ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଦ୍ବାବିଂଶ ଅଧ୍ୟାୟ

ଭିନ୍ନ ଭିନ୍ନ ଗ୍ରହଙ୍କର ସ୍ଥିତି ଏବଂ ଗତିର ବର୍ଣ୍ଣନ

 

ରାଜୋବାଚ

ଯଦେତଦ୍ଭଗବତ ଆଦିତ୍ୟସ୍ୟ ମେରୁଂ ଧ୍ରୁବଂ ଚ ପ୍ରଦକ୍ଷିଣେନ

ପରିକ୍ରାମତୋ ରାଶୀନାମଭିମୁଖଂ ପ୍ରଚଲିତଂ ଚାପ୍ରଦକ୍ଷିଣଂ

ଭଗବତୋପବର୍ଣିତମମୁଷ୍ୟ ବୟଂ କଥମନୁମିମୀମହୀତି ॥ ୧॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ଆପଣ ଯାହା କହିଲେ ଯେ ଯଦିଓ ରାଶିମାନଙ୍କ ଅଭିମୁଖରେ ଗତି କରୁଥିବା ସମୟରେ ସୂର୍ଯ୍ୟଦେବ ମେରୁ ଏବଂ ଧ୍ରୁବଙ୍କୁ ଦକ୍ଷିଣରେ ରଖି ଚାଲିବା ପରି ମନେହୁଅନ୍ତି, କିନ୍ତୁ ବାସ୍ତବରେ ତାଙ୍କର ଗତି ଦକ୍ଷିଣାବର୍ତ୍ତ ହୋଇ ନ ଥାଏ – ଏହା ଆମେ କିପରି ବୁଝିବୁ ?

ସ ହୋବାଚ

ଯଥା କୁଲାଲଚକ୍ରେଣ ଭ୍ରମତା ସହ ଭ୍ରମତାଂ ତଦାଶ୍ରୟାଣାଂ

ପିପୀଲିକାଦୀନାଂ ଗତିରନ୍ୟୈବ ପ୍ରଦେଶାନ୍ତରେଷ୍ୱପ୍ୟୁପଲଭ୍ୟ-

ମାନତ୍ୱାଦେବଂ ନକ୍ଷତ୍ରରାଶିଭିରୁପଲକ୍ଷିତେନ କାଲଚକ୍ରେଣ ଧ୍ରୁବଂ

ମେରୁଂ ଚ ପ୍ରଦକ୍ଷିଣେନ ପରିଧାବତା ସହ ପରିଧାବମାନାନାଂ

ତଦାଶ୍ରୟାଣାଂ ସୂର୍ୟାଦୀନାଂ ଗ୍ରହାଣାଂ ଗତିରନ୍ୟୈବ ନକ୍ଷତ୍ରାନ୍ତରେ

ରାଶ୍ୟନ୍ତରେ ଚୋପଲଭ୍ୟମାନତ୍ୱାତ୍ ॥ ୨॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! କୁମ୍ଭାରର ଘୂର୍ଣ୍ଣନଶୀଳ ଚକ୍ର ଉପରେ ବସି ତା ସହିତ ଘୂରି ବୁଲୁଥିବା ଜନ୍ଦା ଆଦିଙ୍କର ଗତି ଯେପରି ଚକ୍ରର ଗତିଠାରୁ ଭିନ୍ନ ହୋଇଥାଏ କାରଣ ସେମାନେ ଭିନ୍ନ ଭିନ୍ନ ସମୟରେ ସେହି ଚକ୍ରର ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳନ୍ତି, ସେହିପରି ନକ୍ଷତ୍ର ଏବଂ ରାଶିମାନଙ୍କ ଦ୍ବାରା ଉପଲକ୍ଷିତ କାଳଚକ୍ରରେ ପଡି ଧ୍ରୁବ ଏବଂ ମେରୁକୁ ଦକ୍ଷିଣ ପାର୍ଶ୍ବରେ ରଖି ଘୂରି ବୁଲୁଥିବା ସୂର୍ଯ୍ୟ ଆଦି ଗ୍ରହମାନଙ୍କର ଗତି ବାସ୍ତବରେ ତାଠାରୁ ଭିନ୍ନ ହିଁ ଅଟେ, କାରଣ କାଳଭେଦରେ ସେ ଭିନ୍ନ ଭିନ୍ନ ରାଶି ଏବଂ ନକ୍ଷତ୍ରରେ ଦେଖିବାକୁ ମିଳନ୍ତି |

