ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ॥

ତ୍ରୟବିଂଶ ଅଧ୍ୟାୟ

ରାଜା ପୃଥୁଙ୍କର ତପସ୍ୟା ଏବଂ ପରଲୋକ ଗମନ

 

ମୈତ୍ରେୟ ଉବାଚ

ଦୃଷ୍ଟ୍ୱାଽଽତ୍ମାନଂ ପ୍ରବୟସମେକଦା ବୈନ୍ୟ ଆତ୍ମବାନ୍ ।

ଆତ୍ମନା ବର୍ଧିତାଶେଷସ୍ୱାନୁସର୍ଗଃ ପ୍ରଜାପତିଃ ॥ ୧॥

ଜଗତସ୍ତସ୍ଥୁଷଶ୍ଚାପି ବୃତ୍ତିଦୋ ଧର୍ମଭୃତ୍ସତାମ୍ ।

ନିଷ୍ପାଦିତେଶ୍ୱରାଦେଶୋ ଯଦର୍ଥମିହ ଜଜ୍ଞିବାନ୍ ॥ ୨॥

ଆତ୍ମଜେଷ୍ୱାତ୍ମଜାଂ ନ୍ୟସ୍ୟ ବିରହାଦ୍ରୁଦତୀମିବ ।

ପ୍ରଜାସୁ ବିମନଃସ୍ୱେକଃ ସଦାରୋଽଗାତ୍ତପୋବନମ୍ ॥ ୩॥

ଏହି ପ୍ରକାରେ ମହାମନସ୍ବୀ ପ୍ରଜାପତି ପୃଥୁ ସ୍ବୟଂ ହିଁ ଅନ୍ନାଦି ତଥା ପୁର-ଗ୍ରାମାଦି ସର୍ଗର ବ୍ୟବସ୍ଥା କରି ସ୍ଥାବର-ଜଙ୍ଗମାଦି ସବୁ ପ୍ରାଣୀଙ୍କର ଆଜୀବିକା ନିଶ୍ଚିତ କରିଦେଲେ ତଥା ସାଧୁଜନୋଚିତ ଧର୍ମର ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ ପାଳନ କଲେ | ମୋର ଅବସ୍ଥା ଏବେ କ୍ଷୟ ପ୍ରାପ୍ତ ହେବାକୁ ବସିଲାଣି ଏବଂ ମୋର ଜନ୍ମ ଯେଉଁ ଉଦ୍ଦେଶ୍ୟରେ ହୋଇଥିଲା, ସେହି ପ୍ରଜାରକ୍ଷଣରୂପ ଈଶ୍ବରଆଜ୍ଞାର ମଧ୍ୟ ପାଳନ ହୋଇସାରିଛି; ତେଣୁ ମୁଁ ଏବେ ଅନ୍ତିମ ପୁରୁଷାର୍ଥ ମୋକ୍ଷ ନିମନ୍ତେ ପ୍ରଯତ୍ନ କରିବା ଆବଶ୍ୟକ’ – ଏହିପରି ଚିନ୍ତା କରି ସେ ବିରହ ଆଶଙ୍କାରେ ରୋଦନରତ ନିଜ କନ୍ୟାରୂପୀ ପୃଥିବୀର ଭାର ନିଜ ପୁତ୍ରମାନଙ୍କ ହସ୍ତରେ ଅର୍ପଣ କଲେ ଏବଂ ଶୋକାତୁର ପ୍ରଜାମାନଙ୍କୁ ପଛରେ ଛାଡି ପତ୍ନୀଙ୍କ ସହିତ ତପୋବନକୁ ଚାଲିଗଲେ |

ତତ୍ରାପ୍ୟଦାଭ୍ୟନିୟମୋ ବୈଖାନସସୁସମ୍ମତେ ।

ଆରବ୍ଧ ଉଗ୍ରତପସି ଯଥା ସ୍ୱବିଜୟେ ପୁରା ॥ ୪॥

ଯେପରି ଭାବରେ ଗୃହସ୍ଥାଶ୍ରମରେ ସେ ଅଖଣ୍ଡ ବ୍ରତ ଧାରଣ କରି ପୃଥିବୀର ଶାସନ କରୁଥିଲେ, ସେଠାରେ ମଧ୍ୟ ସେ ସେହିପରି ବାନପ୍ରସ୍ଥ ଆଶ୍ରମର ନିୟମାନୁସାରେ କଠୋର ତପସ୍ୟାରେ ରତ ରହିଲେ |

କନ୍ଦମୂଲଫଲାହାରଃ ଶୁଷ୍କପର୍ଣାଶନଃ କ୍ୱଚିତ୍ ।

ଅବ୍ଭକ୍ଷଃ କତିଚିତ୍ପକ୍ଷାନ୍ ବାୟୁଭକ୍ଷସ୍ତତଃ ପରମ୍ ॥ ୫॥

କିଛି ଦିନ ତ ସେ କନ୍ଦ-ମୂଳ-ଫଳ ଖାଇ ବିତାଇଲେ, କିଛି କାଳ ଶୁଷ୍କ ପତ୍ର ଖାଇ ରହିଲେ, ପୁଣି କିଛି କାଳ କେବଳ ଜଳ ପାନ କରି ରହିଲେ ଏବଂ ତାପରେ କେବଳ ବାୟୁ ଭକ୍ଷଣ କରି ଜୀବନ ନିର୍ବାହ କଲେ |

