ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମସ୍କନ୍ଧ

ପ୍ରଥମ ଅଧ୍ୟାୟ

ମନ୍ବନ୍ତରମାନଙ୍କର ବର୍ଣ୍ଣନା

 

ରାଜୋବାଚ

ସ୍ୱାୟମ୍ଭୁବସ୍ୟେହ ଗୁରୋ ବଂଶୋଽୟଂ ବିସ୍ତରାଚ୍ଛ୍ରୁତଃ ।

ଯତ୍ର ବିଶ୍ୱସୃଜାଂ ସର୍ଗୋ ମନୂନନ୍ୟାନ୍ ବଦସ୍ୱ ନଃ ॥ ୧॥

ରାଜା ପରୀକ୍ଷିତ ପଚାରିଲେ – ଗୁରୁଦେବ ! ସ୍ବାୟମ୍ଭୂବ ମନୁଙ୍କର ବଂଶର ବିସ୍ତାର ବିଷୟରେ ତ ମୁଁ ଶୁଣିଲି | ଏହି ବଂଶରେ ତାଙ୍କ କନ୍ୟାମାନଙ୍କ ଦ୍ବାରା ମରୀଚି ଆଦି ପ୍ରଜାପତିମାନେ ନିଜର ବଂଶ-ପରମ୍ପରା ପ୍ରଚଳିତ ରଖିଥିଲେ | ଏବେ ଆପଣ ଅନ୍ୟ ମନୁମାନଙ୍କର ବର୍ଣ୍ଣନା କରନ୍ତୁ |

ଯତ୍ର ଯତ୍ର ହରେର୍ଜନ୍ମ କର୍ମାଣି ଚ ମହୀୟସଃ ।

ଗୃଣନ୍ତି କବୟୋ ବ୍ରହ୍ମଂସ୍ତାନି ନୋ ବଦ ଶୃଣ୍ୱତାମ୍ ॥ ୨॥

ବ୍ରହ୍ମନ୍ ! ଜ୍ଞାନୀ ମହାତ୍ମାମାନେ ଯେଉଁ-ଯେଉଁ ମନ୍ବନ୍ତରରେ ମହାମହିମ ଭଗବାନଙ୍କର ଯେଉଁ-ଯେଉଁ ଅବତାର ଏବଂ ଲୀଳାମାନଙ୍କର ବର୍ଣ୍ଣନା କରିଥାଆନ୍ତି, ଆପଣ ତାହା ମୋତେ ଶୁଣାନ୍ତୁ | ମୁଁ ଶ୍ରଦ୍ଧାପୂର୍ବକ ତାହାର ଶ୍ରବଣ କରିବାକୁ ଇଚ୍ଛା କରୁଛି |

ଯଦ୍ୟସ୍ମିନ୍ନନ୍ତରେ ବ୍ରହ୍ମନ୍ ଭଗବାନ୍ ବିଶ୍ୱଭାବନଃ ।

କୃତବାନ୍ କୁରୁତେ କର୍ତା ହ୍ୟତୀତେଽନାଗତେଽଦ୍ୟ ବା ॥ ୩॥

ଭଗବନ୍ ! ବିଶ୍ବଭାବନ ଭଗବାନ ପୂର୍ବ ମନ୍ବନ୍ତରମାନଙ୍କରେ ଯେଉଁ ସବୁ ଲୀଳା କରିଥିଲେ, ବର୍ତ୍ତମାନ ମନ୍ବନ୍ତରରେ ଯାହା ସବୁ କରୁଛନ୍ତି ଏବଂ ଆଗାମୀ ମନ୍ବନ୍ତରମାନଙ୍କରେ ଯାହା କିଛି କରିବେ, ତାହା ସବୁ ଆପଣ ମୋତେ ଶୁଣାନ୍ତୁ |

ଋଷିରୁବାଚ

ମନବୋଽସ୍ମିନ୍ ବ୍ୟତୀତାଃ ଷଟ୍ କଲ୍ପେ ସ୍ୱାୟମ୍ଭୁବାଦୟଃ ।

ଆଦ୍ୟସ୍ତେ କଥିତୋ ଯତ୍ର ଦେବାଦୀନାଂ ଚ ସମ୍ଭବଃ ॥ ୪॥

ଶ୍ରୀଶୁକଦେବ କହୁଛନ୍ତି – ଏହି କଳ୍ପର ସ୍ବାୟମ୍ଭୂବ ଆଦି ଛଅଟି ମନ୍ବନ୍ତର ଅତିବାହିତ ହୋଇଯାଇଛି | ତନ୍ମଧ୍ୟରୁ ପ୍ରଥମ ମନ୍ବନ୍ତରର ବର୍ଣ୍ଣନା ମୁଁ କରିସାରିଛି, ସେଥିରେ ଦେବତା ଆଦିଙ୍କର ଉତ୍ପତ୍ତି ହୋଇଥିଲା |