ସ ଏଷ ଭଗବାନାଦିପୁରୁଷ ଏବ ସାକ୍ଷାନ୍ନାରାୟଣୋ

ଲୋକାନାଂ ସ୍ୱସ୍ତୟ ଆତ୍ମାନଂ ତ୍ରୟୀମୟଂ କର୍ମବିଶୁଦ୍ଧି-

ନିମିତ୍ତଂ କବିଭିରପି ଚ ବେଦେନ ବିଜିଜ୍ଞାସ୍ୟମାନୋ

ଦ୍ୱାଦଶଧା ବିଭଜ୍ୟ ଷଟ୍ସୁ ବସନ୍ତାଦିଷ୍ୱୃତୁଷୁ

ଯଥୋପଜୋଷମୃତୁଗୁଣାନ୍ ବିଦଧାତି ॥ ୩॥

ବେଦ ଏବଂ ବିଦ୍ବାନମାନେ ଯାହାର ଗତି ଜାଣିବା ନିମନ୍ତେ ଉତ୍ସୁକ ରହନ୍ତି, ସେହି ସାକ୍ଷାତ୍ ଆଦିପୁରୁଷ ଭଗବାନ ନାରାୟଣ ହିଁ ଜୀବକଲ୍ୟାଣ ଏବଂ କର୍ମ-ଶୁଦ୍ଧି ନିମନ୍ତେ ନିଜ ବେଦମୟ ବିଗ୍ରହ କାଳକୁ ବାର ମାସରେ ବିଭକ୍ତ କରି ବସନ୍ତାଦି ଛଅ ଋତୁରେ ସେମାନଙ୍କର ଯଥାଯୋଗ୍ୟ ଗୁଣର ବିଧାନ କରନ୍ତି |

ତମେତମିହ ପୁରୁଷାସ୍ତ୍ରୟ୍ୟା ବିଦ୍ୟଯା ବର୍ଣାଶ୍ରମା-

ଚାରାନୁପଥା ଉଚ୍ଚାବଚୈଃ କର୍ମଭିରାମ୍ନାତୈର୍ୟୋଗବିତାନୈଶ୍ଚ

ଶ୍ରଦ୍ଧୟା ଯଜନ୍ତୋଽଞ୍ଜସା ଶ୍ରେୟଃ ସମଧିଗଚ୍ଛନ୍ତି ॥ ୪॥

ଏହି ଲୋକରେ ବର୍ଣ୍ଣାଶ୍ରମଧର୍ମର ଅନୁସରଣ କରୁଥିବା ପୁରୁଷ ବେଦତ୍ରୟୀ-ପ୍ରତିପାଦିତ ଛୋଟ-ବଡ କର୍ମ ଦ୍ବାରା ଇନ୍ଦ୍ରାଦି ଦେବତାଙ୍କ ରୂପରେ ଏବଂ ଯୋଗ ସାଧନା ଦ୍ବାରା ଅନ୍ତର୍ଯ୍ୟାମୀରୂପରେ ତାଙ୍କର ଶ୍ରଦ୍ଧାପୂର୍ବକ ଆରାଧନା କରି ସୁଗମତାରେ ପରମ ପଦକୁ ପ୍ରାପ୍ତ କରିପାରନ୍ତି |

