ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ ॥

ଦଶମ ଅଧ୍ୟାୟ

ଉତ୍ତମଙ୍କର ନିଧନ ଏବଂ ଧ୍ରୁବଙ୍କର ଯକ୍ଷଙ୍କ ସହିତ ଯୁଦ୍ଧ

 

ମୈତ୍ରେୟ ଉବାଚ

ପ୍ରଜାପତେର୍ଦୁହିତରଂ ଶିଶୁମାରସ୍ୟ ବୈ ଧ୍ରୁବଃ ।

ଉପୟେମେ ଭ୍ରମିଂ ନାମ ତତ୍ସୁତୌ କଲ୍ପବତ୍ସରୌ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ପ୍ରଜାପତି ଶିଶୁମାରଙ୍କର ପୁତ୍ରୀ ଭ୍ରମିଙ୍କ ସହିତ ଧ୍ରୁବ ବିବାହ କଲେ, ତାଙ୍କଠାରୁ ତାଙ୍କର କଳ୍ପ ଏବଂ ବତ୍ସର ନାମରେ ଦୁଇ ପୁତ୍ର ଜାତ ହେଲେ |

ଇଲାୟାମପି ଭାର୍ୟାୟାଂ ବାୟୋଃ ପୁତ୍ର୍ୟାଂ ମହାବଲଃ ।

ପୁତ୍ରମୁତ୍କଲନାମାନଂ ଯୋଷିଦ୍ରତ୍ନମଜୀଜନତ୍ ॥ ୨॥

ମହାବଳୀ ଧ୍ରୁବଙ୍କର ଦ୍ବିତୀୟ ପତ୍ନୀ ବାୟୁପୁତ୍ରୀ ଇଲା ଥିଲେ, ତାଙ୍କଠାରୁ ତାଙ୍କର ଉତ୍କଳ ନାମକ ପୁତ୍ର ଏବଂ ଏକ କନ୍ୟାରତ୍ନ ଉତ୍ପନ୍ନ ହେଲେ |

ଉତ୍ତମସ୍ତ୍ୱକୃତୋଦ୍ୱାହୋ ମୃଗୟାୟାଂ ବଲୀୟସା ।

ହତଃ ପୁଣ୍ୟଜନେନାଦ୍ରୌ ତନ୍ମାତାସ୍ୟ ଗତିଂ ଗତା ॥ ୩॥

ଉତ୍ତମଙ୍କର ବିବାହ ହେବା ପୂର୍ବରୁ ଦିନେ ଶିକାର କରିବାକୁ ଯାଇଥିବା ସମୟରେ ହିମାଳୟ ପର୍ବତ ଉପରେ ଏକ ବଳବାନ୍ ଯକ୍ଷ ହାତରେ ସେ ମୃତ୍ୟୁବରଣ କଲେ | ତାଙ୍କ ପଛେ ପଛେ ତାଙ୍କର ମାତା ସୁରୁଚି ମଧ୍ୟ ପରଲୋକ ଗମନ କଲେ |

ଧ୍ରୁବୋ ଭ୍ରାତୃବଧଂ ଶ୍ରୁତ୍ୱା କୋପାମର୍ଷଃ ଶୁଚାର୍ପିତଃ ।

ଜୈତ୍ରଂ ସ୍ୟନ୍ଦନମାସ୍ଥାୟ ଗତଃ ପୁଣ୍ୟଜନାଲୟମ୍ ॥ ୪॥

ଭାଈର ମୃତ୍ୟୁ ସମାଚାର ଶୁଣି କ୍ରୋଧ, ଶୋକ ଏବଂ ଉଦ୍ବେଗଗ୍ରସ୍ତ ଧ୍ରୁବ ଏକ ବିଜୟପ୍ରଦ ରଥରେ ଚଢି ଯକ୍ଷମାନଙ୍କ ଦେଶରେ ପହଞ୍ଚିଲେ |

