ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ତ୍ରୟୋଦଶ ଅଧ୍ୟାୟ

ରାଜା ନିମିଙ୍କ ବଂଶର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ନିମିରିକ୍ଷ୍ୱାକୁତନୟୋ ବସିଷ୍ଠମବୃତର୍ତ୍ୱିଜମ୍ ।

ଆରଭ୍ୟ ସତ୍ରଂ ସୋଽପ୍ୟାହ ଶକ୍ରେଣ ପ୍ରାଗ୍ୱୃତୋଽସ୍ମି ଭୋଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଈକ୍ଷାକୁଙ୍କର ପୁତ୍ର ଥିଲେ ନିମି | ସେ ଯଜ୍ଞ ଆରମ୍ଭ କରିବା ନିମନ୍ତେ ମହର୍ଷି ବସିଷ୍ଠଙ୍କୁ ଋତ୍ବିଜ ରୂପରେ ବରଣ କଲେ | କିନ୍ତୁ ବସିଷ୍ଠ ମୁନି କହିଲେ – ରାଜନ୍ ! ଇନ୍ଦ୍ର ନିଜ ଯଜ୍ଞ ନିମନ୍ତେ ମୋତେ ପୂର୍ବରୁ ବରଣ କରି ସାରିଛନ୍ତି |

ତଂ ନିର୍ୱର୍ତ୍ୟାଗମିଷ୍ୟାମି ତାବନ୍ମାଂ ପ୍ରତିପାଲୟ ।

ତୂଷ୍ଣୀମାସୀଦ୍ଗୃହପତିଃ ସୋଽପୀନ୍ଦ୍ରସ୍ୟାକରୋନ୍ମଖମ୍ ॥ ୨॥

ମୁଁ ତାଙ୍କ ଯଜ୍ଞ ପୂରା କରିବା ପରେ ତୁମ ପାଖକୁ ଆସିବି | ସେତେଦିନ ତୁମେ ମୋର ପ୍ରତୀକ୍ଷା କର |’ ଏକଥା ଶୁଣି ରାଜା ନିମି ଚୁପ୍ ରହିଲେ ଏବଂ ଇନ୍ଦ୍ରଙ୍କର ଯଜ୍ଞ ସମାପନ କରିବା ପାଇଁ ବସିଷ୍ଠ ମୁନି ଚାଲିଗଲେ |

ନିମିଶ୍ଚଲମିଦଂ ବିଦ୍ୱାନ୍ ସତ୍ରମାରଭତାତ୍ମବାନ୍ ।

ଋତ୍ୱିଗ୍ଭିରପରୈସ୍ତାବନ୍ନାଗମଦ୍ୟାବତା ଗୁରୁଃ ॥ ୩॥

ବିଚାରବାନ୍ ନିମି ଚିନ୍ତା କଲେ ଯେ ଜୀବନ ତ କ୍ଷଣଭଙ୍ଗୁର ଅଟେ, ତେଣୁ ଶୁଭକର୍ମ କରିବାରେ ବିଳମ୍ବ ଉଚିତ୍ ନୁହେଁ | ଏହିପରି ଚିନ୍ତା କରି ସେ ଯଜ୍ଞ ଆରମ୍ଭ କରିଦେଲେ | ଗୁରୁ ବସିଷ୍ଠ ଫେରିବାକୁ ଅପେକ୍ଷା ନ କରି ସେ ଯଜ୍ଞ ନିମନ୍ତେ ଅନ୍ୟ ଋତ୍ବିଜଙ୍କୁ ବରଣ କରିନେଲେ |

