ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ଚତୁର୍ଥ ଅଧ୍ୟାୟ

ନାଭାଗ ଏବଂ ଅମ୍ବରୀଷଙ୍କ କଥା

 

ଶ୍ରୀଶୁକ ଉବାଚ

ନାଭାଗୋ ନଭଗାପତ୍ୟଂ ଯଂ ତତଂ ଭ୍ରାତରଃ କବିମ୍ ।

ଯବିଷ୍ଠଂ ବ୍ୟଭଜନ୍ ଦାୟଂ ବ୍ରହ୍ମଚାରିଣମାଗତମ୍ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମନୁପୁତ୍ର ନଭଗଙ୍କର ପୁତ୍ର ଥିଲେ ନାଭାଗ | ଦୀର୍ଘକାଳ ବ୍ରହ୍ମଚର୍ଯ୍ୟ ପାଳନ କରି ସେ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ତାଙ୍କର ବଡ ଭାଈମାନେ ସେମାନଙ୍କଠାରୁ ଛୋଟ ଅଥଚ ବିଦ୍ବାନ୍ ଭାଈଙ୍କୁ ସମ୍ପତ୍ତିର ଭାଗ ସ୍ବରୂପ କେବଳ ପିତାଙ୍କୁ ଦେଇଥିଲେ |

ଭ୍ରାତରୋଽଭାଙ୍କ୍ତ କିଂ ମହ୍ୟଂ ଭଜାମ ପିତରଂ ତବ ।

ତ୍ୱାଂ ମମାର୍ୟାସ୍ତତାଭାଙ୍କ୍ଷୁର୍ମା ପୁତ୍ରକ ତଦାଦୃଥାଃ ॥ ୨॥

ସେ ନିଜ ଭାଈମାନଙ୍କୁ ପଚାରିଲେ – ଆପଣମାନେ ମୋର ଭାଗ-ସ୍ବରୂପ ମୋତେ କଣ ଦେବେ ? ଭାଈମାନେ ଉତ୍ତର ଦେଲେ – ଆମେ ତୁମର ଭାଗ-ସ୍ବରୂପ ପିତାଜୀଙ୍କୁ ତୁମକୁ ଦେଉଛୁ | ତାପରେ ସେ ଯେତେବେଳେ ନିଜ ପିତାଙ୍କ ପାଖକୁ ଯାଇ କହିଲେ, ‘ପିତାଜୀ ! ମୋର ଭାଈମାନେ ଭାଗ-ସ୍ବରୂପ ଆପଣଙ୍କୁ ହିଁ ମୋତେ ଦେଇଛନ୍ତି ସେତେବେଳେ ପିତା ତାଙ୍କୁ କହିଲେ – ପୁତ୍ର ! ତୁମେ ସେମାନଙ୍କ କଥା ସ୍ବୀକାର କରନାହିଁ |

ଇମେ ଅଙ୍ଗିରସଃ ସତ୍ରମାସତେଽଦ୍ୟ ସୁମେଧସଃ ।

ଷଷ୍ଠଂ ଷଷ୍ଠମୁପେତ୍ୟାହଃ କବେ ମୁହ୍ୟନ୍ତି କର୍ମଣି ॥ ୩॥

ଦେଖ, ଏହି ସମୟରେ ଅତ୍ୟନ୍ତ ବୁଦ୍ଧିମାନ ଆଙ୍ଗିରସ-ଗୋତ୍ର ବ୍ରାହ୍ମଣମାନେ ଏକ ବହୁତ ବଡ ଯଜ୍ଞର ଅନୁଷ୍ଠାନ କରୁଛନ୍ତି | କିନ୍ତୁ ହେ ମୋର ବିଦ୍ବାନ୍ ପୁତ୍ର ! ଯଜ୍ଞର ପ୍ରତ୍ୟେକ ଷଷ୍ଠ ଦିନରେ ସେମାନେ ନିଜ କର୍ମରେ ଭୂଲ୍ କରି ବସୁଛନ୍ତି |

ତାଂସ୍ତ୍ୱଂ ଶଂସୟ ସୂକ୍ତେ ଦ୍ୱେ ବୈଶ୍ୱଦେବେ ମହାତ୍ମନଃ ।

ତେ ସ୍ୱର୍ୟନ୍ତୋ ଧନଂ ସତ୍ରପରିଶେଷିତମାତ୍ମନଃ ॥ ୪॥

ଦାସ୍ୟନ୍ତି ତେଽଥ ତାନ୍ ଗଚ୍ଛ ତଥା ସ କୃତବାନ୍ ଯଥା ।

ତସ୍ମୈ ଦତ୍ତ୍ୱା ଯୟୁଃ ସ୍ୱର୍ଗଂ ତେ ସତ୍ରପରିଶେଷିତମ୍ ॥ ୫॥

ତୁମେ ସେହି ମହାତ୍ମାମାନଙ୍କ ପାଖକୁ ଯାଇ ସେମାନଙ୍କୁ ବୈଶ୍ବଦେବସମ୍ବନ୍ଧୀ ଦୁଇଟି ସୁକ୍ତ ନିର୍ଦ୍ଦେଶ କର | ଯଜ୍ଞ ପୂର୍ତ୍ତିରେ ସେମାନେ ଯେତେବେଳେ ସ୍ବର୍ଗକୁ ଯିବେ, ସେତେବେଳେ ଯଜ୍ଞ ନିମନ୍ତେ ସଂଗୃହିତ ଅବଶିଷ୍ଟ ଧନ ସେମାନେ ତୁମକୁ ଦେଇ ଦେବେ | ସେଥିପାଇଁ ତୁମେ ଏବେ ସେମାନଙ୍କ ପାଖକୁ ଯାଅ |’ ପିତାଙ୍କ ଆଜ୍ଞାନୁସାରେ ନାଭାଗ ସେପରି କଲେ ଏବଂ ସତକୁ ସତ ସେହି ଆଙ୍ଗିରସ-ଗୋତ୍ରୀ ବ୍ରାହ୍ମଣମାନେ ମଧ୍ୟ ଯଜ୍ଞର ଅବଶିଷ୍ଟ ଧନ ତାଙ୍କ ହାତରେ ଦେଇ ସ୍ବର୍ଗକୁ ଚାଲିଗଲେ |

ତଂ କଶ୍ଚିତ୍ସ୍ୱୀକରିଷ୍ୟନ୍ତଂ ପୁରୁଷଃ କୃଷ୍ଣଦର୍ଶନଃ ।

ଉବାଚୋତ୍ତରତୋଽଭ୍ୟେତ୍ୟ ମମେଦଂ ବାସ୍ତୁକଂ ବସୁ ॥ ୬॥

ନାଭାଗ ସେହି ସବୁ ଅବଶିଷ୍ଟ ଧନକୁ ନେବା ଉଦ୍ଦେଶ୍ୟରେ ଏକତ୍ରିତ କରୁଥିବା ସମୟରେ ଉତ୍ତର ଦିଗରୁ ଜଣେ କଳାରଙ୍ଗର ପୁରୁଷ ସେଠାରେ ଆସି ଉପସ୍ଥିତ ହେଲେ | ସେ କହିଲେ – ‘ଯଜ୍ଞଭୂମିର ଏହି ଅବଶିଷ୍ଟ ଧନର ଅଧିକାରୀ ମୁଁ ଅଟେ |’

ମମେଦମୃଷିଭିର୍ଦତ୍ତମିତି ତର୍ହି ସ୍ମ ମାନବଃ ।

ସ୍ୟାନ୍ନୌ ତେ ପିତରି ପ୍ରଶ୍ନଃ ପୃଷ୍ଟବାନ୍ ପିତରଂ ତଥା ॥ ୭॥

ତାହା ଶୁଣି ନାଭାଗ କହିଲେ – ‘କିନ୍ତୁ ଋଷିମାନେ ତ ଏହି ଧନ ମୋତେ ଦେଇଛନ୍ତି; ତେଣୁ ଏହା ମୋର ଅଟେ |’ ପ୍ରତ୍ୟୁତ୍ତରରେ ସେହି ପୁରୁଷ ଜଣକ କହିଲେ – ‘ଆମର ବିବାଦ ସମ୍ବନ୍ଧରେ ତୁମ ପିତାଙ୍କୁ ପ୍ରଶ୍ନ କରାଯାଉ |’ ନାଭାଗ ସେଠାରୁ ଯାଇ ତାଙ୍କ ପିତାଙ୍କୁ ପଚାରିଲେ |

ଯଜ୍ଞବାସ୍ତୁଗତଂ ସର୍ୱମୁଚ୍ଛିଷ୍ଟମୃଷୟଃ କ୍ୱଚିତ୍ ।

ଚକ୍ରୁର୍ୱିଭାଗଂ ରୁଦ୍ରାୟ ସ ଦେବଃ ସର୍ୱମର୍ହତି ॥ ୮॥

ପିତା କହିଲେ – ଥରେ ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ଋଷିମାନେ ଏହା ନିଶ୍ଚୟ କରିଥିଲେ ଯେ ଯଜ୍ଞଭୂମିର ଅବଶିଷ୍ଟାଂଶ ରୁଦ୍ରଦେବଙ୍କର ଭାଗ ହେବ | ସେଥିପାଇଁ ଏହି ଧନ ମହାଦେବଙ୍କୁ ମିଳିବା ଉଚିତ୍ |

ନାଭାଗସ୍ତଂ ପ୍ରଣମ୍ୟାହ ତବେଶ କିଲ ବାସ୍ତୁକମ୍ ।

ଇତ୍ୟାହ ମେ ପିତା ବ୍ରହ୍ମଞ୍ଛିରସା ତ୍ୱାଂ ପ୍ରସାଦୟେ ॥ ୯॥

ନାଭାଗ ଫେରି ଆସି ସେହି କଳା ରଙ୍ଗର ପୁରୁଷ ରୁଦ୍ରଭଗବାନଙ୍କୁ ପ୍ରଣାମ କରି କହିଲେ – ପ୍ରଭୁ ! ମୋର ପିତାଙ୍କର କହିବା ଅନୁଯାୟୀ ଯଜ୍ଞଭୂମିର ସବୁକିଛି ଆପଣଙ୍କର ଅଟେ | ଭଗବନ୍ ! ମୋର ଅପରାଧ ହୋଇଛି, ମୁଁ ମସ୍ତକ ଅବନତ କରି ଆପଣଙ୍କଠାରୁ କ୍ଷମା ଭିକ୍ଷା କରୁଛି |

