ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଏକବିଂଶ ଅଧ୍ୟାୟ

ସୂର୍ଯ୍ୟଙ୍କ ରଥ ଏବଂ ତାଙ୍କ ଗତିର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ଏତାବାନେବ ଭୂବଲୟସ୍ୟ ସନ୍ନିବେଶଃ ପ୍ରମାଣଲକ୍ଷଣତୋ

ବ୍ୟାଖ୍ୟାତଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ପରିମାଣ ଓ ଲକ୍ଷଣ ସହିତ ଏହି ଭୂମଣ୍ଡଳର ବିସ୍ତାର ସମୁଦାୟ ଏତିକି ଅଟେ, ଯାହା ମୁଁ ତୁମକୁ କହିଲି |

ଏତେନ ହି ଦିବୋ ମଣ୍ଡଲମାନଂ ତଦ୍ୱିଦ ଉପଦିଶନ୍ତି

ଯଥା ଦ୍ୱିଦଲୟୋର୍ନିଷ୍ପାବାଦୀନାଂ ତେ ଅନ୍ତରେଣାନ୍ତରିକ୍ଷଂ

ତଦୁଭୟସନ୍ଧିତମ୍ ॥ ୨॥

ଏହା ଅନୁସାରେ ବିଦ୍ବାନମାନେ ଦ୍ୟୁଲୋକର ପରିମାଣ ନିର୍ଦ୍ଧାରଣ କରିଥାଆନ୍ତି | ଚଣା-ମଟର ଆଦି ଦୁଇ ଦଳ ମଧ୍ୟରୁ ଗୋଟିକର ସ୍ବରୂପ ଜାଣିନେଲେ ଯେପରି ଅନ୍ୟର ସ୍ବରୂପ ଆପେ ଆପେ ଜଣା ପଡିଯାଏ, ସେହିପରି ଭୂଲୋକର ପରିମାଣରୁ ହିଁ ଦ୍ୟୁଲୋକର ପରିମାଣ ଜଣା ପଡିଯାଏ | ଏହି ଦୁହିଁଙ୍କ ମଝିରେ ଅନ୍ତରିକ୍ଷଲୋକ ରହିଛି, ଯାହା ଦୁହିଁଙ୍କର ସନ୍ଧିସ୍ଥାନ ଅଟେ |

ଯନ୍ମଧ୍ୟଗତୋ ଭଗବାଂସ୍ତପତାଂ ପତିସ୍ତପନ ଆତପେନ

ତ୍ରିଲୋକୀଂ ପ୍ରତପତ୍ୟବଭାସୟତ୍ୟାତ୍ମଭାସା ସ ଏଷ

ଉଦଗୟନଦକ୍ଷିଣାୟନବୈଷୁବତସଞ୍ଜ୍ଞାଭିର୍ମାନ୍ଦ୍ୟଶୈଘ୍ର୍ୟ-

ମାନାଭିର୍ଗତିଭିରାରୋହଣାବରୋହଣସମାନସ୍ଥାନେଷୁ

ଯଥା ସବନମଭିପଦ୍ୟମାନୋ ମକରାଦିଷୁ ରାଶିଷ୍ୱ-

ହୋରାତ୍ରାଣି ଦୀର୍ଘହ୍ରସ୍ୱସମାନାନି ବିଧତ୍ତେ ॥ ୩॥

ଏହାର ମଧ୍ୟଭାଗରେ ସ୍ଥିତ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଅଧିପତି ଭଗବାନ ସୂର୍ଯ୍ୟଦେବ ନିଜର ତାପ ଏବଂ ପ୍ରକାଶରେ ତ୍ରିଲୋକକୁ ତପ୍ତ ଏବଂ ପ୍ରକାଶିତ କରିଥାଆନ୍ତି | ସେ ଉତ୍ତରାୟଣ, ଦକ୍ଷିଣାୟନ ଏବଂ ବିଷୁବତ୍ ହେବାକୁ ଯାଇ ଯଥାକ୍ରମେ ମନ୍ଦ, ତ୍ବରିତ୍ ଏବଂ ସମାନ ଗତିରେ ଚାଲି ସମୟାନୁସାରେ ମକରାଦି ରାଶିମାନଙ୍କରେ ଉପର-ତଳ ଏବଂ ସମାନ ସ୍ଥିତିରେ ରହି ଦିନ-ରାତିକୁ ବଡ, ଛୋଟ ବା ସମାନ କରନ୍ତି |

