ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ଷୋଡଶ ଅଧ୍ୟାୟ
ଭୁବନକୋଶର ବର୍ଣ୍ଣନ
ରାଜୋବାଚ
ଉକ୍ତସ୍ତ୍ୱୟା ଭୂମଣ୍ଡଲାୟାମବିଶେଷୋ ଯାବଦାଦିତ୍ୟ-
ସ୍ତପତି ଯତ୍ର ଚାସୌ ଜ୍ୟୋତିଷାଂ ଗଣୈଶ୍ଚନ୍ଦ୍ରମା ବା
ସହ ଦୃଶ୍ୟତେ ॥ ୧॥
ରାଜା ପରୀକ୍ଷିତ କହୁଛନ୍ତି – ହେ ମୁନିବର ! ଆପଣଙ୍କର କଥନାନୁଯାୟୀ,
ସୂର୍ଯ୍ୟଙ୍କର ପ୍ରକାଶ ଏବଂ ତାରାଗଣଙ୍କ ସହିତ ଚନ୍ଦ୍ରଦେବ ଦୃଶ୍ୟ ହେଉଥିବା ସୀମା ପର୍ଯ୍ୟନ୍ତ
ଭୂମଣ୍ଡଳର ବିସ୍ତୃତି ଅଟେ |
ତତ୍ରାପି ପ୍ରିୟବ୍ରତରଥଚରଣପରିଖାତୈଃ ସପ୍ତଭିଃ
ସପ୍ତସିନ୍ଧବ ଉପକୢପ୍ତା ଯତ ଏତସ୍ୟାଃ ସପ୍ତଦ୍ୱୀପ-
ବିଶେଷବିକଲ୍ପସ୍ତ୍ୱୟା ଭଗବନ୍ ଖଲୁ ସୂଚିତ
ଏତଦେବାଖିଲମହଂ ମାନତୋ ଲକ୍ଷଣତଶ୍ଚ ସର୍ୱଂ
ବିଜିଜ୍ଞାସାମି ॥ ୨॥
ସେଥିରେ, ଆପଣ କହିବା
ପ୍ରକାରେ, ମହାରାଜ ପ୍ରିୟବ୍ରତଙ୍କର ରଥ-ଚକ ଦ୍ବାରା ସାତ ଲୋକରେ
ସାତ ସମୁଦ୍ର ସୃଷ୍ଟି ହେଲା, ଯଦ୍ବାରା ଏହି
ଭୂମଣ୍ଡଳ ସାତଟି ଦ୍ବୀପରେ ବିଭକ୍ତ ହୋଇଗଲା | ଭଗବନ୍ ! ଏବେ ମୁଁ ସେମାନଙ୍କର ପରିମାଣ ଏବଂ
ଲକ୍ଷଣ ସହିତ ପୂରା ବିବରଣ ଜାଣିବାକୁ ଇଚ୍ଛା କରୁଛି |
ଭଗବତୋ ଗୁଣମୟେ ସ୍ଥୂଲରୂପ ଆବେଶିତଂ ମନୋ
ହ୍ୟଗୁଣେଽପି ସୂକ୍ଷ୍ମତମ ଆତ୍ମଜ୍ୟୋତିଷି ପରେ
ବ୍ରହ୍ମଣି ଭଗବତି ବାସୁଦେବାଖ୍ୟେ କ୍ଷମମାବେଶିତୁଂ
ତଦୁ ହୈତଦ୍ଗୁରୋଽର୍ହସ୍ୟନୁବର୍ଣୟିତୁମିତି ॥ ୩॥
କାରଣ ଯେଉଁ ମନ ଭଗବାନଙ୍କର ଏହି ଗୁଣମୟ ସ୍ଥୂଳ ବିଗ୍ରହରେ ଲାଗିପାରେ, ତାହା ତାଙ୍କର ବାସୁଦେବସଂଜ୍ଞକ ସ୍ବୟଂପ୍ରକାଶ ନିର୍ଗୁଣ ବ୍ରହ୍ମରୂପ
ସୂକ୍ଷ୍ମତମ ସ୍ବରୂପରେ ମଧ୍ୟ ଲାଗିବା ସମ୍ଭବ | ତେଣୁ ହେ ଗୁରୁବର ! କୃପା କରି ଏହି ବିଷୟର
ବର୍ଣ୍ଣନା ବିଶଦରୂପରେ କରନ୍ତୁ |
ଋଷିରୁବାଚ
ନ ବୈ ମହାରାଜ ଭଗବତୋ ମାୟାଗୁଣବିଭୂତେଃ
କାଷ୍ଠାଂ ମନସା ବଚସା ବାଧିଗନ୍ତୁମଲଂ
ବିବୁଧାୟୁଷାପି ପୁରୁଷସ୍ତସ୍ମାତ୍ପ୍ରାଧାନ୍ୟେନୈବ
ଭୂଗୋଲକବିଶେଷଂ ନାମରୂପମାନଲକ୍ଷଣତୋ
