ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ସପ୍ତମ ସ୍କନ୍ଧ

ତୃତୀୟ ଅଧ୍ୟାୟ

ହିରଣ୍ୟକଶିପୁର ତପସ୍ୟା ବରପ୍ରାପ୍ତି

 

ନାରଦ ଉବାଚ

ହିରଣ୍ୟକଶିପୂ ରାଜନ୍ନଜେୟମଜରାମରମ୍ ।

ଆତ୍ମାନମପ୍ରତିଦ୍ୱନ୍ଦ୍ୱମେକରାଜଂ ବ୍ୟଧିତ୍ସତ ॥ ୧॥

ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! ଏହାପରେ ହିରଣ୍ୟକଶିପୁ ବିଚାର କଲା, ‘ମୁଁ ଅଜେୟ, ଅଜର, ଅମର ଏବଂ ସଂସାରର ଏକଛତ୍ର ସମ୍ରାଟ ହୋଇଯିବି, ଯାହା ଫଳରେ କି କେହି ମୋ ସମ୍ମୁଖରେ ଠିଆ ମଧ୍ୟ ହୋଇପାରିବେ ନାହିଁ |’

ସ ତେପେ ମନ୍ଦରଦ୍ରୋଣ୍ୟାଂ ତପଃ ପରମଦାରୁଣମ୍ ।

ଊର୍ଧ୍ୱବାହୁର୍ନଭୋଦୃଷ୍ଟିଃ ପାଦାଙ୍ଗୁଷ୍ଠାଶ୍ରିତାବନିଃ ॥ ୨॥

ସେହି ଉଦ୍ଦେଶ୍ୟରେ ସେ ମନ୍ଦରାଚଳର ଏକ ଘାଟିକୁ ଯାଇ ଅତ୍ୟନ୍ତ ଦାରୁଣ ତପସ୍ୟା କରିବାରେ ଲାଗିଲା | ସେଠାରେ ହାତ ଉପରକୁ ଉଠାଇ ଆକାଶକୁ ଚାହିଁ ପାଦ ଆଙ୍ଗୁଠି ବଳରେ ଭୂଇଁ ଉପରେ ଠିଆ ହୋଇ ରହିଲା |

ଜଟାଦୀଧିତିଭୀ ରେଜେ ସମ୍ବର୍ତାର୍କ ଇବାଂଶୁଭିଃ ।

ତସ୍ମିଂସ୍ତପସ୍ତପ୍ୟମାନେ ଦେବାଃ ସ୍ଥାନାନି ଭେଜିରେ ॥ ୩॥

ପ୍ରଳୟକାଳୀନ ସୂର୍ଯ୍ୟକିରଣ ସଦୃଶ ତାର ଜଟା ଚମକିବାରେ ଲାଗିଥିଲା | ଏହିପରି ଭାବରେ ସେ ତପସ୍ୟାରେ ସଂଲଗ୍ନ ରହିଥିବା ଯାଏଁ ଦେବତାମାନେ ନିଜ-ନିଜ ସ୍ଥାନ ଏବଂ ପଦବୀରେ ପୁନଃ ପ୍ରତିଷ୍ଠିତ ହୋଇଗଲେ |

ତସ୍ୟ ମୂର୍ଧ୍ନଃ ସମୁଦ୍ଭୂତଃ ସଧୂମୋଽଗ୍ନିସ୍ତପୋମୟଃ ।

ତୀର୍ୟଗୂର୍ଧ୍ୱମଧୋ ଲୋକାନତପଦ୍ୱିଷ୍ୱଗୀରିତଃ ॥ ୪॥

ବହୁତ ଦିନ ଧରି ତପସ୍ୟା କରିବାର ଫଳସ୍ବରୂପ ସେହି ତପସ୍ୟାର ଅଗ୍ନି ଧୂଆଁ ସହିତ ତାର ମସ୍ତକରୁ ବାହାରକୁ ନିର୍ଗତ ହେବାରେ ଲାଗିଲା | ତାହା ଚତୁର୍ଦ୍ଦିଗରେ ବ୍ୟାପି ଆଖ-ପାଖ ସମସ୍ତ ଲୋକକୁ ଦଗ୍ଧ କରିବାରେ ଲାଗିଲା |

ଚୁକ୍ଷୁଭୁର୍ନଦ୍ୟୁଦନ୍ୱନ୍ତଃ ସଦ୍ୱୀପାଦ୍ରିଶ୍ଚଚାଲ ଭୂଃ ।

ନିପେତୁଃ ସଗ୍ରହାସ୍ତାରା ଜଜ୍ୱଲୁଶ୍ଚ ଦିଶୋ ଦଶ ॥ ୫॥

ତାହାର ଜ୍ବାଳାରେ ନଦୀ ଏବଂ ସମୁଦ୍ରରେ ଉଦବେଳନ ସୃଷ୍ଟି ହେଲା | ଦ୍ବୀପ ଏବଂ ପର୍ବତ ସହ ପୃଥିବୀ ପ୍ରକମ୍ପିତ ହେବାରେ ଲାଗିଲା | ଗ୍ରହ ଏବଂ ତାରାମାନେ ଖଣ୍ଡ-ଖଣ୍ଡ ହୋଇ ଆକାଶରୁ ଖସିବାରେ ଲାଗିଲେ | ଦଶ ଦିଶାରେ ସତେ ଯେପରି ଅଗ୍ନିର ତାଣ୍ଡବ ସୃଷ୍ଟି ହେଲା |