ଗ୍ରୀଷ୍ମେ ପଞ୍ଚତପା ବୀରୋ ବର୍ଷାସ୍ୱାସାରଷାଣ୍ମୁନିଃ ।

ଆକଣ୍ଠମଗ୍ନଃ ଶିଶିରେ ଉଦକେ ସ୍ଥଣ୍ଡିଲେଶୟଃ ॥ ୬॥

ବୀରବର ପୃଥୁ ମୁନିବୃତ୍ତିରେ ରହୁଥିଲେ | ଗ୍ରୀଷ୍ମକାଳରେ ସେ ପଞ୍ଚାଗ୍ନି ସେବନ କରୁଥିଲେ, ବର୍ଷାଋତୁରେ ମୁକ୍ତ ଆକାଶ ତଳେ ଶୋଇ ଶରୀରରେ ବାରିଧାରାକୁ ସହନ କରୁଥିଲେ ଏବଂ ଶୀତଦିନେ କଣ୍ଠଯାଏଁ ନଦୀ ଜଳରେ ବୁଡି ରହୁଥିଲେ |

ତିତିକ୍ଷୁର୍ୟତବାଗ୍ଦାନ୍ତ ଊର୍ଧ୍ୱରେତା ଜିତାନିଲଃ ।

ଆରିରାଧୟିଷୁଃ କୃଷ୍ଣମଚରତ୍ତପ ଉତ୍ତମମ୍ ॥ ୭॥

ସେ ଶୀତ-ଉଷ୍ମ ଆଦି ସବୁ ପ୍ରକାରର ଦ୍ବନ୍ଦ୍ବ ସହନ କରିଥିଲେ ତଥା ବାଣୀ ଏବଂ ମନକୁ ସଂଯମିତ କରି ବ୍ରହ୍ମଚର୍ଯ୍ୟ ପାଳନ କରି ପ୍ରାଣକୁ ନିଜର ଅଧୀନସ୍ତ କରିନେଲେ | ଏହିପରି ଭାବରେ ଶ୍ରୀକୃଷ୍ଣଙ୍କର ଆରାଧନା କରିବା ନିମନ୍ତେ ସେ ଉତ୍ତମ ତପ କଲେ |

ତେନ କ୍ରମାନୁସିଦ୍ଧେନ ଧ୍ୱସ୍ତକର୍ମମଲାଶୟଃ ।

ପ୍ରାଣାୟାମୈଃ ସନ୍ନିରୁଦ୍ଧଷଡ୍ୱର୍ଗଶ୍ଛିନ୍ନବନ୍ଧନଃ ॥ ୮॥

ଏହି କ୍ରମରେ ତାଙ୍କର ତପସ୍ୟା ପରିପୁଷ୍ଟ ହେବାରେ ଲାଗିଲା ଏବଂ ତାହାର ପ୍ରଭାବରେ କର୍ମଫଳ ନଷ୍ଟ ହୋଇଯିବା କାରଣରୁ ତାଙ୍କର ଚିତ୍ତ ସର୍ବତୋ ଭାବରେ ଶୁଦ୍ଧ ହୋଇଗଲା | ପ୍ରାଣାୟାମ ଦ୍ବାରା ମନ ଏବଂ ଇନ୍ଦ୍ରିୟ ନିରୁଦ୍ଧ ହୋଇ ତାଙ୍କର ବାସନାଜନିତ ସମସ୍ତ ବନ୍ଧନ ମଧ୍ୟ ଛିନ୍ନ ହୋଇଗଲା |

ସନତ୍କୁମାରୋ ଭଗବାନ୍ ଯଦାହାଧ୍ୟାତ୍ମିକଂ ପରମ୍ ।

ଯୋଗଂ ତେନୈବ ପୁରୁଷମଭଜତ୍ପୁରୁଷର୍ଷଭଃ ॥ ୯॥

ତାପରେ ଭଗବାନ ସନତ୍-କୁମାର ତାଙ୍କୁ ଯେଉଁ ପରମୋତ୍କୃଷ୍ଟ ଅଧ୍ୟାତ୍ମଯୋଗର ଶିକ୍ଷା ଦେଇଥିଲେ, ତଦନୁସାରେ ରାଜା ପୃଥୁ ପୁରୁଷୋତ୍ତମ ଶ୍ରୀହରିଙ୍କର ଆରାଧନା କରିବାରେ ଲାଗିଲେ |

ଭଗବଦ୍ଧର୍ମିଣଃ ସାଧୋଃ ଶ୍ରଦ୍ଧୟା ଯତତଃ ସଦା ।

ଭକ୍ତିର୍ଭଗବତି ବ୍ରହ୍ମଣ୍ୟନନ୍ୟବିଷୟାଭବତ୍ ॥ ୧୦॥

ଏହିପରି ଭଗବତ୍-ପରାୟଣ ହୋଇ ଶ୍ରଦ୍ଧାପୂର୍ବକ ସଦାଚାର ପାଳନ କରି ନିରନ୍ତର ସାଧନା କରିବା ଦ୍ବାରା ତାଙ୍କର ପରବ୍ରହ୍ମ ପରମାତ୍ମାଙ୍କଠାରେ ଅନନ୍ୟଭକ୍ତି ହୋଇଗଲା |

