ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ପଞ୍ଚଦଶ ଅଧ୍ୟାୟ

ଋଚୀକ, ଜମଦଗ୍ନି ଏବଂ ପରଶୁରାମଙ୍କ ଚରିତ

 

ଶ୍ରୀଶୁକ ଉବାଚ

ଐଲସ୍ୟ ଚୋର୍ୱଶୀଗର୍ଭାତ୍ଷଡାସନ୍ନାତ୍ମଜା ନୃପ ।

ଆୟୁଃ ଶ୍ରୁତାୟୁଃ ସତ୍ୟାୟୂ ରୟୋଽଥ ବିଜୟୋ ଜୟଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଉର୍ବଶୀଙ୍କ ଗର୍ଭରୁ ପୁରୂରବାଙ୍କର ଛଅ ପୁତ୍ର ଉତ୍ପନ୍ନ ହେଲେ – ଆୟୁ, ଶ୍ରୁତାୟୁ, ସତ୍ୟାୟୁ, ରୟ, ବିଜୟ ଏବଂ ଜୟ |

ଶ୍ରୁତାୟୋର୍ୱସୁମାନ୍ ପୁତ୍ରଃ ସତ୍ୟାୟୋଶ୍ଚ ଶ୍ରୁତଞ୍ଜୟଃ ।

ରୟସ୍ୟ ସୁତ ଏକଶ୍ଚ ଜୟସ୍ୟ ତନୟୋଽମିତଃ ॥ ୨॥

ଶ୍ରୁତାୟୁଙ୍କର ପୁତ୍ର ବସୁମାନ୍, ସତ୍ୟାୟୁଙ୍କର ଶ୍ରୁତଞ୍ଜୟ, ରୟଙ୍କର ଏକ ଏବଂ ଜୟଙ୍କର ପୁତ୍ର ଅମିତ ଥିଲେ |

ଭୀମସ୍ତୁ ବିଜୟସ୍ୟାଥ କାଞ୍ଚନୋ ହୋତ୍ରକସ୍ତତଃ ।

ତସ୍ୟ ଜହ୍ନୁଃ ସୁତୋ ଗଙ୍ଗାଂ ଗଣ୍ଡୂଷୀକୃତ୍ୟ ଯୋଽପିବତ୍ ।

ଜହ୍ନୋସ୍ତୁ ପୂରୁସ୍ତତ୍ପୁତ୍ରୋ ବଲାକଶ୍ଚାତ୍ମଜୋଽଜକଃ ॥ ୩॥

ବିଜୟଙ୍କର ଭୀମ, ଭୀମଙ୍କର କାଞ୍ଚନ, କାଞ୍ଚନଙ୍କର ହୋତ୍ର ଏବଂ ହୋତ୍ରଙ୍କର ପୁତ୍ର ଥିଲେ ଜହ୍ନୁ | ଇଏ ସେହି ଜହ୍ନୁ ଅଟନ୍ତି, ଯିଏ ଗଙ୍ଗାଙ୍କୁ ଅଞ୍ଜଳିରେ ଭରି ପିଇ ଯାଇଥିଲେ | ଜହ୍ନୁଙ୍କର ପୁତ୍ର ଥିଲେ ପୂରୁ, ପୂରୁଙ୍କର ବଳାକ ଏବଂ ବଳାକଙ୍କର ପୁତ୍ର ଥିଲେ ଅଜକ |

ତତଃ କୁଶଃ କୁଶସ୍ୟାପି କୁଶାମ୍ବୁସ୍ତନୟୋ ବସୁଃ ।

କୁଶନାଭଶ୍ଚ ଚତ୍ୱାରୋ ଗାଧିରାସୀତ୍କୁଶାମ୍ବୁଜଃ ॥ ୪॥

ଅଜକଙ୍କର ପୁତ୍ର କୁଶ | କୁଶଙ୍କର ଚାରି ପୁତ୍ର ଥିଲେ – କୁଶାମ୍ବୁ, ତନୟ, ବସୁ ଏବଂ କୁଶନାଭ | ଏମାନଙ୍କ ମଧ୍ୟରୁ କୁଶାମ୍ବୁଙ୍କର ପୁତ୍ର ଗାଧି ଥିଲେ |

ତସ୍ୟ ସତ୍ୟବତୀଂ କନ୍ୟାମୃଚୀକୋଽୟାଚତ ଦ୍ୱିଜଃ ।

ବରଂ ବିସଦୃଶଂ ମତ୍ୱା ଗାଧିର୍ଭାର୍ଗବମବ୍ରବୀତ୍ ॥ ୫॥

ପରୀକ୍ଷିତ ! ଗାଧିଙ୍କ କନ୍ୟାର ନାମ ଥିଲା ସତ୍ୟବତୀ | ଋଚୀକ ଋଷି ଗାଧିଙ୍କଠାରୁ ତାଙ୍କ କନ୍ୟାର ହାତ ମାଗିଥିଲେ | ଋଷିଙ୍କୁ ତାଙ୍କ କନ୍ୟାର ଯୋଗ୍ୟ ବର ମନେ କରୁ ନ ଥିବା କାରଣରୁ ଗାଧି ତାଙ୍କୁ କହିଲେ -

