ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ନବମ ଅଧ୍ୟାୟ
ଭଗୀରଥ-ଚରିତ୍ର ଓ ଗଙ୍ଗାବତରଣ
ଶ୍ରୀଶୁକ ଉବାଚ
ଅଂଶୁମାଂଶ୍ଚ
ତପସ୍ତେପେ ଗଙ୍ଗାନୟନକାମ୍ୟଯା ।
କାଲଂ ମହାନ୍ତଂ
ନାଶକ୍ନୋତ୍ତତଃ କାଲେନ ସଂସ୍ଥିତଃ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଗଙ୍ଗାଙ୍କୁ ମର୍ତ୍ତ୍ୟଲୋକକୁ ଆଣିବା ଅଭିଳାଷରେ ଅଂଶୁମାନ୍ ବହୁ ବର୍ଷ
ଘୋର ତପସ୍ୟା କଲେ | କିନ୍ତୁ ତାଙ୍କୁ ସଫଳତା ମିଳିଲା ନାହିଁ ଏବଂ କାଳପ୍ରବାହ କ୍ରମେ ତାଙ୍କର
ମୃତ୍ୟୁ ହୋଇଗଲା |
ଦିଲୀପସ୍ତତ୍ସୁତସ୍ତଦ୍ୱଦଶକ୍ତଃ
କାଲମେୟିବାନ୍ ।
ଭଗୀରଥସ୍ତସ୍ୟ
ପୁତ୍ରସ୍ତେପେ ସ ସୁମହତ୍ତପଃ ॥ ୨॥
ଅଂଶୁମାନଙ୍କର
ପୁତ୍ର ଥିଲେ ଦିଲୀପ | ସେ ମଧ୍ୟ ସେହି ଉଦ୍ଦେଶ୍ୟରେ ତପସ୍ୟା କଲେ, କିନ୍ତୁ ଅସଫଳ ହୋଇ ସେ ମଧ୍ୟ ସମୟକ୍ରମେ ମୃତ୍ୟୁବରଣ
କଲେ | ଦିଲୀପଙ୍କର ପୁତ୍ର ଥିଲେ ଭଗୀରଥ | ସେ ଏକନିଷ୍ଠ ଭାବରେ ଘୋର ତପସ୍ୟା କଲେ |
ଦର୍ଶୟାମାସ ତଂ
ଦେବୀ ପ୍ରସନ୍ନା ବରଦାସ୍ମି ତେ ।
ଇତ୍ୟୁକ୍ତଃ
ସ୍ୱମଭିପ୍ରାୟଂ ଶଶଂସାବନତୋ ନୃପଃ ॥ ୩॥
ତାଙ୍କ ତପସ୍ୟାରେ
ପ୍ରସନ୍ନ ହୋଇ ଭଗବତୀ ଗଙ୍ଗା ତାଙ୍କୁ ଦର୍ଶନ ଡେଇ କହିଲେ – ‘ମୁଁ ତୁମକୁ ବରଦାନ କରିବାକୁ
ଆସିଛି’ | ସେ ଏପରି କହିବାରୁ ରାଜା ଭଗୀରଥ ଅତ୍ୟନ୍ତ ନମ୍ରତାପୂର୍ବକ ନିଜର ଅଭିପ୍ରାୟ ବ୍ୟକ୍ତ
କରିବାକୁ ଯାଇ ତାଙ୍କୁ କହିଲେ, ‘ଆପଣ
ମର୍ତ୍ତ୍ୟଲୋକକୁ ଆସନ୍ତୁ’ |
କୋଽପି ଧାରୟିତା
ବେଗଂ ପତନ୍ତ୍ୟା ମେ ମହୀତଲେ ।
ଅନ୍ୟଥା ଭୂତଲଂ
ଭିତ୍ତ୍ୱା ନୃପ ଯାସ୍ୟେ ରସାତଲମ୍ ॥ ୪॥
ତାହା ଶୁଣି
ଗଙ୍ଗାଦେବୀ କହିଲେ, ‘ମୁଁ ଯେତେବେଳେ ସ୍ବର୍ଗରୁ
ଖସି ପୃଥିବୀରେ ପଡିବି, ସେତେବେଳେ ମୋର ବେଗକୁ ଧାରଣ କରିବାକୁ କେହି ଜଣେ ବୀର ପୁରୁଷ ଥିବା
ଉଚିତ୍ | ଭଗୀରଥ ! ତାହା ନ ହେଲେ ମୁଁ ପୃଥିବୀକୁ ଚିରି ରସାତଳକୁ ଚାଲିଯିବି |
କିଂ ଚାହଂ ନ ଭୁବଂ
ଯାସ୍ୟେ ନରା ମୟ୍ୟାମୃଜନ୍ତ୍ୟଘମ୍ ।
ମୃଜାମି ତଦଘଂ
କୁତ୍ର ରାଜଂସ୍ତତ୍ର ବିଚିନ୍ତ୍ୟତାମ୍ ॥ ୫॥
ଏତଦ୍ ବ୍ୟତିତ ଅନ୍ୟ
ଏକ କାରଣରୁ ମଧ୍ୟ ମୁଁ ପୃଥିବୀକୁ ଯିବାକୁ ଇଚ୍ଛା କରୁନାହିଁ ଯେ ଲୋକେ ମୋ ଜଳରେ ନିଜର ପାପ ଧୌତ
କରିବେ | ତାପରେ ମୁଁ ସେହି ପାପକୁ କେଉଁଠାରେ ଧୌତ କରିବି ? ଭଗୀରଥ ! ଏହି ସବୁ ବିଷୟରେ ତୁମେ
ସ୍ବୟଂ ବିଚାର କର ‘ |
ଭଗୀରଥ ଉବାଚ
ସାଧବୋ ନ୍ୟାସିନଃ
ଶାନ୍ତା ବ୍ରହ୍ମିଷ୍ଠା ଲୋକପାବନାଃ ।
ହରନ୍ତ୍ୟଘଂ
ତେଽଙ୍ଗସଙ୍ଗାତ୍ତେଷ୍ୱାସ୍ତେ ହ୍ୟଘଭିଦ୍ଧରିଃ ॥ ୬॥
ଭଗୀରଥ କହିଲେ –
ମାତା ! ଯେଉଁମାନେ ଲୋକ-ପରଲୋକ, ଧନ-ସମ୍ପତ୍ତି, ସ୍ତ୍ରୀ-ପୁତ୍ର ଆଦିର କାମନାକୁ ତ୍ୟାଗ କରି ଦେଇଛନ୍ତି, ଯିଏ ସଂସାରରୁ ଉପରତ ହୋଇ ନିଜେ ନିଜ ମଧ୍ୟରେ ଶାନ୍ତ
ଅଟନ୍ତି, ଯେଉଁମାନେ ବ୍ରହ୍ମନିଷ୍ଠ ଏବଂ ସଂସାରକୁ ପବିତ୍ର
କରୁଥିବା ପରୋପକାରୀ ସଜ୍ଜନ ଅଟନ୍ତି – ସେମାନେ ନିଜ ଅଙ୍ଗସ୍ପର୍ଶରେ ଆପଣଙ୍କର ପାପକୁ ନଷ୍ଟ
କରିଦେବେ | କାରଣ ସେମାନଙ୍କ ହୃଦୟରେ ଅଘରୂପ ଅଘାସୁରର ବିନାଶକାରୀ ଭଗବାନ ସଦା-ସର୍ବଦା ନିବାସ
କରନ୍ତି |
ଧାରୟିଷ୍ୟତି ତେ
ବେଗଂ ରୁଦ୍ରସ୍ତ୍ୱାତ୍ମା ଶରୀରିଣାମ୍ ।
ଯସ୍ମିନ୍ନୋତମିଦଂ
ପ୍ରୋତଂ ବିଶ୍ୱଂ ଶାଟୀବ ତନ୍ତୁଷୁ ॥ ୭॥
ସମସ୍ତ ପ୍ରାଣୀଙ୍କର
ଆତ୍ମା ରୁଦ୍ରଦେବ ଆପଣଙ୍କର ବେଗକୁ ଧାରଣ କରିନେବେ; କାରଣ ଶାଢୀରେ ସୂତ୍ର ଓତପ୍ରୋତ ରହିବା ପରି
ଏହି ସାରା ବିଶ୍ବ ଭଗବାନ ରୁଦ୍ରଙ୍କଠାରେ ହିଁ ଓତପ୍ରୋତ ଅଟେ |
ଇତ୍ୟୁକ୍ତ୍ୱା ସ
ନୃପୋ ଦେବଂ ତପସାତୋଷୟଚ୍ଛିବମ୍ ।
କାଲେନାଲ୍ପୀୟସା
ରାଜଂସ୍ତସ୍ୟେଶଃ ସମତୁଷ୍ୟତ ॥ ୮॥
ପରୀକ୍ଷିତ !