ଗତ୍ୱୋଦୀଚୀଂ ଦିଶଂ ରାଜା ରୁଦ୍ରାନୁଚରସେବିତାମ୍ ।

ଦଦର୍ଶ ହିମବଦ୍ଦ୍ରୋଣ୍ୟାଂ ପୁରୀଂ ଗୁହ୍ୟକସଙ୍କୁଲାମ୍ ॥ ୫॥

ସେ ଉତ୍ତର ଦିଶାରେ ଯାତ୍ରା କରି ହିମାଳୟ ଚୂଡାରେ ଯକ୍ଷମାନଙ୍କର ନିବାସ ସ୍ଥାନ ଅଳକାପୁରୀକୁ ଦେଖିଲେ, ସେଠାରେ ଭୂତ-ପ୍ରେତ-ପିଶାଚ ଆଦି ଅନେକ ରୁଦ୍ରାନୁଚରମାନେ ମଧ୍ୟ ରହୁଥିଲେ |

ଦଧ୍ମୌ ଶଙ୍ଖଂ ବୃହଦ୍ବାହୁଃ ଖଂ ଦିଶଶ୍ଚାନୁନାଦୟନ୍ ।

ଯେନୋଦ୍ୱିଗ୍ନଦୃଶଃ କ୍ଷତ୍ତରୁପଦେବ୍ୟୋଽତ୍ରସନ୍ ଭୃଶମ୍ ॥ ୬॥

ସେଠାରେ ପହଞ୍ଚି ମହାବାହୁ ଧ୍ରୁବ ନିଜର ଶଂଖନାଦ ଦ୍ବାରା ଆକାଶ ତଥା ଦିଗ-ବିଦିଗ ପ୍ରକମ୍ପିତ କଲେ | ସେହି ଶଂଖଧ୍ବନି ଶୁଣି ଯକ୍ଷପତ୍ନୀମାନେ ବହୁତ ଡରିଗଲେ, ସେମାନଙ୍କର ଆଖି ଭୟରେ କାତର ହୋଇ ଉଠିଲା |

ତତୋ ନିଷ୍କ୍ରମ୍ୟ ବଲିନ ଉପଦେବମହାଭଟାଃ ।

ଅସହନ୍ତସ୍ତନ୍ନିନାଦମଭିପେତୁରୁଦାୟୁଧାଃ ॥ ୭॥

ହେ ବିଦୁର ! ମହାବଳବାନ୍ ଯକ୍ଷବୀରମାନେ ସେହି ଶଂଖନାଦ ସହ୍ୟ କରିପାରିଲେ ନାହିଁ | ସେମାନେ ଅନେକ ପ୍ରକାରର ଅସ୍ତ୍ର-ଶସ୍ତ୍ର ହାତରେ ଧରି ନଗର ବାହାରକୁ ଚାଲିଆସିଲେ ଏବଂ ଧ୍ରୁବଙ୍କୁ ଆକ୍ରମଣ କଲେ |

ସ ତାନାପତତୋ ବୀର ଉଗ୍ରଧନ୍ୱା ମହାରଥଃ ।

ଏକୈକଂ ଯୁଗପତ୍ସର୍ୱାନହନ୍ ବାଣୈସ୍ତ୍ରିଭିସ୍ତ୍ରିଭିଃ ॥ ୮॥

ମହାରଥୀ ଧ୍ରୁବ ପ୍ରଚଣ୍ଡ ଧନୁର୍ଧର ଥିଲେ | ସେ ଏକସଙ୍ଗେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ତିନୋଟି-ତିନୋଟି ବାଣ ମାରିଲେ |

ତେ ବୈ ଲଲାଟଲଗ୍ନୈସ୍ତୈରିଷୁଭିଃ ସର୍ୱ ଏବ ହି ।

ମତ୍ୱା ନିରସ୍ତମାତ୍ମାନମାଶଂସନ୍ କର୍ମ ତସ୍ୟ ତତ୍ ॥ ୯॥

ସେମାନେ ସମସ୍ତେ ଯେତେବେଳେ ନିଜ-ନିଜ ମସ୍ତକରେ ତିନୋଟି ଲେଖାଏଁ ବାଣ ବିଦ୍ଧ ହେବା ଦେଖିଲେ, ନିଜର ପରାଜୟ ବିଷୟରେ ସେମାନଙ୍କର ପୂର୍ଣ୍ଣ ବିଶ୍ବାସ ହୋଇଗଲା | ସେମାନେ ଧ୍ରୁବଙ୍କର ଏହି ଅଦ୍ଭୁତ ପରାକ୍ରମର ପ୍ରଶଂସା କରିବାରେ ଲାଗିଲେ |