ଯଦା ମେଷତୁଲୟୋର୍ୱର୍ତତେ ତଦାହୋରାତ୍ରାଣି

ସମାନାନି ଭବନ୍ତି ଯଦା ବୃଷଭାଦିଷୁ ପଞ୍ଚସୁ

ଚ ରାଶିଷୁ ଚରତି ତଦାହାନ୍ୟେବ ବର୍ଧନ୍ତେ ହ୍ରସତି

ଚ ମାସି ମାସ୍ୟେକୈକା ଘଟିକା ରାତ୍ରିଷୁ ॥ ୪॥

ସୂର୍ଯ୍ୟ ଭଗବାନ ଯେତେବେଳେ ମେଷ ବା ତୁଳା ରାଶିକୁ ଆସନ୍ତି, ସେତେବେଳେ ଦିନ-ରାତି ସମାନ ହୋଇଥାଏ; ଯେତେବେଳେ ବୃଷ ଆଦି ପାଞ୍ଚ ରାଶିକୁ ଆସନ୍ତି, ସେତେବେଳେ ପ୍ରତିମାସରେ ରାତି ଏକ ଏକ ଘଣ୍ଟା କମ୍ ହେବାରେ ଲାଗେ ଏବଂ ସେହି ଅନୁସାରେ ଦିନ ବଢ଼ିବାରେ ଲାଗେ |

ଯଦା ବୃଶ୍ଚିକାଦିଷୁ ପଞ୍ଚସୁ ବର୍ତତେ ତଦାହୋରାତ୍ରାଣି

ବିପର୍ୟଯାଣି ଭବନ୍ତି ॥ ୫॥

ଯେତେବେଳେ ବିଛା ଆଦି ପାଞ୍ଚ ରାଶିରେ ଚାଲନ୍ତି, ସେତେବେଳେ ଦିନ ଓ ରାତିରେ ଏହାର ବିପରୀତ ପରିବର୍ତ୍ତନ ଦେଖିବାକୁ ମିଳେ |

