ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ଚତୁର୍ଥ ଅଧ୍ୟାୟ
ନାଭାଗ ଏବଂ ଅମ୍ବରୀଷଙ୍କ କଥା
ଶ୍ରୀଶୁକ ଉବାଚ
ନାଭାଗୋ ନଭଗାପତ୍ୟଂ
ଯଂ ତତଂ ଭ୍ରାତରଃ କବିମ୍ ।
ଯବିଷ୍ଠଂ ବ୍ୟଭଜନ୍
ଦାୟଂ ବ୍ରହ୍ମଚାରିଣମାଗତମ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ମନୁପୁତ୍ର ନଭଗଙ୍କର ପୁତ୍ର ଥିଲେ ନାଭାଗ | ଦୀର୍ଘକାଳ ବ୍ରହ୍ମଚର୍ଯ୍ୟ
ପାଳନ କରି ସେ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ତାଙ୍କର
ବଡ ଭାଈମାନେ ସେମାନଙ୍କଠାରୁ ଛୋଟ ଅଥଚ ବିଦ୍ବାନ୍ ଭାଈଙ୍କୁ ସମ୍ପତ୍ତିର ଭାଗ ସ୍ବରୂପ କେବଳ
ପିତାଙ୍କୁ ଦେଇଥିଲେ |
ଭ୍ରାତରୋଽଭାଙ୍କ୍ତ
କିଂ ମହ୍ୟଂ ଭଜାମ ପିତରଂ ତବ ।
ତ୍ୱାଂ
ମମାର୍ୟାସ୍ତତାଭାଙ୍କ୍ଷୁର୍ମା ପୁତ୍ରକ ତଦାଦୃଥାଃ ॥ ୨॥
ସେ ନିଜ
ଭାଈମାନଙ୍କୁ ପଚାରିଲେ – ଆପଣମାନେ ମୋର ଭାଗ-ସ୍ବରୂପ ମୋତେ କ’ଣ ଦେବେ ? ଭାଈମାନେ ଉତ୍ତର ଦେଲେ – ଆମେ ତୁମର
ଭାଗ-ସ୍ବରୂପ ପିତାଜୀଙ୍କୁ ତୁମକୁ ଦେଉଛୁ | ତାପରେ ସେ ଯେତେବେଳେ ନିଜ ପିତାଙ୍କ ପାଖକୁ ଯାଇ
କହିଲେ, ‘ପିତାଜୀ ! ମୋର ଭାଈମାନେ ଭାଗ-ସ୍ବରୂପ ଆପଣଙ୍କୁ ହିଁ
ମୋତେ ଦେଇଛନ୍ତି’ ସେତେବେଳେ ପିତା ତାଙ୍କୁ
କହିଲେ – ପୁତ୍ର ! ତୁମେ ସେମାନଙ୍କ କଥା ସ୍ବୀକାର କରନାହିଁ |
ଇମେ ଅଙ୍ଗିରସଃ
ସତ୍ରମାସତେଽଦ୍ୟ ସୁମେଧସଃ ।
ଷଷ୍ଠଂ
ଷଷ୍ଠମୁପେତ୍ୟାହଃ କବେ ମୁହ୍ୟନ୍ତି କର୍ମଣି ॥ ୩॥
ଦେଖ, ଏହି ସମୟରେ ଅତ୍ୟନ୍ତ ବୁଦ୍ଧିମାନ ଆଙ୍ଗିରସ-ଗୋତ୍ର
ବ୍ରାହ୍ମଣମାନେ ଏକ ବହୁତ ବଡ ଯଜ୍ଞର ଅନୁଷ୍ଠାନ କରୁଛନ୍ତି | କିନ୍ତୁ ହେ ମୋର ବିଦ୍ବାନ୍ ପୁତ୍ର
! ଯଜ୍ଞର ପ୍ରତ୍ୟେକ ଷଷ୍ଠ ଦିନରେ ସେମାନେ ନିଜ କର୍ମରେ ଭୂଲ୍ କରି ବସୁଛନ୍ତି |
ତାଂସ୍ତ୍ୱଂ ଶଂସୟ
ସୂକ୍ତେ ଦ୍ୱେ ବୈଶ୍ୱଦେବେ ମହାତ୍ମନଃ ।
ତେ ସ୍ୱର୍ୟନ୍ତୋ
ଧନଂ ସତ୍ରପରିଶେଷିତମାତ୍ମନଃ ॥ ୪॥
ଦାସ୍ୟନ୍ତି ତେଽଥ
ତାନ୍ ଗଚ୍ଛ ତଥା ସ କୃତବାନ୍ ଯଥା ।
ତସ୍ମୈ ଦତ୍ତ୍ୱା
ଯୟୁଃ ସ୍ୱର୍ଗଂ ତେ ସତ୍ରପରିଶେଷିତମ୍ ॥ ୫॥
ତୁମେ ସେହି
ମହାତ୍ମାମାନଙ୍କ ପାଖକୁ ଯାଇ ସେମାନଙ୍କୁ ବୈଶ୍ବଦେବସମ୍ବନ୍ଧୀ ଦୁଇଟି ସୁକ୍ତ ନିର୍ଦ୍ଦେଶ କର |
ଯଜ୍ଞ ପୂର୍ତ୍ତିରେ ସେମାନେ ଯେତେବେଳେ ସ୍ବର୍ଗକୁ ଯିବେ, ସେତେବେଳେ ଯଜ୍ଞ
ନିମନ୍ତେ ସଂଗୃହିତ ଅବଶିଷ୍ଟ ଧନ ସେମାନେ ତୁମକୁ ଦେଇ ଦେବେ | ସେଥିପାଇଁ ତୁମେ ଏବେ ସେମାନଙ୍କ
ପାଖକୁ ଯାଅ |’ ପିତାଙ୍କ ଆଜ୍ଞାନୁସାରେ ନାଭାଗ ସେପରି କଲେ ଏବଂ ସତକୁ ସତ ସେହି ଆଙ୍ଗିରସ-ଗୋତ୍ରୀ
ବ୍ରାହ୍ମଣମାନେ ମଧ୍ୟ ଯଜ୍ଞର ଅବଶିଷ୍ଟ ଧନ ତାଙ୍କ ହାତରେ ଦେଇ ସ୍ବର୍ଗକୁ ଚାଲିଗଲେ |
ତଂ
କଶ୍ଚିତ୍ସ୍ୱୀକରିଷ୍ୟନ୍ତଂ ପୁରୁଷଃ କୃଷ୍ଣଦର୍ଶନଃ ।
ଉବାଚୋତ୍ତରତୋଽଭ୍ୟେତ୍ୟ
ମମେଦଂ ବାସ୍ତୁକଂ ବସୁ ॥ ୬॥
ନାଭାଗ ସେହି ସବୁ
ଅବଶିଷ୍ଟ ଧନକୁ ନେବା ଉଦ୍ଦେଶ୍ୟରେ ଏକତ୍ରିତ କରୁଥିବା ସମୟରେ ଉତ୍ତର ଦିଗରୁ ଜଣେ କଳାରଙ୍ଗର
ପୁରୁଷ ସେଠାରେ ଆସି ଉପସ୍ଥିତ ହେଲେ | ସେ କହିଲେ – ‘ଯଜ୍ଞଭୂମିର ଏହି ଅବଶିଷ୍ଟ ଧନର ଅଧିକାରୀ
ମୁଁ ଅଟେ |’
ମମେଦମୃଷିଭିର୍ଦତ୍ତମିତି
ତର୍ହି ସ୍ମ ମାନବଃ ।
ସ୍ୟାନ୍ନୌ ତେ
ପିତରି ପ୍ରଶ୍ନଃ ପୃଷ୍ଟବାନ୍ ପିତରଂ ତଥା ॥ ୭॥
ତାହା ଶୁଣି ନାଭାଗ
କହିଲେ – ‘କିନ୍ତୁ ଋଷିମାନେ ତ ଏହି ଧନ ମୋତେ ଦେଇଛନ୍ତି; ତେଣୁ ଏହା ମୋର
ଅଟେ |’ ପ୍ରତ୍ୟୁତ୍ତରରେ ସେହି ପୁରୁଷ ଜଣକ କହିଲେ – ‘ଆମର ବିବାଦ ସମ୍ବନ୍ଧରେ ତୁମ ପିତାଙ୍କୁ
ପ୍ରଶ୍ନ କରାଯାଉ |’ ନାଭାଗ ସେଠାରୁ ଯାଇ ତାଙ୍କ ପିତାଙ୍କୁ ପଚାରିଲେ |
ଯଜ୍ଞବାସ୍ତୁଗତଂ
ସର୍ୱମୁଚ୍ଛିଷ୍ଟମୃଷୟଃ କ୍ୱଚିତ୍ ।
ଚକ୍ରୁର୍ୱିଭାଗଂ
ରୁଦ୍ରାୟ ସ ଦେବଃ ସର୍ୱମର୍ହତି ॥ ୮॥
ପିତା କହିଲେ – ଥରେ
ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ଋଷିମାନେ ଏହା ନିଶ୍ଚୟ କରିଥିଲେ ଯେ ଯଜ୍ଞଭୂମିର ଅବଶିଷ୍ଟାଂଶ
ରୁଦ୍ରଦେବଙ୍କର ଭାଗ ହେବ | ସେଥିପାଇଁ ଏହି ଧନ ମହାଦେବଙ୍କୁ ମିଳିବା ଉଚିତ୍ |
ନାଭାଗସ୍ତଂ
ପ୍ରଣମ୍ୟାହ ତବେଶ କିଲ ବାସ୍ତୁକମ୍ ।
ଇତ୍ୟାହ ମେ ପିତା
ବ୍ରହ୍ମଞ୍ଛିରସା ତ୍ୱାଂ ପ୍ରସାଦୟେ ॥ ୯॥
ନାଭାଗ ଫେରି ଆସି
ସେହି କଳା ରଙ୍ଗର ପୁରୁଷ ରୁଦ୍ରଭଗବାନଙ୍କୁ ପ୍ରଣାମ କରି କହିଲେ – ପ୍ରଭୁ ! ମୋର ପିତାଙ୍କର