ତସ୍ୟାନୟା ଭଗବତଃ ପରିକର୍ମଶୁଦ୍ଧ-

ସତ୍ତ୍ୱାତ୍ମନସ୍ତଦନୁସଂସ୍ମରଣାନୁପୂର୍ତ୍ୟା ।

ଜ୍ଞାନଂ ବିରକ୍ତିମଦଭୂନ୍ନିଶିତେନ ଯେନ

ଚିଚ୍ଛେଦ ସଂଶୟପଦଂ ନିଜଜୀବକୋଶମ୍ ॥ ୧୧॥

ଭଗବଦୁପସନା ଦ୍ବାରା ଅନ୍ତଃକରଣ ଶୁଦ୍ଧ-ସାତ୍ତ୍ବିକ ହୋଇଯିବା ପରେ ନିରନ୍ତର ଭଗବତ୍-ଚିନ୍ତନର ପ୍ରଭାବରେ ପ୍ରାପ୍ତ ସେହି ଅନନ୍ୟ ଭକ୍ତି ଯୋଗୁଁ ତାଙ୍କର ବୈରାଗ୍ୟ ସହିତ ଜ୍ଞାନ ପ୍ରାପ୍ତି ହେଲା ଏବଂ ତାପରେ ସେହି ତୀବ୍ର ଜ୍ଞାନ ଦ୍ବାରା ସେ ଜୀବର ଉପାଧିଭୂତ ଅହଂକାରକୁ ନଷ୍ଟ କରିଦେଲେ, ଯାହା ସମସ୍ତ ସଂଶୟ-ବିପର୍ଯ୍ୟୟର ଆଶ୍ରୟ ଅଟେ |

ଛିନ୍ନାନ୍ୟଧୀରଧିଗତାତ୍ମଗତିର୍ନିରୀହ-

ସ୍ତତ୍ତତ୍ୟଜେଽଚ୍ଛିନଦିଦଂ ବୟୁନେନ ଯେନ ।

ତାବନ୍ନ ଯୋଗଗତିଭିର୍ୟତିରପ୍ରମତ୍ତୋ

ଯାବଦ୍ଗଦାଗ୍ରଜକଥାସୁ ରତିଂ ନ କୁର୍ୟାତ୍ ॥ ୧୨॥

ପଶ୍ଚାତ୍ ଦେହାତ୍ମବୁଦ୍ଧିର ନିବୃତ୍ତି ଏବଂ ପରମାତ୍ମସ୍ବରୂପ ଶ୍ରୀକୃଷ୍ଣଙ୍କର ଅନୁଭୂତି ହେବା ଯୋଗୁଁ ସେ ଅନ୍ୟ ସବୁ ପ୍ରକାରର ସିଦ୍ଧି ଆଦି ପ୍ରତି ମଧ୍ୟ ଉଦାସୀନ ହୋଇଗଲେ ଏବଂ ଯେଉଁ ଜ୍ଞାନ ସାହାଯ୍ୟରେ ସେ ପ୍ରଥମେ ନିଜ ଜୀବକୋଷର ନାଶ କରିଥିଲେ, ସେହି ତତ୍ତ୍ବଜ୍ଞାନ ନିମନ୍ତେ ମଧ୍ୟ ସେ ପ୍ରଯତ୍ନ କରିବା ଛାଡିଦେଲେ; କାରଣ ଯୋଗମାର୍ଗରେ ସାଧକକୁ ଶ୍ରୀକୃଷ୍ଣ-କଥାମୃତରେ ଅନୁରାଗ ଜାତ ନ ହେବାଯାଏଁ, କେବଳ ଯୋଗସାଧନା ଦ୍ବାରା ତାହାର ମୋହଜନିତ ପ୍ରମାଦ ଦୂର ହୋଇ ନ ଥାଏ – ଭ୍ରମ ସମାପ୍ତ ହୋଇ ନ ଥାଏ |

ଏବଂ ସ ବୀରପ୍ରବରଃ ସଂୟୋଜ୍ୟାତ୍ମାନମାତ୍ମନି ।

ବ୍ରହ୍ମଭୂତୋ ଦୃଢଂ କାଲେ ତତ୍ୟାଜ ସ୍ୱଂ କଲେବରମ୍ ॥ ୧୩॥

ତାପରେ ଯେତେବେଳେ ଅନ୍ତକାଳ ଉପସ୍ଥିତ ହେଲା, ବୀରବର ପୃଥୁ ନିଜ ଚିତ୍ତକୁ ଦୃଢ଼ତାପୂର୍ବକ ପରମାତ୍ମାଙ୍କଠାରେ ସ୍ଥିର କରି ବ୍ରହ୍ମଭାବରେ ସ୍ଥିତ ରହି ନିଜ ଶରୀର ତ୍ୟାଗ କରିଦେଲେ |

ସମ୍ପୀଡ୍ୟ ପାୟୁଂ ପାର୍ଷ୍ଣିଭ୍ୟାଂ ବାୟୁମୁତ୍ସାରୟଞ୍ଛନୈଃ ।

ନାଭ୍ୟାଂ କୋଷ୍ଠେଷ୍ୱବସ୍ଥାପ୍ୟ ହୃଦୁରଃକଣ୍ଠଶୀର୍ଷଣି ॥ ୧୪॥

ଗୋଇଠିରେ ମଳଦ୍ବାରକୁ ରୁଦ୍ଧ କରି ପ୍ରାଣବାୟୁକୁ ଧୀରେ-ଧୀରେ ମୂଳାଧାରରୁ ଉର୍ଦ୍ଧ୍ବ-ଅଭିମୁଖୀ କରି ସେ କ୍ରମଶଃ ନାଭି, ହୃଦୟ, ବକ୍ଷସ୍ଥଳ, କଣ୍ଠ ଏବଂ ମସ୍ତକରେ ସ୍ଥିତ କଲେ |