ଯାବଦ୍ଦକ୍ଷିଣାୟନମହାନି ବର୍ଧନ୍ତେ ଯାବଦୁଦଗୟନଂ

ରାତ୍ରୟଃ ॥ ୬॥

ଏହିପରି ଭାବରେ, ଦକ୍ଷିଣାୟନ ହେବାଯାଏଁ ଦିନ ବଢୁଥାଏ ଏବଂ ଉତ୍ତରାୟଣ ହେବାଯାଏଁ ରାତି ବଢୁଥାଏ |

ଏବଂ ନବକୋଟୟ ଏକପଞ୍ଚାଶଲ୍ଲକ୍ଷାଣି ଯୋଜନାନାଂ

ମାନସୋତ୍ତରଗିରିପରିବର୍ତନସ୍ୟୋପଦିଶନ୍ତି

ତସ୍ମିନ୍ନୈନ୍ଦ୍ରୀଂ ପୁରୀଂ ପୂର୍ୱସ୍ମାନ୍ମେରୋର୍ଦେବଧାନୀଂ ନାମ

ଦକ୍ଷିଣତୋ ଯାମ୍ୟାଂ ସଂୟମନୀଂ ନାମ ପଶ୍ଚାଦ୍ୱାରୁଣୀଂ

ନିମ୍ଲୋଚନୀଂ ନାମ ଉତ୍ତରତଃ ସୌମ୍ୟାଂ ବିଭାବରୀଂ ନାମ

ତାସୂଦୟମଧ୍ୟାହ୍ନାସ୍ତମୟନିଶୀଥାନୀତି ଭୂତାନାଂ

ପ୍ରବୃତ୍ତିନିବୃତ୍ତିନିମିତ୍ତାନି ସମୟବିଶେଷେଣ

ମେରୋଶ୍ଚତୁର୍ଦିଶମ୍ ॥ ୭॥

ପଣ୍ଡିତମାନଙ୍କର କହିବା ପ୍ରକାରେ ମାନସୋତ୍ତର ପର୍ବତ ଉପରେ ସୂର୍ଯ୍ୟଙ୍କର ପରିକ୍ରମା ମାର୍ଗ ନଅ କୋଟି ଏକାବନ ଲକ୍ଷ ଯୋଜନ ଅଟେ | ସେହି ପର୍ବତ ଉପରେ ମେରୁର ପୂର୍ବକୁ ଇନ୍ଦ୍ରଙ୍କର ଦେବଧାନୀ, ଦକ୍ଷିଣରେ ଯମରାଜଙ୍କର ସଂଯମନୀ, ପଶ୍ଚିମରେ ବରୁଣଙ୍କର ନିମ୍ଲୋଚନୀ ଏବଂ ଉତ୍ତରରେ ଚନ୍ଦ୍ରମାଙ୍କର ବିଭାବରୀ ନାମକ ପୁରୀ ରହିଛି | ଏହି ପୁରୀମାନଙ୍କରେ ମେରୁର ଚତୁର୍ପାର୍ଶ୍ବରେ ଭିନ୍ନ ଭିନ୍ନ ସମୟରେ ସୂର୍ଯ୍ୟୋଦୟ, ମଧ୍ୟାହ୍ନ, ସାୟଂକାଳ ଏବଂ ଅର୍ଦ୍ଧରାତ୍ରୀ ହୋଇଥାଏ; ଏହା ଅନୁଯାୟୀ ସମ୍ପୂର୍ଣ୍ଣ ଜୀବଜଗତର ପ୍ରବୃତ୍ତି ଅଥବା ନିବୃତ୍ତି ହୋଇଥାଏ |

ତତ୍ରତ୍ୟାନାଂ ଦିବସମଧ୍ୟଙ୍ଗତ ଏବ ସଦାଽଽଦିତ୍ୟସ୍ତପତି

ସବ୍ୟେନାଚଲଂ ଦକ୍ଷିଣେନ କରୋତି ॥ ୮॥

ରାଜନ୍ ! ଯେଉଁମାନେ ସୁମେରୁ ଉପରେ ରହିଥାଆନ୍ତି, ସେମାନଙ୍କୁ ସୂର୍ଯ୍ୟଦେବ ସଦା ମଧ୍ୟାହ୍ନକାଳୀନ ରହି ଉତ୍ତପ୍ତ କରୁଥାଆନ୍ତି | ନିଜ ଗତି ଅନୁସାରେ ଅଶ୍ବିନୀ ଆଦି ନକ୍ଷତ୍ରକୁ ଯିବା ସମୟରେ ଯଦିଓ ସେ ମେରୁକୁ ବାମ ପାର୍ଶ୍ବରେ ରଖି ଚାଲନ୍ତି, ତଥାପି ସମ୍ପୂର୍ଣ୍ଣ ଜ୍ୟୋତିର୍ମଣ୍ଡଳକୁ ଘୂରାଉ ଥିବା ନିରନ୍ତର ଦକ୍ଷିଣ ଦିଗରେ ପ୍ରବାହିତ ବାୟୁପ୍ରବାହ ଦ୍ବାରା ଘୂରି ଯାଇ ସେ ମେରୁର ଦକ୍ଷିଣରେ ଚାଲୁଥିବା ପରି ମନେହୁଅନ୍ତି |

ଯତ୍ରୋଦେତି ତସ୍ୟ ହ ସମାନସୂତ୍ରନିପାତେ ନିମ୍ଲୋଚତି

ଯତ୍ର କ୍ୱଚନ ସ୍ୟନ୍ଦେନାଭିତପତି ତସ୍ୟ ହୈଷ ସମାନସୂତ୍ର-

ନିପାତେ ପ୍ରସ୍ୱାପୟତି ତତ୍ର ଗତଂ ନ ପଶ୍ୟନ୍ତି ଯେ ତଂ

ସମନୁପଶ୍ୟେରନ୍ ॥ ୯॥

ଯେଉଁ ପୁରୀରେ ସୂର୍ଯ୍ୟ ଭଗବାନଙ୍କର ଉଦୟ ହୋଇଥାଏ, ତାହାର ଠିକ୍ ଅପର ପାର୍ଶ୍ବରେ ସେ ଅସ୍ତ ହେଉଥିବା ପରି ମନେହେବେ ଏବଂ ଯେଉଁଠାରେ ସେ ଲୋକଙ୍କୁ ଝାଳ-ନାଳ କରି ତାପ ବିକିରଣ କରୁଥିବେ, ତାହାର ଅପର ପାର୍ଶ୍ବରେ ମଧ୍ୟରାତ୍ରୀ ହୋଇଥିବା କାରଣରୁ ଲୋକେ ନିଦ୍ରାଭିଭୂତ ରହିଥିବେ | ମଧ୍ୟାହ୍ନ ସମୟରେ ଯେଉଁମାନଙ୍କୁ ସେ ସ୍ପଷ୍ଟ ଦେଖା ଯାଉଥିବେ, ସେମାନେ ସୂର୍ଯ୍ୟ ସୌମ୍ୟଦିଶାରେ ପହଞ୍ଚିବା ପରେ ତାଙ୍କର ଦର୍ଶନ କରିପାରିବେ ନାହିଁ |