ଅଥ ସ ଏଷ ଆତ୍ମା ଲୋକାନାଂ ଦ୍ୟାବାପୃଥିବ୍ୟୋରନ୍ତରେଣ

ନଭୋବଲୟସ୍ୟ କାଲଚକ୍ରଗତୋ ଦ୍ୱାଦଶମାସାନ୍ ଭୁଙ୍କ୍ତେ

ରାଶିସଞ୍ଜ୍ଞାନ୍ ସମ୍ବତ୍ସରାବୟବାନ୍ ମାସଃ ପକ୍ଷଦ୍ୱୟଂ ଦିବା

ନକ୍ତଂ ଚେତି ସପାଦର୍କ୍ଷଦ୍ୱୟମୁପଦିଶନ୍ତି ଯାବତା ଷଷ୍ଠମଂଶଂ

ଭୁଞ୍ଜୀତ ସ ବୈ ଋତୁରିତ୍ୟୁପଦିଶ୍ୟତେ ସମ୍ବତ୍ସରାବୟବଃ ॥ ୫॥

ଭଗବାନ ସୂର୍ଯ୍ୟ ସମ୍ପୂର୍ଣ୍ଣ ଲୋକର ଆତ୍ମା ଅଟନ୍ତି | ସେ ପୃଥିବୀ ଏବଂ ଦ୍ୟୁଲୋକ ମଧ୍ୟରେ ସ୍ଥିତ ଆକାଶମଣ୍ଡଳ ଭିତରେ କାଳଚକ୍ରରେ ସ୍ଥିତ ରହି ବାର ମାସ ଭୋଗ କରନ୍ତି, ଯାହା ସମ୍ବତ୍ସରର ଅବୟବ ଅଟେ ଏବଂ ମେଷ ଆଦି ରାଶି ନାମରେ ପ୍ରସିଦ୍ଧ ଅଟେ | ଏଥି ମଧ୍ୟରୁ ପ୍ରତ୍ୟେକ ମାସରେ ଚନ୍ଦ୍ରମାନ ଅନୁସାରେ ଶୁକ୍ଲ ଏବଂ କୃଷ୍ଣ ଦୁଇ ପକ୍ଷ, ପିତୃମାନ ଅନୁସାରେ ଏକ ରାତି ଏବଂ ଏକ ଦିନ ତଥା ସୌରମାନ ଅନୁସାରେ ଅଢ଼ାଇ ନକ୍ଷତ୍ର କୁହାଯାଏ | ଯେତିକି ସମୟରେ ସୂର୍ଯ୍ୟଦେବ ଏହି ସମ୍ବତ୍ସରର ଏକ ଷଷ୍ଠାଂଶ ଭୋଗ କରନ୍ତି ତାହାକୁ ସେହି ଅବୟବର ଋତୁ କୁହାଯାଏ |

ଅଥ ଚ ଯାବତାର୍ଧେନ ନଭୋବୀଥ୍ୟାଂ ପ୍ରଚରତି ତଂ

କାଲମୟନମାଚକ୍ଷତେ ॥ ୬॥

ଆକାଶରେ ଭଗବାନ ସୂର୍ଯ୍ୟଙ୍କ ସମ୍ପୂର୍ଣ୍ଣ ମାର୍ଗର ଅର୍ଦ୍ଧେକ ଭାଗ ସେ ଯେତିକି ସମୟରେ ଅତିକ୍ରମ କରନ୍ତି, ତାହାକୁ ଏକ ‘ଅୟନ କହନ୍ତି |