ତେନ ତପ୍ତା ଦିବଂ ତ୍ୟକ୍ତ୍ୱା ବ୍ରହ୍ମଲୋକଂ ଯୟୁଃ ସୁରାଃ ।

ଧାତ୍ରେ ବିଜ୍ଞାପୟାମାସୁର୍ଦେବଦେବ ଜଗତ୍ପତେ ॥ ୬॥

ଦୈତ୍ୟେନ୍ଦ୍ରତପସା ତପ୍ତା ଦିବି ସ୍ଥାତୁଂ ନ ଶକ୍ନୁମଃ ।

ତସ୍ୟ ଚୋପଶମଂ ଭୂମନ୍ ବିଧେହି ଯଦି ମନ୍ୟସେ ।

ଲୋକା ନ ଯାବନ୍ନଙ୍କ୍ଷ୍ୟନ୍ତି ବଲିହାରାସ୍ତବାଭିଭୂଃ ॥ ୭॥

ହିରଣ୍ୟକଶିପୁର ସେହି ତପୋମୟୀ ଅଗ୍ନି ଝାସରେ ସ୍ବର୍ଗର ଦେବତାମାନେ ମଧ୍ୟ ଦଗ୍ଧ ହେବାରେ ଲାଗିଲେ | ବିଚଳିତ ହୋଇ ସେମାନେ ସ୍ବର୍ଗରୁ ବ୍ରହ୍ମଲୋକକୁ ଚାଲିଗଲେ ଏବଂ ବ୍ରହ୍ମାଙ୍କୁ ପ୍ରାର୍ଥନା କରିବାରେ ଲାଗିଲେ – ହେ ଦେବତାମାନଙ୍କର ମଧ୍ୟ ଆରାଧ୍ୟଦେବ ଜଗତ୍ପତି ବ୍ରହ୍ମାଜୀ ! ହିରଣ୍ୟକଶିପୁର ତପସ୍ୟାର ଜ୍ବାଳାରେ ଆମ୍ଭେମାନେ ଜଳିବାରେ ଲାଗିଛୁ | ଏବେ ଆମ୍ଭେମାନେ ଆଉ ସ୍ବର୍ଗରେ ରହିପାରିବୁ ନାହିଁ | ହେ ଅନନ୍ତ ! ହେ ସର୍ବାଧ୍ୟକ୍ଷ ! ଆପଣ ଯଦି ଉଚିତ୍ ମନେ କରୁଛନ୍ତି ତେବେ ନିଜ ସେବାକାରୀ ଜନତା ନାଶ ହୋଇଯିବା ପୂର୍ବରୁ ଏହି ଜ୍ବାଳାକୁ ଶାନ୍ତ କରନ୍ତୁ |

ତସ୍ୟାୟଂ କିଲ ସଙ୍କଲ୍ପଶ୍ଚରତୋ ଦୁଶ୍ଚରଂ ତପଃ ।

ଶ୍ରୂୟତାଂ କିଂ ନ ବିଦିତସ୍ତବାଥାପି ନିବେଦିତଃ ॥ ୮॥

ସୃଷ୍ଟ୍ୱା ଚରାଚରମିଦଂ ତପୋୟୋଗସମାଧିନା ।

ଅଧ୍ୟାସ୍ତେ ସର୍ୱଧିଷ୍ଣ୍ୟେଭ୍ୟଃ ପରମେଷ୍ଠୀ ନିଜାସନମ୍ ॥ ୯॥

ତଦହଂ ବର୍ଧମାନେନ ତପୋୟୋଗସମାଧିନା ।

କାଲାତ୍ମନୋଶ୍ଚ ନିତ୍ୟତ୍ୱାତ୍ସାଧୟିଷ୍ୟେ ତଥାଽଽତ୍ମନଃ ॥ ୧୦॥

ଭଗବନ୍ ! ଆପଣ ତ ସବୁକିଛି ଜାଣନ୍ତି, ତଥାପି ଆମେ ନିଜ ପକ୍ଷରୁ ଆପଣଙ୍କ ନିକଟରେ ଏହା ନିବେଦନ କରୁଛୁ ସେ କେଉଁ ଅଭିପ୍ରାୟରେ ଏପରି ଘୋର ତପସ୍ୟାରେ ନିମଗ୍ନ ରହିଛି | ତା ବିଚାରରେ ବ୍ରହ୍ମାଜୀ ଯେପରି ନିଜ ତପସ୍ୟା ଏବଂ ଯୋଗ ପ୍ରଭାବରେ ଏହି ଚରାଚର ଜଗତର ସୃଷ୍ଟି କରି ସମସ୍ତ ଲୋକର ଉର୍ଦ୍ଧ୍ବରେ ସତ୍ୟଲୋକରେ ବିରାଜମାନ କରିଛନ୍ତି, ମୁଁ ସେହିପରି ଉଗ୍ର ତପସ୍ୟା ଏବଂ ଯୋଗ ପ୍ରଭାବରେ ସେହି ପଦବୀ ଏବଂ ସ୍ଥାନ ପ୍ରାପ୍ତ କରିବି | ସମୟ ଅସୀମ ଅଟେ ଏବଂ ଆତ୍ମା ନିତ୍ୟ ଅଟେ – ଏକ ଜନ୍ମରେ ନୁହେଁ, ଅନେକ ଜନ୍ମରେ; ଏକ ଯୁଗରେ ନ ହେଲେ ବି ଅନେକ ଯୁଗରେ ମୁଁ ତାହା ପ୍ରାପ୍ତ କରିବି |

