ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ପଞ୍ଚମ ଅଧ୍ୟାୟ

ଦୁର୍ବାସାଙ୍କର ଦୁଃଖନିବୃତ୍ତି

 

ଶ୍ରୀଶୁକ ଉବାଚ

ଏବଂ ଭଗବତାଽଽଦିଷ୍ଟୋ ଦୁର୍ୱାସାଶ୍ଚକ୍ରତାପିତଃ ।

ଅମ୍ବରୀଷମୁପାବୃତ୍ୟ ତତ୍ପାଦୌ ଦୁଃଖିତୋଽଗ୍ରହୀତ୍ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନଙ୍କର ଏପରି ଆଜ୍ଞା ଶୁଣି, ସୁଦର୍ଶନ ଚକ୍ରର ଜ୍ବାଳାରେ ଦଗ୍ଧ ହେଉଥିବା ଦୁର୍ବାସା ମୁନି ରାଜା ଅମ୍ବରୀଷଙ୍କ ପାଖକୁ ଫେରି ଆସିଲେ ଏବଂ ଅତିଶୟ ଦୁଃଖରେ ରାଜାଙ୍କର ପାଦ ତଳେ ପଡିଗଲେ |

ତସ୍ୟ ସୋଦ୍ୟମନଂ ବୀକ୍ଷ୍ୟ ପାଦସ୍ପର୍ଶବିଲଜ୍ଜିତଃ ।

ଅସ୍ତାବୀତ୍ତଦ୍ଧରେରସ୍ତ୍ରଂ କୃପୟା ପୀଡିତୋ ଭୃଶମ୍ ॥ ୨॥

ଦୁର୍ବାସାଙ୍କର ଏତାଦୃଶ ଅବସ୍ଥା ଦେଖି ଏବଂ ସେ ତାଙ୍କର ଚରଣ ଧରିବାକୁ ଚେଷ୍ଟା କରୁଥିବା ଦେଖି ରାଜା ଅମ୍ବରୀଷ ଲଜ୍ଜିତ ହୋଇ ଭଗବାନଙ୍କ ଚକ୍ରର ସ୍ତୁତି କରିବାରେ ଲାଗିଲେ | ସେହି ସମୟରେ ତାଙ୍କର ଚିତ୍ତ ଦୟାରେ ଦ୍ରବୀଭୂତ ହୋଇ ଅତ୍ୟନ୍ତ ପୀଡିତ ହେଉଥିଲା |

ଅମ୍ବରୀଷ ଉବାଚ

ତ୍ୱମଗ୍ନିର୍ଭଗବାନ୍ ସୂର୍ୟସ୍ତ୍ୱଂ ସୋମୋ ଜ୍ୟୋତିଷାଂ ପତିଃ ।

ତ୍ୱମାପସ୍ତ୍ୱଂ କ୍ଷିତିର୍ୱ୍ୟୋମ ବାୟୁର୍ମାତ୍ରେନ୍ଦ୍ରିୟାଣି ଚ ॥ ୩॥

ଅମ୍ବରୀଷ କହିଲେ – ପ୍ରଭୁ ସୁଦର୍ଶନ ! ଆପଣ ସାକ୍ଷାତ୍ ଅଗ୍ନିସ୍ବରୂପ ଅଟନ୍ତି | ଆପଣ ହିଁ ପରମ ସମର୍ଥ ସୂର୍ଯ୍ୟ ଅଟନ୍ତି | ସମଗ୍ର ନକ୍ଷତ୍ରମଣ୍ଡଳର ଅଧିପତି ଚନ୍ଦ୍ରମା ମଧ୍ୟ ଆପଣଙ୍କର ହିଁ ସ୍ବରୂପ ଅଟନ୍ତି | ଜଳ, ପୃଥିବୀ, ଆକାଶ, ବାୟୁ, ପଞ୍ଚତନ୍ମାତ୍ରା ଏବଂ ସମ୍ପୂର୍ଣ୍ଣ ଇନ୍ଦ୍ରିୟରୂପରେ ଆପଣ ହିଁ ରହିଛନ୍ତି |