ଯତ୍ତେ ପିତାବଦଦ୍ଧର୍ମଂ ତ୍ୱଂ ଚ ସତ୍ୟଂ ପ୍ରଭାଷସେ ।

ଦଦାମି ତେ ମନ୍ତ୍ରଦୃଶେ ଜ୍ଞାନଂ ବ୍ରହ୍ମ ସନାତନମ୍ ॥ ୧୦॥

ଭଗବାନ ରୁଦ୍ର କହିଲେ – ତୁମର ପିତା ଧର୍ମ ଅନୁକୂଳ ନିର୍ଣ୍ଣୟ ଶୁଣାଇଛନ୍ତି ଏବଂ ତୁମେ ମଧ୍ୟ ମୋତେ ସତ୍ୟ କହିଛ | ବେଦର ଅର୍ଥ ତ ତୁମେ ଜାଣିଛ, ଏବେ ମୁଁ ତୁମକୁ ସନାତନ ବ୍ରହ୍ମତତ୍ତ୍ବର ଜ୍ଞାନ ପ୍ରଦାନ କରୁଛି |

ଗୃହାଣ ଦ୍ରବିଣଂ ଦତ୍ତଂ ମତ୍ସତ୍ରେ ପରିଶେଷିତମ୍ ।

ଇତ୍ୟୁକ୍ତ୍ୱାନ୍ତର୍ହିତୋ ରୁଦ୍ରୋ ଭଗବାନ୍ ସତ୍ୟବତ୍ସଲଃ ॥ ୧୧॥

ଯଜ୍ଞର ଯେଉଁ ଅବଶିଷ୍ଟାଂଶ ମୋ ପାଇଁ ଉଦ୍ଦିଷ୍ଟ ଅଟେ, ତାହା ମଧ୍ୟ ମୁଁ ତୁମକୁ ପ୍ରଦାନ କରୁଛି; ତୁମେ ତାହା ସ୍ବୀକାର କର | ଏତିକି କହି ସତ୍ୟପ୍ରେମୀ ଭଗବାନ ରୁଦ୍ର ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ |

ଯ ଏତତ୍ସଂସ୍ମରେତ୍ପ୍ରାତଃ ସାୟଂ ଚ ସୁସମାହିତଃ ।

କବିର୍ଭବତି ମନ୍ତ୍ରଜ୍ଞୋ ଗତିଂ ଚୈବ ତଥାଽଽତ୍ମନଃ ॥ ୧୨॥

ଯେଉଁ ମନୁଷ୍ୟ ପ୍ରାତଃ ଏବଂ ସାୟଂକାଳରେ ଏହି ଆଖ୍ୟାନର ସ୍ମରଣ କରନ୍ତି, ସେ ପ୍ରତିଭାଶାଳୀ ଓ ବେଦଜ୍ଞ ତ ହୋଇଥାଆନ୍ତି, ତା ସହିତ ନିଜ ସ୍ବରୂପର ଜ୍ଞାନ ମଧ୍ୟ ତାଙ୍କର ହୋଇଯାଏ |

ନାଭାଗାଦମ୍ବରୀଷୋଽଭୂନ୍ମହାଭାଗବତଃ କୃତୀ ।

ନାସ୍ପୃଶଦ୍ବ୍ରହ୍ମଶାପୋଽପି ଯଂ ନ ପ୍ରତିହତଃ କ୍ୱଚିତ୍ ॥ ୧୩॥

ନାଭାଗଙ୍କର ପୁତ୍ର ଥିଲେ ଅମ୍ବରୀଷ | ସେ ବହୁତ ବଡ ଭଗବତ୍-ପ୍ରେମୀ ଏବଂ ଉଦାର ଧର୍ମାତ୍ମା ଥିଲେ | ଯେଉଁ ବ୍ରହ୍ମଶାପ କେବେ ବି ବ୍ୟର୍ଥ ହୁଏନାହିଁ, ତାହା ମଧ୍ୟ ଅମ୍ବରୀଷଙ୍କୁ ସ୍ପର୍ଶ କରିପାରି ନ ଥିଲା |

ରାଜୋବାଚ

ଭଗବନ୍ଛ୍ରୋତୁମିଚ୍ଛାମି ରାଜର୍ଷେସ୍ତସ୍ୟ ଧୀମତଃ ।

ନ ପ୍ରାଭୂଦ୍ୟତ୍ର ନିର୍ମୁକ୍ତୋ ବ୍ରହ୍ମଦଣ୍ଡୋ ଦୁରତ୍ୟଯଃ ॥ ୧୪॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ମୁଁ ପରମଜ୍ଞାନୀ ରାଜର୍ଷି ଅମ୍ବରୀଷଙ୍କର ଚରିତ ଶୁଣିବାକୁ ଇଚ୍ଛା କରୁଛି | ବ୍ରାହ୍ମଣ କ୍ରୋଧିତ ହୋଇ ତାଙ୍କୁ ଏପରି ଦଣ୍ଡ ଦେଇଥିଲେ, ଯହିଁରୁ କୌଣସି ପ୍ରକାରେ ନିଷ୍କୃତି ମିଳି ନ ଥାଏ; କିନ୍ତୁ ତାହା ମଧ୍ୟ ତାଙ୍କର କିଛି ଅନିଷ୍ଟ କରିପାରିଲା ନାହିଁ |

ଶ୍ରୀଶୁକ ଉବାଚ

ଅମ୍ବରୀଷୋ ମହାଭାଗଃ ସପ୍ତଦ୍ୱୀପବତୀଂ ମହୀମ୍ ।

ଅବ୍ୟଯାଂ ଚ ଶ୍ରିୟଂ ଲବ୍ଧ୍ୱା ବିଭବଂ ଚାତୁଲଂ ଭୁବି ॥ ୧୫॥

ମେନେଽତିଦୁର୍ଲଭଂ ପୁଂସାଂ ସର୍ୱଂ ତତ୍ସ୍ୱପ୍ନସଂସ୍ତୁତମ୍ ।

ବିଦ୍ୱାନ୍ ବିଭବନିର୍ୱାଣଂ ତମୋ ବିଶତି ଯତ୍ପୁମାନ୍ ॥ ୧୬॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଅମ୍ବରୀଷ ମହା ଭାଗ୍ୟବାନ ଥିଲେ | ପୃଥିବୀର ସପ୍ତ ଦ୍ବୀପ, ଅଚଳାଚଳ ସମ୍ପତ୍ତି ଏବଂ ଅତୁଳନୀୟ ଐଶ୍ବର୍ଯ୍ୟ ତାଙ୍କୁ ପ୍ରାପ୍ତ ଥିଲା | ସାଧାରଣ ମନୁଷ୍ୟ ପାଇଁ ଯଦିଓ ସେହି ସବୁ ଐଶ୍ବର୍ଯ୍ୟ ଅତ୍ୟନ୍ତ ଦୁର୍ଲଭ ଅଟେ, ସେ ତାହାକୁ ସ୍ବପ୍ନତୁଲ୍ୟ ମନେ କରୁଥିଲେ | କାରଣ ସେ ଜାଣିଥିଲେ ଯେ ଯେଉଁ ଧନ-ବୈଭବର ଲୋଭରେ ପଡି ମନୁଷ୍ୟ ଘୋର ନର୍କକୁ ଯାଇଥାଏ, ତାହା ତ ଚାରିଦିନର ଚାନ୍ଦିନୀ ସଦୃଶ ଅଟେ | ତାହାର ଦୀପକ ତ ଲିଭି-ଲିଭି ଆସୁଛି |

ବାସୁଦେବେ ଭଗବତି ତଦ୍ଭକ୍ତେଷୁ ଚ ସାଧୁଷୁ ।

ପ୍ରାପ୍ତୋ ଭାବଂ ପରଂ ବିଶ୍ୱଂ ଯେନେଦଂ ଲୋଷ୍ଟବତ୍ସ୍ମୃତମ୍ ॥ ୧୭॥

ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କର ପ୍ରେମୀ ସାଧୁଜନଙ୍କ ପ୍ରତି ତାଙ୍କ ହୃଦୟରେ ଅଗାଧ ପ୍ରେମ ରହିଥିଲା | ସେହି ପ୍ରେମ ପ୍ରାପ୍ତ ହୋଇଗଲେ ତ ସାରା ବିଶ୍ବ ଏବଂ ତାହାର ସମସ୍ତ ସମ୍ପତ୍ତି ମାଟିର ଢେଲା ସଦୃଶ ପ୍ରତୀତ ହୋଇଥାଏ |

ସ ବୈ ମନଃ କୃଷ୍ଣପଦାରବିନ୍ଦୟୋ-

ର୍ୱଚାଂସି ବୈକୁଣ୍ଠଗୁଣାନୁବର୍ଣନେ ।

କରୌ ହରେର୍ମନ୍ଦିରମାର୍ଜନାଦିଷୁ

ଶ୍ରୁତିଂ ଚକାରାଚ୍ୟୁତସତ୍କଥୋଦୟେ ॥ ୧୮॥

ସେ ନିଜର ମନକୁ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ଚରଣାରବିନ୍ଦଯୁଗଳରେ, ବାଣୀକୁ ଭଗବଦ୍-ଗୁଣାନୁବର୍ଣ୍ଣନରେ, ହାତକୁ ଶ୍ରୀହରିମନ୍ଦିରର ମାର୍ଜନ-ସିଞ୍ଚନରେ ଏବଂ କାନକୁ ଭଗବାନ ଅଚ୍ୟୁତଙ୍କର ମଙ୍ଗଳମୟୀ କଥା-ଶ୍ରବଣରେ ଲଗାଇ ରଖିଥିଲେ |

