍କୀର୍ତନାଚ୍ଚ ମେ ।
ଆର୍ଜବେନାର୍ୟସଙ୍ଗେନ ନିରହଙ୍କ୍ରିୟଯା ତଥା ॥ ୧୮॥
ମଦ୍ଧର୍ମଣୋ ଗୁଣୈରେତୈଃ ପରିସଂଶୁଦ୍ଧ ଆଶୟଃ ।
ପୁରୁଷସ୍ୟାଞ୍ଜସାଭ୍ୟେତି ଶ୍ରୁତମାତ୍ରଗୁଣଂ ହି ମାମ୍ ॥ ୧୯॥
ନିଷ୍କାମଭାବରେ ଶ୍ରଦ୍ଧାପୂର୍ବକ ନିଜର ନିତ୍ୟ-ନୈମିତ୍ତିକ କର୍ତ୍ତବ୍ୟ
ପାଳନ କରି, ନିତ୍ୟପ୍ରତି
ହିଂସାରହିତ ଉତ୍ତମ କ୍ରିୟାଯୋଗର ଅନୁଷ୍ଠାନ କରି,
ମୋ ପ୍ରତିମାର ଦର୍ଶନ-ସ୍ପର୍ଶ-ପୂଜା-ସ୍ତୁତି ଏବଂ ବନ୍ଦନା କରି, ଧୈର୍ଯ୍ୟ ଏବଂ ବୈରାଗ୍ୟର ଅବଲମ୍ବନ, ମହାପୁରୁଷମାନଙ୍କର ସମ୍ମାନ,
ଦୀନ ପ୍ରତି ଦୟା, ସମବୟସ୍କ
ବ୍ୟକ୍ତିଙ୍କ ସହିତ ମିତ୍ରତା, ଯମ-ନିୟମର ପାଳନ, ଅଧ୍ୟାତ୍ମଶାସ୍ତ୍ରର ଶ୍ରବଣ ଏବଂ ମୋ ନାମର ଉଚ୍ଚ ସ୍ବରରେ କୀର୍ତ୍ତନ
କରିବା ତଥା ସରଳ, ସତ୍-ପୁରୁଷଙ୍କର
ସଙ୍ଗ କରୁଥିବା ଏବଂ ଅହଂକାର ତ୍ୟାଗ କରି ମୋ ଧର୍ମ (ଭାଗବତଧର୍ମ) ର ଅନୁଷ୍ଠାନ କରୁଥିବା ଭକ୍ତର
ଚିତ୍ତ ଅତ୍ୟନ୍ତ ଶୁଦ୍ଧ ହୋଇ ମୋର ଗୁଣ ଶ୍ରବଣମାତ୍ରେ ଅନାୟାସ ହିଁ ମୋଠାରେ ଅନୁରକ୍ତ ହୋଇଯାଏ |
ଯଥା ବାତରଥୋ ଘ୍ରାଣମାବୃଙ୍କ୍ତେ ଗନ୍ଧ ଆଶୟାତ୍ ।
ଏବଂ ଯୋଗରତଂ ଚେତ ଆତ୍ମାନମବିକାରି ଯତ୍ ॥ ୨୦॥
ବାୟୁ ଦ୍ବାରା ପ୍ରବାହିତ ହୋଇ ଗନ୍ଧ ଯେପରି ନିଜ ଆଶ୍ରୟ ପୁଷ୍ପଠାରୁ
ଘ୍ରାଣେନ୍ଦ୍ରିୟ ନିକଟରେ ପହଞ୍ଚି ଯାଏ, ସେହିପରି
ଭକ୍ତିଯୋଗରେ ତତ୍ପର ଏବଂ ରାଗ-ଦ୍ବେଷାଦି ବିକାରଶୂନ୍ୟ ଚିତ୍ତ ପରମାତ୍ମାଙ୍କୁ ପ୍ରାପ୍ତ କରିନେଇ
ଥାଏ |
ଅହଂ ସର୍ୱେଷୁ ଭୂତେଷୁ ଭୂତାତ୍ମାବସ୍ଥିତଃ ସଦା ।
