ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ଏକାଦଶ ଅଧ୍ୟାୟ
ଭଗବାନ ଶ୍ରୀରାମଙ୍କ ଶେଷ ଲୀଳାର ବର୍ଣ୍ଣନ
ଶ୍ରୀଶୁକ ଉବାଚ
ଭଗବାନାତ୍ମନାଽଽତ୍ମାନଂ
ରାମ ଉତ୍ତମକଲ୍ପକୈଃ ।
ସର୍ୱଦେବମୟଂ
ଦେବମୀଜ ଆଚାର୍ୟବାନ୍ ମଖୈଃ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଗୁରୁ ବସିଷ୍ଠଙ୍କୁ ଆଚାର୍ଯ୍ୟ କରି ଭଗବାନ ଶ୍ରୀରାମ ସ୍ବୟଂ ହିଁ
ଉତ୍ତମ ସାମଗ୍ରୀଯୁକ୍ତ ଯଜ୍ଞ ଦ୍ବାରା ନିଜ ସର୍ବଦେବସ୍ବରୂପ ସ୍ବୟଂପ୍ରକାଶ ଆତ୍ମାର ଯଜନ କଲେ |
ହୋତ୍ରେଽଦଦାଦ୍ଦିଶଂ
ପ୍ରାଚୀଂ ବ୍ରହ୍ମଣେ ଦକ୍ଷିଣାଂ ପ୍ରଭୁଃ ।
ଅଧ୍ୱର୍ୟବେ
ପ୍ରତୀଚୀଂ ଚ ଉଦୀଚୀଂ ସାମଗାୟ ସଃ ॥ ୨॥
ସେ ହୋତାଙ୍କୁ
ପୂର୍ବ ଦିଗ, ବ୍ରହ୍ମାଙ୍କୁ ଦକ୍ଷିଣ, ଅଧ୍ବର୍ୟୁଙ୍କୁ ପଶ୍ଚିମ ଏବଂ ଉଦଗାତାଙ୍କୁ ଉତ୍ତର ଦିଗ
ପ୍ରଦାନ କଲେ |
ଆଚାର୍ୟାୟ ଦଦୌ
ଶେଷାଂ ଯାବତୀ ଭୂସ୍ତଦନ୍ତରା ।
ମନ୍ୟମାନ ଇଦଂ
କୃତ୍ସ୍ନଂ ବ୍ରାହ୍ମଣୋଽର୍ହତି ନିଃସ୍ପୃହଃ ॥ ୩॥
ମଧ୍ୟଭାଗରେ
ରହିଥିବା ସମସ୍ତ ଭୂମି ସେ ନିଜ ଆଚାର୍ଯ୍ୟଙ୍କୁ ପ୍ରଦାନ କଲେ | ତାଙ୍କର ନିଶ୍ଚୟ ଏହା ଥିଲା ଯେ
ସମ୍ପୂର୍ଣ୍ଣ ଭୂମଣ୍ଡଳର ଅଧିକାରୀ ଏକମାତ୍ର ନିଃସ୍ପୃହ ବ୍ରାହ୍ମଣ ହିଁ ଅଟନ୍ତି |
ଇତ୍ୟଯଂ
ତଦଲଙ୍କାରବାସୋଭ୍ୟାମବଶେଷିତଃ ।
ତଥା ରାଜ୍ଞ୍ୟପି
ବୈଦେହୀ ସୌମଙ୍ଗଲ୍ୟାବଶେଷିତା ॥ ୪॥
ଏହିପରି ଭାବରେ
ସମ୍ପୂର୍ଣ୍ଣ ଭୂମଣ୍ଡଳ ଦାନ କରି ସେ ନିଜ ଶରୀରର ବସ୍ତ୍ର-ଅଳଙ୍କାରକୁ ହିଁ ନିଜ ପାଖରେ ରଖିଲେ |
ମହାରାଣୀ ସୀତାଙ୍କ ପାଖରେ ମଧ୍ୟ କେବଳ ତାଙ୍କର ମାଙ୍ଗଳିକ ବସ୍ତ୍ର-ଆଭୂଷଣ ହିଁ ଅବଶିଷ୍ଟ ରହିଲା
|
ତେ ତୁ
ବ୍ରହ୍ମଣ୍ୟଦେବସ୍ୟ ବାତ୍ସଲ୍ୟଂ ବୀକ୍ଷ୍ୟ ସଂସ୍ତୁତମ୍ ।
ପ୍ରୀତାଃ
କ୍ଲିନ୍ନଧିୟସ୍ତସ୍ମୈ ପ୍ରତ୍ୟର୍ପ୍ୟେଦଂ ବଭାଷିରେ ॥ ୫॥
ଆଚାର୍ଯ୍ୟ ଆଦି
ଅନ୍ୟ ବ୍ରାହ୍ମଣମାନେ ଯେତେବେଳେ ଦେଖିଲେ ଯେ ଭଗବାନ ଶ୍ରୀରାମ ବ୍ରାହ୍ମଣମାନଙ୍କୁ ହିଁ ନିଜର
ଇଶ୍ତଦେବ ମନେକରନ୍ତି, ବ୍ରାହ୍ମଣମାନଙ୍କ ପ୍ରତି
ତାଙ୍କ ହୃଦୟରେ ଅନନ୍ତ ସ୍ନେହ ରହିଛି, ସେତେବେଳେ