ଅନ୍ୟଥେଦଂ ବିଧାସ୍ୟେଽହମୟଥାପୂର୍ୱମୋଜସା ।

କିମନ୍ୟୈଃ କାଲନିର୍ଧୂତୈଃ କଲ୍ପାନ୍ତେ ବୈଷ୍ଣବାଦିଭିଃ ॥ ୧୧॥

ନିଜ ତପଃ ଶକ୍ତିରେ ମୁଁ ପାପପୁଣ୍ୟର ନିୟମକୁ ପରିବର୍ତ୍ତିତ କରି ସଂସାରରେ ଏପରି ଅଦଳବଦଳ କରିଦେବି, ଯେପରି ପୂର୍ବରୁ କେବେ ହୋଇ ନ ଥିଲା | ବୈଷ୍ଣବାଦି ପଦରେ କି ଲାଭ, କାରଣ କଳ୍ପାନ୍ତରରେ ସେମାନଙ୍କୁ ବି ତ କାଳର ଗର୍ଭରେ ଲୀନ ହେବାକୁ ପଡିଥାଏ |

ଇତି ଶୁଶ୍ରୁମ ନିର୍ବନ୍ଧଂ ତପଃ ପରମମାସ୍ଥିତଃ ।

ବିଧତ୍ସ୍ୱାନନ୍ତରଂ ଯୁକ୍ତଂ ସ୍ୱୟଂ ତ୍ରିଭୁବନେଶ୍ୱର ॥ ୧୨॥

ଆମ୍ଭେମାନେ ଶୁଣିଛୁ ଏପରି ଜିଦ୍ କରି ସେ ଏହି ଘୋର ତପସ୍ୟାରେ ନିମଗ୍ନ ରହିଛି | ଆପଣ ତ୍ରିଲୋକର ସ୍ବାମୀ ଅଟନ୍ତି; ଏବେ ଆପଣ ଯାହା ଉଚିତ୍ ମନେ କରୁଛନ୍ତି, ତାହା କରନ୍ତୁ |

ତବାସନଂ ଦ୍ୱିଜଗବାଂ ପାରମେଷ୍ଠ୍ୟଂ ଜଗତ୍ପତେ ।

ଭବାୟ ଶ୍ରେୟସେ ଭୂତ୍ୟୈ କ୍ଷେମାୟ ବିଜୟାୟ ଚ ॥ ୧୩॥

ହେ ବ୍ରହ୍ମାଜୀ ! ଆପଣଙ୍କର ଏହି ସର୍ବଶ୍ରେଷ୍ଠ ପରମେଷ୍ଟି-ପଦ ବ୍ରାହ୍ମଣ ଏବଂ ଗୋସମ୍ପଦର ବୃଦ୍ଧି, କଲ୍ୟାଣ, ବିଭୂତି, କୁଶଳ ଏବଂ ବିଜୟ ନିମନ୍ତେ ଉଦ୍ଦିଷ୍ଟ ଅଟେ | (ଯଦି ତାହା ହିରଣ୍ୟକଶିପୁ ହାତକୁ ଚାଲିଯିବ, ତେବେ ସଜ୍ଜନମାନଙ୍କ ଉପରେ ସଂକଟର ପାହାଡ ଖସି ପଡିବ |)

ଇତି ବିଜ୍ଞାପିତୋ ଦେବୈର୍ଭଗବାନାତ୍ମଭୂର୍ନୃପ ।

ପରୀତୋ ଭୃଗୁଦକ୍ଷାଦ୍ୟୈର୍ୟଯୌ ଦୈତ୍ୟେଶ୍ୱରାଶ୍ରମମ୍ ॥ ୧୪॥

ଯୁଧିଷ୍ଠିର ! ଦେବତାମାନଙ୍କର ଏପରି ନିବେଦନ ଶୁଣି ବ୍ରହ୍ମାଜୀ ଭୃଗୁ ଏବଂ ଦକ୍ଷ ଆଦି ପ୍ରଜାପତିଙ୍କ ସହିତ ହିରଣ୍ୟକଶିପୁର ଆଶ୍ରମକୁ ଗଲେ |

ନ ଦଦର୍ଶ ପ୍ରତିଚ୍ଛନ୍ନଂ ବଲ୍ମୀକତୃଣକୀଚକୈଃ ।

ପିପୀଲିକାଭିରାଚୀର୍ଣମେଦସ୍ତ୍ୱଙ୍ମାଂସଶୋଣିତମ୍ ॥ ୧୫॥

ସେଠାକୁ ଯାଇ ପ୍ରଥମେ ତ ସେ ତାକୁ ଦେଖି ପାରିଲେ ନାହିଁ କାରଣ ଊଈମାଟି, ଘାସ ଏବଂ ଲଟାରେ ତାର ଶରୀର ଆବୃତ ରହିଥିଲା | ଜନ୍ଦାମାନେ ତାର ମେଦ, ତ୍ବଚା, ମାଂସ ଏବଂ ରକ୍ତ ଚାଟି ଖାଇ ଯାଇଥିଲେ |

