ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ଦଶମ ଅଧ୍ୟାୟ
ଜଡ ଭରତ ଓ ରାଜା ରହୂଗଣଙ୍କର ସାକ୍ଷାତକାର
ଶ୍ରୀଶୁକ ଉବାଚ
ଅଥ ସିନ୍ଧୁସୌବୀରପତେ ରହୂଗଣସ୍ୟ ବ୍ରଜତ
ଇକ୍ଷୁମତ୍ୟାସ୍ତଟେ ତତ୍କୁଲପତିନା ଶିବିକାବାହପୁରୁଷା-
ନ୍ୱେଷଣସମୟେ ଦୈବେନୋପସାଦିତଃ ସ ଦ୍ୱିଜବର ଉପଲବ୍ଧ
ଏଷ ପୀବା ଯୁବା ସଂହନନାଙ୍ଗୋ ଗୋଖରବଦ୍ଧୁରଂ ବୋଢୁମଲମିତି
ପୂର୍ୱବିଷ୍ଟିଗୃହୀତୈଃ ସହ ଗୃହୀତଃ ପ୍ରସଭମତଦର୍ହ ଉବାହ
ଶିବିକାଂ ସ ମହାନୁଭାବଃ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ଥରେ ସିନ୍ଧୁସୌବୀର ଦେଶର ସ୍ବାମୀ
ରାଜା ରହୂଗଣ ପାଲିଙ୍କି ଚଢି ଯାତ୍ରା କରୁଥିଲେ | ସେ
ଯେତେବେଳେ ଇକ୍ଷୁମତୀ ନଦୀ ତୀରରେ ପହଞ୍ଚିଲେ, ତାଙ୍କ ପାଲିଙ୍କି ବାହକଙ୍କର ମୁଖିଆକୁ ଜଣେ
ଅତିରିକ୍ତ ବାହକର ଆବଶ୍ୟକତା ହେଲା | ବାହକ ଖୋଜୁ ଖୋଜୁ ଦୈବବଶ ମୁଖିଆର ଦୃଷ୍ଟି ସେହି
ବ୍ରାହ୍ମଣଦେବତାଙ୍କ ଉପରେ ପଡିଲା | ତାଙ୍କୁ ଦେଖି ସେ ଭାବିଲା, ‘ଇଏ ଜଣେ ହୃଷ୍ଟ-ପୁଷ୍ଟ, ସୁଗଠିତ ଅଙ୍ଗଯୁକ୍ତ ଯୁବକ ଅଟେ | ତେଣୁ
ଇଏ ବଳଦ ବା ଗଧ ପରି ଆରାମରେ ବୋଝ ବୋହିପାରିବ |’ – ଏହା ଭାବି ସେ ବେଠି ଖଟୁଥିଵା ଅନ୍ୟ
ବାହକଙ୍କ ପରି ତାଙ୍କୁ ମଧ୍ୟ ଜବରଦସ୍ତୀ ପାଲିଙ୍କିରେ ଯୋଡି ଦେଲା | ମହାତ୍ମା ଭରତ ଯଦିଓ କୌଣସି
ଦୃଷ୍ଟିରୁ ଏହି କାର୍ଯ୍ୟ ପାଇଁ ଯୋଗ୍ୟ ନ ଥିଲେ, ତଥାପି ସେ କିଛି ନ କହି ଚୁପଚାପ୍
ପାଲିଙ୍କି ଉଠାଇ ଚାଲିବାରେ ଲାଗିଲେ |
ଯଦା ହି ଦ୍ୱିଜବରସ୍ୟେଷୁମାତ୍ରାବଲୋକାନୁଗତେର୍ନ
ସମାହିତା ପୁରୁଷଗତିସ୍ତଦା ବିଷମଗତାଂ ସ୍ୱଶିବିକାଂ
ରହୂଗଣ ଉପଧାର୍ୟ ପୁରୁଷାନଧିବହତ ଆହ ହେ ବୋଢାରଃ
ସାଧ୍ୱତିକ୍ରମତ କିମିତି ବିଷମମୁହ୍ୟତେ ଯାନମିତି ॥ ୨॥
ସେହି ଦ୍ବିଜବର, କାଳେ ତାଙ୍କର ପାଦ
କୌଣସି ଜୀବ ଉପରେ ପଡିଯିବ, ସେହି ଭୟରେ ପ୍ରଥମ
ପାଦଟିକୁ ଭୂଇଁ ଦେଖିକରି ରଖୁଥିଲେ | ସେଥିପାଇଁ ଅନ୍ୟ ବାହକମାନଙ୍କର ଚାଲି ସହିତ ତାଙ୍କର
ତାଳମେଳ ରହୁ ନ ଥିଲା; ଫଳରେ ପାଲିଙ୍କିର
ଗତି ସିଧା-ବଙ୍କା ହେବାରେ ଲାଗିଥିଲା | ଏହା ଦେଖି ରାଜା ରହୂଗଣ ବାହକମାନଙ୍କୁ ଉଦ୍ଦେଶ୍ୟ କରି
କହିଲେ – ‘ଠିକ୍ ଭାବରେ ଚାଲ, ପାଲିଙ୍କିକୁ ଏପରି
ତଳ-ଉପର କରି କାହିଁକି ଚାଲୁଛ ?’
