ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଏକାଦଶ ଅଧ୍ୟାୟ

ରାଜା ରହୂଗଣଙ୍କୁ ଭରତଙ୍କର ଉପଦେଶ

 

ବ୍ରାହ୍ମଣ ଉବାଚ

ଅକୋବିଦଃ କୋବିଦବାଦବାଦାନ୍

ବଦସ୍ୟଥୋ ନାତିବିଦାଂ ବରିଷ୍ଠଃ ।

ନ ସୂରୟୋ ହି ବ୍ୟବହାରମେନଂ

ତତ୍ତ୍ୱାବମର୍ଶେନ ସହାମନନ୍ତି ॥ ୧॥

ଜଡ ଭରତ କହିଲେ - ରାଜନ୍ ! ତୁମେ ଅଜ୍ଞାନୀ ହୋଇ ମଧ୍ୟ ପଣ୍ଡିତଙ୍କ ପରି ଉପରଠାଉରିଆ ତର୍କ-ବିତର୍କଯୁକ୍ତ କଥା କହୁଛ | ସେଥିପାଇଁ ଶ୍ରେଷ୍ଠ ଜ୍ଞାନୀ ଭାବରେ ତୁମର ଗଣନା କରାଯିବ ନାହିଁ | ତତ୍ତ୍ବଜ୍ଞ ପୁରୁଷ ଏହି ଅବିଚାର-ସିଦ୍ଧ ସ୍ବାମୀ-ସେବକ ଆଦି ବ୍ୟବହାରକୁ ତତ୍ତ୍ବବିଚାର ସମୟରେ ସତ୍ୟ ରୂପେ ସ୍ବୀକାର କରନ୍ତି ନାହିଁ |

ତଥୈବ ରାଜନ୍ନୁରୁଗାର୍ହମେଧ-

ବିତାନବିଦ୍ୟୋରୁବିଜୃମ୍ଭିତେଷୁ ।

ନ ବେଦବାଦେଷୁ ହି ତତ୍ତ୍ୱବାଦଃ

ପ୍ରାୟେଣ ଶୁଦ୍ଧୋ ନୁ ଚକାସ୍ତି ସାଧୁଃ ॥ ୨॥

ଲୌକିକ ବ୍ୟବହାର ପରି ବୈଦିକ ବ୍ୟବହାର ମଧ୍ୟ ସତ୍ୟ ନୁହେଁ, କାରଣ ବେଦବାକ୍ୟ ମଧ୍ୟ ଅଧିକତର ଗୃହସ୍ଥୋଚିତ ଯଜ୍ଞବିଧିର ବିସ୍ତାରରେ ହିଁ ବ୍ୟସ୍ତ ରହନ୍ତି; ରାଗ-ଦ୍ବେଷାଦି ଦୋଷରହିତ ବିଶୁଦ୍ଧ ତତ୍ତ୍ବଜ୍ଞାନର ପୂର୍ଣ୍ଣ ଅଭିବ୍ୟକ୍ତି ପ୍ରାୟତଃ ସେଥିରେ ହୋଇନାହିଁ |

ନ ତସ୍ୟ ତତ୍ତ୍ୱଗ୍ରହଣାୟ ସାକ୍ଷା-

ଦ୍ୱରୀୟସୀରପି ବାଚଃ ସମାସନ୍ ।

ସ୍ୱପ୍ନେ ନିରୁକ୍ତ୍ୟା ଗୃହମେଧିସୌଖ୍ୟଂ

ନ ଯସ୍ୟ ହେୟାନୁମିତଂ ସ୍ୱୟଂ ସ୍ୟାତ୍ ॥ ୩॥

ଯାହାକୁ ଗୃହସ୍ଥୋଚିତ ଯଜ୍ଞାଦି କର୍ମ ଦ୍ବାରା ପ୍ରାପ୍ତ ହେଉଥିବା ସ୍ବର୍ଗାଦି ସୁଖ ସ୍ବପ୍ନ ତୁଲ୍ୟ ହେୟ ମନେ ହୁଏନାହିଁ, ତାଙ୍କୁ ତତ୍ତ୍ବଜ୍ଞାନ କରାଇବାରେ ସାକ୍ଷାତ୍ ଉପନିଷଦୀୟ ବାକ୍ୟ ମଧ୍ୟ ସମର୍ଥ ନୁହେଁ |

