ଶ୍ରୀମଦ୍ ଭାଗବତ ମହାପୁରାଣ

     ॥ ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ॥

ଦ୍ବାଦଶ ଅଧ୍ୟାୟ

ଧ୍ରୁବଙ୍କୁ କୁବେରଙ୍କର ବରଦାନ ଏବଂ ତାଙ୍କର ବିଷ୍ଣୁଲୋକ ପ୍ରାପ୍ତି

 

ମୈତ୍ରେୟ ଉବାଚ

ଧ୍ରୁବଂ ନିବୃତ୍ତଂ ପ୍ରତିବୁଦ୍ଧ୍ୟ ବୈଶସା-

ଦପେତମନ୍ୟୁଂ ଭଗବାନ୍ ଧନେଶ୍ୱରଃ ।

ତତ୍ରାଗତଶ୍ଚାରଣୟକ୍ଷକିନ୍ନରୈଃ

ସଂସ୍ତୂୟମାନୋଽଭ୍ୟବଦତ୍କୃତାଞ୍ଜଲିମ୍ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଧ୍ରୁବଙ୍କର କ୍ରୋଧ ଶାନ୍ତ ହୋଇଛି ଏବଂ ସେ ଯକ୍ଷମାନଙ୍କର ବଧ କରିବାରୁ ନିବୃତ୍ତ ହୋଇଛନ୍ତି, ଏହା ଜାଣି ଭଗବାନ କୁବେର ସେଠାକୁ ଆସିଲେ | ସେହି ସମୟରେ ଯକ୍ଷ, ଚାରଣ ଏବଂ କିନ୍ନରମାନେ ତାଙ୍କର ସ୍ତୁତି କରୁଥାଆନ୍ତି | ତାଙ୍କୁ ଦେଖି ଧ୍ରୁବ ହାତ ଯୋଡି ଠିଆ ହୋଇଗଲେ | ସେତେବେଳେ କୁବେର କହିଲେ -

ଧନଦ ଉବାଚ

ଭୋ ଭୋଃ କ୍ଷତ୍ରିୟଦାୟାଦ ପରିତୁଷ୍ଟୋଽସ୍ମି ତେଽନଘ ।

ଯତ୍ତ୍ୱଂ ପିତାମହାଦେଶାଦ୍ୱୈରଂ ଦୁସ୍ତ୍ୟଜମତ୍ୟଜଃ ॥ ୨॥

କୁବେର କହିଲେ – ହେ ଶୁଦ୍ଧହୃଦୟ କ୍ଷତ୍ରିୟକୁମାର ! ତୁମେ ନିଜ ପିତାମହଙ୍କ ଉପଦେଶରେ ଏହି ଦୁସ୍ତଜ୍ୟ ବୈରଭାବକୁ ତ୍ୟାଗ କରିଦେଲ, ସେଥିପାଇଁ ମୁଁ ତୁମ ପ୍ରତି ବହୁତ ପ୍ରସନ୍ନ ଅଟେ |

ନ ଭବାନବଧୀଦ୍ୟକ୍ଷାନ୍ ନ ଯକ୍ଷା ଭ୍ରାତରଂ ତବ ।

କାଲ ଏବ ହି ଭୂତାନାଂ ପ୍ରଭୁରପ୍ୟଯଭାବୟୋଃ ॥ ୩॥

ବାସ୍ତବରେ ତୁମେ ଯକ୍ଷମାନଙ୍କୁ ମାରିନାହଁ କି ଯକ୍ଷମାନେ ତୁମ ଭାଈଙ୍କୁ ମାରିନାହାଁନ୍ତି | ସମସ୍ତ ଜୀବଙ୍କର ଉତ୍ପତ୍ତି ଏବଂ ବିନାଶର କାରଣ ତ ଏକମାତ୍ର କାଳ ହିଁ ଅଟେ |

ଅହଂ ତ୍ୱମିତ୍ୟପାର୍ଥା ଧୀରଜ୍ଞାନାତ୍ପୁରୁଷସ୍ୟ ହି ।

ସ୍ୱାପ୍ନୀବାଭାତ୍ୟତଦ୍ଧ୍ୟାନାଦ୍ୟଯା ବନ୍ଧବିପର୍ୟଯୌ ॥ ୪॥

ଏହି ମୁଁ-ତୁ ଆଦି ମିଥ୍ୟାଭିମାନ ଜୀବକୁ ଅଜ୍ଞାନବଶ ଶରୀରାଦିକୁ ଆତ୍ମା ମାନି ବସିଥିବା କାରଣରୁ ଉତ୍ପନ୍ନ ହୋଇଥାଏ | ଏହାର ଫଳସ୍ବରୂପ ମନୁଷ୍ୟକୁ ବନ୍ଧନ ଏବଂ ଦୁଃଖ ଆଦି ବିପରୀତ ଅବସ୍ଥା ପ୍ରାପ୍ତ ହୋଇଥାଏ |

ତଦ୍ଗଚ୍ଛ ଧ୍ରୁବ ଭଦ୍ରଂ ତେ ଭଗବନ୍ତମଧୋକ୍ଷଜମ୍ ।

ସର୍ୱଭୂତାତ୍ମଭାବେନ ସର୍ୱଭୂତାତ୍ମବିଗ୍ରହମ୍ ॥ ୫॥

ଭଜସ୍ୱ ଭଜନୀୟାଙ୍ଘ୍ରିମଭବାୟ ଭବଚ୍ଛିଦମ୍ ।

ଯୁକ୍ତଂ ବିରହିତଂ ଶକ୍ତ୍ୟା ଗୁଣମୟ୍ୟାଽଽତ୍ମମାୟଯା ॥ ୬॥

ଧ୍ରୁବ ! ଏବେ ତୁମେ ଯାଅ, ଭଗବାନ ତୁମର ମଙ୍ଗଳ କରିବେ | ସଂସାରପାଶରୁ ମୁକ୍ତ ହେବା ପାଇଁ ତୁମେ ସମସ୍ତ ଜୀବଙ୍କଠାରେ ସମଦୃଷ୍ଟି ରଖି ସର୍ବଭୂତାତ୍ମା ଭଗବାନ ଶ୍ରୀହରିଙ୍କର ଭଜନ କର | ସେ ସଂସାରପାଶକୁ ଛେଦନ କରିଥାଆନ୍ତି ତଥା ସଂସାରର ଉତ୍ପତ୍ତି ଆଦି ନିମନ୍ତେ ନିଜ ତ୍ରିଗୁଣାତ୍ମିକା ମାୟାଶକ୍ତିରେ ଯୁକ୍ତ ହୋଇ ମଧ୍ୟ ବାସ୍ତବରେ ସେ ଗୁଣରହିତ ଅଟନ୍ତି |

ବୃଣୀହି କାମଂ ନୃପ ଯନ୍ମନୋଗତଂ

ମତ୍ତସ୍ତ୍ୱମୌତ୍ତାନପଦେଽବିଶଙ୍କିତଃ ।

ବରଂ ବରାର୍ହୋଽମ୍ବୁଜନାଭପାଦୟୋ-

ରନନ୍ତରଂ ତ୍ୱାଂ ବୟମଙ୍ଗ ଶୁଶ୍ରୁମ ॥ ୭॥

ପ୍ରିୟବର ! ମୁଁ ଶୁଣିଛି, ତୁମେ ସର୍ବଦା ଭଗବାନ କମଳନାଭଙ୍କ ଚରଣକମଳର ସମୀପରେ ରହିଥାଅ; ସେଥିପାଇଁ ତୁମେ ନିଶ୍ଚିତଭାବରେ ବର ପ୍ରାପ୍ତ କରିବାର ଯୋଗ୍ୟ ଅଟ | ହେ ଧ୍ରୁବ ! ତୁମେ ଯେଉଁ ବର ଇଚ୍ଛା କରୁଛ, ନିଃସଙ୍କୋଚ ଏବଂ ନିଃଶଙ୍କ ହୋଇ ତାହା ମୋଠାରୁ ମାଗି ନିଅ |