ଅଥ ତ ଈଶ୍ୱରବଚଃ ସୋପାଲମ୍ଭମୁପାକର୍ଣ୍ୟୋପାୟତୁରୀୟା-
ଚ୍ଛଙ୍କିତମନସସ୍ତଂ ବିଜ୍ଞାପୟାଂ ବଭୂବୁଃ ॥ ୩॥
ନିଜ ସ୍ବାମୀଙ୍କର ଏପରି ଆକ୍ଷେପଯୁକ୍ତ ବଚନ ଶୁଣି ଦଣ୍ଡ ଆଶଙ୍କାରେ
ବାହକମାନେ ଡରିଗଲେ | ସେମାନେ ରାଜାଙ୍କୁ ନିବେଦନ କରି କହିଲେ |
ନ ବୟଂ ନରଦେବ ପ୍ରମତ୍ତା ଭବନ୍ନିୟମାନୁପଥାଃ ସାଧ୍ୱେବ
ବହାମଃ ଅୟମଧୁନୈବ ନିୟୁକ୍ତୋଽପି ନ ଦ୍ରୁତଂ ବ୍ରଜତି
ନାନେନ ସହ ବୋଢୁମୁ ହ ବୟଂ ପାରୟାମ ଇତି ॥ ୪॥
ମହାରାଜ ! ଏହା ଆମର ଭୁଲ୍ ନୁହେଁ | ଆମେ ତ ଆପଣଙ୍କ ନିୟମମର୍ଯ୍ୟାଦା
ଅନୁସାରେ ଠିକ୍-ଠିକ୍ ପାଲିଙ୍କି ଉଠାଇ ଚାଲିଛୁ | ଏବେ ଜଣେ ନୂଆ ବାହକ ପାଲିଙ୍କିରେ ଯୋଡା ହୋଇଛି, ସେ ଶୀଘ୍ର ଶୀଘ୍ର ଚାଲି ପାରୁନାହିଁ | ଆମେ ତା’ ସହିତ ପାଲିଙ୍କି ବୋହି ପାରିବୁ ନାହିଁ |
ସାଂସର୍ଗିକୋ ଦୋଷ ଏବ ନୂନମେକସ୍ୟାପି ସର୍ୱେଷାଂ
ସାଂସର୍ଗିକାଣାଂ ଭବିତୁମର୍ହତୀତି ନିଶ୍ଚିତ୍ୟ
ନିଶମ୍ୟ କୃପଣବଚୋ ରାଜା ରହୂଗଣ ଉପାସିତ-
ବୃଦ୍ଧୋଽପି ନିସର୍ଗେଣ ବଲାତ୍କୃତ ଈଷଦୁତ୍ଥିତ-
ମନ୍ୟୁରବିସ୍ପଷ୍ଟବ୍ରହ୍ମତେଜସଂ ଜାତବେଦସମିବ
ରଜସାଽଽବୃତମତିରାହ ॥ ୫॥
ବାହକମାନଙ୍କର ଏହି ଦୀନ ବଚନ ଶୁଣି ରାଜା ରହୂଗଣ ଭାବିଲେ, ‘ସଂସର୍ଗରୁ ଜଣେ ବ୍ୟକ୍ତିଠାରେ ଥିବା ଦୋଷ ତା’ ସହିତ ସମ୍ବନ୍ଧିତ ଅନ୍ୟ ସବୁ ବ୍ୟକ୍ତିଙ୍କୁ ଆସି ଯାଇପାରେ | ତେଣୁ
ଏହାର କିଛି ପ୍ରତିକାର କରା ନ ଗଲେ ଖୁବ୍ ଶୀଘ୍ର ଏହା ଅନ୍ୟ ବାହକମାନଙ୍କର ଚାଲିକୁ ମଧ୍ୟ ବିଗାଡି
ଦେବ |’ ଏପରି ବିଚାର କରି ରାଜା ରହୂଗଣଙ୍କ ମନରେ କିଂଚିତ୍ କ୍ରୋଧ ଜାତ ହେଲା | ଯଦିଓ ସେ
ମହାପୁରୁଷମାନଙ୍କର ସେବନ କରିଥିଲେ, ତଥାପି
କ୍ଷତ୍ରିୟସ୍ବଭାବବଶତଃ ହଠାତ୍ ତାଙ୍କର ବୁଦ୍ଧି ରଜୋଗୁଣରେ ବ୍ୟାପ୍ତ ହୋଇଗଲା ଏବଂ ସେ ସେହି
ଦ୍ବିଜଶ୍ରେଷ୍ଠ, ଯାହାର ବ୍ରହ୍ମତେଜ ଭସ୍ମରେ ଆବୃତ ଅଗ୍ନି ପରି ପ୍ରକଟ
ହେଉ ନ ଥିଲା, ତାଙ୍କୁ ଉଦ୍ଦେଶ୍ୟ କରି ବ୍ୟଙ୍ଗଭରା ବଚନରେ ଏହିପରି
କହିବାରେ ଲାଗିଲେ -
ଅହୋ କଷ୍ଟଂ ଭ୍ରାତର୍ୱ୍ୟକ୍ତମୁରୁପରିଶ୍ରାନ୍ତୋ ଦୀର୍ଘମଧ୍ୱାନମେକ
ଏବ ଊହିବାନ୍ ସୁଚିରଂ ନାତିପୀବା ନ ସଂହନନାଙ୍ଗୋ ଜରସା
ଚୋପଦ୍ରୁତୋ ଭବାନ୍ ସଖେ ନୋ ଏବାପର ଏତେ ସଙ୍ଘଟ୍ଟିନ ଇତି
ବହୁ ବିପ୍ରଲବ୍ଧୋଽପ୍ୟବିଦ୍ୟଯା ରଚିତଦ୍ରବ୍ୟଗୁଣକର୍ମାଶୟସ୍ୱ-