ଏକତଃ ଶ୍ୟାମକର୍ଣାନାଂ ହୟାନାଂ ଚନ୍ଦ୍ରବର୍ଚସାମ୍ ।

ସହସ୍ରଂ ଦୀୟତାଂ ଶୁଲ୍କଂ କନ୍ୟାୟାଃ କୁଶିକା ବୟମ୍ ॥ ୬॥

ମୁନିବର ! ଆମ୍ଭେମାନେ କୁଶିକ-ବଂଶଜ ଅଟୁ | ଆମ ବଂଶର କନ୍ୟା କାହାକୁ ମିଳିବା ଅତ୍ୟନ୍ତ କଠିନ ଅଟେ | ସେଥିପାଇଁ ଆପଣ ଏକ ହଜାର ଏପରି ଘୋଡା ଶୁଲ୍କରୂପରେ ମୋତେ ଦିଅନ୍ତୁ, ଯାହାର ସାରା ଶରୀର ଶ୍ବେତ ବର୍ଣ୍ଣର ଥିବ, କିନ୍ତୁ ଗୋଟିଏ କାନ ଶ୍ୟାମ ବର୍ଣ୍ଣର ହୋଇଥିବ |

ଇତ୍ୟୁକ୍ତସ୍ତନ୍ମତଂ ଜ୍ଞାତ୍ୱା ଗତଃ ସ ବରୁଣାନ୍ତିକମ୍ ।

ଆନୀୟ ଦତ୍ତ୍ୱା ତାନଶ୍ୱାନୁପୟେମେ ବରାନନାମ୍ ॥ ୭॥

ଗାଧିଙ୍କର ସର୍ତ୍ତ ବିଷୟରେ ଶୁଣି ଋଚୀକ ମୁନି ତାଙ୍କର ଅଭିପ୍ରାୟ ଜାଣିନେଲେ | ସେ ବରୁଣଙ୍କ ପାଖକୁ ଯାଇ ସେହିପରି ଏକ ହଜାର ଘୋଡା ନେଇ ଆସିଲେ ଏବଂ ତାହାକୁ ରାଜାଙ୍କୁ ଡେଇ ସତ୍ୟବତୀଙ୍କୁ ବିବାହ କଲେ |

ସ ଋଷିଃ ପ୍ରାର୍ଥିତଃ ପତ୍ନ୍ୟା ଶ୍ୱଶ୍ର୍ୱା ଚାପତ୍ୟକାମ୍ୟଯା ।

ଶ୍ରପୟିତ୍ୱୋଭୟୈର୍ମନ୍ତ୍ରୈଶ୍ଚରୁଂ ସ୍ନାତୁଂ ଗତୋ ମୁନିଃ ॥ ୮॥

ଦିନେ ମହର୍ଷି ଋଚୀକଙ୍କୁ ତାଙ୍କର ପତ୍ନୀ ଏବଂ ଶାଶୁ ଦୁହେଁ ପୁତ୍ର ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କଲେ | ସେମାନଙ୍କର ପ୍ରାର୍ଥନା ସ୍ବୀକାର କରି ମହର୍ଷି ଦୁହିଁଙ୍କ ନିମନ୍ତେ ପୃଥକ୍-ପୃଥକ୍ ମନ୍ତ୍ରରେ ଚରୁ ପକାଇଲେ ଏବଂ ସ୍ନାନ କରିବାକୁ ଚାଲିଗଲେ |

ତାବତ୍ସତ୍ୟବତୀ ମାତ୍ରା ସ୍ୱଚରୁଂ ଯାଚିତା ସତୀ ।

ଶ୍ରେଷ୍ଠଂ ମତ୍ୱା ତୟାୟଚ୍ଛନ୍ମାତ୍ରେ ମାତୁରଦତ୍ସ୍ୱୟମ୍ ॥ ୯॥

ସତ୍ୟବତୀଙ୍କର ମା ଭାବିଲେ ଋଷି ନିଜ ପତ୍ନୀ ପାଇଁ ନିଶିତ ଭାବରେ ଶ୍ରେଷ୍ଠ ଚରୁ ପକାଇ ଥିବେ, ତେଣୁ ସେ ସତ୍ୟବତୀଙ୍କଠାରୁ ତାଙ୍କର ଚରୁ ମାଗିନେଲେ | ସତ୍ୟବତୀ ମାଙ୍କୁ ନିଜ ଚରୁ ଦେଇ ସ୍ବୟଂ ମାଙ୍କର ଚରୁ ଗ୍ରହଣ କରିନେଲେ |

ତଦ୍ୱିଜ୍ଞାୟ ମୁନିଃ ପ୍ରାହ ପତ୍ନୀଂ କଷ୍ଟମକାରଷୀଃ ।

ଘୋରୋ ଦଣ୍ଡଧରଃ ପୁତ୍ରୋ ଭ୍ରାତା ତେ ବ୍ରହ୍ମବିତ୍ତମଃ ॥ ୧୦॥

ତାହା ଜାଣି ଋଚୀକ ମୁନି ତାଙ୍କ ପତ୍ନୀଙ୍କୁ କହିଲେ – ଏପରି ଚରୁ ବଦଳ କରି ତୁମେ ଘୋର ଅନର୍ଥ କରି ବସିଛ | ଏବେ ତୁମର ପୁତ୍ର ଲୋକଙ୍କୁ ଦଣ୍ଡିତ କରୁଥିବା ନୃଶଂସ ପ୍ରକୃତିର ହେବ ଏବଂ ତୁମର ଭାଈ ଶ୍ରେଷ୍ଠ ବ୍ରହ୍ମବେତ୍ତା ହେବ |

ପ୍ରସାଦିତଃ ସତ୍ୟବତ୍ୟା ମୈବଂ ଭୂଦିତି ଭାର୍ଗବଃ ।

ଅଥ ତର୍ହି ଭବେତ୍ପୌତ୍ରୋ ଜମଦଗ୍ନିସ୍ତତୋଽଭବତ୍ ॥ ୧୧॥

ସତ୍ୟବତୀ ବହୁ ପ୍ରକାରେ ଋଚୀକ ମୁନିଙ୍କୁ ପ୍ରସନ୍ନ କରାଇ ତାଙ୍କୁ ପ୍ରାର୍ଥନା କଲେ, ‘ସ୍ବାମୀ ! ଏପରି ହେବା ଉଚିତ୍ ନୁହେଁ; ଆପଣ ଏହାର କିଛି ପ୍ରତିକାର କରନ୍ତୁ |’ ଋଚୀକ କହିଲେ – ଠିକ୍ ଅଛି | ପୁତ୍ର ପରିବର୍ତ୍ତେ ତୁମର ପୌତ୍ର ସେହି ଘୋର ପ୍ରକୃତିର ହେବ | ଠିକ୍ ସମୟରେ ସତ୍ୟବତୀଙ୍କ ଗର୍ଭରୁ ଜମଦଗ୍ନିଙ୍କର ଜନ୍ମ ହେଲା |

