ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ସପ୍ତମ ଅଧ୍ୟାୟ

ଭରତ-ଚରିତ୍ର

 

ଶ୍ରୀଶୁକ ଉବାଚ

ଭରତସ୍ତୁ ମହାଭାଗବତୋ ଯଦା ଭଗବତାବନିତଲ-

ପରିପାଲନାୟ ସଞ୍ଚିନ୍ତିତସ୍ତଦନୁଶାସନପରଃ

ପଞ୍ଚଜନୀଂ ବିଶ୍ୱରୂପଦୁହିତରମୁପୟେମେ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ମହାରାଜ ଭରତ ବହୁତ ବଡ ଭଗବଦ୍-ଭକ୍ତ ଥିଲେ | ଭଗବାନ ଋଷଭଦେବ ସଂକଳ୍ପମାତ୍ରେ ତାଙ୍କୁ ପୃଥିବୀର ରକ୍ଷା ଦାୟିତ୍ବରେ ନିଯୁକ୍ତ କରିଦେଲେ | ପିତୃଆଜ୍ଞାରେ ସ୍ଥିତ ରହି ସେ ବିଶ୍ବରୂପଙ୍କର କନ୍ୟା ପଞ୍ଚଜନୀଙ୍କୁ ବିବାହ କଲେ |

ତସ୍ୟାମୁ ହ ବା ଆତ୍ମଜାନ୍ କାର୍ତ୍ସ୍ନ୍ୟେନାନୁରୂପା-

ନାତ୍ମନଃ ପଞ୍ଚ ଜନୟାମାସ ଭୂତାଦିରିବ

ଭୂତସୂକ୍ଷ୍ମାଣି ସୁମତିଂ ରାଷ୍ଟ୍ରଭୃତଂ ସୁଦର୍ଶନମାବରଣଂ

ଧୂମ୍ରକେତୁମିତି ॥ ୨॥

ତାମସ ଅହଂକାରରୁ ଶବ୍ଦାଦି ପଞ୍ଚତନ୍ମାତ୍ରା ଉତ୍ପନ୍ନ ହେବା ପରି, ପଞ୍ଚଜନୀଙ୍କ ଗର୍ଭରୁ ସୁମତି, ରାଷ୍ଟ୍ରଭୃତ୍, ସୁଦର୍ଶନ, ଆବରଣ ଏବଂ ଧୂମ୍ରକେତୁ ଆଦି ପାଞ୍ଚ ପୁତ୍ର ଉତ୍ପନ୍ନ ହେଲେ |

ଅଜନାଭଂ ନାମୈତଦ୍ୱର୍ଷଂ ଭାରତମିତି ଯତ ଆରଭ୍ୟ

ବ୍ୟପଦିଶନ୍ତି ॥ ୩॥

ଏହି ଦେଶ, ପୂର୍ବରୁ ଯାହାର ନାମ ଅଜନାଭବର୍ଷ ଥିଲା, ଭରତଙ୍କ ସମୟରୁ ହିଁ ତାହାକୁ ‘ଭାରତବର୍ଷ କୁହାଗଲା |

ସ ବହୁବିନ୍ମହୀପତିଃ ପିତୃପିତାମହବଦୁରୁବତ୍ସଲତୟା

ସ୍ୱେ ସ୍ୱେ କର୍ମଣି ବର୍ତମାନାଃ ପ୍ରଜାଃ ସ୍ୱଧର୍ମମନୁବର୍ତମାନଃ

ପର୍ୟପାଲୟତ୍ ॥ ୪॥

ମହାରାଜ ଭରତ ବହୁଜ୍ଞ ଥିଲେ | ନିଜ ପିତା-ପିତାମହଙ୍କ ପରି ସେ ସ୍ବଧର୍ମରେ ସ୍ଥିତ ରହି ନିଜ-ନିଜ କର୍ମରେ ରତ ପ୍ରଜାମାନଙ୍କର ପାଳନ ଅତ୍ୟନ୍ତ ବାତ୍ସଲ୍ୟଭାବରେ କରିବାରେ ଲାଗିଲେ |