ଆକୂତ୍ୟାଂ ଦେବହୂତ୍ୟାଂ ଚ ଦୁହିତ୍ରୋସ୍ତସ୍ୟ ବୈ ମନୋଃ ।

ଧର୍ମଜ୍ଞାନୋପଦେଶାର୍ଥଂ ଭଗବାନ୍ ପୁତ୍ରତାଂ ଗତଃ ॥ ୫॥

ସ୍ବାୟମ୍ଭୂବ ମନୁଙ୍କର ପୁତ୍ରୀ ଆକୂତିଙ୍କ ଗର୍ଭରୁ ଯଜ୍ଞପୁରୁଷ ରୂପରେ ଧର୍ମର ଉପଦେଶ ପ୍ରଦାନ କରିବା ନିମନ୍ତେ ତଥା ଦେବହୂତିଙ୍କ ଗର୍ଭରୁ କପିଳ ରୂପରେ ଜ୍ଞାନ ଉପଦେଶ ପ୍ରଦାନ କରିବା ନିମନ୍ତେ ଭଗବାନ ସେମାନଙ୍କର ପୁତ୍ର ରୂପରେ ଅବତାର ଗ୍ରହଣ କରିଥିଲେ |

କୃତଂ ପୁରା ଭଗବତଃ କପିଲସ୍ୟାନୁବର୍ଣିତମ୍ ।

ଆଖ୍ୟାସ୍ୟେ ଭଗବାନ୍ ଯଜ୍ଞୋ ଯଚ୍ଚକାର କୁରୂଦ୍ୱହ ॥ ୬॥

ପରୀକ୍ଷିତ ! ଭଗବାନ କପିଳଙ୍କ ସମ୍ବନ୍ଧରେ ମୁଁ ପୂର୍ବରୁ (ତୃତୀୟ ସ୍କନ୍ଧରେ) ବର୍ଣ୍ଣନା କରିସାରିଛି | ଏବେ ଭଗବାନ ଯଜ୍ଞପୁରୁଷ ଆକୂତିଙ୍କ ଗର୍ଭରୁ ଅବତାର ଗ୍ରହଣ କରି ଯାହା ସବୁ କରିଥିଲେ, ମୁଁ ତାହାର ବର୍ଣ୍ଣନା କରୁଛି |

ବିରକ୍ତଃ କାମଭୋଗେଷୁ ଶତରୂପାପତିଃ ପ୍ରଭୁଃ ।

ବିସୃଜ୍ୟ ରାଜ୍ୟଂ ତପସେ ସଭାର୍ୟୋ ବନମାବିଶତ୍ ॥ ୭॥

ପରୀକ୍ଷିତ ! ଭଗବାନ ସ୍ବାୟମ୍ଭୂବ ମନୁ ସମସ୍ତ କାମନା ଏବଂ ଭୋଗରୁ ବିରକ୍ତ ହୋଇ ରାଜ୍ୟ ତ୍ୟାଗ କରିଦେଲେ | ତପସ୍ୟା କରିବା ଉଦ୍ଦେଶ୍ୟରେ ନିଜ ପତ୍ନୀ ଶତରୂପାଙ୍କ ସହିତ ସେ ବନକୁ ଚାଲିଗଲେ |

ସୁନନ୍ଦାୟାଂ ବର୍ଷଶତଂ ପଦୈକେନ ଭୁବଂ ସ୍ପୃଶନ୍ ।

ତପ୍ୟମାନସ୍ତପୋ ଘୋରମିଦମନ୍ୱାହ ଭାରତ ॥ ୮॥

ସୁନନ୍ଦା ନଦୀ ତୀରରେ ଏକ ପାଦରେ ଠିଆ ହୋଇ ସେ ଶହେ ବର୍ଷ ଘୋର ତପସ୍ୟା କରିଥିଲେ | ତପସ୍ୟା କରୁଥିବା ସମୟରେ ସେ ଏହିପରି ଭାବରେ ଭଗବାନଙ୍କର ସ୍ତୁତି କରୁଥିଲେ |