ତପନ୍ତଂ ତପସା ଲୋକାନ୍ ଯଥାଭ୍ରାପିହିତଂ ରବିମ୍ ।

ବିଲକ୍ଷ୍ୟ ବିସ୍ମିତଃ ପ୍ରାହ ପ୍ରହସନ୍ ହଂସବାହନଃ ॥ ୧୬॥

ବାଦଲଆବୃତ ସୂର୍ଯ୍ୟ ପରି ସେ ନିଜ ତପସ୍ୟାର ତେଜରେ ସମ୍ପୂର୍ଣ୍ଣ ଲୋକକୁ ତପ୍ତ କରୁଥିଲା | ତାକୁ ଦେଖି ବ୍ରହ୍ମାଜୀ ମଧ୍ୟ ବିସ୍ମିତ ହୋଇଗଲେ | ତାପରେ ସେ ହସି ହସି ତାକୁ କହିଲେ -

ବ୍ରହ୍ମୋବାଚ

ଉତ୍ତିଷ୍ଠୋତ୍ତିଷ୍ଠ ଭଦ୍ରଂ ତେ ତପଃସିଦ୍ଧୋଽସି କାଶ୍ୟପ ।

ବରଦୋଽହମନୁପ୍ରାପ୍ତୋ ବ୍ରିୟତାମୀପ୍ସିତୋ ବରଃ ॥ ୧୭॥

ବ୍ରହ୍ମାଜୀ କହିଲେ – ପୁତ୍ର ହିରଣ୍ୟକଶିପୁ ! ଉଠ, ଉଠ | ତୁମର କଲ୍ୟାଣ ହେଉ | ହେ କଶ୍ୟପନନ୍ଦନ ! ଏବେ ତୁମର ତପସ୍ୟା ସିଦ୍ଧ ହୋଇଛି | ମୁଁ ତୁମକୁ ବର ଦେବାକୁ ଆସିଛି; ତୁମର ଯାହା ଇଚ୍ଛା, ବିନା ଦ୍ବିଧାରେ ମାଗି ନିଅ |

ଅଦ୍ରାକ୍ଷମହମେତତ୍ତେ ହୃତ୍ସାରଂ ମହଦଦ୍ଭୁତମ୍ ।

ଦଂଶଭକ୍ଷିତଦେହସ୍ୟ ପ୍ରାଣା ହ୍ୟସ୍ଥିଷୁ ଶେରତେ ॥ ୧୮॥

ତୁମ ହୃଦୟର ଅଦ୍ଭୁତ ବଳକୁ ମୁଁ ଦେଖିଲି | ଡାଆଁସମାନେ ତୁମ ଶରୀରକୁ ଖାଇ ଯାଇଛନ୍ତି | ତଥାପି ହାଡର ସହାରା ନେଇ ତୁମ ପ୍ରାଣ ଅଟକି ରହିଛି |

ନୈତତ୍ପୂର୍ୱର୍ଷୟଶ୍ଚକ୍ରୁର୍ନ କରିଷ୍ୟନ୍ତି ଚାପରେ ।

ନିରମ୍ବୁର୍ଧାରୟେତ୍ପ୍ରାଣାନ୍ କୋ ବୈ ଦିବ୍ୟସମାଃ ଶତମ୍ ॥ ୧୯॥

ଏପରି କଠିନ ତପସ୍ୟା ପୂର୍ବରୁ କେହି ଋଷି-ମୁନି କରି ନ ଥିଲେ କି ଆଗକୁ ମଧ୍ୟ କେହି କରିବେ ନାହିଁ | ଭଲା ଏକ ଶହ ଦେବବର୍ଷ ଯାଏଁ କିଏ ଅବା ବିନା ଜଳ ପାନ କରି ବଞ୍ଚି ରହିପାରିବ ?

ବ୍ୟବସାୟେନ ତେଽନେନ ଦୁଷ୍କରେଣ ମନସ୍ୱିନାମ୍ ।

ତପୋନିଷ୍ଠେନ ଭବତା ଜିତୋଽହଂ ଦିତିନନ୍ଦନ ॥ ୨୦॥

ପୁତ୍ର ହିରଣ୍ୟକଶିପୁ ! ତୁମ ଯେପରି ତପସ୍ୟା କରୁଛ, ସେପରି କରିବାକୁ ବଡ ବଡ ଧୀର ପୁରୁଷଙ୍କୁ ମଧ୍ୟ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଥାଏ |

ତତସ୍ତ ଆଶିଷଃ ସର୍ୱା ଦଦାମ୍ୟସୁରପୁଙ୍ଗବ ।

ମର୍ତ୍ୟସ୍ୟ ତେ ଅମର୍ତ୍ୟସ୍ୟ ଦର୍ଶନଂ ନାଫଲଂ ମମ ॥ ୨୧॥

ଦୈତ୍ୟଶିରୋମଣି ! ତୁମ ପ୍ରୟାସରେ ପ୍ରସନ୍ନ ହୋଇ ମୁଁ ତୁମକୁ ତୁମେ ଇଚ୍ଛା କରୁଥିବା ବର ପ୍ରଦାନ କରିବି | ତୁମେ ମରଣଶୀଳ ଅଟ, ଅଥଚ ମୁଁ ଅମର ଅଟେ | ତେଣୁ ମୋର ଦର୍ଶନ ତୁମ ପାଇଁ କେବେ ବି ନିଷ୍ଫଳ ହେବ ନାହିଁ |