ଚରମକଲେବରେଽବସ୍ତୁନି ସଂସ୍ଥାନବିଶେଷେଽହମ୍ମମେତ୍ୟ-
ନଧ୍ୟାରୋପିତମିଥ୍ୟାପ୍ରତ୍ୟଯୋ ବ୍ରହ୍ମଭୂତସ୍ତୂଷ୍ଣୀଂ ଶିବିକାଂ
ପୂର୍ୱବଦୁବାହ ॥ ୬॥
‘ଆରେ ଭାଈ ! ବଡ ଦୁଃଖର କଥା ଯେ ତୁମେ ବହୁତ ଥକି ଯାଇଛ | ଜଣାପଡୁଛି, ତୁମର ସାଥୀମାନେ ତୁମକୁ ଟିକିଏ ବି ସହାରା ଦେଇନାହାଁନ୍ତି | ଏତେ
ଦୂର ତୁମେ ଏକାକୀ ପାଲିଙ୍କି ବୋହି ଚାଲିଛ | ତୁମର ଶରୀର ମଧ୍ୟ ବିଶେଷ ମୋଟା-ସୋଟା ଏବଂ ହଟ୍ଟା-କଟ୍ଟା
ନୁହେଁ | ତାଛଡା ମିତ୍ର ! ବାର୍ଦ୍ଧକ୍ୟ ମଧ୍ୟ ତୁମକୁ ଗ୍ରାସ କରି ବସିଛି |’ ଏହିପରି ବହୁତ ବ୍ୟଙ୍ଗ କରିବା ପରେ
ମଧ୍ୟ ସେହି ଦ୍ବିଜଶ୍ରେଷ୍ଠ ପୂର୍ବବତ୍ ଚୁପଚାପ୍ ପାଲିଙ୍କି ଉଠାଇ ଚାଲିବାରେ ଲାଗିଥାଆନ୍ତି |
ତାଙ୍କୁ କିଛି ଖରାପ ଲାଗିଲା ନାହିଁ, କାରଣ ତାଙ୍କ
ଦୃଷ୍ଟିରେ ତ ପଞ୍ଚଭୂତ, ଇନ୍ଦ୍ରିୟ ଏବଂ
ଅନ୍ତଃକରଣର ସଂଘାତ ନିଜର ଏହି ଅନ୍ତିମ ଶରୀର ଅବିଦ୍ୟାର କାର୍ଯ୍ୟ ଥିଲା | ତାହା ବିବିଧ ଅଙ୍ଗଯୁକ୍ତ
ପ୍ରତୀତ ହେଉଥିଲେ ମଧ୍ୟ ବାସ୍ତବରେ ତାହା ନ ଥିଲା | ସେଥିପାଇଁ ସେଥିରେ ତାଙ୍କର ମୁଁ-ମୋପଣର
ମିଥ୍ୟା ଆଭାସ ସମାପ୍ତ ହୋଇ ଯାଇଥିଲା ଏବଂ ସେ ବ୍ରହ୍ମରୂପ ହୋଇ ଯାଇଥିଲେ |
ଅଥ ପୁନଃ ସ୍ୱଶିବିକାୟାଂ ବିଷମଗତାୟାଂ ପ୍ରକୁପିତ ଉବାଚ
ରହୂଗଣଃ କିମିଦମରେ ତ୍ୱଂ ଜୀବନ୍ମୃତୋ ମାଂ କଦର୍ଥୀକୃତ୍ୟ
ଭର୍ତୃଶାସନମତିଚରସି ପ୍ରମତ୍ତସ୍ୟ ଚ ତେ କରୋମି
ଚିକିତ୍ସାଂ ଦଣ୍ଡପାଣିରିବ ଜନତାୟା ଯଥା ପ୍ରକୃତିଂ ସ୍ୱାଂ
ଭଜିଷ୍ୟସ ଇତି ॥ ୭॥
ପାଲିଙ୍କି ଏବେ ବି ସିଧା ଚାଲୁ ନ ଥିବା ଦେଖି ରାଜା ରହୂଗଣ କ୍ରୋଧରେ
ଅଗ୍ନିବାଣ ହୋଇ କହିବାରେ ଲାଗିଲେ – ‘ଆରେ ! ଇଏ କ’ଣ ? ତୁ ଜୀବିତ ଅଛୁ
ନା ମରିଯାଇଛୁ ? ମୋର ନିରାଦର କରି ତୁ ମୋ ଆଜ୍ଞା ଉଲ୍ଲଂଘନ କରିଛୁ | ଯାହା ଜଣାପଡୁଛି, ତୁ
ପୂରାପୂରି ପ୍ରମାଦୀ ଅଟୁ | ଦଣ୍ଡପାଣି ଯମରାଜ ଯେପରି ଜନସମୁଦାୟକୁ ସେମାନଙ୍କର ଅପରାଧ ପାଇଁ
ଦଣ୍ଡ ଦେଇଥାଆନ୍ତି, ମୁଁ ମଧ୍ୟ
ସେହିପରି ତୋର ଉପଚାର କରି ଦେଉଛି, ତେବେ ଯାଇଁ ତୋର ହୋଶ୍ ଆସିବ |’
ଏବଂ ବହ୍ୱବଦ୍ଧମପି ଭାଷମାଣଂ ନରଦେବାଭିମାନଂ ରଜସା
ତମସାନୁବିଦ୍ଧେନ ମଦେନ ତିରସ୍କୃତାଶେଷଭଗବତ୍ପ୍ରିୟନିକେତଂ
ପଣ୍ଡିତମାନିନଂ ସ ଭଗବାନ୍ ବ୍ରାହ୍ମଣୋ ବ୍ରହ୍ମଭୂତଃ ସର୍ୱଭୂତ-