ଗଙ୍ଗାଦେବୀଙ୍କୁ ଏପରି କହି ରାଜା ଭଗୀରଥ ତପସ୍ୟା ଦ୍ବାରା ଭଗବାନ ଶଂକରଙ୍କୁ ପ୍ରସନ୍ନ କଲେ |
ଅଳ୍ପ କିଛି ଦିନରେ ମହାଦେବ ତାଙ୍କ ଉପରେ ପ୍ରସନ୍ନ ହୋଇଗଲେ |
ତଥେତି
ରାଜ୍ଞାଭିହିତଂ ସର୍ୱଲୋକହିତଃ ଶିବଃ ।
ଦଧାରାବହିତୋ
ଗଙ୍ଗାଂ ପାଦପୂତଜଲାଂ ହରେଃ ॥ ୯॥
ଭଗବାନ ଶଂକର ତ
ସମ୍ପୂର୍ଣ୍ଣ ବିଶ୍ବର ହିତୈଷୀ ଅଟନ୍ତି | ସେ ‘ତଥାସ୍ତୁ’ କହି ରାଜା
ଭଗୀରଥଙ୍କର ନିବେଦନକୁ ସ୍ବୀକାର କରିନେଲେ | ତାପରେ ଭଗବାନ ଶିବ ଅତ୍ୟନ୍ତ ସାବଧାନପୂର୍ବକ
ଗଙ୍ଗାଙ୍କୁ ନିଜ ମସ୍ତକରେ ଧାରଣ କଲେ | କାହିଁକି ନ କରନ୍ତେ, ଭଗବାନଙ୍କ ଚରଣରୁ
ନିଃସୃତ ହୋଇଥିବା କାରଣରୁ ଗଙ୍ଗାଜଳ ତ ପରମ ପବିତ୍ର ଥିଲା
ଭଗୀରଥଃ ସ
ରାଜର୍ଷିର୍ନିନ୍ୟେ ଭୁବନପାବନୀମ୍ ।
ଯତ୍ର ସ୍ୱପିତୄଣାଂ
ଦେହା ଭସ୍ମୀଭୂତାଃ ସ୍ମ ଶେରତେ ॥ ୧୦॥
ଏହାପରେ ରାଜର୍ଷି
ଭଗୀରଥ ତ୍ରିଭୁବନପାବନୀ ଗଙ୍ଗାଙ୍କୁ ସେହି ସ୍ଥାନକୁ ନେଇଗଲେ, ଯେଉଁଠାରେ ତାଙ୍କ
ପିତୃପୁରୁଷଙ୍କର ଶରୀର କୁଢ଼-କୁଢ଼ ଭସ୍ମ ରୂପରେ ପଡି ରହିଥିଲା |
ରଥେନ ବାୟୁବେଗେନ
ପ୍ରୟାନ୍ତମନୁଧାବତୀ ।
ଦେଶାନ୍ ପୁନନ୍ତୀ
ନିର୍ଦଗ୍ଧାନାସିଞ୍ଚତ୍ସଗରାତ୍ମଜାନ୍ ॥ ୧୧॥
ବାୟୁବେଗରେ ଧାବିତ
ରଥ ଆରୋହଣ କରି ସେ ଆଗେ ଆଗେ ଚାଲିଥିଲେ ଏବଂ ତାଙ୍କ ପଛରେ ମାର୍ଗରେ ଆସୁଥିବା ଦେଶକୁ ପବିତ୍ର
କରି ଗଙ୍ଗା ପ୍ରଖର ବେଗରେ ପ୍ରବାହିତ ହୋଇ ଚାଲିଥିଲେ | ଏହିପରି ଭାବରେ ଗଙ୍ଗାସାଗର-ସଙ୍ଗମରେ
ପହଞ୍ଚି ସେ ସଗରଙ୍କର ଭସ୍ମ ହୋଇ ଯାଇଥିବା ପୁତ୍ରମାନଙ୍କୁ ନିଜ ଜଳରେ ଡୁଵାଇ ଦେଲେ |
ଯଜ୍ଜଲସ୍ପର୍ଶମାତ୍ରେଣ
ବ୍ରହ୍ମଦଣ୍ଡହତା ଅପି ।
ସଗରାତ୍ମଜା ଦିବଂ
ଜଗ୍ମୁଃ କେବଲଂ ଦେହଭସ୍ମଭିଃ ॥ ୧୨॥
ବ୍ରାହ୍ମଣଙ୍କର
ତିରସ୍କାର କରିଥିବା କାରଣରୁ ଯଦିଓ ସଗରଙ୍କର ପୁତ୍ରମାନେ ଜଳି ଭସ୍ମ ହୋଇ ଯାଇଥିଲେ ଏବଂ
ସେମାନଙ୍କ ଉଦ୍ଧାରର କୌଣସି ଉପାୟ ନ ଥିଲା, ତଥାପି ସେମାନଙ୍କ
ଶରୀରର ଭସ୍ମ ସହିତ ଗଙ୍ଗାଜଳର ସ୍ପର୍ଶ ହୋଇଯିବାରୁ ସେମାନେ ସ୍ବର୍ଗକୁ ଚାଲିଗଲେ |
ଭସ୍ମୀଭୂତାଙ୍ଗସଙ୍ଗେନ
ସ୍ୱର୍ୟାତାଃ ସଗରାତ୍ମଜାଃ ।
କିଂ ପୁନଃ
ଶ୍ରଦ୍ଧୟା ଦେବୀଂ ଯେ ସେବନ୍ତେ ଧୃତବ୍ରତାଃ ॥ ୧୩॥
ପରୀକ୍ଷିତ ! ଏଠାରେ
ଲକ୍ଷ୍ୟ କରାଯାଇ ପାରେ ଯେ ଯଦି ଶରୀରର ଭସ୍ମ ସହିତ ଗଙ୍ଗାଜଳର ସ୍ପର୍ଶ ହୋଇଯିବାରୁ ସଗରଙ୍କର
ପୁତ୍ରମାନଙ୍କର ସ୍ବର୍ଗ ପ୍ରାପ୍ତି ହୋଇଗଲା, ତେବେ ଯେଉଁମାନେ
ଶ୍ରଦ୍ଧାର ସହିତ ନିୟମରେ ଗଙ୍ଗାଜଳର ସେବନ କରନ୍ତି, ସେମାନଙ୍କର ଗତି
ବିଷୟରେ କ’ଣ ଅବା କୁହାଯିବ ?