ମୈତ୍ରେୟ ଉବାଚ

ସ ରାଜରାଜେନ ବରାୟ ଚୋଦିତୋ

ଧ୍ରୁବୋ ମହାଭାଗବତୋ ମହାମତିଃ ।

ହରୌ ସ ବବ୍ରେଽଚଲିତାଂ ସ୍ମୃତିଂ ଯୟା

ତରତ୍ୟଯତ୍ନେନ ଦୁରତ୍ୟଯଂ ତମଃ ॥ ୮॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଯକ୍ଷରାଜ କୁବେର ବର ମାଗିବା ପାଇଁ ଆଗ୍ରହ କରିବାରୁ ମହାଭାଗବତ ମହାମତି ଧ୍ରୁବ ତାଙ୍କଠାରୁ ଏହି ବର ଯାଚନା କରିଥିଲେ ଯେ ଶ୍ରୀହରିଙ୍କର ଅଖଣ୍ଡ ସ୍ମୃତି ତାଙ୍କଠାରେ ସଦା ସର୍ବଦା ଉପସ୍ଥିତ ରହୁ, ଯାହାକୁ ଆଶ୍ରୟ କରି ମନୁଷ୍ୟ ସହଜରେ ସଂସାରସାଗରକୁ ଅତିକ୍ରମ କରିଯାଏ |

ତସ୍ୟ ପ୍ରୀତେନ ମନସା ତାଂ ଦତ୍ତ୍ୱୈଡବିଡସ୍ତତଃ ।

ପଶ୍ୟତୋଽନ୍ତର୍ଦଧେ ସୋଽପି ସ୍ୱପୁରଂ ପ୍ରତ୍ୟପଦ୍ୟତ ॥ ୯॥

ଇଡିବିଡାଙ୍କ ପୁତ୍ର କୁବେର ଅତି ପ୍ରସନ୍ନ ମନରେ ତାଙ୍କୁ ଭଗବତ୍-ସ୍ମୃତି ପ୍ରଦାନ କଲେ | ତାପରେ ସେ ଆଖିପିଛୁଳାକେ ସେଠାରୁ ଅନ୍ତର୍ଧାନ ହୋଇଗଲେ | ଧ୍ରୁବ ମଧ୍ୟ ଏହା ପରେ ନିଜ ରାଜଧାନୀକୁ ଫେରି ଆସିଲେ |

ଅଥାୟଜତ ଯଜ୍ଞେଶଂ କ୍ରତୁଭିର୍ଭୂରିଦକ୍ଷିଣୈଃ ।

ଦ୍ରବ୍ୟକ୍ରିୟାଦେବତାନାଂ କର୍ମ କର୍ମଫଲପ୍ରଦମ୍ ॥ ୧୦॥

ସେଠାରେ ରହି ସେ ବଡ ବଡ ଦକ୍ଷିଣାଯୁକ୍ତ ଯଜ୍ଞ ଦ୍ବାରା ଭଗବାନ ଯଜ୍ଞପୁରୁଷଙ୍କର ଆରାଧନା କଲେ; ଭଗବାନ ହିଁ ଦ୍ରବ୍ୟ, କ୍ରିୟା ଏବଂ ଦେବତା-ସମ୍ବନ୍ଧୀ ସମସ୍ତ କର୍ମ ତଥା ତାହାର ଫଳ ଅଟନ୍ତି ଏବଂ ସେ ହିଁ କର୍ମଫଳଦାତା ମଧ୍ୟ ଅଟନ୍ତି |

ସର୍ୱାତ୍ମନ୍ୟଚ୍ୟୁତେଽସର୍ୱେ ତୀବ୍ରୌଘାଂ ଭକ୍ତିମୁଦ୍ୱହନ୍ ।

ଦଦର୍ଶାତ୍ମନି ଭୂତେଷୁ ତମେବାବସ୍ଥିତଂ ବିଭୁମ୍ ॥ ୧୧॥

ସର୍ବୋପାଧିଶୂନ୍ୟ ସର୍ବାତ୍ମା ଶ୍ରୀଅଚ୍ୟୁତଙ୍କ ପ୍ରତି ପ୍ରବଳ ବେଗଯୁକ୍ତ ଭକ୍ତିଭାବ ରଖି ଧ୍ରୁବ ନିଜଠାରେ ଏବଂ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ସର୍ବବ୍ୟାପକ ଶ୍ରୀହରିଙ୍କୁ ବିରାଜମାନ ଦେଖିବାରେ ଲାଗିଲେ |

ତମେବଂ ଶୀଲସମ୍ପନ୍ନଂ ବ୍ରହ୍ମଣ୍ୟଂ ଦୀନବତ୍ସଲମ୍ ।

ଗୋପ୍ତାରଂ ଧର୍ମସେତୂନାଂ ମେନିରେ ପିତରଂ ପ୍ରଜାଃ ॥ ୧୨॥

ଧ୍ରୁବ ଅତିଶୟ ଶୀଳସମ୍ପନ୍ନ, ବ୍ରାହ୍ମଣଭକ୍ତ, ଦୀନବତ୍ସଳ ଏବଂ ଧର୍ମମର୍ଯ୍ୟାଦାର ରକ୍ଷକ ଥିଲେ; ତାଙ୍କର ପ୍ରଜାମାନେ ତାଙ୍କୁ ସାକ୍ଷାତ ପିତାତୁଲ୍ୟ ମାନୁଥିଲେ |

ଷଟ୍ତ୍ରିଂଶଦ୍ୱର୍ଷସାହସ୍ରଂ ଶଶାସ କ୍ଷିତିମଣ୍ଡଲମ୍ ।

ଭୋଗୈଃ ପୁଣ୍ୟକ୍ଷୟଂ କୁର୍ୱନ୍ନଭୋଗୈରଶୁଭକ୍ଷୟମ୍ ॥ ୧୩॥

ଏହିପରି ଭାବରେ ଅନେକ ପ୍ରକାର ଐଶ୍ବର୍ଯ୍ୟଭୋଗ ଦ୍ବାରା ପୁଣ୍ୟ ଏବଂ ଭୋଗ ତ୍ୟାଗପୂର୍ବକ ଯଜ୍ଞାଦି କର୍ମର ଅନୁଷ୍ଠାନ ଦ୍ବାରା ପାପ କ୍ଷୟ କରି ସେ ଛତିଶ ହଜାର ବର୍ଷ ପୃଥିବୀକୁ ଶାସନ କଲେ |

ଏବଂ ବହୁସବଂ କାଲଂ ମହାତ୍ମାବିଚଲେନ୍ଦ୍ରିୟଃ ।

ତ୍ରିବର୍ଗୌପୟିକଂ ନୀତ୍ୱା ପୁତ୍ରାୟାଦାନ୍ନୃପାସନମ୍ ॥ ୧୪॥

ଜିତେନ୍ଦ୍ରିୟ ମହାତ୍ମା ଧ୍ରୁବ ଏହିପରି ଅର୍ଥ, ଧର୍ମ, କାମ ସମ୍ପାଦନରେ ବହୁତ ବର୍ଷ ବ୍ୟତୀତ କରି ନିଜ ପୁତ୍ର ଉତ୍କଳକୁ ରାଜସିଂହାସନ ଅର୍ପଣ କଲେ |