ସେମାନଙ୍କର ହୃଦୟ ମଧ୍ୟ ପ୍ରେମରେ ଦ୍ରବିତ ହୋଇଗଲା | ସେମାନେ ପ୍ରସନ୍ନତାର ସହ ସମ୍ପୂର୍ଣ୍ଣ
ପୃଥିବୀ ଭଗବାନଙ୍କୁ ଫେରାଇ ଡେଇ କହିଲେ -
ଅପ୍ରତ୍ତଂ
ନସ୍ତ୍ୱୟା କିଂ ନୁ ଭଗବନ୍ ଭୁବନେଶ୍ୱର ।
ଯନ୍ନୋଽନ୍ତର୍ହୃଦୟଂ
ବିଶ୍ୟ ତମୋ ହଂସି ସ୍ୱରୋଚିଷା ॥ ୬॥
ପ୍ରଭୁ ! ଆପଣ ତ
ସମସ୍ତ ଲୋକର ଏକମାତ୍ର ସ୍ବାମୀ ଅଟନ୍ତି | ଆମ ହୃଦୟ ଭିତରେ ରହି ନିଜ ଜ୍ୟୋତିରେ ଆପଣ ଆମର
ଅଜ୍ଞାନ-ଅନ୍ଧକାରକୁ ନାଶ କରୁଛନ୍ତି | ଆପଣ ଭଲା ଆମକୁ କ’ଣ ଦେଇନାହାଁନ୍ତି ?
ନମୋ
ବ୍ରହ୍ମଣ୍ୟଦେବାୟ ରାମାୟାକୁଣ୍ଠମେଧସେ ।
ଉତ୍ତମଶ୍ଲୋକଧୁର୍ୟାୟ
ନ୍ୟସ୍ତଦଣ୍ଡାର୍ପିତାଙ୍ଘ୍ରୟେ ॥ ୭॥
ଆପଣଙ୍କର ଜ୍ଞାନ
ଅନନ୍ତ ଅଟେ | ପବିତ୍ରକୀର୍ତ୍ତିବିଶିଷ୍ଟ ପୁରୁଷମାନଙ୍କ ମଧ୍ୟରେ ଆପଣ ସର୍ବଶ୍ରେଷ୍ଠ ଅଟନ୍ତି |
ଯେଉଁ ମହାତ୍ମାମାନେ କାହାକୁ କୌଣସି ପ୍ରକାରର କଷ୍ଟ ଦିଅନ୍ତି ନାହିଁ, ସେମାନଙ୍କୁ ଆପଣ ନିଜର ଚରଣକମଳ ପ୍ରଦାନ କରିଥାଆନ୍ତି
| ତା ସତ୍ତ୍ବେ ବି ଆପଣ ବ୍ରାହ୍ମଣମାନଙ୍କୁ ନିଜର ଇଷ୍ଟଦେବ ମାନନ୍ତି | ଭଗବନ୍ ! ଆପଣଙ୍କର ଏହି
ରାମରୂପକୁ ଆମେ ନମସ୍କାର କରୁଛୁ |
କଦାଚିଲ୍ଲୋକଜିଜ୍ଞାସୁର୍ଗୂଢୋ
ରାତ୍ର୍ୟାମଲକ୍ଷିତଃ ।
ଚରନ୍
ବାଚୋଽଶୃଣୋଦ୍ରାମୋ ଭାର୍ୟାମୁଦ୍ଦିଶ୍ୟ କସ୍ୟଚିତ୍ ॥ ୮॥
ପରୀକ୍ଷିତ ! ଦିନେ
ରାତ୍ରୀ କାଳରେ ପ୍ରଜାମାନଙ୍କର ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଭଗବାନ ଶ୍ରୀରାମ ସମସ୍ତଙ୍କ
ଅଜାଣତରେ ଗୋପନରେ ରାଜ୍ୟରେ ଘୂରି ବୁଲୁଥିଲେ | ସେହି ସମୟରେ କେହି ଜଣେ ନିଜ ପତ୍ନୀଙ୍କୁ ଲକ୍ଷ୍ୟ
କରି ଏପରି କହୁଥିବାର ସେ ଶୁଣିବାକୁ ପାଇଲେ |
ନାହଂ ବିଭର୍ମି
ତ୍ୱାଂ ଦୁଷ୍ଟାମସତୀଂ ପରବେଶ୍ମଗାମ୍ ।
ସ୍ତ୍ରୀଲୋଭୀ
ବିଭୃୟାତ୍ସୀତାଂ ରାମୋ ନାହଂ ଭଜେ ପୁନଃ ॥ ୯॥
‘ଆରେ ! ତୁ ତ
ଦୁଷ୍ଟ ଏବଂ କୁଳଟା ଅଟୁ | ତୁ ପରଘରେ ରହିକରି ଆସିଛୁ | ସ୍ତ୍ରୀ-ଲୋଭୀ ରାମ ସୀତାଙ୍କୁ ନିଜ ପାଖରେ
ରଖିଲେ, କିନ୍ତୁ ମୁଁ ତୋତେ ନିଜ ଘରେ ରଖିବି ନାହିଁ |’
ଇତି
ଲୋକାଦ୍ବହୁମୁଖାଦ୍ଦୁରାରାଧ୍ୟାଦସଂବିଦଃ ।
ପତ୍ୟା ଭୀତେନ ସା