ତେଽପି ଚାମୁମମୃଷ୍ୟନ୍ତଃ ପାଦସ୍ପର୍ଶମିବୋରଗାଃ ।

ଶରୈରବିଧ୍ୟନ୍ ଯୁଗପଦ୍ଦ୍ୱିଗୁଣଂ ପ୍ରଚିକୀର୍ଷବଃ ॥ ୧୦॥

ତାପରେ ସର୍ପ ଯେପରି କାହାର ପଦାଘାତକୁ ସହ୍ୟ କରି ନ ଥାଏ, ସେହିପରି ସେମାନେ ମଧ୍ୟ ଧ୍ରୁବଙ୍କ ବାଣର ଜବାବରେ ତାଙ୍କଠାରୁ ଦୁଇ ଗୁଣ ବାଣ – ଛଅ-ଛଅଟି ବାଣ ପ୍ରୟୋଗ କରିବାରେ ଲାଗିଲେ |

ତତଃ ପରିଘନିସ୍ତ୍ରିଂଶୈଃ ପ୍ରାସଶୂଲପରଶ୍ୱଧୈଃ ।

ଶକ୍ତ୍ୟୃଷ୍ଟିଭିର୍ଭୁଶୁଣ୍ଡୀଭିଶ୍ଚିତ୍ରବାଜୈଃ ଶରୈରପି ॥ ୧୧॥

ଅଭ୍ୟବର୍ଷନ୍ ପ୍ରକୁପିତାଃ ସରଥଂ ସହ ସାରଥିମ୍ ।

ଇଚ୍ଛନ୍ତସ୍ତତ୍ପ୍ରତୀକର୍ତୁମୟୁତାନି ତ୍ରୟୋଦଶ ॥ ୧୨॥

ଯକ୍ଷମାନଙ୍କର ସଂଖ୍ୟା ତେର ଅୟୁତ ଥିଲା | ଧ୍ରୁବଙ୍କଠାରୁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେମାନେ ଅତ୍ୟନ୍ତ କୁପିତ ହୋଇ ରଥ ଏବଂ ସାରଥୀ ସହିତ ପରିଧ, ଖଡଗ, ପ୍ରାସ, ତ୍ରିଶୂଳ, ଫାର୍ଶା, ଶକ୍ତି, ଋଷ୍ଟି, ଭୁଶୁଣ୍ଡୀ, ତଥା ଚିତ୍ର-ବିଚିତ୍ର ପକ୍ଷଯୁକ୍ତ ବାଣ ବର୍ଷଣ କଲେ |

ଔତ୍ତାନପାଦିଃ ସ ତଦା ଶସ୍ତ୍ରବର୍ଷେଣ ଭୂରିଣା ।

ନ ଉପାଦୃଶ୍ୟତଚ୍ଛନ୍ନ ଆସାରେଣ ଯଥା ଗିରିଃ ॥ ୧୩॥

ଏହି ଭୀଷଣ ଶସ୍ତ୍ର-ବର୍ଷଣରେ ଧ୍ରୁବ ପୂରାପୁରି ଆଚ୍ଛାଦିତ ହୋଇଗଲେ | ପ୍ରବଳ ବର୍ଷାରେ ପର୍ବତ ଦେଖା ନ ଯିବା ପରି ଲୋକଙ୍କୁ ଧ୍ରୁବ ଦୃଶ୍ୟମାନ ହେଲେ ନାହିଁ |

ହାହାକାରସ୍ତଦୈବାସୀତ୍ସିଦ୍ଧାନାଂ ଦିବି ପଶ୍ୟତାମ୍ ।

ହତୋଽୟଂ ମାନବଃ ସୂର୍ୟୋ ମଗ୍ନଃ ପୁଣ୍ୟଜନାର୍ଣବେ ॥ ୧୪॥

ସେହି ସମୟରେ ଯେଉଁ ସିଦ୍ଧଗଣ ଆକାଶରେ ସ୍ଥିତ ରହି ଏହି ଦୃଶ୍ୟ ଦେଖୁଥିଲେ, ସେମାନେ ହାୟ ହାୟ କରି କହିବାରେ – ‘ଆଜି ଯକ୍ଷସେନାରୂପ ଏହି ସମୁଦ୍ରରେ ବୁଡିଯାଇ ମାନବ-ସୂର୍ଯ୍ୟ ଅସ୍ତ ହୋଇଗଲା |’