ଶିଷ୍ୟବ୍ୟତିକ୍ରମଂ ବୀକ୍ଷ୍ୟ ନିର୍ୱର୍ତ୍ୟ ଗୁରୁରାଗତଃ ।

ଅଶପତ୍ପତତାଦ୍ଦେହୋ ନିମେଃ ପଣ୍ଡିତମାନିନଃ ॥ ୪॥

ଇନ୍ଦ୍ରଙ୍କର ଯଜ୍ଞ ସମ୍ପନ୍ନ କରି ଗୁରୁ ବସିଷ୍ଠ ଯେତେବେଳେ ଫେରି ଆସିଲେ, ସେତେବେଳେ ସେ ଦେଖିଲେ ତାଙ୍କର ଶିଷ୍ୟ ନିମି ତ ତାଙ୍କୁ ଅମାନ୍ୟ କରି ଯଜ୍ଞ ଆରମ୍ଭ କରି ଦେଇଛନ୍ତି | ସେ ନିମିଙ୍କୁ ଅଭିଶାପ ଦେଲେ,’ନିଜର ବିଚାରଶୀଳତା ଏବଂ ପାଣ୍ଡିତ୍ୟକୁ ନେଇ ତୁମର ପ୍ରବଳ ଅହଂକାର ହୋଇଯାଇଛି; ସେଥିପାଇଁ ତୁମର ଶରୀରପାତ ହୋଇଯାଉ |’

ନିମିଃ ପ୍ରତିଦଦୌ ଶାପଂ ଗୁରବେଽଧର୍ମବର୍ତିନେ ।

ତବାପି ପତତାଦ୍ଦେହୋ ଲୋଭାଦ୍ଧର୍ମମଜାନତଃ ॥ ୫॥

ନିମିଙ୍କ ଦୃଷ୍ଟିରେ ଗୁରୁ ବସିଷ୍ଠଙ୍କର ସେହି ଶାପ ଧର୍ମର ଅନୁକୂଳ ନୁହେଁ, ପ୍ରତିକୂଳ ଥିଲା | ସେଥିପାଇଁ ସେ ମଧ୍ୟ ବସିଷ୍ଠଙ୍କୁ ଅଭିଶାପ ଦେଲେ – ‘ଆପଣ ଲୋଭବଶ ନିଜ ଧର୍ମର ଅନାଦର କରିଛନ୍ତି; ତେଣୁ ଆପଣଙ୍କର ଶରୀର ମଧ୍ୟ ନଷ୍ଟ ହୋଇଯାଉ |’

ଇତ୍ୟୁତ୍ସସର୍ଜ ସ୍ୱଂ ଦେହଂ ନିମିରଧ୍ୟାତ୍ମକୋବିଦଃ ।

ମିତ୍ରାବରୁଣୟୋର୍ଜଜ୍ଞେ ଉର୍ୱଶ୍ୟାଂ ପ୍ରପିତାମହଃ ॥ ୬॥

ଏହା କହି ଆତ୍ମବିଦ୍ୟାରେ ନିପୁଣ ରାଜା ନିମି ନିଜ ଶରୀର ତ୍ୟାଗ କରିଦେଲେ | ପରୀକ୍ଷିତ ! ଏଣେ ମୋର ବୃଦ୍ଧ ପ୍ରପିତାମହ ବସିଷ୍ଠ ମଧ୍ୟ ଶରୀର ତ୍ୟାଗ କରି ମିତ୍ରାବରୁଣଙ୍କ ଦ୍ବାରା ଉର୍ବଶୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କଲେ |

ଗନ୍ଧବସ୍ତୁଷୁ ତଦ୍ଦେହଂ ନିଧାୟ ମୁନିସତ୍ତମାଃ ।

ସମାପ୍ତେ ସତ୍ରୟାଗେଽଥ ଦେବାନୂଚୁଃ ସମାଗତାନ୍ ॥ ୭॥

ରାଜା ନିମିଙ୍କ ଯଜ୍ଞରେ ଉପସ୍ଥିତ ଶ୍ରେଷ୍ଠ ମୁନିମାନେ ରାଜାଙ୍କ ଶରୀରକୁ ସୁଗନ୍ଧିତ ବସ୍ତୁ ମଧ୍ୟରେ ରଖିଦେଲେ | ସତ୍ରଯାଗର ସମାପ୍ତିରେ ଯେତେବେଳେ ଦେବତାମାନେ ସେଠାକୁ ଆଗମନ କଲେ, ସେତେବେଳେ ମୁନିମାନେ ସେମାନଙ୍କୁ ପ୍ରାର୍ଥନା କଲେ -