ଅଥ ଚ ଯାବନ୍ନଭୋମଣ୍ଡଲଂ ସହ ଦ୍ୟାବାପୃଥିବ୍ୟୋ-

ର୍ମଣ୍ଡଲାଭ୍ୟାଂ କାର୍ତ୍ସ୍ନ୍ୟେନ ସ ହ ଭୁଞ୍ଜୀତ ତଂ କାଲଂ

ସମ୍ବତ୍ସରଂ ପରିବତ୍ସରମିଡାବତ୍ସରମନୁବତ୍ସରଂ

ବତ୍ସରମିତି ଭାନୋର୍ମାନ୍ଦ୍ୟଶୈଘ୍ର୍ୟସମଗତିଭିଃ

ସମାମନନ୍ତି ॥ ୭॥

ତଥା ଯେତିକି ସମୟରେ ସେ ନିଜର ମନ୍ଦ, ତୀବ୍ର ଏବଂ ସମାନ ଗତିରେ ସ୍ବର୍ଗ ଏବଂ ପୃଥ୍ବୀମଣ୍ଡଳ ସହିତ ପୂରା ଆକାଶର ପରିକ୍ରମା କରିଥାଆନ୍ତି, ତାହାକୁ ଅବାନ୍ତର ଭେଦରେ ସମ୍ବତ୍ସର, ପରିବତ୍ସର, ଇଡାବତ୍ସର, ଅନୁବତ୍ସର ଅଥବା ବତ୍ସର କହନ୍ତି |

ଏବଂ ଚନ୍ଦ୍ରମା ଅର୍କଗଭସ୍ତିଭ୍ୟ ଉପରିଷ୍ଟାଲ୍ଲକ୍ଷୟୋଜନତ

ଉପଲଭ୍ୟମାନୋଽର୍କସ୍ୟ ସମ୍ବତ୍ସରଭୁକ୍ତିଂ ପକ୍ଷାଭ୍ୟାଂ

ମାସଭୁକ୍ତିଂ ସପାଦର୍କ୍ଷାଭ୍ୟାଂ ଦିନେନୈବ ପକ୍ଷଭୁକ୍ତିମଗ୍ରଚାରୀ

ଦ୍ରୁତତରଗମନୋ ଭୁଙ୍କ୍ତେ ॥ ୮॥

ସୂର୍ଯ୍ୟଙ୍କ କିରଣର ଏକ ଲକ୍ଷ ଯୋଜନ ଉପରେ ଚନ୍ଦ୍ରମା ରହିଛନ୍ତି | ଏହାର ଗତି ବହୁତ ତେଜ ଅଟେ, ସେଥିପାଇଁ ଏହା ସବୁ ନକ୍ଷତ୍ରଙ୍କ ଆଗରେ ରହିଥାଆନ୍ତି | ଏହା ସୂର୍ଯ୍ୟଙ୍କର ଏକ ବର୍ଷର ମାର୍ଗକୁ ଏକ ମାସରେ, ଏକ ମାସର ମାର୍ଗକୁ ଅଢ଼ାଇ ଦିନରେ ଏବଂ ଏକ ପକ୍ଷର ମାର୍ଗକୁ ଏକ ଦିନରେ ହିଁ ପାର କରିଯାଆନ୍ତି |

ଅଥ ଚାପୂର୍ୟମାଣାଭିଶ୍ଚ କଲାଭିରମରାଣାଂ

କ୍ଷୀୟମାଣାଭିଶ୍ଚ କଲାଭିଃ ପିତୄଣାମହୋରାତ୍ରାଣି

ପୂର୍ୱପକ୍ଷାପରପକ୍ଷାଭ୍ୟାଂ ବିତନ୍ୱାନଃ ସର୍ୱଜୀବ-

ନିବହପ୍ରାଣୋ ଜୀବଶ୍ଚୈକମେକଂ ନକ୍ଷତ୍ରଂ ତ୍ରିଂଶତା

ମୁହୂର୍ତୈର୍ଭୁଙ୍କ୍ତେ ॥ ୯॥

ସେ କୃଷ୍ଣପକ୍ଷରେ କ୍ଷୟ ପ୍ରାପ୍ତ ହେଉଥିବା କଳାରେ ପିତୃଗଣଙ୍କର ଏବଂ ଶୁକ୍ଲପକ୍ଷରେ ବୃଦ୍ଧି ଲାଭ କରୁଥିବା କଳାରେ ଦେବତାମାନଙ୍କର ଦିନ-ରାତିର ବିଭାଜନ କରନ୍ତି ତଥା ତିରିଶ-ତିରିଶ ମୁହୂର୍ତ୍ତରେ ଗୋଟିଏ-ଗୋଟିଏ ନକ୍ଷତ୍ର ଅତିକ୍ରମ କରନ୍ତି | ଅନ୍ନମୟ ଏବଂ ଅମୃତମୟ ହୋଇଥିବା କାରଣରୁ ସେ ସମସ୍ତ ଜୀବଙ୍କର ପ୍ରାଣ ଏବଂ ଜୀବନ ଅଟନ୍ତି |