ତ୍ୟକ୍ତା ପ୍ରାପ୍ତା ପ୍ରାଚେତସାଶ୍ରମମ୍ ॥ ୧୦॥
ବାସ୍ତବରେ
ସମସ୍ତଙ୍କୁ ପ୍ରସନ୍ନ ରଖିବା କେବଳ କଠିନ ନୁହେଁ, ଅସମ୍ଭବ ମଧ୍ୟ ଅଟେ
| ସଂସାରରେ ମୂର୍ଖମାନଙ୍କର ତ ଅଭାବ ନାହିଁ | ଭଗବାନ ଶ୍ରୀରାମ ଯେତେବେଳେ ବହୁତ ଜଣଙ୍କ ମୁହଁରୁ
ଏହି କଥା ଶୁଣିବାକୁ ପାଇଲେ, ସେତେବେଳେ
ଲୋକାପବାଦ ଭୟରେ ସେ ଦେବୀ ସୀତାଙ୍କୁ ପରିତ୍ୟାଗ କରିଦେଲେ | ଏହାପରେ ସୀତା ବାଲ୍ମୀକିମୁନିଙ୍କର
ଆଶ୍ରମରେ ରହିଲେ |
ଅନ୍ତର୍ୱତ୍ନ୍ୟାଗତେ
କାଲେ ଯମୌ ସା ସୁଷୁବେ ସୁତୌ ।
କୁଶୋ ଲବ ଇତି
ଖ୍ୟାତୌ ତୟୋଶ୍ଚକ୍ରେ କ୍ରିୟା ମୁନିଃ ॥ ୧୧॥
ଦେବୀ ସୀତା ସେହି
ସମୟରେ ଗର୍ଭବତୀ ଥିଲେ | ଠିକ୍ ସମୟରେ ତାଙ୍କଠାରୁ ଏକସଙ୍ଗେ ଦୁଇଟି ପୁତ୍ର ଜନ୍ମ ଗ୍ରହଣ କଲେ |
ସେମାନଙ୍କର ନାମ କୁଶ ଏବଂ ଲବ ରଖାଗଲା | ବାଲ୍ମୀକିମୁନି ସେମାନଙ୍କର ଜାତକର୍ମ ଆଦି ସଂସ୍କାର
କଲେ |
ଅଙ୍ଗଦଶ୍ଚିତ୍ରକେତୁଶ୍ଚ
ଲକ୍ଷ୍ମଣସ୍ୟାତ୍ମଜୌ ସ୍ମୃତୌ ।
ତକ୍ଷଃ ପୁଷ୍କଲ
ଇତ୍ୟାସ୍ତାଂ ଭରତସ୍ୟ ମହୀପତେ ॥ ୧୨॥
ପରୀକ୍ଷିତ !
ଲକ୍ଷ୍ମଣଙ୍କର ଦୁଇଟି ପୁତ୍ର ହେଲେ – ଅଙ୍ଗଦ ଏବଂ ଚିତ୍ରକେତୁ | ସେହିପରି, ଭରତଙ୍କର ମଧ୍ୟ ଦୁଇଟି ପୁତ୍ର ହେଲେ – ତକ୍ଷ ଏବଂ
ପୁଷ୍କଳ |
ସୁବାହୁଃ
ଶ୍ରୁତସେନଶ୍ଚ ଶତ୍ରୁଘ୍ନସ୍ୟ ବଭୂବତୁଃ ।
ଗନ୍ଧର୍ୱାନ୍
କୋଟିଶୋ ଜଘ୍ନେ ଭରତୋ ବିଜୟେ ଦିଶାମ୍ ॥ ୧୩॥
ଶତ୍ରୁଘ୍ନଙ୍କର ଦୁଇ
ପୁତ୍ର ଥିଲେ ସୁବାହୁ ଏବଂ ଶ୍ରୁତସେନ | ଭରତ ଦିଗବିଜୟରେ ଯାଇ କୋଟି କୋଟି ଗନ୍ଧର୍ବଙ୍କର ସଂହାର
କଲେ |
ତଦୀୟଂ ଧନମାନୀୟ
ସର୍ୱଂ ରାଜ୍ଞେ ନ୍ୟବେଦୟତ୍ ।
ଶତ୍ରୁଘ୍ନଶ୍ଚ ମଧୋଃ
ପୁତ୍ରଂ ଲବଣଂ ନାମ ରାକ୍ଷସମ୍ ।
ହତ୍ୱା ମଧୁବନେ
ଚକ୍ରେ ମଥୁରାଂ ନାମ ବୈ ପୁରୀମ୍ ॥ ୧୪॥
ସେ ସେମାନଙ୍କର ସବୁ
ଧନ ଆଣି ନିଜ ଜ୍ୟେଷ୍ଠ ଭ୍ରାତା ଭଗବାନ ଶ୍ରୀରାମଙ୍କ ସେବାରେ ନିବେଦନ କଲେ | ଶତ୍ରୁଘ୍ନ ମଧୁବନରେ
ମଧୁର ପୁତ୍ର ଲବଣ ନାମକ ରାକ୍ଷସକୁ ମାରି ସେଠାରେ ମଥୁରାପୁରୀର ସ୍ଥାପନା କଲେ |
ମୁନୌ ନିକ୍ଷିପ୍ୟ
ତନୟୌ ସୀତା ଭର୍ତ୍ରା ବିବାସିତା ।
ଧ୍ୟାୟନ୍ତୀ