ଈଜେ ଚ ଭଗବନ୍ତଂ ଯଜ୍ଞକ୍ରତୁରୂପଂ କ୍ରତୁଭିରୁଚ୍ଚାବଚୈଃ

ଶ୍ରଦ୍ଧୟାଽଽହୃତାଗ୍ନିହୋତ୍ରଦର୍ଶପୂର୍ଣମାସଚାତୁର୍ମାସ୍ୟ-

ପଶୁସୋମାନାଂ ପ୍ରକୃତିବିକୃତିଭିରନୁସବନଂ

ଚାତୁର୍ହୋତ୍ରବିଧିନା ॥ ୫॥

ସେ ହୋତା, ଅଧ୍ବର୍ୟୁ, ଉଦଗାତା ଏବଂ ବ୍ରହ୍ମା – ଏହି ଚାରି ଋତ୍ବିଜଙ୍କ ଦ୍ବାରା କରା ଯାଉଥିବା ପ୍ରକୃତି ଏବଂ ବିକୃତି ଉଭୟ ପ୍ରକାରର ଅଗ୍ନିହୋତ୍ର, ଦର୍ଶ, ପୂର୍ଣ୍ଣମାସ, ଚତୁର୍ମାସ୍ୟ, ପଶୁ ଏବଂ ସୋମ ଆଦି ଛୋଟ-ବଡ ଯଜ୍ଞମାନଙ୍କ ଦ୍ବାରା ଯଥାସମୟ ଶ୍ରଦ୍ଧାପୂର୍ବକ ଯଜ୍ଞ ଏବଂ କ୍ରତୁରୂପ ଶ୍ରୀଭଗବାନଙ୍କର ଯଜନ କରୁଥିଲେ |