ମନ୍ୟମାନ ଇଦଂ ବିଶ୍ୱଂ ମାୟାରଚିତମାତ୍ମନି ।

ଅବିଦ୍ୟାରଚିତସ୍ୱପ୍ନଗନ୍ଧର୍ୱନଗରୋପମମ୍ ॥ ୧୫॥

ଆତ୍ମସ୍ତ୍ର୍ୟପତ୍ୟସୁହୃଦୋ ବଲମୃଦ୍ଧକୋଶ-

ମନ୍ତଃପୁରଂ ପରିବିହାରଭୁବଶ୍ଚ ରମ୍ୟାଃ ।

ଭୂମଣ୍ଡଲଂ ଜଲଧିମେଖଲମାକଲୟ୍ୟ

କାଲୋପସୃଷ୍ଟମିତି ସ ପ୍ରୟଯୌ ବିଶାଲାମ୍ ॥ ୧୬॥

ଏହି ସମ୍ପୂର୍ଣ୍ଣ ଦୃଶ୍ୟ-ପ୍ରପଞ୍ଚକୁ ଅବିଦ୍ୟାରଚିତ ସ୍ବପ୍ନ ଏବଂ ଗନ୍ଧର୍ବନଗର ସଦୃଶ ମାୟାରେ ନିଜ ମଧ୍ୟରେ ହିଁ କଳ୍ପିତ ମନେକରି ତଥା ଏହା ଜାଣି ଯେ ଶରୀର, ସ୍ତ୍ରୀ, ପୁତ୍ର, ମିତ୍ର, ସେନା, ସମ୍ପଦ, ରାଣୀମହଲ, ସୁରମ୍ୟ ବିହାରଭୂମି ଏବଂ ସମୁଦ୍ର ପର୍ଯ୍ୟନ୍ତ ଭୂମଣ୍ଡଳ ବିଶିଷ୍ଟ ରାଜ୍ୟ – ଏହି ସବୁକିଛି କାଳର ଅଧୀନସ୍ତ ଅଟନ୍ତି, ସେ ବଦ୍ରିକାଶ୍ରମକୁ ଚାଲିଗଲେ |

ତସ୍ୟାଂ ବିଶୁଦ୍ଧକରଣଃ ଶିବବାର୍ୱିଗାହ୍ୟ-

ବଦ୍ଧ୍ୱାଽଽସନଂ ଜିତମରୁନ୍ମନସାଽଽହୃତାକ୍ଷଃ ।

ସ୍ଥୂଲେ ଦଧାର ଭଗବତ୍ପ୍ରତିରୂପ ଏତ-

ଦ୍ଧ୍ୟାୟଂସ୍ତଦବ୍ୟବହିତୋ ବ୍ୟସୃଜତ୍ସମାଧୌ ॥ ୧୭॥

ସେଠାରେ ସେ ପବିତ୍ର ଜଳରେ ସ୍ନାନ କର୍ ଇନ୍ଦ୍ରିୟମାନଙ୍କୁ ଶୁଦ୍ଧ (ଶାନ୍ତ) କଲେ | ତାପରେ ସ୍ଥିର ଆସନରେ ବସି ପ୍ରାଣାୟାମ ଦ୍ବାରା ବାୟୁକୁ ବଶୀଭୂତ କଲେ | ତଦନନ୍ତର ମନ ଦ୍ବାରା ଇନ୍ଦ୍ରିୟମାନଙ୍କୁ ବାହ୍ୟ ବିଷୟରୁ ହଟାଇ ମନକୁ ଭଗବାନଙ୍କର ସ୍ଥୂଳ ବିରାଟସ୍ବରୂପରେ ସ୍ଥିର କରିଦେଲେ | ସେହି ବିରାଟସ୍ବରୂପର ଚିନ୍ତନ କରି କରି ଅନ୍ତତଃ ସେ ଧ୍ୟାତା ଏବଂ ଧ୍ୟେୟ ଭେଦଶୂନ୍ୟ ନିର୍ବିକଲ୍ପ ସମାଧିରେ ଲୀନ ହୋଇଗଲେ ଏବଂ ସେହି ଅବସ୍ଥାରେ ସେ ବିରାଟସ୍ବରୂପଙ୍କର ମଧ୍ୟ ପରିତ୍ୟାଗ କରିଦେଲେ |

ଭକ୍ତିଂ ହରୌ ଭଗବତି ପ୍ରବହନ୍ନଜସ୍ର-

ମାନନ୍ଦବାଷ୍ପକଲୟା ମୁହୁରର୍ଦ୍ୟମାନଃ ।

ବିକ୍ଲିଦ୍ୟମାନହୃଦୟଃ ପୁଲକାଚିତାଙ୍ଗୋ

ନାତ୍ମାନମସ୍ମରଦସାବିତି ମୁକ୍ତଲିଙ୍ଗଃ ॥ ୧୮॥

ଏହିପରି ଭାବରେ ଭଗବାନ ଶ୍ରୀହରିଙ୍କ ପ୍ରତି ନିରନ୍ତର ଭକ୍ତିଭାବର ପ୍ରବାହ ଅବ୍ୟାହତ ରହିବା ଦ୍ବାରା ତାଙ୍କ ନେତ୍ରରୁ ବାରମ୍ବାର ଆନନ୍ଦାଶ୍ରୁର ଧାରା ପ୍ରବାହିତ ହେଉଥାଏ | ତଦ୍ବାରା ତାଙ୍କର ହୃଦୟ ଦ୍ରବୀଭୂତ ହୋଇ ଶରୀରରେ ରୋମାଞ୍ଚ ଜାତ ହେଉଥାଏ | ପୁନଶ୍ଚ, ଦେହାଭିମାନ ଗଳିତ ହେବା ଯୋଗୁଁ ତାଙ୍କର ‘ମୁଁ ଧ୍ରୁବ ଅଟେ ଏହି ସ୍ମୃତି ମଧ୍ୟ ରହିଲା ନାହିଁ |

ସ ଦଦର୍ଶ ବିମାନାଗ୍ର୍ୟଂ ନଭସୋଽବତରଦ୍ଧ୍ରୁବଃ ।

ବିଭ୍ରାଜୟଦ୍ଦଶ ଦିଶୋ ରାକାପତିମିବୋଦିତମ୍ ॥ ୧୯॥

ଏହି ସମୟରେ ଧ୍ରୁବ ଦେଖିବାକୁ ପାଇଲେ ଯେ ଆକାଶରୁ ଏକ ସୁନ୍ଦର ବିମାନ ତଳକୁ ଖସି ଆସୁଛି | ନିଜ ପ୍ରକାଶରେ ବିମାନଟି ଦଶ-ଦିଶାକୁ ଆଲୋକିତ କରୁଥିଲା; ମନେ ହେଉଥିଲା ସତେ ଯେପରି ପୂର୍ଣ୍ଣମୀର ଚନ୍ଦ୍ର ଉଦୟ ହୋଇଛନ୍ତି |

