ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ପଞ୍ଚମ ସ୍କନ୍ଧ ॥ ଏକାଦଶ ଅଧ୍ୟାୟ ରାଜା ରହୂଗଣଙ୍କୁ ଭରତଙ୍କର ଉପଦେଶ ବ୍ରାହ୍ମଣ ଉବାଚ ଅକୋବିଦଃ କୋବିଦବାଦବାଦାନ୍ ବଦସ୍ୟଥୋ ନାତିବିଦାଂ ବରିଷ୍ଠଃ । ନ ସୂରୟୋ ହି ବ୍ୟବହାରମେନଂ ତତ୍ତ୍ୱାବମର୍ଶେନ ସହାମନନ୍ତି ॥ ୧॥ ଜଡ ଭରତ କହିଲେ - ରାଜନ୍ ! ତୁମେ ଅଜ୍ଞାନୀ ହୋଇ ମଧ୍ୟ ପଣ୍ଡିତଙ୍କ ପରି ଉପରଠାଉରିଆ ତର୍କ-ବିତର୍କଯୁକ୍ତ କଥା କହୁଛ | ସେଥିପାଇଁ ଶ୍ରେଷ୍ଠ ଜ୍ଞାନୀ ଭାବରେ ତୁମର ଗଣନା କରାଯିବ ନାହିଁ | ତତ୍ତ୍ବଜ୍ଞ ପୁରୁଷ ଏହି ଅବିଚାର-ସିଦ୍ଧ ସ୍ବାମୀ-ସେବକ ଆଦି ବ୍ୟବହାରକୁ ତତ୍ତ୍ବବିଚାର ସମୟରେ ସତ୍ୟ ରୂପେ ସ୍ବୀକାର କରନ୍ତି ନାହିଁ | ତଥୈବ ରାଜନ୍ନୁରୁଗାର୍ହମେଧ- ବିତାନବିଦ୍ୟୋରୁବିଜୃମ୍ଭିତେଷୁ । ନ ବେଦବାଦେଷୁ ହି ତତ୍ତ୍ୱବାଦଃ ପ୍ରାୟେଣ ଶୁଦ୍ଧୋ ନୁ ଚକାସ୍ତି ସାଧୁଃ ॥ ୨॥ ଲୌକିକ ବ୍ୟବହାର ପରି ବୈଦିକ ବ୍ୟବହାର ମଧ୍ୟ ସତ୍ୟ ନୁହେଁ, କାରଣ ବେଦବାକ୍ୟ ମଧ୍ୟ ଅଧିକତର ଗୃହସ୍ଥୋଚିତ ଯଜ୍ଞବିଧିର ବିସ୍ତାରରେ ହିଁ ବ୍ୟସ୍ତ ରହନ୍ତି ; ରାଗ-ଦ୍ବେଷାଦି ଦୋଷରହିତ ବିଶୁଦ୍ଧ ତତ୍ତ୍ବଜ୍ଞାନର ପୂର୍ଣ୍ଣ ଅଭିବ୍ୟକ୍ତି ପ୍ରାୟତଃ ସେଥିରେ ହୋଇନାହିଁ | ନ ତସ୍ୟ ତତ୍ତ୍ୱଗ୍ରହଣାୟ ସାକ୍ଷା- ଦ୍ୱରୀୟସୀରପି ବାଚଃ ସମାସନ୍ । ସ୍ୱପ୍ନେ ନିରୁକ୍ତ୍ୟା ଗୃହମେଧିସୌଖ୍ୟଂ ନ ଯସ୍ୟ ହେୟାନୁମିତଂ ସ୍ୱୟଂ ସ୍ୟାତ୍ ॥ ୩॥ ...