ମୁକୁନ୍ଦଲିଙ୍ଗାଲୟଦର୍ଶନେ ଦୃଶୌ

ତଦ୍ଭୃତ୍ୟଗାତ୍ରସ୍ପର୍ଶେଽଙ୍ଗସଙ୍ଗମମ୍ ।

ଘ୍ରାଣଂ ଚ ତତ୍ପାଦସରୋଜସୌରଭେ

ଶ୍ରୀମତ୍ତୁଲସ୍ୟା ରସନାଂ ତଦର୍ପିତେ ॥ ୧୯॥

ସେ ନିଜର ନେତ୍ରକୁ ମୁକୁନ୍ଦମୂର୍ତ୍ତି ଏବଂ ମନ୍ଦିର ଦର୍ଶନରେ, ଅଙ୍ଗ-ସଙ୍ଗ ଭଗବତ୍-ଭକ୍ତମାନଙ୍କର ଶରୀର-ସ୍ପର୍ଶରେ, ନାସିକା ଭଗବାନଙ୍କ ଚରଣକମଳରେ ଅର୍ପିତ ଶ୍ରୀମତୀ ତୁଳସୀଙ୍କ ଦିବ୍ୟ ଗନ୍ଧରେ ଏବଂ ରସନା ତାଙ୍କ ପ୍ରତି ଅର୍ପିତ ନୈବେଦ୍ୟ-ପ୍ରସାଦରେ ସଂଲଗ୍ନ କରି ଦେଇଥିଲେ |

ପାଦୌ ହରେଃ କ୍ଷେତ୍ରପଦାନୁସର୍ପଣେ

ଶିରୋ ହୃଷୀକେଶପଦାଭିବନ୍ଦନେ ।

କାମଂ ଚ ଦାସ୍ୟେ ନ ତୁ କାମକାମ୍ୟଯା

ଯଥୋତ୍ତମଶ୍ଲୋକଜନାଶ୍ରୟା ରତିଃ ॥ ୨୦॥

ଅମ୍ବରୀଷଙ୍କର ପାଦ ଭଗବାନଙ୍କ କ୍ଷେତ୍ର ଆଦିର ପଦ-ଯାତ୍ରାରେ ସଂଯୁକ୍ତ ରହିଥିଲା ଏବଂ ମସ୍ତକରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣକମଳର ବନ୍ଦନା କରୁଥିଲେ | ରାଜା ଅମ୍ବରୀଷ ମାଳା, ଚନ୍ଦନ ଆଦି ଭୋଗସାମଗ୍ରୀକୁ ଭଗବାନଙ୍କ ସେବାରେ ସମର୍ପିତ କରୁଥିଲେ | ଭୋଗ କରିବାର ଇଚ୍ଛାରେ ନୁହେଁ, ବରଂ ଏଥିପାଇଁ ଯେ ତଦ୍ବାରା ଭଗବତ୍-ପ୍ରେମ ପ୍ରାପ୍ତ ହେବ, ଯାହା ଭଗବାନଙ୍କର ନିଜଜନମାନଙ୍କଠାରେ ହିଁ ନିବାସ କରିଥାଏ |

ଏବଂ ସଦା କର୍ମକଲାପମାତ୍ମନଃ

ପରେଽଧିୟଜ୍ଞେ ଭଗବତ୍ୟଧୋକ୍ଷଜେ ।

ସର୍ୱାତ୍ମଭାବଂ ବିଦଧନ୍ମହୀମିମାଂ

ତନ୍ନିଷ୍ଠବିପ୍ରାଭିହିତଃ ଶଶାସ ହ ॥ ୨୧॥

ଏହିପରି ଭାବରେ ସେ ନିଜର ସମସ୍ତ କର୍ମ ଯଜ୍ଞପୁରୁଷ, ଇନ୍ଦ୍ରିୟାତୀତ ଭଗବାନଙ୍କ ପ୍ରତି, ତାଙ୍କୁ ସର୍ବାତ୍ମା ଏବଂ ସର୍ବସ୍ବରୂପ ଜାଣି, ସମର୍ପିତ କରି ଦେଇଥିଲେ ଏବଂ ଭଗବଦ୍-ଭକ୍ତ ବ୍ରାହ୍ମଣମାନଙ୍କର ଆଜ୍ଞାନୁସାରେ ପୃଥିବୀର ଶାସନ କରୁଥିଲେ |

ଈଜେଽଶ୍ୱମେଧୈରଧିୟଜ୍ଞମୀଶ୍ୱରଂ

ମହାବିଭୂତ୍ୟୋପଚିତାଙ୍ଗଦକ୍ଷିଣୈଃ ।

ତତୈର୍ୱସିଷ୍ଠାସିତଗୌତମାଦିଭି-

ର୍ଧନ୍ୱନ୍ୟଭିସ୍ରୋତମସୌ ସରସ୍ୱତୀମ୍ ॥ ୨୨॥

ସେ ‘ଧନ୍ବ’ ନାମକ ଦେଶରେ, ସରସ୍ବତୀ ନଦୀର ପ୍ରବାହ ସମ୍ମୁଖରେ, ବସିଷ୍ଠ, ଅସିତ, ଗୌତମ ଆଦି ଭିନ୍ନ-ଭିନ୍ନ ଆଚାର୍ଯ୍ୟଙ୍କ ଦ୍ବାରା ମହାନ୍ ଐଶ୍ବର୍ଯ୍ୟ କାରଣରୁ ସର୍ବାଙ୍ଗପରିପୂର୍ଣ୍ଣ, ବହୁଳ ଦକ୍ଷିଣାଯୁକ୍ତ ଅଶ୍ବମେଧ ଯଜ୍ଞ କରି ଯଜ୍ଞାଧିପତି ଭଗବାନଙ୍କର ଆରାଧନା କରିଥିଲେ |

ଯସ୍ୟ କ୍ରତୁଷୁ ଗୀର୍ୱାଣୈଃ ସଦସ୍ୟା ଋତ୍ୱିଜୋ ଜନାଃ ।

ତୁଲ୍ୟରୂପାଶ୍ଚାନିମିଷା ବ୍ୟଦୃଶ୍ୟନ୍ତ ସୁବାସସଃ ॥ ୨୩॥

ତାଙ୍କ ଯଜ୍ଞରେ ଦେବତାମାନଙ୍କ ସହିତ ଯେତେବେଳେ ସଦସ୍ୟ ଏବଂ ଋତ୍ବିଜମାନେ ଉପବେଶନ କରୁଥିଲେ, ସେମାନଙ୍କୁ ଦେଖି ତାଙ୍କ ଆଖିରେ ପଲକ ପଡୁ ନ ଥିଲା ଏବଂ ସେ ସ୍ବୟଂ ନିଜର ସୁନ୍ଦର ବସ୍ତ୍ର ଏବଂ ସେହିପରି ସୁନ୍ଦର ରୂପ କାରଣରୁ ଯଜ୍ଞରେ ଦେବତାମାନଙ୍କ ପରି ଶୋଭା ପାଉଥିଲେ |

ସ୍ୱର୍ଗୋ ନ ପ୍ରାର୍ଥିତୋ ଯସ୍ୟ ମନୁଜୈରମରପ୍ରିୟଃ ।

ଶୃଣ୍ୱଦ୍ଭିରୁପଗାୟଦ୍ଭିରୁତ୍ତମଶ୍ଲୋକଚେଷ୍ଟିତମ୍ ॥ ୨୪॥

ତାଙ୍କର ପ୍ରଜାମାନେ କେତେବେଳେ ଅତିଶୟ ପ୍ରେମରେ ମହାତ୍ମାମାନଙ୍କ ଦ୍ବାରା ଗାନ କରା ଯାଉଥିବା ଭଗବାନଙ୍କର ଉତ୍ତମ ଚରିତର ଶ୍ରବଣ କରୁଥିଲେ ତ କେତେବେଳେ ନିଜେ ମଧ୍ୟ ଗାନ କରୁଥିଲେ | ଏହିପରି ଭାବରେ ତାଙ୍କ ରାଜ୍ୟର ମନୁଷ୍ୟମାନେ ଦେବତାମାନଙ୍କର ଅତି ପ୍ରିୟ ସ୍ବର୍ଗ ମଧ୍ୟ ଇଚ୍ଛା କରୁ ନ ଥିଲେ |

ସମର୍ଦ୍ଧୟନ୍ତି ତାନ୍ କାମାଃ ସ୍ୱାରାଜ୍ୟପରିଭାବିତାଃ ।

ଦୁର୍ଲଭା ନାପି ସିଦ୍ଧାନାଂ ମୁକୁନ୍ଦଂ ହୃଦି ପଶ୍ୟତଃ ॥ ୨୫॥

ସେମାନେ ନିଜ ହୃଦୟରେ ଅନନ୍ତ ପ୍ରେମ ଦାନ କରୁଥିବା ଶ୍ରୀହରିଙ୍କର ନିତ୍ୟ-ନିରନ୍ତର ଦର୍ଶନ କରୁଥିଲେ | ସେଥିପାଇଁ ସେମାନଙ୍କୁ ସେହିସବୁ ଭୋଗ-ସାମଗ୍ରୀ ମଧ୍ୟ ହର୍ଷିତ କରିପାରୁ ନ ଥିଲା, ଯାହା ବଡ-ବଡ ସିଦ୍ଧମାନଙ୍କୁ ମଧ୍ୟ ଦୁର୍ଲଭ ଅଟେ | ନିଜ ଆତ୍ମାନନ୍ଦ ସମ୍ମୁଖରେ ସେମାନଙ୍କ ପାଇଁ ସେହିସବୁ ବସ୍ତୁ ଅତ୍ୟନ୍ତ ତୁଚ୍ଛ ଏବଂ ତିରସ୍କୃତ ଥିଲା |

ସ ଇତ୍ଥଂ ଭକ୍ତିୟୋଗେନ ତପୋୟୁକ୍ତେନ ପାର୍ଥିବଃ ।

ସ୍ୱଧର୍ମେଣ ହରିଂ ପ୍ରୀଣନ୍ ସଙ୍ଗାନ୍ ସର୍ୱାନ୍ ଶନୈର୍ଜହୌ ॥ ୨୬॥

ଏହିରୂପେ ରାଜା ଅମ୍ବରୀଷ ତପସ୍ୟା-ଯୁକ୍ତ ଭକ୍ତିଯୋଗ ଏବଂ ପ୍ରଜାପାଳନରୂପ ସ୍ବଧର୍ମ ଦ୍ବାରା ଭଗବାନଙ୍କୁ ପ୍ରସନ୍ନ କରିବାରେ ଲାଗିଲେ ଏବଂ ଧୀରେ ଧୀରେ ସେ ସବୁ ପ୍ରକାରର ଆସକ୍ତିକୁ ମଧ୍ୟ ପରିତ୍ୟାଗ କରିଦେଲେ |