କହିବା ଅନୁଯାୟୀ ଯଜ୍ଞଭୂମିର ସବୁକିଛି ଆପଣଙ୍କର ଅଟେ | ଭଗବନ୍ ! ମୋର ଅପରାଧ ହୋଇଛି, ମୁଁ ମସ୍ତକ ଅବନତ କରି ଆପଣଙ୍କଠାରୁ କ୍ଷମା ଭିକ୍ଷା
କରୁଛି |
ଯତ୍ତେ
ପିତାବଦଦ୍ଧର୍ମଂ ତ୍ୱଂ ଚ ସତ୍ୟଂ ପ୍ରଭାଷସେ ।
ଦଦାମି ତେ
ମନ୍ତ୍ରଦୃଶେ ଜ୍ଞାନଂ ବ୍ରହ୍ମ ସନାତନମ୍ ॥ ୧୦॥
ଭଗବାନ ରୁଦ୍ର
କହିଲେ – ତୁମର ପିତା ଧର୍ମ ଅନୁକୂଳ ନିର୍ଣ୍ଣୟ ଶୁଣାଇଛନ୍ତି ଏବଂ ତୁମେ ମଧ୍ୟ ମୋତେ ସତ୍ୟ କହିଛ
| ବେଦର ଅର୍ଥ ତ ତୁମେ ଜାଣିଛ, ଏବେ ମୁଁ ତୁମକୁ ସନାତନ ବ୍ରହ୍ମତତ୍ତ୍ବର ଜ୍ଞାନ ପ୍ରଦାନ କରୁଛି
|
ଗୃହାଣ ଦ୍ରବିଣଂ
ଦତ୍ତଂ ମତ୍ସତ୍ରେ ପରିଶେଷିତମ୍ ।
ଇତ୍ୟୁକ୍ତ୍ୱାନ୍ତର୍ହିତୋ
ରୁଦ୍ରୋ ଭଗବାନ୍ ସତ୍ୟବତ୍ସଲଃ ॥ ୧୧॥
ଯଜ୍ଞର ଯେଉଁ
ଅବଶିଷ୍ଟାଂଶ ମୋ ପାଇଁ ଉଦ୍ଦିଷ୍ଟ ଅଟେ, ତାହା ମଧ୍ୟ ମୁଁ
ତୁମକୁ ପ୍ରଦାନ କରୁଛି; ତୁମେ ତାହା ସ୍ବୀକାର କର |
ଏତିକି କହି ସତ୍ୟପ୍ରେମୀ ଭଗବାନ ରୁଦ୍ର ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ |
ଯ
ଏତତ୍ସଂସ୍ମରେତ୍ପ୍ରାତଃ ସାୟଂ ଚ ସୁସମାହିତଃ ।
କବିର୍ଭବତି
ମନ୍ତ୍ରଜ୍ଞୋ ଗତିଂ ଚୈବ ତଥାଽଽତ୍ମନଃ ॥ ୧୨॥
ଯେଉଁ ମନୁଷ୍ୟ
ପ୍ରାତଃ ଏବଂ ସାୟଂକାଳରେ ଏହି ଆଖ୍ୟାନର ସ୍ମରଣ କରନ୍ତି, ସେ ପ୍ରତିଭାଶାଳୀ
ଓ ବେଦଜ୍ଞ ତ ହୋଇଥାଆନ୍ତି, ତା’ ସହିତ ନିଜ ସ୍ବରୂପର ଜ୍ଞାନ ମଧ୍ୟ ତାଙ୍କର ହୋଇଯାଏ |
ନାଭାଗାଦମ୍ବରୀଷୋଽଭୂନ୍ମହାଭାଗବତଃ
କୃତୀ ।
ନାସ୍ପୃଶଦ୍ବ୍ରହ୍ମଶାପୋଽପି
ଯଂ ନ ପ୍ରତିହତଃ କ୍ୱଚିତ୍ ॥ ୧୩॥
ନାଭାଗଙ୍କର ପୁତ୍ର
ଥିଲେ ଅମ୍ବରୀଷ | ସେ ବହୁତ ବଡ ଭଗବତ୍-ପ୍ରେମୀ ଏବଂ ଉଦାର ଧର୍ମାତ୍ମା ଥିଲେ | ଯେଉଁ ବ୍ରହ୍ମଶାପ
କେବେ ବି ବ୍ୟର୍ଥ ହୁଏନାହିଁ, ତାହା ମଧ୍ୟ
ଅମ୍ବରୀଷଙ୍କୁ ସ୍ପର୍ଶ କରିପାରି ନ ଥିଲା |
ରାଜୋବାଚ
ଭଗବନ୍ଛ୍ରୋତୁମିଚ୍ଛାମି
ରାଜର୍ଷେସ୍ତସ୍ୟ ଧୀମତଃ ।
ନ ପ୍ରାଭୂଦ୍ୟତ୍ର
ନିର୍ମୁକ୍ତୋ ବ୍ରହ୍ମଦଣ୍ଡୋ ଦୁରତ୍ୟଯଃ ॥ ୧୪॥
ରାଜା ପରୀକ୍ଷିତ
ପଚାରିଲେ – ଭଗବନ୍ ! ମୁଁ ପରମଜ୍ଞାନୀ ରାଜର୍ଷି ଅମ୍ବରୀଷଙ୍କର ଚରିତ ଶୁଣିବାକୁ ଇଚ୍ଛା କରୁଛି |
ବ୍ରାହ୍ମଣ କ୍ରୋଧିତ ହୋଇ ତାଙ୍କୁ ଏପରି ଦଣ୍ଡ ଦେଇଥିଲେ, ଯହିଁରୁ କୌଣସି
ପ୍ରକାରେ ନିଷ୍କୃତି ମିଳି ନ ଥାଏ; କିନ୍ତୁ ତାହା
ମଧ୍ୟ ତାଙ୍କର କିଛି ଅନିଷ୍ଟ କରିପାରିଲା ନାହିଁ |
ଶ୍ରୀଶୁକ ଉବାଚ
ଅମ୍ବରୀଷୋ ମହାଭାଗଃ
ସପ୍ତଦ୍ୱୀପବତୀଂ ମହୀମ୍ ।
ଅବ୍ୟଯାଂ ଚ ଶ୍ରିୟଂ
ଲବ୍ଧ୍ୱା ବିଭବଂ ଚାତୁଲଂ ଭୁବି ॥ ୧୫॥
ମେନେଽତିଦୁର୍ଲଭଂ
ପୁଂସାଂ ସର୍ୱଂ ତତ୍ସ୍ୱପ୍ନସଂସ୍ତୁତମ୍ ।
ବିଦ୍ୱାନ୍
ବିଭବନିର୍ୱାଣଂ ତମୋ ବିଶତି ଯତ୍ପୁମାନ୍ ॥ ୧୬॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଅମ୍ବରୀଷ ମହା ଭାଗ୍ୟବାନ ଥିଲେ | ପୃଥିବୀର ସପ୍ତ ଦ୍ବୀପ, ଅଚଳାଚଳ ସମ୍ପତ୍ତି ଏବଂ ଅତୁଳନୀୟ ଐଶ୍ବର୍ଯ୍ୟ ତାଙ୍କୁ
ପ୍ରାପ୍ତ ଥିଲା | ସାଧାରଣ ମନୁଷ୍ୟ ପାଇଁ ଯଦିଓ ସେହି ସବୁ ଐଶ୍ବର୍ଯ୍ୟ ଅତ୍ୟନ୍ତ ଦୁର୍ଲଭ ଅଟେ, ସେ ତାହାକୁ ସ୍ବପ୍ନତୁଲ୍ୟ ମନେ କରୁଥିଲେ | କାରଣ ସେ
ଜାଣିଥିଲେ ଯେ ଯେଉଁ ଧନ-ବୈଭବର ଲୋଭରେ ପଡି ମନୁଷ୍ୟ ଘୋର ନର୍କକୁ ଯାଇଥାଏ, ତାହା ତ ଚାରିଦିନର ଚାନ୍ଦିନୀ ସଦୃଶ ଅଟେ | ତାହାର
ଦୀପକ ତ ଲିଭି-ଲିଭି ଆସୁଛି |
ବାସୁଦେବେ ଭଗବତି
ତଦ୍ଭକ୍ତେଷୁ ଚ ସାଧୁଷୁ ।
ପ୍ରାପ୍ତୋ ଭାବଂ
ପରଂ ବିଶ୍ୱଂ ଯେନେଦଂ ଲୋଷ୍ଟବତ୍ସ୍ମୃତମ୍ ॥ ୧୭॥
ଭଗବାନ ଶ୍ରୀକୃଷ୍ଣ
ଏବଂ ତାଙ୍କର ପ୍ରେମୀ ସାଧୁଜନଙ୍କ ପ୍ରତି ତାଙ୍କ ହୃଦୟରେ ଅଗାଧ ପ୍ରେମ ରହିଥିଲା | ସେହି ପ୍ରେମ
ପ୍ରାପ୍ତ ହୋଇଗଲେ ତ ସାରା ବିଶ୍ବ ଏବଂ ତାହାର ସମସ୍ତ ସମ୍ପତ୍ତି ମାଟିର ଢେଲା ସଦୃଶ ପ୍ରତୀତ
ହୋଇଥାଏ |
ସ ବୈ ମନଃ
କୃଷ୍ଣପଦାରବିନ୍ଦୟୋ-
ର୍ୱଚାଂସି
ବୈକୁଣ୍ଠଗୁଣାନୁବର୍ଣନେ ।
କରୌ
ହରେର୍ମନ୍ଦିରମାର୍ଜନାଦିଷୁ
ଶ୍ରୁତିଂ
ଚକାରାଚ୍ୟୁତସତ୍କଥୋଦୟେ ॥ ୧୮॥
ସେ ନିଜର ମନକୁ
ଶ୍ରୀକୃଷ୍ଣଚନ୍ଦ୍ରଙ୍କର ଚରଣାରବିନ୍ଦଯୁଗଳରେ, ବାଣୀକୁ
ଭଗବଦ୍-ଗୁଣାନୁବର୍ଣ୍ଣନରେ, ହାତକୁ
ଶ୍ରୀହରିମନ୍ଦିରର ମାର୍ଜନ-ସିଞ୍ଚନରେ ଏବଂ କାନକୁ ଭଗବାନ ଅଚ୍ୟୁତଙ୍କର ମଙ୍ଗଳମୟୀ କଥା-ଶ୍ରବଣରେ
ଲଗାଇ ରଖିଥିଲେ |
ମୁକୁନ୍ଦଲିଙ୍ଗାଲୟଦର୍ଶନେ
ଦୃଶୌ
ତଦ୍ଭୃତ୍ୟଗାତ୍ରସ୍ପର୍ଶେଽଙ୍ଗସଙ୍ଗମମ୍
।
ଘ୍ରାଣଂ ଚ
ତତ୍ପାଦସରୋଜସୌରଭେ
ଶ୍ରୀମତ୍ତୁଲସ୍ୟା
ରସନାଂ ତଦର୍ପିତେ ॥ ୧୯॥
ସେ ନିଜର ନେତ୍ରକୁ