ସୁଦର୍ଶନ ନମସ୍ତୁଭ୍ୟଂ ସହସ୍ରାରାଚ୍ୟୁତପ୍ରିୟ ।

ସର୍ୱାସ୍ତ୍ରଘାତିନ୍ ବିପ୍ରାୟ ସ୍ୱସ୍ତି ଭୂୟା ଇଡସ୍ପତେ ॥ ୪॥

ଭଗବାନଙ୍କର ପ୍ରିୟ, ଏକ ହଜାର ଦନ୍ତବିଶିଷ୍ଟ ହେ ଚକ୍ରଦେବ ! ମୁଁ ଆପଣଙ୍କୁ ନମସ୍କାର କରୁଛି | ସମସ୍ତ ଅସ୍ତ୍ର-ଶସ୍ତ୍ରକୁ ପରାଭୂତ କରୁଥିବା ହେ ପୃଥିବୀର ରକ୍ଷକ ! ଆପଣ ଏହି ବ୍ରାହ୍ମଣଙ୍କୁ ରକ୍ଷା କରନ୍ତୁ |

ତ୍ୱଂ ଧର୍ମସ୍ତ୍ୱମୃତଂ ସତ୍ୟଂ ତ୍ୱଂ ଯଜ୍ଞୋଽଖିଲୟଜ୍ଞଭୁକ୍ ।

ତ୍ୱଂ ଲୋକପାଲଃ ସର୍ୱାତ୍ମା ତ୍ୱଂ ତେଜଃ ପୌରୁଷଂ ପରମ୍ ॥ ୫॥

ଆପଣ ହିଁ ଧର୍ମ ଅଟନ୍ତି, ମଧୁର ଏବଂ ସତ୍ୟ ବାଣୀ ଅଟନ୍ତି; ସମସ୍ତ ଯଜ୍ଞର ଅଧିପତି ଅଟନ୍ତି ଏବଂ ସ୍ବୟଂ ଯଜ୍ଞ ମଧ୍ୟ ଆପଣ ଅଟନ୍ତି | ଆପଣ ସମସ୍ତ ଲୋକର ରକ୍ଷକ ଏବଂ ସର୍ବଲୋକସ୍ବରୂପ ତଥା ଆପଣ ପରମପୁରୁଷ ପରମାତ୍ମାଙ୍କର ଶ୍ରେଷ୍ଠ ତେଜ ଅଟନ୍ତି |

ନମଃ ସୁନାଭାଖିଲଧର୍ମସେତବେ

ହ୍ୟଧର୍ମଶୀଲାସୁରଧୂମକେତବେ ।

ତ୍ରୈଲୋକ୍ୟଗୋପାୟ ବିଶୁଦ୍ଧବର୍ଚସେ

ମନୋଜବାୟାଦ୍ଭୁତକର୍ମଣେ ଗୃଣେ ॥ ୬॥

ସୁନାଭ ! ଆପଣ ସମସ୍ତ ଧର୍ମମର୍ଯ୍ୟାଦାର ରକ୍ଷକ ଅଟନ୍ତି | ଅଧର୍ମ ଆଚରଣ କରୁଥିବା ଅସୁରମାନଙ୍କୁ ଭସ୍ମ କରିବା ପାଇଁ ଆପଣ ସାକ୍ଷାତ୍ ଅଗ୍ନି ଅଟନ୍ତି | ଆପଣ ହିଁ ତ୍ରିଲୋକୀର ରକ୍ଷକ ବିଶୁଦ୍ଧ ତେଜୋମୟ ଅଟନ୍ତି | ଆପଣଙ୍କର ଗତି ମନର ଗତି ସଦୃଶ ଅଟେ ଏବଂ କର୍ମ ଅଦ୍ଭୁତ ଅଟେ | ମୁଁ ଆପଣଙ୍କୁ ନମସ୍କାର କରୁଛି, ଆପଣଙ୍କର ସ୍ତୁତି କରୁଛି |

