ଶ୍ରେଷ୍ଠ ହେବାର ମହତ୍ତ୍ବାକାଂକ୍ଷା ---
ଆପଣ ଜଣେ ଭଲ ମଣିଷ ହେବାକୁ ଇଚ୍ଛା
କରନ୍ତି କି ? ମୁଁ ଏବଂ ବିଶ୍ବର ଅନ୍ୟ ସମସ୍ତେ ତାହା ଇଚ୍ଛା କରନ୍ତି | ଆମଠାରେ ଉନ୍ନତ ହେବାର
ଏହି ସହଜାତ ଲାଳସାର ଉଦ୍ଭବ କେଉଁଠାରୁ ହୋଇଥାଏ ? ଆନନ୍ଦ ଅଭିଯାନ ଶୃଂଖଳାର ତ୍ରୟୋଦଶ ଦିବସରେ
ଆଜି ଆମେ ସେହି ବିଷୟରେ ଆଲୋଚନା କରିବା |
ଯେତିକି ଶ୍ରେଷ୍ଠ ହେବାର ସମ୍ଭାବନା ଆମ
ଭିତରେ ରହିଛି, ଆମେ ଯଦି ସେତିକି ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରିବା ତେବେ ସ୍ବତଃ ଆମେ ସୁଖୀ ହୋଇଯିବା
| ଗତକାଲିର ଆଲୋଚନାରୁ ଆମେ ଜାଣିବାକୁ ପାଇଥିଲେ ଯେ ଆମେ ସବୁ ଜୀବାତ୍ମା ପରମାତ୍ମା ଭଗବାନଙ୍କର
କ୍ଷୁଦ୍ରାଂଶ ଅଟେ | ବେଦଶାସ୍ତ୍ର ଅନୁଯାୟୀ ଭଗବାନଙ୍କର ଅନ୍ୟ ଏକ ନାମ ‘ବ୍ରହ୍ମ’ ଅଟେ | ବ୍ରହ୍ମ ଶବ୍ଦର ଅର୍ଥ ବୃହତ୍ – ବୃହତ୍ବାଦ୍ ବ୍ରହ୍ମ | ଭଗବାନ ଅନନ୍ତ ମାତ୍ରାରେ
ବୃହତ୍ ଅଟନ୍ତି | ସେ ଏତେ ବୃହତ୍ ଯେ ଏହି ବିଶାଳ ସୃଷ୍ଟି ଏବଂ ତନ୍ମଧ୍ୟରେ ଥିବା ସବୁକିଛିକୁ ସେ
ନିଜ ମଧ୍ୟରେ ଧାରଣ କରିଥାଆନ୍ତି | କିନ୍ତୁ ବ୍ରହ୍ମ ଶବ୍ଦର ଅନ୍ୟ ଏକ ପରିଭାଷା ମଧ୍ୟ ରହିଛି –
ବୃଂହଣତ୍ବାତ୍ ବ୍ରହ୍ମ – ସେ ସ୍ବୟଂ ବୃହତ୍ ଅଟନ୍ତି ଏବଂ ନିଜ ପରି ଅନ୍ୟମାନଙ୍କୁ ମଧ୍ୟ ବୃହତ୍
କରିପାରନ୍ତି | ଭଗବାନ କୃପଣ ନୁହଁନ୍ତି | ସେ ନିଜର ଅଂଶ-ରୂପୀ କ୍ଷୁଦ୍ରାତିକ୍ଷୁଦ୍ର
ଜୀବାତ୍ମାଙ୍କୁ ତାଙ୍କର ଦିବ୍ୟ ସମ୍ପଦ ପ୍ରଦାନ କରି ନିଜ ପରି ମହାନ୍ କରିବାକୁ ଇଚ୍ଛା
କରିଥାଆନ୍ତି | ସେହି ଅନନ୍ତ ବ୍ରହ୍ମଙ୍କର କ୍ଷୁଦ୍ରାଂଶ ଭାବରେ ନିଜକୁ ଶ୍ରେଷ୍ଠ ଏବଂ ମହାନ୍
କରିବାର ଲାଳସା ଆମ ଭିତରେ ରହିବା ସ୍ବାଭାବିକ | ସେଥିପାଇଁ ମାନବ ପ୍ରୟାସର ପ୍ରତ୍ୟେକ ଦିଗରେ