ରାଜ୍ଞୋ ଜୀବତୁ ଦେହୋଽୟଂ ପ୍ରସନ୍ନାଃ ପ୍ରଭବୋ ଯଦି ।

ତଥେତ୍ୟୁକ୍ତେ ନିମିଃ ପ୍ରାହ ମା ଭୂନ୍ମେ ଦେହବନ୍ଧନମ୍ ॥ ୮॥

‘ମହାନୁଭବ ! ଆପଣମାନେ ସମର୍ଥ ଅଟନ୍ତି | ଏହି ଯଜ୍ଞାନୁଷ୍ଠାନରେ ଆପଣମାନେ ଯଦି ପ୍ରସନ୍ନ ହୋଇଛନ୍ତି, ତେବେ ରାଜା ନିମିଙ୍କର ଏହି ଶରୀର ପୁନଃଜୀବିତ ହୋଇ ଉଠୁ |’ ଦେବତାମାନେ କହିଲେ – ‘ତଥାସ୍ତୁ | ସେହି ସମୟରେ ନିମି କହିଲେ – ‘ମୁଁ ଦେହର ବନ୍ଧନ ଇଚ୍ଛା କରେନାହିଁ |

ଯସ୍ୟ ଯୋଗଂ ନ ବାଞ୍ଛନ୍ତି ବିୟୋଗଭୟକାତରାଃ ।

ଭଜନ୍ତି ଚରଣାମ୍ଭୋଜଂ ମୁନୟୋ ହରିମେଧସଃ ॥ ୯॥

ବିଚାରଶୀଳ ମୁନିଜନ ନିଜର ବୁଦ୍ଧିକୁ ପୂର୍ଣ୍ଣତଃ ଶ୍ରୀଭଗବାନଙ୍କଠାରେ ସଂଲଗ୍ନ ରଖିଥାଆନ୍ତି ଏବଂ ତାଙ୍କ ଚରଣକମଳର ହିଁ ଭଜନ କରୁଥାଆନ୍ତି | ଦିନେ-ନା-ଦିନେ ଏହି ଶରୀର ନିଶ୍ଚିତ ଭାବରେ ଚାଲିଯିବ – ଏହି ଭୟରେ ଭୀତ ରହୁଥିବା କାରଣରୁ ସେମାନେ ଶରୀର ସହିତ କୌଣସି ସଂଯୋଗ ଇଚ୍ଛା କରନ୍ତି ନାହିଁ; ସେମାନେ ତ ମୁକ୍ତ ହେବାକୁ ଇଚ୍ଛା କରନ୍ତି |

ଦେହଂ ନାବରୁରୁତ୍ସେଽହଂ ଦୁଃଖଶୋକଭୟାବହମ୍ ।

ସର୍ୱତ୍ରାସ୍ୟ ଯତୋ ମୃତ୍ୟୁର୍ମତ୍ସ୍ୟାନାମୁଦକେ ଯଥା ॥ ୧୦॥

ତେଣୁ ମୁଁ ଏବେ ଦୁଃଖ, ଶୋକ ଏବଂ ଭୟର ମୂଳ କାରଣ ଏହି ଶରୀରକୁ ଧାରଣ କରିବାକୁ ଇଚ୍ଛା କରୁନାହିଁ | ଜଳରେ ମତ୍ସ୍ୟ ନିମନ୍ତେ ସର୍ବତ୍ର ମୃତ୍ୟୁର ଅବସର ରହିଥିବା ପରି ଏହି ଶରୀର ପାଇଁ ସର୍ବତ୍ର କେବଳ ମୃତ୍ୟୁ-ହିଁ-ମୃତ୍ୟୁ ରହିଛି |