ତମବଜ୍ଞାୟ ମାଂ ମର୍ତ୍ୟଃ କୁରୁତେଽର୍ଚାବିଡମ୍ବନମ୍ ॥ ୨୧॥
ମୁଁ ଆତ୍ମାରୂପରେ ସର୍ବଦା ସବୁ ଜୀବଙ୍କ ମଧ୍ୟରେ ସ୍ଥିତ ଅଟେ; ସେଥିପାଇଁ ଯେଉଁମାନେ ମୋର ସର୍ବଭୂତସ୍ଥିତ ପରମାତ୍ମା ରୂପର ଅନାଦର
କରି କେବଳ ପ୍ରତିମାରୂପରେ ମୋର ପୂଜା କରନ୍ତି,
ସେମାନଙ୍କର ସେହି ପୂଜା ସ୍ବାଁଗମାତ୍ର ଅଟେ |
ଯୋ ମାଂ ସର୍ୱେଷୁ ଭୂତେଷୁ ସନ୍ତମାତ୍ମାନମୀଶ୍ୱରମ୍ ।
ହିତ୍ୱାର୍ଚାଂ ଭଜତେ ମୌଢ୍ୟାଦ୍ଭସ୍ମନ୍ୟେବ ଜୁହୋତି ସଃ ॥ ୨୨॥
ମୁଁ ସମସ୍ତଙ୍କର ଆତ୍ମା,
ପରମେଶ୍ବର ଏବଂ ସବୁ ପ୍ରାଣୀଙ୍କ ମଧ୍ୟରେ ସ୍ଥିତ ଅଟେ | ସେପରି ସ୍ଥଳେ, ମୋହବଶତଃ ଯେଉଁମାନେ ମୋର
ଉପେକ୍ଷା କରି କେବଳ ପ୍ରତିମା ପୂଜନରେ ଲାଗି ରହନ୍ତି,
ଜାଣିବାକୁ ହେବ ଯେ ସେ ଭସ୍ମରେ ହିଁ ହୋମ କରୁଛନ୍ତି |
ଦ୍ୱିଷତଃ ପରକାୟେ ମାଂ ମାନିନୋ ଭିନ୍ନଦର୍ଶିନଃ ।
ଭୂତେଷୁ ବଦ୍ଧବୈରସ୍ୟ ନ ମନଃଶାନ୍ତିମୃଚ୍ଛତି ॥ ୨୩॥
ଯେଉଁ ଭେଦଦର୍ଶୀ ଏବଂ ଅଭିମାନୀ ପୁରୁଷ ଅନ୍ୟ ଜୀବ ସହିତ ଶତ୍ରୁତା
କରିଥାଆନ୍ତି ଏବଂ ସେହି ରୂପେ ସେମାନଙ୍କ ଶରୀରରେ ଆତ୍ମାରୂପେ ବିଦ୍ୟମାନ ମୋ ଠାରେ ଦ୍ବେଷ
କରନ୍ତି, ତାଙ୍କ ମନକୁ କେବେ
ଶାନ୍ତି ମିଳି ନ ଥାଏ |
ଅହମୁଚ୍ଚାବଚୈର୍ଦ୍ରବ୍ୟୈଃ କ୍ରିୟଯୋତ୍ପନ୍ନୟାନଘେ ।
ନୈବ ତୁଷ୍ୟେଽର୍ଚିତୋଽର୍ଚାୟାଂ ଭୂତଗ୍ରାମାବମାନିନଃ ॥ ୨୪॥
ହେ ମାତା ! ଯିଏ ଅନ୍ୟ ଜୀବର ଅପମାନ କରନ୍ତି, ସେ ଭଲ-ମନ୍ଦ ବହୁ ପ୍ରକାରର ସାମଗ୍ରୀ ଦ୍ବାରା ଅନେକ ବିଧି-ବିଧାନ
କରି ମୋ ମୂର୍ତ୍ତିର ପୂଜନ କରୁଥିଲେ ବି ମୁଁ ସେଥିରେ ପ୍ରସନ୍ନ ହୋଇ ନ ଥାଏ |
