ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ସପ୍ତମ ଅଧ୍ୟାୟ
ଭରତ-ଚରିତ୍ର
ଶ୍ରୀଶୁକ ଉବାଚ
ଭରତସ୍ତୁ ମହାଭାଗବତୋ ଯଦା ଭଗବତାବନିତଲ-
ପରିପାଲନାୟ ସଞ୍ଚିନ୍ତିତସ୍ତଦନୁଶାସନପରଃ
ପଞ୍ଚଜନୀଂ ବିଶ୍ୱରୂପଦୁହିତରମୁପୟେମେ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ମହାରାଜ ଭରତ ବହୁତ ବଡ
ଭଗବଦ୍-ଭକ୍ତ ଥିଲେ | ଭଗବାନ ଋଷଭଦେବ ସଂକଳ୍ପମାତ୍ରେ ତାଙ୍କୁ ପୃଥିବୀର ରକ୍ଷା ଦାୟିତ୍ବରେ
ନିଯୁକ୍ତ କରିଦେଲେ | ପିତୃଆଜ୍ଞାରେ ସ୍ଥିତ ରହି ସେ ବିଶ୍ବରୂପଙ୍କର କନ୍ୟା ପଞ୍ଚଜନୀଙ୍କୁ ବିବାହ
କଲେ |
ତସ୍ୟାମୁ ହ ବା ଆତ୍ମଜାନ୍ କାର୍ତ୍ସ୍ନ୍ୟେନାନୁରୂପା-
ନାତ୍ମନଃ ପଞ୍ଚ ଜନୟାମାସ ଭୂତାଦିରିବ
ଭୂତସୂକ୍ଷ୍ମାଣି ସୁମତିଂ ରାଷ୍ଟ୍ରଭୃତଂ ସୁଦର୍ଶନମାବରଣଂ
ଧୂମ୍ରକେତୁମିତି ॥ ୨॥
ତାମସ ଅହଂକାରରୁ ଶବ୍ଦାଦି ପଞ୍ଚତନ୍ମାତ୍ରା ଉତ୍ପନ୍ନ ହେବା ପରି, ପଞ୍ଚଜନୀଙ୍କ ଗର୍ଭରୁ ସୁମତି, ରାଷ୍ଟ୍ରଭୃତ୍, ସୁଦର୍ଶନ, ଆବରଣ ଏବଂ ଧୂମ୍ରକେତୁ ଆଦି ପାଞ୍ଚ ପୁତ୍ର ଉତ୍ପନ୍ନ ହେଲେ |
ଅଜନାଭଂ ନାମୈତଦ୍ୱର୍ଷଂ ଭାରତମିତି ଯତ ଆରଭ୍ୟ
ବ୍ୟପଦିଶନ୍ତି ॥ ୩॥
ଏହି ଦେଶ, ପୂର୍ବରୁ ଯାହାର
ନାମ ଅଜନାଭବର୍ଷ ଥିଲା, ଭରତଙ୍କ ସମୟରୁ
ହିଁ ତାହାକୁ ‘ଭାରତବର୍ଷ’ କୁହାଗଲା |
ସ ବହୁବିନ୍ମହୀପତିଃ ପିତୃପିତାମହବଦୁରୁବତ୍ସଲତୟା
ସ୍ୱେ ସ୍ୱେ କର୍ମଣି ବର୍ତମାନାଃ ପ୍ରଜାଃ ସ୍ୱଧର୍ମମନୁବର୍ତମାନଃ
ପର୍ୟପାଲୟତ୍ ॥ ୪॥
ମହାରାଜ ଭରତ ବହୁଜ୍ଞ ଥିଲେ | ନିଜ ପିତା-ପିତାମହଙ୍କ ପରି ସେ