ଦେବା ଊଚୁଃ

ବିଦେହ ଉଷ୍ୟତାଂ କାମଂ ଲୋଚନେଷୁ ଶରୀରିଣାମ୍ ।

ଉନ୍ମେଷଣନିମେଷାଭ୍ୟାଂ ଲକ୍ଷିତୋଽଧ୍ୟାତ୍ମସଂସ୍ଥିତଃ ॥ ୧୧॥

ଦେବତାମାନେ କହିଲେ – ହେ ମୁନିଗଣ ! ରାଜା ନିମି ବିନା ଶରୀରରେ ହିଁ ପ୍ରାଣୀମାନଙ୍କର ନେତ୍ରରେ ନିଜ ଇଚ୍ଛା ଅନୁସାରେ ନିବାସ କରିବେ | ସେ ସୂକ୍ଷ୍ମଶରୀରରେ ରହି ଭଗବାନଙ୍କର ଚିନ୍ତନ କରିବେ | ପଲକର ଉତ୍ଥାନ-ପତନରୁ ତାଙ୍କ ଅସ୍ତିତ୍ବର ଉପଲବଧି ହେବ |

ଅରାଜକଭୟଂ ନୄଣାଂ ମନ୍ୟମାନା ମହର୍ଷୟଃ ।

ଦେହଂ ମମନ୍ଥୁଃ ସ୍ମ ନିମେଃ କୁମାରଃ ସମଜାୟତ ॥ ୧୨॥

ଏହାପରେ ମହର୍ଷିମାନେ ଏପରି ଚିନ୍ତା କରି ଯେ ରାଜା ନ ରହିଲେ ରାଜ୍ୟରେ ଅରାଜକତା ବ୍ୟାପି ଯିବ, ନିମିଙ୍କ ଶରୀରର ମନ୍ଥନ କଲେ | ସେହି ମନ୍ଥନରୁ ଏକ କୁମାର ଉତ୍ପନ୍ନ ହେଲା |

ଜନ୍ମନା ଜନକଃ ସୋଽଭୂଦ୍ୱୈଦେହସ୍ତୁ ବିଦେହଜଃ ।

ମିଥିଲୋ ମଥନାଜ୍ଜାତୋ ମିଥିଲା ଯେନ ନିର୍ମିତା ॥ ୧୩॥

ଜନ୍ମ ଗ୍ରହଣ କରିଥିବା କାରଣରୁ ତାଙ୍କର ନାମ ‘ଜନକ’ ହେଲା | ବିଦେହଙ୍କଠାରୁ ଉତ୍ପନ୍ନ ହୋଇଥିବା କାରଣରୁ ସେ ‘ବିଦେହ ବୋଲାଇଲେ ଏବଂ ମନ୍ଥନରୁ ଉତ୍ପନ୍ନ ହୋଇଥିବା କାରଣରୁ ସେହି ବାଳକର ନାମ ‘ମିଥିଳ’ ହେଲା | ସେ ମିଥିଳାପୁରୀର ସ୍ଥାପନା କରିଥିଲେ |

ତସ୍ମାଦୁଦାବସୁସ୍ତସ୍ୟ ପୁତ୍ରୋଽଭୂନ୍ନନ୍ଦିବର୍ଧନଃ ।

ତତଃ ସୁକେତୁସ୍ତସ୍ୟାପି ଦେବରାତୋ ମହୀପତେ ॥ ୧୪॥

ତସ୍ମାଦ୍ବୃହଦ୍ରଥସ୍ତସ୍ୟ ମହାବୀର୍ୟଃ ସୁଧୃତ୍ପିତା ।

ସୁଧୃତେର୍ଧୃଷ୍ଟକେତୁର୍ୱୈ ହର୍ୟଶ୍ୱୋଽଥ ମରୁସ୍ତତଃ ॥ ୧୫॥

ପରୀକ୍ଷିତ ! ଜନକଙ୍କର ଉଦାବସୁ, ତାଙ୍କର ନନ୍ଦିବର୍ଧନ, ନନ୍ଦିବର୍ଧନଙ୍କର ସୁକେତୁ, ତାଙ୍କର ଦେବରାତ, ଦେବରାତଙ୍କର ବୃହଦ୍ରଥ, ବୃହଦ୍ରଥଙ୍କର ମହାବୀର୍ଯ୍ୟ, ମହାବୀର୍ଯ୍ୟଙ୍କର ସୁଧୃତି, ସୁଧୃତିଙ୍କର ଧୃଷ୍ଟକେତୁ, ଧୃଷ୍ଟକେତୁଙ୍କର ହର୍ୟଶ୍ବ ଏବଂ ତାଙ୍କର ମରୁ ନାମକ ପୁତ୍ର ହେଲେ |