ମୁକୁନ୍ଦମୂର୍ତ୍ତି ଏବଂ ମନ୍ଦିର ଦର୍ଶନରେ, ଅଙ୍ଗ-ସଙ୍ଗ ଭଗବତ୍-ଭକ୍ତମାନଙ୍କର ଶରୀର-ସ୍ପର୍ଶରେ, ନାସିକା ଭଗବାନଙ୍କ ଚରଣକମଳରେ ଅର୍ପିତ ଶ୍ରୀମତୀ
ତୁଳସୀଙ୍କ ଦିବ୍ୟ ଗନ୍ଧରେ ଏବଂ ରସନା ତାଙ୍କ ପ୍ରତି ଅର୍ପିତ ନୈବେଦ୍ୟ-ପ୍ରସାଦରେ ସଂଲଗ୍ନ କରି
ଦେଇଥିଲେ |
ପାଦୌ ହରେଃ
କ୍ଷେତ୍ରପଦାନୁସର୍ପଣେ
ଶିରୋ
ହୃଷୀକେଶପଦାଭିବନ୍ଦନେ ।
କାମଂ ଚ ଦାସ୍ୟେ ନ
ତୁ କାମକାମ୍ୟଯା
ଯଥୋତ୍ତମଶ୍ଲୋକଜନାଶ୍ରୟା
ରତିଃ ॥ ୨୦॥
ଅମ୍ବରୀଷଙ୍କର ପାଦ
ଭଗବାନଙ୍କ କ୍ଷେତ୍ର ଆଦିର ପଦ-ଯାତ୍ରାରେ ସଂଯୁକ୍ତ ରହିଥିଲା ଏବଂ ମସ୍ତକରେ ସେ ଭଗବାନ
ଶ୍ରୀକୃଷ୍ଣଙ୍କ ଚରଣକମଳର ବନ୍ଦନା କରୁଥିଲେ | ରାଜା ଅମ୍ବରୀଷ ମାଳା, ଚନ୍ଦନ ଆଦି ଭୋଗସାମଗ୍ରୀକୁ ଭଗବାନଙ୍କ ସେବାରେ
ସମର୍ପିତ କରୁଥିଲେ | ଭୋଗ କରିବାର ଇଚ୍ଛାରେ ନୁହେଁ, ବରଂ ଏଥିପାଇଁ ଯେ
ତଦ୍ବାରା ଭଗବତ୍-ପ୍ରେମ ପ୍ରାପ୍ତ ହେବ, ଯାହା ଭଗବାନଙ୍କର
ନିଜଜନମାନଙ୍କଠାରେ ହିଁ ନିବାସ କରିଥାଏ |
ଏବଂ ସଦା
କର୍ମକଲାପମାତ୍ମନଃ
ପରେଽଧିୟଜ୍ଞେ
ଭଗବତ୍ୟଧୋକ୍ଷଜେ ।
ସର୍ୱାତ୍ମଭାବଂ
ବିଦଧନ୍ମହୀମିମାଂ
ତନ୍ନିଷ୍ଠବିପ୍ରାଭିହିତଃ
ଶଶାସ ହ ॥ ୨୧॥
ଏହିପରି ଭାବରେ ସେ
ନିଜର ସମସ୍ତ କର୍ମ ଯଜ୍ଞପୁରୁଷ, ଇନ୍ଦ୍ରିୟାତୀତ
ଭଗବାନଙ୍କ ପ୍ରତି, ତାଙ୍କୁ ସର୍ବାତ୍ମା ଏବଂ
ସର୍ବସ୍ବରୂପ ଜାଣି, ସମର୍ପିତ କରି ଦେଇଥିଲେ ଏବଂ
ଭଗବଦ୍-ଭକ୍ତ ବ୍ରାହ୍ମଣମାନଙ୍କର ଆଜ୍ଞାନୁସାରେ ପୃଥିବୀର ଶାସନ କରୁଥିଲେ |
ଈଜେଽଶ୍ୱମେଧୈରଧିୟଜ୍ଞମୀଶ୍ୱରଂ
ମହାବିଭୂତ୍ୟୋପଚିତାଙ୍ଗଦକ୍ଷିଣୈଃ
।
ତତୈର୍ୱସିଷ୍ଠାସିତଗୌତମାଦିଭି-
ର୍ଧନ୍ୱନ୍ୟଭିସ୍ରୋତମସୌ
ସରସ୍ୱତୀମ୍ ॥ ୨୨॥
ସେ ‘ଧନ୍ବ’ ନାମକ
ଦେଶରେ, ସରସ୍ବତୀ ନଦୀର ପ୍ରବାହ ସମ୍ମୁଖରେ, ବସିଷ୍ଠ, ଅସିତ, ଗୌତମ ଆଦି ଭିନ୍ନ-ଭିନ୍ନ ଆଚାର୍ଯ୍ୟଙ୍କ ଦ୍ବାରା ମହାନ୍
ଐଶ୍ବର୍ଯ୍ୟ କାରଣରୁ ସର୍ବାଙ୍ଗପରିପୂର୍ଣ୍ଣ, ବହୁଳ ଦକ୍ଷିଣାଯୁକ୍ତ ଅଶ୍ବମେଧ ଯଜ୍ଞ କରି
ଯଜ୍ଞାଧିପତି ଭଗବାନଙ୍କର ଆରାଧନା କରିଥିଲେ |
ଯସ୍ୟ କ୍ରତୁଷୁ
ଗୀର୍ୱାଣୈଃ ସଦସ୍ୟା ଋତ୍ୱିଜୋ ଜନାଃ ।
ତୁଲ୍ୟରୂପାଶ୍ଚାନିମିଷା
ବ୍ୟଦୃଶ୍ୟନ୍ତ ସୁବାସସଃ ॥ ୨୩॥
ତାଙ୍କ ଯଜ୍ଞରେ
ଦେବତାମାନଙ୍କ ସହିତ ଯେତେବେଳେ ସଦସ୍ୟ ଏବଂ ଋତ୍ବିଜମାନେ ଉପବେଶନ କରୁଥିଲେ, ସେମାନଙ୍କୁ ଦେଖି ତାଙ୍କ ଆଖିରେ ପଲକ ପଡୁ ନ ଥିଲା
ଏବଂ ସେ ସ୍ବୟଂ ନିଜର ସୁନ୍ଦର ବସ୍ତ୍ର ଏବଂ ସେହିପରି ସୁନ୍ଦର ରୂପ କାରଣରୁ ଯଜ୍ଞରେ
ଦେବତାମାନଙ୍କ ପରି ଶୋଭା ପାଉଥିଲେ |
ସ୍ୱର୍ଗୋ ନ
ପ୍ରାର୍ଥିତୋ ଯସ୍ୟ ମନୁଜୈରମରପ୍ରିୟଃ ।
ଶୃଣ୍ୱଦ୍ଭିରୁପଗାୟଦ୍ଭିରୁତ୍ତମଶ୍ଲୋକଚେଷ୍ଟିତମ୍
॥ ୨୪॥
ତାଙ୍କର ପ୍ରଜାମାନେ
କେତେବେଳେ ଅତିଶୟ ପ୍ରେମରେ ମହାତ୍ମାମାନଙ୍କ ଦ୍ବାରା ଗାନ କରା ଯାଉଥିବା ଭଗବାନଙ୍କର ଉତ୍ତମ
ଚରିତର ଶ୍ରବଣ କରୁଥିଲେ ତ କେତେବେଳେ ନିଜେ ମଧ୍ୟ ଗାନ କରୁଥିଲେ | ଏହିପରି ଭାବରେ ତାଙ୍କ
ରାଜ୍ୟର ମନୁଷ୍ୟମାନେ ଦେବତାମାନଙ୍କର ଅତି ପ୍ରିୟ ସ୍ବର୍ଗ ମଧ୍ୟ ଇଚ୍ଛା କରୁ ନ ଥିଲେ |
ସମର୍ଦ୍ଧୟନ୍ତି
ତାନ୍ କାମାଃ ସ୍ୱାରାଜ୍ୟପରିଭାବିତାଃ ।
ଦୁର୍ଲଭା ନାପି
ସିଦ୍ଧାନାଂ ମୁକୁନ୍ଦଂ ହୃଦି ପଶ୍ୟତଃ ॥ ୨୫॥
ସେମାନେ ନିଜ
ହୃଦୟରେ ଅନନ୍ତ ପ୍ରେମ ଦାନ କରୁଥିବା ଶ୍ରୀହରିଙ୍କର ନିତ୍ୟ-ନିରନ୍ତର ଦର୍ଶନ କରୁଥିଲେ |
ସେଥିପାଇଁ ସେମାନଙ୍କୁ ସେହିସବୁ ଭୋଗ-ସାମଗ୍ରୀ ମଧ୍ୟ ହର୍ଷିତ କରିପାରୁ ନ ଥିଲା, ଯାହା ବଡ-ବଡ ସିଦ୍ଧମାନଙ୍କୁ ମଧ୍ୟ ଦୁର୍ଲଭ ଅଟେ |
ନିଜ ଆତ୍ମାନନ୍ଦ ସମ୍ମୁଖରେ ସେମାନଙ୍କ ପାଇଁ ସେହିସବୁ ବସ୍ତୁ ଅତ୍ୟନ୍ତ ତୁଚ୍ଛ ଏବଂ ତିରସ୍କୃତ
ଥିଲା |
ସ ଇତ୍ଥଂ
ଭକ୍ତିୟୋଗେନ ତପୋୟୁକ୍ତେନ ପାର୍ଥିବଃ ।
ସ୍ୱଧର୍ମେଣ ହରିଂ
ପ୍ରୀଣନ୍ ସଙ୍ଗାନ୍ ସର୍ୱାନ୍ ଶନୈର୍ଜହୌ ॥ ୨୬॥
ଏହିରୂପେ ରାଜା
ଅମ୍ବରୀଷ ତପସ୍ୟା-ଯୁକ୍ତ ଭକ୍ତିଯୋଗ ଏବଂ ପ୍ରଜାପାଳନରୂପ ସ୍ବଧର୍ମ ଦ୍ବାରା ଭଗବାନଙ୍କୁ ପ୍ରସନ୍ନ
କରିବାରେ ଲାଗିଲେ ଏବଂ ଧୀରେ ଧୀରେ ସେ ସବୁ ପ୍ରକାରର ଆସକ୍ତିକୁ ମଧ୍ୟ ପରିତ୍ୟାଗ କରିଦେଲେ |
ଗୃହେଷୁ ଦାରେଷୁ
ସୁତେଷୁ ବନ୍ଧୁଷୁ
ଦ୍ୱିପୋତ୍ତମସ୍ୟନ୍ଦନବାଜିବସ୍ତୁଷୁ
।
ଅକ୍ଷୟ୍ୟରତ୍ନାଭରଣାୟୁଧାଦି-
ଷ୍ୱନନ୍ତକୋଶେଷ୍ୱକରୋଦସନ୍ମତିମ୍
॥ ୨୭॥
ଘର, ସ୍ତ୍ରୀ, ପୁତ୍ର, ଭାଈ-ବନ୍ଧୁ, ବଡ-ବଡ ହାତୀ, ରଥ, ଘୋଡା ଏବଂ ପଦାତିକ
ଚତୁରଙ୍ଗିଣୀ ସେନା, ଅକ୍ଷୟ ରତ୍ନ, ଆଭୂଷଣ ଏବଂ ଆୟୁଧ ଆଦି ସମସ୍ତ ବସ୍ତୁ ତଥା ଅସରନ୍ତି