ନଦତ୍ସୁ ଯାତୁଧାନେଷୁ ଜୟକାଶିଷ୍ୱଥୋ ମୃଧେ ।

ଉଦତିଷ୍ଠଦ୍ରଥସ୍ତସ୍ୟ ନୀହାରାଦିବ ଭାସ୍କରଃ ॥ ୧୫॥

ଯକ୍ଷଗଣ ନିଜର ବିଜୟ ଘୋଷଣା କରି ଯୁଦ୍ଧକ୍ଷେତ୍ରରେ ସିଂହ ପରି ଗର୍ଜନ କରିବାରେ ଲାଗିଲେ | ଇତ୍ୟବସରରେ କୁହୁଡିଘେରରୁ ସୂର୍ଯ୍ୟଭଗବାନ ବାହାରି ଆସିବା ପରି ଧ୍ରୁବଙ୍କର ରଥ ହଠାତ୍ ଯୁଦ୍ଧଭୂମିରେ ପ୍ରକଟ ହୋଇଗଲା |

ଧନୁର୍ୱିସ୍ଫୂର୍ଜୟନ୍ ଦିବ୍ୟଂ ଦ୍ୱିଷତାଂ ଖେଦମୁଦ୍ୱହନ୍ ।

ଅସ୍ତ୍ରୌଘଂ ବ୍ୟଧମଦ୍ବାଣୈର୍ଘନାନୀକମିବାନିଲଃ ॥ ୧୬॥

ଧ୍ରୁବ ନିଜ ଦିବ୍ୟ ଧନୁଷ ଟଙ୍କାରରେ ଶତ୍ରୁମାନଙ୍କର ହୃଦୟକୁ ଥରାଇ ଦେଲେ ଏବଂ ତାପରେ ପ୍ରଚଣ୍ଡ ବେଗରେ ବାଣ ବର୍ଷା କରାଇ ସେମାନଙ୍କର ଅସ୍ତ୍ର-ଶସ୍ତ୍ରକୁ ଛିନ୍ନ-ଭିନ୍ନ କରିଦେଲେ, ଠିକ୍ ସେହିପରି ଯେପରି ପ୍ରଖର ବାୟୁପ୍ରବାହ ବାଦଲକୁ ଛିନ୍-ଛତର କରିଦେଇ ଥାଏ |

ତସ୍ୟ ତେ ଚାପନିର୍ମୁକ୍ତା ଭିତ୍ତ୍ୱା ବର୍ମାଣି ରକ୍ଷସାମ୍ ।

କାୟାନାବିବିଶୁସ୍ତିଗ୍ମା ଗିରୀନଶନୟୋ ଯଥା ॥ ୧୭॥

ତାଙ୍କ ଧନୁଷରୁ ନିକ୍ଷେପିତ ତୀକ୍ଷ୍ଣ ତୀର ଯକ୍ଷ-ରାକ୍ଷସଙ୍କର କବଚ ଭେଦ କରି ସେମାନଙ୍କର ଶରୀରରେ ଏପରି ପ୍ରବେଶ କରିଗଲା ଯେପରି ଇନ୍ଦ୍ରଙ୍କର ବଜ୍ର ପର୍ବତକୁ ଭେଦ କରିଥାଏ |