ସୁହୃଦାତ୍ମା ଯୋଗେଶ୍ୱରଚର୍ୟାୟାଂ ନାତିବ୍ୟୁତ୍ପନ୍ନମତିଂ ସ୍ମୟମାନ
ଇବ ବିଗତସ୍ମୟ ଇଦମାହ ॥ ୮॥
ରହୂଗଣଙ୍କଠାରେ ରାଜାର ଅଭିମାନ ତ ଥିଲା, ସେଥିପାଇଁ ସେ ଏଣୁତେଣୁ ଅନେକ କଥା କହିଗଲେ | ନିଜକୁ ସେ ବଡ ପଣ୍ଡିତ
ମନେ କରୁଥିଲେ, ତେଣୁ ରଜ-ତମଯୁକ୍ତ ଅଭିମାନରେ ବଶୀଭୂତ ହୋଇ ସେ
ଭଗବାନଙ୍କର ଅନନ୍ୟ ପ୍ରୀତିପାତ୍ର ଭକ୍ତବର ଭରତଙ୍କର ତିରସ୍କାର କରିଦେଲେ | ଯୋଗେଶ୍ବରମାନଙ୍କର
ବିଚିତ୍ର ବାକ୍ୟ ଏବଂ କ୍ରିୟା ବିଷୟରେ ତାଙ୍କୁ କିଛି ଜଣା ନ ଥିଲା | ତାଙ୍କର ଏପରି ଅପରିପକ୍ବ ବୁଦ୍ଧି ଦେଖି ସମ୍ପୂର୍ଣ୍ଣ ପ୍ରାଣୀଜଗତର ସୁହୃଦ୍ ଏବଂ ଆତ୍ମା, ବ୍ରହ୍ମଭୂତ ସେହି ବ୍ରାହ୍ମଣଦେବତା କୌଣସି ପ୍ରକାରର ଅଭିମାନ ନ ରଖି ହସି ହସି କହିଲେ |
ବ୍ରାହ୍ମଣ ଉବାଚ
ତ୍ୱୟୋଦିତଂ ବ୍ୟକ୍ତମବିପ୍ରଲବ୍ଧଂ
ଭର୍ତୁଃ ସ ମେ ସ୍ୟାଦ୍ୟଦି ବୀର ଭାରଃ ।
ଗନ୍ତୁର୍ୟଦି ସ୍ୟାଦଧିଗମ୍ୟମଧ୍ୱା
ପୀବେତି ରାଶୌ ନ ବିଦାଂ ପ୍ରବାଦଃ ॥ ୯॥
ଜଡ ଭରତ କହିଲେ – ରାଜନ୍ ! ତୁମେ ଯାହା ସବୁ କହିଲା, ତାହା ଯଥାର୍ଥ ଅଟେ; ସେଥିରେ ବ୍ୟଙ୍ଗ ବା ପରିହାସ ନାହିଁ | ଯଦି ଭାର
ନାମକ କିଛି ବସ୍ତୁ ଅଛି, ତାହା ବାହକମାନଙ୍କ
ନିମନ୍ତେ ଅଟେ; ଯଦି ମାର୍ଗ ଅଛି, ତେବେ ତାହା
ଚାଲିବା ଲୋକ ପାଇଁ ଅଟେ | ମୋଟାପଣ ଆଦି ଉପାଧି ଶରୀରର ଅଟେ, ଆତ୍ମାର ନୁହେଁ |
ଜ୍ଞାନୀଜନ ଏପରି କହନ୍ତି |
ସ୍ଥୌଲ୍ୟଂ କାର୍ଶ୍ୟଂ ବ୍ୟାଧୟ ଆଧୟଶ୍ଚ
କ୍ଷୁତ୍ତୃଡ୍ଭୟଂ କଲିରିଚ୍ଛା ଜରା ଚ ।
ନିଦ୍ରା ରତିର୍ମନ୍ୟୁରହଂ ମଦଃ ଶୁଚୋ
ଦେହେନ ଜାତସ୍ୟ ହି ମେ ନ ସନ୍ତି ॥ ୧୦॥
ସ୍ଥୂଳତା, କୃଶତା, ଆଧି, ବ୍ୟାଧି, ଭୋକ, ଶୋଷ, ଭୟ, କଳହ, ଇଚ୍ଛା, ବାର୍ଦ୍ଧକ୍ୟ, ନିଦ୍ରା, ପ୍ରେମ, କ୍ରୋଧ, ଅଭିମାନ ଏବଂ ଶୋକ –
ଏହି ସବୁ ଧର୍ମ ଦେହାଭିମାନ ସହିତ ଉତ୍ପନ୍ନ ହୋଇଥିବା ଜୀବଠାରେ ରହିଥାଏ | ମୋଠାରେ ତାହା
ଲେଶମାତ୍ର ନାହିଁ |
ଜୀବନ୍ମୃତତ୍ୱଂ ନିୟମେନ ରାଜନ୍
ଆଦ୍ୟନ୍ତବଦ୍ୟଦ୍ୱିକୃତସ୍ୟ ଦୃଷ୍ଟମ୍ ।
ସ୍ୱସ୍ୱାମ୍ୟଭାବୋ ଧ୍ରୁବ ଈଡ୍ୟ ଯତ୍ର
ତର୍ହ୍ୟୁଚ୍ୟତେଽସୌ ବିଧିକୃତ୍ୟଯୋଗଃ ॥ ୧୧॥
ରାଜନ୍ ! ତୁମେ ଯେଉଁ ଜୀବନ-ମରଣର କଥା କହିଲ, ଯେତେସବୁ ବିକାରୀ
ପଦାର୍ଥ ରହିଛି, ସେହି ଦୁଇଟି କଥା ସେମାନଙ୍କଠାରେ ନିୟମିତ ରୂପରେ
ଦେଖିବାକୁ ମିଳିଥାଏ; କାରଣ ତାହା ସବୁ