ବ୍ୟାଖ୍ୟାସ୍ୟାମଃ ॥ ୪॥
ଶ୍ରୀଶୁକଦେବ କହୁଛନ୍ତି – ମହାରାଜ ! ଭଗବାନଙ୍କ ମାୟା ଗୁଣର ବିସ୍ତାର
ଏତେ ଅଧିକ ଯେ କୌଣସି ମନୁଷ୍ୟ ଦେବତାମାନଙ୍କର ଆୟୁ ଲାଭ କରି ମଧ୍ୟ ମନ ବା ବାଣୀରେ ତାହାର ଅନ୍ତ
କଳନା କରିପାରିବେ ନାହିଁ | ସେଥିପାଇଁ ମୁଁ ନାମ, ରୂପ, ପରିମାଣ ଓ ଲକ୍ଷଣ ଆଦି ଦ୍ବାରା ମୁଖ୍ୟ-ମୁଖ୍ୟ ବିଷୟକୁ ନେଇ ଏହି
ଭୂମଣ୍ଡଳର ବିଶେଷତା ବର୍ଣ୍ଣନା କରିବି |
ଯୋ ବାୟଂ ଦ୍ୱୀପଃ କୁବଲୟକମଲକୋଶାଭ୍ୟନ୍ତର-
କୋଶୋ ନିୟୁତୟୋଜନବିଶାଲଃ ସମବର୍ତୁଲୋ
ଯଥା ପୁଷ୍କରପତ୍ରମ୍ ॥ ୫॥
ଏହି ଜମ୍ବୁଦ୍ବୀପ, ଯେଉଁଠାରେ ଆମେ
ବାସ କରୁଅଛେ, ଭୂମଣ୍ଡଳରୂପ କମଳର କୋଶସ୍ଥାନୀୟ ଯେଉଁ ସାତ ଦ୍ବୀପ
ରହିଛି, ତନ୍ମଧ୍ୟରୁ ସବୁଠାରୁ ଭିତର କୋଶ ଅଟେ | ଏହାର
ବିସ୍ତାର ଏକ ଲକ୍ଷ ଯୋଜନ ଏବଂ ଏହା କମଳପତ୍ର ପରି ଗୋଲାକାର ଅଟେ |
ଯସ୍ମିନ୍ ନବ ବର୍ଷାଣି ନବୟୋଜନସହସ୍ରାୟାମା-
ନ୍ୟଷ୍ଟଭିର୍ମର୍ୟାଦାଗିରିଭିଃ ସୁବିଭକ୍ତାନି ଭବନ୍ତି ॥ ୬॥
ଏଥିରେ ନଅ-ନଅ ହଜାର ଯୋଜନ ବିସ୍ତୃତ ନଅଟି ଦେଶ ଅଛି, ଯାହା
ସେମାନଙ୍କର ସୀମା ନିର୍ଦ୍ଧାରଣ କରୁଥିବା ଆଠଟି ପର୍ବତ ଦ୍ବାରା ବିଭାଜିତ |
ଏଷାଂ ମଧ୍ୟେ ଇଲାବୃତଂ ନାମାଭ୍ୟନ୍ତରବର୍ଷଂ ଯସ୍ୟ
ନାଭ୍ୟାମବସ୍ଥିତଃ ସର୍ୱତଃ ସୌବର୍ଣଃ କୁଲଗିରିରାଜୋ
ମେରୁର୍ଦ୍ୱୀପାୟାମସମୁନ୍ନାହଃ କର୍ଣିକାଭୂତଃ କୁବଲୟ-
କମଲସ୍ୟ ମୂର୍ଧନି ଦ୍ୱାତ୍ରିଂଶତ୍ସହସ୍ରୟୋଜନବିତତୋ ମୂଲେ
ଷୋଡଶସହସ୍ରଂ ତାବତାନ୍ତର୍ଭୂମ୍ୟାଂ ପ୍ରବିଷ୍ଟଃ ॥ ୭॥
ଏମାନଙ୍କ ମଧ୍ୟବର୍ତ୍ତୀ ଇଲାବୃତ ନାମକ ଦଶମ ଦେଶ, ଯାହାର ମଧ୍ୟଭାଗରେ କୁଳପର୍ବତମାନଙ୍କର ରାଜା ମେରୁପର୍ବତ ରହିଛି |
ଏହା ସତେ ଯେପରି ଭୂମଣ୍ଡଳରୂପ କମଳର କର୍ଣିକା ହିଁ ଅଟେ | ଉପରୁ ତଳ ପର୍ଯ୍ୟନ୍ତ ଏହା ପୂର୍ଣ୍ଣତଃ
ସୁବର୍ଣ୍ଣମୟ ଅଟେ ଏବଂ ଏହାର ଉଚ୍ଚତା ଏକ ଲକ୍ଷ ଯୋଜନ ଅଟେ | ଶିଖରଦେଶରେ ଏହାର ବିସ୍ତାର ବତ୍ତିଶ