ଗୃହେଷୁ ଦାରେଷୁ ସୁତେଷୁ ବନ୍ଧୁଷୁ

ଦ୍ୱିପୋତ୍ତମସ୍ୟନ୍ଦନବାଜିବସ୍ତୁଷୁ ।

ଅକ୍ଷୟ୍ୟରତ୍ନାଭରଣାୟୁଧାଦି-

ଷ୍ୱନନ୍ତକୋଶେଷ୍ୱକରୋଦସନ୍ମତିମ୍ ॥ ୨୭॥

ଘର, ସ୍ତ୍ରୀ, ପୁତ୍ର, ଭାଈ-ବନ୍ଧୁ, ବଡ-ବଡ ହାତୀ, ରଥ, ଘୋଡା ଏବଂ ପଦାତିକ ଚତୁରଙ୍ଗିଣୀ ସେନା, ଅକ୍ଷୟ ରତ୍ନ, ଆଭୂଷଣ ଏବଂ ଆୟୁଧ ଆଦି ସମସ୍ତ ବସ୍ତୁ ତଥା ଅସରନ୍ତି କୋଷ ସମ୍ବନ୍ଧରେ ତାଙ୍କର ଏହା ଦୃଢ ନିଶ୍ଚୟ ଥିଲା ଯେ ଏସବୁ ଅସତ୍ୟ ଅଟେ |

ତସ୍ମା ଅଦାଦ୍ଧରିଶ୍ଚକ୍ରଂ ପ୍ରତ୍ୟନୀକଭୟାବହମ୍ ।

ଏକାନ୍ତଭକ୍ତିଭାବେନ ପ୍ରୀତୋ ଭୃତ୍ୟାଭିରକ୍ଷଣମ୍ ॥ ୨୮॥

ତାଙ୍କର ଅନନ୍ୟ ପ୍ରେମମୟୀ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ତାଙ୍କର ସୁରକ୍ଷା ଦାୟୀତ୍ବରେ ସୁଦର୍ଶନ ଚକ୍ରକୁ ନିଯୁକ୍ତ କରି ଦେଇଥିଲେ, ଯିଏ ବିରୋଧୀମାନଙ୍କୁ ଭୟଭୀତ କରିବା ସହିତ ଭଗବଦ୍-ଭକ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥାଏ |

ଆରିରାଧୟିଷୁଃ କୃଷ୍ଣଂ ମହିଷ୍ୟା ତୁଲ୍ୟଶୀଲୟା ।

ଯୁକ୍ତଃ ସାଂବତ୍ସରଂ ବୀରୋ ଦଧାର ଦ୍ୱାଦଶୀବ୍ରତମ୍ ॥ ୨୯॥

ରାଜା ଅମ୍ବରୀଷଙ୍କର ଧର୍ମପତ୍ନୀ ମଧ୍ୟ ତାଙ୍କ ପରି ଧର୍ମଶୀଳ, ସଂସାର ପ୍ରତି ବିରକ୍ତ ଏବଂ ଭକ୍ତିପରାୟଣା ଥିଲେ | ଥରେ ରାଜା ନିଜ ପତ୍ନୀଙ୍କ ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ଆରାଧନା କରିବା ଅଭିପ୍ରାୟରେ ଏକ ବର୍ଷ ଦ୍ବାଦଶୀପ୍ରଧାନ ଏକାଦଶୀ-ବ୍ରତ କରିବାର ନିୟମ ଗ୍ରହଣ କଲେ |

ବ୍ରତାନ୍ତେ କାର୍ତିକେ ମାସି ତ୍ରିରାତ୍ରଂ ସମୁପୋଷିତଃ ।

ସ୍ନାତଃ କଦାଚିତ୍କାଲିନ୍ଦ୍ୟାଂ ହରିଂ ମଧୁବନେଽର୍ଚୟତ୍ ॥ ୩୦॥

ବ୍ରତର ସମାପ୍ତିରେ କାର୍ତ୍ତିକ ମାସରେ ସେ ତିନି ରାତି ଉପବାସ କଲେ ଏବଂ ଦିନରେ ଯମୁନା ନଦୀରେ ସ୍ନାନ କରି ମଧୁବନରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କଲେ |

ମହାଭିଷେକବିଧିନା ସର୍ୱୋପସ୍କରସମ୍ପଦା ।

ଅଭିଷିଚ୍ୟାମ୍ବରାକଲ୍ପୈର୍ଗନ୍ଧମାଲ୍ୟାର୍ହଣାଦିଭିଃ ॥ ୩୧॥

ତଦ୍ଗତାନ୍ତରଭାବେନ ପୂଜୟାମାସ କେଶବମ୍ ।

ବ୍ରାହ୍ମଣାଂଶ୍ଚ ମହାଭାଗାନ୍ ସିଦ୍ଧାର୍ଥାନପି ଭକ୍ତିତଃ ॥ ୩୨॥

ଗବାଂ ରୁକ୍ମବିଷାଣୀନାଂ ରୂପ୍ୟାଙ୍ଘ୍ରୀଣାଂ ସୁବାସସାମ୍ ।

ପୟଃଶୀଲବୟୋରୂପବତ୍ସୋପସ୍କରସମ୍ପଦାମ୍ ॥ ୩୩॥

ପ୍ରାହିଣୋତ୍ସାଧୁବିପ୍ରେଭ୍ୟୋ ଗୃହେଷୁ ନ୍ୟର୍ବୁଦାନି ଷଟ୍ ।

ଭୋଜୟିତ୍ୱା ଦ୍ୱିଜାନଗ୍ରେ ସ୍ୱାଦ୍ୱନ୍ନଂ ଗୁଣବତ୍ତମମ୍ ॥ ୩୪॥

ମହାଭିଷେକ ବିଧିରେ ସେ ସବୁ ପ୍ରକାରର ସାମଗ୍ରୀ ଏବଂ ସମ୍ପତ୍ତି ଦ୍ବାରା ଭଗବାନଙ୍କର ଅଭିଷେକ କଲେ ଏବଂ ତନ୍ମୟ ହୃଦୟରେ ବସ୍ତ୍ର, ଆଭୂଷଣ, ଚନ୍ଦନ, ମାଳା ଏବଂ ଅର୍ଘ୍ୟ ଆଦି ଦ୍ବାରା ତାଙ୍କର ପୂଜା କଲେ | ଯଦିଓ ମହାଭାଗ୍ୟବାନ ବ୍ରାହ୍ମଣମାନଙ୍କର ଏହି ପୂଜାରେ କୌଣସି ଆବଶ୍ୟକତା ନ ଥିଲା, ସ୍ବତଃ ସେମାନଙ୍କର ସବୁ କାମନାର ପୂର୍ତ୍ତି ହୋଇ ଯାଇଥିଲା – ସେମାନେ ସିଦ୍ଧ ଥିଲେ – ତଥାପି ରାଜା ଅମ୍ବରୀଷ ଭକ୍ତିଭାବରେ ସେମାନଙ୍କର ପୂଜନ କଲେ | ତତ୍ପଶ୍ଚାତ୍ ପ୍ରଥମେ ବ୍ରାହ୍ମଣମାନଙ୍କୁ ସ୍ବାଦିଷ୍ଟ ଏବଂ ଅତ୍ୟନ୍ତ ଗୁଣକାରୀ ଭୋଜନ କରାଇ ସେମାନଙ୍କ ଘରକୁ ଷାଠିଏ କୋଟି ଗାଈ ସୁସଜ୍ଜିତ କରି ପ୍ରେରଣ କଲେ | ସେହି ଗାଈମାନଙ୍କର ଶିଂଘ ସୁବର୍ଣ୍ଣ ଏବଂ ଖୁରା ରୂପାରେ ଛାଉଣି ହୋଇଥିଲା | ସେମାନଙ୍କ ଉପରେ ସୁନ୍ଦର-ସୁନ୍ଦର ବସ୍ତ୍ର ଆଚ୍ଛାଦିତ ଥିଲା | ସବୁ ଗାଈ ଅତ୍ୟନ୍ତ ସୁଶୀଳ, ଅଳ୍ପ ବୟସର, ଦେଖିବାକୁ ସୁନ୍ଦର, ଦୁହାଁଳି ଏବଂ ଖୁବ୍ ବେଶୀ କ୍ଷୀର ଦେଉଥିଲେ | ସେମାନଙ୍କ ସହିତ ରାଜା ସବୁ ପ୍ରକାରର ଦୋହନ-ସାମଗ୍ରୀ ମଧ୍ୟ ଦେଇଥିଲେ |

ଲବ୍ଧକାମୈରନୁଜ୍ଞାତଃ ପାରଣାୟୋପଚକ୍ରମେ ।

ତସ୍ୟ ତର୍ହ୍ୟତିଥିଃ ସାକ୍ଷାଦ୍ଦୁର୍ୱାସା ଭଗବାନଭୂତ୍ ॥ ୩୫॥

ବ୍ରାହ୍ମଣମାନଙ୍କୁ ସବୁକିଛି ମିଳିଯିବା ପରେ ରାଜା ସେମାନଙ୍କର ଅନୁମତି ନେଇ ବ୍ରତ ପାରଣ କରିବାର ପ୍ରସ୍ତୁତି କଲେ | ଏତିକିବେଳେ ଶାପ ଏବଂ ବରଦାନ ଦେବାରେ ସମର୍ଥ ସ୍ବୟଂ ଦୁର୍ବାସା ମୁନି ଅତିଥି ଭାବରେ ସେଠାରେ ଆସି ଉପସ୍ଥିତ ହେଲେ |

ତମାନର୍ଚାତିଥିଂ ଭୂପଃ ପ୍ରତ୍ୟୁତ୍ଥାନାସନାର୍ହଣୈଃ ।

ଯୟାଚେଽଭ୍ୟବହାରାୟ ପାଦମୂଲମୁପାଗତଃ ॥ ୩୬॥

ତାଙ୍କୁ ଦେଖିବା ମାତ୍ରେ ରାଜା ଅମ୍ବରୀଷ ଉଠି ଠିଆ ହୋଇଗଲେ, ଆସନ ଦାନ କରି ତାଙ୍କୁ ବସାଇଲେ ଏବଂ ବିବିଧ ସାମଗ୍ରୀ ଦ୍ବାରା ଅତିଥିରୂପରେ ଆଗମନ କରିଥିବା ଦୁର୍ବାସା ମୁନିଙ୍କର ପୂଜା କଲେ | ତାଙ୍କ ଚରଣରେ ପ୍ରଣାମ କରି ଅମ୍ବରୀଷ ତାଙ୍କୁ ଭୋଜନ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କଲେ |