ନ
ହ୍ୟେତତ୍ପରମାଶ୍ଚର୍ୟଂ ସ୍ୱର୍ଧୁନ୍ୟା ଯଦିହୋଦିତମ୍ ।
ଅନନ୍ତଚରଣାମ୍ଭୋଜପ୍ରସୂତାୟା ଭବଚ୍ଛିଦଃ ॥ ୧୪॥
ସନ୍ନିବେଶ୍ୟ ମନୋ
ଯସ୍ମିଞ୍ଛ୍ରଦ୍ଧୟା ମୁନୟୋଽମଲାଃ ।
ତ୍ରୈଗୁଣ୍ୟଂ
ଦୁସ୍ତ୍ୟଜଂ ହିତ୍ୱା ସଦ୍ୟୋ ଯାତାସ୍ତଦାତ୍ମତାମ୍ ॥ ୧୫॥
ଗଙ୍ଗାଙ୍କର ମହିମା
ବିଷୟରେ ମୁଁ ଯାହା କିଛି କହିଲି, ସେଥିରେ
ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ | କାରଣ ଭଗବାନଙ୍କର ଯେଉଁ ଚରଣକମଳରୁ ଗଙ୍ଗାଦେବୀ ନିଃସୃତ, ଶ୍ରଦ୍ଧାର ସହିତ ସେହି ଚରଣକମଳର ଚିନ୍ତନ କରି ବଡ-ବଡ
ମୁନିଜନ ନିର୍ମଳ ହୋଇଯାଆନ୍ତି ଏବଂ ତ୍ରିଗୁଣର କଠିନ ବନ୍ଧନକୁ ଛିନ୍ନ କରି ଅତିଶୀଘ୍ର
ଭଗବତ୍-ସ୍ବରୂପ ହୋଇଯାଆନ୍ତି | ତେଣୁ ଗଙ୍ଗାଦେବୀ ସଂସାରର ବନ୍ଧନକୁ କାଟି ଦିଅନ୍ତି – ଏଥିରେ
ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?
ଶ୍ରୁତୋ
ଭଗୀରଥାଜ୍ଜଜ୍ଞେ ତସ୍ୟ ନାଭୋଽପରୋଽଭବତ୍ ।
ସିନ୍ଧୁଦ୍ୱୀପସ୍ତତସ୍ତସ୍ମାଦୟୁତାୟୁସ୍ତତୋଽଭବତ୍
॥ ୧୬॥
ଋତୁପର୍ଣୋ ନଲସଖୋ
ଯୋଽଶ୍ୱବିଦ୍ୟାମୟାନ୍ନଲାତ୍ ।
ଦତ୍ତ୍ୱାକ୍ଷହୃଦୟଂ
ଚାସ୍ମୈ ସର୍ୱକାମସ୍ତୁ ତତ୍ସୁତଃ ॥ ୧୭॥
ଭଗୀରଥଙ୍କର ପୁତ୍ରର
ନାମ ଥିଲା ଶ୍ରୁତ, ଶ୍ରୁତଙ୍କର ପୁତ୍ର ନାଭ |
ଏହି ନାଭ ପୂର୍ବୋକ୍ତ ନାଭଙ୍କଠାରୁ ଭିନ୍ନ ଅଟନ୍ତି | ନାଭଙ୍କର ପୁତ୍ର ସିନ୍ଧୁଦ୍ବୀପ ଏବଂ
ସିନ୍ଧୁଦ୍ବୀପଙ୍କର ପୁତ୍ର ଅୟତାୟୁ | ଅୟତାୟୁଙ୍କର ପୁତ୍ରର ନାମ ଥିଲା ଋତୁପର୍ଣ୍ଣ; ସେ ନଳଙ୍କର
ମିତ୍ର ଥିଲେ | ନଳଙ୍କୁ ସେ ପଶାଖେଳର ରହସ୍ୟ କହିଥିଲେ ଏବଂ ପ୍ରତିବଦଳରେ ତାଙ୍କଠାରୁ ଅଶ୍ବବିଦ୍ୟା
ଶିଖିଥିଲେ | ଋତୁପର୍ଣ୍ଣଙ୍କର ପୁତ୍ର ଥିଲେ ସର୍ବକାମ |
ତତଃ
ସୁଦାସସ୍ତତ୍ପୁତ୍ରୋ ମଦୟନ୍ତୀପତିର୍ନୃପଃ ।
ଆହୁର୍ମିତ୍ରସହଂ ଯଂ
ବୈ କଲ୍ମାଷାଙ୍ଘ୍ରିମୁତ କ୍ୱଚିତ୍ ।
ବସିଷ୍ଠଶାପାଦ୍ରକ୍ଷୋଽଭୂଦନପତ୍ୟଃ
ସ୍ୱକର୍ମଣା ॥ ୧୮॥
ପରୀକ୍ଷିତ !