ହଜାର ଯୋଜନ ଏବଂ ପାଦଦେଶରେ ଷୋଳ ହଜାର ଯୋଜନ ଅଟେ | ପର୍ବତର ଷୋଳ ହଜାର ଯୋଜନ ଭୂମି ଭିତରକୁ
ରହିଥାଏ; ଅର୍ଥାତ୍ ଭୂମି ବାହାରେ ଏହାର ଉଚ୍ଚତା ଚୌରାସୀ ହଜାର
ଯୋଜନ ଅଟେ |
ଉତ୍ତରୋତ୍ତରେଣେଲାବୃତଂ ନୀଲଃ ଶ୍ୱେତଃ ଶୃଙ୍ଗବାନିତି ତ୍ରୟୋ
ରମ୍ୟକହିରଣ୍ମୟକୁରୂଣାଂ ବର୍ଷାଣାଂ ମର୍ୟାଦାଗିରୟଃ
ପ୍ରାଗାୟତା ଉଭୟତଃ କ୍ଷାରୋଦାବଧୟୋ ଦ୍ୱିସହସ୍ରପୃଥବ
ଏକୈକଶଃ ପୂର୍ୱସ୍ମାତ୍ପୂର୍ୱସ୍ମାଦୁତ୍ତର ଉତ୍ତରୋ ଦଶାଂଶାଧିକାଂଶେନ
ଦୈର୍ଘ୍ୟ ଏବ ହ୍ରସନ୍ତି ॥ ୮॥
ଇଲାବୃତବର୍ଷର ଉତ୍ତରରେ ଯଥାକ୍ରମେ ନୀଳ, ଶ୍ବେତ ଏବଂ ଶୃଂଗବାନ୍ ନାମକ
ତିନୋଟି ପର୍ବତ ରହିଛି, ଯିଏ ରମ୍ୟକ, ହିରଣ୍ମୟ ଏବଂ କୁରୁ ଦେଶର ସୀମା ନିରୂପିତ କରନ୍ତି | ସେମାନେ
ପୂର୍ବରୁ ପଶ୍ଚିମ ଖାରି-ପାଣି ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ | ପ୍ରତ୍ୟେକଙ୍କର ଓସାର ଦୁଇ ହଜାର
ଯୋଜନ ଅଟେ ଏବଂ ଲମ୍ବାରେ ଆଗ ଅପେକ୍ଷା ପଛ ପର୍ବତର ବିସ୍ତୃତି ଦଶମାଂଶରୁ କିଛି କମ୍ ଅଟେ |
ଉଚ୍ଚତା ସମସ୍ତଙ୍କର ସମାନ |
ଏବଂ ଦକ୍ଷିଣେନେଲାବୃତଂ ନିଷଧୋ ହେମକୂଟୋ ହିମାଲୟ ଇତି
ପ୍ରାଗାୟତା ଯଥା ନୀଲାଦୟୋଽୟୁତୟୋଜନୋତ୍ସେଧା ହରିବର୍ଷ-
କିମ୍ପୁରୁଷଭାରତାନାଂ ଯଥାସଙ୍ଖ୍ୟମ୍ ॥ ୯॥
ସେହିପରି ଇଲାବୃତର ଦକ୍ଷିଣକୁ ଗୋଟିଏ ପରେ ଗୋଟିଏ ନିଷଧ, ହେମକୂଟ ଏବଂ
ହିମାଳୟ ନାମରେ ତିନୋଟି ପର୍ବତ ରହିଛି | ନୀଳାଦି ପର୍ବତ ପରି ଏମାନେ ମଧ୍ୟ ପୂର୍ବରୁ ପଶ୍ଚିମ
ଅଭିମୁଖରେ ବିସ୍ତୃତ ଏବଂ ପ୍ରତ୍ୟେକର ଉଚ୍ଚତା ଦଶ-ଦଶ ହଜାର ଯୋଜନ ଅଟେ | ଏମାନଙ୍କ ଦ୍ବାରା
ଯଥାକ୍ରମେ ହରିବର୍ଷ, କିମ୍ପୁରୁଷ ଏବଂ
ଭାରତବର୍ଷର ସୀମା ବିଭାଜନ ହୋଇଥାଏ |
ତଥୈବେଲାବୃତମପରେଣ ପୂର୍ୱେଣ ଚ ମାଲ୍ୟବଦ୍ଗନ୍ଧମାଦନା-
ବାନୀଲନିଷଧାୟତୌ ଦ୍ୱିସହସ୍ରଂ ପପ୍ରଥତୁଃ କେତୁମାଲ-
ଭଦ୍ରାଶ୍ୱୟୋଃ ସୀମାନଂ ବିଦଧାତେ ॥ ୧୦॥
ଇଲାବୃତର ପୂର୍ବ ଏବଂ ପଶ୍ଚିମ ଦିଗରେ – ଉତ୍ତରରେ ନୀଳ ପର୍ବତ ଏବଂ