ନାରଦ ଉବାଚ

ଇତ୍ୟୁକ୍ତ୍ୱାଽଽଦିଭବୋ ଦେବୋ ଭକ୍ଷିତାଙ୍ଗଂ ପିପୀଲିକୈଃ ।

କମଣ୍ଡଲୁଜଲେନୌକ୍ଷଦ୍ଦିବ୍ୟେନାମୋଘରାଧସା ॥ ୨୨॥

ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! ଏତିକି କହି ବ୍ରହ୍ମାଜୀ ନିଜ କମଣ୍ଡଳୁର ଦିବ୍ୟ ଏବଂ ଅମୋଘ ପ୍ରଭାବଶାଳୀ ଜଳ ହିରଣ୍ୟକଶିପୁର ଜନ୍ଦାମାନେ ଖାଇ ନିଃଶେଷ କରି ଦେଇଥିବା ଶରୀର ଉପରେ ଛିଞ୍ଚି ଦେଲେ |

ସ ତତ୍କୀଚକବଲ୍ମୀକାତ୍ସହଓଜୋବଲାନ୍ୱିତଃ ।

ସର୍ୱାବୟବସମ୍ପନ୍ନୋ ବଜ୍ରସଂହନନୋ ଯୁବା ।

ଉତ୍ଥିତସ୍ତପ୍ତହେମାଭୋ ବିଭାବସୁରିବୈଧସଃ ॥ ୨୩॥

ସେହି ଜଳ ସିଞ୍ଚନ ହେବା ମାତ୍ରେ କାଠ ଗଦା ଭିତରୁ ଅଗ୍ନି ଜଳି ଉଠିବା ପରି ବାଉଁଶ ଏବଂ ଊଈମାଟିର ଗଦାରୁ ସେ ଉଠି ଆସିଲା | ତାର ଶରୀର ସବୁ ଅବୟବରେ ପୂର୍ଣ୍ଣ ଏବଂ ବଳବାନ ହୋଇ ଯାଇଥିଲା, ଇନ୍ଦ୍ରିୟମାନଙ୍କର ଶକ୍ତି ଫେରି ଆସିଥିଲା ଏବଂ ମନ ସଚେତ ହୋଇ ଯାଇଥିଲା | ତାର ସମସ୍ତ ଅଙ୍ଗ ବଜ୍ର ପରି କଠିନ ଏବଂ ସୁବର୍ଣ୍ଣ ପରି ତେଜୀୟାନ ହୋଇ ଯାଇଥିଲା | ଏକ ନବଯୁବକ ରୂପରେ ସେ ଉଠି ଠିଆ ହୋଇଗଲା |

ସ ନିରୀକ୍ଷ୍ୟାମ୍ବରେ ଦେବଂ ହଂସବାହମବସ୍ଥିତମ୍ ।

ନନାମ ଶିରସା ଭୂମୌ ତଦ୍ଦର୍ଶନମହୋତ୍ସବଃ ॥ ୨୪॥

ହଂସ ପୃଷ୍ଠରେ ଆରୂଢ ବ୍ରହ୍ମାଜୀଙ୍କୁ ସେ ଆକାଶରେ ଦର୍ଶନ କଲା | ତାଙ୍କର ଦର୍ଶନଜନିତ ଆନନ୍ଦରେ ବିଭୋର ହୋଇ ସେ ପୃଥିବୀ ପୃଷ୍ଠରେ ମସ୍ତକ ଧାରଣ କରି ତାଙ୍କୁ ପ୍ରଣାମ କଲା |

ଉତ୍ଥାୟ ପ୍ରାଞ୍ଜଲିଃ ପ୍ରହ୍ୱ ଈକ୍ଷମାଣୋ ଦୃଶା ବିଭୁମ୍ ।

ହର୍ଷାଶ୍ରୁପୁଲକୋଦ୍ଭେଦୋ ଗିରା ଗଦ୍ଗଦୟାଗୃଣାତ୍ ॥ ୨୫॥

ତାପରେ ଯୋଡହସ୍ତ ପୂର୍ବକ ଅତ୍ୟନ୍ତ ନମ୍ର ଭାବରେ ଠିଆ ହୋଇ ଏବଂ ନିର୍ନିମେଷ ତାଙ୍କୁ ଚାହିଁ ରହି ପ୍ରେମ ଗଦଗଦ ବାଣୀରେ ସେ ତାଙ୍କର ସ୍ତୁତି କରିବାରେ ଲାଗିଲା | ସେହି ସମୟରେ ଅତିଶୟ ଆନନ୍ଦରେ ତାର ନେତ୍ର ଅଶ୍ରୁ ପ୍ଲାବିତ ହେବା ସହ ସାରା ଶରୀର ପୁଲକିତ ହୋଇ ଉଠୁଥିଲା |