ସ୍ବଧର୍ମରେ ସ୍ଥିତ ରହି ନିଜ-ନିଜ କର୍ମରେ ରତ ପ୍ରଜାମାନଙ୍କର ପାଳନ ଅତ୍ୟନ୍ତ ବାତ୍ସଲ୍ୟଭାବରେ
କରିବାରେ ଲାଗିଲେ |
ଈଜେ ଚ ଭଗବନ୍ତଂ ଯଜ୍ଞକ୍ରତୁରୂପଂ କ୍ରତୁଭିରୁଚ୍ଚାବଚୈଃ
ଶ୍ରଦ୍ଧୟାଽଽହୃତାଗ୍ନିହୋତ୍ରଦର୍ଶପୂର୍ଣମାସଚାତୁର୍ମାସ୍ୟ-
ପଶୁସୋମାନାଂ ପ୍ରକୃତିବିକୃତିଭିରନୁସବନଂ
ଚାତୁର୍ହୋତ୍ରବିଧିନା ॥ ୫॥
ସେ ହୋତା, ଅଧ୍ବର୍ୟୁ,
ଉଦଗାତା ଏବଂ ବ୍ରହ୍ମା – ଏହି ଚାରି ଋତ୍ବିଜଙ୍କ ଦ୍ବାରା କରା ଯାଉଥିବା ପ୍ରକୃତି ଏବଂ ବିକୃତି
ଉଭୟ ପ୍ରକାରର ଅଗ୍ନିହୋତ୍ର, ଦର୍ଶ,
ପୂର୍ଣ୍ଣମାସ, ଚତୁର୍ମାସ୍ୟ, ପଶୁ ଏବଂ ସୋମ ଆଦି
ଛୋଟ-ବଡ ଯଜ୍ଞମାନଙ୍କ ଦ୍ବାରା ଯଥାସମୟ ଶ୍ରଦ୍ଧାପୂର୍ବକ ଯଜ୍ଞ ଏବଂ କ୍ରତୁରୂପ ଶ୍ରୀଭଗବାନଙ୍କର
ଯଜନ କରୁଥିଲେ |
ସମ୍ପ୍ରଚରତ୍ସୁ ନାନାୟାଗେଷୁ ବିରଚିତାଙ୍ଗକ୍ରିୟେଷ୍ୱପୂର୍ୱଂ
ଯତ୍ତତ୍କ୍ରିୟାଫଲଂ ଧର୍ମାଖ୍ୟଂ ପରେ ବ୍ରହ୍ମଣି ଯଜ୍ଞପୁରୁଷେ
ସର୍ୱଦେବତାଲିଙ୍ଗାନାଂ ମନ୍ତ୍ରାଣାମର୍ଥନିୟାମକତୟା
ସାକ୍ଷାତ୍କର୍ତରି ପରଦେବତାୟାଂ ଭଗବତି ବାସୁଦେବ ଏବ
ଭାବୟମାନ ଆତ୍ମନୈପୁଣ୍ୟମୃଦିତକଷାୟୋ
ହବିଃଷ୍ୱଧ୍ୱର୍ୟୁଭିର୍ଗୃହ୍ୟମାଣେଷୁ ସ ଯଜମାନୋ ଯଜ୍ଞଭାଜୋ
ଦେବାଂସ୍ତାନ୍ ପୁରୁଷାବୟବେଷ୍ୱଭ୍ୟଧ୍ୟାୟତ୍ ॥ ୬॥
ଏହିପରି ଭାବରେ ଅଙ୍ଗ ଏବଂ କ୍ରିୟା ସହିତ ଭିନ୍ନ-ଭିନ୍ନ ଯଜ୍ଞର
ଅନୁଷ୍ଠାନ ସମୟରେ ଅଧ୍ବର୍ୟୁଗଣ ଯେତେବେଳେ ଆହୁତି ଦେବା ଉଦ୍ଦେଶ୍ୟରେ ହସ୍ତରେ ଘୃତ ଧାରଣ
କରୁଥିଲେ, ସେତେବେଳେ ଯଜମାନ ଭରତ ଯଜ୍ଞକର୍ମ ଦ୍ବାରା ପ୍ରାପ୍ତ