ଦକ୍ଷିଣରେ ନିଷଧ ପର୍ବତ ଯାଏଁ ବିସ୍ତୃତ ଗନ୍ଧମାର୍ଦ୍ଦନ ଏବଂ ମାଲ୍ୟବାନ୍ ନାମରେ ଦୁଇଟି ପର୍ବତ
ରହିଛି | ଏମାନଙ୍କର ଓସାର ଦୁଇ-ଦୁଇ ହଜାର ଯୋଜନ ଅଟେ ଏବଂ ଏମାନେ ଭଦ୍ରାଶ୍ବ ଓ କେତୁମାଳ ବର୍ଷର
ସୀମା ନିଶ୍ଚିତ କରିଥାଆନ୍ତି |
ମନ୍ଦରୋ ମେରୁମନ୍ଦରଃ ସୁପାର୍ଶ୍ୱଃ କୁମୁଦ ଇତ୍ୟଯୁତୟୋଜନ-
ବିସ୍ତାରୋନ୍ନାହା ମେରୋଃ ଚତୁର୍ଦିଶମବଷ୍ଟମ୍ଭଗିରୟ
ଉପକୢପ୍ତାଃ ॥ ୧୧॥
ଏତଦ୍ ବ୍ୟତିତ ମନ୍ଦର, ମେରୁମନ୍ଦର, ସୁପାର୍ଶ୍ବ ଏବଂ କୁମୁଦ – ଉଚ୍ଚତା ଏବଂ ଓସାରରେ ଦଶ-ଦଶ ହଜାର ଯୋଜନ ବିଶିଷ୍ଟ
ଚାରୋଟି ପର୍ବତ ମେରୁପର୍ବତର ଆଧାରଭୂତା ଥୂନୀ ପରି ରହିଛନ୍ତି |
ଚତୁର୍ଷ୍ୱେତେଷୁ ଚୂତଜମ୍ବୂକଦମ୍ବନ୍ୟଗ୍ରୋଧାଶ୍ଚତ୍ୱାରଃ ପାଦପପ୍ରବରାଃ
ପର୍ୱତକେତବ ଇବାଧିସହସ୍ରୟୋଜନୋନ୍ନାହାସ୍ତାବଦ୍ୱିଟପବିତତୟଃ
ଶତୟୋଜନପରିଣାହାଃ ॥ ୧୨॥
ଏହି ଚାରୋଟି ପର୍ବତ ଉପରେ ଧ୍ବଜା ପରି ଯଥାକ୍ରମେ ଆମ୍ବ, ଜାମୁ, କଦମ୍ବ ଏବଂ ବରଗଛ
ରହିଛି | ଏମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଉଚ୍ଚତା ଏବଂ ଶାଖାମାନଙ୍କର ବିସ୍ତାର ଏଗାର ଶହ ଯୋଜନ
ଅଟେ ତଥା ମୋଟ ଶହ-ଶହ ଯୋଜନ ଅଟେ |
ହ୍ରଦାଶ୍ଚତ୍ୱାରଃ ପୟୋମଧ୍ୱିକ୍ଷୁରସମୃଷ୍ଟଜଲା ଯଦୁପସ୍ପର୍ଶିନ
ଉପଦେବଗଣା ଯୋଗୈଶ୍ୱର୍ୟାଣି ସ୍ୱାଭାବିକାନି ଭରତର୍ଷଭ
ଧାରୟନ୍ତି ॥ ୧୩॥
ହେ ଭରତଶ୍ରେଷ୍ଠ ! ଏହି ପର୍ବତମାନଙ୍କ ଉପରେ ଚାରୋଟି ସରୋବର ମଧ୍ୟ
ଅଛି, ଯାହା ଯଥାକ୍ରମେ ଦୁଗ୍ଧ, ମଧୁ, ଆଖୁରସ ଏବଂ ମଧୁର ଜଳରେ ପୂର୍ଣ୍ଣ ଅଟେ | ଏହାର ସେବନକାରୀ
ଯକ୍ଷ-କିନ୍ନର ଆଦି ଉପଦେବତାଙ୍କୁ ସ୍ବତଃ ଯୋଗସିଦ୍ଧି ପ୍ରାପ୍ତ ଅଟେ |
ଦେବୋଦ୍ୟାନାନି ଚ ଭବନ୍ତି ଚତ୍ୱାରି ନନ୍ଦନଂ ଚୈତ୍ରରଥଂ
ବୈଭ୍ରାଜକଂ ସର୍ୱତୋଭଦ୍ରମିତି ॥ ୧୪॥
ଏହା ଉପରେ ଯଥାକ୍ରମେ ନନ୍ଦନ, ଚୈତ୍ରରଥ, ବୈଭ୍ରାଜକ ଏବଂ ସର୍ବତୋଭଦ୍ର ନାମକ ଚାରୋଟି ଉପବନ ମଧ୍ୟ ରହିଛି |