ଉତ୍ସର୍ପୟଂସ୍ତୁ ତଂ ମୂର୍ଧ୍ନି କ୍ରମେଣାବେଶ୍ୟ ନିଃସ୍ପୃହଃ ।

ବାୟୁଂ ବାୟୌ କ୍ଷିତୌ କାୟଂ ତେଜସ୍ତେଜସ୍ୟଯୂୟୁଜତ୍ ॥ ୧୫॥

ତାପରେ ତାହାକୁ ଆହୁରି ଉପରକୁ ଉଠାଇ କ୍ରମଶଃ ବ୍ରହ୍ମରନ୍ଧ୍ରରେ ସ୍ଥିର କଲେ | ଏବେ ତାଙ୍କଠାରେ କୌଣସି ପ୍ରକାରର ସାଂସାରିକ ଭୋଗ-ଲାଳସା ରହିଲା ନାହିଁ | ତତ୍ ପଶ୍ଚାତ୍ ଯଥାସ୍ଥାନ ବିଭାଗ କରି ପ୍ରାଣବାୟୁକୁ ସମଷ୍ଟି ବାୟୁରେ, ପାର୍ଥିବ ଶରୀରକୁ ପୃଥିବୀରେ ଏବଂ ଶରୀରର ତେଜକୁ ସମଷ୍ଟି ତେଜରେ ଲୀନ କରିଦେଲେ |

ଖାନ୍ୟାକାଶେ ଦ୍ରବଂ ତୋୟେ ଯଥାସ୍ଥାନଂ ବିଭାଗଶଃ ।

କ୍ଷିତିମମ୍ଭସି ତତ୍ତେଜସ୍ୟଦୋ ବାୟୌ ନଭସ୍ୟମୁମ୍ ॥ ୧୬॥

ହୃଦୟାକାଶାଦି ଦେହାବଚ୍ଛିନ୍ନ ଆକାଶକୁ ମହାକାଶରେ ଏବଂ ଶରୀରଗତ ରୁଧିରାଦି ଜଳୀୟ ଅଂଶକୁ ସମଷ୍ଟି ଜଳରେ ଲୀନ କଲେ | ତାପରେ ପୃଥିବୀକୁ ଜଳରେ, ଜଳକୁ ତେଜରେ, ତେଜକୁ ବାୟୁରେ ଏବଂ ବାୟୁକୁ ଆକାଶରେ ଲୀନ କଲେ |

ଇନ୍ଦ୍ରିୟେଷୁ ମନସ୍ତାନି ତନ୍ମାତ୍ରେଷୁ ଯଥୋଦ୍ଭବମ୍ ।

ଭୂତାଦିନାମୂନ୍ୟୁତ୍କୃଷ୍ୟ ମହତ୍ୟାତ୍ମନି ସନ୍ଦଧେ ॥ ୧୭॥

ତଦନନ୍ତର ମନକୁ (ସବିକଳ୍ପ ଜ୍ଞାନରେ ସେ ଯାହା ଅଧୀନରେ ରହିଥାଏ, ସେହି) ଇନ୍ଦ୍ରିୟରେ, ଇନ୍ଦ୍ରିୟମାନଙ୍କୁ ସେମାନଙ୍କର କାରଣରୂପ ତନ୍ମାତ୍ରାରେ ଏବଂ ତନ୍ମାତ୍ରାର କାରଣ ଅହଂକାର ଦ୍ବାରା ଆକାଶ, ଇନ୍ଦ୍ରିୟ ଏବଂ ତନ୍ମାତ୍ରାଙ୍କୁ ସେହି ଅହଂକାରରେ ଲୀନ କରି, ଅହଂକାରକୁ ମହତ୍ତତ୍ତ୍ବରେ ଲୀନ କଲେ |

ତଂ ସର୍ୱଗୁଣବିନ୍ୟାସଂ ଜୀବେ ମାୟାମୟେ ନ୍ୟଧାତ୍ ।

ତଂ ଚାନୁଶୟମାତ୍ମସ୍ଥମସାବନୁଶୟୀ ପୁମାନ୍ ।

ଜ୍ଞାନବୈରାଗ୍ୟବୀର୍ୟେଣ ସ୍ୱରୂପସ୍ଥୋଽଜହାତ୍ପ୍ରଭୁଃ ॥ ୧୮॥

ଏହାପରେ ସମ୍ପୂର୍ଣ୍ଣ ଗୁଣର ଅଭିବ୍ୟକ୍ତି କରାଉଥିବା ସେହି ମହତ୍ତତ୍ତ୍ବକୁ ମାୟା-ଉପାଧିକ ଜୀବରେ ସ୍ଥିତ କଲେ | ତଦନନ୍ତର ସେହି ମାୟାରୂପ ଜୀବର ଉପାଧିକୁ ମଧ୍ୟ ସେ ଜ୍ଞାନ ଏବଂ ବୈରାଗ୍ୟର ପ୍ରଭାବରେ ନିଜ ଶୁଦ୍ଧ ବ୍ରହ୍ମସ୍ବରୂପରେ ସ୍ଥିତ ହୋଇ ତ୍ୟାଗ କରିଦେଲେ |

ଅର୍ଚିର୍ନାମ ମହାରାଜ୍ଞୀ ତତ୍ପତ୍ନ୍ୟନୁଗତା ବନମ୍ ।

ସୁକୁମାର୍ୟତଦର୍ହା ଚ ଯତ୍ପଦ୍ଭ୍ୟାଂ ସ୍ପର୍ଶନଂ ଭୁବଃ ॥ ୧୯॥

ମହାରାଜ ପୃଥୁଙ୍କର ପତ୍ନୀ ମହାରାଣୀ ଅର୍ଚି ମଧ୍ୟ ତାଙ୍କ ସହିତ ବନକୁ ଯାଇଥିଲେ | ସେ ଅତ୍ୟନ୍ତ ସୁକୁମାରୀ ଥିଲେ, ପାଦରେ ଭୂମିକୁ ସ୍ପର୍ଶ କରିବାର ଅଭ୍ୟାସ ମଧ୍ୟ ତାଙ୍କର ନ ଥିଲା |