ତତ୍ରାନୁ ଦେବପ୍ରବରୌ ଚତୁର୍ଭୁଜୌ

ଶ୍ୟାମୌ କିଶୋରାବରୁଣାମ୍ବୁଜେକ୍ଷଣୌ ।

ସ୍ଥିତାବବଷ୍ଟଭ୍ୟ ଗଦାଂ ସୁବାସସୌ

କିରୀଟହାରାଙ୍ଗଦଚାରୁକୁଣ୍ଡଲୌ ॥ ୨୦॥

ସେଥିରେ ଗଦା ଧାରଣ କରି ଦୁଇଜଣ ଶ୍ରେଷ୍ଠ ପାର୍ଷଦ ଠିଆ ହୋଇଥିଲେ | ତାଙ୍କର ଚାରୋଟି ଭୁଜ ଥିଲା, ସୁନ୍ଦର ଶ୍ୟାମ ଶରୀର ଥିଲା, କିଶୋର ଅବସ୍ଥା ଥିଲା ଏବଂ ଅରୁଣ କମଳ ସଦୃଶ ନେତ୍ର ଥିଲା | ସେମାନେ ସୁନ୍ଦର ବସ୍ତ୍ର, କିରୀଟ, ହାର, ଭୁଜବନ୍ଧ ଏବଂ ଅତି ମନୋହର କୁଣ୍ଡଳ ଧାରଣ କରିଥିଲେ |

ବିଜ୍ଞାୟ ତାବୁତ୍ତମଗାୟକିଙ୍କରା-

ବଭ୍ୟୁତ୍ଥିତଃ ସାଧ୍ୱସବିସ୍ମୃତକ୍ରମଃ ।

ନାମ ନାମାନି ଗୃଣନ୍ ମଧୁଦ୍ୱିଷଃ

ପାର୍ଷତ୍ପ୍ରଧାନାବିତି ସଂହତାଞ୍ଜଲିଃ ॥ ୨୧॥

ପୁଣ୍ୟଶ୍ଲୋକ ଶ୍ରୀହରିଙ୍କର ସେମାନେ ସେବକ ଜାଣି, ଧ୍ରୁବ ହତପ୍ରଭ ହୋଇ ପୂଜା ଆଦିର କ୍ରମ ଭୁଲି ହଠାତ୍ ଠିଆ ହୋଇଗଲେ ଏବଂ ‘ଏମାନେ ଭଗବାନଙ୍କ ପାର୍ଷଦମାନଙ୍କ ମଧ୍ୟରେ ପ୍ରଧାନ ଅଟନ୍ତି’ – ଏପରି ମନେକରି ସେ ଶ୍ରୀମଧୁସୂଦନଙ୍କର ନାମ-କୀର୍ତ୍ତନ କରି ହାତ ଯୋଡି ତାଙ୍କୁ ପ୍ରଣାମ କଲେ |

ତଂ କୃଷ୍ଣପାଦାଭିନିବିଷ୍ଟଚେତସଂ

ବଦ୍ଧାଞ୍ଜଲିଂ ପ୍ରଶ୍ରୟନମ୍ରକନ୍ଧରମ୍ ।

ସୁନନ୍ଦନନ୍ଦାବୁପସୃତ୍ୟ ସସ୍ମିତଂ

ପ୍ରତ୍ୟୂଚତୁଃ ପୁଷ୍କରନାଭସମ୍ମତୌ ॥ ୨୨॥

ଧ୍ରୁବଙ୍କର ମନ ଭଗବାନଙ୍କ ଚରଣକମଳରେ ତଲ୍ଲୀନ ହୋଇଗଲା ଏବଂ ସେ ହାତ ଯୋଡି ଅତ୍ୟନ୍ତ ନମ୍ରତାପୂର୍ବକ ମସ୍ତକ ଅବନତ କରି ଠିଆ ହୋଇ ରହିଲେ | ସେତେବେଳେ ଶ୍ରୀହରିଙ୍କର ଦୁଇ ପ୍ରିୟ ପାର୍ଷଦ ସୁନନ୍ଦ ଏବଂ ନନ୍ଦ ତାଙ୍କ ପାଖକୁ ଯାଇ ହସି ହସି କହିଲେ -

ସୁନନ୍ଦନନ୍ଦାବୂଚତୁଃ

ଭୋ ଭୋ ରାଜନ୍ ସୁଭଦ୍ରଂ ତେ ବାଚଂ ନୋଽବହିତଃ ଶୃଣୁ ।

ଯଃ ପଞ୍ଚବର୍ଷସ୍ତପସା ଭବାନ୍ ଦେବମତୀତୃପତ୍ ॥ ୨୩॥

ସୁନନ୍ଦ ଏବଂ ନନ୍ଦ କହିବାରେ ଲାଗିଲେ – ହେ ରାଜନ୍ ! ଆପଣଙ୍କର କଲ୍ୟାଣ ହେଉ, ଆପଣ ସାବଧାନ ସହକାରେ ଆମ କଥା ଶୁଣନ୍ତୁ | ପାଞ୍ଚବର୍ଷ ବୟସରେ ହିଁ ତପସ୍ୟା କରି ଆପଣ ସର୍ବେଶ୍ବର ଭଗବାନଙ୍କୁ ପ୍ରସନ୍ନ କରିପାରି ଥିଲେ |

ତସ୍ୟାଖିଲଜଗଦ୍ଧାତୁରାବାଂ ଦେବସ୍ୟ ଶାର୍ଙ୍ଗିଣଃ ।

ପାର୍ଷଦାବିହ ସମ୍ପ୍ରାପ୍ତୌ ନେତୁଂ ତ୍ୱାଂ ଭଗବତ୍ପଦମ୍ ॥ ୨୪॥

ସେହି ନିଖିଳଜଗନ୍ନିୟନ୍ତା ସାରଙ୍ଗପାଣି ଭଗବାନ ବିଷ୍ଣୁଙ୍କର ଆମ୍ଭେମାନେ ସେବକ ଅଟୁ ଏବଂ ଆପଣଙ୍କୁ ଭଗବାନଙ୍କ ଧାମକୁ ନେଇଯିବା ପାଇଁ ଆମେ ଏଠାକୁ ଆସିଛୁ |

ସୁଦୁର୍ଜୟଂ ବିଷ୍ଣୁପଦଂ ଜିତଂ ତ୍ୱୟା

ଯତ୍ସୂରୟୋଽପ୍ରାପ୍ୟ ବିଚକ୍ଷତେ ପରମ୍ ।

ଆତିଷ୍ଠ ତଚ୍ଚନ୍ଦ୍ରଦିବାକରାଦୟୋ

ଗ୍ରହର୍କ୍ଷତାରାଃ ପରିୟନ୍ତି ଦକ୍ଷିଣମ୍ ॥ ୨୫॥

ନିଜ ଭକ୍ତିର ପ୍ରଭାବରେ ଆପଣ ବିଷ୍ଣୁଲୋକର ଅଧିକାର ପ୍ରାପ୍ତ କରିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ଦୁର୍ଲଭ ଅଟେ | ପରମଜ୍ଞାନୀ ସପ୍ତର୍ଷି ମଧ୍ୟ ସେଠାରେ ପହଞ୍ଚି ପାରି ନାହାଁନ୍ତି, ନିମ୍ନଦେଶରେ ରହି ସେମାନେ କେବଳ ତାହାକୁ ଦେଖୁଥାଆନ୍ତି | ସୂର୍ଯ୍ୟ ଏବଂ ଚନ୍ଦ୍ରମା ଆଦି ଗ୍ରହ, ନକ୍ଷତ୍ର ଓ ତାରାଗଣ ତାହାର ପ୍ରଦକ୍ଷିଣା କରୁଥାଆନ୍ତି | ଚାଲନ୍ତୁ, ଆପଣ ସେହି ବିଷ୍ଣୁଧାମରେ ନିବାସ କରନ୍ତୁ |