ଯେଷ୍ୱମରପରିବୃଢାଃ ସହ ସୁରଲଲନାଲଲାମୟୂଥପତୟ
ଉପଦେବଗଣୈରୁପଗୀୟମାନମହିମାନଃ କିଲ ବିହରନ୍ତି ॥ ୧୫॥
ଏଠାରେ ପ୍ରଧାନ-ପ୍ରଧାନ ଦେବଗଣ ଅନେକ ସୁରସୁନ୍ଦରୀଙ୍କର ନାୟକ ଭାବରେ
ବିହାର କରୁଥାଆନ୍ତି | ସେହି ସମୟରେ ଗନ୍ଧର୍ବ ଆଦି ଉପଦେବଗଣ ସେମାନଙ୍କର ମହିମା ଗାନ
କରୁଥାଆନ୍ତି |
ମନ୍ଦରୋତ୍ସଙ୍ଗ ଏକାଦଶଶତୟୋଜନୋତ୍ତୁଙ୍ଗଦେବଚୂତଶିରସୋ
ଗିରିଶିଖରସ୍ଥୂଲାନି ଫଲାନ୍ୟମୃତକଲ୍ପାନି ପତନ୍ତି ॥ ୧୬॥
ମନ୍ଦରାଚଳର କ୍ରୋଡ଼ରେ ଯେଉଁ ଏଗାର ଶହ ଯୋଜନ ଉଚ୍ଚ ଦେବତାମାନଙ୍କର
ଆମ୍ରବୃକ୍ଷ ଅଛି, ସେଥିରୁ ଗିରିଶିଖର ପରି ବଡ-ବଡ ଏବଂ ଅମୃତ ପରି
ସ୍ବାଦିଷ୍ଟ ଫଳ ଖସିବାରେ ଲାଗିଥାଏ |
ତେଷାଂ ବିଶୀର୍ୟମାଣାନାମତିମଧୁରସୁରଭିସୁଗନ୍ଧିବହୁଲାରୁଣ-
ରସୋଦେନାରୁଣୋଦା ନାମ ନଦୀ ମନ୍ଦରଗିରିଶିଖରାନ୍ନିପତନ୍ତୀ
ପୂର୍ୱେଣେଲାବୃତମୁପପ୍ଲାବୟତି ॥ ୧୭॥
ତଳେ ପଡି ଫାଟିଯିବା ଫଳରେ ସେଥିରୁ ଯେଉଁ ସୁଗନ୍ଧିତ ଏବଂ ସୁମିଷ୍ଟ ରସ
ନିର୍ଗତ ହୋଇଥାଏ, ତାହା ଅରୁଣୋଦା ନାମ୍ନୀ ନଦୀରେ ପରିଣତ ହୋଇଥାଏ | ଏହି
ନଦୀ ମନ୍ଦରାଚଳର ଶିଖରଦେଶରୁ ବାହାରି ନିଜ ଜଳରେ ଇଲାବୃତ ଦେଶର ପୂର୍ବ ଭାଗକୁ ସିଞ୍ଚିତ କରିଥାଏ
|
ଯଦୁପଜୋଷଣାଦ୍ଭବାନ୍ୟା ଅନୁଚରୀଣାଂ ପୁଣ୍ୟଜନବଧୂନାମବୟବ-
ସ୍ପର୍ଶସୁଗନ୍ଧବାତୋ ଦଶୟୋଜନଂ ସମନ୍ତାଦନୁବାସୟତି ॥ ୧୮॥
ଦେବୀ ପାର୍ବତୀଙ୍କର ଅନୁଚରୀ ଯକ୍ଷପତ୍ନୀମାନେ ସେହି ଜଳ ସେବନ
କରିଥାଆନ୍ତି | ତଦ୍ବାରା ସେମାନଙ୍କ ଅଙ୍ଗରୁ ଯେଉଁ ସୁଗନ୍ଧ ନିର୍ଗତ ହୋଇଥାଏ, ତାହାକୁ ସ୍ପର୍ଶ
କରି ପ୍ରବାହିତ ହେଉଥିବା ବାୟୁ ସେଠାରୁ ଦଶ-ଦଶ ଯୋଜନ ଯାଏଁ ସମ୍ପୂର୍ଣ୍ଣ ଦେଶକୁ ସୁଗନ୍ଧରେ
ଭରିଦେଇ ଥାଏ |
ଏବଂ ଜମ୍ବୂଫଲାନାମତ୍ୟୁଚ୍ଚନିପାତବିଶୀର୍ଣାନାମନସ୍ଥିପ୍ରାୟାଣା-
ମିଭକାୟନିଭାନାଂ ରସେନ ଜମ୍ବୂ ନାମ ନଦୀ ମେରୁମନ୍ଦର-
ଶିଖରାଦୟୁତୟୋଜନାଦବନିତଲେ ନିପତନ୍ତୀ ଦକ୍ଷିଣେନା-
ତ୍ମାନଂ ଯାବଦିଲାବୃତମୁପସ୍ୟନ୍ଦୟତି ॥ ୧୯॥