ସା ଚାଭୂତ୍ସୁମହତ୍ପୁଣ୍ୟା କୌଶିକୀ ଲୋକପାବନୀ ।

ରେଣୋଃ ସୁତାଂ ରେଣୁକାଂ ବୈ ଜମଦଗ୍ନିରୁବାହ ଯାମ୍ ॥ ୧୨॥

ସତ୍ୟବତୀ ସମସ୍ତ ଲୋକକୁ ପବିତ୍ର କରୁଥିବା ପରମ ପୁଣ୍ୟମୟୀ ‘କୌଶିକୀ’ ନଦୀ ହୋଇଗଲେ | ରେଣୁ ଋଷିଙ୍କର କନ୍ୟା ଥିଲେ ରେଣୁକା | ଜମଦଗ୍ନି ତାଙ୍କର ପାଣିଗ୍ରହଣ କଲେ |

ତସ୍ୟାଂ ବୈ ଭାର୍ଗବଋଷେଃ ସୁତା ବସୁମଦାଦୟଃ ।

ଯବୀୟାନ୍ ଜଜ୍ଞ ଏତେଷାଂ ରାମ ଇତ୍ୟଭିବିଶ୍ରୁତଃ ॥ ୧୩॥

ରେଣୁକାଙ୍କ ଗର୍ଭରୁ ଜମଦଗ୍ନି ଋଷିଙ୍କର ବସୁମାନ୍ ଆଦି ଅନେକ ପୁତ୍ର ହେଲେ | ସେମାନଙ୍କ ମଧ୍ୟରେ ସବୁଠାରୁ କନିଷ୍ଠ ଥିଲେ ଭଗବାନ ପରଶୁରାମ | ତାଙ୍କର ଯଶ ସାରା ସଂସାରରେ ପ୍ରସିଦ୍ଧ ଅଟେ |

ଯମାହୁର୍ୱାସୁଦେବାଂଶଂ ହୈହୟାନାଂ କୁଲାନ୍ତକମ୍ ।

ତ୍ରିଃସପ୍ତକୃତ୍ୱୋ ଯ ଇମାଂ ଚକ୍ରେ ନିଃକ୍ଷତ୍ରିୟାଂ ମହୀମ୍ ॥ ୧୪॥

ଏପରି କୁହାଯାଏ ଯେ ହୈହୟବଂଶର ଅନ୍ତ କରିବା ନିମନ୍ତେ ସ୍ବୟଂ ଭଗବାନ ହିଁ ପରଶୁରାମ ରୂପରେ ଅଂଶାବତାର ଗ୍ରହଣ କରିଥିଲେ | ସେ ଏହି ପୃଥିବୀକୁ ଏକୋଇଶ ଥର କ୍ଷତ୍ରିୟହୀନ କରିଥିଲେ |

ଦୁଷ୍ଟଂ କ୍ଷତ୍ରଂ ଭୁବୋ ଭାରମବ୍ରହ୍ମଣ୍ୟମନୀନଶତ୍ ।

ରଜସ୍ତମୋବୃତମହନ୍ ଫଲ୍ଗୁନ୍ୟପି କୃତେଂଽହସି ॥ ୧୫॥

ଯଦିଓ କ୍ଷତ୍ରିୟମାନେ ବ୍ୟକ୍ତିଗତ ଭାବରେ ତାଙ୍କ ପ୍ରତି ସାମାନ୍ୟ ମାତ୍ର ଅପରାଧ କରିଥିଲେ, ତଥାପି ସେମାନେ ଅତ୍ୟନ୍ତ ଦୁଷ୍ଟ, ବ୍ରାହ୍ମଣଦ୍ବେଷୀ, ରଜୋଗୁଣୀ ଏବଂ ବିଶେଷ ଭାବରେ ତମୋଗୁଣୀ ଥିଲେ | ସେହି କାରଣରୁ ସେମାନେ ପୃଥିବୀ ପାଇଁ ଭାର ସଦୃଶ ହୋଇ ଯାଇଥିଲେ | ସେମାନଙ୍କର ନାଶ କରି ଭଗବାନ ପରଶୁରାମ ପୃଥିବୀର ଭାର ଉତାରି ଥିଲେ |

ରାଜୋବାଚ

କିଂ ତଦଂହୋ ଭଗବତୋ ରାଜନ୍ୟୈରଜିତାତ୍ମଭିଃ ।

କୃତଂ ଯେନ କୁଲଂ ନଷ୍ଟଂ କ୍ଷତ୍ରିୟାଣାମଭୀକ୍ଷ୍ଣଶଃ ॥ ୧୬॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ସେହି ସମୟରେ କ୍ଷତ୍ରିୟମାନେ ଅବଶ୍ୟ ଅତ୍ୟଧିକ ବିଷୟଲୋଲୁପ ଥିଲେ | କିନ୍ତୁ ସେମାନେ ପରଶୁରାମଙ୍କ ପ୍ରତି ଏପରି କେଉଁ ଅପରାଧ କରିଥିଲେ ଯେ ସେ ବାରମ୍ବାର କ୍ଷତ୍ରିୟବଂଶର ସଂହାର କଲେ ?