ଯାବନ୍ମନୋ ରଜସା ପୂରୁଷସ୍ୟ

ସତ୍ତ୍ୱେନ ବା ତମସା ବାନୁରୁଦ୍ଧମ୍ ।

ଚେତୋଭିରାକୂତିଭିରାତନୋତି

ନିରଙ୍କୁଶଂ କୁଶଲଂ ଚେତରଂ ବା ॥ ୪॥

ମନୁଷ୍ୟର ମନ ସତ୍ତ୍ବ, ରଜ ଅଥବା ତମୋଗୁଣର ବଶୀଭୂତ ରହିଥିବା ଯାଏଁ ତାହାର ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟ ନିରଙ୍କୁଶ ଭାବରେ ତାହାକୁ ଶୁଭାଶୁଭ କର୍ମ କରାଉ ଥାଆନ୍ତି |

ସ ବାସନାତ୍ମା ବିଷୟୋପରକ୍ତୋ

ଗୁଣପ୍ରବାହୋ ବିକୃତଃ ଷୋଡଶାତ୍ମା ।

ବିଭ୍ରତ୍ପୃଥଙ୍ନାମଭି ରୂପଭେଦ-

ମନ୍ତର୍ବହିଷ୍ଟ୍ୱଂ ଚ ପୁରୈସ୍ତନୋତି ॥ ୫॥

ଏହି ମନ ବାସନାମୟ, ବିଷୟାସକ୍ତ, ଗୁଣପ୍ରେରିତ ବିକାରୀ ଏବଂ ଭୂତ ଓ ଇନ୍ଦ୍ରିୟରୂପ ଷୋଳ କଳା ମଧ୍ୟରେ ମୁଖ୍ୟ ଅଟେ | ଏହା ହିଁ ଭିନ୍ନ -ଭିନ୍ନ ନାମରେ ମନୁଷ୍ୟ ଏବଂ ଦେବତା ଆଦି ରୂପ ଧାରଣ କରି ଶରୀରରୂପ ଉପାଧି ଭେଦରେ ଜୀବର ଉତ୍ତମତା ଏବଂ ଅଧମତାର କାରଣ ହୋଇଥାଏ |

ଦୁଃଖଂ ସୁଖଂ ବ୍ୟତିରିକ୍ତଂ ଚ ତୀବ୍ରଂ

କାଲୋପପନ୍ନଂ ଫଲମାବ୍ୟନକ୍ତି ।

ଆଲିଙ୍ଗ୍ୟ ମାୟାରଚିତାନ୍ତରାତ୍ମା

ସ୍ୱଦେହିନଂ ସଂସୃତିଚକ୍ରକୂଟଃ ॥ ୬॥

ଏହି ମାୟାମୟ ମନ ସଂସାରଚକ୍ରରେ ମନୁଷ୍ୟକୁ ପ୍ରତାରିତ କରିଥାଏ, ଏହା ହିଁ ନିଜ ଦେହାଭିମାନୀ ଜୀବ ସହିତ ମିଶି ତାହାକୁ କାଳକ୍ରମରେ ପ୍ରାପ୍ତ ହେଉଥିବା ସୁଖ-ଦୁଃଖ ଏବଂ ସେମାନଙ୍କଠାରୁ ବ୍ୟତିରିକ୍ତ ମୋହରୂପ ଅବଶ୍ୟମ୍ଭାବୀ ଫଳର ଅଭିବ୍ୟକ୍ତି କରିଥାଏ |