ଅର୍ଚାଦାବର୍ଚୟେତ୍ତାବଦୀଶ୍ୱରଂ ମାଂ ସ୍ୱକର୍ମକୃତ୍ ।
ଯାବନ୍ନ ବେଦ ସ୍ୱହୃଦି ସର୍ୱଭୂତେଷ୍ୱବସ୍ଥିତମ୍ ॥ ୨୫॥
ମନୁଷ୍ୟ ନିଜ ଧର୍ମର ଅନୁଷ୍ଠାନ କରି ସେତେଦିନଯାଏଁ ଈଶ୍ବରରୂପ ମୋ
ପ୍ରତିମା ଆଦିର ପୂଜା କରିପାରେ ଯେତେଦିନଯାଏଁ ସେ ନିଜ ହୃଦୟରେ ଏବଂ ସମ୍ପୂର୍ଣ୍ଣ ପ୍ରାଣୀମାନଙ୍କ
ଭିତରେ ସ୍ଥିତ ପରମାତ୍ମାଙ୍କୁ ଅନୁଭବ କରି ନ ପାରିଛି |
ଆତ୍ମନଶ୍ଚ ପରସ୍ୟାପି ଯଃ କରୋତ୍ୟନ୍ତରୋଦରମ୍ ।
ତସ୍ୟ ଭିନ୍ନଦୃଶୋ ମୃତ୍ୟୁର୍ୱିଦଧେ ଭୟମୁଲ୍ବଣମ୍ ॥ ୨୬॥
ଯେଉଁ ବ୍ୟକ୍ତି ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ କିଂଚିତ୍ ବି ଭେଦଭାବ
ରଖିଥାଆନ୍ତି, ସେହି ଭେଦଦର୍ଶୀଙ୍କ
ନିମନ୍ତେ ମୁଁ ମୃତ୍ୟୁରୂପରେ ମହାନ୍ ଭୟ ଉପସ୍ଥିତ କରାଇ ଥାଏ |
ଅଥ ମାଂ ସର୍ୱଭୂତେଷୁ ଭୂତାତ୍ମାନଂ କୃତାଲୟମ୍ ।
ଅର୍ହୟେଦ୍ଦାନମାନାଭ୍ୟାଂ ମୈତ୍ର୍ୟାଭିନ୍ନେନ ଚକ୍ଷୁଷା ॥ ୨୭॥
ଅତଏବ ସବୁ ପ୍ରାଣୀଙ୍କ ଭିତରେ ନିବାସ କରି ସେହି-ସେହି ପ୍ରାଣୀଙ୍କ
ରୂପରେ ସ୍ଥିତ ପରମାତ୍ମାରୂପୀ ମୋ ଉଦ୍ଦେଶ୍ୟରେ ଯଥାଯୋଗ୍ୟ ଦାନ, ସମ୍ମାନ, ମିତ୍ରତାର ବ୍ୟବହାର ତଥା ସମଦୃଷ୍ଟିରେ ପୂଜନ କରିବା ଉଚିତ୍
|
ଜୀବାଃ ଶ୍ରେଷ୍ଠା ହ୍ୟଜୀବାନାଂ ତତଃ ପ୍ରାଣଭୃତଃ ଶୁଭେ ।
ତତଃ ସଚିତ୍ତାଃ ପ୍ରବରାସ୍ତତଶ୍ଚେନ୍ଦ୍ରିୟବୃତ୍ତୟଃ ॥ ୨୮॥
ତତ୍ରାପି ସ୍ପର୍ଶବେଦିଭ୍ୟଃ ପ୍ରବରା ରସବେଦିନଃ ।
ତେଭ୍ୟୋ ଗନ୍ଧବିଦଃ ଶ୍ରେଷ୍ଠାସ୍ତତଃ ଶବ୍ଦବିଦୋ ବରାଃ ॥ ୨୯॥