ତ୍ୱତ୍ତେଜସା ଧର୍ମମୟେନ ସଂହୃତଂ

ତମଃ ପ୍ରକାଶଶ୍ଚ ଧୃତୋ ମହାତ୍ମନାମ୍ ।

ଦୁରତ୍ୟଯସ୍ତେ ମହିମା ଗିରାଂ ପତେ

ତ୍ୱଦ୍ରୂପମେତତ୍ସଦସତ୍ପରାବରମ୍ ॥ ୭॥

ହେ ବେଦବାଣୀର ଅଧୀଶ୍ବର ! ଆପଣଙ୍କ ଧର୍ମମୟ ତେଜରେ ଅନ୍ଧକାରର ବିନାଶ ହୋଇଯାଏ ଏବଂ ସୂର୍ଯ୍ୟ ଆଦି ମହାପୁରୁଷଙ୍କ ପ୍ରକାଶର ରକ୍ଷା ହୋଇଥାଏ | ଆପଣଙ୍କର ମହିମାକୁ ଜାଣିବା ଅତ୍ୟନ୍ତ କଠିନ | ଉଚ୍ଚ-ନୀଚ ଏବଂ ଛୋଟ-ବଡ ଭେଦଭାବଯୁକ୍ତ ଏହି କାର୍ଯ୍ୟକାରଣାତ୍ମକ ସଂସାର ଆପଣଙ୍କର ହିଁ ସ୍ବରୂପ ଅଟେ |

ଯଦା ବିସୃଷ୍ଟସ୍ତ୍ୱମନଞ୍ଜନେନ ବୈ

ବଲଂ ପ୍ରବିଷ୍ଟୋଽଜିତ ଦୈତ୍ୟଦାନବମ୍ ।

ବାହୂଦରୋର୍ୱଙ୍ଘ୍ରିଶିରୋଧରାଣି

ବୃକ୍ଣନ୍ନଜସ୍ରଂ ପ୍ରଧନେ ବିରାଜସେ ॥ ୮॥

ହେ ସୁଦର୍ଶନ ଚକ୍ର ! ଆପଣଙ୍କ ଉପରେ କେହି ବିଜୟ ପ୍ରାପ୍ତ କରିପାରନ୍ତି ନାହିଁ | ନିରଞ୍ଜନ ଭଗବାନ ଯେତେବେଳେ ଆପଣଙ୍କୁ ଛାଡନ୍ତି ଏବଂ ଆପଣ ଦୈତ୍ୟ ଓ ଦାନବଙ୍କର ସେନା ମଧ୍ୟରେ ପ୍ରବେଶ କରନ୍ତି, ସେତେବେଳେ ଆପଣ ସର୍ବଦା ସେମାନଙ୍କର ଭୁଜ, ଉଦର, ଜଘନ, ଚରଣ ଏବଂ ଗଳାକୁ କାଟି ଯୁଦ୍ଧଭୂମିରେ ଶୋଭାୟମାନ ହୋଇଥାଆନ୍ତି |

ସ ତ୍ୱଂ ଜଗତ୍ତ୍ରାଣଖଲପ୍ରହାଣୟେ

ନିରୂପିତଃ ସର୍ୱସହୋ ଗଦାଭୃତା ।

ବିପ୍ରସ୍ୟ ଚାସ୍ମତ୍କୁଲଦୈବହେତବେ

ବିଧେହି ଭଦ୍ରଂ ତଦନୁଗ୍ରହୋ ହି ନଃ ॥ ୯॥

ବିଶ୍ବରକ୍ଷକ ! ରଣଭୂମିରେ ଆପଣ ସମସ୍ତଙ୍କର ପ୍ରହାର ସହ୍ୟ କରିନିଅନ୍ତି, କିନ୍ତୁ କେହି ଆପଣଙ୍କର କିଛି ହାନି କରିପାରନ୍ତି ନାହିଁ | ଗଦାଧାରୀ ଭଗବାନ ଦୁଷ୍ଟମାନଙ୍କର ବିନାଶ ନିମନ୍ତେ ଆପଣଙ୍କୁ ନିଯୁକ୍ତ କରିଥାଆନ୍ତି | ଆପଣ କୃପା କରି ଆମ କୁଳର ଭାଗ୍ୟୋଦୟ ନିମନ୍ତେ ଦୁର୍ବାସାଙ୍କର କଲ୍ୟାଣ କରନ୍ତୁ | ଆମ୍ଭମାନଙ୍କ ଉପରେ ଏହା ଆପଣଙ୍କର ମହାନ୍ ଅନୁଗ୍ରହ ହେବ |