ସର୍ବକାମଙ୍କର ପୁତ୍ର ସୁଦାସ ଏବଂ ସୁଦାସଙ୍କର ପୁତ୍ର ଥିଲେ ସୌଦାସ | ସୌଦାସଙ୍କ ପତ୍ନୀର ନାମ
ଥିଲା ମଦୟନ୍ତୀ | ସୌଦାସଙ୍କୁ ହିଁ କେହି କେହି ମିତ୍ରସହ କହନ୍ତି ଏବଂ କେଉଁଠି-କେଉଁଠି ତାଙ୍କୁ
କଲ୍ମାଷପାଦ ମଧ୍ୟ କୁହାଯାଇଛି | ବସିଷ୍ଠଙ୍କ ଶାପରୁ ସେ ରାକ୍ଷସ ହୋଇ ଯାଇଥିଲେ ଏବଂ ପରେ ନିଜ
କର୍ମରୁ ସନ୍ତାନହୀନ ମଧ୍ୟ ହୋଇଥିଲେ |
ରାଜୋବାଚ
କିଂ ନିମିତ୍ତୋ
ଗୁରୋଃ ଶାପଃ ସୌଦାସସ୍ୟ ମହାତ୍ମନଃ ।
ଏତଦ୍ୱେଦିତୁମିଚ୍ଛାମଃ
କଥ୍ୟତାଂ ନ ରହୋ ଯଦି ॥ ୧୯॥
ରାଜା ପରୀକ୍ଷିତ
ପଚାରିଲେ – ଭଗବନ୍ ! କେଉଁ କାରଣରୁ ଗୁରୁ ବସିଷ୍ଠ ରାଜା ସୌଦାସଙ୍କୁ ଶାପ ଦେଇଥିଲେ, ତାହା ମୁଁ ଜାଣିବାକୁ ଇଚ୍ଛା କରୁଛି | ଯଦି ତାହା
ଅତ୍ୟନ୍ତ ଗୋପନୀୟ ହୋଇ ନ ଥାଏ, ତେବେ କୃପା କରି
ମୋତେ କହନ୍ତୁ |
ଶ୍ରୀଶୁକ ଉବାଚ
ସୌଦାସୋ ମୃଗୟାଂ
କିଞ୍ଚିଚ୍ଚରନ୍ ରକ୍ଷୋ ଜଘାନ ହ ।
ମୁମୋଚ ଭ୍ରାତରଂ
ସୋଽଥ ଗତଃ ପ୍ରତିଚିକୀର୍ଷୟା ॥ ୨୦॥
ସ ଚିନ୍ତୟନ୍ନଘଂ
ରାଜ୍ଞଃ ସୂଦରୂପଧରୋ ଗୃହେ ।
ଗୁରବେ
ଭୋକ୍ତୁକାମାୟ ପକ୍ତ୍ୱା ନିନ୍ୟେ ନରାମିଷମ୍ ॥ ୨୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଥରେ ରାଜା ସୌଦାସ ଶିକାର ଖେଳିବାକୁ ଯାଇଥିଲେ | ବଣରେ ସେ ଗୋଟିଏ
ରାକ୍ଷସକୁ ମାରି ତା’ର ଭାଈକୁ ଛାଡିଦେଲେ | ସେ
ଏହାକୁ ଅନ୍ୟାୟ ମନେକଲା ଏବଂ ଭାଈର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ରୋଷେଇଆ ରୂପ ଧାରଣ କରି
ରାଜାଙ୍କ ଉଆସରେ ପ୍ରବେଶ କଲା | ଦିନେ ଗୁରୁ ବସିଷ୍ଠ ଭୋଜନ ନିମନ୍ତେ ରାଜଉଆସକୁ ଆସିଥିବା ସମୟରେ
ସେ ମନୁଷ୍ୟର ମାଂସ ରନ୍ଧନ କରି ତାଙ୍କ ଆଗରେ ପରସି ଦେଲା |
ପରିବେକ୍ଷ୍ୟମାଣଂ
ଭଗବାନ୍ ବିଲୋକ୍ୟାଭକ୍ଷ୍ୟମଞ୍ଜସା ।
ରାଜାନମଶପତ୍କ୍ରୁଦ୍ଧୋ
ରକ୍ଷୋ ହ୍ୟେବଂ ଭବିଷ୍ୟସି ॥ ୨୨॥
ସର୍ବସମର୍ଥ ବସିଷ୍ଠ
ଯେତେବେଳେ ଦେଖିଲେ ଯେ ପରସା ଯାଇଥିବା ବ୍ୟଞ୍ଜନ ନିତାନ୍ତ ଅଭକ୍ଷ୍ୟ ଅଟେ, ସେତେବେଳେ ସେ କୁପିତ ହୋଇ ରାଜାଙ୍କୁ ଅଭିଶାପ ଦେଲେ, ‘ଯାଅ, ଏହି କର୍ମ ଯୋଗୁଁ
ତୁମେ ରାକ୍ଷସ ହୋଇଯାଅ’ |
ରକ୍ଷଃକୃତଂ
ତଦ୍ୱିଦିତ୍ୱା ଚକ୍ରେ ଦ୍ୱାଦଶବାର୍ଷିକମ୍ ।
ସୋଽପ୍ୟପୋଽଞ୍ଜଲିମାଦାୟ
ଗୁରୁଂ ଶପ୍ତୁଂ ସମୁଦ୍ୟତଃ ॥ ୨୩॥
ପରେ ଯେତେବେଳେ
ବସିଷ୍ଠ ଜାଣିବାକୁ ପାଇଲେ ଯେ ସେହି କର୍ମ ରୋଷେଇଆ-ରୂପୀ ରାକ୍ଷସର ଅଟେ, ରାଜାଙ୍କର ନୁହେଁ, ସେତେବେଳେ ସେ
ଶାପର ଅବଧିକୁ ହ୍ରାସ କରି କେବଳ ବାରବର୍ଷ କରିଦେଲେ | ଠିକ୍ ସେତିକି ବେଳେ ରାଜା ସୌଦାସ ମଧ୍ୟ
ଅଞ୍ଜଳିରେ ଜଳ ଧରି ବସିଷ୍ଠଙ୍କୁ ଶାପ ଦେବାକୁ ଉଦ୍ୟତ ହେଉଥିଲେ |
ବାରିତୋ
ମଦୟନ୍ତ୍ୟାପୋ ରୁଶତୀଃ ପାଦୟୋର୍ଜହୌ ।
ଦିଶଃ ଖମବନୀଂ
ସର୍ୱଂ ପଶ୍ୟନ୍ ଜୀବମୟଂ ନୃପଃ ॥ ୨୪॥
କିନ୍ତୁ ତାଙ୍କର
ପତ୍ନୀ ମଦୟନ୍ତୀ ତାଙ୍କୁ ତାହା କରିବାକୁ ଦେଲେ ନାହିଁ | ସେହି ସମୟରେ ରାଜା ବିଚାର କଲେ,
“ସମସ୍ତ ଦିଶା, ଆକାଶ ଏବଂ ପୃଥିବୀ ତ ଜୀବମୟ
ଅଟେ; ଏହି ତୀକ୍ଷ୍ଣ ଜଳକୁ ମୁଁ କେଉଁଠାରେ ଫିଙ୍ଗିବି ?”