ହିରଣ୍ୟକଶିପୁରୁବାଚ

କଲ୍ପାନ୍ତେ କାଲସୃଷ୍ଟେନ ଯୋଽନ୍ଧେନ ତମସାଽଽବୃତମ୍ ।

ଅଭିବ୍ୟନଗ୍ଜଗଦିଦଂ ସ୍ୱୟଞ୍ଜ୍ୟୋତିଃ ସ୍ୱରୋଚିଷା ॥ ୨୬॥

ହିରଣ୍ୟକଶିପୁ କହିଲା – କଲ୍ପାନ୍ତରରେ ଏହି ସମ୍ପୂର୍ଣ୍ଣ ସୃଷ୍ଟି କାଳ-ପ୍ରେରିତ ତମୋଗୁଣ ଦ୍ବାରା ଘନ ଅନ୍ଧକାରରେ ଆଚ୍ଛନ୍ନ ହୋଇ ଯାଇଥିଲା | ସେହି ସମୟରେ ସ୍ବୟଂପ୍ରକାଶସ୍ବରୂପ ଆପଣ ନିଜ ତେଜରେ ଏହାକୁ ପୁନଃ ପ୍ରକଟ କଲେ |

ଆତ୍ମନା ତ୍ରିବୃତା ଚେଦଂ ସୃଜତ୍ୟବତି ଲୁମ୍ପତି ।

ରଜଃସତ୍ତ୍ୱତମୋଧାମ୍ନେ ପରାୟ ମହତେ ନମଃ ॥ ୨୭॥

ଆପଣ ହିଁ ନିଜ ତ୍ରିଗୁଣମୟ ରୂପରେ ଏହାର ରଚନା, ରକ୍ଷା ଏବଂ ସଂହାର କରନ୍ତି | ଆପଣ ରଜୋଗୁଣ, ସତ୍ତ୍ବଗୁଣ ଏବଂ ତମୋଗୁଣର ଆଶ୍ରୟ ଅଟନ୍ତି | ଆପଣ ହିଁ ସବୁକିଛିର ଉର୍ଦ୍ଧ୍ବରେ ମହାନ୍ ଅଟନ୍ତି | ମୁଁ ଆପଣଙ୍କୁ ନମସ୍କାର କରୁଛି |

ନମ ଆଦ୍ୟାୟ ବୀଜାୟ ଜ୍ଞାନବିଜ୍ଞାନମୂର୍ତୟେ ।

ପ୍ରାଣେନ୍ଦ୍ରିୟମନୋବୁଦ୍ଧିବିକାରୈର୍ୱ୍ୟକ୍ତିମୀୟୁଷେ ॥ ୨୮॥

ଆପଣ ହିଁ ଜଗତର ମୂଳ କାରଣ ଅଟନ୍ତି | ଜ୍ଞାନ ଏବଂ ବିଜ୍ଞାନ ଆପଣଙ୍କର ମୂର୍ତ୍ତି ଅଟନ୍ତି | ପ୍ରାଣ, ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ଆଦି ବିକାର ଦ୍ବାରା ଆପଣ ନିଜକୁ ପ୍ରକଟ କରିଛନ୍ତି |

ତ୍ୱମୀଶିଷେ ଜଗତସ୍ତସ୍ଥୁଷଶ୍ଚ

ପ୍ରାଣେନ ମୁଖ୍ୟେନ ପତିଃ ପ୍ରଜାନାମ୍ ।

ଚିତ୍ତସ୍ୟ ଚିତ୍ତେର୍ମନ ଐନ୍ଦ୍ରିୟାଣାଂ

ପତିର୍ମହାନ୍ ଭୂତଗୁଣାଶୟେଶଃ ॥ ୨୯॥

ଆପଣ ମୁଖ୍ୟପ୍ରାଣ ସୂତ୍ରାତ୍ମା ରୂପରେ ଚରାଚର ଜଗତକୁ ନିଜ ନିୟନ୍ତ୍ରଣରେ ରଖନ୍ତି | ଆପଣ ପ୍ରଜାର ରକ୍ଷକ ମଧ୍ୟ ଅଟନ୍ତି | ଭଗବନ୍ ! ଆପଣ ହିଁ ଚିତ୍ତ, ଚେତନା, ମନ ଏବଂ ଇନ୍ଦ୍ରିୟର ସ୍ବାମୀ ଅଟନ୍ତି | ପଞ୍ଚଭୂତ, ଶବ୍ଦାଦି ବିଷୟ ଏବଂ ସେମାନଙ୍କ ସଂସ୍କାରର ରଚୟିତା ରୂପରେ ମଧ୍ୟ ଆପଣ ହିଁ ସେହି ମହତ୍ତତ୍ତ୍ବ ଅଟନ୍ତି |

ତ୍ୱଂ ସପ୍ତତନ୍ତୂନ୍ ବିତନୋଷି ତନ୍ୱା

ତ୍ରୟ୍ୟା ଚାତୁର୍ହୋତ୍ରକବିଦ୍ୟଯା ଚ ।

ତ୍ୱମେକ ଆତ୍ମାଽଽତ୍ମବତାମନାଦି-

ରନନ୍ତପାରଃ କବିରନ୍ତରାତ୍ମା ॥ ୩୦॥

ହୋତା, ଅଧ୍ବର୍ୟୁ, ବ୍ରହ୍ମା ଏବଂ ଉଦଗାତା – ଏହି ଋତ୍ବିଜମାନଙ୍କ ଦ୍ବାରା ବେଦ ଯେଉଁ ଯଜ୍ଞର ପ୍ରତିପାଦନ କରିଥାଏ, ସେମାନେ ଆପଣଙ୍କର ହିଁ ଶରୀର ଅଟନ୍ତି | ଆପଣ ସେମାନଙ୍କ ଦ୍ବାରା ଅଗ୍ନିଷ୍ଟୋମ ଆଦି ସାତ ଯଜ୍ଞର ବିସ୍ତାର କରନ୍ତି | ଆପଣ ହିଁ ସମ୍ପୂର୍ଣ୍ଣ ପ୍ରାଣୀଜଗତର ଆତ୍ମା ଅଟନ୍ତି | କାରଣ ଆପଣ ଅନାଦି, ଅନନ୍ତ, ଅପାର, ସର୍ବଜ୍ଞ ଏବଂ ଅନ୍ତର୍ଯ୍ୟାମୀ ଅଟନ୍ତି |