ତାବାନୟଂ ବ୍ୟବହାରଃ ସଦାବିଃ

କ୍ଷେତ୍ରଜ୍ଞସାକ୍ଷ୍ୟୋ ଭବତି ସ୍ଥୂଲସୂକ୍ଷ୍ମଃ ।

ତସ୍ମାନ୍ମନୋ ଲିଙ୍ଗମଦୋ ବଦନ୍ତି

ଗୁଣାଗୁଣତ୍ୱସ୍ୟ ପରାବରସ୍ୟ ॥ ୭॥

ମନ ରହିଥିବା ଯାଏଁ ଜାଗ୍ରତ ଏବଂ ସ୍ବପ୍ନାବସ୍ଥାର ବ୍ୟବହାର ପ୍ରକାଶିତ ହୋଇ ଜୀବର ଦୃଶ୍ୟ ହୋଇଥାଏ | ସେଥିପାଇଁ ପଣ୍ଡିତଜନ ମନକୁ ହିଁ ତ୍ରିଗୁଣମୟ ଅଧମ ସଂସାର ଏବଂ ଗୁଣାତୀତ ପରମୋତ୍କୃଷ୍ଟ ମୋକ୍ଷପଦର କାରଣ କହନ୍ତି |

ଗୁଣାନୁରକ୍ତଂ ବ୍ୟସନାୟ ଜନ୍ତୋଃ

କ୍ଷେମାୟ ନୈର୍ଗୁଣ୍ୟମଥୋ ମନଃ ସ୍ୟାତ୍ ।

ଯଥା ପ୍ରଦୀପୋ ଘୃତବର୍ତିମଶ୍ନନ୍

ଶିଖାଃ ସଧୂମା ଭଜତି ହ୍ୟନ୍ୟଦା ସ୍ୱମ୍ ।

ପଦଂ ତଥା ଗୁଣକର୍ମାନୁବଦ୍ଧଂ

ବୃତ୍ତୀର୍ମନଃ ଶ୍ରୟତେଽନ୍ୟତ୍ର ତତ୍ତ୍ୱମ୍ ॥ ୮॥

ବିଷୟାସକ୍ତ ମନ ଜୀବକୁ ସଂସାର-ସଂକଟରେ ପକାଇ ଥାଏ, ଅଥଚ ବିଷୟହୀନ ହୋଇ ସେହି ମନ ତାହାକୁ ଶାନ୍ତିମୟ ମୋକ୍ଷପଦ ପ୍ରାପ୍ତ କରାଇ ଥାଏ | ଘୃତସିକ୍ତ ବତୀ ଦ୍ବାରା ଦୀପରୁ ଧୂମଯୁକ୍ତ ଶିଖା ସୃଷ୍ଟି ହୋଇଥାଏ, ଘୃତ ସମାପ୍ତ ହୋଇଯିବା ପରେ ସେହି ଶିଖା ନିଜର କାରଣ ଅଗ୍ନି-ତତ୍ତ୍ବରେ ଲୀନ ହୋଇଯାଏ | ସେହିପରି, ବିଷୟ ଏବଂ କର୍ମରେ ଆସକ୍ତ ହୋଇ ମନ ନାନା ବୃତ୍ତିଙ୍କର ଆଶ୍ରୟ ଗ୍ରହଣ କରିଥାଏ ଏବଂ ସେହି ଆସକ୍ତିରୁ ମୁକ୍ତ ହୋଇ ସେ ନିଜ ତତ୍ତ୍ବରେ ଲୀନ ହୋଇଯାଏ |

ଏକାଦଶାସନ୍ମନସୋ ହି ବୃତ୍ତୟ

ଆକୂତୟଃ ପଞ୍ଚ ଧିୟୋଽଭିମାନଃ ।

ମାତ୍ରାଣି କର୍ମାଣି ପୁରଂ ଚ ତାସାଂ

ବଦନ୍ତି ହୈକାଦଶ ବୀର ଭୂମୀଃ ॥ ୯॥

ହେ ବୀରବର ! ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ ଏବଂ ଏକ ଅହଂକାର – ଏହି ଏକାଦଶ ତତ୍ତ୍ବ ମନର ବୃତ୍ତି ଅଟନ୍ତି ତଥା ପାଞ୍ଚ ପ୍ରକାରର କର୍ମ, ପଞ୍ଚ ତନ୍ମାତ୍ରା ଏବଂ ଏକ ଶରୀର – ଏହି ଏକାଦଶ ତତ୍ତ୍ବ ସେମାନଙ୍କର ଆଧାରଭୂତ ବିଷୟ ଅଟନ୍ତି |