ଆଦି-ଅନ୍ତବିଶିଷ୍ଟ ଅଟନ୍ତି | ଯଶସ୍ବୀ ନରେଶ ! ଯେଉଁଠାରେ ସ୍ବାମୀ-ସେବକଭାବ ସ୍ଥିର ହୋଇଥାଏ, ସେଠାରେ ହିଁ ଆଜ୍ଞାପାଳନ ଆଦି ନିୟମ ଲାଗୁ ହୋଇପାରେ |
ବିଶେଷବୁଦ୍ଧେର୍ୱିବରଂ ମନାକ୍ଚ
ପଶ୍ୟାମ ଯନ୍ନ ବ୍ୟବହାରତୋଽନ୍ୟତ୍ ।
କ ଈଶ୍ୱରସ୍ତତ୍ର କିମୀଶିତବ୍ୟଂ
ତଥାପି ରାଜନ୍ କରବାମ କିଂ ତେ ॥ ୧୨॥
‘ତୁମେ ରାଜା ଅଟ ଏବଂ ମୁଁ ପ୍ରଜା ଅଟେ’ – ଏହି ପ୍ରକାରର ଭେଦବୁଦ୍ଧି କେବଳ ବ୍ୟବହାରରେ ହିଁ କରାଯାଇ
ଥାଏ | ପରମାର୍ଥ ଦୃଷ୍ଟିରୁ ଦେଖିଲେ ସ୍ବାମୀ କିଏ, ସେବକ କିଏ ? ତଥାପି ହେ ରାଜନ୍ ! ତୁମଠାରେ ଯଦି ସ୍ବାମୀତ୍ବର ଅଭିମାନ ରହିଥାଏ, ତେବେ ମୋତେ କୁହନ୍ତୁ ମୁଁ କି ସେବା କରିବି |
ଉନ୍ମତ୍ତମତ୍ତଜଡବତ୍ସ୍ୱସଂସ୍ଥାଂ
ଗତସ୍ୟ ମେ ବୀର ଚିକିତ୍ସିତେନ ।
ଅର୍ଥଃ କିୟାନ୍ ଭବତା ଶିକ୍ଷିତେନ
ସ୍ତବ୍ଧପ୍ରମତ୍ତସ୍ୟ ଚ ପିଷ୍ଟପେଷଃ ॥ ୧୩॥
ହେ ବୀରବର ! ମୁଁ ମତ୍ତ, ଉନ୍ମତ୍ତ ଏବଂ ଜଡ
ପରି ନିଜ ସ୍ଥିତିରେ ହିଁ ରହିଥାଏ | ମୋତେ ସୁଧାରିବାକୁ ଚେଷ୍ଟା କରି ତୁମର କିଛି ଲାଭ ହେବ
ନାହିଁ | ଯଦି ମୁଁ ବାସ୍ତବରେ ଜଡ ଏବଂ ପ୍ରମାଦୀ ହିଁ ଅଟେ, ତେବେ ମୋତେ
ଶିକ୍ଷା ଦେବା ପେଷା ଯାଇଥିବା ପଦାର୍ଥକୁ ପୁଣି ପେଷିଵା ପରି ନିରର୍ଥକ ହିଁ ଅଟେ |
ଶ୍ରୀଶୁକ ଉବାଚ
ଏତାବଦନୁବାଦପରିଭାଷୟା ପ୍ରତ୍ୟୁଦୀର୍ୟ ମୁନିବର
ଉପଶମଶୀଲ ଉପରତାନାତ୍ମ୍ୟନିମିତ୍ତ ଉପଭୋଗେନ
କର୍ମାରବ୍ଧଂ ବ୍ୟପନୟନ୍ ରାଜୟାନମପି ତଥୋବାହ ॥ ୧୪॥
ଶ୍ରୀଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ମୁନିବର ଜଡଭରତ ଯଥାର୍ଥ
ତତ୍ତ୍ବ ଉପଦେଶ ଦେବା ଉଦ୍ଦେଶ୍ୟରେ କେବଳ ଏତିକି ହିଁ ଉତ୍ତର ଦେଇ ମୌନ ରହିଲେ | ତାଙ୍କର
ଦେହାତ୍ମବୁଦ୍ଧିର ହେତୁଭୂତ ଅଜ୍ଞାନ ନିବୃତ୍ତ ହୋଇ ସାରିଥିଲା, ସେଥିପାଇଁ ସେ ପରମ ଶାନ୍ତ ହୋଇ
ଯାଇଥିଲେ | ତେଣୁ ଏତିକି କହି ଭୋଗଦ୍ବାରା ପ୍ରାରବ୍ଧକ୍ଷୟ କରିବା ଉଦ୍ଦେଶ୍ୟରେ ସେ ପୂର୍ବବତ୍
ପାଲିଙ୍କିକୁ କାନ୍ଧରେ ରଖି ଚାଲିବାରେ ଲାଗିଲେ |
ସ ଚାପି ପାଣ୍ଡବେୟ ସିନ୍ଧୁସୌବୀରପତିସ୍ତତ୍ତ୍ୱ-
ଜିଜ୍ଞାସାୟାଂ ସମ୍ୟକ୍ ଶ୍ରଦ୍ଧୟାଧିକୃତାଧିକାର-
ସ୍ତଦ୍ଧୃଦୟଗ୍ରନ୍ଥିମୋଚନଂ ଦ୍ୱିଜବଚ ଆଶ୍ରୁତ୍ୟ ବହୁ
ଯୋଗଗ୍ରନ୍ଥସମ୍ମତଂ ତ୍ୱରୟାବରୁହ୍ୟ ଶିରସା
ପାଦମୂଲମୁପସୃତଃ କ୍ଷମାପୟନ୍ ବିଗତ-