ସମ୍ପ୍ରଚରତ୍ସୁ ନାନାୟାଗେଷୁ ବିରଚିତାଙ୍ଗକ୍ରିୟେଷ୍ୱପୂର୍ୱଂ

ଯତ୍ତତ୍କ୍ରିୟାଫଲଂ ଧର୍ମାଖ୍ୟଂ ପରେ ବ୍ରହ୍ମଣି ଯଜ୍ଞପୁରୁଷେ

ସର୍ୱଦେବତାଲିଙ୍ଗାନାଂ ମନ୍ତ୍ରାଣାମର୍ଥନିୟାମକତୟା

ସାକ୍ଷାତ୍କର୍ତରି ପରଦେବତାୟାଂ ଭଗବତି ବାସୁଦେବ ଏବ

ଭାବୟମାନ ଆତ୍ମନୈପୁଣ୍ୟମୃଦିତକଷାୟୋ

ହବିଃଷ୍ୱଧ୍ୱର୍ୟୁଭିର୍ଗୃହ୍ୟମାଣେଷୁ ସ ଯଜମାନୋ ଯଜ୍ଞଭାଜୋ

ଦେବାଂସ୍ତାନ୍ ପୁରୁଷାବୟବେଷ୍ୱଭ୍ୟଧ୍ୟାୟତ୍ ॥ ୬॥

ଏହିପରି ଭାବରେ ଅଙ୍ଗ ଏବଂ କ୍ରିୟା ସହିତ ଭିନ୍ନ-ଭିନ୍ନ ଯଜ୍ଞର ଅନୁଷ୍ଠାନ ସମୟରେ ଅଧ୍ବର୍ୟୁଗଣ ଯେତେବେଳେ ଆହୁତି ଦେବା ଉଦ୍ଦେଶ୍ୟରେ ହସ୍ତରେ ଘୃତ ଧାରଣ କରୁଥିଲେ, ସେତେବେଳେ ଯଜମାନ ଭରତ ଯଜ୍ଞକର୍ମ ଦ୍ବାରା ପ୍ରାପ୍ତ ହେଉଥିବା ସେହି ପୁଣ୍ୟଫଳକୁ ଯଜ୍ଞପୁରୁଷ ଭଗବାନ ବାସୁଦେବଙ୍କୁ ଅର୍ପଣ କରି ଦେଉଥିଲେ | ବସ୍ତୁତଃ, ସେହି ପରବ୍ରହ୍ମ ହିଁ ଇନ୍ଦ୍ରାଦି ସମସ୍ତ ଦେବତାଙ୍କର ପ୍ରକାଶକ, ମନ୍ତ୍ରମାନଙ୍କର ବାସ୍ତବିକ ପ୍ରତିପାଦ୍ୟ ତଥା ସେହି ଦେବତାମାନଙ୍କର ନିୟାମକ ହୋଇଥିବା ଦୃଷ୍ଟିରୁ ଯଜ୍ଞର ମୁଖ୍ୟ କର୍ତ୍ତା ଏବଂ ପ୍ରଧାନ ଦେବ ଅଟନ୍ତି | ଏହିରୂପେ ନିଜ ଭଗବଦର୍ପଣ ବୁଦ୍ଧିରୂପ କୁଶଳତାରେ ହୃଦୟସ୍ଥ ରାଗ-ଦ୍ବେଷାଦି ମଳର ମାର୍ଜନ କରି ସେ ସୂର୍ଯ୍ୟାଦି ସମସ୍ତ ଯଜ୍ଞଭୋକ୍ତା ଦେବତାମାନଙ୍କର ଚିନ୍ତନ ଭଗବାନଙ୍କର ନେତ୍ରାଦି ଅବୟବ ରୂପରେ କରୁଥିଲେ |

ଏବଂ କର୍ମବିଶୁଦ୍ଧ୍ୟା ବିଶୁଦ୍ଧସତ୍ତ୍ୱସ୍ୟାନ୍ତର୍ହୃଦୟାକାଶ-

ଶରୀରେ ବ୍ରହ୍ମଣି ଭଗବତି ବାସୁଦେବେ ମହାପୁରୁଷରୂପୋ-

ପଲକ୍ଷଣେ ଶ୍ରୀବତ୍ସକୌସ୍ତୁଭବନମାଲାଦରଗଦାଦିଭି-

ରୁପଲକ୍ଷିତେ ନିଜପୁରୁଷହୃଲ୍ଲିଖିତେନାତ୍ମନି ପୁରୁଷରୂପେଣ

ବିରୋଚମାନ ଉଚ୍ଚୈସ୍ତରାଂ ଭକ୍ତିମନୁଦିନମେଧମାନ-

ରଜୟାଜାୟତ ॥ ୭॥

ଏହିପରି କର୍ମର ଶୁଦ୍ଧି ଦ୍ବାରା ତାଙ୍କର ଅନ୍ତଃକରଣ ଶୁଦ୍ଧ ହୋଇଗଲା | ତାପରେ ତାଙ୍କୁ ଅନ୍ତର୍ଯ୍ୟାମୀରୂପରେ ବିରାଜମାନ, ହୃଦୟାକାଶରେ ଅଭିବ୍ୟକ୍ତ, ବ୍ରହ୍ମସ୍ବରୂପ ଏବଂ ମହାପୁରୁଷମାନଙ୍କର ଲକ୍ଷଣରେ ଉପଲକ୍ଷିତ ଭଗବାନ ବାସୁଦେବ – ଯିଏ ଶ୍ରୀବତ୍ସ, କୌସ୍ତୁଭ, ବନମାଳା, ଚକ୍ର, ଶଂଖ ଏବଂ ଗଦା ଆଦିରେ ସୁଶୋଭିତ ତଥା ନାରଦାଦି ନିଜଜନଙ୍କର ହୃଦୟରେ ଯିଏ ଚିତ୍ର ସଦୃଶ ନିଶ୍ଚଳଭାବରେ ସ୍ଥିତ ରହିଥାଆନ୍ତି – ତାଙ୍କ ପ୍ରତି ଦିନକୁ ଦିନ ତୀବ୍ର ବେଗରେ ବୃଦ୍ଧି ଲାଭ କରୁଥିବା ଉତ୍କୃଷ୍ଟ ଭକ୍ତି ପ୍ରାପ୍ତ ହେଲା |