ଭଲ୍ଲୈଃ ସଞ୍ଛିଦ୍ୟମାନାନାଂ ଶିରୋଭିଶ୍ଚାରୁକୁଣ୍ଡଲୈଃ ।

ଊରୁଭିର୍ହେମତାଲାଭୈର୍ଦୋର୍ଭିର୍ୱଲୟବଲ୍ଗୁଭିଃ ॥ ୧୮॥

ହାରକେୟୂରମୁକୁଟୈରୁଷ୍ଣୀଷୈଶ୍ଚ ମହାଧନୈଃ ।

ଆସ୍ତୃତାସ୍ତା ରଣଭୁବୋ ରେଜୁର୍ୱୀର ମନୋହରାଃ ॥ ୧୯॥

ହେ ବିଦୁର ! ମହାରାଜ ଧ୍ରୁବଙ୍କ ବାଣରେ କଟି ଯାଇଥିବା ଯକ୍ଷମାନଙ୍କର ସୁନ୍ଦର କୁଣ୍ଡଳମଣ୍ଡିତ ମସ୍ତକ, ସୁନେଲୀ ତାଳବୃକ୍ଷ ସଦୃଶ ଜଂଘ, ବଳୟବିଭୂଷିତ ବାହୁ, ହାର, ଭୁଜବନ୍ଧ, ମୁକୁଟ ଏବଂ ବହୁମୂଲ୍ୟ ପଗଡିମାନଙ୍କ ଦ୍ବାରା ବୀରମାନଙ୍କର ମନକୁ ପ୍ରଲୋଭିତ କରୁଥିବା ସେହି ସମରଭୂମି ଅତ୍ୟଧିକ ଶୋଭା ପାଉଥିଲା |

ହତାବଶିଷ୍ଟା ଇତରେ ରଣାଜିରା-

ଦ୍ରକ୍ଷୋଗଣାଃ କ୍ଷତ୍ରିୟବର୍ୟସାୟକୈଃ ।

ପ୍ରାୟୋ ବିବୃକ୍ଣାବୟବା ବିଦୁଦ୍ରୁବୁଃ

ମୃଗେନ୍ଦ୍ରବିକ୍ରୀଡିତୟୂଥପା ଇବ ॥ ୨୦॥

ଯେଉଁ ଯକ୍ଷମାନେ କୌଣସି ପ୍ରକାରେ ଜୀବିତ ରହିଯାଇ ଥିଲେ, କ୍ଷତ୍ରିୟପ୍ରବର ଧ୍ରୁବଙ୍କ ବାଣରେ ସେମାନଙ୍କର ଅଙ୍ଗ-ଅଙ୍ଗ ଛିନ୍ନ-ଭିନ୍ନ ହୋଇଯାଇଥିବା କାରଣରୁ ସେମାନେ ଯୁଦ୍ଧକ୍ରୀଡାରେ ସିଂହ ଦ୍ବାରା ପରାସ୍ତ ହୋଇଥିବା ଗଜରାଜ ପରି ଯୁଦ୍ଧପ୍ରାଙ୍ଗଣ ଛାଡି ପଳାୟନ କରିଥିଲେ |

ଅପଶ୍ୟମାନଃ ସ ତଦାତତାୟିନଂ

ମହାମୃଧେ କଞ୍ଚନ ମାନବୋତ୍ତମଃ ।

ପୁରୀଂ ଦିଦୃକ୍ଷନ୍ନପି ନାବିଶଦ୍ଦ୍ୱିଷାଂ

ନ ମାୟିନାଂ ବେଦ ଚିକୀର୍ଷିତଂ ଜନଃ ॥ ୨୧॥

ଇତି ବ୍ରୁବଂଶ୍ଚିତ୍ରରଥଃ ସ୍ୱସାରଥିଂ

ଯତ୍ତଃ ପରେଷାଂ ପ୍ରତିୟୋଗଶଙ୍କିତଃ ।

ଶୁଶ୍ରାବ ଶବ୍ଦଂ ଜଲଧେରିବେରିତଂ

ନଭସ୍ୱତୋ ଦିକ୍ଷୁ ରଜୋଽନ୍ୱଦୃଶ୍ୟତ ॥ ୨୨॥

ନରଶ୍ରେଷ୍ଠ ଧ୍ରୁବ ଦେଖିଲେ ଯେ ସେହି ବିସ୍ତୃତ ରଣଭୂମିରେ ଜଣେ ବି ଶତ୍ରୁ ଅସ୍ତ୍ର-ଶସ୍ତ୍ର ଧରି ତାଙ୍କ ସମ୍ମୁଖରେ ନାହାନ୍ତି, ସେଥିପାଇଁ ସେ ଅଳକାପୁରୀ ବୁଲି ଦେଖିବାକୁ ଇଚ୍ଛା କଲେ | କିନ୍ତୁ ‘ଏହି ମାୟାବୀମାନେ କଣ କରିବାକୁ ଚାହାଁନ୍ତି, ତାହା ମନୁଷ୍ୟ ବୁଝିପାରିବ ନାହିଁ’ – ସାରଥିକୁ ଏପରି କହି ସେ ପୁରୀ ଭିତରେ ପ୍ରବେଶ କଲେ ନାହିଁ; ରଥ ଉପରେ ବସି ରହିଲେ ତଥା ଶତ୍ରୁର ନବୀନ ଆକ୍ରମଣ ଆଶଙ୍କାରେ ସାବଧାନ ହୋଇଗଲେ | ଏହି ସମୟରେ ତାଙ୍କୁ ସମୁଦ୍ର ଗର୍ଜନ ପରି ବାତ୍ୟାର ଭୀଷଣ ଶବ୍ଦ ଶୁଣାଗଲା ତଥା ଦିଶାମାନଙ୍କରୁ ଧୂଳି ଉଠୁଥିବା ଦେଖାଗଲା |