ମରୋଃ ପ୍ରତୀପକସ୍ତସ୍ମାଜ୍ଜାତଃ କୃତରଥୋ ଯତଃ ।

ଦେବମୀଢସ୍ତସ୍ୟ ପୁତ୍ରୋ ବିଶ୍ରୁତୋଽଥ ମହାଧୃତିଃ ॥ ୧୬॥

ମରୁଙ୍କଠାରୁ ପ୍ରତୀପକ, ପ୍ରତୀପକଙ୍କଠାରୁ କୃତିରଥ, କୃତିରଥଙ୍କଠାରୁ ଦେବମୀଢ଼, ଦେବମୀଢ଼ଙ୍କଠାରୁ ବିଶ୍ରୁତ ଏବଂ ବିଶ୍ରୁତଙ୍କଠାରୁ ମହାଧୃତିଙ୍କର ଜନ୍ମ ହେଲା |

କୃତିରାତସ୍ତତସ୍ତସ୍ମାନ୍ମହାରୋମାଥ ତତ୍ସୁତଃ ।

ସ୍ୱର୍ଣରୋମା ସୁତସ୍ତସ୍ୟ ହ୍ରସ୍ୱରୋମା ବ୍ୟଜାୟତ ॥ ୧୭॥

ମହାଧୃତିଙ୍କର କୃତିରାତ, କୃତିରାତଙ୍କର ମହାରୋମା, ମହାରୋମାଙ୍କର ସ୍ବର୍ଣ୍ଣରୋମା ଏବଂ ସ୍ବର୍ଣ୍ଣରୋମାଙ୍କର ପୁତ୍ର ହେଲେ ହ୍ରସ୍ବରୋମା |

ତତଃ ସୀରଧ୍ୱଜୋ ଜଜ୍ଞେ ଯଜ୍ଞାର୍ଥଂ କର୍ଷତୋ ମହୀମ୍ ।

ସୀତା ସୀରାଗ୍ରତୋ ଜାତା ତସ୍ମାତ୍ସୀରଧ୍ୱଜଃ ସ୍ମୃତଃ ॥ ୧୮॥

ଏହି ହ୍ରସ୍ବରୋମାଙ୍କର ପୁତ୍ର ମହାରାଜ ସୀରଧ୍ବଜ ଥିଲେ | ସେ ଯେତେବେଳେ ଯଜ୍ଞ କରିବା ଉଦ୍ଦେଶ୍ୟରେ ଧରଣୀରେ ହଳ ଚଳାଉଥିଲେ, ସେତେବେଳେ ସେହି ହଳର ଅଗ୍ରଭାଗରେ ସୀତା ଦେବୀଙ୍କର ଆବିର୍ଭାବ ହୋଇଥିଲା | ସେହି କାରଣରୁ ତାଙ୍କର ନାମ ସୀରଧ୍ବଜ ହେଲା |

କୁଶଧ୍ୱଜସ୍ତସ୍ୟ ପୁତ୍ରସ୍ତତୋ ଧର୍ମଧ୍ୱଜୋ ନୃପଃ ।

ଧର୍ମଧ୍ୱଜସ୍ୟ ଦ୍ୱୌ ପୁତ୍ରୌ କୃତଧ୍ୱଜମିତଧ୍ୱଜୌ ॥ ୧୯॥

ସୀରଧ୍ବଜଙ୍କର କୁଶଧ୍ବଜ, କୁଶଧ୍ବଜଙ୍କର ଧର୍ମଧ୍ବଜ ଏବଂ ଧର୍ମଧ୍ବଜଙ୍କର ଦୁଇ ପୁତ୍ର ହେଲେ – କୃତଧ୍ବଜ ଓ ମିତଧ୍ବଜ |