ନୃପଦେବସ୍ମୟ ଉବାଚ ॥ ୧୫॥
ସିନ୍ଧୁସୌବୀରନରେଶ ରହୂଗଣ ମଧ୍ୟ ନିଜର ଶ୍ରଦ୍ଧା ଯୋଗୁଁ
ତତ୍ତ୍ବଜିଜ୍ଞାସାର ପୂର୍ଣ୍ଣ ଅଧିକାରୀ ଥିଲେ | ସେ ଯେତେବେଳେ ସେହି ଦ୍ବିଜଶ୍ରେଷ୍ଠଙ୍କର
ଯୋଗ-ଗ୍ରନ୍ଥ ସମର୍ଥିତ ହୃଦୟର ଗ୍ରନ୍ଥିକୁ ଛେଦନ କରୁଥିବା ବାକ୍ୟ ଶୁଣିଲେ, ସେ ତତ୍କାଳ ପାଲିଙ୍କିରୁ ଓହ୍ଲାଇ ପଡିଲେ | ତାଙ୍କର ରାଜମଦ
ପୂର୍ଣ୍ଣତଃ ଦୂର ହୋଇ ଯାଇଥିଲା ଏବଂ ସେ ତାଙ୍କ ଚରଣରେ ମସ୍ତକ ରଖି ନିଜର ଅପରାଧ ପାଇଁ
କ୍ଷମାଯାଚନା କରିବା ସହିତ ଏହିପରି କହିବାରେ ଲାଗିଲେ |
କସ୍ତ୍ୱଂ ନିଗୂଢଶ୍ଚରସି ଦ୍ୱିଜାନାଂ
ବିଭର୍ଷି ସୂତ୍ରଂ କତମୋଽବଧୂତଃ ।
କସ୍ୟାସି କୁତ୍ରତ୍ୟ ଇହାପି କସ୍ମାତ୍
କ୍ଷେମାୟ ନଶ୍ଚେଦସି ନୋତ ଶୁକ୍ଲଃ ॥ ୧୬॥
‘ଦେବ ! ଆପଣ ଦ୍ବିଜମାନଙ୍କର ଚିହ୍ନ ସ୍ବରୂପ ଯଜ୍ଞୋପବୀତ ଧାରଣ କରିଛନ୍ତି, ମୋତେ କହନ୍ତୁ ଏହିପରି ପ୍ରଚ୍ଛନ୍ନଭାବରେ ବିଚରଣ କରୁଥିବା ଆପଣ କିଏ ଅଟନ୍ତି ? ଆପଣ
ଦତ୍ତାତ୍ରେୟ ଆଦି ଅବଧୂତମାନଙ୍କ ମଧ୍ୟରୁ କିଏ ନୁହଁନ୍ତି ତ ? ଆପଣ କାହାର ପୁତ୍ର, କେଉଁଠାରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ ଏଠାରେ ଆପଣଙ୍କର ପଦାର୍ପଣ ହେଲା କିପରି ? ଯଦି
ଆପଣ ମୋର କଲ୍ୟାଣାର୍ଥେ ଏଠାରେ ପଦାର୍ପଣ କରିଛନ୍ତି, ତେବେ ଆପଣ ସାକ୍ଷାତ୍ ସତ୍ତ୍ବମୂର୍ତ୍ତି ଭଗବାନ କପିଳଦେବ ନୁହଁନ୍ତି ତ ?
ନାହଂ ବିଶଙ୍କେ ସୁରରାଜବଜ୍ରା-
ନ୍ନ ତ୍ର୍ୟକ୍ଷଶୂଲାନ୍ନ ଯମସ୍ୟ ଦଣ୍ଡାତ୍ ।
ନାଗ୍ନ୍ୟର୍କସୋମାନିଲବିତ୍ତପାସ୍ତ୍ରା-
ଚ୍ଛଙ୍କେ ଭୃଶଂ ବ୍ରହ୍ମକୁଲାବମାନାତ୍ ॥ ୧୭॥
ଇନ୍ଦ୍ରଙ୍କର ବଜ୍ରକୁ ମୁଁ ଭୟ କରେନାହିଁ | ମହାଦେବଙ୍କର ତ୍ରିଶୂଳ କି
ଯମରାଜଙ୍କର ଦଣ୍ଡକୁ ମଧ୍ୟ ମୁଁ ଡରେ ନାହିଁ | ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ବାୟୁ ଏବଂ
କୁବେରଙ୍କର ଅସ୍ତ୍ରଶସ୍ତ୍ରକୁ ମଧ୍ୟ ମୋର ଭୟ ନାହିଁ, କିନ୍ତୁ
ବ୍ରାହ୍ମଣକୁଳର ଅପମାନକୁ ମୁଁ ବହୁତ ଭୟ କରିଥାଏ |
ତଦ୍ବ୍ରୂହ୍ୟସଙ୍ଗୋ ଜଡବନ୍ନିଗୂଢ-
ବିଜ୍ଞାନବୀର୍ୟୋ ବିଚରସ୍ୟପାରଃ ।
ବଚାଂସି ଯୋଗଗ୍ରଥିତାନି ସାଧୋ
ନ ନଃ କ୍ଷମନ୍ତେ ମନସାପି ଭେତ୍ତୁମ୍ ॥ ୧୮॥
ଅତଏବ କୃପା କରି କହନ୍ତୁ, ଏହିପରି ଭାବରେ ନିଜର ଜ୍ଞାନ ଏବଂ ଶକ୍ତିକୁ