ହେ ମାତା ! ପାଷାଣ ଆଦି ଅଚେତନ ପଦାର୍ଥ ଅପେକ୍ଷା ବୃକ୍ଷାଦି ଜୀବ
ଶ୍ରେଷ୍ଠ ଅଟନ୍ତି, ସେମାନଙ୍କଠାରୁ
ଶ୍ବାସ ଗ୍ରହଣ କରୁଥିବା ପ୍ରାଣୀ ଶ୍ରେଷ୍ଠ ଅଟନ୍ତି,
ସେମାନଙ୍କ ମଧ୍ୟରେ ବି ମନଯୁକ୍ତ ପ୍ରାଣୀ ଉତ୍ତମ ଏବଂ ସେମାନଙ୍କଠାରୁ ଇନ୍ଦ୍ରିୟ ବୃତ୍ତିଯୁକ୍ତ
ପ୍ରାଣୀ ଶ୍ରେଷ୍ଠ ଅଟନ୍ତି | ଇନ୍ଦ୍ରିୟବୃତ୍ତିଯୁକ୍ତ ପ୍ରାଣୀମାନଙ୍କ ମଧ୍ୟରୁ କେବଳ ସ୍ପର୍ଶ
ଅନୁଭବ କରିପାରୁ ଥିବା ପ୍ରାଣୀଙ୍କଠାରୁ ଉତ୍କୃଷ୍ଟ ରସ ଗ୍ରହଣକାରୀ ମତ୍ସ୍ୟାଦି ପ୍ରାଣୀ ଅଟନ୍ତି
| ରସବେତ୍ତାଙ୍କ ଅପେକ୍ଷା ଗନ୍ଧ ଗ୍ରହଣକାରୀ (ଭ୍ରମରାଦି) ଏବଂ ଗନ୍ଧ ଗ୍ରହଣକାରୀମାନଙ୍କଠାରୁ
ମଧ୍ୟ ଶବ୍ଦ ଗ୍ରହଣକାରୀ (ସର୍ପାଦି) ଶ୍ରେଷ୍ଠ ଅଟନ୍ତି |
ରୂପଭେଦବିଦସ୍ତତ୍ର ତତଶ୍ଚୋଭୟତୋ ଦତଃ ।
ତେଷାଂ ବହୁପଦାଃ ଶ୍ରେଷ୍ଠାଶ୍ଚତୁଷ୍ପାଦସ୍ତତୋ ଦ୍ୱିପାତ୍ ॥ ୩୦॥
ସେମାନଙ୍କଠାରୁ ମଧ୍ୟ ରୂପକୁ ଅନୁଭବ କରିପାରୁ ଥିବା (କାକାଦି) ଉତ୍ତମ
ଅଟନ୍ତି ଏବଂ ସେମାନଙ୍କ ଅପେକ୍ଷା ଯେଉଁମାନଙ୍କର ଉପର-ତଳ ଉଭୟ ପାର୍ଶ୍ବରେ ଦାନ୍ତ ଥାଏ, ସେହି ଜୀବ ଶ୍ରେଷ୍ଠ ଅଟନ୍ତି | ସେମାନଙ୍କ ମଧ୍ୟରୁ ବି ପାଦ ନ ଥିବା
ପ୍ରାଣୀ ଅପେକ୍ଷା ଚତୁଷ୍ପଦ ପ୍ରାଣୀ ଏବଂ ତା’ଠାରୁ ଦ୍ବି-ପଦ
ମନୁଷ୍ୟ ଶ୍ରେଷ୍ଠ ଅଟନ୍ତି |
ତତୋ ବର୍ଣାଶ୍ଚ ଚତ୍ୱାରସ୍ତେଷାଂ ବ୍ରାହ୍ମଣ ଉତ୍ତମଃ ।
ବ୍ରାହ୍ମଣେଷ୍ୱପି ବେଦଜ୍ଞୋ ହ୍ୟର୍ଥଜ୍ଞୋଽଭ୍ୟଧିକସ୍ତତଃ ॥ ୩୧॥
ମନୁଷ୍ୟ ଚାରି ବର୍ଣ୍ଣର ଅଟେ; ସେମାନଙ୍କ ମଧ୍ୟରେ ବ୍ରାହ୍ମଣ ଶ୍ରେଷ୍ଠ