ଯଦ୍ୟସ୍ତି ଦତ୍ତମିଷ୍ଟଂ ବା ସ୍ୱଧର୍ମୋ ବା ସ୍ୱନୁଷ୍ଠିତଃ ।

କୁଲଂ ନୋ ବିପ୍ରଦୈବଂ ଚେଦ୍ଦ୍ୱିଜୋ ଭବତୁ ବିଜ୍ୱରଃ ॥ ୧୦॥

ମୁଁ ଯଦି କିଛି ଦାନ କରିଥାଏ, ଯଜ୍ଞ କରିଥାଏ ଅଥବା ସ୍ବଧର୍ମର ପାଳନ କରିଥାଏ; ମୋ ବଂଶଜାତ ସମସ୍ତେ ଯଦି ବ୍ରାହ୍ମଣମାନଙ୍କୁ ନିଜର ଆରାଧ୍ୟଦେବ ମନେ କରୁଥାଆନ୍ତି, ତେବେ ଦୁର୍ବାସା ମୁନିଙ୍କର ଜ୍ବଳନ ସମାପ୍ତ ହୋଇଯାଉ |

ଯଦି ନୋ ଭଗବାନ୍ ପ୍ରୀତ ଏକଃ ସର୍ୱଗୁଣାଶ୍ରୟଃ ।

ସର୍ୱଭୂତାତ୍ମଭାବେନ ଦ୍ୱିଜୋ ଭବତୁ ବିଜ୍ୱରଃ ॥ ୧୧॥

ଭଗବାନ ସମସ୍ତ ଗୁଣର ଏକମାତ୍ର ଆଶ୍ରୟ ଅଟନ୍ତି | ଯଦି ମୁଁ ସବୁ ପ୍ରାଣୀଙ୍କର ଆତ୍ମା ରୂପରେ ତାଙ୍କୁ ଦେଖୁଥିବି ଏବଂ ସେ ମୋ ଉପରେ ପ୍ରସନ୍ନ ହୋଇଥିବେ, ତେବେ ଦୁର୍ବାସାଙ୍କ ହୃଦୟର ସମସ୍ତ ଜ୍ବଳନ ସମାପ୍ତ ହୋଇଯାଉ |

ଶ୍ରୀଶୁକ ଉବାଚ

ଇତି ସଂସ୍ତୁବତୋ ରାଜ୍ଞୋ ବିଷ୍ଣୁଚକ୍ରଂ ସୁଦର୍ଶନମ୍ ।

ଅଶାମ୍ୟତ୍ସର୍ୱତୋ ବିପ୍ରଂ ପ୍ରଦହଦ୍ରାଜୟାଚ୍ଞୟା ॥ ୧୨॥

ଶ୍ରୀଶୁକଦେବ କହୁଛନ୍ତି – ଦୁର୍ବାସା ମୁନିଙ୍କ ପକ୍ଷରୁ ରାଜା ଅମ୍ବରୀଷ ଯେତେବେଳେ ସବୁ ଦିଗରୁ ଦଗ୍ଧ କରୁଥିବା ଭଗବାନଙ୍କ ସୁଦର୍ଶନ ଚକ୍ରର ଏପରି ଭାବରେ ସ୍ତୁତି କଲେ, ସେତେବେଳେ ତାଙ୍କର ପ୍ରାର୍ଥନା ଶୁଣି ଚକ୍ର ଶାନ୍ତ ହୋଇଗଲା |

ସ ମୁକ୍ତୋଽସ୍ତ୍ରାଗ୍ନିତାପେନ ଦୁର୍ୱାସାଃ ସ୍ୱସ୍ତିମାଂସ୍ତତଃ ।

ପ୍ରଶଶଂସ ତମୁର୍ୱୀଶଂ ଯୁଞ୍ଜାନଃ ପରମାଶିଷଃ ॥ ୧୩॥

ଚକ୍ରର ପ୍ରତାପରୁ ମୁକ୍ତ ହୋଇ ଦୁର୍ବାସାଙ୍କର ଚିତ୍ତ ସ୍ବସ୍ଥ ହୋଇଯିବା ପରେ ସେ ରାଜା ଅମ୍ବରୀଷଙ୍କୁ ଅନେକାନେକ ଉତ୍ତମ ଆଶୀର୍ବାଦ ଦେଇ ତାଙ୍କର ପ୍ରଶଂସା କରିବାରେ ଲାଗିଲେ |