ହେଉଥିବା ସେହି ପୁଣ୍ୟଫଳକୁ ଯଜ୍ଞପୁରୁଷ ଭଗବାନ ବାସୁଦେବଙ୍କୁ ଅର୍ପଣ କରି ଦେଉଥିଲେ | ବସ୍ତୁତଃ, ସେହି ପରବ୍ରହ୍ମ ହିଁ ଇନ୍ଦ୍ରାଦି ସମସ୍ତ ଦେବତାଙ୍କର ପ୍ରକାଶକ, ମନ୍ତ୍ରମାନଙ୍କର ବାସ୍ତବିକ ପ୍ରତିପାଦ୍ୟ ତଥା ସେହି ଦେବତାମାନଙ୍କର
ନିୟାମକ ହୋଇଥିବା ଦୃଷ୍ଟିରୁ ଯଜ୍ଞର ମୁଖ୍ୟ କର୍ତ୍ତା ଏବଂ ପ୍ରଧାନ ଦେବ ଅଟନ୍ତି | ଏହିରୂପେ ନିଜ
ଭଗବଦର୍ପଣ ବୁଦ୍ଧିରୂପ କୁଶଳତାରେ ହୃଦୟସ୍ଥ ରାଗ-ଦ୍ବେଷାଦି ମଳର ମାର୍ଜନ କରି ସେ ସୂର୍ଯ୍ୟାଦି
ସମସ୍ତ ଯଜ୍ଞଭୋକ୍ତା ଦେବତାମାନଙ୍କର ଚିନ୍ତନ ଭଗବାନଙ୍କର ନେତ୍ରାଦି ଅବୟବ ରୂପରେ କରୁଥିଲେ |
ଏବଂ କର୍ମବିଶୁଦ୍ଧ୍ୟା ବିଶୁଦ୍ଧସତ୍ତ୍ୱସ୍ୟାନ୍ତର୍ହୃଦୟାକାଶ-
ଶରୀରେ ବ୍ରହ୍ମଣି ଭଗବତି ବାସୁଦେବେ ମହାପୁରୁଷରୂପୋ-
ପଲକ୍ଷଣେ ଶ୍ରୀବତ୍ସକୌସ୍ତୁଭବନମାଲାଦରଗଦାଦିଭି-
ରୁପଲକ୍ଷିତେ ନିଜପୁରୁଷହୃଲ୍ଲିଖିତେନାତ୍ମନି ପୁରୁଷରୂପେଣ
ବିରୋଚମାନ ଉଚ୍ଚୈସ୍ତରାଂ ଭକ୍ତିମନୁଦିନମେଧମାନ-
ରଜୟାଜାୟତ ॥ ୭॥
ଏହିପରି କର୍ମର ଶୁଦ୍ଧି ଦ୍ବାରା ତାଙ୍କର ଅନ୍ତଃକରଣ ଶୁଦ୍ଧ ହୋଇଗଲା |
ତାପରେ ତାଙ୍କୁ ଅନ୍ତର୍ଯ୍ୟାମୀରୂପରେ ବିରାଜମାନ, ହୃଦୟାକାଶରେ
ଅଭିବ୍ୟକ୍ତ, ବ୍ରହ୍ମସ୍ବରୂପ ଏବଂ ମହାପୁରୁଷମାନଙ୍କର ଲକ୍ଷଣରେ ଉପଲକ୍ଷିତ ଭଗବାନ ବାସୁଦେବ –
ଯିଏ ଶ୍ରୀବତ୍ସ, କୌସ୍ତୁଭ, ବନମାଳା, ଚକ୍ର, ଶଂଖ ଏବଂ ଗଦା
ଆଦିରେ ସୁଶୋଭିତ ତଥା ନାରଦାଦି ନିଜଜନଙ୍କର ହୃଦୟରେ ଯିଏ ଚିତ୍ର ସଦୃଶ ନିଶ୍ଚଳଭାବରେ ସ୍ଥିତ
ରହିଥାଆନ୍ତି – ତାଙ୍କ ପ୍ରତି ଦିନକୁ ଦିନ ତୀବ୍ର ବେଗରେ ବୃଦ୍ଧି ଲାଭ କରୁଥିବା ଉତ୍କୃଷ୍ଟ ଭକ୍ତି
ପ୍ରାପ୍ତ ହେଲା |