ଅଟନ୍ତି | ବ୍ରାହ୍ମଣମାନଙ୍କ ମଧ୍ୟରେ ବେଦଜ୍ଞ ବ୍ରାହ୍ମଣ ଉତ୍ତମ ଅଟନ୍ତି ଏବଂ ବେଦଜ୍ଞମାନଙ୍କ
ମଧ୍ୟରେ ବେଦର ତାତ୍ପର୍ଯ୍ୟ ଜାଣିଥିବା ବ୍ରାହ୍ମଣ ଶ୍ରେଷ୍ଠ ଅଟନ୍ତି |
ଅର୍ଥଜ୍ଞାତ୍ସଂଶୟଚ୍ଛେତ୍ତା ତତଃ ଶ୍ରେୟାନ୍ ସ୍ୱକର୍ମକୃତ୍ ।
ମୁକ୍ତସଙ୍ଗସ୍ତତୋ ଭୂୟାନଦୋଗ୍ଧା ଧର୍ମମାତ୍ମନଃ ॥ ୩୨॥
ତାତ୍ପର୍ଯ୍ୟ ଜାଣିଥିବା ବ୍ୟକ୍ତିଙ୍କ ଅପେକ୍ଷା ସଂଶୟ ନିବାରଣ କରି
ପାରୁଥିବା ବ୍ୟକ୍ତି ଶ୍ରେଷ୍ଠ ଅଟନ୍ତି | ସେମାନଙ୍କଠାରୁ ଶ୍ରେଷ୍ଠ ବର୍ଣ୍ଣାଶ୍ରମ ଧର୍ମ ପାଳନ
କରୁଥିବା ବ୍ୟକ୍ତି ତଥା ତାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଯେଉଁମାନେ ଆସକ୍ତି ତ୍ୟାଗ କରି ନିଷ୍କାମ
ଭାବ ରଖି ଧର୍ମ ଆଚରଣ କରନ୍ତି |
ତସ୍ମାନ୍ମୟ୍ୟର୍ପିତାଶେଷକ୍ରିୟାର୍ଥାତ୍ମା ନିରନ୍ତରଃ ।
ମୟ୍ୟର୍ପିତାତ୍ମନଃ ପୁଂସୋ ମୟି ସନ୍ନ୍ୟସ୍ତକର୍ମଣଃ ।
ନ ପଶ୍ୟାମି ପରଂ ଭୂତମକର୍ତୁଃ ସମଦର୍ଶନାତ୍ ॥ ୩୩॥
ସେମାନଙ୍କ ଅପେକ୍ଷା ଯେଉଁମାନେ ନିଜର ସମ୍ପୂର୍ଣ୍ଣ କର୍ମ, କର୍ମଫଳ
ତଥ୍ୟ ନିଜ ଶରୀରକୁ ମଧ୍ୟ ମୋ ଠାରେ ଅର୍ପିତ କରି ଭେଦଭାବ ରହିତ ହୋଇ ମୋର ଉପାସନା କରନ୍ତି, ସେମାନେ ଶ୍ରେଷ୍ଠ ଅଟନ୍ତି | ଏହିପରି ଭାବରେ ମୋଠାରେ ହିଁ ଚିତ୍ତ ଓ
କର୍ମକୁ ସମର୍ପଣ କରିଥିବା ଅକର୍ତ୍ତା ଏବଂ ସମଦର୍ଶୀ ପୁରୁଷଙ୍କଠାରୁ ବଳି ମୋତେ ଅନ୍ୟ କୌଣସି
ପ୍ରାଣୀ ଦେଖାଯାଆନ୍ତି ନାହିଁ |
ମନସୈତାନି ଭୂତାନି ପ୍ରଣମେଦ୍ବହୁମାନୟନ୍ ।
ଈଶ୍ୱରୋ ଜୀବକଲୟା ପ୍ରବିଷ୍ଟୋ ଭଗବାନିତି ॥ ୩୪॥