ଅତୀବ ଭର୍ତୁର୍ୱ୍ରତଧର୍ମନିଷ୍ଠୟା

ଶୁଶ୍ରୂଷୟା ଚାର୍ଷଦେହୟାତ୍ରୟା ।

ନାବିନ୍ଦତାର୍ତିଂ ପରିକର୍ଶିତାପି ସା

ପ୍ରେୟସ୍କରସ୍ପର୍ଶନମାନନିର୍ୱୃତିଃ ॥ ୨୦॥

ତଥାପି ସେ ନିଜ ସ୍ବାମୀଙ୍କ ପରି ବ୍ରତ-ନିୟମାଦି ପାଳନ କରି ତାଙ୍କର ବହୁତ ବେଶୀ ସେବା କରିଥିଲେ ଏବଂ ମୁନିବୃତ୍ତି ଅନୁସାରେ କନ୍ଦ-ମୂଳ ଆଦିରେ ନିର୍ବାହ କରିଥିଲେ | ତଦ୍ବାରା ଯଦିଓ ସେ ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଥିଲେ, ତଥାପି ନିଜ ପ୍ରିୟତମଙ୍କ କରସ୍ପର୍ଶରେ ସମ୍ମାନିତ ହୋଇ ତହିଁରେ ଆନନ୍ଦିତ ହେଉଥିବା କାରଣରୁ ସେ କୌଣସି ପ୍ରକାରର କଷ୍ଟ ଅନୁଭବ କରୁ ନ ଥିଲେ |

ଦେହଂ ବିପନ୍ନାଖିଲଚେତନାଦିକଂ

ପତ୍ୟୁଃ ପୃଥିବ୍ୟା ଦୟିତସ୍ୟ ଚାତ୍ମନଃ ।

ଆଲକ୍ଷ୍ୟ କିଞ୍ଚିଚ୍ଚ ବିଲପ୍ୟ ସା ସତୀ

ଚିତାମଥାରୋପୟଦଦ୍ରିସାନୁନି ॥ ୨୧॥

ଏବେ ପୃଥ୍ବୀପତି ନିଜ ପ୍ରିୟତମ ମହାରାଜ ପୃଥୁଙ୍କର ଶରୀରକୁ ଜୀବନ-ଚେତନା ଆଦି ସମସ୍ତ ଧର୍ମରୁ ରହିତ ଦେଖି ସେହି ସତୀ କିଛି ସମୟ ବିଳାପ କଲେ | ତାପରେ ପର୍ବତ ଉପରେ ଚିତା ପ୍ରସ୍ତୁତ କରି ସେହି ଶରୀରକୁ ଚିତା ଉପରେ ରଖିଲେ |

ବିଧାୟ କୃତ୍ୟଂ ହ୍ରଦିନୀଜଲାପ୍ଲୁତା

ଦତ୍ତ୍ୱୋଦକଂ ଭର୍ତୁରୁଦାରକର୍ମଣଃ ।

ନତ୍ୱା ଦିବିସ୍ଥାଂସ୍ତ୍ରିଦଶାଂସ୍ତ୍ରିଃ ପରୀତ୍ୟ

ବିବେଶ ବହ୍ନିଂ ଧ୍ୟାୟତୀ ଭର୍ତୃପାଦୌ ॥ ୨୨॥

ଏହାପରେ ସମସ୍ତ କୃତ୍ୟ ସମାପନ କରି ସେ ନଦୀ ଜଳରେ ସ୍ନାନ କଲେ | ନିଜର ପରମ ପରାକ୍ରମୀ ପତିଙ୍କୁ ଜଳାଞ୍ଜଳି ଦେଇ ଆକାଶସ୍ଥିତ ଦେବତାମାନଙ୍କର ବନ୍ଦାଣ କଲେ ତଥା ତ୍ରିବାର ଚିତା ପରିକ୍ରମା କରି ନିଜ ପତିଦେବଙ୍କ ଚରଣର ଧ୍ୟାନ କରି ଅଗ୍ନିରେ ପ୍ରବେଶ କଲେ |

ବିଲୋକ୍ୟାନୁଗତାଂ ସାଧ୍ୱୀଂ ପୃଥୁଂ ବୀରବରଂ ପତିମ୍ ।

ତୁଷ୍ଟୁବୁର୍ୱରଦା ଦେବୈର୍ଦେବପତ୍ନ୍ୟଃ ସହସ୍ରଶଃ ॥ ୨୩॥

ପରମସାଧ୍ବୀ ଅର୍ଚିଙ୍କୁ ଏହିପରି ଭାବରେ ନିଜ ପତି ବୀରବର ପୃଥୁଙ୍କର ଅନୁଗମନ କରିବା ଦେଖି ସହସ୍ର ସଂଖ୍ୟାରେ ବରଦାୟିନୀ ଦେବୀମାନେ ସେମାନଙ୍କର ପତିଙ୍କ ସହିତ ତାଙ୍କର ସ୍ତୁତି କରିବାରେ ଲାଗିଲେ |