ଶ୍ରୀଶୁକ ଉବାଚ

ହୈହୟାନାମଧିପତିରର୍ଜୁନଃ କ୍ଷତ୍ରିୟର୍ଷଭଃ ।

ଦତ୍ତଂ ନାରାୟଣସ୍ୟାଂଶମାରାଧ୍ୟ ପରିକର୍ମଭିଃ ॥ ୧୭॥

ବାହୂନ୍ ଦଶଶତଂ ଲେଭେ ଦୁର୍ଧର୍ଷତ୍ୱମରାତିଷୁ ।

ଅବ୍ୟାହତେନ୍ଦ୍ରିୟୌଜଃ ଶ୍ରୀତେଜୋବୀର୍ୟଯଶୋବଲମ୍ ॥ ୧୮॥

ଶ୍ରୀଶୁକଦେବ କହିବାରେ ଲାଗିଲେ – ପରୀକ୍ଷିତ ! ସେହି ଦିନମାନଙ୍କରେ ହୈହୟବଂଶର ଅଧିପତି ଥିଲେ ଅର୍ଜୁନ | ସେ ଏକ ଶ୍ରେଷ୍ଠ କ୍ଷତ୍ରିୟ ଥିଲେ | ସେ ଅନେକ ପ୍ରକାରରେ ସେବା-ଶୁଶ୍ରୂଷା କରି ଭଗବାନ ନାରାୟଣଙ୍କର ଅଂଶାବତାର ଦତ୍ତାତ୍ରେୟଙ୍କୁ ପ୍ରସନ୍ନ କରିଥିଲେ ଏବଂ ତାଙ୍କଠାରୁ ଏକ ହଜାର ଭୁଜ ଏବଂ ଯୁଦ୍ଧରେ ଯେ କୌଣସି ଶତ୍ରୁଠାରୁ ଅଜେୟ ରହିବାର ବରଦାନ ପ୍ରାପ୍ତ କରିଥିଲେ | ଏତଦ୍ ବ୍ୟତିତ ତାଙ୍କ କୃପାରୁ ସେ ଇନ୍ଦ୍ରିୟମାନଙ୍କର ଅବାଧ ବଳ, ଅତୁଳ ସମ୍ପତ୍ତି, ତେଜ, ବୀରତ୍ବ, କୀର୍ତ୍ତି ଏବଂ ଶାରୀରିକ ବଳ ମଧ୍ୟ ପ୍ରାପ୍ତ କରିଥିଲେ |

ଯୋଗେଶ୍ୱରତ୍ୱମୈଶ୍ୱର୍ୟଂ ଗୁଣା ଯତ୍ରାଣିମାଦୟଃ ।

ଚଚାରାବ୍ୟାହତଗତିର୍ଲୋକେଷୁ ପବନୋ ଯଥା ॥ ୧୯॥

ସେ ଯୋଗେଶ୍ବର ହୋଇ ଯାଇଥିଲେ | ତାଙ୍କଠାରେ ଏପରି ଐଶ୍ବର୍ଯ୍ୟ ଥିଲା ଯେ ସେ ସୂକ୍ଷ୍ମରୁ ସୂକ୍ଷ୍ମ, ସ୍ଥୂଳରୁ ସ୍ଥୂଳ ରୂପ ମଧ୍ୟ ଧାରଣ କରିପାରୁ ଥିଲେ | ସବୁ ସିଦ୍ଧି ତାଙ୍କୁ ପ୍ରାପ୍ତ ଥିଲା | ବାୟୁ ପରି ସଂସାରରେ ସର୍ବତ୍ର ସେ ଅବାଧରେ ବିଚରଣ କରିପାରୁ ଥିଲେ |

ସ୍ତ୍ରୀରତ୍ନୈରାବୃତଃ କ୍ରୀଡନ୍ ରେବାମ୍ଭସି ମଦୋତ୍କଟଃ ।

ବୈଜୟନ୍ତୀଂ ସ୍ରଜଂ ବିଭ୍ରଦ୍ରୁରୋଧ ସରିତଂ ଭୁଜୈଃ ॥ ୨୦॥

ଦିନେ ଗଳାରେ ବୈଜୟନ୍ତୀ ମାଳା ଧାରଣ କରି ସହସ୍ରବାହୁ ଅର୍ଜୁନ ଅନେକ ସୁନ୍ଦରୀ ସ୍ତ୍ରୀଙ୍କ ସହିତ ନର୍ମଦା ନଦୀରେ ଜଳବିହାର କରୁଥିଲା | ସେହି ସମୟରେ ମଦୋନ୍ମତ୍ତ ସହସ୍ରବାହୁ ନିଜ ବାହୁପାଶରେ ନଦୀର ପ୍ରବାହକୁ ରୋକି ଦେଲା |

ବିପ୍ଲାବିତଂ ସ୍ୱଶିବିରଂ ପ୍ରତିସ୍ରୋତଃସରିଜ୍ଜଲୈଃ ।

ନାମୃଷ୍ୟତ୍ତସ୍ୟ ତଦ୍ୱୀର୍ୟଂ ବୀରମାନୀ ଦଶାନନଃ ॥ ୨୧॥

ଦଶମୁଖ ରାବଣର ଶିବିର ବି ସେହି ପାଖରେ ଥିଲା | ନଦୀ ସ୍ରୋତର ପ୍ରତିକୂଳ ପ୍ରବାହରେ ତାର ଶିବିର ବୁଡିବାରେ ଲାଗିଲା | ରାବଣ ତ ନିଜକୁ ବହୁତ ବଡ ବୀର ମନେ କରୁଥିଲା, ସେଥିପାଇଁ ସହସ୍ରାର୍ଜୁନଙ୍କର ଏହି ପରାକ୍ରମ ସେ ସହ୍ୟ କରିପାରିଲା ନାହିଁ |