ଶେଷରେ ସେହି ଜଳକୁ ସେ ନିଜ ପାଦରେ ଢାଳିଦେଲେ | (ସେଥିପାଇଁ ତାଙ୍କୁ ‘ମିତ୍ରସହ’ କୁହାଗଲା |)
ରାକ୍ଷସଂ
ଭାବମାପନ୍ନଃ ପାଦେ କଲ୍ମାଷତାଂ ଗତଃ ।
ବ୍ୟବାୟକାଲେ ଦଦୃଶେ
ବନୌକୋଦମ୍ପତୀ ଦ୍ୱିଜୌ ॥ ୨୫॥
ସେହି ଜଳର
ପ୍ରଭାବରେ ତାଙ୍କର ପାଦ କଳା ପଡିଗଲା, ସେଥିପାଇଁ ତାଙ୍କର ନାମ କଲ୍ମାଷପାଦ ହେଲା | ଏବେ ତ ସେ
ରାକ୍ଷସ ହୋଇ ଯାଇଥିଲେ | ଦିନେ ରାକ୍ଷସ ଭାବରେ ରାଜା କଲ୍ମାଷପାଦ ଏକ ବ୍ରାହ୍ମଣ-ଦମ୍ପତ୍ତିକୁ
ସହବାସ କରୁଥିବା ଅବସ୍ଥାରେ ଦେଖିଲେ |
କ୍ଷୁଧାର୍ତୋ ଜଗୃହେ
ବିପ୍ରଂ ତତ୍ପତ୍ନ୍ୟାହାକୃତାର୍ଥବତ୍ ।
ନ ଭବାନ୍ ରାକ୍ଷସଃ
ସାକ୍ଷାଦିକ୍ଷ୍ୱାକୂଣାଂ ମହାରଥଃ ॥ ୨୬॥
ମଦୟନ୍ତ୍ୟାଃ
ପତିର୍ୱୀର ନାଧର୍ମଂ କର୍ତୁମର୍ହସି ।
ଦେହି
ମେଽପତ୍ୟକାମାୟା ଅକୃତାର୍ଥଂ ପତିଂ ଦ୍ୱିଜମ୍ ॥ ୨୭॥
କଲ୍ମାଷପାଦ
କ୍ଷୁଧାତୁର ଥିଲେ, ତେଣୁ ସେ ବ୍ରାହ୍ମଣକୁ
ଭକ୍ଷଣ କରିବା ଉଦ୍ଦେଶ୍ୟରେ ଘୋଷାରି ନେଲେ | ବ୍ରାହ୍ମଣ-ପତ୍ନୀଙ୍କର କାମବାସନା ଏବେ ବି ତୃପ୍ତ
ହୋଇ ନ ଥିଲା | ସେ କହିଲେ – ରାଜନ୍ ! ଆପଣ ରାକ୍ଷସ ନୁହଁନ୍ତି | ଆପଣ ମହାରାଣୀ ମଦୟନ୍ତୀଙ୍କର
ପତି ଈକ୍ଷାକୁବଂଶୀୟ ବୀର ମହାରଥୀ ଅଟନ୍ତି | ତେଣୁ ଆପଣ ଏପରି ଅଧର୍ମ କରିବା ଉଚିତ୍ ନୁହେଁ |
ମୋର ସନ୍ତାନ-ପ୍ରାପ୍ତିର କାମନା ରହିଛି ଏବଂ ଏହି ବ୍ରାହ୍ମଣଙ୍କର ବାସନା ଏବେ ମଧ୍ୟ ପୂର୍ଣ୍ଣ
ହୋଇନାହିଁ | ତେଣୁ ଆପଣ ମୋର ବ୍ରାହ୍ମଣ-ପତିଙ୍କୁ ଫେରାଇ ଦିଅନ୍ତୁ |
ଦେହୋଽୟଂ ମାନୁଷୋ
ରାଜନ୍ ପୁରୁଷସ୍ୟାଖିଲାର୍ଥଦଃ ।
ତସ୍ମାଦସ୍ୟ ବଧୋ
ବୀର ସର୍ୱାର୍ଥବଧ ଉଚ୍ୟତେ ॥ ୨୮॥
ରାଜନ୍ ! ଏହି
ମନୁଷ୍ୟ-ଶରୀର ଜୀବକୁ ଧର୍ମ, ଅର୍ଥ, କାମ, ମୋକ୍ଷ – ଏହି
ପୁରୁଷାର୍ଥ ଚତୁଷ୍ଟୟ ପ୍ରାପ୍ତ କରାଇବାକୁ ସମର୍ଥ | ତେଣୁ ହେ ବୀର ! ଏହି ଶରୀରକୁ ନଷ୍ଟ
କରିଦେବା ସମସ୍ତ ପୁରୁଷାର୍ଥର ହତ୍ୟା ରୂପେ ପରିଗଣିତ ହେବ |
ଏଷ ହି ବ୍ରାହ୍ମଣୋ
ବିଦ୍ୱାଂସ୍ତପଃଶୀଲଗୁଣାନ୍ୱିତଃ ।
ଆରିରାଧୟିଷୁର୍ବ୍ରହ୍ମ
ମହାପୁରୁଷସଞ୍ଜ୍ଞିତମ୍ ।
ସର୍ୱଭୂତାତ୍ମଭାବେନ
ଭୂତେଷ୍ୱନ୍ତର୍ହିତଂ ଗୁଣୈଃ ॥ ୨୯॥
ତାଛଡା ଏହି
ବ୍ରାହ୍ମଣ ତ ବିଦ୍ବାନ୍ ଅଟନ୍ତି; ତପସ୍ୟା, ଶୀଳ ଆଦି ଅନେକ
ମହତ୍ ଗୁଣରେ ସମ୍ପନ୍ନ ଅଟନ୍ତି | ସେ ସେହି ପୁରୁଷୋତ୍ତମ ପରବ୍ରହ୍ମଙ୍କର ଆରାଧନା ସମସ୍ତ
ପ୍ରାଣୀଙ୍କର ଆତ୍ମା ରୂପରେ କରିବାକୁ ଚାହାଁନ୍ତି, ଯିଏ ସମସ୍ତ
ପଦାର୍ଥରେ ବିଦ୍ୟମାନ ରହିଥିଲେ ବି ସେମାନଙ୍କର ପୃଥକ୍-ପୃଥକ୍ ଗୁଣ ଦ୍ବାରା ଆବୃତ ରହିଥାଆନ୍ତି |
ସୋଽୟଂ
ବ୍ରହ୍ମର୍ଷିବର୍ୟସ୍ତେ ରାଜର୍ଷିପ୍ରବରାଦ୍ୱିଭୋ ।
କଥମର୍ହତି ଧର୍ମଜ୍ଞ
ବଧଂ ପିତୁରିବାତ୍ମଜଃ ॥ ୩୦॥
ରାଜନ୍ ! ଆପଣ
ଶକ୍ତିଶାଳୀ ଅଟନ୍ତି ଏବଂ ଧର୍ମର ମର୍ମକୁ ମଧ୍ୟ ଭଲ ଭାବରେ ଜାଣନ୍ତି | ପିତା ହସ୍ତରେ ପୁତ୍ରର
ମୃତ୍ୟୁ ଯେପରି ଅନୁଚିତ୍ ଅଟେ, ସେହିପରି ଆପଣଙ୍କ
ତୁଲ୍ୟ ଶ୍ରେଷ୍ଠ ରାଜର୍ଷିଙ୍କ ହସ୍ତରେ ମୋର ଶ୍ରେଷ୍ଠ ବ୍ରହ୍ମର୍ଷି-ପତିଙ୍କର ହତ୍ୟା ସର୍ବତୋ
ଭାବରେ ଅନୁଚିତ୍ ଅଟେ |
ତସ୍ୟ ସାଧୋରପାପସ୍ୟ
ଭ୍ରୂଣସ୍ୟ ବ୍ରହ୍ମବାଦିନଃ ।
କଥଂ ବଧଂ ଯଥା
ବଭ୍ରୋର୍ମନ୍ୟତେ ସନ୍ମତୋ ଭବାନ୍ ॥ ୩୧॥
ସାଧୁ-ସମାଜରେ
ଆପଣଙ୍କର ସମ୍ମାନ ବହୁତ ବେଶୀ | ତେଣୁ ମୋର ପରୋପକାରୀ, ନିରପରାଧ, ଶ୍ରୋତ୍ରିୟ ଏବଂ ବ୍ରହ୍ମବାଦୀ ପତିଙ୍କର ବଧ କରିବା
ପରି ନିନ୍ଦନୀୟ କର୍ମକୁ ଆପଣ ଉଚିତ୍ ମନେ କରୁଛନ୍ତି କିପରି ?