ଏବଂ ବର୍ଷାୟୁତସହସ୍ରପର୍ୟନ୍ତାବସିତକର୍ମନିର୍ୱାଣାବସରୋ-

ଽଧିଭୁଜ୍ୟମାନଂ ସ୍ୱତନୟେଭ୍ୟୋ ରିକ୍ଥଂ ପିତୃପୈତାମହଂ

ଯଥାଦାୟଂ ବିଭଜ୍ୟ ସ୍ୱୟଂ ସକଲସମ୍ପନ୍ନିକେତାତ୍ପୁଲହାଶ୍ରମଂ

ପ୍ରବବ୍ରାଜ ॥ ୮॥

ଏହିରୂପେ ଏକ କୋଟି ବର୍ଷ ବିତିଯିବା ପରେ ନିଜ ରାଜ୍ୟଭୋଗ ପ୍ରାରବ୍ଧ କ୍ଷୀଣ ହୋଇଛି ଜାଣି ସେ ଭୋଗ କରିଥିବା ବଂଶପରମ୍ପରାଗତ ସମ୍ପତ୍ତିକୁ ଯଥାଯୋଗ୍ୟ ନିଜ ପୁତ୍ରମାନଙ୍କ ମଧ୍ୟରେ ବଣ୍ଟନ କରିଦେଲେ | ତାପରେ ନିଜର ସର୍ବସମ୍ପତ୍ତିସମ୍ପନ୍ନ ରାଜମହଲରୁ ବାହାରି ସେ ପୁଲହାଶ୍ରମ (ହରିହରକ୍ଷେତ୍ର) କୁ ଚାଲି ଆସିଲେ |

ଯତ୍ର ହ ବାବ ଭଗବାନ୍ ହରିରଦ୍ୟାପି ତତ୍ରତ୍ୟାନାଂ ନିଜଜନାନାଂ

ବାତ୍ସଲ୍ୟେନ ସନ୍ନିଧାପ୍ୟତ ଇଚ୍ଛାରୂପେଣ ॥ ୯॥

ପୁଲହାଶ୍ରମ ନିବାସୀ ଭକ୍ତମାନଙ୍କ ପ୍ରତି ଭଗବାନଙ୍କର ଅତିଶୟ ବାତ୍ସଲ୍ୟସ୍ନେହ ରହିଥାଏ | ସେ ଆଜି ମଧ୍ୟ ସେଠାରେ ସେମାନଙ୍କୁ ଇଷ୍ଟରୂପରେ ପ୍ରାପ୍ତ ହୁଅନ୍ତି |

ଯତ୍ରାଶ୍ରମପଦାନ୍ୟୁଭୟତୋ ନାଭିଭିର୍ଦୃଷଚ୍ଚକ୍ରୈଶ୍ଚକ୍ରନଦୀ

ନାମ ସରିତ୍ପ୍ରବରା ସର୍ୱତଃ ପବିତ୍ରୀକରୋତି ॥ ୧୦॥

ସେଠାରେ ପ୍ରବାହିତ ଚକ୍ରନଦୀ (ଗଣ୍ଡକୀ) ନାମରେ ପ୍ରସିଦ୍ଧ ସରିତାର ଚକ୍ରାକାର ଶାଳଗ୍ରାମ-ଶିଳା, ଯାହାର ତଳ-ଉପର ଉଭୟ ପାର୍ଶ୍ବରେ ନାଭି ସଦୃଶ ଚିହ୍ନ ରହିଥାଏ, ସବୁ ପ୍ରକାରରେ ଋଷିମାନଙ୍କର ଆଶ୍ରମକୁ ପବିତ୍ର କରୁଥାଏ |