ଯ ଏଷ ଷୋଡଶକଲଃ ପୁରୁଷୋ ଭଗବାନ୍ ମନୋମୟୋ-

ଽନ୍ନମୟୋଽମୃତମୟୋ ଦେବପିତୃମନୁଷ୍ୟଭୂତପଶୁପକ୍ଷି-

ସରୀସୃପବୀରୁଧାଂ ପ୍ରାଣାପ୍ୟାୟନଶୀଲତ୍ୱାତ୍ସର୍ୱମୟ

ଇତି ବର୍ଣୟନ୍ତି ॥ ୧୦॥

ଏହି ଷୋଳ କଳାଯୁକ୍ତ ମନୋମୟ, ଅନ୍ନମୟ, ଅମୃତମୟ ପୁରୁଷସ୍ବରୂପ ଭଗବାନ ଚନ୍ଦ୍ରମା ହିଁ ଦେବତା, ପିତର, ମନୁଷ୍ୟ, ଭୂତ, ପଶୁ-ପକ୍ଷୀ, ସରୀସୃପ ଏବଂ ବୃକ୍ଷାଦି ସମସ୍ତ ପ୍ରାଣୀଙ୍କର ପ୍ରାଣର ପୋଷଣ କରନ୍ତି; ସେଥିପାଇଁ ତାଙ୍କୁ ‘ସର୍ବମୟ କୁହାଯାଏ |

ତତ ଉପରିଷ୍ଟାତ୍ତ୍ରିଲକ୍ଷୟୋଜନତୋ ନକ୍ଷତ୍ରାଣି ମେରୁଂ

ଦକ୍ଷିଣେନୈବ କାଲାୟନ ଈଶ୍ୱରୟୋଜିତାନି

ସହାଭିଜିତାଷ୍ଟାବିଂଶତିଃ ॥ ୧୧॥

ଚନ୍ଦ୍ରମାଠାରୁ ତିନି ଲକ୍ଷ ଯୋଜନ ଉପରେ ଅଭିଜିତଙ୍କ ସହିତ ଅଠାଇଶ ନକ୍ଷତ୍ର ରହିଛନ୍ତି | ଭଗବାନ ଏମାନଙ୍କୁ କାଳଚକ୍ରରେ ନିଯୁକ୍ତ କରି ରଖିଛନ୍ତି, ଅତଏବ ଏମାନେ ମେରୁକୁ ଦକ୍ଷିଣରେ ରଖି ଘୂରିବାରେ ଲାଗିଥାଆନ୍ତି |