କୃତଧ୍ୱଜାତ୍କେଶିଧ୍ୱଜଃ ଖାଣ୍ଡିକ୍ୟସ୍ତୁ ମିତଧ୍ୱଜାତ୍ ।

କୃତଧ୍ୱଜସୁତୋ ରାଜନ୍ନାତ୍ମବିଦ୍ୟାବିଶାରଦଃ ॥ ୨୦॥

କୃତଧ୍ବଜଙ୍କଠାରୁ କେଶିଧ୍ବଜ ଏବଂ ମିତଧ୍ବଜଙ୍କଠାରୁ ଖାଣ୍ଡିକ୍ୟ ହେଲେ | ପରୀକ୍ଷିତ ! କେଶିଧ୍ବଜ ଆତ୍ମବିଦ୍ୟାରେ ଅତ୍ୟନ୍ତ ପ୍ରବୀଣ ଥିଲେ |

ଖାଣ୍ଡିକ୍ୟଃ କର୍ମତତ୍ତ୍ୱଜ୍ଞୋ ଭୀତଃ କେଶିଧ୍ୱଜାଦ୍ଦ୍ରୁତଃ ।

ଭାନୁମାଂସ୍ତସ୍ୟ ପୁତ୍ରୋଽଭୂଚ୍ଛତଦ୍ୟୁମ୍ନସ୍ତୁ ତତ୍ସୁତଃ ॥ ୨୧॥

ଖାଣ୍ଡିକ୍ୟ କର୍ମକାଣ୍ଡର ମର୍ମଜ୍ଞ ଥିଲେ | ସେ କେଶିଧ୍ବଜଙ୍କ ପ୍ରତି ଭୟଭୀତ ହୋଇ ପଳାୟନ କଲେ | କେଶିଧ୍ବଜଙ୍କର ପୁତ୍ର ଭାନୁମାନ୍ ଏବଂ ଭାନୁମାନଙ୍କର ପୁତ୍ର ଥିଲେ ଶତଦ୍ୟୁମ୍ଣ |

ଶୁଚିସ୍ତତ୍ତନୟସ୍ତସ୍ମାତ୍ସନଦ୍ୱାଜସ୍ତତୋଽଭବତ୍ ।

ଊର୍ଧ୍ୱକେତୁଃ ସନଦ୍ୱାଜାଦଜୋଽଥ ପୁରୁଜିତ୍ସୁତଃ ॥ ୨୨॥

ଅରିଷ୍ଟନେମିସ୍ତସ୍ୟାପି ଶ୍ରୁତାୟୁସ୍ତତ୍ସୁପାର୍ଶ୍ୱକଃ ।

ତତଶ୍ଚିତ୍ରରଥୋ ଯସ୍ୟ କ୍ଷେମଧିର୍ମିଥିଲାଧିପଃ ॥ ୨୩॥

ଶତଦ୍ୟୁମ୍ଣଙ୍କଠାରୁ ଶୁଚି, ଶୁଚିଙ୍କଠାରୁ ସନଦ୍ବାଜ, ସନଦ୍ବାଜଙ୍କଠାରୁ ଉର୍ଦ୍ଧ୍ବକେତୁ, ଉର୍ଦ୍ଧ୍ବକେତୁଙ୍କଠାରୁ ଅଜ, ଅଜଙ୍କଠାରୁ ପୁରୁଜିତ୍, ପୁରୁଜିତଙ୍କଠାରୁ ଅରିଷ୍ଟନେମି, ଅରିଷ୍ଟନେମିଙ୍କଠାରୁ ଶ୍ରୁତାୟୁ, ଶ୍ରୁତାୟୁଙ୍କଠାରୁ ସୁପାର୍ଶ୍ବକ, ସୁପାର୍ଶ୍ବକଙ୍କଠାରୁ ଚିତ୍ରରଥ ଏବଂ ଚିତ୍ରରଥଙ୍କଠାରୁ ମିଥିଳାପତି କ୍ଷେମଧିଙ୍କର ଜନ୍ମ ହେଲା |