ମନୁରୁବାଚ

ଯେନ ଚେତୟତେ ବିଶ୍ୱଂ ବିଶ୍ୱଂ ଚେତୟତେ ନ ଯମ୍ ।

ଯୋ ଜାଗର୍ତି ଶୟାନେଽସ୍ମିନ୍ନାୟଂ ତଂ ବେଦ ବେଦ ସଃ ॥ ୯॥

ମନୁ କହୁଥିଲେ – ଯାହାର ଚେତନାର ସ୍ପର୍ଶ ଲାଭ କରି ଏହି ବିଶ୍ବ ଚୈତନ୍ୟ ହୋଇଯାଏ, କିନ୍ତୁ ବିଶ୍ବ ଯାହାକୁ ଚେତନା ପ୍ରଦାନ କରିପାରେ ନାହିଁ; ପ୍ରଳୟ ଉପରାନ୍ତେ ଏହି ବିଶ୍ବ ଶୋଇ ଯିବା ପରେ ବି ଯିଏ ଜାଗ୍ରତ ରହନ୍ତି; ଯାହାକୁ ଇଏ ଜାଣି ପାରେନାହିଁ, କିନ୍ତୁ ଯିଏ ଏହାକୁ ଜାଣନ୍ତି – ସେ ହିଁ ପରମାତ୍ମା ଅଟନ୍ତି |

ଆତ୍ମାବାସ୍ୟମିଦଂ ବିଶ୍ୱଂ ଯତ୍କିଞ୍ଚିଜ୍ଜଗତ୍ୟାଂ ଜଗତ୍ ।

ତେନ ତ୍ୟକ୍ତେନ ଭୁଞ୍ଜୀଥା ମା ଗୃଧଃ କସ୍ୟ ସ୍ୱିଦ୍ଧନମ୍ ॥ ୧୦॥

ଏହି ସମ୍ପୂର୍ଣ୍ଣ ବିଶ୍ବ ଏବଂ ଏହି ବିଶ୍ବରେ ରହୁଥିବା ଚର-ଅଚର ସମସ୍ତ ପ୍ରାଣୀ – ସବୁକିଛି ସେହି ପରମାତ୍ମାଙ୍କଠାରେ ଓତପ୍ରୋତ ଅଟେ | ସେଥିପାଇଁ ସଂସାରର କୌଣସି ପଦାର୍ଥ ପ୍ରତି ମୋହ ନ ରଖି ତାହାର ତ୍ୟାଗ କରିବା ଉଚିତ୍ ଏବଂ କେବଳ ଜୀବନନିର୍ବାହ ହେତୁ ତାହାର ଉପଭୋଗ କରିବା ଉଚିତ୍ | ତୃଷ୍ଣାର ପୂର୍ଣ୍ଣତୟା ତ୍ୟାଗ କରିଦେବା ଉଚିତ୍ | ଭଲା, ସଂସାରର ଏହି ସବୁ ସମ୍ପତ୍ତି କାହାର ଅଟେ ?

ଯଂ ନ ପଶ୍ୟତିପଶ୍ୟନ୍ତଂ ଚକ୍ଷୁର୍ୟସ୍ୟ ନ ରିଷ୍ୟତି ।

ତଂ ଭୂତନିଲୟଂ ଦେବଂ ସୁପର୍ଣମୁପଧାବତ ॥ ୧୧॥

ଭଗବାନ ସମସ୍ତଙ୍କର ସାକ୍ଷୀ ଅଟନ୍ତି | ତାଙ୍କୁ ବୁଦ୍ଧି-ବୃତ୍ତି ବା ନେତ୍ର ଆଦି ଇନ୍ଦ୍ରିୟମାନେ ଦେଖିପାରନ୍ତି ନାହିଁ | ତାଙ୍କର ଜ୍ଞାନଶକ୍ତି ଅଖଣ୍ଡ ଅଟେ | ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରୁଥିବା ସେହି ସ୍ବୟଂପ୍ରକାଶ ଅସଙ୍ଗ ପରମାତ୍ମାଙ୍କର ଶରଣ ଗ୍ରହଣ କର |

ନ ଯସ୍ୟାଦ୍ୟନ୍ତୌ ମଧ୍ୟଂ ଚ ସ୍ୱଃ ପରୋ ନାନ୍ତରଂ ବହିଃ ।

ବିଶ୍ୱସ୍ୟାମୂନି ଯଦ୍ୟସ୍ମାଦ୍ୱିଶ୍ୱଂ ଚ ତଦୃତଂ ମହତ୍ ॥ ୧୨॥

ଯାହାର ଆଦି ନାହିଁ କି ଅନ୍ତ ନାହିଁ, ତାହାର ଭଲା ମଧ୍ୟ କିପରି ରହିବ | ଯାହାର କେହି ଆପଣାର ନୁହଁନ୍ତି କି କେହି ପର ନୁହଁନ୍ତି; ଯାହାର ବାହାର ନାହିଁ କି ଭିତର ନାହିଁ, ସେ ହିଁ ବିଶ୍ବର ଆଦି, ଅନ୍ତ, ମଧ୍ୟ, ଆପଣା, ପର, ବାହାର, ଭିତର ଆଦି ସବୁକିଛି ଅଟନ୍ତି | ତାଙ୍କ ସତ୍ତାରେ ବିଶ୍ବର ସତ୍ତା ନିହିତ | ସେହି ଅନନ୍ତ ବାସ୍ତବିକ ସତ୍ୟ ପରବ୍ରହ୍ମ ଅଟନ୍ତି |