ଏବଂ ବର୍ଷାୟୁତସହସ୍ରପର୍ୟନ୍ତାବସିତକର୍ମନିର୍ୱାଣାବସରୋ-
ଽଧିଭୁଜ୍ୟମାନଂ ସ୍ୱତନୟେଭ୍ୟୋ ରିକ୍ଥଂ ପିତୃପୈତାମହଂ
ଯଥାଦାୟଂ ବିଭଜ୍ୟ ସ୍ୱୟଂ ସକଲସମ୍ପନ୍ନିକେତାତ୍ପୁଲହାଶ୍ରମଂ
ପ୍ରବବ୍ରାଜ ॥ ୮॥
ଏହିରୂପେ ଏକ କୋଟି ବର୍ଷ ବିତିଯିବା ପରେ ନିଜ ରାଜ୍ୟଭୋଗ ପ୍ରାରବ୍ଧ
କ୍ଷୀଣ ହୋଇଛି ଜାଣି ସେ ଭୋଗ କରିଥିବା ବଂଶପରମ୍ପରାଗତ ସମ୍ପତ୍ତିକୁ ଯଥାଯୋଗ୍ୟ ନିଜ
ପୁତ୍ରମାନଙ୍କ ମଧ୍ୟରେ ବଣ୍ଟନ କରିଦେଲେ | ତାପରେ ନିଜର ସର୍ବସମ୍ପତ୍ତିସମ୍ପନ୍ନ ରାଜମହଲରୁ
ବାହାରି ସେ ପୁଲହାଶ୍ରମ (ହରିହରକ୍ଷେତ୍ର) କୁ ଚାଲି ଆସିଲେ |
ଯତ୍ର ହ ବାବ ଭଗବାନ୍ ହରିରଦ୍ୟାପି ତତ୍ରତ୍ୟାନାଂ ନିଜଜନାନାଂ
ବାତ୍ସଲ୍ୟେନ ସନ୍ନିଧାପ୍ୟତ ଇଚ୍ଛାରୂପେଣ ॥ ୯॥
ପୁଲହାଶ୍ରମ ନିବାସୀ ଭକ୍ତମାନଙ୍କ ପ୍ରତି ଭଗବାନଙ୍କର ଅତିଶୟ
ବାତ୍ସଲ୍ୟସ୍ନେହ ରହିଥାଏ | ସେ ଆଜି ମଧ୍ୟ ସେଠାରେ ସେମାନଙ୍କୁ ଇଷ୍ଟରୂପରେ ପ୍ରାପ୍ତ ହୁଅନ୍ତି |
ଯତ୍ରାଶ୍ରମପଦାନ୍ୟୁଭୟତୋ ନାଭିଭିର୍ଦୃଷଚ୍ଚକ୍ରୈଶ୍ଚକ୍ରନଦୀ
ନାମ ସରିତ୍ପ୍ରବରା ସର୍ୱତଃ ପବିତ୍ରୀକରୋତି ॥ ୧୦॥
ସେଠାରେ ପ୍ରବାହିତ ଚକ୍ରନଦୀ (ଗଣ୍ଡକୀ) ନାମରେ ପ୍ରସିଦ୍ଧ ସରିତାର
ଚକ୍ରାକାର ଶାଳଗ୍ରାମ-ଶିଳା, ଯାହାର ତଳ-ଉପର ଉଭୟ ପାର୍ଶ୍ବରେ ନାଭି ସଦୃଶ ଚିହ୍ନ ରହିଥାଏ, ସବୁ ପ୍ରକାରରେ ଋଷିମାନଙ୍କର ଆଶ୍ରମକୁ ପବିତ୍ର କରୁଥାଏ |
ତସ୍ମିନ୍ ବାବ କିଲ ସ ଏକଲଃ ପୁଲହାଶ୍ରମୋପବନେ
ବିବିଧକୁସୁମକିସଲୟତୁଲସିକାମ୍ବୁଭିଃ କନ୍ଦମୂଲ-
ଫଲୋପହାରୈଶ୍ଚ ସମୀହମାନୋ ଭଗବତ ଆରାଧନଂ ବିବିକ୍ତ
ଉପରତବିଷୟାଭିଲାଷ ଉପଭୃତୋପଶମଃ ପରାଂ