କ୍ଷଣେନାଚ୍ଛାଦିତଂ ବ୍ୟୋମ ଘନାନୀକେନ ସର୍ୱତଃ ।

ବିସ୍ଫୁରତ୍ତଡିତା ଦିକ୍ଷୁ ତ୍ରାସୟତ୍ସ୍ତନୟିତ୍ନୁନା ॥ ୨୩॥

କ୍ଷଣକରେ ସାରା ଆକାଶ ମେଘମାଳାରେ ଭରିଗଲା | ସବୁ ଦିଗରୁ ଭୟଙ୍କର ଘଡଘଡି ଶବ୍ଦ ସହିତ ବିଜୁଳି ଚମକିବାରେ ଲାଗିଲା |

ବବୃଷୂ ରୁଧିରୌଘାସୃକ୍ପୂୟବିଣ୍ମୂତ୍ରମେଦସଃ ।

ନିପେତୁର୍ଗଗନାଦସ୍ୟ କବନ୍ଧାନ୍ୟଗ୍ରତୋଽନଘ ॥ ୨୪॥

ହେ ନିଷ୍ପାପ ବିଦୁର ! ସେହି ବାଦଲରୁ ରକ୍ତ, କଫ, ପୂଯ, ବିଷ୍ଠା, ମୂତ୍ର ଏବଂ ଚର୍ବି ବର୍ଷା ହେବାରେ ଲାଗିଲା ଏବଂ ଧ୍ରୁବଙ୍କ ସମ୍ମୁଖରେ ଆକାଶରୁ ଅନେକ ଶବ ଖସିବାରେ ଲାଗିଲା |

ତତଃ ଖେଽଦୃଶ୍ୟତ ଗିରିର୍ନିପେତୁଃ ସର୍ୱତୋଦିଶମ୍ ।

ଗଦାପରିଘନିସ୍ତ୍ରିଂଶମୁସଲାଃ ସାଶ୍ମବର୍ଷିଣଃ ॥ ୨୫॥

ପୁଣି ଆକାଶରେ ଏକ ପର୍ବତ ଦେଖାଗଲା ଏବଂ ସବୁ ଦିଗରୁ ପଥର ବର୍ଷା ହେବା ସହିତ ଗଦା, ପରିଧ, ତରବାରୀ ଏବଂ ମୂଷଳ ଖସିବାରେ ଲାଗିଲା |

ଅହୟୋଽଶନିନିଃଶ୍ୱାସା ବମନ୍ତୋଽଗ୍ନିଂ ରୁଷାକ୍ଷିଭିଃ ।

ଅଭ୍ୟଧାବନ୍ ଗଜା ମତ୍ତାଃ ସିଂହବ୍ୟାଘ୍ରାଶ୍ଚ ଯୂଥଶଃ ॥ ୨୬॥

ଧ୍ରୁବ ଦେଖିଲେ ଅନେକ ସର୍ପ ବଜ୍ର ପରି ଫଣ ଉତ୍ତୋଳନ କରି ସେମାନଙ୍କର ରୋଷପୂର୍ଣ୍ଣ ନେତ୍ରରୁ ଅଗ୍ନିସ୍ଫୁଲିଙ୍ଗ ବର୍ଷଣ କରି ତାଙ୍କ ଅଭିମୁଖରେ ଆସୁଛନ୍ତି; ଦଳ ଦଳ ହୋଇ ମତ୍ତହସ୍ତୀ, ସିଂହ ଏବଂ ବାଘ ମଧ୍ୟ ଧାଇଁ ଆସୁଛନ୍ତି |