ସ ବିଶ୍ୱକାୟଃ ପୁରୁହୂତ ଈଶଃ

ସତ୍ୟଃ ସ୍ୱୟଞ୍ଜ୍ୟୋତିରଜଃ ପୁରାଣଃ ।

ଧତ୍ତେଽସ୍ୟ ଜନ୍ମାଦ୍ୟଜୟାଽଽତ୍ମଶକ୍ତ୍ୟା

ତାଂ ବିଦ୍ୟଯୋଦସ୍ୟ ନିରୀହ ଆସ୍ତେ ॥ ୧୩॥

ସେହି ପରମାତ୍ମା ବିଶ୍ବରୂପ ଅଟନ୍ତି | ତାଙ୍କର ଅନନ୍ତ ନାମ ରହିଛି | ସେ ସର୍ବଶକ୍ତିମାନ ସତ୍ୟ, ସ୍ବୟଂପ୍ରକାଶ, ଅଜନ୍ମା ଏବଂ ପୁରାଣପୁରୁଷ ଅଟନ୍ତି | ସେ ନିଜ ମାୟାଶକ୍ତି ଦ୍ବାରା ହିଁ ବିଶ୍ବସୃଷ୍ଟିର ଜନ୍ମ ଆଦିକୁ ସ୍ବୀକାର କରନ୍ତି ଏବଂ ନିଜ ବିଦ୍ୟାଶକ୍ତି ଦ୍ବାରା ତାହାର ତ୍ୟାଗ କରି ନିଷ୍କ୍ରିୟ, ସତ୍-ସ୍ବରୂପମାତ୍ର ରହନ୍ତି |

ଅଥାଗ୍ରେ ଋଷୟଃ କର୍ମାଣୀହନ୍ତେଽକର୍ମହେତବେ ।

ଈହମାନୋ ହି ପୁରୁଷଃ ପ୍ରାୟୋଽନୀହାଂ ପ୍ରପଦ୍ୟତେ ॥ ୧୪॥

ସେଥିପାଇଁ ଋଷି-ମୁନି ନୈଷ୍କର୍ମ୍ୟସ୍ଥିତି ବା ବ୍ରହ୍ମଙ୍କ ସହିତ ଏକତ୍ବ ପ୍ରାପ୍ତ କରିବା ନିମନ୍ତେ ପ୍ରଥମେ କର୍ମଯୋଗର ଅନୁଷ୍ଠାନ କରନ୍ତି | ପ୍ରାୟତଃ କର୍ମ କରୁଥିବା ପୁରୁଷ ହିଁ ଶେଷରେ ନିଷ୍କ୍ରିୟ ହୋଇ କର୍ମରୁ ଅବ୍ୟାହତି ପାଇଥାଆନ୍ତି |

ଈହତେ ଭଗବାନୀଶୋ ନ ହି ତତ୍ର ବିଷଜ୍ଜତେ ।

ଆତ୍ମଲାଭେନ ପୂର୍ଣାର୍ଥୋ ନାବସୀଦନ୍ତି ଯେଽନୁ ତମ୍ ॥ ୧୫॥

ଦେଖିବାକୁ ଗଲେ ତ ସର୍ବଶକ୍ତିମାନ ଭଗବାନ ମଧ୍ୟ କର୍ମ କରନ୍ତି, କିନ୍ତୁ ସେ ଆତ୍ମଲାଭରେ ପୂର୍ଣ୍ଣକାମ ହୋଇଥିବା କାରଣରୁ ସେହି କର୍ମରେ ଆସକ୍ତ ହୁଅନ୍ତି ନାହିଁ | ଅତଏବ ତାଙ୍କର ଅନୁସରଣ କରି ଅନାସକ୍ତ ରହି କର୍ମ କରୁଥିବା ପୁରୁଷ ମଧ୍ୟ କର୍ମବନ୍ଧନରୁ ମୁକ୍ତ ହୋଇଯାଆନ୍ତି |