ଗୃହୀତୋ ଲୀଲୟା ସ୍ତ୍ରୀଣାଂ ସମକ୍ଷଂ କୃତକିଲ୍ବିଷଃ ।

ମାହିଷ୍ମତ୍ୟାଂ ସନ୍ନିରୁଦ୍ଧୋ ମୁକ୍ତୋ ଯେନ କପିର୍ୟଥା ॥ ୨୨॥

ରାବଣ ଯେତେବେଳେ ସହସ୍ରବାହୁ ଅର୍ଜୁନଙ୍କ ପାଖକୁ ଯାଇ ତାଙ୍କୁ ଗାଳି-ଭର୍ତ୍ସନା କରିବାରେ ଲାଗିଲା, ସେତେବେଳେ ସେ ତାକୁ ସ୍ତ୍ରୀମାନଙ୍କ ସମ୍ମୁଖରେ ହିଁ ଖେଳରେ-ଖେଳରେ ଧରି ନେଲେ ଏବଂ ତାକୁ ନିଜ ରାଜଧାନୀ ମହିଷ୍ମତୀକୁ ନେଇ ଯାଇ ମାଙ୍କଡ ପରି ବନ୍ଦୀ କରି ରଖିଲେ | ପରେ ଅବଶ୍ୟ ପୁଲସ୍ତ୍ୟ ମୁନିଙ୍କର କଥା ମାନି ସେ ରାବଣକୁ ଛାଡି ଦେଇଥିଲେ |

ସ ଏକଦା ତୁ ମୃଗୟାଂ ବିଚରନ୍ ବିପିନେ ବନେ ।

ଯଦୃଚ୍ଛୟାଽଽଶ୍ରମପଦଂ ଜମଦଗ୍ନେରୁପାବିଶତ୍ ॥ ୨୩॥

ଦିନେ ସହସ୍ରବାହୁ ଅର୍ଜୁନ ଶିକାର ଖେଳିବାକୁ ଯାଇ ଘୋର ଜଙ୍ଗଲ ମଧ୍ୟରେ ବାଟବଣା ହୋଇ ଦୈବବଶ ଜମଦଗ୍ନି ମୁନିଙ୍କ ଆଶ୍ରମରେ ପହଞ୍ଚିଲେ |

ତସ୍ମୈ ସ ନରଦେବାୟ ମୁନିରର୍ହଣମାହରତ୍ ।

ସସୈନ୍ୟାମାତ୍ୟବାହାୟ ହବିଷ୍ମତ୍ୟା ତପୋଧନଃ ॥ ୨୪॥

ପରମ ତପସ୍ବୀ ଜମଦଗ୍ନି ମୁନିଙ୍କ ଆଶ୍ରମରେ କାମଧେନୁ ରହିଥିଲା | ତାର ପ୍ରତାପରେ ମୁନିବର ରାଜାଙ୍କର ସେନା, ମନ୍ତ୍ରୀ ଏବଂ ବାହନଙ୍କ ସମେତ ସ୍ବୟଂ ହୈହୟାଧିପତିଙ୍କର ଉତ୍ତମ ରୂପେ ସ୍ବାଗତ-ସତ୍କାର କଲେ |

ସ ବୀରସ୍ତତ୍ର ତଦ୍ଦୃଷ୍ଟ୍ୱା ଆତ୍ମୈଶ୍ୱର୍ୟାତିଶାୟନମ୍ ।

ତନ୍ନାଦ୍ରିୟତାଗ୍ନିହୋତ୍ର୍ୟାଂ ସାଭିଲାଷଃ ସ ହୈହୟଃ ॥ ୨୫॥

ବୀର ହୈହୟାଧିପତି ଦେଖିଲେ ଜମଦଗ୍ନି ମୁନିଙ୍କର ଐଶ୍ବର୍ଯ୍ୟ ତ ମୋଠାରୁ ମଧ୍ୟ ଅଧିକ ଅଟେ | ସେଥିପାଇଁ ସେ ମୁନିଙ୍କର ଆଦର-ସତ୍କାର ପ୍ରତି ଧ୍ୟାନ ନ ଦେଇ କାମଧେନୁକୁ ହିଁ ତାଙ୍କଠାରୁ ନେଇ ଯିବାକୁ ଇଚ୍ଛା କଲେ |

ହବିର୍ଧାନୀମୃଷେର୍ଦର୍ପାନ୍ନରାନ୍ ହର୍ତୁମଚୋଦୟତ୍ ।

ତେ ଚ ମାହିଷ୍ମତୀଂ ନିନ୍ୟୁଃ ସବତ୍ସାଂ କ୍ରନ୍ଦତୀଂ ବଲାତ୍ ॥ ୨୬॥

ଜମଦଗ୍ନିଙ୍କଠାରୁ କାମଧେନୁକୁ ମାଗିବା ପରିବର୍ତ୍ତେ ଅଭିମାନବଶତଃ ସେ ନିଜ ସେବକମାନଙ୍କୁ ଆଦେଶ ଦେଲେ ଯେ କାମଧେନୁକୁ ଏଠାରୁ ନେଇ ଚାଲ | ରାଜାଙ୍କ ଆଜ୍ଞାରେ ସେବକମାନେ ବାଛୁରୀ ସହିତ ‘ଭେଁ ଭେଁ ରଡି କରୁଥିବା କାମଧେନୁକୁ ବଳପୂର୍ବକ ମହିଷ୍ମତୀପୁରୀକୁ ନେଇଗଲେ |