ଯଦ୍ୟଯଂ କ୍ରିୟତେ
ଭକ୍ଷସ୍ତର୍ହି ମାଂ ଖାଦ ପୂର୍ୱତଃ ।
ନ ଜୀବିଷ୍ୟେ ବିନା
ଯେନ କ୍ଷଣଂ ଚ ମୃତକଂ ଯଥା ॥ ୩୨॥
ତଥାପି ଆପଣ ଯଦି ତାଙ୍କୁ
ଖାଇବାକୁ ଇଚ୍ଛା କରୁଛନ୍ତି, ତେବେ ଆପଣ ପ୍ରଥମେ
ମୋତେ ଭକ୍ଷଣ କରନ୍ତୁ | କାରଣ ନିଜ ପତିଙ୍କ ବିନା ମୁଁ ଶବ-ତୁଲ୍ୟ ହୋଇଯିବି ଏବଂ କ୍ଷଣକ ପାଇଁ
ମଧ୍ୟ ଜୀବିତ ରହିପାରିବି ନାହିଁ |
ଏବଂ କରୁଣଭାଷିଣ୍ୟା
ବିଲପନ୍ତ୍ୟା ଅନାଥବତ୍ ।
ବ୍ୟାଘ୍ରଃ
ପଶୁମିବାଖାଦତ୍ସୌଦାସଃ ଶାପମୋହିତଃ ॥ ୩୩॥
ବ୍ରାହ୍ମଣ-ପତ୍ନୀ
ଅତ୍ୟନ୍ତ କରୁଣାପୂର୍ଣ୍ଣ ବାଣୀରେ ଏପରି କହି ଅନାଥଙ୍କ ପରି ରୋଦନ କରିବାରେ ଲାଗିଲେ | କିନ୍ତୁ
ଶାପ ଦ୍ବାରା ମୋହିତ ରହିଥିବା କାରଣରୁ ସୌଦାସ ତାଙ୍କ ପ୍ରାର୍ଥନା ପ୍ରତି ଧ୍ୟାନ ଦେଲେ ନାହିଁ
ଏବଂ ବାଘ କୌଣସି ପଶୁକୁ ଖାଇବା ପରି ସେ ସେହି ବ୍ରାହ୍ମଣକୁ ଖାଇନେଲେ |
ବ୍ରାହ୍ମଣୀ
ବୀକ୍ଷ୍ୟ ଦିଧିଷୁଂ ପୁରୁଷାଦେନ ଭକ୍ଷିତମ୍ ।
ଶୋଚନ୍ତ୍ୟାତ୍ମାନମୁର୍ୱୀଶମଶପତ୍କୁପିତା
ସତୀ ॥ ୩୪॥
ତାଙ୍କର ଗର୍ଭାଧାନ
ନିମନ୍ତେ ଉଦ୍ୟତ ପତିଙ୍କୁ ରାକ୍ଷସ ଭକ୍ଷଣ କରିଥିବା ଦେଖି ବ୍ରାହ୍ମଣୀ ଶୋକରେ ଅଧୀର ହୋଇ ଉଠିଲେ
| ସତୀ ବ୍ରାହ୍ମଣୀ କୁପିତ ହୋଇ ରାଜାଙ୍କୁ ଅଭିଶାପ ଦେଲେ -
ଯସ୍ମାନ୍ମେ
ଭକ୍ଷିତଃ ପାପ କାମାର୍ତାୟାଃ ପତିସ୍ତ୍ୱୟା ।
ତବାପି
ମୃତ୍ୟୁରାଧାନାଦକୃତପ୍ରଜ୍ଞ ଦର୍ଶିତଃ ॥ ୩୫॥
ରେ ପାପୀ ! ମୁଁ
ଏବେ ମଧ୍ୟ କାମବାସନାରେ ପୀଡିତ ଅଟେ | ଏପରି ଅବସ୍ଥାରେ ତୁ ମୋର ପତିଙ୍କୁ ନିଜର ଆହାର କରିନେଲୁ
| ସେଥିପାଇଁ ରେ ମୂର୍ଖ ! ଯେଉଁ ମୁହୂର୍ତ୍ତରେ ତୁ ସ୍ତ୍ରୀ ସହିତ ସହବାସ କରିବାକୁ ଉଦ୍ୟତ ହେବୁ, ସେହି ମୁହୂର୍ତ୍ତରେ ତୋର ମୃତ୍ୟୁ ହେବ | ଏହା ମୋର
ଚେତାବନୀ ଅଟେ |
ଏବଂ ମିତ୍ରସହଂ
ଶପ୍ତ୍ୱା ପତିଲୋକପରାୟଣା ।
ତଦସ୍ଥୀନି
ସମିଦ୍ଧେଽଗ୍ନୌ ପ୍ରାସ୍ୟ ଭର୍ତୁର୍ଗତିଂ ଗତା ॥ ୩୬॥
ମିତ୍ରସହଙ୍କୁ ଏପରି
ଶାପିତ କରି ବ୍ରାହ୍ମଣୀ ନିଜ ପତିଙ୍କର ଅସ୍ଥିକୁ ଦାହ କରିବା ସହିତ ସେହି ପ୍ରଜ୍ବଳିତ
ଚିତାଗ୍ନିରେ ସ୍ବୟଂ ସତୀ ହୋଇଗଲେ ଏବଂ ନିଜ ପତିଦେବଙ୍କର ଗତି ପ୍ରାପ୍ତ କରିନେଲେ | ସତୀ
ବ୍ରାହ୍ମଣୀ ନିଜ ପତିଙ୍କୁ ଛାଡି ଅନ୍ୟ ଲୋକକୁ ଯିବାକୁ ଇଚ୍ଛା କରୁ ନ ଥିଲେ |
ବିଶାପୋ
ଦ୍ୱାଦଶାବ୍ଦାନ୍ତେ ମୈଥୁନାୟ ସମୁଦ୍ୟତଃ ।
ବିଜ୍ଞାୟ
ବ୍ରାହ୍ମଣୀଶାପଂ ମହିଷ୍ୟା ସ ନିବାରିତଃ ॥ ୩୭॥
ବାରବର୍ଷ ବିତିଯିବା
ପରେ ରାଜା ଶାପମୁକ୍ତ ହୋଇଗଲେ | ତାପରେ ସେ ଯେତେବେଳେ ନିଜ ପତ୍ନୀଙ୍କ ସହିତ ସହବାସ କରିବାକୁ
ଗଲେ, ପତ୍ନୀ ତାଙ୍କୁ ବାଧା ଦେଲେ; କାରଣ ସେ ବ୍ରାହ୍ମଣୀଙ୍କର ଅଭିଶାପ ବିଷୟରେ ଜାଣିଥିଲେ
|
ତତ ଊର୍ଧ୍ୱଂ ସ
ତତ୍ୟାଜ ସ୍ତ୍ରୀସୁଖଂ କର୍ମଣାପ୍ରଜାଃ ।
ବସିଷ୍ଠସ୍ତଦନୁଜ୍ଞାତୋ
ମଦୟନ୍ତ୍ୟାଂ ପ୍ରଜାମଧାତ୍ ॥ ୩୮॥
ଏହାପରେ ରାଜା
ସ୍ତ୍ରୀ-ସୁଖ ପୂର୍ଣ୍ଣତଃ ପରିତ୍ୟାଗ କରିଦେଲେ ଏବଂ ଏହିପରି ଭାବରେ ନିଜ କର୍ମର ଫଳସ୍ବରୂପ