ରାମଚରଣୌ ବିବରଂ ପ୍ରବିବେଶ ହ ॥ ୧୫॥
ଭଗବାନ ଶ୍ରୀରାମଙ୍କ
ଦ୍ବାରା ନିର୍ବାସିତା ସୀତା ନିଜର ଦୁଇ ପୁତ୍ରଙ୍କୁ ବାଲ୍ମୀକିମୁନିଙ୍କ ହସ୍ତରେ ଅର୍ପଣ କଲେ ଏବଂ
ଶ୍ରୀରାମଙ୍କ ଚରଣକମଳର ଧ୍ୟାନ କରି ପୃଥିବୀଦେବୀଙ୍କ ଗର୍ଭରେ ସମାହିତ ହୋଇଗଲେ |
ତଚ୍ଛ୍ରୁତ୍ୱା
ଭଗବାନ୍ ରାମୋ ରୁନ୍ଧନ୍ନପି ଧିୟା ଶୁଚଃ ।
ସ୍ମରଂସ୍ତସ୍ୟା
ଗୁଣାଂସ୍ତାଂସ୍ତାନ୍ନାଶକ୍ନୋଦ୍ରୋଦ୍ଧୁମୀଶ୍ୱରଃ ॥ ୧୬॥
ଏହି ସମାଚାର ଶୁଣି
ଭଗବାନ ଶ୍ରୀରାମ ବୁଦ୍ଧି ଦ୍ବାରା ନିଜର ଶୋକାବେଶକୁ ଦମନ କରିବାକୁ ଚେଷ୍ଟା କଲେ, କିନ୍ତୁ ପରମ ସମର୍ଥ ହୋଇ ମଧ୍ୟ ସେ ତାହାକୁ ରୋକି
ପାରିଲେ ନାହିଁ | ଜାନକୀଙ୍କର ପବିତ୍ର ଗୁଣାବଳୀ ବାରମ୍ବାର ତାଙ୍କର ସ୍ମୃତିପଟଳରେ ଉଦୟ ହେବାରେ
ଲାଗିଲା |
ସ୍ତ୍ରୀପୁମ୍ପ୍ରସଙ୍ଗ
ଏତାଦୃକ୍ ସର୍ୱତ୍ର ତ୍ରାସମାବହଃ ।
ଅପୀଶ୍ୱରାଣାଂ
କିମୁତ ଗ୍ରାମ୍ୟସ୍ୟ ଗୃହଚେତସଃ ॥ ୧୭॥
ପରୀକ୍ଷିତ !
ସ୍ତ୍ରୀ-ପୁରୁଷର ସମ୍ବନ୍ଧ ସର୍ବତ୍ର ଏହିପରି ଭାବରେ ଦୁଃଖର କାରଣ ହୋଇଥାଏ | ବଡ-ବଡ ସମର୍ଥ
ଲୋକଙ୍କର ଦଶା ଯେତେବେଳେ ଏପରି ଅଟେ, ସେତେବେଳେ
ଗୃହାସକ୍ତ ବିଷୟୀ ପୁରୁଷଙ୍କ ବିଷୟରେ ଅବା କ’ଣ କୁହାଯିବ |
ତତ ଊର୍ଧ୍ୱଂ
ବ୍ରହ୍ମଚର୍ୟଂ ଧାରୟନ୍ନଜୁହୋତ୍ପ୍ରଭୁଃ ।
ତ୍ରୟୋଦଶାବ୍ଦସାହସ୍ରମଗ୍ନିହୋତ୍ରମଖଣ୍ଡିତମ୍
॥ ୧୮॥
ଏହାପରେ ଭଗବାନ
ଶ୍ରୀରାମ ବ୍ରହ୍ମଚର୍ଯ୍ୟ ଧାରଣ କରି ତେର ହଜାର ବର୍ଷ ଯାଏଁ ଅଖଣ୍ଡରୂପରେ ଅଗ୍ନିହୋତ୍ର କଲେ |
ସ୍ମରତାଂ ହୃଦି
ବିନ୍ୟସ୍ୟ ବିଦ୍ଧଂ ଦଣ୍ଡକକଣ୍ଟକୈଃ ।
ସ୍ୱପାଦପଲ୍ଲବଂ ରାମ
ଆତ୍ମଜ୍ୟୋତିରଗାତ୍ତତଃ ॥ ୧୯॥
ତଦନନ୍ତର ତାଙ୍କର
ଯେଉଁ ଚରଣ ଦଣ୍ଡକବନରେ କଣ୍ଟକ ବିଦ୍ଧ ହୋଇଥିଲା, ସେହି ଚରଣକମଳକୁ
ନିରନ୍ତର ତାଙ୍କର ସ୍ମରଣ କରୁଥିବା ଭକ୍ତମାନଙ୍କ ହୃଦୟରେ ସ୍ଥାପିତ କରି ଭଗବାନ ନିଜର
ସ୍ବୟଂପ୍ରକାଶ ପରମ ଜ୍ୟୋତିର୍ମୟ ଧାମକୁ ଚାଲିଗଲେ |
ନେଦଂ ଯଶୋ ରଘୁପତେଃ
ସୁରୟାଚ୍ଞୟାତ୍ତ-
ଲୀଲାତନୋରଧିକସାମ୍ୟବିମୁକ୍ତଧାମ୍ନଃ
।
ରକ୍ଷୋବଧୋ
ଜଲଧିବନ୍ଧନମସ୍ତ୍ରପୂଗୈଃ
କିଂ ତସ୍ୟ
ଶତ୍ରୁହନନେ କପୟଃ ସହାୟାଃ ॥ ୨୦॥
ପରୀକ୍ଷିତ !