ତମୀହମାନଂ ନିରହଙ୍କୃତଂ ବୁଧଂ

ନିରାଶିଷଂ ପୂର୍ଣମନନ୍ୟଚୋଦିତମ୍ ।

ନୄନ୍ ଶିକ୍ଷୟନ୍ତଂ ନିଜବର୍ତ୍ମସଂସ୍ଥିତଂ

ପ୍ରଭୁଂ ପ୍ରପଦ୍ୟେଽଖିଲଧର୍ମଭାବନମ୍ ॥ ୧୬॥

ଭଗବାନ ଜ୍ଞାନସ୍ବରୂପ ଅଟନ୍ତି, ସେଥିପାଇଁ ତାଙ୍କଠାରେ ଅହଂକାରର ଲେଶ ବି ନ ଥାଏ | ସେ ସର୍ବତୋ ଭାବରେ ପରିପୂର୍ଣ୍ଣ ଅଟନ୍ତି, ସେଥିପାଇଁ ତାଙ୍କର କୌଣସି ବସ୍ତୁର କାମନା ନ ଥାଏ | ସେ କାହାର ପ୍ରେରଣା ବିନା ସ୍ବଚ୍ଛନ୍ଦରୂପରେ ହିଁ କର୍ମ କରନ୍ତି | ନିଜ ଦ୍ବାରା ସ୍ଥାପିତ ମର୍ଯ୍ୟାଦାରେ ସ୍ଥିତ ରହି ମନୁଷ୍ୟକୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସେ କର୍ମ କରନ୍ତି | ସେ ହିଁ ସମସ୍ତ ଧର୍ମର ପ୍ରବର୍ତ୍ତକ ଏବଂ ସେମାନଙ୍କର ଜୀବନଦାତା ଅଟନ୍ତି | ମୁଁ ସେହି ପ୍ରଭୁଙ୍କର ଶରଣ ଗ୍ରହଣ କରୁଛି |

ଶ୍ରୀଶୁକ ଉବାଚ

ଇତି ମନ୍ତ୍ରୋପନିଷଦଂ ବ୍ୟାହରନ୍ତଂ ସମାହିତମ୍ ।

ଦୃଷ୍ଟ୍ୱାସୁରା ଯାତୁଧାନା ଜଗ୍ଧୁମଭ୍ୟଦ୍ରବନ୍ କ୍ଷୁଧା ॥ ୧୭॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଦିନେ ସ୍ବାୟମ୍ଭୂବ ମନୁ ଏକାଗ୍ର ଚିତ୍ତରେ ଏହି ମନ୍ତ୍ରମୟ ଉପନିଷଦ୍-ସ୍ବରୂପ ଶ୍ରୁତି ପାଠ କରୁଥିଲେ | ତାଙ୍କୁ ନିଦରେ ଅଚେତ ହୋଇ ପ୍ରଳାପ କରୁଥିବା ମନେକରି କ୍ଷୁଧାର୍ତ୍ତ ଅସୁର ଏବଂ ରାକ୍ଷସମାନେ ଭକ୍ଷଣ କରିବା ପାଇଁ ତାଙ୍କ ଆଡକୁ ମାଡି ଆସିଲେ |

ତାଂସ୍ତଥାବସିତାନ୍ ବୀକ୍ଷ୍ୟ ଯଜ୍ଞଃ ସର୍ୱଗତୋ ହରିଃ ।

ଯାମୈଃ ପରିବୃତୋ ଦେବୈର୍ହତ୍ୱାଶାସତ୍ତ୍ରିବିଷ୍ଟପମ୍ ॥ ୧୮॥

ଏହା ଦେଖି ଅନ୍ତର୍ଯ୍ୟାମୀ ଭଗବାନ ଯଜ୍ଞପୁରୁଷ ଯାମ ନାମକ ନିଜ ପୁତ୍ର ଦେବତାଙ୍କ ସହିତ ସେଠାକୁ ଆସିଲେ | ସେ ମନୁଙ୍କୁ ଭକ୍ଷଣ କରିବା ଅଭିପ୍ରାୟରେ ଉପସ୍ଥିତ ସେହି ଅସୁରମାନଙ୍କର ସଂହାର କଲେ ଏବଂ ସ୍ବୟଂ ଇନ୍ଦ୍ରପଦରେ ପ୍ରତିଷ୍ଠିତ ହୋଇ ସ୍ବର୍ଗଲୋକର ଶାସନ କରିବାରେ ଲାଗିଲେ |

ସ୍ୱାରୋଚିଷୋ ଦ୍ୱିତୀୟସ୍ତୁ ମନୁରଗ୍ନେଃ ସୁତୋଽଭବତ୍ ।

ଦ୍ୟୁମତ୍ସୁଷେଣରୋଚିଷ୍ମତ୍ପ୍ରମୁଖାସ୍ତସ୍ୟ ଚାତ୍ମଜାଃ ॥ ୧୯॥

ପରୀକ୍ଷିତ ! ଦ୍ବିତୀୟ ମନୁଙ୍କର ନାମ ଥିଲା ସ୍ବାରୋଚିଷ | ସେ ଅଗ୍ନିଙ୍କର ପୁତ୍ର ଥିଲେ | ତାଙ୍କ ପୁତ୍ରମାନଙ୍କର ନାମ ଦ୍ୟୁମାନ୍, ସୁଷେଣ ଏବଂ ରୋଚିଷ୍ମାନ୍ ଇତ୍ୟାଦି ଥିଲା |