ପ୍ରତିନନ୍ଦ୍ୟ ସ ତଦ୍ୟାଚ୍ଞାଂ କର୍ତୁମାବଶ୍ୟକଂ ଗତଃ ।

ନିମମଜ୍ଜ ବୃହଦ୍ଧ୍ୟାୟନ୍ କାଲିନ୍ଦୀସଲିଲେ ଶୁଭେ ॥ ୩୭॥

ଦୁର୍ବାସା ମୁନି ଅମ୍ବରୀଷଙ୍କର ପ୍ରାର୍ଥନା ସ୍ବୀକାର କଲେ | ଏହାପରେ ସେ ଆବଶ୍ୟକ କର୍ମରୁ ନିବୃତ୍ତ ହେବା ନିମନ୍ତେ ନଦୀତଟକୁ ଚାଲିଗଲେ | ବ୍ରହ୍ମଙ୍କର ଧ୍ୟାନ କରି ସେ ଯମୁନାର ପବିତ୍ର ଜଳରେ ସ୍ନାନ କରିବାରେ ଲାଗିଲେ |

ମୁହୂର୍ତାର୍ଧାବଶିଷ୍ଟାୟାଂ ଦ୍ୱାଦଶ୍ୟାଂ ପାରଣଂ ପ୍ରତି ।

ଚିନ୍ତୟାମାସ ଧର୍ମଜ୍ଞୋ ଦ୍ୱିଜୈସ୍ତଦ୍ଧର୍ମସଙ୍କଟେ ॥ ୩୮॥

ଏଣେ ଦ୍ବାଦଶୀ ସମାପ୍ତ ହେବାକୁ ଆଉ ମାତ୍ର ଏକ ଘଡି ବାକି ରହିଥାଏ | ଧର୍ମଜ୍ଞ ଅମ୍ବରୀଷ ଧର୍ମ-ସଂକଟରେ ପଡି ବ୍ରାହ୍ମଣମାନଙ୍କ ସହିତ ପରାମର୍ଶ କଲେ |

ବ୍ରାହ୍ମଣାତିକ୍ରମେ ଦୋଷୋ ଦ୍ୱାଦଶ୍ୟାଂ ଯଦପାରଣେ ।

ଯତ୍କୃତ୍ୱା ସାଧୁ ମେ ଭୂୟାଦଧର୍ମୋ ବା ନ ମାଂ ସ୍ପୃଶେତ୍ ॥ ୩୯॥

ସେ କହିଲେ – ହେ ବ୍ରାହ୍ମଣଦେବତା ! ଅତିଥି ବ୍ରାହ୍ମଣଙ୍କୁ ଭୋଜନ ଦାନ ନ କରି ସ୍ବୟଂ ଭୋଜନ କରିବା ଏବଂ ଦ୍ବାଦଶୀ ତିଥି ରହିଥିବା ସମୟରେ ବ୍ରତପାରଣ ନ କରିବା – ଉଭୟ ଦୋଷ ରୂପେ ପରିଗଣିତ ଅଟେ | ତେଣୁ ଏହି ସମୟରେ ଯାହା କରିବା ମୋ ପାଇଁ ହିତକର ହେବ, ମୋତେ ପାପ ସ୍ପର୍ଶ କରିବ ନାହିଁ, ମୁଁ ତାହା କରିବା ବିଧେୟ |

ଅମ୍ଭସା କେବଲେନାଥ କରିଷ୍ୟେ ବ୍ରତପାରଣମ୍ ।

ପ୍ରାହୁରବ୍ଭକ୍ଷଣଂ ବିପ୍ରା ହ୍ୟଶିତଂ ନାଶିତଂ ଚ ତତ୍ ॥ ୪୦॥

ତାପରେ ବ୍ରାହ୍ମଣମାନଙ୍କ ସହିତ ବିଚାର-ବିମର୍ଷ କରି ସେ କହିଲେ – ଶ୍ରୁତିର କଥନ ଅନୁଯାୟୀ, ଜଳ ପାନ କରିବାକୁ ଗୋଟିଏ ଦୃଷ୍ଟିରେ ଭୋଜନ କୁହାଯିବ ଏବଂ ଅନ୍ୟ ଦୃଷ୍ଟିରେ ଭୋଜନ କୁହାଯିବ ନାହିଁ | ତେଣୁ ଏହି ସମୟରେ ମୁଁ କେବଳ ଜଳ ଦ୍ବାରା ପାରଣ କରିନେଉଛି |

ଇତ୍ୟପଃ ପ୍ରାଶ୍ୟ ରାଜର୍ଷିଶ୍ଚିନ୍ତୟନ୍ ମନସାଚ୍ୟୁତମ୍ ।

ପ୍ରତ୍ୟଚଷ୍ଟ କୁରୁଶ୍ରେଷ୍ଠ ଦ୍ୱିଜାଗମନମେବ ସଃ ॥ ୪୧॥

ଏପରି ନିଶ୍ଚୟ କରି, ମନେ-ମନେ ଭଗବାନଙ୍କର ସ୍ମରଣ କରି, ରାଜର୍ଷି ଅମ୍ବରୀଷ ଜଳ ପାନ କଲେ | ପରୀକ୍ଷିତ ! ଏହାପରେ ସେ କେବଳ ଦୁର୍ବାସାଙ୍କ ପ୍ରତୀକ୍ଷାରେ ବସିରହିଲେ |

ଦୁର୍ୱାସା ଯମୁନାକୂଲାତ୍କୃତାବଶ୍ୟକ ଆଗତଃ ।

ରାଜ୍ଞାଭିନନ୍ଦିତସ୍ତସ୍ୟ ବୁବୁଧେ ଚେଷ୍ଟିତଂ ଧିୟା ॥ ୪୨॥

ଆବଶ୍ୟକ କର୍ମରୁ ନିବୃତ୍ତ ହୋଇ ଦୁର୍ବାସା ମୁନି ଯମୁନାତଟରୁ ଫେରି ଆସିଲେ | ରାଜା ଯେତେବେଳେ ଆଗକୁ ଯାଇ ତାଙ୍କର ଅଭିନନ୍ଦନ କଲେ, ସେତେବେଳେ ଅନୁମାନ କରି ସେ ଜାଣିନେଲେ ଯେ ରାଜା ଦ୍ବାଦଶୀର ପାରଣ କରି ସାରିଛନ୍ତି |

ମନ୍ୟୁନା ପ୍ରଚଲଦ୍ଗାତ୍ରୋ ଭ୍ରୁକୁଟୀକୁଟିଲାନନଃ ।

ବୁଭୁକ୍ଷିତଶ୍ଚ ସୁତରାଂ କୃତାଞ୍ଜଲିମଭାଷତ ॥ ୪୩॥

ସେତେବେଳେ ଦୁର୍ବାସା ମୁନି ଅତ୍ୟନ୍ତ କ୍ଷୁଧାର୍ତ୍ତ ଥିଲେ | ରାଜା ପାରଣ କରି ସାରିଛନ୍ତି, ଏହା ଜାଣି କ୍ରୋଧରେ ତାଙ୍କର ଶରୀର ଥର-ଥର ପ୍ରକମ୍ପିତ ହେବାରେ ଲାଗିଲା | ଭ୍ରୁକୁଟି ଉତ୍ତୋଳିତ ହୋଇ ତାଙ୍କର ମୁଖ ବିକଟ ଦେଖାଗଲା | ଅଞ୍ଜଳି ବାନ୍ଧି ପାଖରେ ଠିଆ ହୋଇଥିବା ଅମ୍ବରୀଷଙ୍କୁ ସେ ଭର୍ତ୍ସନା କରି କହିଲେ -

ଅହୋ ଅସ୍ୟ ନୃଶଂସସ୍ୟ ଶ୍ରିୟୋନ୍ମତ୍ତସ୍ୟ ପଶ୍ୟତ ।

ଧର୍ମବ୍ୟତିକ୍ରମଂ ବିଷ୍ଣୋରଭକ୍ତସ୍ୟେଶମାନିନଃ ॥ ୪୪॥

‘ଦେଖ ତ, ଇଏ କେତେ ବେଶୀ କ୍ରୂର ଅଟେ ! ଧନର ମଦରେ ଇଏ ଉନ୍ମତ୍ତ ରହିଛି | ଭଗବାନଙ୍କର ଭକ୍ତି ଲେଶମାତ୍ର ଏହାଠାରେ ନାହିଁ, ଅଥଚ ନିଜକୁ ଇଏ ବହୁତ ବେଶୀ ସମର୍ଥ ମନେକରୁଛି | ଆଜି ଇଏ ଧର୍ମର ଉଲ୍ଲଂଘନ କରି ବହୁତ ବଡ ଅନ୍ୟାୟ କରିଛି |

ଯୋ ମାମତିଥିମାୟାତମାତିଥ୍ୟେନ ନିମନ୍ତ୍ର୍ୟ ଚ ।

ଅଦତ୍ତ୍ୱା ଭୁକ୍ତବାଂସ୍ତସ୍ୟ ସଦ୍ୟସ୍ତେ ଦର୍ଶୟେ ଫଲମ୍ ॥ ୪୫॥

ଦେଖ, ମୁଁ ଏହାର ଅତିଥି ଭାବରେ ଆସିଛି | ଅତିଥି-ସତ୍କାର ଉଦ୍ଦେଶ୍ୟରେ ଇଏ ମୋତେ ନିମନ୍ତ୍ରଣ ମଧ୍ୟ କରିଥିଲା; କିନ୍ତୁ ମୋତେ ଭୋଜନ କରାଇବା ପୂର୍ବରୁ ଇଏ ଭୋଜନ ଗ୍ରହଣ କରିନେଲା | ଏବେ ଦେଖ, ତାହାର ଫଳ ମୁଁ ଏହାକୁ ଚଖାଉଛି |’