ଭଗବାନଙ୍କ ସଦୃଶ ପ୍ରତାପଶାଳୀ ଅନ୍ୟ କେହି ନୁହଁନ୍ତି, ସେପରି ସ୍ଥଳେ
ତାଙ୍କଠାରୁ ବଳି ଅବା କିଏ ହୋଇପାରିବ ? ଦେବତାମାନଙ୍କ ପ୍ରାର୍ଥନା ସ୍ବୀକାର କରି ସେ ଏହି
ଲୀଳାବିଗ୍ରହ ଧାରଣ କରିଥିଲେ | ଏପରି ସ୍ଥିତିରେ ରଘୁବଂଶଶିରୋମଣି ଭଗବାନ ଶ୍ରୀରାମଙ୍କ ପକ୍ଷରେ
ଏହା କିଛି ବଡ କଥା ନୁହେଁ ଯେ ସେ ଅସ୍ତ୍ର-ଶସ୍ତ୍ର ଦ୍ବାରା ରାକ୍ଷସମାନଙ୍କୁ ମାରିଦେଲେ ବା
ସମୁଦ୍ରରେ ସେତୁ ବନ୍ଧନ କଲେ | ଶତ୍ରୁମାନଙ୍କର ସଂହାର କରିବା ପାଇଁ ତାଙ୍କୁ ବାନରସେନାଙ୍କର
ସହାୟତାର କ’ଣ ଆବଶ୍ୟକତା ଥିଲା? ଏସବୁ କେବଳ ତାଙ୍କର ଲୀଳାମାତ୍ର ହିଁ ଥିଲା |
ଯସ୍ୟାମଲଂ
ନୃପସଦଃସୁ ଯଶୋଽଧୁନାପି
ଗାୟନ୍ତ୍ୟଘଘ୍ନମୃଷୟୋ
ଦିଗିଭେନ୍ଦ୍ରପଟ୍ଟମ୍ ।
ତଂ
ନାକପାଲବସୁପାଲକିରୀଟଜୁଷ୍ଟ-
ପାଦାମ୍ବୁଜଂ
ରଘୁପତିଂ ଶରଣଂ ପ୍ରପଦ୍ୟେ ॥ ୨୧॥
ଭଗବାନ
ଶ୍ରୀରାମଙ୍କର ନିର୍ମଳ ଯଶ ସମସ୍ତ ପାପର ବିନାଶକାରୀ ଅଟେ | ତାହାର ପରିବ୍ୟାପ୍ତି ଏତେ ଦୂର
ହୋଇଗଲା ଯେ ଦିଗପାଳମାନଙ୍କର ଶ୍ୟାମଳ ଶରୀର ମଧ୍ୟ ତା’ର ପ୍ରକାଶରେ
ଉଜ୍ଜ୍ବଳ ଦେଖାଗଲା | ଆଜି ମଧ୍ୟ ରାଜାମାନଙ୍କର ସଭାରେ ବଡ-ବଡ ଋଷି-ମହର୍ଷି ତାହାର ଗାନ କରନ୍ତି
| ସ୍ବର୍ଗର ଦେବତା ଏବଂ ପୃଥିବୀର ନରପତି ନିଜ-ନିଜର କମନୀୟ କିରୀଟିରେ ତାଙ୍କ ଚରଣକମଳର ସେବା
କରୁଥାଆନ୍ତି | ମୁଁ ସେହି ରଘୁବଂଶଶିରୋମଣି ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଶରଣ ଗ୍ରହଣ କରୁଛି |
ସ ଯୈଃ
ସ୍ପୃଷ୍ଟୋଽଭିଦୃଷ୍ଟୋ ବା ସଂବିଷ୍ଟୋଽନୁଗତୋଽପି ବା ।
କୋସଲାସ୍ତେ ଯୟୁଃ
ସ୍ଥାନଂ ଯତ୍ର ଗଚ୍ଛନ୍ତି ଯୋଗିନଃ ॥ ୨୨॥
ଯେଉଁମାନେ ଭଗବାନ
ଶ୍ରୀରାମଙ୍କର ଦର୍ଶନ ଏବଂ ସ୍ପର୍ଶ ପ୍ରାପ୍ତ କରିଥିଲେ, ତାଙ୍କର ସହବାସ
ଅଥବା ଅନୁଗମନ କରିଥିଲେ – କୋଶଳଦେଶର ସେହି ସବୁ ନିବାସୀ ମଧ୍ୟ ସେହି ଲୋକକୁ ଗଲେ, ଯେଉଁଠିକୁ ବଡ-ବଡ ଯୋଗୀ ନିଜ ଯୋଗସାଧନା ବଳରେ
ଯାଇଥାଆନ୍ତି |
ପୁରୁଷୋ ରାମଚରିତଂ