ଯଦା ଚୈନ୍ଦ୍ର୍ୟାଃ ପୁର୍ୟାଃ ପ୍ରଚଲତେ ପଞ୍ଚଦଶଘଟିକାଭିର୍ୟାମ୍ୟାଂ

ସପାଦକୋଟିଦ୍ୱୟଂ ଯୋଜନାନାଂ ସାର୍ଧଦ୍ୱାଦଶଲକ୍ଷାଣି

ସାଧିକାନି ଚୋପୟାତି ॥ ୧୦॥

ସୂର୍ଯ୍ୟଦେବ ଯେତେବେଳେ ଇନ୍ଦ୍ରଙ୍କ ପୁରୀରୁ ଯମରାଜଙ୍କ ପୁରୀକୁ ଯାଆନ୍ତି, ସେତେବେଳେ ସେ ଅଢ଼ାଇ କୋଟି ସାଢ଼େ ବାର ଲକ୍ଷ ଯୋଜନରୁ ପଚିଶ ହଜାର ଯୋଜନ ଅଧିକ ଗତି କରିଥାଆନ୍ତି |

ଏବଂ ତତୋ ବାରୁଣୀଂ ସୌମ୍ୟାମୈନ୍ଦ୍ରୀଂ ଚ ପୁନସ୍ତଥାନ୍ୟେ ଚ

ଗ୍ରହାଃ ସୋମାଦୟୋ ନକ୍ଷତ୍ରୈଃ ସହ ଜ୍ୟୋତିଶ୍ଚକ୍ରେ ସମ-

ଭ୍ୟୁଦ୍ୟନ୍ତି ସହ ବା ନିମ୍ଲୋଚନ୍ତି ॥ ୧୧॥

ଏହି କ୍ରମରେ ସେ ବରୁଣ ଏବଂ ଚନ୍ଦ୍ରମାଙ୍କ ପୁରୀ ଅତିକ୍ରମ କରି ପୁନର୍ବାର ଇନ୍ଦ୍ରପୁରୀରେ ପହଞ୍ଚନ୍ତି | ଏହିପରି ଭାବରେ ଚନ୍ଦ୍ରମା ଏବଂ ଅନ୍ୟ ଗ୍ରହମାନେ ମଧ୍ୟ ଜ୍ୟୋତିଶ୍ଚକ୍ରର ଅନ୍ୟ ନକ୍ଷତ୍ରମାନଙ୍କ ସହିତ ଉଦିତ ଏବଂ ଅସ୍ତ ହେଉଥାଆନ୍ତି |

ଏବଂ ମୁହୂର୍ତେନ ଚତୁସ୍ତ୍ରିଂଶଲ୍ଲକ୍ଷୟୋଜନାନ୍ୟଷ୍ଟଶତାଧିକାନି

ସୌରୋ ରଥସ୍ତ୍ରୟୀମୟୋଽସୌଚତସୃଷୁ ପରିବର୍ତତେ ପୁରୀଷୁ ॥ ୧୨॥

ଏହିରୂପେ ଭଗବାନ ସୂର୍ଯ୍ୟଙ୍କର ବେଦମୟ ରଥ ଏକ ମୁହୂର୍ତ୍ତରେ ଚୌତିରିଶ ଲକ୍ଷ ଆଠ ଶହ ଯୋଜନ ହିସାବରେ ଗତି କରି ଏହି ଚାରୋଟି ପୁରୀରେ ଘୂରିବାରେ ଲାଗିଥାଏ |