ଏବଂ ବ୍ରୁବାଣ ଉତ୍କୃତ୍ୟ ଜଟାଂ ରୋଷବିଦୀପିତଃ ।

ତୟା ସ ନିର୍ମମେ ତସ୍ମୈ କୃତ୍ୟାଂ କାଲାନଲୋପମାମ୍ ॥ ୪୬॥

ଏପରି କହି-କହି ସେ କ୍ରୋଧରେ ଜଳିବାରେ ଲାଗିଲେ | କ୍ରୋଧାବେଶରେ ନିଜର ଏକ ଜଟ ଉପାଡି, ଅମ୍ବରୀଷଙ୍କୁ ମାରିବା ଉଦ୍ଦେଶ୍ୟରେ ତହିଁରୁ ଏକ କୃତ୍ୟ ଉତ୍ପନ୍ନ କଲେ | ପ୍ରଳୟକାଳୀନ ଅଗ୍ନି ପରି ତାହା ଦହକିବାରେ ଲାଗିଥିଲା |

ତାମାପତନ୍ତୀଂ ଜ୍ୱଲତୀମସିହସ୍ତାଂ ପଦା ଭୁବମ୍ ।

ବେପୟନ୍ତୀଂ ସମୁଦ୍ୱୀକ୍ଷ୍ୟ ନ ଚଚାଲ ପଦାନ୍ନୃପଃ ॥ ୪୭॥

ପ୍ରଜ୍ବଳିତ ଅଗ୍ନି ପରି ଦେଖା ଯାଉଥିବା ସେହି କୃତ୍ୟ ହାତରେ ତରବାରୀ ଧରି ରାଜା ଅମ୍ବରୀଷଙ୍କ ଉପରକୁ ଲମ୍ପ ଦେଲା | ସେହି ସମୟରେ ତାର ପଦପାତରେ ପୃଥିବୀ ଥରି ଉଠିଲା, କିନ୍ତୁ ରାଜା ଅମ୍ବରୀଷ ତାକୁ ଦେଖି କିଂଚିତ୍ ବି ବିଚଳିତ ହେଲେ ନାହିଁ | ସେ ଗୋଟିଏ ପାଦ ବି ପଛକୁ ନ ଘୁଞ୍ଚି ଯେଉଁଠି-ସେଇଠି ଠିଆ ହୋଇ ରହିଲେ |

ପ୍ରାଗ୍ଦିଷ୍ଟଂ ଭୃତ୍ୟରକ୍ଷାୟାଂ ପୁରୁଷେଣ ମହାତ୍ମନା ।

ଦଦାହ କୃତ୍ୟାଂ ତାଂ ଚକ୍ରଂ କ୍ରୁଦ୍ଧାହିମିବ ପାବକଃ ॥ ୪୮॥

ନିଜ ସେବକର ରକ୍ଷା ନିମନ୍ତେ ପରମପୁରୁଷ ପରମାତ୍ମା ବହୁ ପୂର୍ବରୁ ହିଁ ସୁଦର୍ଶନ ଚକ୍ରକୁ ନିଯୁକ୍ତ କରି ରଖିଥିଲେ | କ୍ରୋଧରେ ଫୁତ୍କାର କରୁଥିବା ସର୍ପକୁ ଅଗ୍ନି ଜାଳି ଭସ୍ମ କରିଦେବା ପରି, ଦୁର୍ବାସାଙ୍କର କୃତ୍ୟକୁ ସୁଦର୍ଶନ ଚକ୍ର ନିମିଷକରେ ଜାଳି ଭସ୍ମ କରିଦେଲା |

ତଦଭିଦ୍ରବଦୁଦ୍ୱୀକ୍ଷ୍ୟ ସ୍ୱପ୍ରୟାସଂ ଚ ନିଷ୍ଫଲମ୍ ।

ଦୁର୍ୱାସା ଦୁଦ୍ରୁବେ ଭୀତୋ ଦିକ୍ଷୁ ପ୍ରାଣପରୀପ୍ସୟା ॥ ୪୯॥

ଦୁର୍ବାସା ଦେଖିଲେ ଯେ ତାଙ୍କ ଦ୍ବାରା ଉତ୍ପନ୍ନ କୃତ୍ୟକୁ ଭସ୍ମ କରିବା ପରେ ଚକ୍ର ଏବେ ତାଙ୍କ ଅଭିମୁଖରେ ଧାଇଁ ଆସୁଛି | ଭୟଭୀତ ହୋଇ ସେ ନିଜର ପ୍ରାଣରକ୍ଷା ଉଦ୍ଦେଶ୍ୟରେ ସେଠାରୁ ଧାଇଁ ପଳାଇଲେ |

ତମନ୍ୱଧାବଦ୍ଭଗବଦ୍ରଥାଙ୍ଗଂ

ଦାବାଗ୍ନିରୁଦ୍ଧୂତଶିଖୋ ଯଥାହିମ୍ ।

ତଥାନୁଷକ୍ତଂ ମୁନିରୀକ୍ଷମାଣୋ

ଗୁହାଂ ବିବିକ୍ଷୁଃ ପ୍ରସସାର ମେରୋଃ ॥ ୫୦॥

ଲେଲିହାନ ଶିଖା ଉତ୍ପନ୍ନ କରି ଦାବାନଳ ସର୍ପର ଅନୁଧାବନ କରିବା ପରି ଭଗବାନଙ୍କର ଚକ୍ର ଦୁର୍ବାସାଙ୍କର ଅନୁଧାବନ କରିବାରେ ଲାଗିଲା | ଦୁର୍ବାସା ଯେତେବେଳେ ଦେଖିଲେ ଯେ ଚକ୍ର ତାଙ୍କର ପିଛା ଛାଡୁନାହିଁ, ସେତେବେଳେ ସୁମେରୁ ପର୍ବତର ଗୁମ୍ପାରେ ପ୍ରବେଶ କରି ପ୍ରାଣରକ୍ଷା କରିବା ପାଇଁ ସେ ଉତ୍ତର ଦିଗରେ ଧାଇଁଲେ |

ଦିଶୋ ନଭଃ କ୍ଷ୍ମାଂ ବିବରାନ୍ ସମୁଦ୍ରାନ୍

ଲୋକାନ୍ ସପାଲାଂସ୍ତ୍ରିଦିବଂ ଗତଃ ସଃ ।

ଯତୋ ଯତୋ ଧାବତି ତତ୍ର ତତ୍ର

ସୁଦର୍ଶନଂ ଦୁଷ୍ପ୍ରସହଂ ଦଦର୍ଶ ॥ ୫୧॥

ଏହିପରି ଭାବରେ ଦୁର୍ବାସା ମୁନି ସମସ୍ତ ଦିଶା, ଆକାଶ, ପୃଥିବୀ, ଅଟଳ-ବିତଳ ଆଦି ନିମ୍ନଲୋକ, ସମୁଦ୍ର, ଲୋକପାଳମାନଙ୍କ ଦ୍ବାରା ସୁରକ୍ଷିତ ସମସ୍ତ ଲୋକ, ଏପରିକି ସ୍ବର୍ଗଲୋକ ପର୍ଯ୍ୟନ୍ତ ଧାଇଁଗଲେ | କିନ୍ତୁ ଯେଉଁଠିକୁ ସେ ଗଲେ, ସେଠାରେ ସେ ଦେଖିବାକୁ ପାଇଲେ ଯେ ଅସହ୍ୟ ତେଜବିଶିଷ୍ଟ ସୁଦର୍ଶନ ଚକ୍ର ତାଙ୍କର ପଶ୍ଚାତ୍ ଧାବନ କରୁଛି |

ଅଲବ୍ଧନାଥଃ ସ ଯଦା କୁତଶ୍ଚିତ୍

ସନ୍ତ୍ରସ୍ତଚିତ୍ତୋଽରଣମେଷମାଣଃ ।

ଦେବଂ ବିରିଞ୍ଚଂ ସମଗାଦ୍ୱିଧାତ-

ସ୍ତ୍ରାହ୍ୟାତ୍ମୟୋନେଽଜିତତେଜସୋ ମାମ୍ ॥ ୫୨॥

କେଉଁଠାରେ ବି ଯେତେବେଳେ ତାଙ୍କୁ କେହି ରକ୍ଷକ ମିଳିଲେ ନାହିଁ, ସେତେବେଳେ ସେ ବହୁତ ଡରିଗଲେ | ନିଜ ପାଇଁ ରକ୍ଷକର ଅନ୍ବେଷଣରେ ସେ ଦେବଶିରୋମଣି ବ୍ରହ୍ମାଙ୍କ ପାଖକୁ ଯାଇ କହିଲେ – ହେ ବ୍ରହ୍ମା ! ଆପଣ ସ୍ବୟମ୍ଭୂ ଅଟନ୍ତି | ଭଗବାନଙ୍କର ଏହି ତେଜୋମୟ ଚକ୍ର କବଳରୁ ଆପଣ ମୋତେ ରକ୍ଷା କରନ୍ତୁ |

ବ୍ରହ୍ମୋବାଚ

ସ୍ଥାନଂ ମଦୀୟଂ ସହବିଶ୍ୱମେତ-

ତ୍କ୍ରୀଡାବସାନେ ଦ୍ୱିପରାର୍ଧସଞ୍ଜ୍ଞେ ।

ଭ୍ରୂଭଙ୍ଗମାତ୍ରେଣ ହି ସନ୍ଦିଧକ୍ଷୋଃ

କାଲାତ୍ମନୋ ଯସ୍ୟ ତିରୋଭବିଷ୍ୟତି ॥ ୫୩॥

ବ୍ରହ୍ମା କହିଲେ – ମୋର ଦୁଇ ପରାର୍ଧବିଶିଷ୍ଟ ଆୟୁ ଯେତେବେଳେ ସମାପ୍ତ ହୋଇଯିବ ଏବଂ କାଳସ୍ବରୂପ ଭଗବାନ ନିଜର ସୃଷ୍ଟିଲୀଳାକୁ ଏକତ୍ରିତ କରି ଜଗତକୁ ଜଳାଇବାକୁ ଇଚ୍ଛା କରିବେ, ସେତେବେଳେ ତାଙ୍କର ଭ୍ରୁକୁଞ୍ଚନମାତ୍ରେ ସାରା ସଂସାର ସହିତ ମୋର ଏହି ଲୋକ ମଧ୍ୟ ଲୀନ ହୋଇଯିବ |