ତତ୍ରେନ୍ଦ୍ରୋ ରୋଚନସ୍ତ୍ୱାସୀଦ୍ଦେବାଶ୍ଚ ତୁଷିତାଦୟଃ ।

ଊର୍ଜସ୍ତମ୍ଭାଦୟଃ ସପ୍ତ ଋଷୟୋ ବ୍ରହ୍ମବାଦିନଃ ॥ ୨୦॥

ସେହି ମନ୍ବନ୍ତରରେ ଇନ୍ଦ୍ରଙ୍କର ନାମ ଥିଲା ରୋଚନ | ତୁଷିତ ଆଦି ପ୍ରଧାନ ଦେବଗଣ ଥିଲେ | ଊର୍ଜସ୍ତମ୍ଭ ଆଦି ବେଦବାଣୀ ସପ୍ତର୍ଷି ଥିଲେ |

ଋଷେସ୍ତୁ ବେଦଶିରସସ୍ତୁଷିତା ନାମ ପତ୍ନ୍ୟଭୂତ୍ ।

ତସ୍ୟାଂ ଜଜ୍ଞେ ତତୋ ଦେବୋ ବିଭୁରିତ୍ୟଭିବିଶ୍ରୁତଃ ॥ ୨୧॥

ସେହି ମନ୍ବନ୍ତରରେ ବେଦଶିରା ନାମକ ଋଷିଙ୍କର ପତ୍ନୀ ଥିଲେ ତୁଷିତା | ତାଙ୍କ ଗର୍ଭରୁ ଅବତାର ଗ୍ରହଣ କରି ଭଗବାନ ବିଭୁ ନାମରେ ପ୍ରସିଦ୍ଧ ହୋଇଥିଲେ |

ଅଷ୍ଟାଶୀତିସହସ୍ରାଣି ମୁନୟୋ ଯେ ଧୃତବ୍ରତାଃ ।

ଅନ୍ୱଶିକ୍ଷନ୍ ବ୍ରତଂ ତସ୍ୟ କୌମାରବ୍ରହ୍ମଚାରିଣଃ ॥ ୨୨॥

ସେ ଆଜୀବନ ନୈଷ୍ଠିକ ବ୍ରହ୍ମଚାରୀ ରହିଥିଲେ | ତାଙ୍କ ଆଚରଣରୁ ଶିକ୍ଷା ଗ୍ରହଣ କରି ଅଠାଇଶ ହଜାର ବ୍ରତନିଷ୍ଠ ଋଷିମାନେ ମଧ୍ୟ ବ୍ରହ୍ମଚର୍ଯ୍ୟବ୍ରତ ପାଳନ କରିଥିଲେ |

ତୃତୀୟ ଉତ୍ତମୋ ନାମ ପ୍ରିୟବ୍ରତସୁତୋ ମନୁଃ ।

ପବନଃ ସୃଞ୍ଜୟୋ ଯଜ୍ଞହୋତ୍ରାଦ୍ୟାସ୍ତତ୍ସୁତା ନୃପ ॥ ୨୩॥

ତୃତୀୟ ମନୁ ଥିଲେ ଉତ୍ତମ | ସେ ପ୍ରିୟବ୍ରତଙ୍କର ପୁତ୍ର ଥିଲେ | ତାଙ୍କର ପୁତ୍ରମାନଙ୍କର ନାମ ଥିଲା – ପବନ, ସୃଞ୍ଜୟ, ଯଜ୍ଞହୋତ୍ର ଆଦି |

ବସିଷ୍ଠତନୟାଃ ସପ୍ତ ଋଷୟଃ ପ୍ରମଦାଦୟଃ ।

ସତ୍ୟା ବେଦଶ୍ରୁତା ଭଦ୍ରା ଦେବା ଇନ୍ଦ୍ରସ୍ତୁ ସତ୍ୟଜିତ୍ ॥ ୨୪॥

ସେହି ମନ୍ବନ୍ତରରେ ବସିଷ୍ଠଙ୍କର ପ୍ରମଦ ଆଦି ସାତ ପୁତ୍ର ସପ୍ତର୍ଷି ଥିଲେ | ସତ୍ୟ, ବେଦଶ୍ରୁତ ଏବଂ ଭଦ୍ର ଆଦି ପ୍ରଧାନ ଦେବଗଣ ଥିଲେ ଏବଂ ଇନ୍ଦ୍ରଙ୍କର ନାମ ଥିଲା ସତ୍ୟଜିତ୍ |