ଗୋପନୀୟ ରଖି ମୂର୍ଖମାନଙ୍କ ପରି ବିଚରଣ କରୁଥିବା ଆପଣ ବାସ୍ତବରେ କିଏ ଅଟନ୍ତି | ମନେ ହେଉଛି, ଆପଣ ବିଷୟ ପ୍ରତି ପୂର୍ଣ୍ଣ ଅନାସକ୍ତ ଅଟନ୍ତି | ମୁଁ ଆପଣଙ୍କ
ବିଷୟରେ କିଛି କଳନା କରି ପାରୁନାହିଁ | ହେ ସାଧୁ ! ଆପଣଙ୍କ ଯୋଗଯୁକ୍ତ ବାକ୍ୟର ଆଲୋଚନା କରି
ମଧ୍ୟ ମୋର ସନ୍ଦେହ ଦୂର ହେଉନାହିଁ |
ଅହଂ ଚ ଯୋଗେଶ୍ୱରମାତ୍ମତତ୍ତ୍ୱ-
ବିଦାଂ ମୁନୀନାଂ ପରମଂ ଗୁରୁଂ ବୈ ।
ପ୍ରଷ୍ଟୁଂ ପ୍ରବୃତ୍ତଃ କିମିହାରଣଂ ତତ୍
ସାକ୍ଷାଦ୍ଧରିଂ ଜ୍ଞାନକଲାବତୀର୍ଣମ୍ ॥ ୧୯॥
ମୁଁ ଆତ୍ମଜ୍ଞାନୀ ମୁନିମାନଙ୍କର ପରମ ଗୁରୁ ସାକ୍ଷାତ୍ ଶ୍ରୀହରିଙ୍କର
ଜ୍ଞାନଶକ୍ତିର ଅବତାର ଯୋଗେଶ୍ବର ଭଗବାନ କପିଳଦେବଙ୍କୁ ଏହା ପଚାରିବା ନିମନ୍ତେ ଯାଉଥିଲି ଯେ ଏହି
ସଂସାରରେ ଏକମାତ୍ର ଶରଣ୍ୟ କିଏ ଅଟନ୍ତି |
ସ ବୈ ଭବାଁଲ୍ଲୋକନିରୀକ୍ଷଣାର୍ଥ-
ମବ୍ୟକ୍ତଲିଙ୍ଗୋ ବିଚରତ୍ୟପି ସ୍ୱିତ୍ ।
ଯୋଗେଶ୍ୱରାଣାଂ ଗତିମନ୍ଧବୁଦ୍ଧିଃ
କଥଂ ବିଚକ୍ଷୀତ ଗୃହାନୁବନ୍ଧଃ ॥ ୨୦॥
ଆପଣ ସେହି କପିଳମୁନି ନୁହଁନ୍ତି ତ, ଯିଏ ଲୋକମାନଙ୍କର ଦଶା ନିରୀକ୍ଷଣ କରିବା ପାଇଁ ଏହିପରି ନିଜର ରୂପକୁ
ଗୋପନ ରଖି ବିଚରଣ କରୁଛନ୍ତି ? ଯୋଗେଶ୍ବରମାନଙ୍କର ଗତିକୁ ଭଲା ଗୃହାସକ୍ତ ବିବେକହୀନ ପୁରୁଷ
କିପରି ଜାଣିପାରିବ ?
ଦୃଷ୍ଟଃ ଶ୍ରମଃ କର୍ମତ ଆତ୍ମନୋ ବୈ
ଭର୍ତୁର୍ଗନ୍ତୁର୍ଭବତଶ୍ଚାନୁମନ୍ୟେ ।
ଯଥାସତୋଦାନୟନାଦ୍ୟଭାବାତ୍
ସମୂଲ ଇଷ୍ଟୋ ବ୍ୟବହାରମାର୍ଗଃ ॥ ୨୧॥
ଯୁଦ୍ଧ ଆଦି କର୍ମରେ ଯେଉଁ ଶ୍ରମ କରିବାକୁ ପଡିଥାଏ, ତାହା ମୁଁ ଅନୁଭବ କରିଛି | ମୁଁ ଅନୁମାନ କରୁଛି, ବୋଝ ବୋହିଵା ଏବଂ
ମାର୍ଗରେ ଚାଲିବା ପାଇଁ ଆପଣଙ୍କୁ ମଧ୍ୟ ସେହିପରି ଅନୁଭବ ହେଉଥିବ | ମୋତେ ତ ବ୍ୟବହାର-ମାର୍ଗ
ମଧ୍ୟ ସତ୍ୟ ପ୍ରତୀତ ହୋଇଥାଏ, କାରଣ ମିଥ୍ୟା
କୁମ୍ଭରେ ଜଳ ଆଣିବା ଆଦି କାର୍ଯ୍ୟ ହୋଇ ନ ଥାଏ |
ସ୍ଥାଲ୍ୟଗ୍ନିତାପାତ୍ପୟସୋଽଭିତାପ-
ସ୍ତତ୍ତାପତସ୍ତଣ୍ଡୁଲଗର୍ଭରନ୍ଧିଃ ।
ଦେହେନ୍ଦ୍ରିୟାସ୍ୱାଶୟସନ୍ନିକର୍ଷା-
ତ୍ତତ୍ସଂସୃତିଃ ପୁରୁଷସ୍ୟାନୁରୋଧାତ୍ ॥ ୨୨॥
(ଦେହାଦି ଧର୍ମର ଆତ୍ମା ଉପରେ କୌଣସି ପ୍ରଭାବ ନ ଥାଏ, ଏହା ପୂରାପୂରି ଠିକ୍ ନୁହେଁ |) ଚୂଲି ଉପରେ ରଖା ଯାଇଥିବା ପାତ୍ର
ଯେତେବେଳେ ଅଗ୍ନି ଦ୍ବାରା ଉତ୍ତପ୍ତ ହୋଇଯାଏ, ସେତେବେଳେ ସେଥିରେ