ଅହଂ ଭବୋ ଦକ୍ଷଭୃଗୁପ୍ରଧାନାଃ

ପ୍ରଜେଶଭୂତେଶସୁରେଶମୁଖ୍ୟାଃ ।

ସର୍ୱେ ବୟଂ ଯନ୍ନିୟମଂ ପ୍ରପନ୍ନାଃ

ମୂର୍ଧ୍ନ୍ୟର୍ପିତଂ ଲୋକହିତଂ ବହାମଃ ॥ ୫୪॥

ଯାହାର ନିୟମରେ ବନ୍ଧା ହୋଇ ତଥା ଯାହାର ଆଜ୍ଞା ଶିରୋଧାର୍ଯ୍ୟ କରି ମୁଁ, ଶଂକର, ଦକ୍ଷ-ଭୃଗୁ ଆଦି ପ୍ରଜାପତି, ଦେବେଶ୍ବର, ଭୂତେଶ୍ବର ଆଦି ଏହି ସଂସାରର ହିତ କରିଥାଉ, (ତାଙ୍କର ଭକ୍ତଦ୍ରୋହୀକୁ ରକ୍ଷା କରିବାକୁ ଆମ୍ଭେମାନେ ସମର୍ଥ ନୋହୁଁ |)

ପ୍ରତ୍ୟାଖ୍ୟାତୋ ବିରିଞ୍ଚେନ ବିଷ୍ଣୁଚକ୍ରୋପତାପିତଃ ।

ଦୁର୍ୱାସାଃ ଶରଣଂ ଯାତଃ ଶର୍ୱଂ କୈଲାସବାସିନମ୍ ॥ ୫୫॥

ବ୍ରହ୍ମାଜୀଙ୍କର ଏପରି ନୈରାଶ୍ୟପୂର୍ଣ୍ଣ ବାଣୀ ଶୁଣି, ଭଗବାନଙ୍କ ଚକ୍ର ଦ୍ବାରା ସଂତପ୍ତ ଦୁର୍ବାସା ମୁନି କୈଳାଶବାସୀ ଭଗବାନ ଶଂକରଙ୍କ ଶରଣରେ ଗଲେ |

ଶ୍ରୀରୁଦ୍ର ଉବାଚ

ବୟଂ ନ ତାତ ପ୍ରଭବାମ ଭୂମ୍ନି

ଯସ୍ମିନ୍ ପରେଽନ୍ୟେଽପ୍ୟଜଜୀବକୋଶାଃ ।

ଭବନ୍ତି କାଲେ ନ ଭବନ୍ତି ହୀଦୃଶାଃ

ସହସ୍ରଶୋ ଯତ୍ର ବୟଂ ଭ୍ରମାମଃ ॥ ୫୬॥

ଶ୍ରୀମହାଦେବ କହିଲେ -  ହେ ଦୁର୍ବାସା ! ଯେଉଁ ଅନନ୍ତ ପରମେଶ୍ବରଙ୍କ ମଧ୍ୟରେ ବ୍ରହ୍ମାଙ୍କ ପରି ଜୀବ ଏବଂ ତାଙ୍କର ଉପାଧିଭୂତ କୋଶ ଏହି ବ୍ରହ୍ମାଣ୍ଡ ପରି ଅନେକ ବ୍ରହ୍ମାଣ୍ଡ ଉତ୍ପନ୍ନ ହୋଇଥାଆନ୍ତି ଏବଂ ସମୟ ଆସିଲେ ସେମାନଙ୍କର ସତ୍ତା ମଧ୍ୟ ରହେନାହିଁ, ଆମ୍ଭମାନଙ୍କ ପରି ହଜାର-ହଜାର ବିଭୂତି ଯାହା ମଧ୍ୟରେ ଘୂରି ବୁଲୁଥାଆନ୍ତି – ସେହି ପ୍ରଭୁଙ୍କ ସମ୍ବନ୍ଧିତ କିଛି କରିବାର ସାମର୍ଥ୍ୟ ଆମ୍ଭମାନଙ୍କର ନାହିଁ |

ଅହଂ ସନତ୍କୁମାରଶ୍ଚ ନାରଦୋ ଭଗବାନଜଃ ।

କପିଲୋଽପାନ୍ତରତମୋ ଦେବଲୋ ଧର୍ମ ଆସୁରିଃ ॥ ୫୭॥

ମରୀଚିପ୍ରମୁଖାଶ୍ଚାନ୍ୟେ ସିଦ୍ଧେଶାଃ ପାରଦର୍ଶନାଃ ।

ବିଦାମ ନ ବୟଂ ସର୍ୱେ ଯନ୍ମାୟାଂ ମାୟଯାବୃତାଃ ॥ ୫୮॥

ମୁଁ, ସନତ୍-କୁମାର, ନାରଦ, ଭଗବାନ ବ୍ରହ୍ମା, କପିଳଦେବ, ଦେବଳ, ଆସୁରୀ ତଥା ମରୀଚି ଆଦି ଅନ୍ୟ ସର୍ବଜ୍ଞ ସିଦ୍ଧେଶ୍ବର – ଆମ୍ଭମାନଙ୍କ ମଧ୍ୟରୁ କେହି ମଧ୍ୟ ଭଗବାନଙ୍କର ମାୟାକୁ ଜାଣିପାରନ୍ତି ନାହିଁ | କାରଣ ଆମେ ସମସ୍ତେ ତାଙ୍କ ମାୟାର ଘେରରେ ଆବଦ୍ଧ ରହିଛୁ |

ତସ୍ୟ ବିଶ୍ୱେଶ୍ୱରସ୍ୟେଦଂ ଶସ୍ତ୍ରଂ ଦୁର୍ୱିଷହଂ ହି ନଃ ।

ତମେବଂ ଶରଣଂ ଯାହି ହରିସ୍ତେ ଶଂ ବିଧାସ୍ୟତି ॥ ୫୯॥

ଏହି ଚକ୍ର ସେହି ବିଶ୍ବେଶ୍ବରଙ୍କର ଶସ୍ତ୍ର ଅଟେ | ଏହା ଆମ୍ଭମାନଙ୍କ ପାଇଁ ମଧ୍ୟ ଅସହ୍ୟ ଅଟେ | ତୁମେ ତାଙ୍କ ଶରଣରେ ଯାଅ; ସେହି ଭଗବାନ ହିଁ ତୁମର ମଙ୍ଗଳ କରିବେ |

ତତୋ ନିରାଶୋ ଦୁର୍ୱାସାଃ ପଦଂ ଭଗବତୋ ଯୟୌ ।

ବୈକୁଣ୍ଠାଖ୍ୟଂ ଯଦଧ୍ୟାସ୍ତେ ଶ୍ରୀନିବାସଃ ଶ୍ରିୟା ସହ ॥ ୬୦॥

ସେଠାରୁ ମଧ୍ୟ ନିରାଶ ହୋଇ ଦୁର୍ବାସା ଭଗବାନଙ୍କର ପରମଧାମ ବୈକୁଣ୍ଠକୁ ଗଲେ | ଲକ୍ଷ୍ମୀପତି ଭଗବାନ ସେଠାରେ ଲକ୍ଷ୍ମୀଙ୍କ ସହିତ ନିବାସ କରନ୍ତି |

ସନ୍ଦହ୍ୟମାନୋଽଜିତଶସ୍ତ୍ରବହ୍ନିନା

ତତ୍ପାଦମୂଲେ ପତିତଃ ସବେପଥୁଃ ।

ଆହାଚ୍ୟୁତାନନ୍ତ ସଦୀପ୍ସିତ ପ୍ରଭୋ

କୃତାଗସଂ ମାବ ହି ବିଶ୍ୱଭାବନ ॥ ୬୧॥

ଦୁର୍ବାସା ମୁନି ଭଗବାନଙ୍କ ଚକ୍ରର ଅଗ୍ନିଜ୍ବାଳାରେ ଦଗ୍ଧ ହେବାରେ ଲାଗିଥିଲେ | ସେ ଥରି-ଥରି ଭଗବାନଙ୍କ ଚରଣରେ ଲୋଟିଗଲେ | ସେ କହିଲେ – ହେ ଅଚ୍ୟୁତ ! ହେ ଅନନ୍ତ ! ଆପଣ ସନ୍ଥମାନଙ୍କର ଏକମାତ୍ର ବାଞ୍ଛନୀୟ ଅଟନ୍ତି | ପ୍ରଭୁ ! ବିଶ୍ବର ଜୀବନଦାତା ! ମୁଁ ଅପରାଧୀ ଅଟେ | ଆପଣ ମୋତେ ରକ୍ଷା କରନ୍ତୁ |

ଅଜାନତା ତେ ପରମାନୁଭାବଂ

କୃତଂ ମୟାଘଂ ଭବତଃ ପ୍ରିୟାଣାମ୍ ।

ବିଧେହି ତସ୍ୟାପଚିତିଂ ବିଧାତ-

ର୍ମୁଚ୍ୟେତ ଯନ୍ନାମ୍ନ୍ୟୁଦିତେ ନାରକୋଽପି ॥ ୬୨॥

ଆପଣଙ୍କ ପରମ ପ୍ରଭାବ ଜାଣି ନ ଥିବା କାରଣରୁ ମୁଁ ଆପଣଙ୍କର ପ୍ରିୟ ଭକ୍ତଙ୍କ ପ୍ରତି ଅପରାଧ କରିଦେଇଛି | ପ୍ରଭୁ ! ଆପଣ ମୋତେ ବଞ୍ଚାନ୍ତୁ | ଆପଣଙ୍କ ନାମର ଉଚ୍ଚାରଣ ମାତ୍ରେ ତ ନାରକୀ ଜୀବ ମଧ୍ୟ ମୁକ୍ତ ହୋଇଯାଆନ୍ତି |