ଅନାସ୍ଥିତଂ ତେ ପିତୃଭିରନ୍ୟୈରପ୍ୟଙ୍ଗ କର୍ହିଚିତ୍ ।

ଆତିଷ୍ଠ ଜଗତାଂ ବନ୍ଦ୍ୟଂ ତଦ୍ୱିଷ୍ଣୋଃ ପରମଂ ପଦମ୍ ॥ ୨୬॥

ପ୍ରିୟବର ! ଆଜିଯାଏଁ ଆପଣଙ୍କର ପୂର୍ବଜ ତଥା ଅନ୍ୟ କେହି ସେହି ପଦରେ କେବେ ପହଞ୍ଚି ପାରିନାହାଁନ୍ତି | ଭଗବାନ ବିଷ୍ଣୁଙ୍କର ସେହି ପରମ ଧାମ ସମ୍ପୂର୍ଣ୍ଣ ସଂସାରର ବନ୍ଦନୀୟ ଅଟେ, ଆପଣ ସେଠାରେ ବିରାଜମାନ କରନ୍ତୁ |

ଏତଦ୍ୱିମାନପ୍ରବରମୁତ୍ତମଶ୍ଲୋକମୌଲିନା ।

ଉପସ୍ଥାପିତମାୟୁଷ୍ମନ୍ନଧିରୋଢୁଂ ତ୍ୱମର୍ହସି ॥ ୨୭॥

ଆୟୁଷ୍ମନ୍ ! ପୁଣ୍ୟଶ୍ଲୋକଶିରୋମଣି ଶ୍ରୀହରି ଆପଣଙ୍କ ନିମନ୍ତେ ଏହି ଶ୍ରେଷ୍ଠ ବିମାନ ପ୍ରେରଣ କରିଛନ୍ତି | ଏହା ଉପରେ ଆରୋହଣ କରିବା ପାଇଁ ଆପଣ ଯୋଗ୍ୟ ଅଟନ୍ତି |

ମୈତ୍ରେୟ ଉବାଚ

ନିଶମ୍ୟ ବୈକୁଣ୍ଠନିୟୋଜ୍ୟମୁଖ୍ୟଯୋ-

ର୍ମଧୁଚ୍ୟୁତଂ ବାଚମୁରୁକ୍ରମପ୍ରିୟଃ ।

କୃତାଭିଷେକଃ କୃତନିତ୍ୟମଙ୍ଗଲୋ

ମୁନୀନ୍ ପ୍ରଣମ୍ୟାଶିଷମଭ୍ୟବାଦୟତ୍ ॥ ୨୮॥

ମୈତ୍ରେୟ କହୁଛନ୍ତି – ଭଗବାନଙ୍କର ପ୍ରମୁଖ ପାର୍ଷଦମାନଙ୍କର ଏହି ଅମୃତମୟ ବଚନ ଶୁଣି ପରମ ଭାଗବତ ଧ୍ରୁବ ସ୍ନାନ କଲେ, ତାପରେ ସନ୍ଧ୍ୟା-ବନ୍ଦନାଦି ନିତ୍ୟକର୍ମରୁ ନିବୃତ୍ତ ହୋଇ ମାଙ୍ଗଳିକ ଅଳଙ୍କାରାଦି ଧାରଣ କଲେ | ବଦରିକାଶ୍ରମରେ ରହୁଥିବା ମୁନିମାନଙ୍କୁ ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ଗ୍ରହଣ କଲେ |

ପରୀତ୍ୟାଭ୍ୟର୍ଚ୍ୟ ଧିଷ୍ଣ୍ୟାଗ୍ର୍ୟଂ ପାର୍ଷଦାବଭିବନ୍ଦ୍ୟ ଚ ।

ଇୟେଷ ତଦଧିଷ୍ଠାତୁଂ ବିଭ୍ରଦ୍ରୂପଂ ହିରଣ୍ମୟମ୍ ॥ ୨୯॥

ତତ୍-ପଶ୍ଚାତ୍ ସେ ସେହି ଶ୍ରେଷ୍ଠ ବିମାନର ପୂଜା ଏବଂ ପ୍ରଦକ୍ଷିଣା କରି ତଥା ପାର୍ଷଦମାନଙ୍କୁ ପ୍ରଣାମ କରି ସୁବର୍ଣ୍ଣ ସଦୃଶ କାନ୍ତିମୟ ଶରୀରରେ ବିମାନ ଆରୋହଣ କରିବାକୁ ପ୍ରସ୍ତୁତ ହେଲେ |

ତଦୋତ୍ତାନପଦଃ ପୁତ୍ରୋ ଦଦର୍ଶାନ୍ତକମାଗତମ୍ ।

ମୃତ୍ୟୋର୍ମୂର୍ଧ୍ନି ପଦଂ ଦତ୍ତ୍ୱା ଆରୁରୋହାଦ୍ଭୁତଂ ଗୃହମ୍ ॥ ୩୦॥

ଏହି ସମୟରେ ଧ୍ରୁବ ଦେଖିବାକୁ ପାଇଲେ ଯେ କାଳ ମୂର୍ତ୍ତିମାନ ହୋଇ ତାଙ୍କ ସମ୍ମୁଖରେ ଠିଆ ହୋଇଛି | ମୃତ୍ୟୁର ମସ୍ତକରେ ପାଦ ରଖି ସେ ସେହି ଅଦ୍ଭୁତ ବିମାନରେ ଚଢିଗଲେ |

ତଦା ଦୁନ୍ଦୁଭୟୋ ନେଦୁର୍ମୃଦଙ୍ଗପଣବାଦୟଃ ।

ଗନ୍ଧର୍ୱମୁଖ୍ୟାଃ ପ୍ରଜଗୁଃ ପେତୁଃ କୁସୁମବୃଷ୍ଟୟଃ ॥ ୩୧॥

ସେହି ସମୟରେ ଆକାଶରେ ଦୁନ୍ଦୁଭି, ମୃଦଙ୍ଗ, ଢୋଲ ଆଦି ବାଦ୍ୟ ବାଜିଉଠିଲା, ଶ୍ରେଷ୍ଠ ଗନ୍ଧର୍ବମାନେ ଗାନ କରିବାରେ ଲାଗିଲେ ଏବଂ ଆକାଶରୁ ପୁଷ୍ପ ବର୍ଷା ହେଲା |

ସ ଚ ସ୍ୱର୍ଲୋକମାରୋକ୍ଷ୍ୟନ୍ ସୁନୀତିଂ ଜନନୀଂ ଧ୍ରୁବଃ ।

ଅନ୍ୱସ୍ମରଦଗଂ ହିତ୍ୱା ଦୀନାଂ ଯାସ୍ୟେ ତ୍ରିବିଷ୍ଟପମ୍ ॥ ୩୨॥

ବିମାନରେ ବସି ଧ୍ରୁବ ଭଗବାନଙ୍କ ଧାମକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ସେ ମାତା ସୁନୀତିଙ୍କର ସ୍ମରଣ କଲେ | ସେ ଭାବିଲେ, ‘ମୁଁ କଣ ମୋର ବିଚାରୀ ମାଙ୍କୁ ଏଠାରେ ଛାଡି ଏକାକୀ ଦୁର୍ଲଭ ବୈକୁଣ୍ଠଧାମକୁ ଯାତ୍ରା କରିବି ?’