ତତ ଉପରିଷ୍ଟାଦୁଶନା ଦ୍ୱିଲକ୍ଷୟୋଜନତ ଉପଲଭ୍ୟତେ

ପୁରତଃ ପଶ୍ଚାତ୍ସହୈବ ବାର୍କସ୍ୟ ଶୈଘ୍ର୍ୟମାନ୍ଦ୍ୟସାମ୍ୟାଭି-

ର୍ଗତିଭିରର୍କବଚ୍ଚରତି ଲୋକାନାଂ ନିତ୍ୟଦାନୁକୂଲ ଏବ

ପ୍ରାୟେଣ ବର୍ଷୟଂଶ୍ଚାରେଣାନୁମୀୟତେ ସ ବୃଷ୍ଟିବିଷ୍ଟମ୍ଭ-

ଗ୍ରହୋପଶମନଃ ॥ ୧୨॥

ଏମାନଙ୍କଠାରୁ ଦୁଇ ଲକ୍ଷ ଯୋଜନ ଉପରେ ଶୁକ୍ର ଦେଖିବାକୁ ମିଳିଥାଏ | ସୂର୍ଯ୍ୟଙ୍କର ଶୀଘ୍ର, ମନ୍ଦ ଏବଂ ସମାନ ଗତି ଅନୁସାରେ ଏହା କେତେବେଳେ ତାଙ୍କ ଆଗରେ, କେତେବେଳେ ପଛରେ ଏବଂ କେତେବେଳେ ତାଙ୍କ ସହିତ ଚାଲିଥାଏ | ଏହା ବର୍ଷା କରାଇବା ଗ୍ରହ ଅଟେ, ସେଥିପାଇଁ ପ୍ରାୟତଃ ଏହା ଲୋକଙ୍କର ଅନୁକୂଳ ରହିଥାଏ | ଏହାର ଗତିରୁ ଏପରି ଅନୁମାନ କରାଯାଇ ଥାଏ ଯେ ଏହା ବର୍ଷାରୋଧକ ଗ୍ରହମାନଙ୍କୁ ଶାନ୍ତ କରିଦିଏ |

ଉଶନସା ବୁଧୋ ବ୍ୟାଖ୍ୟାତସ୍ତତ ଉପରିଷ୍ଟାଦ୍ଦ୍ୱିଲକ୍ଷ-

ଯୋଜନତୋ ବୁଧଃ ସୋମସୁତ ଉପଲଭ୍ୟମାନଃପ୍ରାୟେଣ

ଶୁଭକୃଦ୍ୟଦାର୍କାଦ୍ୱ୍ୟତିରିଚ୍ୟେତ ତଦାତିବାତାଭ୍ରପ୍ରାୟା-

ନାବୃଷ୍ଟ୍ୟାଦି ଭୟମାଶଂସତେ ॥ ୧୩॥

ଶୁକ୍ରର ଗତି ସହିତ ସମାନ ବୁଧର ଗତି ଅଟେ | ଏହା ଚନ୍ଦ୍ରମାଙ୍କର ପୁତ୍ର ଅଟେ ଏବଂ ଶୁକ୍ରଠାରୁ ଦୁଇ ଲକ୍ଷ ଯୋଜନ ଉପରେ ଥାଏ | ଏହା ପ୍ରାୟତଃ ମଙ୍ଗଳକାରୀ ହିଁ ଅଟେ; କିନ୍ତୁ ଯେତେବେଳେ ଏହା ସୂର୍ଯ୍ୟଙ୍କର ଗତିକୁ ଉଲ୍ଲଂଘନ କରି ଚାଲେ, ସେତେବେଳେ ଏହା ବହୁତ ଅଧିକ ବାତ୍ୟା, ବର୍ଷା ଏବଂ ମରୁଡିର ସୂଚନା ଦେଇଥାଏ |

ଅତ ଊର୍ଧ୍ୱମଙ୍ଗାରକୋଽପି ଯୋଜନଲକ୍ଷଦ୍ୱିତୟ

ଉପଲଭ୍ୟମାନସ୍ତ୍ରିଭିସ୍ତ୍ରିଭିଃ ପକ୍ଷୈରେକୈକଶୋ

ରାଶୀନ୍ ଦ୍ୱାଦଶାନୁଭୁଙ୍କ୍ତେ ଯଦି ନ ବକ୍ରେଣାଭିବର୍ତତେ

ପ୍ରାୟେଣାଶୁଭଗ୍ରହୋଽଘଶଂସଃ ॥ ୧୪॥

ଏହାର ଦୁଇ ଲକ୍ଷ ଯୋଜନ ଉପରେ ମଙ୍ଗଳ ରହିଛି | ଏହା ବକ୍ରଗତିରେ ନ ଚାଲି, ଗୋଟିଏ-ଗୋଟିଏ ରାଶିକୁ ତିନି-ତିନି ପକ୍ଷ ଭୋଗ କରି ବାରଟି ରାଶିକୁ ପାର କରିଯାଏ | ଏହା ଅଶୁଭ ଗ୍ରହ ଅଟେ ଏବଂ ପ୍ରାୟତଃ ଅମଙ୍ଗଳସୂଚକ ଅଟେ |