ଶ୍ରୀଭଗବାନୁବାଚ

ଅହଂ ଭକ୍ତପରାଧୀନୋ ହ୍ୟସ୍ୱତନ୍ତ୍ର ଇବ ଦ୍ୱିଜ ।

ସାଧୁଭିର୍ଗ୍ରସ୍ତହୃଦୟୋ ଭକ୍ତୈର୍ଭକ୍ତଜନପ୍ରିୟଃ ॥ ୬୩॥

ଶ୍ରୀଭଗବାନ କହିଲେ – ହେ ଦୁର୍ବାସା ! ମୁଁ ତ ସର୍ବତୋ ଭାବରେ ଭକ୍ତମାନଙ୍କର ଅଧୀନସ୍ତ ଅଟେ | ସ୍ବତନ୍ତ୍ରତାର ନାମ-ଗନ୍ଧ ସୁଦ୍ଧା ମୋଠାରେ ନାହିଁ | ମୋର ସରଳ ନିଷ୍କପଟ ଭକ୍ତମାନେ ମୋ ହୃଦୟକୁ ନିଜ ହାତମୁଠାରେ ରଖିଛନ୍ତି | ସେହି ଭକ୍ତଜନ ମୋତେ ଭଲପାଆନ୍ତି ଏବଂ ମୁଁ ସେମାନଙ୍କୁ ଭଲପାଏ |

ନାହମାତ୍ମାନମାଶାସେ ମଦ୍ଭକ୍ତୈଃ ସାଧୁଭିର୍ୱିନା ।

ଶ୍ରିୟଂ ଚାତ୍ୟନ୍ତିକୀଂ ବ୍ରହ୍ମନ୍ ଯେଷାଂ ଗତିରହଂ ପରା ॥ ୬୪॥

ବ୍ରହ୍ମନ୍ ! ମୋ ଭକ୍ତମାନଙ୍କର ଏକମାତ୍ର ଆଶ୍ରୟ ମୁଁ ହିଁ ଅଟେ | ତେଣୁ ମୋର ସେହି ସାଧୁସ୍ବଭାବ ଭକ୍ତଙ୍କ ବ୍ୟତିତ ମୁଁ ନିଜକୁ ଚାହେଁନାହିଁ କି ମୋର ନିତ୍ୟ ଅର୍ଦ୍ଧାଙ୍ଗିନୀ ଲକ୍ଷ୍ମୀଙ୍କୁ ମଧ୍ୟ ଚାହେଁନାହିଁ |

ଯେ ଦାରାଗାରପୁତ୍ରାପ୍ତାନ୍ ପ୍ରାଣାନ୍ ବିତ୍ତମିମଂ ପରମ୍ ।

ହିତ୍ୱା ମାଂ ଶରଣଂ ଯାତାଃ କଥଂ ତାଂସ୍ତ୍ୟକ୍ତୁମୁତ୍ସହେ ॥ ୬୫॥

ଯେଉଁ ଭକ୍ତ ସ୍ତ୍ରୀ, ପୁତ୍ର, ଗୃହ, ଗୁରୁଜନ, ପ୍ରାଣ, ଧନ, ଇହଲୋକ ଏବଂ ପରଲୋକ – ସବୁକିଛି ତ୍ୟାଗ କରି ଏକମାତ୍ର ମୋର ଶରଣ ଗ୍ରହଣ କରିଥାଆନ୍ତି, ତାଙ୍କୁ ତ୍ୟାଗ କରିବାର ସଂକଳ୍ପ ଭଲା ମୁଁ କିପରି କରିପାରିବି ?

ମୟି ନିର୍ବଦ୍ଧହୃଦୟାଃ ସାଧବଃ ସମଦର୍ଶନାଃ ।

ବଶୀକୁର୍ୱନ୍ତି ମାଂ ଭକ୍ତ୍ୟା ସତ୍ସ୍ତ୍ରିୟଃ ସତ୍ପତିଂ ଯଥା ॥ ୬୬॥

ସତୀ ସ୍ତ୍ରୀ ପତିବ୍ରତ ଧର୍ମ ବଳରେ ନିଜର ସଦାଚାରୀ ପତିଙ୍କୁ ବଶୀଭୂତ କରି ରଖିବା ପରି, ମୋ ସହିତ ନିଜ ହୃଦୟକୁ ପ୍ରେମ-ବନ୍ଧନରେ ବାନ୍ଧି ରଖିଥିବା ସମଦର୍ଶୀ ସାଧୁମାନେ ନିଜ ଭକ୍ତି ବଳରେ ମୋତେ ବଶୀଭୂତ କରିନିଅନ୍ତି |

ମତ୍ସେବୟା ପ୍ରତୀତଂ ଚ ସାଲୋକ୍ୟାଦିଚତୁଷ୍ଟୟମ୍ ।

ନେଚ୍ଛନ୍ତି ସେବୟା ପୂର୍ଣାଃ କୁତୋଽନ୍ୟତ୍କାଲବିଦ୍ରୁତମ୍ ॥ ୬୭॥

ମୋର ଅନନ୍ୟପ୍ରେମୀ ଭକ୍ତ ସେବାରେ ହିଁ ନିଜକୁ ପରିପୂର୍ଣ୍ଣ ଏବଂ କୃତକୃତ୍ୟ ମନେ କରିଥାଆନ୍ତି | ମୋ ସେବାର ଫଳସ୍ବରୂପ ଯେତେବେଳେ ସେମାନଙ୍କୁ ସାଲୋକ୍ୟ, ସାରୂପ୍ୟ ଆଦି ମୁକ୍ତି ପ୍ରାପ୍ତ ହୋଇଥାଏ, ସେମାନେ ତାହାକୁ ମଧ୍ୟ ସ୍ବୀକାର କରିବାକୁ ଇଚ୍ଛା କରନ୍ତି ନାହିଁ; ସେଠାରେ ସମୟକ୍ରମେ ନଷ୍ଟ ହୋଇ ଯାଉଥିବା ବସ୍ତୁମାନଙ୍କ ବିଷୟରେ କଣ କହିବା |

ସାଧବୋ ହୃଦୟଂ ମହ୍ୟଂ ସାଧୂନାଂ ହୃଦୟଂ ତ୍ୱହମ୍ ।

ମଦନ୍ୟତ୍ତେ ନ ଜାନନ୍ତି ନାହଂ ତେଭ୍ୟୋ ମନାଗପି ॥ ୬୮॥

ହେ ଦୁର୍ବାସା ! ମୁଁ ଆପଣଙ୍କୁ ଅଧିକ କଣ କହିବି, ମୋର ପ୍ରେମୀ ଭକ୍ତମାନେ ତ ମୋର ହୃଦୟ ଅଟନ୍ତି ଏବଂ ସେମାନଙ୍କର ହୃଦୟ ସ୍ବୟଂ ମୁଁ ଅଟେ | ମୋ ବ୍ୟତିତ ସେମାନେ ଆଉ କିଛି ଜାଣନ୍ତି ନାହିଁ ଏବଂ ମୁଁ ମଧ୍ୟ ସେମାନଙ୍କ ଅତିରିକ୍ତ ଆଉ କାହାକୁ ଜାଣେନାହିଁ |

ଉପାୟଂ କଥୟିଷ୍ୟାମି ତବ ବିପ୍ର ଶୃଣୁଷ୍ୱ ତତ୍ ।

ଅୟଂ ହ୍ୟାତ୍ମାଭିଚାରସ୍ତେ ଯତସ୍ତଂ ଯାତୁ ବୈ ଭବାନ୍ ।

ସାଧୁଷୁ ପ୍ରହିତଂ ତେଜଃ ପ୍ରହର୍ତୁଃ କୁରୁତେଽଶିବମ୍ ॥ ୬୯॥

ହେ ଦୁର୍ବାସା ! ମୁଁ ଆପଣଙ୍କୁ ଗୋଟିଏ ଉପାୟ ନିର୍ଦ୍ଦେଶ କରୁଛି | ଯାହାର ଅନିଷ୍ଟ କରିଥିବା କାରଣରୁ ଆପଣଙ୍କୁ ଏହି ବିପତ୍ତିର ସମ୍ମୁଖୀନ ହେବାକୁ ପଡିଛି, ଆପଣ ତାଙ୍କ ପାଖକୁ ଯାଆନ୍ତୁ | ନିରପରାଧ ସାଧୁମାନଙ୍କର ଅନିଷ୍ଟ କରିବାର ଚେଷ୍ଟା ଯୋଗୁଁ ଅନିଷ୍ଟକାରୀର ଅମଙ୍ଗଳ ହିଁ ହୋଇଥାଏ |

ତପୋ ବିଦ୍ୟା ଚ ବିପ୍ରାଣାଂ ନିଃଶ୍ରେୟସକରେ ଉଭେ ।

ତ ଏବ ଦୁର୍ୱିନୀତସ୍ୟ କଲ୍ପେତେ କର୍ତୁରନ୍ୟଥା ॥ ୭୦॥

ଏଥିରେ ସନ୍ଦେହ ନାହିଁ ଯେ ବ୍ରାହ୍ମଣମାନଙ୍କର ତପସ୍ୟା ଏବଂ ବିଦ୍ୟା ସେମାନଙ୍କ ପରମ କଲ୍ୟାଣର ସାଧନ ଅଟେ | କିନ୍ତୁ ବ୍ରାହ୍ମଣ ଯଦି ଉଦ୍ଦଣ୍ଡ ଏବଂ ଅନ୍ୟାୟୀ ହୁଅନ୍ତି, ତେବେ ସେହି ଦୁଇଟି ସାଧନ ସେମାନଙ୍କୁ ବିପରୀତ ଫଳ ଦେଇଥାଆନ୍ତି |

ବ୍ରହ୍ମଂସ୍ତଦ୍ଗଚ୍ଛ ଭଦ୍ରଂ ତେ ନାଭାଗତନୟଂ ନୃପମ୍ ।

କ୍ଷମାପୟ ମହାଭାଗଂ ତତଃ ଶାନ୍ତିର୍ଭବିଷ୍ୟତି ॥ ୭୧॥

ହେ ଦୁର୍ବାସା ! ଆପଣଙ୍କର କଲ୍ୟାଣ ହେଉ | ଆପଣ ନାଭାଗନନ୍ଦନ ପରମ ଭାଗ୍ୟଶାଳୀ ରାଜା ଅମ୍ବରୀଷଙ୍କ ପାଖକୁ ଯାଇ ତାଙ୍କଠାରୁ କ୍ଷମା ଯାଚନା କରନ୍ତୁ; ତେବେଯାଇଁ ଆପଣଙ୍କୁ ଶାନ୍ତି ମିଳିବ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଅମ୍ବରୀଷଚରିତେ ଚତୁର୍ଥୋଽଧ୍ୟାୟଃ ॥ ୪॥

 

Comments

Popular posts from this blog