ଅଥ ରାଜନି ନିର୍ୟାତେ ରାମ ଆଶ୍ରମ ଆଗତଃ ।

ଶ୍ରୁତ୍ୱା ତତ୍ତସ୍ୟ ଦୌରାତ୍ମ୍ୟଂ ଚୁକ୍ରୋଧାହିରିବାହତଃ ॥ ୨୭॥

ସେମାନେ ସମସ୍ତେ ଚାଲିଯିବା ପରେ ପରଶୁରାମ ଯେତେବେଳେ ଆଶ୍ରମରେ ପହଞ୍ଚି ରାଜାଙ୍କ ଦୁଷ୍ଟତାର ସମସ୍ତ ବୃତ୍ତାନ୍ତ ଶୁଣିଲେ, ସେତେବେଳେ ଚୋଟ ଖାଇଥିବା ସାପ ପରି ସେ କ୍ରୋଧରେ ଥରି ଉଠିଲେ |

ଘୋରମାଦାୟ ପରଶୁଂ ସତୂଣଂ ବର୍ମ କାର୍ମୁକମ୍ ।

ଅନ୍ୱଧାବତ ଦୁର୍ମର୍ଷୋ ମୃଗେନ୍ଦ୍ର ଇବ ଯୂଥପମ୍ ॥ ୨୮॥

ସେ ନିଜର ଭୟଙ୍କର ଫାର୍ସା, ତରକସ, ଢାଲ ଏବଂ ଧନୁ ଧରି ପ୍ରବଳ ବେଗରେ ସେମାନଙ୍କର ପଶ୍ଚାତଧାବନ କଲେ – ଠିକ ଯେପରି ସିଂହ ଅପ୍ରତିହତ ଭାବରେ ହାତୀ ଉପରକୁ ଲମ୍ପ ଦେଇଥାଏ |

ତମାପତନ୍ତଂ ଭୃଗୁବର୍ୟମୋଜସା

ଧନୁର୍ଧରଂ ବାଣପରଶ୍ୱଧାୟୁଧମ୍ ।

ଐଣେୟଚର୍ମାମ୍ବରମର୍କଧାମଭି-

ର୍ୟୁତଂ ଜଟାଭିର୍ଦଦୃଶେ ପୁରୀଂ ବିଶନ୍ ॥ ୨୯॥

ସହସ୍ରବାହୁ ଅର୍ଜୁନ ତାଙ୍କ ନଗରୀରେ ପ୍ରବେଶ କରିବାକୁ ଯାଉଛନ୍ତି, ଠିକ୍ ସେହି ସମୟରେ ସେ ଦେଖିଲେ ପରଶୁରାମ ପ୍ରବଳ ବେଗରେ ତାଙ୍କ ଅଭିମୁଖରେ ଧାଇଁ ଆସୁଛନ୍ତି | ତାଙ୍କର ସେହି ଛଟା ଅତି ବିଲକ୍ଷଣ ଥିଲା | ହାତରେ ସେ ଧନୁଷ-ବାଣ ଏବଂ ଫାର୍ସା ଧାରଣ କରିଥିଲେ, ଶରୀର କୃଷ୍ଣ ମୃଗଚର୍ମରେ ଆବୃତ ଥିଲା ଏବଂ ତାଙ୍କ ମସ୍ତକର ଜଟା ଆନ୍ଦୋଳିତ ହୋଇ ସୂର୍ଯ୍ୟଙ୍କର କିରଣ ସଦୃଶ ଚମକିବାରେ ଲାଗିଥିଲା |

ଅଚୋଦୟଦ୍ଧସ୍ତିରଥାଶ୍ୱପତ୍ତିଭି-

ର୍ଗଦାସିବାଣର୍ଷ୍ଟିଶତଘ୍ନିଶକ୍ତିଭିଃ ।

ଅକ୍ଷୌହିଣୀଃ ସପ୍ତଦଶାତିଭୀଷଣା-

ସ୍ତା ରାମ ଏକୋ ଭଗବାନସୂଦୟତ୍ ॥ ୩୦॥

ତାଙ୍କୁ ଦେଖିବା ମାତ୍ରେ ରାଜା ଗଦା, ଖଡ୍ଗ, ବାଣ, ଋଷ୍ଟି, ଶତଘ୍ନି ଏବଂ ଶକ୍ତି ଆଦି ଆୟୁଧରେ ସୁସଜ୍ଜିତ ଏବଂ ହାତୀ, ଘୋଡା, ରଥ ତଥା ପଦାତିକ ସୈନ୍ୟଯୁକ୍ତ ଅତ୍ୟନ୍ତ ଭୟଙ୍କର ସତର ଅକ୍ଷୌହିଣୀ ସେନା ତାଙ୍କ ସହିତ ମୁକାବିଲା କରିବା ପାଇଁ ପଠାଇଲେ | ଚାହୁଁ ଚାହୁଁ ଭଗବାନ ପରଶୁରାମ ଏକାକୀ ସେହି ସମ୍ପୂର୍ଣ୍ଣ ସେନାକୁ ନଷ୍ଟ କରିଦେଲେ |

ଯତୋ ଯତୋଽସୌ ପ୍ରହରତ୍ପରଶ୍ୱଧୋ

ମନୋଽନିଲୌଜାଃ ପରଚକ୍ରସୂଦନଃ ।

ତତସ୍ତତଶ୍ଛିନ୍ନଭୁଜୋରୁକନ୍ଧରା

ନିପେତୁରୁର୍ୱ୍ୟାଂ ହତସୂତବାହନାଃ ॥ ୩୧॥

ଭଗବାନ ପରଶୁରାମଙ୍କର ଗତି ମନ ଏବଂ ବାୟୁର ଗତି ସଦୃଶ ଥିଲା | ବାସ୍, ସେହି ଗତିରେ ସେ ଶତ୍ରୁ ସେନାକୁ ଅବ୍ୟାହତ କାଟି ଚାଲିଥିଲେ | ତାଙ୍କ ଫାର୍ସାର ପ୍ରହାରରେ ଯତ୍ର-ତତ୍ର ସାରଥି ଏବଂ ବାହନ ସହିତ ବଡ-ବଡ ବୀରମାନଙ୍କର ବାହୁ, ଜଂଘ ଏବଂ କାନ୍ଧ କଟି ପୃଥିବୀରେ ଖସି ଲୋଟୁଥିଲା |