ତ୍ୱମେବ କାଲୋଽନିମିଷୋ ଜନାନା-

ମାୟୁର୍ଲବାଦ୍ୟାବୟବୈଃ କ୍ଷିଣୋଷି ।

କୂଟସ୍ଥ ଆତ୍ମା ପରମେଷ୍ଠ୍ୟଜୋ ମହାଂ-

ସ୍ତ୍ୱଂ ଜୀବଲୋକସ୍ୟ ଚ ଜୀବ ଆତ୍ମା ॥ ୩୧॥

ଆପଣ ହିଁ କାଳ ଅଟନ୍ତି | ପ୍ରତିକ୍ଷଣ ସାବଧାନ ରହି ଆପଣ ନିଜର କ୍ଷଣ, ଲବ ଆଦି ବିଭାଗ ଦ୍ବାରା ମନୁଷ୍ୟର ଆୟୁ କ୍ଷୀଣ କରୁଥାଆନ୍ତି | ତା ସତ୍ତ୍ବେ ବି ଆପଣ ନିର୍ବିକାର ଅଟନ୍ତି; କାରଣ ଆପଣ ଜ୍ଞାନସ୍ବରୂପ, ପରମେଶ୍ବର, ଅଜନ୍ମା, ମହାନ୍ ଏବଂ ସମ୍ପୂର୍ଣ୍ଣ ଜୀବସମୁଦାୟର ଜୀବନଦାତା ଅନ୍ତରାତ୍ମା ଅଟନ୍ତି |

ତ୍ୱତ୍ତଃ ପରଂ ନାପରମପ୍ୟନେଜ-

ଦେଜଚ୍ଚ କିଞ୍ଚିଦ୍ୱ୍ୟତିରିକ୍ତମସ୍ତି ।

ବିଦ୍ୟାଃ କଲାସ୍ତେ ତନବଶ୍ଚ ସର୍ୱା

ହିରଣ୍ୟଗର୍ଭୋଽସି ବୃହତ୍ତ୍ରିପୃଷ୍ଠଃ ॥ ୩୨॥

ପ୍ରଭୁ ! କାର୍ଯ୍ୟ-କାରଣ, ଚଳ-ଅଚଳ ଏପରି କୌଣସି ବି ବସ୍ତୁ ନାହିଁ ଯାହା ଆପଣଙ୍କଠାରୁ ଭିନ୍ନ ଅଟେ | ସମସ୍ତ ବିଦ୍ୟା ଏବଂ କଳା ଆପଣଙ୍କର ଶରୀର ଅଟନ୍ତି | ଆପଣ ତ୍ରିଗୁଣମୟୀ ମାୟାର ଅତୀତ ସ୍ବୟଂ ବ୍ରହ୍ମ ଅଟନ୍ତି | ଏହି ସ୍ବର୍ଣ୍ଣମୟ ବ୍ରହ୍ମାଣ୍ଡ ଆପଣଙ୍କ ଗର୍ଭରେ ସ୍ଥିତ ଅଟେ, ଆପଣ ଏହାକୁ ନିଜ ମଧ୍ୟରୁ ହିଁ ପ୍ରକଟ କରନ୍ତି |

ବ୍ୟକ୍ତଂ ବିଭୋ ସ୍ଥୂଲମିଦଂ ଶରୀରଂ

ଯେନେନ୍ଦ୍ରିୟପ୍ରାଣମନୋଗୁଣାଂସ୍ତ୍ୱମ୍ ।

ଭୁଙ୍କ୍ଷେ ସ୍ଥିତୋ ଧାମନି ପାରମେଷ୍ଠ୍ୟେ

ଅବ୍ୟକ୍ତ ଆତ୍ମା ପୁରୁଷଃ ପୁରାଣଃ ॥ ୩୩॥

ପ୍ରଭୁ ! ଏହି ବ୍ୟକ୍ତ ବ୍ରହ୍ମାଣ୍ଡ ଆପଣଙ୍କର ସ୍ଥୂଳ ଶରୀର ଅଟେ | ଏହାଦ୍ବାରା ଆପଣ ଇନ୍ଦ୍ରିୟ, ପ୍ରାଣ ଏବଂ ମନର ବିଷୟକୁ ଉପଭୋଗ କରନ୍ତି; କିନ୍ତୁ ସେତେବେଳେ ମଧ୍ୟ ଆପଣ ନିଜର ପରମ ଐଶ୍ବର୍ଯ୍ୟମୟ ସ୍ବରୂପରେ ସ୍ଥିତ ରହିଥାଆନ୍ତି | ବସ୍ତୁତଃ ଆପଣ ପୁରାଣପୁରୁଷ, ସ୍ଥୂଳ-ସୂକ୍ଷ୍ମର ଉର୍ଦ୍ଧ୍ବରେ ବ୍ରହ୍ମସ୍ବରୂପ ହିଁ ଅଟନ୍ତି |