ଶ୍ରବଣୈରୁପଧାରୟନ୍ ।
ଆନୃଶଂସ୍ୟପରୋ
ରାଜନ୍ କର୍ମବନ୍ଧୈର୍ୱିମୁଚ୍ୟତେ ॥ ୨୩॥
ଯେଉଁ ପୁରୁଷ ନିଜ
କାନରେ ଭଗବାନ ଶ୍ରୀରାମଙ୍କର ଚରିତ ଶୁଣନ୍ତି, ତାଙ୍କୁ ସରଳତା, କୋମଳତା ଆଦି ଗୁଣ ପ୍ରାପ୍ତ ହୋଇଥାଏ | କେବଳ ସେତିକି
ନୁହେଁ, ସେମାନେ ସମସ୍ତ କର୍ମବନ୍ଧନରୁ ମଧ୍ୟ ମୁକ୍ତ
ହୋଇଯାଆନ୍ତି |
ରାଜୋବାଚ
କଥଂ ସ ଭଗବାନ୍
ରାମୋ ଭ୍ରାତୄନ୍ ବା ସ୍ୱୟମାତ୍ମନଃ ।
ତସ୍ମିନ୍ ବା
ତେଽନ୍ୱବର୍ତନ୍ତ ପ୍ରଜାଃ ପୌରାଶ୍ଚ ଈଶ୍ୱରେ ॥ ୨୪॥
ରାଜା ପରୀକ୍ଷିତ
ପଚାରିଲେ – ଭଗବନ୍ ! ଭଗବାନ ଶ୍ରୀରାମ ସ୍ବୟଂ ନିଜ ଭାଈମାନଙ୍କ ପ୍ରତି କିପରି ବ୍ୟବହାର କରୁଥିଲେ
? ଭରତ ଆଦି ତାଙ୍କର ଭାଈ, ପ୍ରଜାଜନ ଏବଂ
ଅଯୋଧ୍ୟାବାସୀଙ୍କର ଭଗବାନ ଶ୍ରୀରାମଙ୍କ ପ୍ରତି ବ୍ୟବହାର କିପରି ଥିଲା ?
ଶ୍ରୀଶୁକ ଉବାଚ
ଅଥାଦିଶଦ୍ଦିଗ୍ୱିଜୟେ
ଭ୍ରାତୄଂସ୍ତ୍ରିଭୁବନେଶ୍ୱରଃ ।
ଆତ୍ମାନଂ ଦର୍ଶୟନ୍
ସ୍ୱାନାଂ ପୁରୀମୈକ୍ଷତ ସାନୁଗଃ ॥ ୨୫॥
ରାଜସିଂହାସନ
ସ୍ବୀକାର କରିବା ପରେ ତ୍ରିଭୁବନପତି ଭଗବାନ ଶ୍ରୀରାମ ନିଜ ଭାଈମାନଙ୍କୁ ଦିଗବିଜୟର ଆଜ୍ଞା ଦେଲେ
ଏବଂ ସ୍ବୟଂ ନିଜ ସ୍ବଜନଙ୍କୁ ଦର୍ଶନ ଡେଇ ନିଜ ଅନୁଚରମାନଙ୍କ ସହିତ ଅଯୋଧ୍ୟାପୁରୀର ଦେଖଭାଲ
କରିବାରେ ଲାଗିଲେ |
ଆସିକ୍ତମାର୍ଗାଂ
ଗନ୍ଧୋଦୈଃ କରିଣାଂ ମଦଶୀକରୈଃ ।
ସ୍ୱାମିନଂ
ପ୍ରାପ୍ତମାଲୋକ୍ୟ ମତ୍ତାଂ ବା ସୁତରାମିବ ॥ ୨୬॥
ସେହି ସମୟରେ
ଅଯୋଧ୍ୟାପୁରୀର ମାର୍ଗ ସୁଗନ୍ଧିତ ଜଳ ଏବଂ ହାତୀମାନଙ୍କର ମଦକଣରେ ସିକ୍ତ ରହୁଥିଲା, ମନେ ହେଉଥିଲା ସତେ ଯେପରି ସେହି ନଗରୀ ନିଜ ସ୍ବାମୀ
ଭଗବାନ ଶ୍ରୀରାମଙ୍କର ଦର୍ଶନରେ ଅତ୍ୟନ୍ତ ମତୁଆଲା ହୋଇଯାଇଛି |
ପ୍ରାସାଦଗୋପୁରସଭାଚୈତ୍ୟଦେବଗୃହାଦିଷୁ
।
ବିନ୍ୟସ୍ତହେମକଲଶୈଃ
ପତାକାଭିଶ୍ଚ ମଣ୍ଡିତାମ୍ ॥ ୨୭॥
ତାହାର ମହଲ, ଫାଟକ, ସଭାଭବନ, ବିହାରସ୍ଥଳୀ ଏବଂ ଦେବାଳୟ ଆଦିରେ ସୁବର୍ଣ୍ଣ କଳସ ରଖା
ଯାଇଥିଲା ଏବଂ ସ୍ଥାନେ-ସ୍ଥାନେ ପତାକା ଉଡୁଥିଲା |