ଅତଏବ ଜୀବରୂପ ନିଜ ଅଂଶରେ ସାକ୍ଷାତ ଭଗବାନ ହିଁ ନିବାସ କରିଛନ୍ତି, ଏହିପରି ମନେକରି ସବୁ ପ୍ରାଣୀଙ୍କୁ ଆଦରପୂର୍ବକ ମନରେ ପ୍ରଣାମ କର |
ଭକ୍ତିୟୋଗଶ୍ଚ ଯୋଗଶ୍ଚ ମୟା ମାନବ୍ୟୁଦୀରିତଃ ।
ଯୟୋରେକତରେଣୈବ ପୁରୁଷଃ ପୁରୁଷଂ ବ୍ରଜେତ୍ ॥ ୩୫॥
ହେ ମାତା ! ଏହିପରି ଭାବରେ ତୁମ ପାଇଁ ମୁଁ ଉଭୟ ଭକ୍ତିଯୋଗ ଏବଂ
ଅଷ୍ଟାଙ୍ଗଯୋଗର ବର୍ଣ୍ଣନା କଲି | ଏଥିମଧ୍ୟରୁ ଯେ କୌଣସି ଗୋଟିଏ ସାଧନ କରି ମଧ୍ୟ ଜୀବ ପରମପୁରୁଷ
ଭଗବାନଙ୍କୁ ପ୍ରାପ୍ତ କରି ପାରେ |
ଏତଦ୍ଭଗବତୋ ରୂପଂ ବ୍ରହ୍ମଣଃ ପରମାତ୍ମନଃ ।
ପରଂ ପ୍ରଧାନଂ ପୁରୁଷଂ ଦୈବଂ କର୍ମବିଚେଷ୍ଟିତମ୍ ॥ ୩୬॥
ରୂପଭେଦାସ୍ପଦଂ ଦିବ୍ୟଂ କାଲ ଇତ୍ୟଭିଧୀୟତେ ।
ଭୂତାନାଂ ମହଦାଦୀନାଂ ଯତୋ ଭିନ୍ନଦୃଶାଂ ଭୟମ୍ ॥ ୩୭॥
ପରମାତ୍ମା ପରବ୍ରହ୍ମ ଭଗବାନଙ୍କର ଅଦ୍ଭୁତ ପ୍ରଭାବସମ୍ପନ୍ନ ତଥା
ଜାଗତିକ ପଦାର୍ଥର ନାନାବିଧ ବୈଚିତ୍ର୍ୟର ହେତୁଭୂତ ସ୍ବରୂପବିଶେଷ ହିଁ ‘କାଳ’ ନାମରେ ବିଖ୍ୟାତ ଅଟେ | ପ୍ରକୃତି ଏବଂ ପୁରୁଷ ଏହାର ହିଁ ରୂପ
ଅଟନ୍ତି ତଥା ଏହାଠାରୁ ପୃଥକ୍ ମଧ୍ୟ ଅଟନ୍ତି | ନାନା ପ୍ରକାରର କର୍ମର ମୂଳ ଅଦୃଷ୍ଟ ମଧ୍ୟ ଏହା
ଅଟେ | ମହତ୍ତତ୍ତ୍ବାଦି ଅଭିମାନୀ ଭେଦଦର୍ଶୀ ପ୍ରାଣୀ ଏହାକୁ ସର୍ବଦା ଭୟ କରିଥାଆନ୍ତି |
ଯୋଽନ୍ତଃପ୍ରବିଶ୍ୟ ଭୂତାନି ଭୂତୈରତ୍ତ୍ୟଖିଲାଶ୍ରୟଃ ।
ସ ବିଷ୍ଣ୍ୱାଖ୍ୟୋଽଧିୟଜ୍ଞୋଽସୌ କାଲଃ କଲୟତାଂ ପ୍ରଭୁଃ ॥ ୩୮॥
ଯିଏ ସମସ୍ତଙ୍କର ଆଶ୍ରୟ ହୋଇଥିବା କାରଣରୁ ସମସ୍ତ ପ୍ରାଣୀଙ୍କ ମଧ୍ୟରେ