କୋଷ ସମ୍ବନ୍ଧରେ ତାଙ୍କର ଏହା ଦୃଢ ନିଶ୍ଚୟ ଥିଲା ଯେ ଏସବୁ ଅସତ୍ୟ ଅଟେ |
ତସ୍ମା
ଅଦାଦ୍ଧରିଶ୍ଚକ୍ରଂ ପ୍ରତ୍ୟନୀକଭୟାବହମ୍ ।
ଏକାନ୍ତଭକ୍ତିଭାବେନ
ପ୍ରୀତୋ ଭୃତ୍ୟାଭିରକ୍ଷଣମ୍ ॥ ୨୮॥
ତାଙ୍କର ଅନନ୍ୟ
ପ୍ରେମମୟୀ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ତାଙ୍କର ସୁରକ୍ଷା ଦାୟୀତ୍ବରେ ସୁଦର୍ଶନ ଚକ୍ରକୁ
ନିଯୁକ୍ତ କରି ଦେଇଥିଲେ, ଯିଏ ବିରୋଧୀମାନଙ୍କୁ ଭୟଭୀତ
କରିବା ସହିତ ଭଗବଦ୍-ଭକ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥାଏ |
ଆରିରାଧୟିଷୁଃ
କୃଷ୍ଣଂ ମହିଷ୍ୟା ତୁଲ୍ୟଶୀଲୟା ।
ଯୁକ୍ତଃ ସାଂବତ୍ସରଂ
ବୀରୋ ଦଧାର ଦ୍ୱାଦଶୀବ୍ରତମ୍ ॥ ୨୯॥
ରାଜା ଅମ୍ବରୀଷଙ୍କର
ଧର୍ମପତ୍ନୀ ମଧ୍ୟ ତାଙ୍କ ପରି ଧର୍ମଶୀଳ, ସଂସାର ପ୍ରତି
ବିରକ୍ତ ଏବଂ ଭକ୍ତିପରାୟଣା ଥିଲେ | ଥରେ ରାଜା ନିଜ ପତ୍ନୀଙ୍କ ସହିତ ଭଗବାନ ଶ୍ରୀକୃଷ୍ଣଙ୍କର
ଆରାଧନା କରିବା ଅଭିପ୍ରାୟରେ ଏକ ବର୍ଷ ଦ୍ବାଦଶୀପ୍ରଧାନ ଏକାଦଶୀ-ବ୍ରତ କରିବାର ନିୟମ ଗ୍ରହଣ କଲେ
|
ବ୍ରତାନ୍ତେ
କାର୍ତିକେ ମାସି ତ୍ରିରାତ୍ରଂ ସମୁପୋଷିତଃ ।
ସ୍ନାତଃ
କଦାଚିତ୍କାଲିନ୍ଦ୍ୟାଂ ହରିଂ ମଧୁବନେଽର୍ଚୟତ୍ ॥ ୩୦॥
ବ୍ରତର ସମାପ୍ତିରେ
କାର୍ତ୍ତିକ ମାସରେ ସେ ତିନି ରାତି ଉପବାସ କଲେ ଏବଂ ଦିନରେ ଯମୁନା ନଦୀରେ ସ୍ନାନ କରି ମଧୁବନରେ
ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କଲେ |
ମହାଭିଷେକବିଧିନା
ସର୍ୱୋପସ୍କରସମ୍ପଦା ।
ଅଭିଷିଚ୍ୟାମ୍ବରାକଲ୍ପୈର୍ଗନ୍ଧମାଲ୍ୟାର୍ହଣାଦିଭିଃ
॥ ୩୧॥
ତଦ୍ଗତାନ୍ତରଭାବେନ
ପୂଜୟାମାସ କେଶବମ୍ ।
ବ୍ରାହ୍ମଣାଂଶ୍ଚ
ମହାଭାଗାନ୍ ସିଦ୍ଧାର୍ଥାନପି ଭକ୍ତିତଃ ॥ ୩୨॥
ଗବାଂ
ରୁକ୍ମବିଷାଣୀନାଂ ରୂପ୍ୟାଙ୍ଘ୍ରୀଣାଂ ସୁବାସସାମ୍ ।
ପୟଃଶୀଲବୟୋରୂପବତ୍ସୋପସ୍କରସମ୍ପଦାମ୍
॥ ୩୩॥
ପ୍ରାହିଣୋତ୍ସାଧୁବିପ୍ରେଭ୍ୟୋ
ଗୃହେଷୁ ନ୍ୟର୍ବୁଦାନି ଷଟ୍ ।
ଭୋଜୟିତ୍ୱା
ଦ୍ୱିଜାନଗ୍ରେ ସ୍ୱାଦ୍ୱନ୍ନଂ ଗୁଣବତ୍ତମମ୍ ॥ ୩୪॥
ମହାଭିଷେକ ବିଧିରେ
ସେ ସବୁ ପ୍ରକାରର ସାମଗ୍ରୀ ଏବଂ ସମ୍ପତ୍ତି ଦ୍ବାରା ଭଗବାନଙ୍କର ଅଭିଷେକ କଲେ ଏବଂ ତନ୍ମୟ
ହୃଦୟରେ ବସ୍ତ୍ର, ଆଭୂଷଣ, ଚନ୍ଦନ, ମାଳା ଏବଂ ଅର୍ଘ୍ୟ
ଆଦି ଦ୍ବାରା ତାଙ୍କର ପୂଜା କଲେ | ଯଦିଓ ମହାଭାଗ୍ୟବାନ ବ୍ରାହ୍ମଣମାନଙ୍କର ଏହି ପୂଜାରେ କୌଣସି
ଆବଶ୍ୟକତା ନ ଥିଲା, ସ୍ବତଃ ସେମାନଙ୍କର ସବୁ
କାମନାର ପୂର୍ତ୍ତି ହୋଇ ଯାଇଥିଲା – ସେମାନେ ସିଦ୍ଧ ଥିଲେ – ତଥାପି ରାଜା ଅମ୍ବରୀଷ ଭକ୍ତିଭାବରେ
ସେମାନଙ୍କର ପୂଜନ କଲେ | ତତ୍ପଶ୍ଚାତ୍ ପ୍ରଥମେ ବ୍ରାହ୍ମଣମାନଙ୍କୁ ସ୍ବାଦିଷ୍ଟ ଏବଂ ଅତ୍ୟନ୍ତ
ଗୁଣକାରୀ ଭୋଜନ କରାଇ ସେମାନଙ୍କ ଘରକୁ ଷାଠିଏ କୋଟି ଗାଈ ସୁସଜ୍ଜିତ କରି ପ୍ରେରଣ କଲେ | ସେହି
ଗାଈମାନଙ୍କର ଶିଂଘ ସୁବର୍ଣ୍ଣ ଏବଂ ଖୁରା ରୂପାରେ ଛାଉଣି ହୋଇଥିଲା | ସେମାନଙ୍କ ଉପରେ
ସୁନ୍ଦର-ସୁନ୍ଦର ବସ୍ତ୍ର ଆଚ୍ଛାଦିତ ଥିଲା | ସବୁ ଗାଈ ଅତ୍ୟନ୍ତ ସୁଶୀଳ, ଅଳ୍ପ ବୟସର, ଦେଖିବାକୁ ସୁନ୍ଦର, ଦୁହାଁଳି ଏବଂ ଖୁବ୍ ବେଶୀ କ୍ଷୀର ଦେଉଥିଲେ |
ସେମାନଙ୍କ ସହିତ ରାଜା ସବୁ ପ୍ରକାରର ଦୋହନ-ସାମଗ୍ରୀ ମଧ୍ୟ ଦେଇଥିଲେ |
ଲବ୍ଧକାମୈରନୁଜ୍ଞାତଃ
ପାରଣାୟୋପଚକ୍ରମେ ।
ତସ୍ୟ ତର୍ହ୍ୟତିଥିଃ
ସାକ୍ଷାଦ୍ଦୁର୍ୱାସା ଭଗବାନଭୂତ୍ ॥ ୩୫॥
ବ୍ରାହ୍ମଣମାନଙ୍କୁ
ସବୁକିଛି ମିଳିଯିବା ପରେ ରାଜା ସେମାନଙ୍କର ଅନୁମତି ନେଇ ବ୍ରତ ପାରଣ କରିବାର ପ୍ରସ୍ତୁତି କଲେ |
ଏତିକିବେଳେ ଶାପ ଏବଂ ବରଦାନ ଦେବାରେ ସମର୍ଥ ସ୍ବୟଂ ଦୁର୍ବାସା ମୁନି ଅତିଥି ଭାବରେ ସେଠାରେ ଆସି
ଉପସ୍ଥିତ ହେଲେ |
ତମାନର୍ଚାତିଥିଂ
ଭୂପଃ ପ୍ରତ୍ୟୁତ୍ଥାନାସନାର୍ହଣୈଃ ।
ଯୟାଚେଽଭ୍ୟବହାରାୟ
ପାଦମୂଲମୁପାଗତଃ ॥ ୩୬॥
ତାଙ୍କୁ ଦେଖିବା
ମାତ୍ରେ ରାଜା ଅମ୍ବରୀଷ ଉଠି ଠିଆ ହୋଇଗଲେ, ଆସନ ଦାନ କରି
ତାଙ୍କୁ ବସାଇଲେ ଏବଂ ବିବିଧ ସାମଗ୍ରୀ ଦ୍ବାରା ଅତିଥିରୂପରେ ଆଗମନ କରିଥିବା ଦୁର୍ବାସା
ମୁନିଙ୍କର ପୂଜା କଲେ | ତାଙ୍କ ଚରଣରେ ପ୍ରଣାମ କରି ଅମ୍ବରୀଷ ତାଙ୍କୁ ଭୋଜନ ଗ୍ରହଣ କରିବା
ନିମନ୍ତେ ପ୍ରାର୍ଥନା କଲେ |
ପ୍ରତିନନ୍ଦ୍ୟ ସ
ତଦ୍ୟାଚ୍ଞାଂ କର୍ତୁମାବଶ୍ୟକଂ ଗତଃ ।
ନିମମଜ୍ଜ
ବୃହଦ୍ଧ୍ୟାୟନ୍ କାଲିନ୍ଦୀସଲିଲେ ଶୁଭେ ॥ ୩୭॥
ଦୁର୍ବାସା ମୁନି