ଗନ୍ଧାକୃତିସ୍ପର୍ଶରସଶ୍ରବାଂସି

ବିସର୍ଗରତ୍ୟର୍ତ୍ୟଭିଜଲ୍ପଶିଲ୍ପାଃ ।

ଏକାଦଶଂ ସ୍ୱୀକରଣଂ ମମେତି

ଶୟ୍ୟାମହଂ ଦ୍ୱାଦଶମେକ ଆହୁଃ ॥ ୧୦॥

ଗନ୍ଧ, ରୂପ, ସ୍ପର୍ଶ, ରସ ଏବଂ ଶବ୍ଦ – ଏହି ପାଞ୍ଚଟି ଜ୍ଞାନେନ୍ଦ୍ରିୟର ବିଷୟ ଅଟନ୍ତି; ମଳତ୍ୟାଗ, ସମ୍ଭୋଗ, ଗମନ, ଭାଷଣ ଏବଂ ଦେବା-ନେବା ଆଦି ବ୍ୟାପାର – ଏହି ପାଞ୍ଚଟି କର୍ମେନ୍ଦ୍ରିୟର ବିଷୟ ଅଟନ୍ତି ତଥା ଶରୀରକୁ ‘ଏହା ମୋର ଅଟେ ଏପରି ମନେ କରିବା ଅହଂକାରର ବିଷୟ ଅଟେ | କେହି କେହି ଅହଂକାରକୁ ମନର ଦ୍ବାଦଶ ବୃତ୍ତି ଏବଂ ତାହାର ଆଶ୍ରୟ ଶରୀରକୁ ଦ୍ବାଦଶ ବିଷୟ ମନେ କରନ୍ତି |

ଦ୍ରବ୍ୟସ୍ୱଭାବାଶୟକର୍ମକାଲୈ-

ରେକାଦଶାମୀ ମନସୋ ବିକାରାଃ ।

ସହସ୍ରଶଃ ଶତଶଃ କୋଟିଶଶ୍ଚ

କ୍ଷେତ୍ରଜ୍ଞତୋ ନ ମିଥୋ ନ ସ୍ୱତଃ ସ୍ୟୁଃ ॥ ୧୧॥

ମନର ଏହି ଏଗାରଟି ବୃତ୍ତି ଦ୍ରବ୍ୟ (ବିଷୟ), ସ୍ବଭାବ, ଆଶୟ (ସଂସ୍କାର), କର୍ମ ଏବଂ କାଳ ଦ୍ବାରା ଶହ-ଶହ, କୋଟି-କୋଟି ଭେଦରେ ପରିଣତ ହୋଇଯାଏ | କିନ୍ତୁ ଏମାନଙ୍କର ସତ୍ତା କ୍ଷେତ୍ରଜ୍ଞ ଆତ୍ମାର ସତ୍ତାରେ ହିଁ ନିହିତ ଅଟେ, ସ୍ବତଃ ବା ପରସ୍ପର ମିଳିତ ଭାବରେ ନୁହେଁ |