କୁର୍ୱତ୍ୟଃ କୁସୁମାସାରଂ ତସ୍ମିନ୍ ମନ୍ଦରସାନୁନି ।

ନଦତ୍ସ୍ୱମରତୂର୍ୟେଷୁ ଗୃଣନ୍ତି ସ୍ମ ପରସ୍ପରମ୍ ॥ ୨୪॥

ଦେବତାମାନଙ୍କର ବାଦ୍ୟ ବାଜିବାରେ ଲାଗିଲା | ମନ୍ଦରାଚଳର ଶିଖରଦେଶରୁ ଦେବାଙ୍ଗନାମାନେ ପୁଷ୍ପ ବୃଷ୍ଟି କରି ପରସ୍ପର ଏହିପରି କହିବାରେ ଲାଗିଲେ -

ଦେବ୍ୟ ଊଚୁଃ

ଅହୋ ଇୟଂ ବଧୂର୍ଧନ୍ୟା ଯା ଚୈବଂ ଭୂଭୁଜାଂ ପତିମ୍ ।

ସର୍ୱାତ୍ମନା ପତିଂ ଭେଜେ ଯଜ୍ଞେଶଂ ଶ୍ରୀର୍ୱଧୂରିବ ॥ ୨୫॥

ଦେବୀମାନେ କହିଲେ – ଆହା ! ଏହି ସ୍ତ୍ରୀ ଧନ୍ୟ ଅଟେ | ଇଏ ନିଜ ପତି ରାଜରାଜେଶ୍ବର ପୃଥୁଙ୍କର ମନ-ବାଣୀ-ଶରୀରରେ ଠିକ୍ ସେହିପରି ସେବା କରିଛନ୍ତି, ଯେପରି ଶ୍ରୀଲକ୍ଷ୍ମୀଦେବୀ ଯଜ୍ଞେଶ୍ବର ଭଗବାନ ବିଷ୍ଣୁଙ୍କର କରନ୍ତି |

ସୈଷା ନୂନଂ ବ୍ରଜତ୍ୟୂର୍ଧ୍ୱମନୁ ବୈନ୍ୟଂ ପତିଂ ସତୀ ।

ପଶ୍ୟତାସ୍ମାନତୀତ୍ୟାର୍ଚିର୍ଦୁର୍ୱିଭାବ୍ୟେନ କର୍ମଣା ॥ ୨୬॥

ନିଜ ଅଚିନ୍ତ୍ୟ କର୍ମ ପ୍ରଭାବରେ ଏହି ସତୀ ନିଶ୍ଚିତଭାବରେ ଆମ୍ଭମାନଙ୍କୁ ଲଂଘନ କରି ନିଜ ପତିଙ୍କ ସହିତ ଉଚ୍ଚତର ଲୋକକୁ ଯାତ୍ରା କରୁଛନ୍ତି |

ତେଷାଂ ଦୁରାପଂ କିଂ ତ୍ୱନ୍ୟନ୍ମର୍ତ୍ୟାନାଂ ଭଗବତ୍ପଦମ୍ ।

ଭୁବି ଲୋଲାୟୁଷୋ ଯେ ବୈ ନୈଷ୍କର୍ମ୍ୟଂ ସାଧୟନ୍ତ୍ୟୁତ ॥ ୨୭॥

ଏହି ଲୋକରେ ଜୀବନ କ୍ଷଣକାଳ ପାଇଁ ହୋଇଥିଲେ ବି ଯେଉଁମାନେ ଏଠାରେ ଭଗବାନଙ୍କର ପରମପଦ ପ୍ରାପ୍ତି କରାଉଥିବା ଆତ୍ମଜ୍ଞାନ ପ୍ରାପ୍ତ କରିନିଅନ୍ତି, ସେମାନଙ୍କ ପାଇଁ ସଂସାରରେ କେଉଁ ପଦାର୍ଥ ଦୁର୍ଲଭ ଅଟେ |

ସ ବଞ୍ଚିତୋ ବତାତ୍ମଧ୍ରୁକ୍ କୃଚ୍ଛ୍ରେଣ ମହତା ଭୁବି ।

ଲବ୍ଧ୍ୱାଽଽପବର୍ଗ୍ୟଂ ମାନୁଷ୍ୟଂ ବିଷୟେଷୁ ବିଷଜ୍ଜତେ ॥ ୨୮॥

ଅତଏବ, ଯେଉଁମାନେ ବହୁ କଷ୍ଟରେ ଏହି ଭୂଲୋକରେ ମୋକ୍ଷର ସାଧନ-ସ୍ବରୂପ ମନୁଷ୍ୟ ଶରୀର ପ୍ରାପ୍ତ କରି ମଧ୍ୟ ବିଷୟରେ ଆସକ୍ତ ରହନ୍ତି, ସେମାନେ ନିଶ୍ଚିତଭାବରେ ଆତ୍ମଘାତୀ ହିଁ ଅଟନ୍ତି; ସେ ବିଚରାମାନେ ଠକି ଯାଆନ୍ତି |

ମୈତ୍ରେୟ ଉବାଚ

ସ୍ତୁବତୀଷ୍ୱମରସ୍ତ୍ରୀଷୁ ପତିଲୋକଂ ଗତା ବଧୂଃ ।

ଯଂ ବା ଆତ୍ମବିଦାଂ ଧୁର୍ୟୋ ବୈନ୍ୟଃ ପ୍ରାପାଚ୍ୟୁତାଶ୍ରୟଃ ॥ ୨୯॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଦେବାଙ୍ଗନାମାନେ ଏହିପରି ସ୍ତୁତି କରୁଥିବା ବେଳେ ଭଗବାନଙ୍କର ଯେଉଁ ପରମଧାମକୁ ଆତ୍ମଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭଗବତ୍-ପ୍ରାଣ ମହାରାଜ ପୃଥୁ ଗମନ କଲେ, ମହାରାଣୀ ଅର୍ଚି ମଧ୍ୟ ସେହି ପତିଲୋକକୁ ଯାଇଥିଲେ |