ସନ୍ତାନହୀନ ରହିଲେ | ସେତେବେଳେ ତାଙ୍କର ଅନୁରୋଧ କ୍ରମେ ଗୁରୁ ବସିଷ୍ଠ ମଦୟନ୍ତୀଙ୍କର ଗର୍ଭାଧାନ
କରାଇଲେ |
ସା ବୈ ସପ୍ତ ସମା
ଗର୍ଭମବିଭ୍ରନ୍ନ ବ୍ୟଜାୟତ ।
ଜଘ୍ନେଽଶ୍ମନୋଦରଂ
ତସ୍ୟାଃ ସୋଽଶ୍ମକସ୍ତେନ କଥ୍ୟତେ ॥ ୩୯॥
ମଦୟନ୍ତୀଙ୍କର ଗର୍ଭ
ସାତ ବର୍ଷଯାଏଁ ରହିଲା, କିନ୍ତୁ ସନ୍ତାନର ପ୍ରସବ
ହେଲା ନାହିଁ | ତାହା ଦେଖି ବସିଷ୍ଠ ଏକ ପଥର ଦ୍ବାରା ମଦୟନ୍ତୀଙ୍କର ଉଦରକୁ ଆଘାତ କଲେ |
ତଦ୍ବାରା ଯେଉଁ ବାଳକ ଜାତ ହେଲା, ସେ ଅଶ୍ମ (ପଥର)
ଆଘାତରେ ଜାତ ହୋଇଥିବା କାରଣରୁ ‘ଅଶ୍ମକ’ ବୋଲାଇଲା |
ଅଶ୍ମକାନ୍ମୂଲକୋ
ଜଜ୍ଞେ ଯଃ ସ୍ତ୍ରୀଭିଃ ପରିରକ୍ଷିତଃ ।
ନାରୀକବଚ
ଇତ୍ୟୁକ୍ତୋ ନିଃକ୍ଷତ୍ରେ ମୂଲକୋଽଭବତ୍ ॥ ୪୦॥
ଅଶ୍ମକଙ୍କଠାରୁ
ମୂଳକ ଜନ୍ମ ହେଲେ | ଭଗବାନ ପରଶୁରାମ ଯେତେବେଳେ ପୃଥିବୀକୁ କ୍ଷତ୍ରିୟହୀନ କରିବାରେ ଲାଗିଥିଲେ, ସେତେବେଳେ ସ୍ତ୍ରୀମାନେ ତାଙ୍କୁ ଲୁଚାଇ ରଖି ଦେଇଥିଲେ
| ସେଥିପାଇଁ ତାଙ୍କର ଅନ୍ୟ ଏକ ନାମ ‘ନାରୀକବଚ’ ମଧ୍ୟ ଥିଲା |
ତାଙ୍କର ନାମ ମୂଳକ ଏଥିପାଇଁ ହେଲା ଯେ ପୃଥିବୀ କ୍ଷତ୍ରିୟହୀନ ହୋଇଯିବା ପରେ ସେ ସେହି ବଂଶର ମୂଳ
(ପ୍ରବର୍ତ୍ତକ) ହେଲେ |
ତତୋ
ଦଶରଥସ୍ତସ୍ମାତ୍ପୁତ୍ର ଐଡବିଡିସ୍ତତଃ ।
ରାଜା ବିଶ୍ୱସହୋ
ଯସ୍ୟ ଖଟ୍ୱାଙ୍ଗଶ୍ଚକ୍ରବର୍ତ୍ୟଭୂତ୍ ॥ ୪୧॥
ମୂଳକଙ୍କର ପୁତ୍ର
ଥିଲେ ଦଶରଥ, ଦଶରଥଙ୍କର ପୁତ୍ର ଏଡବିଡ
ଏବଂ ଏଡବିଡଙ୍କର ପୁତ୍ର ଥିଲେ ବିଶ୍ବସହ | ଚକ୍ରବର୍ତ୍ତୀ ସମ୍ରାଟ ଖଟ୍ୱାଙ୍ଗ ବିଶ୍ବସହଙ୍କର
ପୁତ୍ର ଥିଲେ |
ଯୋ ଦେବୈରର୍ଥିତୋ
ଦୈତ୍ୟାନବଧୀଦ୍ୟୁଧି ଦୁର୍ଜୟଃ ।
ମୁହୂର୍ତମାୟୁର୍ଜ୍ଞାତ୍ୱୈତ୍ୟ
ସ୍ୱପୁରଂ ସନ୍ଦଧେ ମନଃ ॥ ୪୨॥
ଯୁଦ୍ଧରେ ତାଙ୍କୁ
କେହି ଜିତି ପାରୁ ନ ଥିଲେ | ଦେବତାମାନଙ୍କର ପ୍ରାର୍ଥନା କ୍ରମେ ସେ ଦୈତ୍ୟମାନଙ୍କର ବଧ କରିଥିଲେ
| ଦେବତାମାନଙ୍କଠାରୁ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କର ଆୟୁକାଳ ଆଉ ମାତ୍ର ଦୁଇ ଘଡି
ବାକି ଅଛି, ସେତେବେଳେ ସେ ନିଜ
ରାଜଧାନୀକୁ ଫେରି ଆସି ନିଜ ମନକୁ ଭଗବାନଙ୍କଠାରେ ପୂର୍ଣ୍ଣ ସଂଲଗ୍ନ କରିଦେଲେ |
ନ ମେ
ବ୍ରହ୍ମକୁଲାତ୍ପ୍ରାଣାଃ କୁଲଦୈବାନ୍ନ ଚାତ୍ମଜାଃ ।
ନ ଶ୍ରିୟୋ ନ ମହୀ
ରାଜ୍ୟଂ ନ ଦାରାଶ୍ଚାତିବଲ୍ଲଭାଃ ॥ ୪୩॥
ସେ ମନେ-ମନେ
ଚିନ୍ତନ କରିବାରେ ଲାଗିଲେ, ‘ମୋ କୁଳର ଇଷ୍ଟ
ଦେବତା ବ୍ରାହ୍ମଣ ଅଟନ୍ତି | ତାଙ୍କଠାରୁ ବଳି ମୋର ପ୍ରାଣ ମଧ୍ୟ ମୋତେ ଅଧିକ ପ୍ରିୟ ନୁହେଁ |
ପତ୍ନୀ, ପୁତ୍ର, ଲକ୍ଷ୍ମୀ, ରାଜ୍ୟ ଏବଂ ପୃଥିବୀ ମଧ୍ୟ ମୋତେ ସେତିକି ପ୍ରିୟ
ନୁହଁନ୍ତି |
ନ ବାଲ୍ୟେଽପି
ମତିର୍ମହ୍ୟମଧର୍ମେ ରମତେ କ୍ୱଚିତ୍ ।
ନାପଶ୍ୟମୁତ୍ତମଶ୍ଲୋକାଦନ୍ୟତ୍କିଞ୍ଚନ
ବସ୍ତ୍ୱହମ୍ ॥ ୪୪॥
ବାଲ୍ୟକାଳରୁ ମୋର
ମନ ଅଧର୍ମ ପ୍ରତି କେବେ ଆକର୍ଷିତ ହୋଇନାହିଁ | ପବିତ୍ରକୀର୍ତ୍ତି ଭଗବାନଙ୍କ ଅତିରିକ୍ତ