କ୍ଷେତ୍ରଜ୍ଞ ଏତା ମନସୋ ବିଭୂତୀ-

ର୍ଜୀବସ୍ୟ ମାୟାରଚିତସ୍ୟ ନିତ୍ୟାଃ ।

ଆବିର୍ହିତାଃ କ୍ୱାପି ତିରୋହିତାଶ୍ଚ

ଶୁଦ୍ଧୋ ବିଚଷ୍ଟେ ହ୍ୟବିଶୁଦ୍ଧକର୍ତୁଃ ॥ ୧୨॥

ତା ସତ୍ତ୍ବେ ବି ମନ ସହିତ କ୍ଷେତ୍ରଜ୍ଞର କୌଣସି ସମ୍ବନ୍ଧ ନାହିଁ | ଏହା ତ ଜୀବର ମାୟାନିର୍ମିତ ଉପାଧି ଅଟେ | ଏହା ପ୍ରାୟତଃ ସଂସାରବନ୍ଧନରେ ପକାଉ ଥିବା ଅବିଶୁଦ୍ଧ କର୍ମରେ ହିଁ ପ୍ରବୃତ୍ତ ରହିଥାଏ | ଏହାର ବୃତ୍ତିମାନେ ପ୍ରବାହରୂପରେ ନିତ୍ୟ ରହିଥାଆନ୍ତି, ଜାଗ୍ରତ ଏବଂ ସ୍ବପ୍ନାବସ୍ଥାରେ ସେମାନେ ପ୍ରକଟ ହୋଇଯାଆନ୍ତି ଏବଂ ସୁଷୁପ୍ତିରେ ଛପି ଯାଆନ୍ତି | ଉଭୟ ଅବସ୍ଥାରେ କ୍ଷେତ୍ରଜ୍ଞ, ଯିଏ ବିଶୁଦ୍ଧ ଚିନ୍ମାତ୍ର ଅଟେ, ସାକ୍ଷୀରୂପରେ ମନର ବୃତ୍ତିକୁ ଦେଖୁଥାଏ |

କ୍ଷେତ୍ରଜ୍ଞ ଆତ୍ମା ପୁରୁଷଃ ପୁରାଣଃ

ସାକ୍ଷାତ୍ସ୍ୱୟଞ୍ଜ୍ୟୋତିରଜଃ ପରେଶଃ ।

ନାରାୟଣୋ ଭଗବାନ୍ୱାସୁଦେବଃ

ସ୍ୱମାୟଯାଽଽତ୍ମନ୍ୟବଧୀୟମାନଃ ॥ ୧୩॥

ଏହି କ୍ଷେତ୍ରଜ୍ଞ ପରମାତ୍ମା ସର୍ବବ୍ୟାପକ, ଜଗତର ଆଦି କାରଣ, ପରିପୂର୍ଣ୍ଣ, ଅପରୋକ୍ଷ, ସ୍ବୟଂପ୍ରକାଶ, ଅଜନ୍ମା, ବ୍ରହ୍ମାଦିଙ୍କର ମଧ୍ୟ ନିୟନ୍ତା ଏବଂ ନିଜ ଅଧୀନସ୍ତ ମାୟା ଦ୍ବାରା ସମସ୍ତଙ୍କର ଅନ୍ତଃକରଣରେ ରହି ଜୀବକୁ ପ୍ରେରିତ କରୁଥିବା ସର୍ବଭୂତାଶ୍ରୟ ଭଗବାନ ବାସୁଦେବ ଅଟନ୍ତି |

ଯଥାନିଲଃ ସ୍ଥାବରଜଙ୍ଗମାନା-

ମାତ୍ମସ୍ୱରୂପେଣ ନିବିଷ୍ଟ ଈଶେତ୍ ।

ଏବଂ ପରୋ ଭଗବାନ୍ ବାସୁଦେବଃ

କ୍ଷେତ୍ରଜ୍ଞ ଆତ୍ମେଦମନୁପ୍ରବିଷ୍ଟଃ ॥ ୧୪॥

ବାୟୁ ଯେପରି ସମ୍ପୂର୍ଣ୍ଣ ସ୍ଥାବର-ଜଙ୍ଗମ ପ୍ରାଣୀଙ୍କ ମଧ୍ୟରେ ପ୍ରାଣରୂପରେ ପ୍ରବିଷ୍ଟ ହୋଇ ସେମାନଙ୍କୁ ପ୍ରେରିତ କରିଥାଏ, ସେହିପରି ପରମେଶ୍ବର ଭଗବାନ ବାସୁଦେବ ସର୍ବସାକ୍ଷୀ ଆତ୍ମସ୍ବରୂପରେ ଏହି ସମ୍ପୂର୍ଣ୍ଣ ପ୍ରପଞ୍ଚରେ ଓତପ୍ରୋତ ଅଟନ୍ତି |