ଇତ୍ଥମ୍ଭୂତାନୁଭାବୋଽସୌ ପୃଥୁଃ ସ ଭଗବତ୍ତମଃ ।

କୀର୍ତିତଂ ତସ୍ୟ ଚରିତମୁଦ୍ଦାମଚରିତସ୍ୟ ତେ ॥ ୩୦॥

ପରମ ଭାଗବତ ପୃଥୁ ଏହିପରି ପ୍ରଭାବଶାଳୀ ଥିଲେ | ତାଙ୍କର ଚରିତ ଅତ୍ୟନ୍ତ ଉଦାର ଥିଲା, ଯାହାର ବର୍ଣ୍ଣନା ମୁଁ ତୁମ ସମ୍ମୁଖରେ କଲି |

ଯ ଇଦଂ ସୁମହତ୍ପୁଣ୍ୟଂ ଶ୍ରଦ୍ଧୟାବହିତଃ ପଠେତ୍ ।

ଶ୍ରାବୟେଚ୍ଛୃଣୁୟାଦ୍ୱାପି ସ ପୃଥୋଃ ପଦବୀମିୟାତ୍ ॥ ୩୧॥

ଯେଉଁ ପୁରୁଷ ଏହି ପରମ ପବିତ୍ର ଚରିତ୍ରକୁ ଶ୍ରଦ୍ଧାପୂର୍ବକ ନିଷ୍କାମଭାବରେ ଏକାଗ୍ରଚିତ୍ତ ହୋଇ ପଠନ କରନ୍ତି, ଶ୍ରବଣ କରନ୍ତି ଅଥବା ଶୁଣାଇ ଥାଆନ୍ତି, ସେ ମଧ୍ୟ ମହାରାଜ ପୃଥୁଙ୍କର ପଦ – ଭଗବାନଙ୍କର ପରମଧାମକୁ ପ୍ରାପ୍ତ ହୁଅନ୍ତି |

ବ୍ରାହ୍ମଣୋ ବ୍ରହ୍ମବର୍ଚସ୍ୱୀ ରାଜନ୍ୟୋ ଜଗତୀପତିଃ ।

ବୈଶ୍ୟଃ ପଠନ୍ ବିଟ୍ପତିଃ ସ୍ୟାଚ୍ଛୂଦ୍ରଃ ସତ୍ତମତାମିୟାତ୍ ॥ ୩୨॥

ସକାମଭାବରେ ଏହାର ପଠନ କରି ବ୍ରାହ୍ମଣ ବ୍ରହ୍ମତେଜ ପ୍ରାପ୍ତ କରନ୍ତି, କ୍ଷତ୍ରିୟ ପୃଥ୍ବୀପତି ହୋଇଯାଆନ୍ତି, ବୈଶ୍ୟ ବ୍ୟାପାରୀମାନଙ୍କ ମଧ୍ୟରେ ପ୍ରଧାନ ହୋଇଯାଆନ୍ତି ଏବଂ ଶୂଦ୍ରମାନଙ୍କଠାରେ ସାଧୁତା ଆସିଯାଏ |

ତ୍ରିକୃତ୍ୱ ଇଦମାକର୍ଣ୍ୟ ନରୋ ନାର୍ୟଥବାଽଽଦୃତା ।

ଅପ୍ରଜଃ ସୁପ୍ରଜତମୋ ନିର୍ଧନୋ ଧନବତ୍ତମଃ ॥ ୩୩॥

ଅସ୍ପଷ୍ଟକୀର୍ତିଃ ସୁୟଶା ମୂର୍ଖୋ ଭବତି ପଣ୍ଡିତଃ ।

ଇଦଂ ସ୍ୱସ୍ତ୍ୟଯନଂ ପୁଂସାମମଙ୍ଗଲ୍ୟନିବାରଣମ୍ ॥ ୩୪॥

ସ୍ତ୍ରୀ ଅଥବା ପୁରୁଷ, ଯିଏ କେହି ଏହାକୁ ତିନି ଥର ଆଦରପୂର୍ବକ ଶ୍ରବଣ କରନ୍ତି, ସେ ସନ୍ତାନହୀନ ହୋଇଥିଲେ ପୁତ୍ରବାନ୍, ଧନହୀନ ହୋଇଥିଲେ ମହାଧନୀ, କୀର୍ତ୍ତିହୀନ ହୋଇଥିଲେ ଯଶସ୍ବୀ ଏବଂ ମୂର୍ଖ ହୋଇଥିଲେ ପଣ୍ଡିତ ହୋଇଯାଆନ୍ତି | ଏହି ଚରିତ ମନୁଷ୍ୟ ପାଇଁ ସବୁପ୍ରକାରେ କଲ୍ୟାଣକାରୀ ଅଟେ ତଥା ଏହା ଅମଙ୍ଗଳକୁ ଦୂର କରିଥାଏ |