ଅହରହ ବୃଦ୍ଧି ଏବଂ ବିକାଶ ପରିଲକ୍ଷିତ ହୋଇଥାଏ | ଉନ୍ନତ ହେବାର ଇଚ୍ଛା ଆମ ବ୍ୟକ୍ତିତ୍ବର ସହଜାତ
ପ୍ରବୃତ୍ତି ଅଟେ |
ଏହି ପରିପ୍ରେକ୍ଷୀରେ ଏଡମଣ୍ଡ୍
ହିଲାରୀଙ୍କର ଆରୋହଣ ଅଭିଯାନକୁ ଏକ ପ୍ରେରଣାଦାୟକ ଆଖ୍ୟାନ ଭାବରେ ନିଆ ଯାଇପାରେ | ଆମେ ସମସ୍ତେ
ଜାଣିଅଛେ, ୧୯୫୩ ମସିହାରେ ବିଶ୍ବର ପ୍ରଥମ ମାନବ ଭାବରେ ଏଡମଣ୍ଡ୍ ହିଲାରୀ ସେରପା ତେନଜିଂଙ୍କ ସହ
ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିଲେ | କିନ୍ତୁ ୧୯୫୨ ମସିହାରେ ସେ ପ୍ରଥମେ ସେହି ଦିଗରେ ପ୍ରୟାସ
କରି ଅସଫଳ ହୋଇଥିଲେ, ଏକଥା ଆମ୍ଭମାନଙ୍କ ମଧ୍ୟରୁ ପ୍ରାୟ କେହି ଜାଣନ୍ତି ନାହିଁ | ତାଙ୍କର ସେହି ପ୍ରୟାସ
ବିଷୟରେ ଜାଣି ବ୍ରିଟିଶ ପର୍ବତାରୋହଣ ସଂଘ ତାଙ୍କର ସମ୍ମାନାର୍ଥେ ଏକ ଅଭ୍ୟର୍ଥନା ସଭା ଆୟୋଜନ
କରିଥିଲେ | ଯେଉଁ ମଞ୍ଚକୁ ସେମାନେ ହିଲାରୀଙ୍କୁ ଆମନ୍ତ୍ରିତ କରିଥିଲେ, ତାହାର ପ୍ରଚ୍ଛଦପଟରେ
ଏଭରେଷ୍ଟର ଏକ ବିରାଟ ଛବି ରହିଥିଲା | ମଞ୍ଚ ଉପରେ ଚଢି ମାଇକ୍ ପାଖକୁ ଯିବା ପୂର୍ବରୁ ଏଡମଣ୍ଡ୍
ହିଲାରୀ ସର୍ବପ୍ରଥମେ ଏଭରେଷ୍ଟର ସେହି ଛବି ପ୍ରତି ମୁଷ୍ଟି ନିର୍ଦ୍ଦେଶ କରି କହିଥିଲେ, “ପ୍ରିୟ
ଏଭରେଷ୍ଟ ! ଗତ ବର୍ଷ ତୁମେ ମୋତେ ହରାଇ ଦେଇଥିଲ | ଏଥର କିନ୍ତୁ ମୁଁ ତୁମକୁ ପରାସ୍ତ କରିବାକୁ
ଯାଉଛି କାରଣ ତୁମର ବୃଦ୍ଧି ସମ୍ପୂର୍ଣ୍ଣ ହୋଇଯାଇଛି, ଅଥଚ ମୁଁ କ୍ରମାଗତ ଭାବରେ ବୃଦ୍ଧି ଲାଭ କରିବାରେ ଲାଗିଛି |” ଅତଏବ ବୃଦ୍ଧି ଲାଭ କରିବାର
ଲାଳସା ଆମ ବ୍ୟକ୍ତିତ୍ବରେ ସହଜାତ ଅଟେ ଏବଂ ସ୍ବୟଂ ଭଗବାନଙ୍କ ପରି ପରିପୂର୍ଣ୍ଣ ନ ହେବା ଯାଏଁ
ଆମର ସେହି ଲାଳସା ପରିତୃପ୍ତ ହେବ ନାହିଁ | ସେଥିପାଇଁ ସ୍ବାମୀ ବିବେକାନନ୍ଦ କହିଥିଲେ – “ସିଦ୍ଧ