ଦୁର୍ୱାସା ଉବାଚ

ଅହୋ ଅନନ୍ତଦାସାନାଂ ମହତ୍ତ୍ୱଂ ଦୃଷ୍ଟମଦ୍ୟ ମେ ।

କୃତାଗସୋଽପି ଯଦ୍ରାଜନ୍ ମଙ୍ଗଲାନି ସମୀହସେ ॥ ୧୪॥

ଦୁର୍ବାସା ମୁନି କହିଲେ – ମୁଁ ଧନ୍ୟ ଅଟେ ଯେ ଆଜି ମୁଁ ଭଗବାନଙ୍କ ପ୍ରେମୀ ଭକ୍ତଙ୍କର ମହତ୍ତ୍ବ ଦେଖିବାକୁ ପାଇଲି | ରାଜନ୍ ! ମୁଁ ଆପଣଙ୍କ ପ୍ରତି ଅପରାଧ କରିଛି, ତଥାପି ଆପଣ ମୋର ମଙ୍ଗଳକାମନା ହିଁ କରୁଛନ୍ତି |

ଦୁଷ୍କରଃ କୋ ନୁ ସାଧୂନାଂ ଦୁସ୍ତ୍ୟଜୋ ବା ମହାତ୍ମନାମ୍ ।

ଯୈଃ ସଙ୍ଗୃହୀତୋ ଭଗବାନ୍ ସାତ୍ୱତାମୃଷଭୋ ହରିଃ ॥ ୧୫॥

ଯିଏ ଭକ୍ତବତ୍ସଳ ଭଗବାନ ଶ୍ରୀହରିଙ୍କର ଚରଣକମଳକୁ ଦୃଢ ପ୍ରେମଭାବରେ ଧରି ରଖିଥାଆନ୍ତି, ସେହି ସାଧୁପୁରୁଷଙ୍କ ପକ୍ଷରେ କେଉଁ କାର୍ଯ୍ୟ ଅବା କଠିନ ଅଟେ ? ଯାହାର ହୃଦୟ ଭକ୍ତିୟୁକ୍ତ ଅଟେ, ସେହି ମହାତ୍ମା ଭଲା କେଉଁ ବସ୍ତୁର ପରିତ୍ୟାଗ କରି ନ ପାରିବେ |

ଯନ୍ନାମଶ୍ରୁତିମାତ୍ରେଣ ପୁମାନ୍ ଭବତି ନିର୍ମଲଃ ।

ତସ୍ୟ ତୀର୍ଥପଦଃ କିଂ ବା ଦାସାନାମବଶିଷ୍ୟତେ ॥ ୧୬॥

ଯାହାର ମଙ୍ଗଳମୟ ନାମ ଶ୍ରବଣମାତ୍ରେ ଜୀବ ଶୁଦ୍ଧ ହୋଇଯାଏ - ସେହି ତୀର୍ଥପାଦ ଭଗବାନଙ୍କର ଯିଏ ଦାସ ଅଟନ୍ତି – ତାଙ୍କ ପାଇଁ କେଉଁ କର୍ତ୍ତବ୍ୟ ଅବା ବାକି ରହେ ?

ରାଜନ୍ନନୁଗୃହୀତୋଽହଂ ତ୍ୱୟାତିକରୁଣାତ୍ମନା ।

ମଦଘଂ ପୃଷ୍ଠତଃ କୃତ୍ୱା ପ୍ରାଣା ଯନ୍ମେଽଭିରକ୍ଷିତାଃ ॥ ୧୭॥

ମହାରାଜ ଅମ୍ବରୀଷ ! ଆପଣଙ୍କର ହୃଦୟ କରୁଣାଭାବରେ ପରିପୂର୍ଣ୍ଣ ଅଟେ | ଆପଣ ମୋ ପ୍ରତି ମହାନ୍ ଅନୁଗ୍ରହ କରିଛନ୍ତି | ଧନ୍ୟ ଆପଣ; ମୋର ସବୁ ଅପରାଧର ବିସ୍ମରଣ କରି ଆପଣ ମୋର ପ୍ରାଣ ରକ୍ଷା କରିଛନ୍ତି |