ଇତି ବ୍ୟବସିତଂ ତସ୍ୟ ବ୍ୟବସାୟ ସୁରୋତ୍ତମୌ ।

ଦର୍ଶୟାମାସତୁର୍ଦେବୀଂ ପୁରୋ ଯାନେନ ଗଚ୍ଛତୀମ୍ ॥ ୩୩॥

ଧ୍ରୁବଙ୍କର ହୃଦୟର କଥା ଜାଣିପାରି ନନ୍ଦ-ସୁନନ୍ଦ ତାଙ୍କୁ ଦେଖାଇଲେ ଯେ ତାଙ୍କ ଆଗେ ଆଗେ ଅନ୍ୟ ଏକ ବିମାନରେ ମାତା ସୁନୀତି ମଧ୍ୟ ଯାତ୍ରା କରୁଛନ୍ତି |

ତତ୍ର ତତ୍ର ପ୍ରଶଂସଦ୍ଭିଃ ପଥି ବୈମାନିକୈଃ ସୁରୈଃ ।

ଅବକୀର୍ୟମାଣୋ ଦଦୃଶେ କୁସୁମୈଃ କ୍ରମଶୋ ଗ୍ରହାନ୍ ॥ ୩୪॥

ସେ କ୍ରମଶଃ ସୂର୍ଯ୍ୟ ଆଦି ସବୁ ଗ୍ରହ ଦେଖିଲେ | ମାର୍ଗରେ ସ୍ଥାନେ ସ୍ଥାନେ ବିମାନଚାରୀ ଦେବତାମାନେ ତାଙ୍କର ପ୍ରଶଂସା କରି ତାଙ୍କ ଉପରେ ପୁଷ୍ପ ବର୍ଷଣ କରିବାରେ ଲାଗିଥାଆନ୍ତି |

ତ୍ରିଲୋକୀଂ ଦେବୟାନେନ ସୋଽତିବ୍ରଜ୍ୟ ମୁନୀନପି ।

ପରସ୍ତାଦ୍ୟଦ୍ଧ୍ରୁବଗତିର୍ୱିଷ୍ଣୋଃ ପଦମଥାଭ୍ୟଗାତ୍ ॥ ୩୫॥

ସେହି ଦିବ୍ୟ ବିମାନରେ ବସି ଧ୍ରୁବ ତ୍ରିଲୋକୀକୁ ଅତିକ୍ରମ କରି ସପ୍ତର୍ଷିମଣ୍ଡଳର ବି ଉର୍ଦ୍ଧ୍ବରେ ଭଗବାନ ବିଷ୍ଣୁଙ୍କର ନିତ୍ୟଧାମରେ ପହଞ୍ଚିଲେ | ଏହିପରି ଭାବରେ ସେ ଅବିଚଳ ଗତି ପ୍ରାପ୍ତ କରିଥିଲେ |

ଯଦ୍ଭ୍ରାଜମାନଂ ସ୍ୱରୁଚୈବ ସର୍ୱତୋ

ଲୋକାସ୍ତ୍ରୟୋ ହ୍ୟନୁବିଭ୍ରାଜନ୍ତ ଏତେ ।

ଯନ୍ନାବ୍ରଜନ୍ ଜନ୍ତୁଷୁ ଯେଽନନୁଗ୍ରହା

ବ୍ରଜନ୍ତି ଭଦ୍ରାଣି ଚରନ୍ତି ଯେଽନିଶମ୍ ॥ ୩୬॥

ଏହି ଦିବ୍ୟ ଧାମ ନିଜ ପ୍ରକାଶରେ ହିଁ ପ୍ରକାଶିତ ତଥା ଏହା ତ୍ରିଲୋକକୁ ମଧ୍ୟ ପ୍ରକାଶିତ କରୁଥାଏ | ଜୀବ ପ୍ରତି ନିର୍ଦୟ ପୁରୁଷ ଏଠାକୁ ଯାଇ ପାରନ୍ତି ନାହିଁ | ଏଠାକୁ ସେହିମାନେ ହିଁ ଯାଇପାରନ୍ତି ଯିଏ ଦିନ-ରାତି ଜୀବକଲ୍ୟାଣ ଉଦ୍ଦେଶ୍ୟରେ ଶୁଭ କର୍ମ କରୁଥାଆନ୍ତି |

ଶାନ୍ତାଃ ସମଦୃଶଃ ଶୁଦ୍ଧାଃ ସର୍ୱଭୂତାନୁରଞ୍ଜନାଃ ।

ଯାନ୍ତ୍ୟଞ୍ଜସାଚ୍ୟୁତପଦମଚ୍ୟୁତପ୍ରିୟବାନ୍ଧବାଃ ॥ ୩୭॥

ଯେଉଁମାନେ ଶାନ୍ତ, ସମଦର୍ଶୀ, ଶୁଦ୍ଧ ଏବଂ ସମସ୍ତ ପ୍ରାଣୀଙ୍କୁ ପ୍ରସନ୍ନ ରଖିପାରନ୍ତି ତଥା ଯେଉଁମାନେ ଭଗବତ୍-ଭକ୍ତମାନଙ୍କୁ ହିଁ ନିଜର ଏକମାତ୍ର ସଚ୍ଚା ସୁହୃଦ ମନେକରନ୍ତି – ସେମାନେ ଏହି ଭଗବଦ୍-ଧାମକୁ ସୁଗମତାରେ ପ୍ରାପ୍ତ କରିନିଅନ୍ତି |

ଇତ୍ୟୁତ୍ତାନପଦଃ ପୁତ୍ରୋ ଧ୍ରୁବଃ କୃଷ୍ଣପରାୟଣଃ ।

ଅଭୂତ୍ତ୍ରୟାଣାଂ ଲୋକାନାଂ ଚୂଡାମଣିରିବାମଲଃ ॥ ୩୮॥

ଏହିପରି ଭାବରେ ଉତ୍ତାନପାଦଙ୍କର ପୁତ୍ର ଧ୍ରୁବ ତ୍ରିଲୋକ ଉର୍ଦ୍ଧ୍ବରେ ତାହାର ନିର୍ମଳ ଚୂଡାମଣି ସଦୃଶ ବିରାଜମାନ ହେଲେ |

ଗମ୍ଭୀରବେଗୋଽନିମିଷଂ ଜ୍ୟୋତିଷାଂ ଚକ୍ରମାହିତମ୍ ।

ଯସ୍ମିନ୍ ଭ୍ରମତି କୌରବ୍ୟ ମେଢ୍ୟାମିବ ଗବାଂ ଗଣଃ ॥ ୩୯॥

ହେ କୁରୁନନ୍ଦନ | ଘଣା ଚାଲୁଥିବା ସମୟରେ ଯେପରି ତାର ଚତୁର୍ପାର୍ଶ୍ବରେ ବଳଦମାନେ ଘୂରିବାରେ ଲାଗିଥାଆନ୍ତି, ସେହିପରି ଏହି ଗମ୍ଭୀର ବେଗଯୁକ୍ତ ଜ୍ୟୋତିଶ୍ଚକ୍ର ସେହି ଅବିନାଶୀ ଲୋକକୁ ଆଶ୍ରୟ କରି ନିରନ୍ତର ଘୂରି ବୁଲୁଥାଏ |