କେଉଁଠାରେ ବି ମୁଁ ଅନ୍ୟ କୌଣସି ବସ୍ତୁ ଦେଖିନାହିଁ |
ଦେବୈଃ କାମବରୋ
ଦତ୍ତୋ ମହ୍ୟଂ ତ୍ରିଭୁବନେଶ୍ୱରୈଃ ।
ନ ବୃଣେ ତମହଂ କାମଂ
ଭୂତଭାବନଭାବନଃ ॥ ୪୫॥
ତ୍ରିଲୋକର ସ୍ବାମୀ
ଦେବତାମାନେ ମୋତେ ଅକୁଣ୍ଠ ଚିତ୍ତରେ ବର ଦେବାକୁ ଇଚ୍ଛା କରିଥିଲେ | କିନ୍ତୁ ସେହି ସବୁ
ଭୋଗ-ଲାଳସା ମୋଠାରେ ଆଦୌ ନ ଥିଲା | ମୁଁ ସମସ୍ତ ପ୍ରାଣୀଙ୍କର ଜୀବନଦାତା ଶ୍ରୀହରିଙ୍କ ଭାବନାରେ
ହିଁ ମଗ୍ନ ରହୁଥିଲି |
ଯେ
ବିକ୍ଷିପ୍ତେନ୍ଦ୍ରିୟଧିୟୋ ଦେବାସ୍ତେ ସ୍ୱହୃଦି ସ୍ଥିତମ୍ ।
ନ ବିନ୍ଦନ୍ତି
ପ୍ରିୟଂ ଶଶ୍ୱଦାତ୍ମାନଂ କିମୁତାପରେ ॥ ୪୬॥
ଯେଉଁ
ଦେବତାମାନଙ୍କର ଇନ୍ଦ୍ରିୟ ଏବଂ ମନ ବିଷୟରେ ଭ୍ରମିତ ହେଉଥାଏ, ସେମାନେ
ସତ୍ତ୍ବଗୁଣପ୍ରଧାନ ହୋଇଥିଲେ ବି ନିଜ ହୃଦୟରେ ପ୍ରିୟତମ ରୂପରେ ସଦା-ସର୍ବଦା ବିରାଜମାନ ନିଜ
ଆତ୍ମସ୍ବରୂପ ଭଗବାନଙ୍କୁ ଜାଣନ୍ତି ନାହିଁ | ସେପରି ସ୍ଥଳେ ଯେଉଁମାନେ ରଜୋଗୁଣୀ ଏବଂ ତମୋଗୁଣୀ
ଅଟନ୍ତି, ସେମାନେ ଭଲା ତାଙ୍କୁ କିପରି ଜାଣିପାରିବେ ?
ଅଥେଶମାୟାରଚିତେଷୁ
ସଙ୍ଗଂ
ଗୁଣେଷୁ
ଗନ୍ଧର୍ୱପୁରୋପମେଷୁ ।
ରୂଢଂ
ପ୍ରକୃତ୍ୟାଽଽତ୍ମନି ବିଶ୍ୱକର୍ତୁ-
ର୍ଭାବେନ ହିତ୍ୱା
ତମହଂ ପ୍ରପଦ୍ୟେ ॥ ୪୭॥
ସେଥିପାଇଁ ମୁଁ ଏବେ
ବିଷୟରେ ରମଣ କରୁନାହିଁ | ଏସବୁ ତ ମାୟାର ଖେଳ ଅଟେ | ଆକାଶରେ ଗନ୍ଧର୍ବନଗରୀର ମିଥ୍ୟା ପ୍ରତୀତି
ପରି ଏହାର ମଧ୍ୟ ସତ୍ତା ନାହିଁ | ଅଜ୍ଞାନବଶ ସେମାନେ ମୋର ଚିତ୍ତକୁ କବଳିତ କରି ନେଇଥିଲେ |
ସଂସାରର ବାସ୍ତବ ରଚୟିତା ଭଗବାନଙ୍କ ଭାବନାରେ ଲୀନ ହୋଇ ମୁଁ ଏହି ସବୁ ବିଷୟକୁ ତ୍ୟାଗ କରୁଛି
ଏବଂ କେବଳ ତାଙ୍କର ହିଁ ଶରଣ ଗ୍ରହଣ କରୁଛି |
ଇତି ବ୍ୟବସିତୋ
ବୁଦ୍ଧ୍ୟା ନାରାୟଣଗୃହୀତୟା ।
ହିତ୍ୱାନ୍ୟଭାବମଜ୍ଞାନଂ
ତତଃ ସ୍ୱଂ ଭାବମାଶ୍ରିତଃ ॥ ୪୮॥
ପରୀକ୍ଷିତ ! ରାଜା
ଖଟ୍ୱାଙ୍ଗଙ୍କର ବୁଦ୍ଧିକୁ ଭଗବାନ ଆଦ୍ୟରୁ ହିଁ ନିଜ ପ୍ରତି ଆକର୍ଷିତ କରି ରଖିଥିଲେ | ସେଥିପାଇଁ
ଅନ୍ତ ସମୟରେ ସେ ଏପରି ଦୃଢ ନିଶ୍ଚୟ କରିପାରିଲେ | ଏବେ ସେ ଶରୀର ଆଦି ଅନାତ୍ମ ପଦାର୍ଥରେ
ତାଙ୍କର ଯେଉଁ ଅଜ୍ଞାନମୂଳକ ଆତ୍ମଭାବ ଥିଲା, ତାହା ତ୍ୟାଗ
କରିଦେଇ ନିଜ ବାସ୍ତବିକ ଆତ୍ମସ୍ବରୂପରେ ସ୍ଥିତ ହୋଇଗଲେ |
ଯତ୍ତଦ୍ବ୍ରହ୍ମ ପରଂ
ସୂକ୍ଷ୍ମମଶୂନ୍ୟଂ ଶୂନ୍ୟକଲ୍ପିତମ୍ ।
ଭଗବାନ୍
ବାସୁଦେବେତି ଯଂ ଗୃଣନ୍ତି ହି ସାତ୍ୱତାଃ ॥ ୪୯॥
ସେହି ସ୍ବରୂପ
ସାକ୍ଷାତ୍ ପରବ୍ରହ୍ମ ଅଟନ୍ତି | ସେ ସୂକ୍ଷ୍ମଠାରୁ ମଧ୍ୟ ସୂକ୍ଷ୍ମ ଶୂନ୍ୟ ସମାନ ଅଟନ୍ତି |
କିନ୍ତୁ ସେ ଶୂନ୍ୟ ନୁହଁନ୍ତି, ପରମ ସତ୍ୟ ଅଟନ୍ତି
| ଭକ୍ତଜନ ସେହି ବସ୍ତୁର ବର୍ଣ୍ଣନା ‘ଭଗବାନ ବାସୁଦେବ’ ନାମରେ କରନ୍ତି |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ସୂର୍ୟବଂଶାନୁବର୍ଣନେ ନବମୋଽଧ୍ୟାୟଃ ॥ ୯॥

Comments
Post a Comment