ଅମ୍ବରୀଷଙ୍କର ପ୍ରାର୍ଥନା ସ୍ବୀକାର କଲେ | ଏହାପରେ ସେ ଆବଶ୍ୟକ କର୍ମରୁ ନିବୃତ୍ତ ହେବା
ନିମନ୍ତେ ନଦୀତଟକୁ ଚାଲିଗଲେ | ବ୍ରହ୍ମଙ୍କର ଧ୍ୟାନ କରି ସେ ଯମୁନାର ପବିତ୍ର ଜଳରେ ସ୍ନାନ
କରିବାରେ ଲାଗିଲେ |
ମୁହୂର୍ତାର୍ଧାବଶିଷ୍ଟାୟାଂ
ଦ୍ୱାଦଶ୍ୟାଂ ପାରଣଂ ପ୍ରତି ।
ଚିନ୍ତୟାମାସ
ଧର୍ମଜ୍ଞୋ ଦ୍ୱିଜୈସ୍ତଦ୍ଧର୍ମସଙ୍କଟେ ॥ ୩୮॥
ଏଣେ ଦ୍ବାଦଶୀ
ସମାପ୍ତ ହେବାକୁ ଆଉ ମାତ୍ର ଏକ ଘଡି ବାକି ରହିଥାଏ | ଧର୍ମଜ୍ଞ ଅମ୍ବରୀଷ ଧର୍ମ-ସଂକଟରେ ପଡି
ବ୍ରାହ୍ମଣମାନଙ୍କ ସହିତ ପରାମର୍ଶ କଲେ |
ବ୍ରାହ୍ମଣାତିକ୍ରମେ
ଦୋଷୋ ଦ୍ୱାଦଶ୍ୟାଂ ଯଦପାରଣେ ।
ଯତ୍କୃତ୍ୱା ସାଧୁ
ମେ ଭୂୟାଦଧର୍ମୋ ବା ନ ମାଂ ସ୍ପୃଶେତ୍ ॥ ୩୯॥
ସେ କହିଲେ – ହେ
ବ୍ରାହ୍ମଣଦେବତା ! ଅତିଥି ବ୍ରାହ୍ମଣଙ୍କୁ ଭୋଜନ ଦାନ ନ କରି ସ୍ବୟଂ ଭୋଜନ କରିବା ଏବଂ ଦ୍ବାଦଶୀ
ତିଥି ରହିଥିବା ସମୟରେ ବ୍ରତପାରଣ ନ କରିବା – ଉଭୟ ଦୋଷ ରୂପେ ପରିଗଣିତ ଅଟେ | ତେଣୁ ଏହି ସମୟରେ
ଯାହା କରିବା ମୋ ପାଇଁ ହିତକର ହେବ, ମୋତେ ପାପ ସ୍ପର୍ଶ
କରିବ ନାହିଁ, ମୁଁ ତାହା କରିବା ବିଧେୟ |
ଅମ୍ଭସା କେବଲେନାଥ
କରିଷ୍ୟେ ବ୍ରତପାରଣମ୍ ।
ପ୍ରାହୁରବ୍ଭକ୍ଷଣଂ
ବିପ୍ରା ହ୍ୟଶିତଂ ନାଶିତଂ ଚ ତତ୍ ॥ ୪୦॥
ତାପରେ
ବ୍ରାହ୍ମଣମାନଙ୍କ ସହିତ ବିଚାର-ବିମର୍ଷ କରି ସେ କହିଲେ – ଶ୍ରୁତିର କଥନ ଅନୁଯାୟୀ, ଜଳ ପାନ କରିବାକୁ ଗୋଟିଏ ଦୃଷ୍ଟିରେ ଭୋଜନ କୁହାଯିବ
ଏବଂ ଅନ୍ୟ ଦୃଷ୍ଟିରେ ଭୋଜନ କୁହାଯିବ ନାହିଁ | ତେଣୁ ଏହି ସମୟରେ ମୁଁ କେବଳ ଜଳ ଦ୍ବାରା ପାରଣ
କରିନେଉଛି |
ଇତ୍ୟପଃ ପ୍ରାଶ୍ୟ
ରାଜର୍ଷିଶ୍ଚିନ୍ତୟନ୍ ମନସାଚ୍ୟୁତମ୍ ।
ପ୍ରତ୍ୟଚଷ୍ଟ
କୁରୁଶ୍ରେଷ୍ଠ ଦ୍ୱିଜାଗମନମେବ ସଃ ॥ ୪୧॥
ଏପରି ନିଶ୍ଚୟ କରି, ମନେ-ମନେ ଭଗବାନଙ୍କର ସ୍ମରଣ କରି, ରାଜର୍ଷି ଅମ୍ବରୀଷ ଜଳ ପାନ କଲେ | ପରୀକ୍ଷିତ !
ଏହାପରେ ସେ କେବଳ ଦୁର୍ବାସାଙ୍କ ପ୍ରତୀକ୍ଷାରେ ବସିରହିଲେ |
ଦୁର୍ୱାସା
ଯମୁନାକୂଲାତ୍କୃତାବଶ୍ୟକ ଆଗତଃ ।
ରାଜ୍ଞାଭିନନ୍ଦିତସ୍ତସ୍ୟ
ବୁବୁଧେ ଚେଷ୍ଟିତଂ ଧିୟା ॥ ୪୨॥
ଆବଶ୍ୟକ କର୍ମରୁ
ନିବୃତ୍ତ ହୋଇ ଦୁର୍ବାସା ମୁନି ଯମୁନାତଟରୁ ଫେରି ଆସିଲେ | ରାଜା ଯେତେବେଳେ ଆଗକୁ ଯାଇ ତାଙ୍କର
ଅଭିନନ୍ଦନ କଲେ, ସେତେବେଳେ ଅନୁମାନ କରି ସେ
ଜାଣିନେଲେ ଯେ ରାଜା ଦ୍ବାଦଶୀର ପାରଣ କରି ସାରିଛନ୍ତି |
ମନ୍ୟୁନା
ପ୍ରଚଲଦ୍ଗାତ୍ରୋ ଭ୍ରୁକୁଟୀକୁଟିଲାନନଃ ।
ବୁଭୁକ୍ଷିତଶ୍ଚ
ସୁତରାଂ କୃତାଞ୍ଜଲିମଭାଷତ ॥ ୪୩॥
ସେତେବେଳେ
ଦୁର୍ବାସା ମୁନି ଅତ୍ୟନ୍ତ କ୍ଷୁଧାର୍ତ୍ତ ଥିଲେ | ରାଜା ପାରଣ କରି ସାରିଛନ୍ତି, ଏହା ଜାଣି କ୍ରୋଧରେ ତାଙ୍କର ଶରୀର ଥର-ଥର ପ୍ରକମ୍ପିତ
ହେବାରେ ଲାଗିଲା | ଭ୍ରୁକୁଟି ଉତ୍ତୋଳିତ ହୋଇ ତାଙ୍କର ମୁଖ ବିକଟ ଦେଖାଗଲା | ଅଞ୍ଜଳି ବାନ୍ଧି
ପାଖରେ ଠିଆ ହୋଇଥିବା ଅମ୍ବରୀଷଙ୍କୁ ସେ ଭର୍ତ୍ସନା କରି କହିଲେ -
ଅହୋ ଅସ୍ୟ
ନୃଶଂସସ୍ୟ ଶ୍ରିୟୋନ୍ମତ୍ତସ୍ୟ ପଶ୍ୟତ ।
ଧର୍ମବ୍ୟତିକ୍ରମଂ
ବିଷ୍ଣୋରଭକ୍ତସ୍ୟେଶମାନିନଃ ॥ ୪୪॥
‘ଦେଖ ତ, ଇଏ କେତେ ବେଶୀ କ୍ରୂର ଅଟେ ! ଧନର ମଦରେ ଇଏ ଉନ୍ମତ୍ତ
ରହିଛି | ଭଗବାନଙ୍କର ଭକ୍ତି ଲେଶମାତ୍ର ଏହାଠାରେ ନାହିଁ, ଅଥଚ ନିଜକୁ ଇଏ
ବହୁତ ବେଶୀ ସମର୍ଥ ମନେକରୁଛି | ଆଜି ଇଏ ଧର୍ମର ଉଲ୍ଲଂଘନ କରି ବହୁତ ବଡ ଅନ୍ୟାୟ କରିଛି |
ଯୋ
ମାମତିଥିମାୟାତମାତିଥ୍ୟେନ ନିମନ୍ତ୍ର୍ୟ ଚ ।
ଅଦତ୍ତ୍ୱା
ଭୁକ୍ତବାଂସ୍ତସ୍ୟ ସଦ୍ୟସ୍ତେ ଦର୍ଶୟେ ଫଲମ୍ ॥ ୪୫॥
ଦେଖ, ମୁଁ ଏହାର ଅତିଥି ଭାବରେ ଆସିଛି | ଅତିଥି-ସତ୍କାର
ଉଦ୍ଦେଶ୍ୟରେ ଇଏ ମୋତେ ନିମନ୍ତ୍ରଣ ମଧ୍ୟ କରିଥିଲା; କିନ୍ତୁ ମୋତେ ଭୋଜନ କରାଇବା ପୂର୍ବରୁ ଇଏ
ଭୋଜନ ଗ୍ରହଣ କରିନେଲା | ଏବେ ଦେଖ, ତାହାର ଫଳ ମୁଁ
ଏହାକୁ ଚଖାଉଛି |’
ଏବଂ ବ୍ରୁବାଣ
ଉତ୍କୃତ୍ୟ ଜଟାଂ ରୋଷବିଦୀପିତଃ ।
ତୟା ସ ନିର୍ମମେ
ତସ୍ମୈ କୃତ୍ୟାଂ କାଲାନଲୋପମାମ୍ ॥ ୪୬॥
ଏପରି କହି-କହି ସେ
କ୍ରୋଧରେ ଜଳିବାରେ ଲାଗିଲେ | କ୍ରୋଧାବେଶରେ ନିଜର ଏକ ଜଟ ଉପାଡି, ଅମ୍ବରୀଷଙ୍କୁ ମାରିବା ଉଦ୍ଦେଶ୍ୟରେ ତହିଁରୁ ଏକ
କୃତ୍ୟ ଉତ୍ପନ୍ନ କଲେ | ପ୍ରଳୟକାଳୀନ ଅଗ୍ନି ପରି ତାହା ଦହକିବାରେ ଲାଗିଥିଲା |
ତାମାପତନ୍ତୀଂ
ଜ୍ୱଲତୀମସିହସ୍ତାଂ ପଦା ଭୁବମ୍ ।
ବେପୟନ୍ତୀଂ
ସମୁଦ୍ୱୀକ୍ଷ୍ୟ ନ ଚଚାଲ ପଦାନ୍ନୃପଃ ॥ ୪୭॥
ପ୍ରଜ୍ବଳିତ ଅଗ୍ନି
ପରି ଦେଖା ଯାଉଥିବା ସେହି କୃତ୍ୟ ହାତରେ ତରବାରୀ ଧରି ରାଜା ଅମ୍ବରୀଷଙ୍କ ଉପରକୁ ଲମ୍ପ ଦେଲା |