ଯସ୍ୟୈକଂ ଚକ୍ରଂ ଦ୍ୱାଦଶାରଂ ଷଣ୍ନେମି ତ୍ରିଣାଭି ସମ୍ବତ୍ସରାତ୍ମକଂ

ସମାମନନ୍ତି ତସ୍ୟାକ୍ଷୋ ମେରୋର୍ମୂର୍ଧନି କୃତୋ ମାନସୋତ୍ତରେ

କୃତେତରଭାଗୋ ଯତ୍ର ପ୍ରୋତଂ ରବିରଥଚକ୍ରଂ ତୈଲୟନ୍ତ୍ରଚକ୍ରବଦ୍ଭ୍ରମନ୍

ମାନସୋତ୍ତରଗିରୌ ପରିଭ୍ରମତି ॥ ୧୩॥

ଏହାର ସମ୍ବତ୍ସର ନାମକ ଏକ ଚକ ରହିଛି | ସେଥିରେ ମାସରୂପ ବାରଟି ଅର, ଋତୁରୂପ ଛଅଟି ହାଲ, ତିନୋଟି ଚତୁର୍ମାସରୂପ ନାଭି ଅଛି | ଏହି ରଥର ଧୁରିର ଗୋଟିଏ ସିରା ମେରୁପର୍ବତର ଶିଖରରେ ରହିଛି ଏବଂ ଅନ୍ୟ ସିରା ମାନସୋତ୍ତର ପର୍ବତ ଉପରେ ରହିଛି | ଏଥିରେ ଲାଗିଥିବା ଚକ ଘଣାଚକ ପରି ମାନସୋତ୍ତର ପର୍ବତ ଉପର ଚତୁର୍ପାର୍ଶ୍ବରେ ଘୂରି ବୁଲୁଥାଏ |

ତସ୍ମିନ୍ନକ୍ଷେ କୃତମୂଲୋ ଦ୍ୱିତୀୟୋଽକ୍ଷସ୍ତୁର୍ୟମାନେନ

ସମ୍ମିତସ୍ତୈଲୟନ୍ତ୍ରାକ୍ଷବଦ୍ଧ୍ରୁବେ କୃତୋପରିଭାଗଃ ॥ ୧୪॥

ଏହି ଧୁରୀରେ – ଯାହାର ମୂଳ ଭାଗ ସ୍ଥିର ରହିଥାଏ, ସେପରି ଏକ ଧୁରୀ ଅଛି | ଦୈର୍ଘ୍ୟରେ ତାହା ଏହାର ଏକ ଚତୁର୍ଥାଂଶ ଅଟେ | ଏହାର ଉର୍ଦ୍ଧ୍ବ ଭାଗ ତୈଳଯନ୍ତ୍ରର ଧୁରି ପରି ଉପରକୁ ଧ୍ରୁବଲୋକରେ ଲାଗିଥାଏ |

ରଥନୀଡସ୍ତୁ ଷଟ୍ତ୍ରିଂଶଲ୍ଲକ୍ଷୟୋଜନାୟତସ୍ତତ୍ତୁରୀୟଭାଗ-

ବିଶାଲସ୍ତାବାନ୍ ରବିରଥୟୁଗୋ ଯତ୍ର ହୟାଶ୍ଛନ୍ଦୋ

ନାମାନଃ ସପ୍ତାରୁଣୟୋଜିତା ବହନ୍ତି ଦେବମାଦିତ୍ୟମ୍ ॥ ୧୫॥

ଏହି ରଥରେ ବସିବା ସ୍ଥାନର ଦୈର୍ଘ୍ୟ ଛତିଶ ଲକ୍ଷ ଯୋଜନ ଏବଂ ପ୍ରସ୍ଥ ନଅ ଲକ୍ଷ ଯୋଜନ ଅଟେ | ଏହାର ଜୂଆଳି ମଧ୍ୟ ଛତିଶ ଲକ୍ଷ ଯୋଜନ ଲମ୍ବା ଅଟେ | ସେଥିରେ ଅରୁଣ ନାମକ ସାରଥି, ଗାୟତ୍ରୀ ଆଦି ଛନ୍ଦ ନାମଧାରୀ ସାତଟି ଘୋଡା ଯୋଚିଛନ୍ତି | ସେ ହିଁ ଭଗବାନ ସୂର୍ଯ୍ୟଦେବଙ୍କୁ ରଥରେ ବସାଇ ଭ୍ରମଣ କରାନ୍ତି |

ପୁରସ୍ତାତ୍ସବିତୁରରୁଣଃ ପଶ୍ଚାଚ୍ଚ ନିୟୁକ୍ତଃ ସୌତ୍ୟେ

କର୍ମଣି କିଲାସ୍ତେ ॥ ୧୬॥

ସୂର୍ଯ୍ୟଦେବଙ୍କ ସମ୍ମୁଖରେ ତାଙ୍କ ଅଭିମୁଖରେ ମୁହଁ କରି ବସି ଅରୁଣ ତାଙ୍କ ସାରଥିର କାର୍ଯ୍ୟ କରନ୍ତି |