ମହାପୁରୁଷମାନେ ଅଦ୍ବିତୀୟ ନୁହଁନ୍ତି | ଆମ୍ଭମାନଙ୍କ ପରି ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି |
ଯେଉଁ ଅଧିଚେତନାର ସ୍ତରରେ ସେମାନେ ଅଧିଷ୍ଠିତ, ସେହି ସ୍ତରରେ
ଆମ୍ଭେମାନେ ମଧ୍ୟ ଉପନିତ ହୋଇପାରିବା | କେହି ଜଣେ ଯଦି କୌଣସି ଏକ ସ୍ଥିତିରେ ଆସୀନ
ହୋଇପାରିଛନ୍ତି, ତେବେ ଅନ୍ୟମାନେ ମଧ୍ୟ ସେହି ସ୍ଥିତିକୁ ସ୍ପର୍ଶ କରିପାରିବେ ଏବଂ ଯଥାର୍ଥରେ ତାହା ହିଁ
ଧର୍ମ ଅଟେ |” ଧର୍ମର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ପରି ପରିପୂର୍ଣ୍ଣ ହେବା ଦିଗରେ ଜୀବର
ପ୍ରୟାସରେ ସହାୟତା କରିବା | ବାଇବଲ୍ କହେ, Be ye perfect….like your Father
in Heaven is perfect. – ସ୍ବର୍ଗରେ ଥିବା ତୁମର
ପରମ ପିତା ଯେପରି ସିଦ୍ଧ ଅଟନ୍ତି, ତୁମେ ସେହିପରି ସିଦ୍ଧ ହୁଅ | ତାଛଡା, ବେଦ ତ କହିଥାଏ, “ବୃଂହଣତ୍ବାତ୍ ବ୍ରହ୍ମ” | ଭଗବାନ ସ୍ବୟଂ ପରିପୂର୍ଣ୍ଣ ଅଟନ୍ତି ଏବଂ ସେହି ପରିପୂର୍ଣ୍ଣତା
ସେ ନିଜର ସମସ୍ତ କ୍ଷୁଦ୍ରାତିକ୍ଷୁଦ୍ର ଅଂଶମାନଙ୍କଠାରେ ମଧ୍ୟ ଆଶା କରନ୍ତି | ସୁତରାଂ, ସମସ୍ତ ମାନବ ପ୍ରୟାସର ଉଦ୍ଦେଶ୍ୟ ହେଉଛି ନିଜ ସାମର୍ଥ୍ୟର ସର୍ବାଧିକ ଅଭିବୃଦ୍ଧି ହାସଲ
କରିବା | ଶ୍ରେଷ୍ଠ ହେବାର ପ୍ରୟାସରେ ନିଜକୁ ନିୟୋଜିତ କରି ଆମେ ସ୍ବତଃ ଶ୍ରେଷ୍ଠରୁ ଶ୍ରେଷ୍ଠତର
ହେବାରେ ଲାଗିବା | ତେଣୁ, ଯେତିକି ଶ୍ରେଷ୍ଠ ଆମେ ହୋଇପାରିବା, ଆସନ୍ତୁ ସେତିକି ଶ୍ରେଷ୍ଠ ହେବାର
ମହତ୍ତ୍ବାକାଂକ୍ଷାକୁ ଆମେ ନିଜ ଭିତରେ ପ୍ରଜ୍ବଳିତ କରିବା |
-------------xxxxxx-------------
Happiness
Challenge Day 13
Swami
Mukundananda
Comments
Post a Comment