ତସ୍ମିନ୍ ବାବ କିଲ ସ ଏକଲଃ ପୁଲହାଶ୍ରମୋପବନେ

ବିବିଧକୁସୁମକିସଲୟତୁଲସିକାମ୍ବୁଭିଃ କନ୍ଦମୂଲ-

ଫଲୋପହାରୈଶ୍ଚ ସମୀହମାନୋ ଭଗବତ ଆରାଧନଂ ବିବିକ୍ତ

ଉପରତବିଷୟାଭିଲାଷ ଉପଭୃତୋପଶମଃ ପରାଂ

ନିର୍ୱୃତିମବାପ ॥ ୧୧॥

ସେହି ପୁଲହାଶ୍ରମର ଉପବନରେ ଏକାନ୍ତ ସ୍ଥାନରେ ଏକାକୀ ରହି ସେ ଅନେକ ପ୍ରକାରର ପତ୍ର, ପୁଷ୍ପ, ତୁଳସୀଦଳ, ଜଳ, କନ୍ଦ-ମୂଳ-ଫଳ ଆଦି ଉପହାର ଦ୍ବାରା ଭଗବାନଙ୍କର ଆରାଧନା କରିବାରେ ଲାଗିଲେ | ତଦ୍ବାରା ତାଙ୍କର ଅନ୍ତଃକରଣ ସମସ୍ତ ବିଷୟ-ଅଭିଳାଷରୁ ନିବୃତ୍ତ ହୋଇ ଶାନ୍ତ ହୋଇଗଲା ଏବଂ ସେ ପରମ ଆନନ୍ଦ ପ୍ରାପ୍ତ କଲେ |

ତୟେତ୍ଥମବିରତପୁରୁଷପରିଚର୍ୟଯା ଭଗବତି ପ୍ରବର୍ଧମାନା-

ନୁରାଗଭରଦ୍ରୁତହୃଦୟଶୈଥିଲ୍ୟଃ ପ୍ରହର୍ଷବେଗେନାତ୍ମନ୍ୟୁଦ୍ଭିଦ୍ୟ-

ମାନରୋମପୁଲକକୁଲକୌତ୍କଣ୍ଠ୍ୟପ୍ରବୃତ୍ତପ୍ରଣୟବାଷ୍ପନିରୁଦ୍ଧା-

ବଲୋକନୟନ ଏବଂ ନିଜରମଣାରୁଣଚରଣାରବିନ୍ଦାନୁଧ୍ୟାନ-

ପରିଚିତଭକ୍ତିୟୋଗେନ ପରିପ୍ଲୁତପରମାହ୍ଲାଦଗମ୍ଭୀରହୃଦୟ-

ହ୍ରଦାବଗାଢଧିଷଣସ୍ତାମପି କ୍ରିୟମାଣାଂ ଭଗବତ୍ସପର୍ୟାଂ

ନ ସସ୍ମାର ॥ ୧୨॥

ନିୟମପୂର୍ବକ ଏହିପରି ଭଗବାନଙ୍କର ପରିଚର୍ଯ୍ୟା କରିବାର ଫଳସ୍ବରୂପ ତାଙ୍କ ପ୍ରେମର ବେଗ ବୃଦ୍ଧି ଲାଭ କରିବାରେ ଲାଗିଲା – ହୃଦୟ ଦ୍ରବୀଭୂତ ହୋଇ ଶାନ୍ତ ହୋଇଗଲା, ଅତିଶୟ ଆନନ୍ଦରେ ଶରୀରରେ ରୋମାଞ୍ଚ ଜାତ ହେବାରେ ଲାଗିଲା, ଉତ୍କଣ୍ଠାରେ ନେତ୍ରରୁ ଅବିଶ୍ରାନ୍ତ ଅଶ୍ରୁସ୍ରାବ ହେବାରେ ଲାଗିଲା ଯାହା ତାଙ୍କର ଦୃଷ୍ଟିକୁ ପ୍ରତିହତ କଲା | ଶେଷରେ ଯେତେବେଳେ ନିଜ ପ୍ରିୟତମଙ୍କର ଅରୁଣ ଚରଣାରବିନ୍ଦର ଧ୍ୟାନରେ ତାଙ୍କଠାରେ ଭକ୍ତିଯୋଗର ଆବିର୍ଭାବ ହେଲା, ସେତେବେଳେ ପରମାନନ୍ଦରେ ଉଦବୁଦ୍ଧ ହୃଦୟରୂପ ଗଭୀର ସରୋବରରେ ବୁଦ୍ଧି ଡୁବିଯିବା କାରଣରୁ ସେ ନିୟମପୂର୍ବକ କରୁଥିବା ନିଜ ଭଗବତ୍-ପୂଜାର ମଧ୍ୟ ସ୍ମରଣ କରିପାରୁ ନ ଥିଲେ |