ସେହିପରି ଜାମୁ ବୃକ୍ଷରୁ ହାତୀ ପରି ବଡ ବଡ, ପ୍ରାୟତଃ ବୀଜ ନ ଥିବା, ଫଳ ଝଡିଥାଏ | ବହୁତ ଉଚ୍ଚରୁ ପଡି ତାହା ଫାଟିଯାଏ ଏବଂ ତା’ର ରସରୁ ଜମ୍ବୁ ନାମ୍ନୀ ନଦୀ ପ୍ରକଟ ହୋଇଥାଏ, ଯିଏ ମେରୁମନ୍ଦର ପର୍ବତର ଦଶ ହଜାର ଯୋଜନ ଉଚ୍ଚ ଶିଖରରୁ ଝରି
ଇଲାବୃତର ଦକ୍ଷିଣ ଭାଗକୁ ସିଞ୍ଚନ କରିଥାଏ |
ତାବଦୁଭୟୋରପି ରୋଧସୋର୍ୟା ମୃତ୍ତିକା ତଦ୍ରସେନାନୁବିଧ୍ୟମାନା
ବାୟ୍ୱର୍କସଂୟୋଗବିପାକେନ ସଦାମରଲୋକାଭରଣଂ ଜାମ୍ବୂନଦଂ
ନାମ ସୁବର୍ଣଂ ଭବତି ॥ ୨୦॥
ନଦୀର ଉଭୟ ତଟର ମୃତ୍ତିକା ସେହି ରସରେ ସିକ୍ତ ହୋଇ ବାୟୁ ଏବଂ
ସୂର୍ଯ୍ୟକିରଣରେ ଶୁଖିଯାଏ ଏବଂ ତାହା ହିଁ ଦେବଲୋକକୁ ବିଭୂଷିତ କରୁଥିବା ଜାମ୍ବୁନଦ ନାମକ
ସୁବର୍ଣ୍ଣରେ ପରିଣତ ହୋଇଥାଏ |
ଯଦୁ ହ ବାବ ବିବୁଧାଦୟଃ ସହ ଯୁବତିଭିର୍ମୁକୁଟକଟକ-
କଟିସୂତ୍ରାଦ୍ୟାଭରଣରୂପେଣ ଖଲୁ ଧାରୟନ୍ତି ॥ ୨୧॥
ତାହାକୁ ଦେବତା ଓ ଗନ୍ଧର୍ବ ତଥା ସେମାନଙ୍କର ତରୁଣୀ ସ୍ତ୍ରୀମାନେ ନିଜ
ନିଜର ମୁକୁଟ, କଙ୍କଣ ଏବଂ କିଙ୍କିଣି ଆଦି ଆଭୂଷଣ ରୂପେ ଧାରଣ
କରିଥାଆନ୍ତି |
ଯସ୍ତୁ ମହାକଦମ୍ବଃ ସୁପାର୍ଶ୍ୱନିରୂଢୋ ଯାସ୍ତସ୍ୟ କୋଟରେଭ୍ୟୋ
ବିନିଃସୃତାଃ ପଞ୍ଚାୟାମପରିଣାହାଃ ପଞ୍ଚ ମଧୁଧାରାଃ ସୁପାର୍ଶ୍ୱ-
ଶିଖରାତ୍ପତନ୍ତ୍ୟୋଽପରେଣାତ୍ମାନମିଲାବୃତମନୁମୋଦୟନ୍ତି ॥ ୨୨॥
ସୁପାର୍ଶ୍ବ ପର୍ବତ ଶିଖରରେ ଯେଉଁ ବିଶାଳ କଦମ୍ବ ବୃକ୍ଷ ରହିଛି, ତାହାର ପାଞ୍ଚଟି କୋଟରରୁ ମଧୁର ପାଞ୍ଚଟି ଧାରା ନିର୍ଗତ ହୋଇଥାଏ |
ଏମାନେ ସୁପାର୍ଶ୍ବ ଶିଖରରୁ ନିର୍ଗତ ହୋଇ ନିଜ ସୁଗନ୍ଧରେ ଇଲାବୃତର ପଶ୍ଚିମ ଭାଗକୁ ସୁବାସିତ
କରନ୍ତି |
ଯା ହ୍ୟୁପୟୁଞ୍ଜାନାନାଂ ମୁଖନିର୍ୱାସିତୋ ବାୟୁଃ ସମନ୍ତା-
ଚ୍ଛତୟୋଜନମନୁବାସୟତି ॥ ୨୩॥
ଯେଉଁମାନେ ସେହି ମଧୁ ପାନ କରନ୍ତି, ସେମାନଙ୍କର ମୁଖରୁ ନିର୍ଗତ ହେଉଥିବା ବାୟୁ ଚତୁର୍ପାର୍ଶ୍ବରେ ଶହ ଶହ
ଯୋଜନର କ୍ଷେତ୍ରକୁ ମହକାଉ ଥାଏ |