ସେହି ସମୟରେ ତା’ର ପଦପାତରେ ପୃଥିବୀ ଥରି
ଉଠିଲା, କିନ୍ତୁ ରାଜା ଅମ୍ବରୀଷ ତାକୁ ଦେଖି କିଂଚିତ୍ ବି
ବିଚଳିତ ହେଲେ ନାହିଁ | ସେ ଗୋଟିଏ ପାଦ ବି ପଛକୁ ନ ଘୁଞ୍ଚି ଯେଉଁଠି-ସେଇଠି ଠିଆ ହୋଇ ରହିଲେ |
ପ୍ରାଗ୍ଦିଷ୍ଟଂ
ଭୃତ୍ୟରକ୍ଷାୟାଂ ପୁରୁଷେଣ ମହାତ୍ମନା ।
ଦଦାହ କୃତ୍ୟାଂ ତାଂ
ଚକ୍ରଂ କ୍ରୁଦ୍ଧାହିମିବ ପାବକଃ ॥ ୪୮॥
ନିଜ ସେବକର ରକ୍ଷା
ନିମନ୍ତେ ପରମପୁରୁଷ ପରମାତ୍ମା ବହୁ ପୂର୍ବରୁ ହିଁ ସୁଦର୍ଶନ ଚକ୍ରକୁ ନିଯୁକ୍ତ କରି ରଖିଥିଲେ |
କ୍ରୋଧରେ ଫୁତ୍କାର କରୁଥିବା ସର୍ପକୁ ଅଗ୍ନି ଜାଳି ଭସ୍ମ କରିଦେବା ପରି, ଦୁର୍ବାସାଙ୍କର କୃତ୍ୟକୁ ସୁଦର୍ଶନ ଚକ୍ର ନିମିଷକରେ
ଜାଳି ଭସ୍ମ କରିଦେଲା |
ତଦଭିଦ୍ରବଦୁଦ୍ୱୀକ୍ଷ୍ୟ
ସ୍ୱପ୍ରୟାସଂ ଚ ନିଷ୍ଫଲମ୍ ।
ଦୁର୍ୱାସା
ଦୁଦ୍ରୁବେ ଭୀତୋ ଦିକ୍ଷୁ ପ୍ରାଣପରୀପ୍ସୟା ॥ ୪୯॥
ଦୁର୍ବାସା ଦେଖିଲେ
ଯେ ତାଙ୍କ ଦ୍ବାରା ଉତ୍ପନ୍ନ କୃତ୍ୟକୁ ଭସ୍ମ କରିବା ପରେ ଚକ୍ର ଏବେ ତାଙ୍କ ଅଭିମୁଖରେ ଧାଇଁ
ଆସୁଛି | ଭୟଭୀତ ହୋଇ ସେ ନିଜର ପ୍ରାଣରକ୍ଷା ଉଦ୍ଦେଶ୍ୟରେ ସେଠାରୁ ଧାଇଁ ପଳାଇଲେ |
ତମନ୍ୱଧାବଦ୍ଭଗବଦ୍ରଥାଙ୍ଗଂ
ଦାବାଗ୍ନିରୁଦ୍ଧୂତଶିଖୋ
ଯଥାହିମ୍ ।
ତଥାନୁଷକ୍ତଂ
ମୁନିରୀକ୍ଷମାଣୋ
ଗୁହାଂ ବିବିକ୍ଷୁଃ
ପ୍ରସସାର ମେରୋଃ ॥ ୫୦॥
ଲେଲିହାନ ଶିଖା
ଉତ୍ପନ୍ନ କରି ଦାବାନଳ ସର୍ପର ଅନୁଧାବନ କରିବା ପରି ଭଗବାନଙ୍କର ଚକ୍ର ଦୁର୍ବାସାଙ୍କର ଅନୁଧାବନ
କରିବାରେ ଲାଗିଲା | ଦୁର୍ବାସା ଯେତେବେଳେ ଦେଖିଲେ ଯେ ଚକ୍ର ତାଙ୍କର ପିଛା ଛାଡୁନାହିଁ,
ସେତେବେଳେ ସୁମେରୁ ପର୍ବତର ଗୁମ୍ପାରେ ପ୍ରବେଶ କରି ପ୍ରାଣରକ୍ଷା କରିବା ପାଇଁ ସେ ଉତ୍ତର ଦିଗରେ
ଧାଇଁଲେ |
ଦିଶୋ ନଭଃ କ୍ଷ୍ମାଂ
ବିବରାନ୍ ସମୁଦ୍ରାନ୍
ଲୋକାନ୍
ସପାଲାଂସ୍ତ୍ରିଦିବଂ ଗତଃ ସଃ ।
ଯତୋ ଯତୋ ଧାବତି
ତତ୍ର ତତ୍ର
ସୁଦର୍ଶନଂ
ଦୁଷ୍ପ୍ରସହଂ ଦଦର୍ଶ ॥ ୫୧॥
ଏହିପରି ଭାବରେ
ଦୁର୍ବାସା ମୁନି ସମସ୍ତ ଦିଶା, ଆକାଶ, ପୃଥିବୀ, ଅଟଳ-ବିତଳ ଆଦି
ନିମ୍ନଲୋକ, ସମୁଦ୍ର, ଲୋକପାଳମାନଙ୍କ ଦ୍ବାରା ସୁରକ୍ଷିତ ସମସ୍ତ ଲୋକ, ଏପରିକି ସ୍ବର୍ଗଲୋକ ପର୍ଯ୍ୟନ୍ତ ଧାଇଁଗଲେ | କିନ୍ତୁ
ଯେଉଁଠିକୁ ସେ ଗଲେ, ସେଠାରେ ସେ ଦେଖିବାକୁ
ପାଇଲେ ଯେ ଅସହ୍ୟ ତେଜବିଶିଷ୍ଟ ସୁଦର୍ଶନ ଚକ୍ର ତାଙ୍କର ପଶ୍ଚାତ୍ ଧାବନ କରୁଛି |
ଅଲବ୍ଧନାଥଃ ସ ଯଦା
କୁତଶ୍ଚିତ୍
ସନ୍ତ୍ରସ୍ତଚିତ୍ତୋଽରଣମେଷମାଣଃ
।
ଦେବଂ ବିରିଞ୍ଚଂ
ସମଗାଦ୍ୱିଧାତ-
ସ୍ତ୍ରାହ୍ୟାତ୍ମୟୋନେଽଜିତତେଜସୋ
ମାମ୍ ॥ ୫୨॥
କେଉଁଠାରେ ବି
ଯେତେବେଳେ ତାଙ୍କୁ କେହି ରକ୍ଷକ ମିଳିଲେ ନାହିଁ, ସେତେବେଳେ ସେ
ବହୁତ ଡରିଗଲେ | ନିଜ ପାଇଁ ରକ୍ଷକର ଅନ୍ବେଷଣରେ ସେ ଦେବଶିରୋମଣି ବ୍ରହ୍ମାଙ୍କ ପାଖକୁ ଯାଇ
କହିଲେ – ହେ ବ୍ରହ୍ମା ! ଆପଣ ସ୍ବୟମ୍ଭୂ ଅଟନ୍ତି | ଭଗବାନଙ୍କର ଏହି ତେଜୋମୟ ଚକ୍ର କବଳରୁ ଆପଣ
ମୋତେ ରକ୍ଷା କରନ୍ତୁ |
ବ୍ରହ୍ମୋବାଚ
ସ୍ଥାନଂ ମଦୀୟଂ
ସହବିଶ୍ୱମେତ-
ତ୍କ୍ରୀଡାବସାନେ
ଦ୍ୱିପରାର୍ଧସଞ୍ଜ୍ଞେ ।
ଭ୍ରୂଭଙ୍ଗମାତ୍ରେଣ
ହି ସନ୍ଦିଧକ୍ଷୋଃ
କାଲାତ୍ମନୋ ଯସ୍ୟ
ତିରୋଭବିଷ୍ୟତି ॥ ୫୩॥
ବ୍ରହ୍ମା କହିଲେ – ମୋର
ଦୁଇ ପରାର୍ଧବିଶିଷ୍ଟ ଆୟୁ ଯେତେବେଳେ ସମାପ୍ତ ହୋଇଯିବ ଏବଂ କାଳସ୍ବରୂପ ଭଗବାନ ନିଜର
ସୃଷ୍ଟିଲୀଳାକୁ ଏକତ୍ରିତ କରି ଜଗତକୁ ଜଳାଇବାକୁ ଇଚ୍ଛା କରିବେ, ସେତେବେଳେ ତାଙ୍କର ଭ୍ରୁକୁଞ୍ଚନମାତ୍ରେ ସାରା ସଂସାର
ସହିତ ମୋର ଏହି ଲୋକ ମଧ୍ୟ ଲୀନ ହୋଇଯିବ |
ଅହଂ ଭବୋ
ଦକ୍ଷଭୃଗୁପ୍ରଧାନାଃ
ପ୍ରଜେଶଭୂତେଶସୁରେଶମୁଖ୍ୟାଃ
।
ସର୍ୱେ ବୟଂ
ଯନ୍ନିୟମଂ ପ୍ରପନ୍ନାଃ
ମୂର୍ଧ୍ନ୍ୟର୍ପିତଂ
ଲୋକହିତଂ ବହାମଃ ॥ ୫୪॥
ଯାହାର ନିୟମରେ
ବନ୍ଧା ହୋଇ ତଥା ଯାହାର ଆଜ୍ଞା ଶିରୋଧାର୍ଯ୍ୟ କରି ମୁଁ, ଶଂକର, ଦକ୍ଷ-ଭୃଗୁ
ଆଦି ପ୍ରଜାପତି, ଦେବେଶ୍ବର, ଭୂତେଶ୍ବର ଆଦି ଏହି ସଂସାରର ହିତ କରିଥାଉ, (ତାଙ୍କର ଭକ୍ତଦ୍ରୋହୀକୁ ରକ୍ଷା କରିବାକୁ ଆମ୍ଭେମାନେ
ସମର୍ଥ ନୋହୁଁ |)
ପ୍ରତ୍ୟାଖ୍ୟାତୋ
ବିରିଞ୍ଚେନ ବିଷ୍ଣୁଚକ୍ରୋପତାପିତଃ ।
ଦୁର୍ୱାସାଃ ଶରଣଂ
ଯାତଃ ଶର୍ୱଂ କୈଲାସବାସିନମ୍ ॥ ୫୫॥
ବ୍ରହ୍ମାଜୀଙ୍କର
ଏପରି ନୈରାଶ୍ୟପୂର୍ଣ୍ଣ ବାଣୀ ଶୁଣି, ଭଗବାନଙ୍କ ଚକ୍ର
ଦ୍ବାରା ସଂତପ୍ତ ଦୁର୍ବାସା ମୁନି କୈଳାଶବାସୀ ଭଗବାନ ଶଂକରଙ୍କ ଶରଣରେ ଗଲେ |
ଶ୍ରୀରୁଦ୍ର ଉବାଚ