ନ ଯାବଦେତାଂ ତନୁଭୃନ୍ନରେନ୍ଦ୍ର

ବିଧୂୟ ମାୟାଂ ବୟୁନୋଦୟେନ ।

ବିମୁକ୍ତସଙ୍ଗୋ ଜିତଷଟ୍ସପତ୍ନୋ

ବେଦାତ୍ମତତ୍ତ୍ୱଂ ଭ୍ରମତୀହ ତାବତ୍ ॥ ୧୫॥

ନ ଯାବଦେତନ୍ମନ ଆତ୍ମଲିଙ୍ଗଂ

ସଂସାରତାପାବପନଂ ଜନସ୍ୟ ।

ଯଚ୍ଛୋକମୋହାମୟରାଗଲୋଭ-

ବୈରାନୁବନ୍ଧଂ ମମତାଂ ବିଧତ୍ତେ ॥ ୧୬॥

ରାଜନ୍ ! ମନୁଷ୍ୟ ଯେତେବେଳଯାଏଁ ଜ୍ଞାନୋଦୟ ଦ୍ବାରା ମାୟାର ତିରସ୍କାର କରି, ସମସ୍ତ ଆସକ୍ତି ତ୍ୟାଗ କରି, କାମ-କ୍ରୋଧ ଆଦି ଷଡରିପୁଙ୍କୁ ଜୟ କରି ଆତ୍ମତତ୍ତ୍ବକୁ ଜାଣିନେଇ ନ ଥାଏ ଏବଂ ଯେପର୍ଯ୍ୟନ୍ତ ସେ ଆତ୍ମାର ଉପାଧିରୂପ ମନକୁ ସଂସାର-ଦୁଃଖର କ୍ଷେତ୍ର ରୂପେ ଉପଲବଧି କରି ନ ଥାଏ, ସେପର୍ଯ୍ୟନ୍ତ ସେ ସଂସାରରେ ଏହିପରି ଭାବରେ ଭ୍ରମିତ ହେଉଥାଏ, କାରଣ ଏହି ଚିତ୍ତ ତାର ଶୋକ, ମୋହ, ରୋଗ, ରାଗ, ଲୋଭ ଏବଂ ଦ୍ବେଷ ଆଦିର ସଂସ୍କାର ତଥା ମମତା ବୃଦ୍ଧି କରିବାରେ ଲାଗିଥାଏ |

ଭ୍ରାତୃବ୍ୟମେନଂ ତଦଦଭ୍ରବୀର୍ୟ-

ମୁପେକ୍ଷୟାଧ୍ୟେଧିତମପ୍ରମତ୍ତଃ ।

ଗୁରୋର୍ହରେଶ୍ଚରଣୋପାସନାସ୍ତ୍ରୋ

ଜହି ବ୍ୟଲୀକଂ ସ୍ୱୟମାତ୍ମମୋଷମ୍ ॥ ୧୭॥

ଏହି ମନ ହିଁ ତୁମର ସବୁଠାରୁ ବଡ ବଳବାନ ଶତ୍ରୁ ଅଟେ | ତୁମର ଉପେକ୍ଷା ଦ୍ବାରା ଏହାର ଶକ୍ତି ଆହୁରି ବୃଦ୍ଧି ପାଇଛି | ଯଦିଓ ଏହା ସ୍ବୟଂ ମିଥ୍ୟା ଅଟେ, ତଥାପି ଏହା ତୁମର ଆତ୍ମସ୍ବରୂପକୁ ଆଚ୍ଛାଦିତ କରି ରଖିଛି | ସେଥିପାଇଁ ତୁମେ ସାବଧାନତା ପୂର୍ବକ ଶ୍ରୀଗୁରୁ ଏବଂ ହରିଙ୍କର ଚରଣ-ଉପାସନାରୂପୀ ଅସ୍ତ୍ର ଦ୍ବାରା ଏହାର ବଧ କର |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ବ୍ରାହ୍ମଣରହୂଗଣସମ୍ବାଦେ ଏକାଦଶୋଽଧ୍ୟାୟଃ ॥ ୧୧॥

Comments

Popular posts from this blog