ରାଜା ତମକୃତାହାରଃ ପ୍ରତ୍ୟାଗମନକାଙ୍କ୍ଷୟା ।

ଚରଣାବୁପସଙ୍ଗୃହ୍ୟ ପ୍ରସାଦ୍ୟ ସମଭୋଜୟତ୍ ॥ ୧୮॥

ପରୀକ୍ଷିତ ! ଚକ୍ର ଭୟରେ ଦୁର୍ବାସା ସେଠାରୁ ଧାଇଁ ପଳାଇବା ସମୟରୁ ରାଜା ଅମ୍ବରୀଷ ଭୋଜନ ଗ୍ରହଣ କରି ନ ଥିଲେ | ସେ ତାଙ୍କର ଫେରିବା ବାଟକୁ ଚାହିଁ ରହିଥିଲେ | ଏବେ ଦୁର୍ବାସାଙ୍କର ଚରଣ ଧରି, ତାଙ୍କୁ ପ୍ରସନ୍ନ କରାଇ, ସେ ବିଧିପୂର୍ବକ ତାଙ୍କ ଭୋଜନର ବ୍ୟବସ୍ଥା କଲେ |

ସୋଽଶିତ୍ୱାଽଽଦୃତମାନୀତମାତିଥ୍ୟଂ ସାର୍ୱକାମିକମ୍ ।

ତୃପ୍ତାତ୍ମା ନୃପତିଂ ପ୍ରାହ ଭୁଜ୍ୟତାମିତି ସାଦରମ୍ ॥ ୧୯॥

ରାଜା ଅମ୍ବରୀଷ ଅତି ଆଦରରେ ଅତିଥିଙ୍କ ଯୋଗ୍ୟ ସବୁ ପ୍ରକାରର ଭୋଜନ ସାମଗ୍ରୀ ନେଇ ଆସିଲେ | ଭୋଜନ ଗ୍ରହଣ କରି ଦୁର୍ବାସା ମୁନି ତୃପ୍ତ ହେଲେ | ତାପରେ ସେ ଆଦରର ସହିତ କହିଲେ – ରାଜନ୍ ! ଏବେ ଆପଣ ମଧ୍ୟ ଭୋଜନ କରନ୍ତୁ |

ପ୍ରୀତୋଽସ୍ମ୍ୟନୁଗୃହୀତୋଽସ୍ମି ତବ ଭାଗବତସ୍ୟ ବୈ ।

ଦର୍ଶନସ୍ପର୍ଶନାଲାପୈରାତିଥ୍ୟେନାତ୍ମମେଧସା ॥ ୨୦॥

ଅମ୍ବରୀଷ ! ଆପଣ ଭଗବାନଙ୍କର ପ୍ରେମୀ ଭକ୍ତ ଅଟନ୍ତି | ଆପଣଙ୍କର ଦର୍ଶନ, ସ୍ପର୍ଶ, ସାହଚର୍ଯ୍ୟ ଏବଂ ମନକୁ ଭଗବାନଙ୍କ ପ୍ରତି ପ୍ରବୃତ୍ତ କରାଉଥିବା ଆପଣଙ୍କ ଆତିଥ୍ୟ ଲାଭ କରି ମୁଁ ଅତ୍ୟନ୍ତ ପ୍ରସନ୍ନ ଏବଂ ଅନୁଗୃହୀତ ହୋଇଛି |