ଅନୁପ୍ରବିଷ୍ଟ ହୋଇ ଭୂତମାନଙ୍କ ଦ୍ବାରା ସେମାନଙ୍କର ସଂହାର କରନ୍ତି, ସେହି ଜଗତଶାସକ ବ୍ରହ୍ମାଦିଙ୍କର ମଧ୍ୟ ପ୍ରଭୁ ଭଗବାନ କାଳ ହିଁ
ଯଜ୍ଞର ଫଳଦାୟକ ବିଷ୍ଣୁ ଅଟନ୍ତି |
ନ ଚାସ୍ୟ କଶ୍ଚିଦ୍ଦୟିତୋ ନ ଦ୍ୱେଷ୍ୟୋ ନ ଚ ବାନ୍ଧବଃ ।
ଆବିଶତ୍ୟପ୍ରମତ୍ତୋଽସୌ ପ୍ରମତ୍ତଂ ଜନମନ୍ତକୃତ୍ ॥ ୩୯॥
ଏହାର କେହି ମିତ୍ର ନୁହଁନ୍ତି କି ଶତ୍ରୁ ନୁହଁନ୍ତି କି
ସ୍ବଜନ-ସମ୍ବନ୍ଧୀ ନୁହଁନ୍ତି | ଏହା ସର୍ବଦା ସଜାଗ ରହିଥାଏ ଏବଂ ନିଜ ସ୍ବରୂପଭୂତ
ଶ୍ରୀଭଗବାନଙ୍କୁ ଭୂଲି ଭୋଗରୂପ ପ୍ରମାଦରେ ପଡି ରହିଥିବା ପ୍ରାଣୀଙ୍କୁ ଆକ୍ରମଣ କରି ଇଏ
ସେମାନଙ୍କର ସଂହାର କରିଥାଏ |
ଯଦ୍ଭୟାଦ୍ୱାତି ବାତୋଽୟଂ ସୂର୍ୟସ୍ତପତି ଯଦ୍ଭୟାତ୍ ।
ଯଦ୍ଭୟାଦ୍ୱର୍ଷତେ ଦେବୋ ଭଗଣୋ ଭାତି ଯଦ୍ଭୟାତ୍ ॥ ୪୦॥
ଏହାର ଭୟରେ ବାୟୁ ପ୍ରବାହିତ ହୋଇଥାଏ, ସୂର୍ଯ୍ୟ ଉତ୍ତପ୍ତ ହୁଅନ୍ତି,
ଇନ୍ଦ୍ର ବର୍ଷା କରନ୍ତି ଏବଂ ଏହାର ଭୟରେ ହିଁ ତାରାମାନେ ଆକାଶରେ ଚମକି ଥାଆନ୍ତି |
ଯଦ୍ୱନସ୍ପତୟୋ ଭୀତା ଲତାଶ୍ଚୌଷଧିଭିଃ ସହ ।
ସ୍ୱେ ସ୍ୱେ କାଲେଽଭିଗୃହ୍ଣନ୍ତି ପୁଷ୍ପାଣି ଚ ଫଲାନି ଚ ॥ ୪୧॥
ଏହା ଦ୍ବାରା ଭୟଭୀତ ହୋଇ ବୃକ୍ଷ ଏବଂ ଲତାଙ୍କ ସମେତ ସମସ୍ତ ବନଷ୍ପତି
ସମୟ-ସମୟରେ ଫୁଲ-ଫଳ ଧାରଣ କରନ୍ତି |
ସ୍ରବନ୍ତି ସରିତୋ ଭୀତା ନୋତ୍ସର୍ପତ୍ୟୁଦଧିର୍ୟତଃ ।
ଅଗ୍ନିରିନ୍ଧେ ସଗିରିଭିର୍ଭୂର୍ନ ମଜ୍ଜତି ଯଦ୍ଭୟାତ୍ ॥ ୪୨॥
ଏହାର ଭୟରେ ନଦୀମାନେ ପ୍ରବାହିତ ହେଉଥାଆନ୍ତି ଏବଂ ସମୁଦ୍ର ନିଜର
ମର୍ଯ୍ୟାଦା ଲଂଘନ କରି ନ ଥାଏ | ଏହାର ଭୟରେ ଅଗ୍ନି ପ୍ରଜ୍ବଳିତ ହୁଅନ୍ତି ଏବଂ ପର୍ବତ ସହିତ