ବୟଂ ନ ତାତ
ପ୍ରଭବାମ ଭୂମ୍ନି
ଯସ୍ମିନ୍
ପରେଽନ୍ୟେଽପ୍ୟଜଜୀବକୋଶାଃ ।
ଭବନ୍ତି କାଲେ ନ
ଭବନ୍ତି ହୀଦୃଶାଃ
ସହସ୍ରଶୋ ଯତ୍ର ବୟଂ
ଭ୍ରମାମଃ ॥ ୫୬॥
ଶ୍ରୀମହାଦେବ କହିଲେ
- ହେ ଦୁର୍ବାସା ! ଯେଉଁ ଅନନ୍ତ ପରମେଶ୍ବରଙ୍କ
ମଧ୍ୟରେ ବ୍ରହ୍ମାଙ୍କ ପରି ଜୀବ ଏବଂ ତାଙ୍କର ଉପାଧିଭୂତ କୋଶ ଏହି ବ୍ରହ୍ମାଣ୍ଡ ପରି ଅନେକ
ବ୍ରହ୍ମାଣ୍ଡ ଉତ୍ପନ୍ନ ହୋଇଥାଆନ୍ତି ଏବଂ ସମୟ ଆସିଲେ ସେମାନଙ୍କର ସତ୍ତା ମଧ୍ୟ ରହେନାହିଁ, ଆମ୍ଭମାନଙ୍କ ପରି ହଜାର-ହଜାର ବିଭୂତି ଯାହା ମଧ୍ୟରେ
ଘୂରି ବୁଲୁଥାଆନ୍ତି – ସେହି ପ୍ରଭୁଙ୍କ ସମ୍ବନ୍ଧିତ କିଛି କରିବାର ସାମର୍ଥ୍ୟ ଆମ୍ଭମାନଙ୍କର
ନାହିଁ |
ଅହଂ ସନତ୍କୁମାରଶ୍ଚ
ନାରଦୋ ଭଗବାନଜଃ ।
କପିଲୋଽପାନ୍ତରତମୋ
ଦେବଲୋ ଧର୍ମ ଆସୁରିଃ ॥ ୫୭॥
ମରୀଚିପ୍ରମୁଖାଶ୍ଚାନ୍ୟେ
ସିଦ୍ଧେଶାଃ ପାରଦର୍ଶନାଃ ।
ବିଦାମ ନ ବୟଂ
ସର୍ୱେ ଯନ୍ମାୟାଂ ମାୟଯାବୃତାଃ ॥ ୫୮॥
ମୁଁ, ସନତ୍-କୁମାର, ନାରଦ, ଭଗବାନ ବ୍ରହ୍ମା, କପିଳଦେବ, ଦେବଳ,
ଆସୁରୀ ତଥା ମରୀଚି ଆଦି ଅନ୍ୟ ସର୍ବଜ୍ଞ ସିଦ୍ଧେଶ୍ବର – ଆମ୍ଭମାନଙ୍କ ମଧ୍ୟରୁ କେହି ମଧ୍ୟ
ଭଗବାନଙ୍କର ମାୟାକୁ ଜାଣିପାରନ୍ତି ନାହିଁ | କାରଣ ଆମେ ସମସ୍ତେ ତାଙ୍କ ମାୟାର ଘେରରେ ଆବଦ୍ଧ
ରହିଛୁ |
ତସ୍ୟ
ବିଶ୍ୱେଶ୍ୱରସ୍ୟେଦଂ ଶସ୍ତ୍ରଂ ଦୁର୍ୱିଷହଂ ହି ନଃ ।
ତମେବଂ ଶରଣଂ ଯାହି
ହରିସ୍ତେ ଶଂ ବିଧାସ୍ୟତି ॥ ୫୯॥
ଏହି ଚକ୍ର ସେହି
ବିଶ୍ବେଶ୍ବରଙ୍କର ଶସ୍ତ୍ର ଅଟେ | ଏହା ଆମ୍ଭମାନଙ୍କ ପାଇଁ ମଧ୍ୟ ଅସହ୍ୟ ଅଟେ | ତୁମେ ତାଙ୍କ
ଶରଣରେ ଯାଅ; ସେହି ଭଗବାନ ହିଁ ତୁମର
ମଙ୍ଗଳ କରିବେ |
ତତୋ ନିରାଶୋ
ଦୁର୍ୱାସାଃ ପଦଂ ଭଗବତୋ ଯୟୌ ।
ବୈକୁଣ୍ଠାଖ୍ୟଂ
ଯଦଧ୍ୟାସ୍ତେ ଶ୍ରୀନିବାସଃ ଶ୍ରିୟା ସହ ॥ ୬୦॥
ସେଠାରୁ ମଧ୍ୟ
ନିରାଶ ହୋଇ ଦୁର୍ବାସା ଭଗବାନଙ୍କର ପରମଧାମ ବୈକୁଣ୍ଠକୁ ଗଲେ | ଲକ୍ଷ୍ମୀପତି ଭଗବାନ ସେଠାରେ
ଲକ୍ଷ୍ମୀଙ୍କ ସହିତ ନିବାସ କରନ୍ତି |
ସନ୍ଦହ୍ୟମାନୋଽଜିତଶସ୍ତ୍ରବହ୍ନିନା
ତତ୍ପାଦମୂଲେ ପତିତଃ
ସବେପଥୁଃ ।
ଆହାଚ୍ୟୁତାନନ୍ତ
ସଦୀପ୍ସିତ ପ୍ରଭୋ
କୃତାଗସଂ ମାବ ହି
ବିଶ୍ୱଭାବନ ॥ ୬୧॥
ଦୁର୍ବାସା ମୁନି
ଭଗବାନଙ୍କ ଚକ୍ରର ଅଗ୍ନିଜ୍ବାଳାରେ ଦଗ୍ଧ ହେବାରେ ଲାଗିଥିଲେ | ସେ ଥରି-ଥରି ଭଗବାନଙ୍କ ଚରଣରେ
ଲୋଟିଗଲେ | ସେ କହିଲେ – ହେ ଅଚ୍ୟୁତ ! ହେ ଅନନ୍ତ ! ଆପଣ ସନ୍ଥମାନଙ୍କର ଏକମାତ୍ର ବାଞ୍ଛନୀୟ
ଅଟନ୍ତି | ପ୍ରଭୁ ! ବିଶ୍ବର ଜୀବନଦାତା ! ମୁଁ ଅପରାଧୀ ଅଟେ | ଆପଣ ମୋତେ ରକ୍ଷା କରନ୍ତୁ |
ଅଜାନତା ତେ
ପରମାନୁଭାବଂ
କୃତଂ ମୟାଘଂ ଭବତଃ
ପ୍ରିୟାଣାମ୍ ।
ବିଧେହି
ତସ୍ୟାପଚିତିଂ ବିଧାତ-
ର୍ମୁଚ୍ୟେତ
ଯନ୍ନାମ୍ନ୍ୟୁଦିତେ ନାରକୋଽପି ॥ ୬୨॥
ଆପଣଙ୍କ ପରମ
ପ୍ରଭାବ ଜାଣି ନ ଥିବା କାରଣରୁ ମୁଁ ଆପଣଙ୍କର ପ୍ରିୟ ଭକ୍ତଙ୍କ ପ୍ରତି ଅପରାଧ କରିଦେଇଛି |
ପ୍ରଭୁ ! ଆପଣ ମୋତେ ବଞ୍ଚାନ୍ତୁ | ଆପଣଙ୍କ ନାମର ଉଚ୍ଚାରଣ ମାତ୍ରେ ତ ନାରକୀ ଜୀବ ମଧ୍ୟ ମୁକ୍ତ
ହୋଇଯାଆନ୍ତି |
ଶ୍ରୀଭଗବାନୁବାଚ
ଅହଂ ଭକ୍ତପରାଧୀନୋ
ହ୍ୟସ୍ୱତନ୍ତ୍ର ଇବ ଦ୍ୱିଜ ।
ସାଧୁଭିର୍ଗ୍ରସ୍ତହୃଦୟୋ
ଭକ୍ତୈର୍ଭକ୍ତଜନପ୍ରିୟଃ ॥ ୬୩॥
ଶ୍ରୀଭଗବାନ କହିଲେ –
ହେ ଦୁର୍ବାସା ! ମୁଁ ତ ସର୍ବତୋ ଭାବରେ ଭକ୍ତମାନଙ୍କର ଅଧୀନସ୍ତ ଅଟେ | ସ୍ବତନ୍ତ୍ରତାର
ନାମ-ଗନ୍ଧ ସୁଦ୍ଧା ମୋଠାରେ ନାହିଁ | ମୋର ସରଳ ନିଷ୍କପଟ ଭକ୍ତମାନେ ମୋ ହୃଦୟକୁ ନିଜ ହାତମୁଠାରେ
ରଖିଛନ୍ତି | ସେହି ଭକ୍ତଜନ ମୋତେ ଭଲପାଆନ୍ତି ଏବଂ ମୁଁ ସେମାନଙ୍କୁ ଭଲପାଏ |
ନାହମାତ୍ମାନମାଶାସେ
ମଦ୍ଭକ୍ତୈଃ ସାଧୁଭିର୍ୱିନା ।
ଶ୍ରିୟଂ
ଚାତ୍ୟନ୍ତିକୀଂ ବ୍ରହ୍ମନ୍ ଯେଷାଂ ଗତିରହଂ ପରା ॥ ୬୪॥
ବ୍ରହ୍ମନ୍ ! ମୋ
ଭକ୍ତମାନଙ୍କର ଏକମାତ୍ର ଆଶ୍ରୟ ମୁଁ ହିଁ ଅଟେ | ତେଣୁ ମୋର ସେହି ସାଧୁସ୍ବଭାବ ଭକ୍ତଙ୍କ ବ୍ୟତିତ
ମୁଁ ନିଜକୁ ଚାହେଁନାହିଁ କି ମୋର ନିତ୍ୟ ଅର୍ଦ୍ଧାଙ୍ଗିନୀ ଲକ୍ଷ୍ମୀଙ୍କୁ ମଧ୍ୟ ଚାହେଁନାହିଁ |
ଯେ
ଦାରାଗାରପୁତ୍ରାପ୍ତାନ୍ ପ୍ରାଣାନ୍ ବିତ୍ତମିମଂ ପରମ୍ ।
ହିତ୍ୱା ମାଂ ଶରଣଂ
ଯାତାଃ କଥଂ ତାଂସ୍ତ୍ୟକ୍ତୁମୁତ୍ସହେ ॥ ୬୫॥
ଯେଉଁ ଭକ୍ତ ସ୍ତ୍ରୀ, ପୁତ୍ର, ଗୃହ, ଗୁରୁଜନ, ପ୍ରାଣ, ଧନ, ଇହଲୋକ ଏବଂ ପରଲୋକ
– ସବୁକିଛି ତ୍ୟାଗ କରି ଏକମାତ୍ର ମୋର ଶରଣ ଗ୍ରହଣ କରିଥାଆନ୍ତି, ତାଙ୍କୁ ତ୍ୟାଗ କରିବାର ସଂକଳ୍ପ ଭଲା ମୁଁ କିପରି କରିପାରିବି
?