କର୍ମାବଦାତମେତତ୍ତେ ଗାୟନ୍ତି ସ୍ୱଃସ୍ତ୍ରିୟୋ ମୁହୁଃ ।

କୀର୍ତିଂ ପରମପୁଣ୍ୟାଂ ଚ କୀର୍ତୟିଷ୍ୟତି ଭୂରିୟମ୍ ॥ ୨୧॥

ସ୍ବର୍ଗର ଦେବାଙ୍ଗନାମାନେ ବାରମ୍ବାର ଆପଣଙ୍କର ଏହି ଉଜ୍ଜ୍ବଳ ଚରିତ୍ରର ଗାନ କରିବେ | ଏହି ପୃଥିବୀ ମଧ୍ୟ ଆପଣଙ୍କ ପରମ ପୁଣ୍ୟମୟୀ କୀର୍ତ୍ତିର ସଂକୀର୍ତ୍ତନ କରୁଥିବ |

ଶ୍ରୀଶୁକ ଉବାଚ

ଏବଂ ସଙ୍କୀର୍ତ୍ୟ ରାଜାନଂ ଦୁର୍ୱାସାଃ ପରିତୋଷିତଃ ।

ଯୟୌ ବିହାୟସାଽଽମନ୍ତ୍ର୍ୟ ବ୍ରହ୍ମଲୋକମହୈତୁକମ୍ ॥ ୨୨॥

ଶ୍ରୀଶୁକଦେବ କହୁଛନ୍ତି – ଦୁର୍ବାସା ମୁନି ଅତିଶୟ ସନ୍ତୁଷ୍ଟ ହୋଇ ରାଜା ଅମ୍ବରୀଷଙ୍କର ଗୁଣର ପ୍ରଶଂସା କଲେ | ତତ୍ପଶ୍ଚାତ୍ ତାଙ୍କଠାରୁ ଅନୁମତି ନେଇ ସେ ଆକାଶମାର୍ଗରେ ସେହି ବ୍ରହ୍ମଲୋକକୁ ଯାତ୍ରା କଲେ, ଯାହା କେବଳ ନିଷ୍କାମ କର୍ମ ଦ୍ବାରା ହିଁ ପ୍ରାପ୍ତ ହୋଇଥାଏ |

ସଂବତ୍ସରୋଽତ୍ୟଗାତ୍ତାବଦ୍ୟାବତା ନାଗତୋ ଗତଃ ।

ମୁନିସ୍ତଦ୍ଦର୍ଶନାକାଙ୍କ୍ଷୋ ରାଜାବ୍ଭକ୍ଷୋ ବଭୂବ ହ ॥ ୨୩॥

ପରୀକ୍ଷିତ ! ଯେଉଁଦିନ ସୁଦର୍ଶନ ଚକ୍ର ଦ୍ବାରା ଭୟଭୀତ ହୋଇ ଦୁର୍ବାସା ମୁନି ଧାଇଁ ପଳାଇ ଥିଲେ, ସେହିଦିନଠାରୁ ସେ ଫେରି ଆସିବା ଦିନ ମଧ୍ୟରେ ଏକ ବର୍ଷ ବିତି ଯାଇଥିଲା | ସେତେଦିନ ରାଜା ଅମ୍ବରୀଷ ତାଙ୍କ ଦର୍ଶନର ଆକାଂକ୍ଷାରେ କେବଳ ଜଳ ପାନ କରି ଅତିବାହିତ କରିଥିଲେ |

ଗତେଽଥ ଦୁର୍ୱାସସି ସୋଽମ୍ବରୀଷୋ

ଦ୍ୱିଜୋପୟୋଗାତିପବିତ୍ରମାହରତ୍ ।

ଋଷେର୍ୱିମୋକ୍ଷଂ ବ୍ୟସନଂ ଚ ବୁଦ୍ଧ୍ୱା

ମେନେ ସ୍ୱବୀର୍ୟଂ ଚ ପରାନୁଭାବମ୍ ॥ ୨୪॥

ଶେଷରେ ଯେତେବେଳେ ଦୁର୍ବାସା ପ୍ରସ୍ଥାନ କଲେ, ରାଜା ତାଙ୍କ ଭୋଜନର ଅବଶିଷ୍ଟ ଅତ୍ୟନ୍ତ ପବିତ୍ର ଅନ୍ନକୁ ଭୋଜନ ଭାବରେ ଗ୍ରହଣ କଲେ | ତାଙ୍କ ଯୋଗୁଁ ଦୁର୍ବାସାଙ୍କୁ ଏତେ ଦୁଃଖ ଭୋଗ କରିବାକୁ ପଡିଲା ଏବଂ ଶେଷରେ ତାଙ୍କର ପ୍ରାର୍ଥନାରେ ସେ ଦୁଃଖମୁକ୍ତ ହେଲେ – ଏହି ଉଭୟ କାର୍ଯ୍ୟର କାରଣ ସେ ସ୍ବୟଂ ହୋଇଥିଲେ ବି, ଅମ୍ବରୀଷ ତାହାକୁ ଭଗବାନଙ୍କର ହିଁ ମହିମା ମନେ କରିଥିଲେ |