ମହିମାନଂ ବିଲୋକ୍ୟାସ୍ୟ ନାରଦୋ ଭଗବାନ୍ ଋଷିଃ ।

ଆତୋଦ୍ୟଂ ବିତୁଦଞ୍ଶ୍ଲୋକାନ୍ ସତ୍ରେଽଗାୟତ୍ପ୍ରଚେତସାମ୍ ॥ ୪୦॥

ତାହାର ମହିମା ଦେଖି ଦେବର୍ଷି ନାରଦ ବୀଣା ବଜାଇ ପ୍ରଚେତାମାନଙ୍କର ଯଜ୍ଞଶାଳାରେ ଏହି ତିନୋଟି ଶ୍ଲୋକ ଗାଇଥିଲେ |

ନାରଦ ଉବାଚ

ନୂନଂ ସୁନୀତେଃ ପତିଦେବତାୟା-

ସ୍ତପଃପ୍ରଭାବସ୍ୟ ସୁତସ୍ୟ ତାଂ ଗତିମ୍ ।

ଦୃଷ୍ଟ୍ୱାଭ୍ୟୁପାୟାନପି ବେଦବାଦିନୋ

ନୈବାଧିଗନ୍ତୁଂ ପ୍ରଭବନ୍ତି କିଂ ନୃପାଃ ॥ ୪୧॥

ଦେବର୍ଷି ନାରଦ କହିଥିଲେ – ଏଥିରେ ସନ୍ଦେହ ନାହିଁ ଯେ ପତିପରାୟଣା ସୁନୀତିଙ୍କର ପୁତ୍ର ଧ୍ରୁବ ତପସ୍ୟା ଦ୍ବାରା ଅଦ୍ଭୁତ ଶକ୍ତି ସଂଗ୍ରହ କରି ଯେଉଁ ଗତି ପ୍ରାପ୍ତ କଲେ, ତାହାକୁ ଭାଗବତ ଧର୍ମ ଚର୍ଚ୍ଚା କରୁଥିବା ବେଦବାଦୀ ମୁନିଗଣ ମଧ୍ୟ ପ୍ରାପ୍ତ କରିପାରନ୍ତି ନାହିଁ; ସେଠାରେ ଅନ୍ୟ ରାଜାଙ୍କ କଥା କଣ କହିବା |

ଯଃ ପଞ୍ଚବର୍ଷୋ ଗୁରୁଦାରବାକ୍ଶରୈ-

ର୍ଭିନ୍ନେନ ଯାତୋ ହୃଦୟେନ ଦୂୟତା ।

ବନଂ ମଦାଦେଶକରୋଽଜିତଂ ପ୍ରଭୁଂ

ଜିଗାୟ ତଦ୍ଭକ୍ତଗୁଣୈଃ ପରାଜିତମ୍ ॥ ୪୨॥

ଆହା ! ପାଞ୍ଚ ବର୍ଷ ବୟସରେ ହିଁ ସାବତ ମାଙ୍କର ବାକ୍ୟବାଣରେ ମର୍ମାହତ ହୋଇ ଦୁଃଖୀ ହୃଦୟରେ ସେ ବନକୁ ଚାଲିଗଲେ ଏବଂ ମୋର ଉପଦେଶ ଅନୁସାରେ ଆଚରଣ କରି ସେହି ଅଜେୟ ପ୍ରଭୁଙ୍କୁ ଜିତିନେଲେ, ଯିଏ କେବଳ ନିଜ ଭକ୍ତମାନଙ୍କର ଗୁଣ ଦ୍ବାରା ହିଁ ବଶୀଭୂତ ହୋଇଥାଆନ୍ତି |

ଯଃ କ୍ଷତ୍ରବନ୍ଧୁର୍ଭୁବି ତସ୍ୟାଧିରୂଢ-

ମନ୍ୱାରୁରୁକ୍ଷେଦପି ବର୍ଷପୂଗୈଃ ।

ଷଟ୍ପଞ୍ଚବର୍ଷୋ ଯଦହୋଭିରଲ୍ପୈଃ

ପ୍ରସାଦ୍ୟ ବୈକୁଣ୍ଠମବାପ ତତ୍ପଦମ୍ ॥ ୪୩॥

ଧ୍ରୁବ ତ ପାଞ୍ଚ-ଛଅ ବର୍ଷର ଆୟୁରେ ହିଁ ଅଳ୍ପ କିଛି ଦିନର ତପସ୍ୟାରେ ଭଗବାନଙ୍କୁ ପ୍ରସନ୍ନ କରି ତାଙ୍କର ପରମପଦ ପ୍ରାପ୍ତ କରିନେଲେ; କିନ୍ତୁ ତାଙ୍କ ଦ୍ବାରା ଅଧିକୃତ ସେହି ପଦବୀ ଭୂମଣ୍ଡଳର ଅନ୍ୟ କୌଣସି କ୍ଷତ୍ରିୟ ବର୍ଷ ବର୍ଷ ଧରି ତପସ୍ୟା କଲେ ମଧ୍ୟ ପ୍ରାପ୍ତ କରିପାରିବେ କି ?

ମୈତ୍ରେୟ ଉବାଚ

ଏତତ୍ତେଽଭିହିତଂ ସର୍ୱଂ ଯତ୍ପୃଷ୍ଟୋଽହମିହ ତ୍ୱୟା ।

ଧ୍ରୁବସ୍ୟୋଦ୍ଦାମୟଶସଶ୍ଚରିତଂ ସମ୍ମତଂ ସତାମ୍ ॥ ୪୪॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ତୁମେ ମୋଠାରୁ ଉଦାରକୀର୍ତ୍ତି ଧ୍ରୁବଙ୍କର ଚରିତ୍ର ବିଷୟରେ ଜାଣିବାକୁ ଇଚ୍ଛା କରିଥିଲ, ତାହା ମୁଁ ତୁମକୁ ପୂରାପୁରି ଶୁଣାଇଲି | ସାଧୁଜନ ଏହି ଚରିତ୍ରର ବହୁତ ପ୍ରଶଂସା କରନ୍ତି |

ଧନ୍ୟଂ ଯଶସ୍ୟମାୟୁଷ୍ୟଂ ପୁଣ୍ୟଂ ସ୍ୱସ୍ତ୍ୟଯନଂ ମହତ୍ ।

ସ୍ୱର୍ଗ୍ୟଂ ଧ୍ରୌବ୍ୟଂ ସୌମନସ୍ୟଂ ପ୍ରଶସ୍ୟମଘମର୍ଷଣମ୍ ॥ ୪୫॥

ଏହା ଧନ, ଯଶ ଏବଂ ଆୟୁ ବୃଦ୍ଧିକାରୀ ତଥା ପରମ ପବିତ୍ର ଏବଂ ମଙ୍ଗଳମୟ ଅଟେ | ଏହା ଦ୍ବାରା ସ୍ବର୍ଗ ଏବଂ ଅବିନାଶୀ ପଦର ପ୍ରାପ୍ତି ମଧ୍ୟ ହୋଇପାରେ | ଏହା ଦେବତ୍ବ ପ୍ରାପ୍ତି କରାଉଥିବା ଅତ୍ୟନ୍ତ ପ୍ରଶଂସନୀୟ ଏବଂ ସମସ୍ତ ପାପନାଶକାରୀ ଅଟେ |