ତସ୍ମାତ୍ସମରଥସ୍ତସ୍ୟ ସୁତଃ ସତ୍ୟରଥସ୍ତତଃ ।

ଆସୀଦୁପଗୁରୁସ୍ତସ୍ମାଦୁପଗୁପ୍ତୋଽଗ୍ନିସମ୍ଭବଃ ॥ ୨୪॥

କ୍ଷେମଧିଙ୍କର ସମରଥ, ସମରଥଙ୍କର ସତ୍ୟରଥ, ସତ୍ୟରଥଙ୍କର ଉପଗୁରୁ ଏବଂ ଉପଗୁରୁଙ୍କଠାରୁ ଉପଗୁପ୍ତ ନାମକ ପୁତ୍ର ଜାତ ହେଲା | ଇଏ ଅଗ୍ନିଙ୍କର ଅଂଶ ଥିଲେ |

ବସ୍ୱନନ୍ତୋଽଥ ତତ୍ପୁତ୍ରୋ ଯୁୟୁଧୋ ଯତ୍ସୁଭାଷଣଃ ।

ଶ୍ରୁତସ୍ତତୋ ଜୟସ୍ତସ୍ମାଦ୍ୱିଜୟୋଽସ୍ମାଦୃତଃ ସୁତଃ ॥ ୨୫॥

ଉପଗୁପ୍ତଙ୍କର ବସ୍ବନନ୍ତ, ବସ୍ବନନ୍ତଙ୍କର ଯୁଯୁଧ, ଯୁଯୁଧଙ୍କର ସୁଭାଷଣ, ସୁଭାଷଣଙ୍କର ଶ୍ରୁତ, ଶ୍ରୁତଙ୍କର ଜୟ, ଜୟଙ୍କର ବିଜୟ ଏବଂ ବିଜୟଙ୍କର ଋତ ନାମକ ପୁତ୍ର ହେଲା |

ଶୁନକସ୍ତତ୍ସୁତୋ ଜଜ୍ଞେ ବୀତହବ୍ୟୋ ଧୃତିସ୍ତତଃ ।

ବହୁଲାଶ୍ୱୋ ଧୃତେସ୍ତସ୍ୟ କୃତିରସ୍ୟ ମହାବଶୀ ॥ ୨୬॥

ଋତଙ୍କର ଶୁନକ, ଶୁନକଙ୍କର ବୀତହବ୍ୟ, ବୀତହବ୍ୟଙ୍କର ଧୃତି, ଧୃତିଙ୍କର ବହୁଳାଶ୍ବ, ବହୁଳାଶ୍ବଙ୍କର କୃତି ଏବଂ କୃତିଙ୍କର ପୁତ୍ର ହେଲେ ମହାବଶୀ |

ଏତେ ବୈ ମୈଥିଲା ରାଜନ୍ନାତ୍ମବିଦ୍ୟାବିଶାରଦାଃ ।

ଯୋଗେଶ୍ୱରପ୍ରସାଦେନ ଦ୍ୱନ୍ଦ୍ୱୈର୍ମୁକ୍ତା ଗୃହେଷ୍ୱପି ॥ ୨୭॥

ପରୀକ୍ଷିତ ! ମିଥିଳଙ୍କ ବଂଶରେ ଉତ୍ପନ୍ନ ଏହି ସବୁ ନରପତି ‘ମୈଥିଳ’ ବୋଲାନ୍ତି | ଏମାନେ ସମସ୍ତେ ଆତ୍ମଜ୍ଞାନରେ ସମ୍ପନ୍ନ ଏବଂ ଗୃହସ୍ଥାଶ୍ରମରେ ରହି ମଧ୍ୟ ସୁଖ-ଦୁଃଖ ଆଦି ଦ୍ବନ୍ଦ୍ବରୁ ମୁକ୍ତ ଥିଲେ | କାହିଁକି ଅବା ନ ଥିବେ, ଯାଜ୍ଞବଲ୍କ୍ୟ ଆଦି ବଡ-ବଡ ଯୋଗେଶ୍ବରମାନଙ୍କର ତ ଏମାନଙ୍କ ଉପରେ ମହାନ୍ କୃପା ରହିଥିଲା |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ନିମିବଂଶାନୁବର୍ଣନଂ ନାମ ତ୍ରୟୋଦଶୋଽଧ୍ୟାୟଃ ॥ ୧୩॥

Comments

Popular posts from this blog