ଏବଂ କୁମୁଦନିରୂଢୋ ଯଃ ଶତବଲ୍ଶୋ ନାମ ବଟସ୍ତସ୍ୟ
ସ୍କନ୍ଧେଭ୍ୟୋ ନୀଚୀନାଃ ପୟୋଦଧିମଧୁଘୃତଗୁଡାନ୍ନା-
ଦ୍ୟମ୍ବରଶୟ୍ୟାସନାଭରଣାଦୟଃ ସର୍ୱ ଏବ କାମଦୁଘା ନଦାଃ
କୁମୁଦାଗ୍ରାତ୍ପତନ୍ତସ୍ତମୁତ୍ତରେଣେଲାବୃତମୁପୟୋଜୟନ୍ତି ॥ ୨୪॥
ସେହିପରି, କୁମୁଦ ପର୍ବତ
ଉପରେ ଶତବଲ୍ଶ ନାମକ ଯେଉଁ ବଟବୃକ୍ଷ ରହିଛି, ତା’ର ଓହଳରୁ ନିମ୍ନାଭିମୁଖୀ ଅନେକ ନଦ ବାହାରି ଥାଆନ୍ତି, ଏମାନେ ସମସ୍ତେ ଇପ୍ସିତ ଭୋଗ-ଦାୟକ ଅଟନ୍ତି | ସେମାନଙ୍କଠାରୁ ଦୁଧ, ଦହି, ମଧୁ ଘୃତ, ଗୃହ, ଅନ୍ନ, ବସ୍ତ୍ର, ଶଯ୍ୟା, ଆସନ ଏବଂ ଆଭୂଷଣ
ଆଦି ସବୁ ପଦାର୍ଥ ମିଳିପାରେ |ଏହି ନଦୀମାନେ କୁମୁଦ ଶିଖରରୁ ବାହାରି ଇଲାବୃତର ଉତ୍ତର ଭାଗକୁ
ସିଞ୍ଚନ କରିଥାଆନ୍ତି |
ଯାନୁପଜୁଷାଣାନାଂ ନ କଦାଚିଦପି ପ୍ରଜାନାଂ
ବଲୀପଲିତକ୍ଲମସ୍ୱେଦଦୌର୍ଗନ୍ଧ୍ୟଜରାଽଽମୟ-
ମୃତ୍ୟୁଶୀତୋଷ୍ଣବୈବର୍ଣ୍ୟୋପସର୍ଗାଦୟସ୍ତାପବିଶେଷା
ଭବନ୍ତି ଯାବଜ୍ଜୀବଂ ସୁଖଂ ନିରତିଶୟମେବ ॥ ୨୫॥
ଏମାନଙ୍କ ଦ୍ବାରା ପ୍ରଦତ୍ତ ପଦାର୍ଥର ଉପଭୋଗ କରି ସେଠାରେ
ପ୍ରଜାମାନଙ୍କୁ ଚର୍ମ କୁଞ୍ଚିତ ହୋଇଯିବା, ବାଳ ପାଚିଯିବା,
ଥକିଯିବା, ଶରୀରରୁ ସ୍ବେଦ ତଥା ଦୁର୍ଗନ୍ଧ ନିର୍ଗତ ହେବା,
ବାର୍ଦ୍ଧକ୍ୟ, ଜରା, ମୃତ୍ୟୁ, ଶୀତ-ଗ୍ରୀଷ୍ମର
ପୀଡା, ଶରୀର କାନ୍ତିହୀନ ହୋଇଯିବା ତଥା ଅଙ୍ଗ ଭଗ୍ନ ହୋଇଯିବା ଆଦି କଷ୍ଟ ଅନୁଭୂତ ହୋଇ ନ ଥାଏ
ଏବଂ ସାରାଜୀବନ ସେମାନଙ୍କୁ ଭରପୂର ସୁଖ ପ୍ରାପ୍ତ ହୋଇଥାଏ |
କୁରଙ୍ଗକୁରରକୁସୁମ୍ଭବୈକଙ୍କତ୍ରିକୂଟଶିଶିରପତଙ୍ଗ-
ରୁଚକନିଷଧଶିନୀବାସକପିଲଶଙ୍ଖବୈଦୂର୍ୟଜାରୁଧି-
ହଂସଋଷଭନାଗକାଲଞ୍ଜରନାରଦାଦୟୋ ବିଂଶତି ଗିରୟୋ
ମେରୋଃ କର୍ଣିକାୟା ଇବ କେସରଭୂତା ମୂଲଦେଶେ
ପରିତ ଉପକୢପ୍ତାଃ ॥ ୨୬॥
ରାଜନ୍ ! କମଳ କର୍ଣିକା ଚତୁର୍ଦ୍ଦିଗର କେଶର ପରି ମେରୁ ମୂଳଦେଶର
ଚତୁର୍ଦ୍ଦିଗରେ କୁରଙ୍ଗ, କୁରର, କୁସୁମ୍ଭ, ବୈକଙ୍କ, ତ୍ରିକୂଟ, ଶିଶିର, ପତଙ୍ଗ, ରୁଚକ, ନିଷଧ, ଶିନୀବାସ, କପିଳ, ଶଂଖ, ବୈଦୂର୍ଯ୍ୟ,