ଧନ୍ୟଂ ଯଶସ୍ୟମାୟୁଷ୍ୟଂ ସ୍ୱର୍ଗ୍ୟଂ କଲିମଲାପହମ୍ ।

ଧର୍ମାର୍ଥକାମମୋକ୍ଷାଣାଂ ସମ୍ୟକ୍ ସିଦ୍ଧିମଭୀପ୍ସୁଭିଃ ।

ଶ୍ରଦ୍ଧୟୈତଦନୁଶ୍ରାବ୍ୟଂ ଚତୁର୍ଣାଂ କାରଣଂ ପରମ୍ ॥ ୩୫॥

ଏହା ଧନ, ଯଶ ଏବଂ ଆୟୁ ବୃଦ୍ଧିକାରୀ ଅଟେ, ସ୍ବର୍ଗ ପ୍ରାପ୍ତି କରାଇ ଥାଏ ଏବଂ କଳିଯୁଗର ଦୋଷକୁ ନାଶ କରିଥାଏ | ଏହା ଧର୍ମାଦି ଚତୁର୍ବର୍ଗର ପ୍ରାପ୍ତିରେ ମଧ୍ୟ ବହୁତ ବଡ଼ ସହାୟକ ଅଟେ; ତେଣୁ ଯେଉଁମାନେ ଧର୍ମ-ଅର୍ଥ-କାମ-ମୋକ୍ଷକୁ ଉତ୍ତମ ରୂପେ ସିଦ୍ଧ କରିବାକୁ ଇଚ୍ଛା କରନ୍ତି, ସେମାନେ ଶ୍ରଦ୍ଧାପୂର୍ବକ ଏହା ଶ୍ରବଣ କରିବା ଆବଶ୍ୟକ |

ବିଜୟାଭିମୁଖୋ ରାଜା ଶ୍ରୁତ୍ୱୈତଦଭିୟାତି ଯାନ୍ ।

ବଲିଂ ତସ୍ମୈ ହରନ୍ତ୍ୟଗ୍ରେ ରାଜାନଃ ପୃଥବେ ଯଥା ॥ ୩୬॥

ବିଜୟ-ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯେଉଁ ରାଜା ଏହା ଶ୍ରବଣ କରିଥାଆନ୍ତି, ତାଙ୍କ ସମ୍ମୁଖରେ ଅନ୍ୟ ରାଜାମାନେ ଆସି ସେହିପରି ଭାବରେ ଭେଟି ଅର୍ପଣ କରିଥାଆନ୍ତି, ଯେପରି ପୃଥୁଙ୍କ ସମ୍ମୁଖରେ ରଖୁଥିଲେ |

ମୁକ୍ତାନ୍ୟସଙ୍ଗୋ ଭଗବତ୍ୟମଲାଂ ଭକ୍ତିମୁଦ୍ୱହନ୍ ।

ବୈନ୍ୟସ୍ୟ ଚରିତଂ ପୁଣ୍ୟଂ ଶୃଣୁୟାଚ୍ଛ୍ରାବୟେତ୍ପଠେତ୍ ॥ ୩୭॥

ମନୁଷ୍ୟ ଅନ୍ୟ ସମସ୍ତ ପ୍ରକାରର ଆସକ୍ତି ତ୍ୟାଗ କରି ଏକମାତ୍ର ଭଗବାନଙ୍କ ପ୍ରତି ବିଶୁଦ୍ଧ ନିଷ୍କାମ ଭକ୍ତି-ଭାବ ରଖି ମହାରାଜ ପୃଥୁଙ୍କର ଏହି ନିର୍ମଳ ଚରିତକୁ ଶୁଣିବା, ଶୁଣାଇବା ଏବଂ ପାଠ କରିବା ଉଚିତ୍ |

ବୈଚିତ୍ରବୀର୍ୟାଭିହିତଂ ମହନ୍ମାହାତ୍ମ୍ୟସୂଚକମ୍ ।

ଅସ୍ମିନ୍ କୃତମତିର୍ମର୍ତ୍ୟଃ ପାର୍ଥବୀଂ ଗତିମାପ୍ନୁୟାତ୍ ॥ ୩୮॥

ହେ ବିଦୁର ! ଭଗବାନଙ୍କର ମାହାତ୍ମ୍ୟକୁ ପ୍ରକଟ କରୁଥିବା ଏହି ପବିତ୍ର ଚରିତ୍ର ମୁଁ ତୁମକୁ ଶୁଣାଇଲି | ଏହା ପ୍ରତି ପ୍ରୀତି ରଖୁଥିବା ପୁରୁଷ ମହାରାଜ ପୃଥୁଙ୍କ ସମାନ ଗତି ପ୍ରାପ୍ତ କରିଥାଆନ୍ତି |

ଅନୁଦିନମିଦମାଦରେଣ ଶୃଣ୍ୱନ୍

ପୃଥୁଚରିତଂ ପ୍ରଥୟନ୍ ବିମୁକ୍ତସଙ୍ଗଃ ।

ଭଗବତି ଭବସିନ୍ଧୁପୋତପାଦେ

ସ ଚ ନିପୁଣାଂ ଲଭତେ ରତିଂ ମନୁଷ୍ୟଃ ॥ ୩୯॥

ଯେଉଁ ପୁରୁଷ ଏହି ପୃଥୁ-ଚରିତର ପ୍ରତିଦିନ ଆଦରପୂର୍ବକ ନିଷ୍କାମଭାବରେ ଶ୍ରବଣ ଏବଂ କୀର୍ତ୍ତନ କରନ୍ତି, ତାଙ୍କର ଭଗବାନ ଶ୍ରୀହରିଙ୍କଠାରେ ସୁଦୃଢ଼ ଅନୁରାଗ ହୋଇଯାଏ, ଯାହାର ଚରଣ ସଂସାରସାଗରକୁ ପାର କରିବା ପାଇଁ ନୌକା ସଦୃଶ ଅଟେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଚତୁର୍ଥସ୍କନ୍ଧେ ତ୍ରୟୋବିଂଶୋଽଧ୍ୟାୟଃ ॥ ୨୩॥

Comments