ପୂଗୈଃ ସବୃନ୍ତୈ
ରମ୍ଭାଭିଃ ପଟ୍ଟିକାଭିଃ ସୁବାସସାମ୍ ।
ଆଦର୍ଶୈରଂଶୁକୈଃ
ସ୍ରଗ୍ଭିଃ କୃତକୌତୁକତୋରଣାମ୍ ॥ ୨୮॥
ତାହା ଶାଖାଯୁକ୍ତ
ଗୁଆଗଛ, କଦଳୀଗଛର ସ୍ତମ୍ଭ ଏବଂ ବସ୍ତ୍ର ପଟିରେ ସଜ୍ଜିତ ହୋଇଥିଲା | ଦର୍ପଣ, ବସ୍ତ୍ର ଏବଂ ପୁଷ୍ପମାଲ୍ୟରେ ତଥା ମାଙ୍ଗଳିକ
ଚିତ୍ରକାରିତା ଏବଂ ତୋରଣରେ ସାରା ନଗରୀ ଝଲସି ଉଠୁଥିଲା |
ତମୁପେୟୁସ୍ତତ୍ର
ତତ୍ର ପୌରା ଅର୍ହଣପାଣୟଃ ।
ଆଶିଷୋ
ଯୁୟୁଜୁର୍ଦେବ ପାହୀମାଂ ପ୍ରାକ୍ ତ୍ୱୟୋଦ୍ଧୃତାମ୍ ॥ ୨୯॥
ନଗରବାସୀ ନିଜ-ନିଜ
ହାତରେ ଅନେକ ପ୍ରକାରର ଉପହାର ଧରି ଭଗବାନଙ୍କ ପାଖକୁ ଆସୁଥିଲେ ଏବଂ ତାଙ୍କୁ ପ୍ରାର୍ଥନା
କରୁଥିଲେ – ଦେବ ! ପୂର୍ବେ ବରାହରୂପରେ ଆପଣ ହିଁ ପୃଥିବୀର ଉଦ୍ଧାର କରିଥିଲେ; ଏବେ ଆପଣ ଏହାର ପାଳନ କରନ୍ତୁ |
ତତଃ ପ୍ରଜା
ବୀକ୍ଷ୍ୟ ପତିଂ ଚିରାଗତଂ
ଦିଦୃକ୍ଷୟୋତ୍ସୃଷ୍ଟଗୃହାଃ
ସ୍ତ୍ରିୟୋ ନରାଃ ।
ଆରୁହ୍ୟ
ହର୍ମ୍ୟାଣ୍ୟରବିନ୍ଦଲୋଚନ-
ମତୃପ୍ତନେତ୍ରାଃ
କୁସୁମୈରବାକିରନ୍ ॥ ୩୦॥
ପରୀକ୍ଷିତ ! ପ୍ରଜାଜନ
ଯେତେବେଳେ ଜାଣିବାକୁ ପାଉଥିଲେ ଯେ ବହୁତ ଦିନ ପରେ ଭଗବାନ ଶ୍ରୀରାମ ସେମାନଙ୍କର ପୁରୀକୁ ଆଗମନ
କରିଛନ୍ତି, ସେତେବେଳେ ତାଙ୍କ ଦର୍ଶନ
ଲାଳସାରେ ସ୍ତ୍ରୀ-ପୁରୁଷ ସମସ୍ତେ ଘରଦ୍ବାର ଛାଡି ଧାଈ ଆସୁଥିଲେ | ସେମାନେ ସୁଉଚ୍ଚ ଛାତ ଉପରେ
ଚଢି ନିର୍ନିମେଷ ନୟନରେ କମଳନୟନ ଭଗବାନଙ୍କୁ ଦେଖିବା ସହିତ ତାଙ୍କ ଉପରେ ପୁଷ୍ପବୃଷ୍ଟି କରୁଥିଲେ
|
ଅଥ ପ୍ରବିଷ୍ଟଃ
ସ୍ୱଗୃହଂ ଜୁଷ୍ଟଂ ସ୍ୱୈଃ ପୂର୍ୱରାଜଭିଃ ।
ଅନନ୍ତାଖିଲକୋଷାଢ୍ୟମନର୍ଘ୍ୟୋରୁପରିଚ୍ଛଦମ୍
॥ ୩୧॥
ଏହିପରି ଭାବରେ
ପ୍ରଜାମାନଙ୍କର ନିରୀକ୍ଷଣ କରି ଭଗବାନ ନିଜ ମହଲକୁ ଫେରି ଆସୁଥିଲେ | ତାଙ୍କର ସେହି ମହଲ
ପୂର୍ବବର୍ତ୍ତୀ ରାଜାମାନଙ୍କ ଦ୍ବାରା ସେବିତ ଥିଲା | ସେଥିରେ ବଡ-ବଡ ଭଣ୍ଡାର ରହିଥିଲା, ଯାହା ଅସରନ୍ତି ଥିଲା | ନାନା ପ୍ରକାରର ବହୁମୂଲ୍ୟ
ସାମଗ୍ରୀରେ ସେହି ମହଲ ସୁସଜ୍ଜିତ ଥିଲା |