ଅନନ୍ତାବ୍ୟକ୍ତରୂପେଣ ଯେନେଦମଖିଲଂ ତତମ୍ ।

ଚିଦଚିଚ୍ଛକ୍ତିୟୁକ୍ତାୟ ତସ୍ମୈ ଭଗବତେ ନମଃ ॥ ୩୪॥

ଆପଣ ନିଜର ଅନନ୍ତ ଏବଂ ଅବ୍ୟକ୍ତ ସ୍ବରୂପରେ ସାରା ଜଗତରେ ବ୍ୟାପ୍ତ ଅଟନ୍ତି | ଚେତନ ଏବଂ ଅଚେତନ ଉଭୟ ଆପଣଙ୍କର ଶକ୍ତି ଅଟନ୍ତି | ଭଗବନ୍ ! ମୁଁ ଆପଣଙ୍କୁ ନମସ୍କାର କରୁଛି |

ଯଦି ଦାସ୍ୟସ୍ୟଭିମତାନ୍ ବରାନ୍ ମେ ବରଦୋତ୍ତମ ।

ଭୂତେଭ୍ୟସ୍ତ୍ୱଦ୍ୱିସୃଷ୍ଟେଭ୍ୟୋ ମୃତ୍ୟୁର୍ମା ଭୂନ୍ମମ ପ୍ରଭୋ ॥ ୩୫॥

ନାନ୍ତର୍ବହିର୍ଦିବା ନକ୍ତମନ୍ୟସ୍ମାଦପି ଚାୟୁଧୈଃ ।

ନ ଭୂମୌ ନାମ୍ବରେ ମୃତ୍ୟୁର୍ନ ନରୈର୍ନ ମୃଗୈରପି ॥ ୩୬॥

ବ୍ୟସୁଭିର୍ୱାସୁମଦ୍ଭିର୍ୱା ସୁରାସୁରମହୋରଗୈଃ ।

ଅପ୍ରତିଦ୍ୱନ୍ଦ୍ୱତାଂ ଯୁଦ୍ଧେ ଐକପତ୍ୟଂ ଚ ଦେହିନାମ୍ ॥ ୩୭॥

ପ୍ରଭୁ ! ଆପଣ ସମସ୍ତ ବରଦାତାଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି | ଆପଣ ଯଦି ମୋତେ ଅଭୀଷ୍ଟ ବର ପ୍ରଦାନ କରିବାକୁ ଇଚ୍ଛା କରୁଛନ୍ତି, ତେବେ ମୋତେ ଏହି ବର ଦିଅନ୍ତୁ ଯେ ଆପଣଙ୍କ ଦ୍ବାରା ସୃଷ୍ଟ କୌଣସି ପ୍ରାଣୀ – ମନୁଷ୍ୟ ଅଥବା ପଶୁ, ପ୍ରାଣୀ ଅଥବା ଅପ୍ରାଣୀ, ଦେବତା ବା ଦୈତ୍ୟ ଅଥବା ନାଗାଦି – କାହା ଦ୍ବାରା ମୋର ମୃତ୍ୟୁ ହେବ ନାହିଁ | ଭିତରେ-ବାହାରେ, ଦିନରେ-ରାତିରେ, ଆପଣଙ୍କ ଦ୍ବାରା ରଚିତ ପ୍ରାଣୀ ଅତିରିକ୍ତ, ଅନ୍ୟ କୌଣସି ଜୀବ ଦ୍ବାରା, ଅସ୍ତ୍ର-ଶସ୍ତ୍ର ଦ୍ବାରା, ପୃଥିବୀରେ ବା ଆକାଶରେ – କେଉଁଠାରେ ବି ମୋର ମୃତ୍ୟୁ ହେବ ନାହିଁ | ଯୁଦ୍ଧରେ କେହି ମୋର ମୁକାବଲା କରି ପାରିବେ ନାହିଁ - ମୁଁ ସମସ୍ତ ପ୍ରାଣୀଙ୍କର ଏକଛତ୍ର ସମ୍ରାଟ ହେବି |

ସର୍ୱେଷାଂ ଲୋକପାଲାନାଂ ମହିମାନଂ ଯଥାଽଽତ୍ମନଃ ।

ତପୋୟୋଗପ୍ରଭାବାଣାଂ ଯନ୍ନ ରିଷ୍ୟତି କର୍ହିଚିତ୍ ॥ ୩୮॥

ଇନ୍ଦ୍ରାଦି ସମସ୍ତ ଲୋକପାଳଙ୍କ ନିମନ୍ତେ ଆପଣଙ୍କର ମହିମା ପରି ମୋର ମଧ୍ୟ ମହିମା ରହିବ | ତପସ୍ବୀ ଏବଂ ଯୋଗୀମାନଙ୍କୁ ପ୍ରାପ୍ତ ଅକ୍ଷୟ ଐଶ୍ବର୍ଯ୍ୟ ଆପଣ ମୋତେ ମଧ୍ୟ ପ୍ରଦାନ କରନ୍ତୁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ହିରଣ୍ୟକଶିପୁବରୟାଚନଂ ନାମ ତୃତୀୟୋଽଧ୍ୟାୟଃ ॥ ୩॥ 

Comments

Popular posts from this blog