ଏବଂ ବିଧାନେକଗୁଣଃ ସ ରାଜା

ପରାତ୍ମନି ବ୍ରହ୍ମଣି ବାସୁଦେବେ ।

କ୍ରିୟାକଲାପୈଃ ସମୁବାହ ଭକ୍ତିଂ

ଯୟାଽଽବିରିଞ୍ଚ୍ୟାନ୍ନିରୟାଂଶ୍ଚକାର ॥ ୨୫॥

ରାଜା ଅମ୍ବରୀଷଙ୍କଠାରେ ଏହିପରି ଅନେକ ଗୁଣ ଥିଲା | ନିଜର ସମସ୍ତ କର୍ମ ଦ୍ବାରା ସେ ପରବ୍ରହ୍ମ ପରମାତ୍ମା ଭଗବାନଙ୍କଠାରେ ଭକ୍ତିଭାବର ଅଭିବୃଦ୍ଧି କରିବାରେ ଲାଗିଥିଲେ | ସେହି ଭକ୍ତିର ପ୍ରଭାବରେ ସେ ବ୍ରହ୍ମଲୋକପର୍ଯ୍ୟନ୍ତ ସମସ୍ତ ଭୋଗକୁ ନର୍କ ତୁଲ୍ୟ ମନେ କରୁଥିଲେ |

ଅଥାମ୍ବରୀଷସ୍ତନୟେଷୁ ରାଜ୍ୟଂ

ସମାନଶୀଲେଷୁ ବିସୃଜ୍ୟ ଧୀରଃ ।

ବନଂ ବିବେଶାତ୍ମନି ବାସୁଦେବେ

ମନୋ ଦଧଦ୍ଧ୍ୱସ୍ତଗୁଣପ୍ରବାହଃ ॥ ୨୬॥

ତଦନନ୍ତର ରାଜା ଅମ୍ବରୀଷ ନିଜ ପରି ତାଙ୍କର ଭକ୍ତ ପୁତ୍ର ହସ୍ତରେ ରାଜ୍ୟଭାର ନ୍ୟସ୍ତ କରି ବନକୁ ଗମନ କଲେ | ସେଠାରେ ସେ ଅତ୍ୟନ୍ତ ଧୀରତାର ସହ ଆତ୍ମସ୍ବରୂପ ଭଗବାନଙ୍କଠାରେ ନିଜ ମନକୁ ସଂଲଗ୍ନ କରି ଗୁଣପ୍ରବାହରୂପ ସଂସାରରୁ ମୁକ୍ତ ହୋଇଗଲେ |

ଇତ୍ୟେତତ୍ପୁଣ୍ୟମାଖ୍ୟାନମମ୍ବରୀଷସ୍ୟ ଭୂପତେଃ ।

ସଙ୍କୀର୍ତୟନ୍ନନୁଧ୍ୟାୟନ୍ ଭକ୍ତୋ ଭଗବତୋ ଭବେତ୍ ॥ ୨୭॥

ପରୀକ୍ଷିତ ! ମହାରାଜ ଅମ୍ବରୀଷଙ୍କର ଏହି ପରମ ପବିତ୍ର ଆଖ୍ୟାନର ଯେଉଁମାନେ ସଂକୀର୍ତ୍ତନ ଏବଂ ସ୍ମରଣ କରନ୍ତି, ସେମାନେ ଭଗବାନଙ୍କର ଭକ୍ତ ହୋଇଯାଆନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଅମ୍ବରୀଷଚରିତଂ ନାମ ପଞ୍ଚମୋଽଧ୍ୟାୟଃ ॥ ୫॥

 

 

Comments

Popular posts from this blog