ନିର୍ୱୃତିମବାପ ॥ ୧୧॥
ସେହି ପୁଲହାଶ୍ରମର ଉପବନରେ ଏକାନ୍ତ ସ୍ଥାନରେ ଏକାକୀ ରହି ସେ ଅନେକ
ପ୍ରକାରର ପତ୍ର, ପୁଷ୍ପ, ତୁଳସୀଦଳ, ଜଳ, କନ୍ଦ-ମୂଳ-ଫଳ ଆଦି
ଉପହାର ଦ୍ବାରା ଭଗବାନଙ୍କର ଆରାଧନା କରିବାରେ ଲାଗିଲେ | ତଦ୍ବାରା ତାଙ୍କର ଅନ୍ତଃକରଣ ସମସ୍ତ
ବିଷୟ-ଅଭିଳାଷରୁ ନିବୃତ୍ତ ହୋଇ ଶାନ୍ତ ହୋଇଗଲା ଏବଂ ସେ ପରମ ଆନନ୍ଦ ପ୍ରାପ୍ତ କଲେ |
ତୟେତ୍ଥମବିରତପୁରୁଷପରିଚର୍ୟଯା ଭଗବତି ପ୍ରବର୍ଧମାନା-
ନୁରାଗଭରଦ୍ରୁତହୃଦୟଶୈଥିଲ୍ୟଃ ପ୍ରହର୍ଷବେଗେନାତ୍ମନ୍ୟୁଦ୍ଭିଦ୍ୟ-
ମାନରୋମପୁଲକକୁଲକୌତ୍କଣ୍ଠ୍ୟପ୍ରବୃତ୍ତପ୍ରଣୟବାଷ୍ପନିରୁଦ୍ଧା-
ବଲୋକନୟନ ଏବଂ ନିଜରମଣାରୁଣଚରଣାରବିନ୍ଦାନୁଧ୍ୟାନ-
ପରିଚିତଭକ୍ତିୟୋଗେନ ପରିପ୍ଲୁତପରମାହ୍ଲାଦଗମ୍ଭୀରହୃଦୟ-
ହ୍ରଦାବଗାଢଧିଷଣସ୍ତାମପି କ୍ରିୟମାଣାଂ ଭଗବତ୍ସପର୍ୟାଂ
ନ ସସ୍ମାର ॥ ୧୨॥
ନିୟମପୂର୍ବକ ଏହିପରି ଭଗବାନଙ୍କର ପରିଚର୍ଯ୍ୟା କରିବାର ଫଳସ୍ବରୂପ
ତାଙ୍କ ପ୍ରେମର ବେଗ ବୃଦ୍ଧି ଲାଭ କରିବାରେ ଲାଗିଲା – ହୃଦୟ ଦ୍ରବୀଭୂତ ହୋଇ ଶାନ୍ତ ହୋଇଗଲା, ଅତିଶୟ ଆନନ୍ଦରେ ଶରୀରରେ ରୋମାଞ୍ଚ ଜାତ ହେବାରେ ଲାଗିଲା, ଉତ୍କଣ୍ଠାରେ ନେତ୍ରରୁ ଅବିଶ୍ରାନ୍ତ ଅଶ୍ରୁସ୍ରାବ ହେବାରେ ଲାଗିଲା ଯାହା
ତାଙ୍କର ଦୃଷ୍ଟିକୁ ପ୍ରତିହତ କଲା | ଶେଷରେ ଯେତେବେଳେ ନିଜ ପ୍ରିୟତମଙ୍କର ଅରୁଣ ଚରଣାରବିନ୍ଦର
ଧ୍ୟାନରେ ତାଙ୍କଠାରେ ଭକ୍ତିଯୋଗର ଆବିର୍ଭାବ ହେଲା, ସେତେବେଳେ
ପରମାନନ୍ଦରେ ଉଦବୁଦ୍ଧ ହୃଦୟରୂପ ଗଭୀର ସରୋବରରେ ବୁଦ୍ଧି ଡୁବିଯିବା କାରଣରୁ ସେ ନିୟମପୂର୍ବକ