ଜାରୁଧି, ହଂସ, ଋଷଭ, ନାଗ, କାଳଂଜର ଏବଂ ନାରଦ
ଆଦି ଆହୁରି କୋଡିଏଟି ପର୍ବତ ରହିଛନ୍ତି |
ଜଠରଦେବକୂଟୌ ମେରୁଂ ପୂର୍ୱେଣାଷ୍ଟାଦଶୟୋଜନସହସ୍ର-
ମୁଦଗାୟତୌ ଦ୍ୱିସହସ୍ରଂ ପୃଥୁତୁଙ୍ଗୌ ଭବତଃ ଏବମପରେଣ
ପବନପାରିୟାତ୍ରୌ ଦକ୍ଷିଣେନ କୈଲାସକରବୀରୌ
ପ୍ରାଗାୟତାବେବମୁତ୍ତରତସ୍ତ୍ରିଶୃଙ୍ଗମକରାବଷ୍ଟଭିରେତୈଃ
ପରିସୃତୋଽଗ୍ନିରିବ ପରିତଶ୍ଚକାସ୍ତି କାଞ୍ଚନଗିରିଃ ॥ ୨୭॥
ଏମାନଙ୍କ ବ୍ୟତିତ ମେରୁର ପୂର୍ବ ଦିଗରେ ଜଠର ଏବଂ ଦେବକୂଟ ନାମକ ଦୁଇଟି
ପର୍ବତ ରହିଛି, ଯିଏ ପ୍ରତ୍ୟେକ ଲମ୍ବରେ ଅଠର ହଜାର ଯୋଜନ ଏବଂ ଓସାର ଓ
ଉଚ୍ଚତାରେ ଦୁଇ ହଜାର ଯୋଜନ ଅଟନ୍ତି | ସେହିପରି, ଏହାର ପଶ୍ଚିମ
ଦିଗରେ ପବନ ଏବଂ ପାରିଯାତ୍ର, ଦକ୍ଷିଣ ଦିଗରେ କୈଳାସ ଏବଂ କରବୀର ତଥା ଉତ୍ତର ଦିଗରେ ତ୍ରିଶୃଙ୍ଗ
ଏବଂ ମକର ନାମକ ପର୍ବତ ରହିଛି | ଚତୁର୍ଦ୍ଦଗରୁ ଏହି ଆଠଟି ପାହାଡରେ ଆବୃତ ରହି ସୁବର୍ଣ୍ଣଗିରି
ମେରୁ ଅଗ୍ନି ସଦୃଶ ଦେଦୀପ୍ୟମାନ ହେଉଥାଏ |
ମେରୋର୍ମୂର୍ଧନି ଭଗବତ ଆତ୍ମୟୋନେର୍ମଧ୍ୟତ ଉପକୢପ୍ତାଂ
ପୁରୀମୟୁତୟୋଜନସାହସ୍ରୀଂ ସମଚତୁରସ୍ରାଂ ଶାତକୌମ୍ଭୀଂ
ବଦନ୍ତି ॥ ୨୮॥
କୁହାଯାଏ, ମେରୁ ଶିଖରର
ମଧ୍ୟଭାଗରେ ଭଗବାନ ବ୍ରହ୍ମାଙ୍କର ସୁବର୍ଣ୍ଣମୟୀ ପୁରୀ ରହିଛି, ଯାହା ଆକାରରେ ସମକୋଣୀ ତଥା ବିସ୍ତୃତିରେ ଏକ କୋଟି ଯୋଜନ ଅଟେ |
ତାମନୁପରିତୋ ଲୋକପାଲାନାମଷ୍ଟାନାଂ ଯଥାଦିଶଂ
ଯଥାରୂପଂ ତୁରୀୟମାନେନ ପୁରୋଽଷ୍ଟାବୁପକୢପ୍ତାଃ ॥ ୨୯॥
ତାହାର ନିମ୍ନଦେଶରେ ପୂର୍ବାଦି ଅଷ୍ଟ ଦିଶା ଏବଂ ଉପଦିଶାର ଅଧିପତି
ଇନ୍ଦ୍ରାଦି ଅଷ୍ଟ ଦିଗପାଳଙ୍କର ଆଠଟି ପୁରୀ ରହିଛି | ପରିମାଣରେ ପ୍ରତ୍ୟେକ ବ୍ରହ୍ମାଙ୍କ ପୁରୀର
ଏକ ଚତୁର୍ଥାଂଶ ଅଟନ୍ତି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଭୁବନକୋଶବର୍ଣନଂ ନାମ ଷୋଡଶୋଽଧ୍ୟାୟଃ ॥ ୧୬॥

Comments
Post a Comment