ସମୁଦ୍ର ଊର୍ମିଭିର୍ଭୀମଃ ପ୍ଲାବୟନ୍ ସର୍ୱତୋଭୁବମ୍ ।

ଆସସାଦ ମହାହ୍ରାଦଃ କଲ୍ପାନ୍ତ ଇବ ଭୀଷଣଃ ॥ ୨୭॥

ପ୍ରଳୟକାଳ ପରି ଭୟଙ୍କର ସମୁଦ୍ର ନିଜର ଉତ୍ତାଳ ତରଙ୍ଗରେ ପୃଥିବୀକୁ ସବୁ ଦିଗରୁ ଡୁବାଇ ଭୀଷଣ ଗର୍ଜନ ସହିତ ତାଙ୍କ ଆଡକୁ ଅଗ୍ରସର ହେଉଛି |

ଏବଂ ବିଧାନ୍ୟନେକାନି ତ୍ରାସନାନ୍ୟମନସ୍ୱିନାମ୍ ।

ସସୃଜୁସ୍ତିଗ୍ମଗତୟ ଆସୁର୍ୟା ମାୟଯାସୁରାଃ ॥ ୨୮॥

କ୍ରୂରସ୍ବଭାବ ଅସୁରମାନେ ସେମାନଙ୍କର ଆସୁରୀ ମାୟାରେ ଏହିପରି ଅନେକ କୌତୁକ ଦେଖାଇଲେ, ଯାହାକୁ ଦେଖି ଭୀରୁମାନଙ୍କର ମନ ଭୟରେ ଥରିଉଠନ୍ତା |

ଧ୍ରୁବେ ପ୍ରୟୁକ୍ତାମସୁରୈସ୍ତାଂ ମାୟାମତିଦୁସ୍ତରାମ୍ ।

ନିଶାମ୍ୟ ତସ୍ୟ ମୁନୟଃ ସମାଶଂସନ୍ ସମାଗତାଃ ॥ ୨୯॥

ଧ୍ରୁବଙ୍କ ପ୍ରତି ଅସୁରମାନେ ନିଜର ଦୁସ୍ତର ମାୟା ବିସ୍ତାର କରିବାରେ ଲାଗିଛନ୍ତି, ଏହା ଶୁଣି କେତେଜଣ ମୁନି ସେଠାକୁ ଆସି ତାଙ୍କର ମଙ୍ଗଳ କାମନା କଲେ |

ମୁନୟ ଊଚୁଃ

ଔତ୍ତାନପାଦେ ଭଗବାଂସ୍ତବ ଶାର୍ଙ୍ଗଧନ୍ୱା

ଦେବଃ କ୍ଷିଣୋତ୍ୱବନତାର୍ତିହରୋ ବିପକ୍ଷାନ୍ ।

ଯନ୍ନାମଧେୟମଭିଧାୟ ନିଶମ୍ୟ ଚାଦ୍ଧା

ଲୋକୋଽଞ୍ଜସା ତରତି ଦୁସ୍ତରମଙ୍ଗ ମୃତ୍ୟୁମ୍ ॥ ୩୦॥

ମୁନିମାନେ କହିଲେ – ହେ ଉତ୍ତାନପାଦନନ୍ଦନ ଧ୍ରୁବ ! ଶରଣାଗତ-ଭୟଭଞ୍ଜନ ସାରଙ୍ଗପାଣି ଭଗବାନ ନାରାୟଣ ତୁମ ଶତ୍ରୁମାନଙ୍କର ସଂହାର କରନ୍ତୁ | ଭଗବାନଙ୍କର ତ ନାମ ହିଁ ଏପରି ଅଟେ, ଯାହାର ଶ୍ରବଣ ଏବଂ କୀର୍ତ୍ତନ ମାତ୍ରେ ମନୁଷ୍ୟ ଦୁସ୍ତର ମୃତ୍ୟୁ ମୁଖରୁ ଅନାୟାସ ରକ୍ଷା ପାଇଯାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଚତୁର୍ଥସ୍କନ୍ଧେ ଦଶମୋଽଧ୍ୟାୟଃ ॥ ୧୦॥


 

Comments

Popular posts from this blog