ଧର୍ମସ୍ୟ ସୂନୃତାୟାଂ ତୁ ଭଗବାନ୍ ପୁରୁଷୋତ୍ତମଃ ।

ସତ୍ୟସେନ ଇତି ଖ୍ୟାତୋ ଜାତଃ ସତ୍ୟବ୍ରତୈଃ ସହ ॥ ୨୫॥

ସେହି ସମୟରେ ଧର୍ମଙ୍କର ପତ୍ନୀ ସୂନୃତାଙ୍କ ଗର୍ଭରୁ ପୁରୁଷୋତ୍ତମ ଭଗବାନ ସତ୍ୟସେନ ନାମରେ ଅବତାର ଗ୍ରହଣ କରିଥିଲେ | ତାଙ୍କ ସହିତ ସତ୍ୟବ୍ରତ ନାମରେ ଦେବଗଣ ମଧ୍ୟ ଥିଲେ |

ସୋଽନୃତବ୍ରତଦୁଃଶୀଲାନସତୋ ଯକ୍ଷରାକ୍ଷସାନ୍ ।

ଭୂତଦ୍ରୁହୋ ଭୂତଗଣାଂସ୍ତ୍ୱବଧୀତ୍ସତ୍ୟଜିତ୍ସଖଃ ॥ ୨୬॥

ସେହି ସମୟରେ ଇନ୍ଦ୍ର ସତ୍ୟଜିତଙ୍କର ସଖା ଭାବରେ ଭଗବାନ ଅସତ୍ୟପରାୟଣ, ଦୁଃଶୀଳ ଏବଂ ଦୁଷ୍ଟ ଯକ୍ଷ, ରାକ୍ଷସ ଏବଂ ଜୀବଦ୍ରୋହୀ ଭୂତଗଣଙ୍କର ସଂହାର କରିଥିଲେ |

ଚତୁର୍ଥ ଉତ୍ତମଭ୍ରାତା ମନୁର୍ନାମ୍ନା ଚ ତାମସଃ ।

ପୃଥୁଃ ଖ୍ୟାତିର୍ନରଃ କେତୁରିତ୍ୟାଦ୍ୟା ଦଶ ତତ୍ସୁତାଃ ॥ ୨୭॥

ଚତୁର୍ଥ ମନୁଙ୍କର ନାମ ଥିଲା ତାମସ | ସେ ତୃତୀୟ ମନୁ ଉତ୍ତମଙ୍କର ନିଜ ଭାଈ ଥିଲେ | ତାଙ୍କର ପୃଥୁ, ଖ୍ୟାତି, ନର, କେତୁ ଆଦି ଦଶ ପୁତ୍ର ଥିଲେ |

ସତ୍ୟକା ହରୟୋ ବୀରା ଦେବାସ୍ତ୍ରିଶିଖ ଈଶ୍ୱରଃ ।

ଜ୍ୟୋତିର୍ଧାମାଦୟଃ ସପ୍ତ ଋଷୟସ୍ତାମସେଽନ୍ତରେ ॥ ୨୮॥

ସତ୍ୟକ, ହରି ଏବଂ ବୀର ନାମକ ଦେବତାମାନେ ପ୍ରଧାନ ଗଣ ଥିଲେ ଏବଂ ଇନ୍ଦ୍ରଙ୍କର ନାମ ଥିଲା ତ୍ରିଶିଖ | ସେହି ମନ୍ବନ୍ତରରେ ଜ୍ୟୋତିର୍ଧାମ ଆଦି ସପ୍ତର୍ଷି ଥିଲେ |

ଦେବା ବୈଧୃତୟୋ ନାମ ବିଧୃତେସ୍ତନୟା ନୃପ ।

ନଷ୍ଟାଃ କାଲେନ ଯୈର୍ୱେଦା ବିଧୃତାଃ ସ୍ୱେନ ତେଜସା ॥ ୨୯॥

ପରୀକ୍ଷିତ ! ତାମସ ନାମକ ସେହି ମନ୍ବନ୍ତରରେ ବିଧୃତିଙ୍କର ପୁତ୍ର ବୈଧୃତି ନାମରେ ଅନ୍ୟ ଦେବତାମାନେ ମଧ୍ୟ ଥିଲେ | ସେ ସମୟର ପ୍ରବାହରେ ନଷ୍ଟପ୍ରାୟ ବେଦକୁ ନିଜ ଶକ୍ତି ବଳରେ ରକ୍ଷା କରିଥିଲେ, ସେଥିପାଇଁ ସେ ବୈଧୃତି ନାମରେ ପ୍ରସିଦ୍ଧ ହେଲେ |