କରୁଥିବା ନିଜ ଭଗବତ୍-ପୂଜାର ମଧ୍ୟ ସ୍ମରଣ କରିପାରୁ ନ ଥିଲେ |
ଇତ୍ଥଂ ଧୃତଭଗବଦ୍ୱ୍ରତ ଐଣେୟାଜିନବାସସାନୁସବନାଭିଷେକାର୍ଦ୍ର-
କପିଶକୁଟିଲଜଟାକଲାପେନ ଚ ବିରୋଚମାନଃ ସୂର୍ୟର୍ଚା
ଭଗବନ୍ତଂ ହିରଣ୍ମୟଂ ପୁରୁଷମୁଜ୍ଜିହାନେ ସୂର୍ୟମଣ୍ଡଲେଽଭ୍ୟୁପତିଷ୍ଠ-
ନ୍ନେତଦୁ ହୋବାଚ ॥ ୧୩॥
ଏହିପରି ଭାବରେ ସେ ଭଗବତ୍-ସେବାରେ ତତ୍ପର ରହୁଥିଲେ, ଶରୀରରେ
କୃଷ୍ଣମୃଗଚର୍ମ ଧାରଣ କରୁଥିଲେ ତଥା ତ୍ରିକାଳସ୍ନାନ ଯୋଗୁଁ ତାଙ୍କର ସିକ୍ତ କୁଞ୍ଚିତ କେଶ
ଜଟାରୂପ ଧାରଣ କରିଥିଲା, ଯାହା ଫଳରେ ସେ
ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲେ | ଉଦିତ ସୂର୍ଯ୍ୟମଣ୍ଡଳକୁ ଲକ୍ଷ୍ୟ କରି ସେ ସୂର୍ଯ୍ୟସମ୍ବନ୍ଧୀ
ଋଚାଦ୍ବାରା ଜ୍ୟୋତିର୍ମୟ ପରମପୁରୁଷ ଭଗବାନ ନାରାୟଣଙ୍କର ଆରାଧନା କରି ଏହିପରି କହୁଥିଲେ |
ପରୋ ରଜଃ ସବିତୁର୍ଜାତବେଦୋ
ଦେବସ୍ୟ ଭର୍ଗୋ ମନସେଦଂ ଜଜାନ ।
ସୁରେତସାଦଃ ପୁନରାବିଶ୍ୟ ଚଷ୍ଟେ
ହଂସଂ ଗୃଧ୍ରାଣଂ ନୃଷଦ୍ରିଙ୍ଗିରାମିମଃ ॥ ୧୪॥
‘ଭଗବାନ ସୂର୍ଯ୍ୟଙ୍କର କର୍ମଫଳଦାୟକ ତେଜ ପ୍ରକୃତିର ଅତୀତ ଅଟେ | ସେ
ସଂକଳ୍ପ ଦ୍ବାରା ଏହି ଜଗତର ଉତ୍ପତ୍ତି କରିଛନ୍ତି | ପୁନଶ୍ଚ ସେ ହିଁ ଅନ୍ତର୍ଯ୍ୟାମୀରୂପରେ
ଏଥିରେ ପ୍ରବିଷ୍ଟ ହୋଇ ନିଜ ଚିତ୍-ଶକ୍ତି ଦ୍ବାରା ବିଷୟଲୋଲୁପ ଜୀବର ରକ୍ଷା କରନ୍ତି | ମୁଁ ସେହି
ବୁଦ୍ଧିପ୍ରବର୍ତ୍ତକ ତେଜର ଶରଣ ଗ୍ରହଣ କରୁଛି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଭରତଚରିତେ ଭଗବତ୍ପରିଚର୍ୟାୟାଂ ସପ୍ତମୋଽଧ୍ୟାୟଃ ॥ ୭॥

Comments
Post a Comment