ଥିବା ଜଳ ଫୁଟିବାରେ ଲାଗେ ଏବଂ ସେହି ଜଳରେ ପଡି ଚାଉଳର ଭିତର ଭାଗ ମଧ୍ୟ ସିଝିଯାଏ | ସେହିପରି
ନିଜ ଉପାଧିଯୁକ୍ତ ଧର୍ମର ଅନୁବର୍ତ୍ତନ କରିବା କାରଣରୁ ଦେହ, ଇନ୍ଦ୍ରିୟ, ପ୍ରାଣ ଏବଂ ମନର ସନ୍ନିଧିରେ ଆତ୍ମାକୁ ମଧ୍ୟ ସେମାନଙ୍କର ଧର୍ମ
ଶ୍ରମାଦିର ଅନୁଭବ ହୋଇଥାଏ |
ଶାସ୍ତାଭିଗୋପ୍ତା ନୃପତିଃ ପ୍ରଜାନାଂ
ଯଃ କିଙ୍କରୋ ବୈ ନ ପିନଷ୍ଟି ପିଷ୍ଟମ୍ ।
ସ୍ୱଧର୍ମମାରାଧନମଚ୍ୟୁତସ୍ୟ
ଯଦୀହମାନୋ ବିଜହାତ୍ୟଘୌଘମ୍ ॥ ୨୩॥
ଆପଣ ଯେଉଁ ଦଣ୍ଡ ଆଦିର ବ୍ୟର୍ଥ଼ତା ବିଷୟରେ କହିଲେ, ରାଜା ତ ପ୍ରଜାର ଶାସନ କରିବା ଏବଂ ପାଳନ କରିବା ନିମନ୍ତେ ନିଯୁକ୍ତ
ହୋଇଥିବା ସେମାନଙ୍କର ଦାସ ହିଁ ଅଟେ | ଉନ୍ମତ୍ତତା ପାଇଁ ସେ କାହାକୁ ଦଣ୍ଡ ଦେବା ପେଷା ହୋଇଥିବା
ପଦାର୍ଥକୁ ପୁଣି ପେଷିବା ପରି ବ୍ୟର୍ଥ ହୋଇ ନ ପାରେ; କାରଣ ସ୍ବଧର୍ମର ଆଚରଣ କରିବା ଭଗବାନଙ୍କର
ସେବା ହିଁ ଅଟେ | ସେହି ଆଚରଣ କରି ବ୍ୟକ୍ତି ନିଜର ସମ୍ପୂର୍ଣ୍ଣ ପାପରାଶିକୁ ନଷ୍ଟ କରି ଦେଇଥାଏ
|
ତନ୍ମେ ଭବାନ୍ ନରଦେବାଭିମାନ-
ମଦେନ ତୁଚ୍ଛୀକୃତସତ୍ତମସ୍ୟ ।
କୃଷୀଷ୍ଟ ମୈତ୍ରୀ ଦୃଶମାର୍ତବନ୍ଧୋ
ଯଥା ତରେ ସଦବଧ୍ୟାନମଂହଃ ॥ ୨୪॥
ଦୀନବନ୍ଧୁ ! ରାଜତ୍ବର ଅଭିମାନରେ ଉନ୍ମତ୍ତ ହୋଇ ମୁଁ ଆପଣଙ୍କ ପରି
ପରମ ସାଧୁଙ୍କର ଅବଜ୍ଞା କରିଛି | ଏବେ ଆପଣ ମୋ ପ୍ରତି ଏପରି କୃପାଦୃଷ୍ଟି କରନ୍ତୁ, ଯଦ୍ବାରା ସେହି ସାଧୁ-ଅବଜ୍ଞାରୂପ ଅପରାଧରୁ ମୁଁ ମୁକ୍ତ ହୋଇଯିବି |
ନ ବିକ୍ରିୟା ବିଶ୍ୱସୁହୃତ୍ସଖସ୍ୟ
ସାମ୍ୟେନ ବୀତାଭିମତେସ୍ତବାପି ।
ମହଦ୍ୱିମାନାତ୍ସ୍ୱକୃତାଦ୍ଧି ମାଦୃ-
ଙ୍ନଙ୍କ୍ଷ୍ୟତ୍ୟଦୂରାଦପି ଶୂଲପାଣିଃ ॥ ୨୫॥
ଆପଣ ଦେହାଭିମାନଶୂନ୍ୟ ଅଟନ୍ତି ଏବଂ ବିଶ୍ବବନ୍ଧୁ ଶ୍ରୀହରିଙ୍କର
ଅନନ୍ୟ ଭକ୍ତ ଅଟନ୍ତି | ସର୍ବତ୍ର ସମଦୃଷ୍ଟି ରହିଥିବା କାରଣରୁ ମାନ-ଅପମାନଜନିତ କୌଣସି ବିକାର
ଆପଣଙ୍କଠାରେ ଉତ୍ପନ୍ନ ହୋଇ ନ ଥିବ | ତଥାପି ଜଣେ ମହାପୁରୁଷଙ୍କର ଅପମାନ କରିଥିବା କାରଣରୁ, ସାକ୍ଷାତ୍ ତ୍ରିଶୂଳପାଣି ମହାଦେବଙ୍କ ପରି ପ୍ରଭାବଶାଳୀ ହୋଇଥିଲେ ବି, ମୋ ପରି ପୁରୁଷ ନିଜ ଅପରାଧ ଯୋଗୁଁ ଅଳ୍ପ କିଛି ଦିନରେ ନିଶ୍ଚୟ ନଷ୍ଟ
ହୋଇଯିବ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଦଶମୋଽଧ୍ୟାୟଃ ॥ ୧୦॥

Comments
Post a Comment