ତତ୍ରାପି ଜଜ୍ଞେ ଭଗବାନ୍ ହରିଣ୍ୟାଂ ହରିମେଧସଃ ।

ହରିରିତ୍ୟାହୃତୋ ଯେନ ଗଜେନ୍ଦ୍ରୋ ମୋଚିତୋ ଗ୍ରହାତ୍ ॥ ୩୦॥

ଏହି ମନ୍ବନ୍ତରରେ ହରିମେଧା ଋଷିଙ୍କର ପତ୍ନୀ ହରିଣୀଙ୍କ ଗର୍ଭରୁ ହରି ରୂପରେ ଭଗବାନ ଅବତାର ଗ୍ରହଣ କରିଥିଲେ | ଏହି ଅବତାରରେ ସେ ଗ୍ରାହ କବଳରୁ ଗଜେନ୍ଦ୍ରକୁ ରକ୍ଷା କରିଥିଲେ |

ରାଜୋବାଚ

ବାଦରାୟଣ ଏତତ୍ତେ ଶ୍ରୋତୁମିଚ୍ଛାମହେ ବୟମ୍ ।

ହରିର୍ୟଥା ଗଜପତିଂ ଗ୍ରାହଗ୍ରସ୍ତମମୂମୁଚତ୍ ॥ ୩୧॥

ରାଜା ପରୀକ୍ଷିତ ପଚାରିଲେ – ହେ ମୁନିବର ! ଭଗବାନ ଗ୍ରାହ କବଳରୁ ଗଜେନ୍ଦ୍ରର କିପରି ଉଦ୍ଧାର କରିଥିଲେ, ମୁଁ ତାହା ଶୁଣିବାକୁ ଇଚ୍ଛା କରୁଛି |

ତତ୍କଥା ସୁମହତ୍ପୁଣ୍ୟଂ ଧନ୍ୟଂ ସ୍ୱସ୍ତ୍ୟଯନଂ ଶୁଭମ୍ ।

ଯତ୍ର ଯତ୍ରୋତ୍ତମଶ୍ଲୋକୋ ଭଗବାନ୍ ଗୀୟତେ ହରିଃ ॥ ୩୨॥

ସବୁ କଥା ମଧ୍ୟରେ ସେହି କଥା ପରମ ପୁଣ୍ୟମୟ, ପ୍ରଶଂସନୀୟ, ମଙ୍ଗଳକାରୀ ଏବଂ ଶୁଭ ଅଟେ, ଯହିଁରେ ମହାତ୍ମାମାନଙ୍କ ଦ୍ବାରା ଗାନ କରାଯାଇ ଥିବା ଭଗବାନ ଶ୍ରୀହରିଙ୍କର ପବିତ୍ର ଯଶର ବର୍ଣ୍ଣନା ରହିଥାଏ |

ସୂତ ଉବାଚ

ପରୀକ୍ଷିତୈବଂ ସ ତୁ ବାଦରାୟଣିଃ

ପ୍ରାୟୋପବିଷ୍ଟେନ କଥାସୁ ଚୋଦିତଃ ।

ଉବାଚ ବିପ୍ରାଃ ପ୍ରତିନନ୍ଦ୍ୟ ପାର୍ଥିବଂ

ମୁଦା ମୁନୀନାଂ ସଦସି ସ୍ମ ଶୃଣ୍ୱତାମ୍ ॥ ୩୩॥

ସୁତ ମୁନି କହୁଛନ୍ତି – ହେ ଶୌନକାଦି ଋଷିଗଣ ! ରାଜା ପରୀକ୍ଷିତ ଆମରଣ ଅନଶନ କରି କଥା ଶ୍ରବଣ କରିବା ଅଭିପ୍ରାୟରେ ହିଁ ବସି ରହିଥିଲେ | ସେ ଯେତେବେଳେ ଶୁକଦେବ ମୁନିଶ୍ରେଷ୍ଠଙ୍କୁ ଏହି କଥା କହିବାକୁ ପ୍ରେରିତ କଲେ, ସେତେବେଳେ ସେ ଅତ୍ୟନ୍ତ ଆନନ୍ଦିତ ହୋଇ, ପ୍ରେମପୂର୍ବକ ପରୀକ୍ଷିତଙ୍କର ଅଭିନନ୍ଦନ କରି ମୁନିମାନଙ୍କର ସଭାରେ ଏହିପରି କହିବାରେ ଲାଗିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ମନ୍ୱନ୍ତରାନୁଚରିତେ ପ୍ରଥମୋଽଧ୍ୟାୟଃ ॥ ୧॥ 

Comments

Popular posts from this blog