ଦୃଷ୍ଟ୍ୱା ସ୍ୱସୈନ୍ୟଂ ରୁଧିରୌଘକର୍ଦମେ

ରଣାଜିରେ ରାମକୁଠାରସାୟକୈଃ ।

ବିବୃକ୍ଣଚର୍ମଧ୍ୱଜଚାପବିଗ୍ରହଂ

ନିପାତିତଂ ହୈହୟ ଆପତଦ୍ରୁଷା ॥ ୩୨॥

ହୈହୟାଧିପତି ଅର୍ଜୁନ ଯେତେବେଳେ ନିଜ ସେନାର ସୈନିକମାନଙ୍କୁ ସେମାନଙ୍କର ଧନୁ, ଧ୍ବଜା ଏବଂ ଢାଲ ଆଦି ଆୟୁଧ ସହିତ ଭଗବାନ ପରଶୁରାମଙ୍କ ଫାର୍ସାର ପ୍ରହାରରେ ରଣଭୂମିରେ ଲହୂଲୁହାଣ ହୋଇ ପଡି ରହିଥିବା ଦେଖିଲେ, ସେତେବେଳେ ଅତିଶୟ କ୍ରୋଧରେ ସେ ସ୍ବୟଂ ଲଢାଇ କରିବାକୁ ସେଠାରେ ଆସି ପହଞ୍ଚିଲେ |

ଅଥାର୍ଜୁନଃ ପଞ୍ଚଶତେଷୁ ବାହୁଭି-

ର୍ଧନୁଃଷୁ ବାଣାନ୍ ଯୁଗପତ୍ସ ସନ୍ଦଧେ ।

ରାମାୟ ରାମୋଽସ୍ତ୍ରଭୃତାଂ ସମଗ୍ରଣୀ-

ସ୍ତାନ୍ୟେକଧନ୍ୱେଷୁଭିରାଚ୍ଛିନତ୍ସମମ୍ ॥ ୩୩॥

ସେ ନିଜର ଏକ ହଜାର ଭୁଜରେ ଏକସଙ୍ଗେ ପାଞ୍ଚ ଶହ ଧନୁରେ ବାଣ ଚଢାଇ ପରଶୁରାମଙ୍କ ପ୍ରତି ନିକ୍ଷେପ କଲେ | କିନ୍ତୁ ପରଶୁରାମ ତ ସମସ୍ତ ଶସ୍ତ୍ରଧାରୀଙ୍କର ଶିରୋମଣି ଥିଲେ | ସେ ନିଜ ଧନୁରେ ନିକ୍ଷେପ କରିଥିବା ଗୋଟିଏ ବାଣରେ ହିଁ ଏକସଙ୍ଗେ ରାଜାଙ୍କର ସମସ୍ତ ବାଣକୁ କାଟି ଦେଲେ |

ପୁନଃ ସ୍ୱହସ୍ତୈରଚଲାନ୍ ମୃଧେଽଙ୍ଘ୍ରିପା-

ନୁତ୍କ୍ଷିପ୍ୟ ବେଗାଦଭିଧାବତୋ ଯୁଧି ।

ଭୁଜାନ୍ କୁଠାରେଣ କଠୋରନେମିନା

ଚିଚ୍ଛେଦ ରାମଃ ପ୍ରସଭଂ ତ୍ୱହେରିବ ॥ ୩୪॥

ଏବେ ହୈହୟାଧିପତି ନିଜ ହାତରେ ବଡ-ବଡ ପାହାଡ ଏବଂ ବୃକ୍ଷ ଉପାଡି, ସେଥିରେ ପ୍ରହାର କରିବା ପାଇଁ ଯୁଦ୍ଧଭୂମିରେ ପରଶୁରାମଙ୍କ ଆଡକୁ ଝପଟି ଆସିଲା | କିନ୍ତୁ ପରଶୁରାମ ନିଜର ତୀକ୍ଷ୍ଣ ଧାରଯୁକ୍ତ ଫାର୍ସାରେ ଫୁର୍ତ୍ତିର ସହିତ ତାଙ୍କର ସର୍ପତୁଲ୍ୟ ସମସ୍ତ ଭୁଜକୁ କାଟି ଦେଲେ |

କୃତ୍ତବାହୋଃ ଶିରସ୍ତସ୍ୟ ଗିରେଃ ଶୃଙ୍ଗମିବାହରତ୍ ।

ହତେ ପିତରି ତତ୍ପୁତ୍ରା ଅୟୁତଂ ଦୁଦ୍ରୁବୁର୍ଭୟାତ୍ ॥ ୩୫॥

ଭୁଜ କାଟି ସାରିବା ପରେ ପରଶୁରାମ ରାଜାଙ୍କର ପାହାଡ-ଶିଖର ସଦୃଶ ଉଚ୍ଚ ମସ୍ତକକୁ ତତକ୍ଷଣାତ୍ କାଟି ଶରୀରରୁ ପୃଥକ୍ କରିଦେଲେ | ପିତାଙ୍କର ମୃତ୍ୟୁରେ ଭୟଭୀତ ହୋଇ ରାଜାଙ୍କର ଦଶ ହଜାର ପୁତ୍ର ସେଠାରୁ ପଳାୟନ କଲେ |