ଇତ୍ଥଂ ଧୃତଭଗବଦ୍ୱ୍ରତ ଐଣେୟାଜିନବାସସାନୁସବନାଭିଷେକାର୍ଦ୍ର-

କପିଶକୁଟିଲଜଟାକଲାପେନ ଚ ବିରୋଚମାନଃ ସୂର୍ୟର୍ଚା

ଭଗବନ୍ତଂ ହିରଣ୍ମୟଂ ପୁରୁଷମୁଜ୍ଜିହାନେ ସୂର୍ୟମଣ୍ଡଲେଽଭ୍ୟୁପତିଷ୍ଠ-

ନ୍ନେତଦୁ ହୋବାଚ ॥ ୧୩॥

ଏହିପରି ଭାବରେ ସେ ଭଗବତ୍-ସେବାରେ ତତ୍ପର ରହୁଥିଲେ, ଶରୀରରେ କୃଷ୍ଣମୃଗଚର୍ମ ଧାରଣ କରୁଥିଲେ ତଥା ତ୍ରିକାଳସ୍ନାନ ଯୋଗୁଁ ତାଙ୍କର ସିକ୍ତ କୁଞ୍ଚିତ କେଶ ଜଟାରୂପ ଧାରଣ କରିଥିଲା, ଯାହା ଫଳରେ ସେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲେ | ଉଦିତ ସୂର୍ଯ୍ୟମଣ୍ଡଳକୁ ଲକ୍ଷ୍ୟ କରି ସେ ସୂର୍ଯ୍ୟସମ୍ବନ୍ଧୀ ଋଚାଦ୍ବାରା ଜ୍ୟୋତିର୍ମୟ ପରମପୁରୁଷ ଭଗବାନ ନାରାୟଣଙ୍କର ଆରାଧନା କରି ଏହିପରି କହୁଥିଲେ |

ପରୋ ରଜଃ ସବିତୁର୍ଜାତବେଦୋ

ଦେବସ୍ୟ ଭର୍ଗୋ ମନସେଦଂ ଜଜାନ ।

ସୁରେତସାଦଃ ପୁନରାବିଶ୍ୟ ଚଷ୍ଟେ

ହଂସଂ ଗୃଧ୍ରାଣଂ ନୃଷଦ୍ରିଙ୍ଗିରାମିମଃ ॥ ୧୪॥

‘ଭଗବାନ ସୂର୍ଯ୍ୟଙ୍କର କର୍ମଫଳଦାୟକ ତେଜ ପ୍ରକୃତିର ଅତୀତ ଅଟେ | ସେ ସଂକଳ୍ପ ଦ୍ବାରା ଏହି ଜଗତର ଉତ୍ପତ୍ତି କରିଛନ୍ତି | ପୁନଶ୍ଚ ସେ ହିଁ ଅନ୍ତର୍ଯ୍ୟାମୀରୂପରେ ଏଥିରେ ପ୍ରବିଷ୍ଟ ହୋଇ ନିଜ ଚିତ୍-ଶକ୍ତି ଦ୍ବାରା ବିଷୟଲୋଲୁପ ଜୀବର ରକ୍ଷା କରନ୍ତି | ମୁଁ ସେହି ବୁଦ୍ଧିପ୍ରବର୍ତ୍ତକ ତେଜର ଶରଣ ଗ୍ରହଣ କରୁଛି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଭରତଚରିତେ ଭଗବତ୍ପରିଚର୍ୟାୟାଂ ସପ୍ତମୋଽଧ୍ୟାୟଃ ॥ ୭॥

Comments

Popular posts from this blog