ତଥା ବାଲିଖିଲ୍ୟା ଋଷୟୋଙ୍ଗୁଷ୍ଠପର୍ୱମାତ୍ରାଃ ଷଷ୍ଟିସହସ୍ରାଣି

ପୁରତଃ ସୂର୍ୟଂ ସୂକ୍ତବାକାୟ ନିୟୁକ୍ତାଃ ସଂସ୍ତୁବନ୍ତି ॥ ୧୭॥

ଭଗବାନ ସୂର୍ଯ୍ୟଦେବଙ୍କ ଆଗରେ ଅଙ୍ଗୁଷ୍ଠି-ପୋର ଆକାରର ବାଲଖିଲ୍ୟାଦି ଷାଠିଏ ହଜାର ଋଷି ସ୍ବସ୍ତିବାଚନ ନିମନ୍ତେ ନିଯୁକ୍ତ ରହିଥାଆନ୍ତି, ଯେଉଁମାନେ ତାଙ୍କର ସ୍ତୁତି କରୁଥାଆନ୍ତି |

ତଥାନ୍ୟେ ଚ ଋଷୟୋ ଗନ୍ଧର୍ୱାପ୍ସରସୋ ନାଗା ଗ୍ରାମଣ୍ୟୋ

ଯାତୁଧାନା ଦେବା ଇତ୍ୟେକୈକଶୋ ଗଣାଃ ସପ୍ତଚତୁର୍ଦଶ

ମାସି ମାସି ଭଗବନ୍ତଂ ସୂର୍ୟମାତ୍ମାନଂ ନାନାନାମାନଂ

ପୃଥଙ୍ନାନାନାମାନଃ ପୃଥକ୍କର୍ମଭିର୍ଦ୍ୱନ୍ଦ୍ୱଶ ଉପାସତେ ॥ ୧୮॥

ଏମାନଙ୍କ ବ୍ୟତିତ ଋଷି, ଗନ୍ଧର୍ବ, ଅପସରା, ନାଗ, ଯକ୍ଷ, ରାକ୍ଷସ ଏବଂ ଦେବତା – ଯେଉଁମାନଙ୍କର ସମୁଦାୟ ସଂଖ୍ୟା ଚଉଦ ଅଟେ, କିନ୍ତୁ ଯୋଡାରେ ରହିଥିବା କାରଣରୁ ଯେଉଁମାନଙ୍କୁ ସାତ ଗଣ କୁହାଯାଏ – ପ୍ରତ୍ୟେକ ମାସରେ ଭିନ୍ନ ଭିନ୍ନ ନାମଯୁକ୍ତ ହୋଇ ନିଜର ଭିନ୍ନ ଭିନ୍ନ କର୍ମ ଦ୍ବାରା ପ୍ରତ୍ୟେକ ମାସରେ ଭିନ୍ନ ଭିନ୍ନ ନାମ ଧାରଣ କରୁଥିବା ଆତ୍ମସ୍ବରୂପ ଭଗବାନ ସୂର୍ଯ୍ୟଦେବଙ୍କର ଯୋଡରେ ଉପାସନା କରନ୍ତି |

ଲକ୍ଷୋତ୍ତରଂ ସାର୍ଧନବକୋଟିୟୋଜନପରିମଣ୍ଡଲଂ

ଭୂବଲୟସ୍ୟ କ୍ଷଣେନ ସଗବ୍ୟୂତ୍ୟୁତ୍ତରଂ ଦ୍ୱିସହସ୍ରୟୋଜନାନି

ସ ଭୁଙ୍କ୍ତେ ॥ ୧୯॥

ଏହିପରି ଭାବରେ ଭଗବାନ ସୂର୍ଯ୍ୟଦେବ ଭୂମଣ୍ଡଳର ନଅ କୋଟି ଏକାବନ ଲକ୍ଷ ଯୋଜନ ପରିଧିର ଦୁଇ ହଜାର ଦୁଇ ଯୋଜନ ଦୂରତା ପ୍ରତି କ୍ଷଣ ଅତିକ୍ରମ କରିଥାଆନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରସୂର୍ୟରଥମଣ୍ଡଲବର୍ଣନଂ

ନମୈକବିଂଶୋଽଧ୍ୟାୟଃ ॥ ୨୧॥

 

Comments

Popular posts from this blog