ଅଗ୍ନିହୋତ୍ରୀମୁପାବର୍ତ୍ୟ ସବତ୍ସାଂ ପରବୀରହା ।

ସମୁପେତ୍ୟାଶ୍ରମଂ ପିତ୍ରେ ପରିକ୍ଲିଷ୍ଟାଂ ସମର୍ପୟତ୍ ॥ ୩୬॥

ପରୀକ୍ଷିତ ! ବିପକ୍ଷୀ ବୀରମାନଙ୍କର ବିନାଶ କରି ପରଶୁରାମ ବାଛୁରୀ ସହିତ କାମଧେନୁକୁ ଫେରାଇ ଆଣିଲେ | ସେ ବିଚାରୀ ତ ଅତ୍ୟନ୍ତ ଦୁଃଖୀ ଥିଲା | ପରଶୁରାମ ତାହାକୁ ଆଶ୍ରମକୁ ଆଣି ନିଜ ପିତାଙ୍କ ହାତରେ ଅର୍ପଣ କଲେ |

ସ୍ୱକର୍ମ ତତ୍କୃତଂ ରାମଃ ପିତ୍ରେ ଭ୍ରାତୃଭ୍ୟ ଏବ ଚ ।

ବର୍ଣୟାମାସ ତଚ୍ଛ୍ରୁତ୍ୱା ଜମଦଗ୍ନିରଭାଷତ ॥ ୩୭॥

ଏତଦ୍ ବ୍ୟତିତ ମହିଷ୍ମତୀ ନଗରୀରେ ସହସ୍ରବାହୁ ଏବଂ ତାଙ୍କ ମଧ୍ୟରେ ଯାହା ସବୁ ଘଟିଥିଲା, ସେହି ସମସ୍ତ ବୃତ୍ତାନ୍ତ ସେ ନିଜର ପିତା ଏବଂ ଭାଈମାନଙ୍କୁ କହି ଶୁଣାଇଲେ | ସବୁ କଥା ଶୁଣି ଜମଦଗ୍ନି ମୁନି କହିଲେ -

ରାମ ରାମ ମହାବାହୋ ଭବାନ୍ ପାପମକାରଷୀତ୍ ।

ଅବଧୀନ୍ନରଦେବଂ ଯତ୍ସର୍ୱଦେବମୟଂ ବୃଥା ॥ ୩୮॥

‘ହାୟ, ହାୟ, ପରଶୁରାମ ! ତୁମେ ବହୁତ ବଡ ପାପକର୍ମ କରିଛ | ମୁଁ ମାନୁଛି, ତୁମେ ବହୁତ ବଡ ବୀର ଅଟ, କିନ୍ତୁ ବୃଥାରେ ତୁମେ ସର୍ବଦେବମୟ ନରପତିଙ୍କର ବଧ କଲ |

ବୟଂ ହି ବ୍ରାହ୍ମଣାସ୍ତାତ କ୍ଷମୟାର୍ହଣତାଂ ଗତାଃ ।

ଯୟା ଲୋକଗୁରୁର୍ଦେବଃ ପାରମେଷ୍ଠ୍ୟମଗାତ୍ପଦମ୍ ॥ ୩୯॥

ପୁତ୍ର ! ଆମ୍ଭେମାନେ ବ୍ରାହ୍ମଣ ଅଟେ | କ୍ଷମାର ଗୁଣରେ ହିଁ ଆମ୍ଭେମାନେ ସଂସାରରେ ପୂଜନୀୟ | ଆଉ ଅଧିକ କଣ କହିବା, ସୃଷ୍ଟିର ପିତାମହ ବ୍ରହ୍ମା ମଧ୍ୟ ଏହି କ୍ଷମା ବଳରେ ବ୍ରହ୍ମପଦକୁ ପ୍ରାପ୍ତ ଅଟନ୍ତି |

କ୍ଷମୟା ରୋଚତେ ଲକ୍ଷ୍ମୀର୍ବ୍ରାହ୍ମୀ ସୌରୀ ଯଥା ପ୍ରଭା ।

କ୍ଷମିଣାମାଶୁ ଭଗବାଂସ୍ତୁଷ୍ୟତେ ହରିରୀଶ୍ୱରଃ ॥ ୪୦॥

କ୍ଷମା ବଳରେ ହିଁ ବ୍ରାହ୍ମଣମାନଙ୍କର ଶୋଭା ସୂର୍ଯ୍ୟଙ୍କର ତେଜ ପରି ଦେଦୀପ୍ୟମାନ ରହିଥାଏ | ସର୍ବଶକ୍ତିମାନ ଭଗବାନ ଶ୍ରୀହରି ମଧ୍ୟ କ୍ଷମାବାନ୍ ପୁରୁଷଙ୍କ ପ୍ରତି ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି |

ରାଜ୍ଞୋ ମୂର୍ଧାଭିଷିକ୍ତସ୍ୟ ବଧୋ ବ୍ରହ୍ମବଧାଦ୍ଗୁରୁଃ ।

ତୀର୍ଥସଂସେବୟା ଚାଂହୋ ଜହ୍ୟଙ୍ଗାଚ୍ୟୁତଚେତନଃ ॥ ୪୧॥

ପୁତ୍ର ! ସାର୍ବଭୌମ ରାଜାଙ୍କର ବଧ ବ୍ରାହ୍ମଣମାନଙ୍କର ହତ୍ୟାଠାରୁ ମଧ୍ୟ ଅତି ଗର୍ହିତ ଅଟେ | ଯାଅ, ଭଗବାନଙ୍କର ସ୍ମରଣ କରି ତୀର୍ଥ ସେବନ ଦ୍ବାରା ନିଜର ପାପକୁ ଧୌତ କର |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ନବମସ୍କନ୍ଧେ ପଞ୍ଚଦଶୋଽଧ୍ୟାୟଃ ॥ ୧୫॥ 

Comments

Popular posts from this blog