ତତ ଉପରିଷ୍ଟାଦ୍ଦ୍ୱିଲକ୍ଷୟୋଜନାନ୍ତରଗତୋ

ଭଗବାନ୍ ବୃହସ୍ପତିରେକୈକସ୍ମିନ୍ ରାଶୌ

ପରିବତ୍ସରଂ ପରିବତ୍ସରଂ ଚରତି ଯଦି ନ ବକ୍ରଃ

ସ୍ୟାତ୍ପ୍ରାୟେଣାନୁକୂଲୋ ବ୍ରାହ୍ମଣକୁଲସ୍ୟ ॥ ୧୫॥

ଏହା ଉପରେ ଦୁଇ ଲକ୍ଷ ଯୋଜନ ଦୂରତାରେ ଭଗବାନ ବୃହଷ୍ପତି ସ୍ଥିତ | ସେ ଯଦି ବକ୍ରଗତିରେ ନ ଚାଲନ୍ତି, ତେବେ ପ୍ରତ୍ୟେକ ରାଶିକୁ ଏକ-ଏକ ବର୍ଷ ଭୋଗ କରନ୍ତି | ସେ ପ୍ରାୟ ବ୍ରାହ୍ମଣକୁଳ ନିମନ୍ତେ ଅନୁକୂଳ ଅଟନ୍ତି |

ତତ ଉପରିଷ୍ଟାଦ୍ୟୋଜନଲକ୍ଷଦ୍ୱୟାତ୍ପ୍ରତୀୟମାନଃ

ଶନୈଶ୍ଚର ଏକୈକସ୍ମିନ୍ ରାଶୌ ତ୍ରିଂଶନ୍ମାସାନ୍

ବିଲମ୍ବମାନଃ ସର୍ୱାନେବାନୁପର୍ୟେତି ତାବଦ୍ଭି-

ରନୁବତ୍ସରୈଃ ପ୍ରାୟେଣ ହି ସର୍ୱେଷାମଶାନ୍ତିକରଃ ॥ ୧୬॥

ବୃହଷ୍ପତିଙ୍କର ଦୁଇ ଲକ୍ଷ ଯୋଜନ ଉପରେ ଶନୈଶ୍ଚର ଦେଖାଯାଆନ୍ତି | ସେ ଗୋଟିଏ-ଗୋଟିଏ ରାଶିରେ ତିରିଶ ମାସ ରହନ୍ତି | ସେଥିପାଇଁ ତାଙ୍କୁ ସବୁ ରାଶି ପାର କରିବାକୁ ତିରିଶ ବର୍ଷ ଲାଗିଯାଏ | ସେ ପ୍ରାୟ ସମସ୍ତଙ୍କ ପାଇଁ ଅଶାନ୍ତିକାରକ ଅଟନ୍ତି |

ତତ ଉତ୍ତରସ୍ମାଦୃଷୟ ଏକାଦଶଲକ୍ଷୟୋଜନାନ୍ତର

ଉପଲଭ୍ୟନ୍ତେ ଯ ଏବ ଲୋକାନାଂ ଶମନୁଭାବୟନ୍ତୋ

ଭଗବତୋ ବିଷ୍ଣୋର୍ୟତ୍ପରମଂ ପଦଂ ପ୍ରଦକ୍ଷିଣଂ ପ୍ରକ୍ରମନ୍ତି ॥ ୧୭॥

ତାଙ୍କ ଉପରକୁ ଏଗାର ଲକ୍ଷ ଯୋଜନ ଦୂରତାରେ କଶ୍ୟପାଦି ସପ୍ତର୍ଷି ଦେଖାଯାଆନ୍ତି | ଏମାନେ ସମସ୍ତେ ଲୋକଙ୍କର ମଙ୍ଗଳକାମନା କରି ଭଗବାନ ବିଷ୍ଣୁଙ୍କର ପରମ ପଦ ଧ୍ରୁବଲୋକର ପ୍ରଦକ୍ଷିଣା କରୁଥାଆନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରବର୍ଣନେ ଦ୍ୱାବିଂଶୋଽଧ୍ୟାୟଃ ॥ ୨୨॥

Comments

Popular posts from this blog