ମୟି
ନିର୍ବଦ୍ଧହୃଦୟାଃ ସାଧବଃ ସମଦର୍ଶନାଃ ।
ବଶୀକୁର୍ୱନ୍ତି ମାଂ
ଭକ୍ତ୍ୟା ସତ୍ସ୍ତ୍ରିୟଃ ସତ୍ପତିଂ ଯଥା ॥ ୬୬॥
ସତୀ ସ୍ତ୍ରୀ
ପତିବ୍ରତ ଧର୍ମ ବଳରେ ନିଜର ସଦାଚାରୀ ପତିଙ୍କୁ ବଶୀଭୂତ କରି ରଖିବା ପରି, ମୋ ସହିତ ନିଜ ହୃଦୟକୁ
ପ୍ରେମ-ବନ୍ଧନରେ ବାନ୍ଧି ରଖିଥିବା ସମଦର୍ଶୀ ସାଧୁମାନେ ନିଜ ଭକ୍ତି ବଳରେ ମୋତେ ବଶୀଭୂତ
କରିନିଅନ୍ତି |
ମତ୍ସେବୟା ପ୍ରତୀତଂ
ଚ ସାଲୋକ୍ୟାଦିଚତୁଷ୍ଟୟମ୍ ।
ନେଚ୍ଛନ୍ତି ସେବୟା
ପୂର୍ଣାଃ କୁତୋଽନ୍ୟତ୍କାଲବିଦ୍ରୁତମ୍ ॥ ୬୭॥
ମୋର ଅନନ୍ୟପ୍ରେମୀ ଭକ୍ତ
ସେବାରେ ହିଁ ନିଜକୁ ପରିପୂର୍ଣ୍ଣ ଏବଂ କୃତକୃତ୍ୟ ମନେ କରିଥାଆନ୍ତି | ମୋ ସେବାର ଫଳସ୍ବରୂପ
ଯେତେବେଳେ ସେମାନଙ୍କୁ ସାଲୋକ୍ୟ, ସାରୂପ୍ୟ ଆଦି
ମୁକ୍ତି ପ୍ରାପ୍ତ ହୋଇଥାଏ, ସେମାନେ ତାହାକୁ
ମଧ୍ୟ ସ୍ବୀକାର କରିବାକୁ ଇଚ୍ଛା କରନ୍ତି ନାହିଁ; ସେଠାରେ ସମୟକ୍ରମେ
ନଷ୍ଟ ହୋଇ ଯାଉଥିବା ବସ୍ତୁମାନଙ୍କ ବିଷୟରେ କ’ଣ କହିବା |
ସାଧବୋ ହୃଦୟଂ
ମହ୍ୟଂ ସାଧୂନାଂ ହୃଦୟଂ ତ୍ୱହମ୍ ।
ମଦନ୍ୟତ୍ତେ ନ
ଜାନନ୍ତି ନାହଂ ତେଭ୍ୟୋ ମନାଗପି ॥ ୬୮॥
ହେ ଦୁର୍ବାସା !
ମୁଁ ଆପଣଙ୍କୁ ଅଧିକ କ’ଣ କହିବି, ମୋର ପ୍ରେମୀ
ଭକ୍ତମାନେ ତ ମୋର ହୃଦୟ ଅଟନ୍ତି ଏବଂ ସେମାନଙ୍କର ହୃଦୟ ସ୍ବୟଂ ମୁଁ ଅଟେ | ମୋ ବ୍ୟତିତ ସେମାନେ
ଆଉ କିଛି ଜାଣନ୍ତି ନାହିଁ ଏବଂ ମୁଁ ମଧ୍ୟ ସେମାନଙ୍କ ଅତିରିକ୍ତ ଆଉ କାହାକୁ ଜାଣେନାହିଁ |
ଉପାୟଂ କଥୟିଷ୍ୟାମି
ତବ ବିପ୍ର ଶୃଣୁଷ୍ୱ ତତ୍ ।
ଅୟଂ
ହ୍ୟାତ୍ମାଭିଚାରସ୍ତେ ଯତସ୍ତଂ ଯାତୁ ବୈ ଭବାନ୍ ।
ସାଧୁଷୁ ପ୍ରହିତଂ
ତେଜଃ ପ୍ରହର୍ତୁଃ କୁରୁତେଽଶିବମ୍ ॥ ୬୯॥
ହେ ଦୁର୍ବାସା !
ମୁଁ ଆପଣଙ୍କୁ ଗୋଟିଏ ଉପାୟ ନିର୍ଦ୍ଦେଶ କରୁଛି | ଯାହାର ଅନିଷ୍ଟ କରିଥିବା କାରଣରୁ ଆପଣଙ୍କୁ
ଏହି ବିପତ୍ତିର ସମ୍ମୁଖୀନ ହେବାକୁ ପଡିଛି, ଆପଣ ତାଙ୍କ ପାଖକୁ
ଯାଆନ୍ତୁ | ନିରପରାଧ ସାଧୁମାନଙ୍କର ଅନିଷ୍ଟ କରିବାର ଚେଷ୍ଟା ଯୋଗୁଁ ଅନିଷ୍ଟକାରୀର ଅମଙ୍ଗଳ ହିଁ
ହୋଇଥାଏ |
ତପୋ ବିଦ୍ୟା ଚ
ବିପ୍ରାଣାଂ ନିଃଶ୍ରେୟସକରେ ଉଭେ ।
ତ ଏବ
ଦୁର୍ୱିନୀତସ୍ୟ କଲ୍ପେତେ କର୍ତୁରନ୍ୟଥା ॥ ୭୦॥
ଏଥିରେ ସନ୍ଦେହ
ନାହିଁ ଯେ ବ୍ରାହ୍ମଣମାନଙ୍କର ତପସ୍ୟା ଏବଂ ବିଦ୍ୟା ସେମାନଙ୍କ ପରମ କଲ୍ୟାଣର ସାଧନ ଅଟେ |
କିନ୍ତୁ ବ୍ରାହ୍ମଣ ଯଦି ଉଦ୍ଦଣ୍ଡ ଏବଂ ଅନ୍ୟାୟୀ ହୁଅନ୍ତି, ତେବେ ସେହି ଦୁଇଟି
ସାଧନ ସେମାନଙ୍କୁ ବିପରୀତ ଫଳ ଦେଇଥାଆନ୍ତି |
ବ୍ରହ୍ମଂସ୍ତଦ୍ଗଚ୍ଛ
ଭଦ୍ରଂ ତେ ନାଭାଗତନୟଂ ନୃପମ୍ ।
କ୍ଷମାପୟ ମହାଭାଗଂ
ତତଃ ଶାନ୍ତିର୍ଭବିଷ୍ୟତି ॥ ୭୧॥
ହେ ଦୁର୍ବାସା !
ଆପଣଙ୍କର କଲ୍ୟାଣ ହେଉ | ଆପଣ ନାଭାଗନନ୍ଦନ ପରମ ଭାଗ୍ୟଶାଳୀ ରାଜା ଅମ୍ବରୀଷଙ୍କ ପାଖକୁ ଯାଇ
ତାଙ୍କଠାରୁ କ୍ଷମା ଯାଚନା କରନ୍ତୁ; ତେବେଯାଇଁ
ଆପଣଙ୍କୁ ଶାନ୍ତି ମିଳିବ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ଅମ୍ବରୀଷଚରିତେ ଚତୁର୍ଥୋଽଧ୍ୟାୟଃ ॥ ୪॥

Comments
Post a Comment