ବିଦ୍ରୁମୋଦୁମ୍ବରଦ୍ୱାରୈର୍ୱୈଦୂର୍ୟସ୍ତମ୍ଭପଙ୍କ୍ତିଭିଃ
।
ସ୍ଥଲୈର୍ମାରକତୈଃ
ସ୍ୱଚ୍ଛୈର୍ଭାତସ୍ଫଟିକଭିତ୍ତିଭିଃ ॥ ୩୨॥
ମହଲର ଦ୍ବାର ତଥା
ଝରକା ପ୍ରବାଳ-ନିର୍ମିତ ଥିଲା | ତାହାର ଖମ୍ବ ବୈଦୁର୍ଯ୍ୟମଣିର ଥିଲା | ମର୍କତମଣିର ଅତି ସୁନ୍ଦର
ଚଟାଣ ଥିଲା ତଥା କାନ୍ଥ ସବୁ ସ୍ଫଟିକମଣିଯୁକ୍ତ ହୋଇ ଚକମକ ହେଉଥିଲା |
ଚିତ୍ରସ୍ରଗ୍ଭିଃ
ପଟ୍ଟିକାଭିର୍ୱାସୋମଣିଗଣାଂଶୁକୈଃ ।
ମୁକ୍ତାଫଲୈଶ୍ଚିଦୁଲ୍ଲାସୈଃ
କାନ୍ତକାମୋପପତ୍ତିଭିଃ ॥ ୩୩॥
ଧୂପଦୀପୈଃ
ସୁରଭିଭିର୍ମଣ୍ଡିତଂ ପୁଷ୍ପମଣ୍ଡନୈଃ ।
ସ୍ତ୍ରୀପୁମ୍ଭିଃ
ସୁରସଙ୍କାଶୈର୍ଜୁଷ୍ଟଂ ଭୂଷଣଭୂଷଣୈଃ ॥ ୩୪॥
ରଙ୍ଗ-ବେରଙ୍ଗ ମାଳା, ପତାକା, ମଣିମାନଙ୍କର ଚମକ, ଶୁଦ୍ଧ-ଚେତନ ପରି ଉଜ୍ଜ୍ବଳ ମୋତି, ସୁନ୍ଦର-ସୁନ୍ଦର ଭୋଗ-ସାମଗ୍ରୀ, ସୁଗନ୍ଧିତ ଧୂପ-ଦୀପ
ତଥା ଫୁଲ ଗହଣାରେ ସେହି ମହଲର ସାଜସଜା ଅତ୍ୟନ୍ତ ମନୋହର ଥିଲା | ଆଭୂଷଣକୁ ମଧ୍ୟ ଭୂଷିତ କରୁଥିବା
ଦେବତାମାନଙ୍କ ପରି ସ୍ତ୍ରୀ-ପୁରୁଷ ତାହାର ସେବାରେ ଲାଗି ରହିଥିଲେ |
ତସ୍ମିନ୍ ସ ଭଗବାନ୍
ରାମଃ ସ୍ନିଗ୍ଧୟା ପ୍ରିୟଯେଷ୍ଟୟା ।
ରେମେ
ସ୍ୱାରାମଧୀରାଣାମୃଷଭଃ ସୀତୟା କିଲ ॥ ୩୫॥
ପରୀକ୍ଷିତ ! ଭଗବାନ
ଶ୍ରୀରାମ ଆତ୍ମାରାମ ଜିତେନ୍ଦ୍ରିୟ ପୁରୁଷମାନଙ୍କର ଶିରୋମଣି ଥିଲେ | ସେହି ମହଲରେ ସେ ନିଜ
ପ୍ରାଣପ୍ରିୟା ପ୍ରେମମୟୀ ପତ୍ନୀ ଦେବୀ ସୀତାଙ୍କ ସହିତ ବିହାର କରୁଥିଲେ |
ବୁଭୁଜେ ଚ ଯଥାକାଲଂ
କାମାନ୍ ଧର୍ମମପୀଡୟନ୍ ।
ବର୍ଷପୂଗାନ୍ ବହୂନ୍
ନୄଣାମଭିଧ୍ୟାତାଙ୍ଘ୍ରିପଲ୍ଲବଃ ॥ ୩୬॥
ସବୁ ସ୍ତ୍ରୀ-ପୁରୁଷ
ଯାହାଙ୍କ ଚରଣକମଳର ଧ୍ୟାନ କରୁଥାଆନ୍ତି, ସେହି ଭଗବାନ
ଶ୍ରୀରାମ ବହୁ ବର୍ଷଯାଏଁ ଧର୍ମର ମର୍ଯ୍ୟାଦା ପାଳନ କରି ସମୟ ଅନୁସାରେ ଭୋଗର ଉପଭୋଗ କରୁଥିଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ଶ୍ରୀରାମୋପାଖ୍ୟାନେ ଏକାଦଶୋଽଧ୍ୟାୟଃ ॥ ୧୧॥
.jpg)
Comments
Post a Comment