ପୃଥିବୀ ଜଳମଗ୍ନ ହୁଏ ନାହିଁ |
ନଭୋ ଦଦାତି ଶ୍ୱସତାଂ ପଦଂ ଯନ୍ନିୟମାଦଦଃ ।
ଲୋକଂ ସ୍ୱଦେହଂ ତନୁତେ ମହାନ୍ସପ୍ତଭିରାବୃତମ୍ ॥ ୪୩॥
ଏହା ଦ୍ବାରା ଶାସିତ ହୋଇ ଆକାଶ ଜୀବିତ ପ୍ରାଣୀମାନଙ୍କର
ଶ୍ବାସ-ପ୍ରଶ୍ବାସ ନିମନ୍ତେ ଅବକାଶ ଦେଇଥାଏ ଏବଂ ମହତ୍ତତ୍ତ୍ବ ଅହଂକାରରୂପ ଶରୀରର ସପ୍ତ
ଆବରଣଯୁକ୍ତ ବ୍ରହ୍ମାଣ୍ଡ ରୂପରେ ବିସ୍ତାର କରିଥାଏ |
ଗୁଣାଭିମାନିନୋ ଦେବାଃ ସର୍ଗାଦିଷ୍ୱସ୍ୟ ଯଦ୍ଭୟାତ୍ ।
ବର୍ତନ୍ତେଽନୁୟୁଗଂ ଯେଷାଂ ବଶ ଏତଚ୍ଚରାଚରମ୍ ॥ ୪୪॥
ସତ୍ତ୍ଵାଦି ଗୁଣର ନିୟାମକ ବିଷ୍ଣୁ ଆଦି ଦେବଗଣ, ଯାହାର ଅଧୀନସ୍ତ ଏହି ସଚରାଚର ଜଗତ ଅଟେ, ଏହି କାଳର ଭୟରେ ହିଁ ନିଜ ଜଗତ୍-ରଚନା ଆଦି କାର୍ଯ୍ୟରେ ଯୁଗକ୍ରମେ
ତତ୍ପର ରହନ୍ତି |
ସୋଽନନ୍ତୋଽନ୍ତକରଃ କାଲୋଽନାଦିରାଦିକୃଦବ୍ୟଯଃ ।
ଜନଂ ଜନେନ ଜନୟନ୍ ମାରୟନ୍ ମୃତ୍ୟୁନାନ୍ତକମ୍ ॥ ୪୫॥
ଏହି ଅବିନାଶୀ କାଳ ସ୍ବୟଂ ଅନାଦି ହୋଇଥିଲେ ବି ଅନ୍ୟମାନଙ୍କର
ଆଦିକର୍ତ୍ତା (ଉତ୍ପାଦକ) ଅଟେ ତଥା ସ୍ବୟଂ ଅନନ୍ତ ହୋଇ ମଧ୍ୟ ଅନ୍ୟମାନଙ୍କର ଅନ୍ତର କାରଣ ହୋଇଥାଏ
| ଏହା ପିତାଙ୍କଠାରୁ ପୁତ୍ର ଉତ୍ପନ୍ନ କରାଇ ସମ୍ପୂର୍ଣ୍ଣ ଜଗତର ରଚନା କରିଥାଏ ଏବଂ ନିଜ
ସଂହାରଶକ୍ତି ମୃତ୍ୟୁ ଦ୍ବାରା ଯମରାଜଙ୍କର ମଧ୍ୟ ମୃତ୍ୟୁ କରାଇ ଅନ୍ତ କରିଦେଇ ଥାଏ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଲେୟୋପାଖ୍ୟାନେ ଏକୋନତ୍ରିଂଶୋଽଧ୍ୟାୟଃ ॥ ୨୯॥

Comments
Post a Comment