ଶ୍ରୁତ୍ୱୈତଚ୍ଛ୍ରଦ୍ଧୟାଭୀକ୍ଷ୍ଣମଚ୍ୟୁତପ୍ରିୟଚେଷ୍ଟିତମ୍ ।

ଭବେଦ୍ଭକ୍ତିର୍ଭଗବତି ଯୟା ସ୍ୟାତ୍କ୍ଲେଶସଙ୍କ୍ଷୟଃ ॥ ୪୬॥

ଯେଉଁମାନେ ଶ୍ରଦ୍ଧାପୂର୍ବକ ଭଗବଦ୍-ଭକ୍ତ ଧ୍ରୁବଙ୍କର ଏହି ପବିତ୍ର ଚରିତ୍ରକୁ ବାରମ୍ବାର ଶ୍ରବଣ କରନ୍ତି, ସେମାନଙ୍କୁ ଭଗବାନଙ୍କର ଭକ୍ତି ପ୍ରାପ୍ତ ହୋଇଥାଏ, ଯଦ୍ବାରା ସେମାନଙ୍କର ସମସ୍ତ ଦୁଃଖ ନାଶ ହୋଇଯାଏ |

ମହତ୍ତ୍ୱମିଚ୍ଛତାଂ ତୀର୍ଥଂ ଶ୍ରୋତୁଃ ଶୀଲାଦୟୋ ଗୁଣାଃ ।

ଯତ୍ର ତେଜସ୍ତଦିଚ୍ଛୂନାଂ ମାନୋ ଯତ୍ର ମନସ୍ୱିନାମ୍ ॥ ୪୭॥

ଏହା ଶ୍ରବଣ କରୁଥିବା ବ୍ୟକ୍ତିଙ୍କଠାରେ ଶୀଳାଦି ଗୁଣ ବିକଶିତ ହୋଇଥାଏ; ଯିଏ ମହତ୍ତ୍ବ ଇଚ୍ଛା କରନ୍ତି, ତାଙ୍କୁ ମହତ୍ତ୍ବ ପ୍ରାପ୍ତ କରାଉଥିବା ସ୍ଥାନ ମିଳିଥାଏ; ଯିଏ ତେଜ ଇଚ୍ଛା କରନ୍ତି, ତାଙ୍କୁ ତେଜ ପ୍ରାପ୍ତ ହୋଇଥାଏ ଏବଂ ମନସ୍ବୀମାନଙ୍କର ଏହା ମାନ ବୃଦ୍ଧି କରିଥାଏ |

ପ୍ରୟତଃ କୀର୍ତୟେତ୍ପ୍ରାତଃ ସମବାୟେ ଦ୍ୱିଜନ୍ମନାମ୍ ।

ସାୟଂ ଚ ପୁଣ୍ୟଶ୍ଲୋକସ୍ୟ ଧ୍ରୁବସ୍ୟ ଚରିତଂ ମହତ୍ ॥ ୪୮॥

ପବିତ୍ରକୀର୍ତ୍ତି ଧ୍ରୁବଙ୍କର ଏହି ମହାନ୍ ଚରିତ୍ରର କୀର୍ତ୍ତନ ପ୍ରାତଃ ଏବଂ ସାୟଂକାଳରେ ବ୍ରାହ୍ମଣ ଆଦି ଦ୍ବିଜାତି ସମାଜରେ ଏକାଗ୍ର ଚିତ୍ତରେ କରାଯିବା ଉଚିତ୍ |

ପୌର୍ଣମାସ୍ୟାଂ ସିନୀବାଲ୍ୟାଂ ଦ୍ୱାଦଶ୍ୟାଂ ଶ୍ରବଣେଽଥବା ।

ଦିନକ୍ଷୟେ ବ୍ୟତୀପାତେ ସଙ୍କ୍ରମେଽର୍କଦିନେଽପି ବା ॥ ୪୯॥

ଶ୍ରାବୟେଚ୍ଛ୍ରଦ୍ଦଧାନାନାଂ ତୀର୍ଥପାଦପଦାଶ୍ରୟଃ ।

ନେଚ୍ଛଂସ୍ତତ୍ରାତ୍ମନାଽଽତ୍ମାନଂ ସନ୍ତୁଷ୍ଟ ଇତି ସିଧ୍ୟତି ॥ ୫୦॥

ଭଗବାନଙ୍କର ପରମ ପବିତ୍ର ଚରଣର ଶରଣରେ ରହିଥିବା ଯେଉଁ ପୁରୁଷ ଏହାକୁ ନିଷ୍କାମ ଭାବରେ ପୂର୍ଣ୍ଣିମା, ଅମାବାସ୍ୟା, ଦ୍ବାଦଶୀ, ଶ୍ରବଣା ନକ୍ଷତ୍ର, ତିଥିକ୍ଷୟ, ବ୍ୟତୀପାତ, ସଂକ୍ରାନ୍ତି ଅଥବା ରବିବାର ଦିନ ଶ୍ରଦ୍ଧାଳୁ ପୁରୁଷଙ୍କୁ ଶୁଣାଇ ଥାଆନ୍ତି, ସେ ସ୍ବୟଂ ଆତ୍ମସନ୍ତୁଷ୍ଟ ରହନ୍ତି ଏବଂ ସିଦ୍ଧ ହୋଇଯାଆନ୍ତି |

ଜ୍ଞାନମଜ୍ଞାତତତ୍ତ୍ୱାୟ ଯୋ ଦଦ୍ୟାତ୍ସତ୍ପଥେଽମୃତମ୍ ।

କୃପାଲୋର୍ଦୀନନାଥସ୍ୟ ଦେବାସ୍ତସ୍ୟାନୁଗୃହ୍ଣତେ ॥ ୫୧॥

ଏହା ସାକ୍ଷାତ୍ ଭଗବତ୍-ବିଷୟକ ଅମୃତମୟ ଜ୍ଞାନ ଅଟେ | ଯେଉଁମାନେ ଭଗବତ୍-ମାର୍ଗର ମର୍ମରେ ଅନଭିଜ୍ଞ ଅଟନ୍ତି – ସେମାନଙ୍କୁ ଯଦି କେହି ଏହା ପ୍ରଦାନ କରନ୍ତି, ସେହି ଦୀନବତ୍ସଳ କୃପାଳୁ ପୁରୁଷଙ୍କ ପ୍ରତି ଦେବତାମାନେ ଅନୁଗ୍ରହ କରନ୍ତି |

ଇଦଂ ମୟା ତେଽଭିହିତଂ କୁରୂଦ୍ୱହ

ଧ୍ରୁବସ୍ୟ ବିଖ୍ୟାତବିଶୁଦ୍ଧକର୍ମଣଃ ।

ହିତ୍ୱାର୍ଭକଃ କ୍ରୀଡନକାନି ମାତୁ-

ର୍ଗୃହଂ ଚ ବିଷ୍ଣୁଂ ଶରଣଂ ଯୋ ଜଗାମ ॥ ୫୨॥

ଧ୍ରୁବଙ୍କର କର୍ମ ସର୍ବତ୍ର ପ୍ରସିଦ୍ଧ ଏବଂ ପରମ ପବିତ୍ର ଅଟେ; ସେ ବାଲ୍ୟାବସ୍ଥାରେ ହିଁ ନିଜ ମାତାଙ୍କ ଗୃହ ଏବଂ ଖେଳଣାର ମୋହ ତ୍ୟାଗ କରି ବିଷ୍ଣୁଭଗବାନଙ୍କ ଶରଣରେ ଚାଲି ଯାଇଥିଲେ | ହେ କୁରୁନନ୍ଦନ ! ତାଙ୍କର ସେହି ପବିତ୍ର ଚରିତ୍ର ମୁଁ ତୁମକୁ ଶୁଣାଇଲି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ ଦ୍ୱାଦଶୋଽଧ୍ୟାୟଃ ॥ ୧୨॥

Comments

Popular posts from this blog