ଆଧ୍ୟାତ୍ମିକ ଜ୍ଞାନର ସର୍ବଶ୍ରେଷ୍ଠ ଉତ୍ସ
ଜଗଦଗୁରୁ ଶ୍ରୀ କୃପାଲୁ ଜୀ ମହାରାଜଙ୍କର ଜନ୍ମ ୧୯୨୨ ମସିହା ଶରତ ପୂର୍ଣ୍ଣିମାର ଶୁଭ
ରାତ୍ରୀରେ ଭାରତବର୍ଷର ଉତ୍ତର ପ୍ରଦେଶ ପ୍ରାନ୍ତ ପ୍ରତାପଗଢ଼ ଜିଲ୍ଲାର ମନଗଢ଼ ଗ୍ରାମର ସର୍ବୋଚ୍ଚ
ବ୍ରାହ୍ମଣ କୁଳରେ ହୋଇଥିଲା |
ତାଙ୍କର ପ୍ରାରମ୍ଭିକ ଶିକ୍ଷା ମନଗଢ଼ ଏବଂ କୁଣ୍ଡାରେ ସମ୍ପନ୍ନ ହୋଇଥିଲା | ପଶ୍ଚାତ୍, ସେ ଇନ୍ଦୋର, ଚିତ୍ରକୂଟ ଏବଂ
ବାରାଣାସୀରେ ବ୍ୟାକରଣ, ସାହିତ୍ୟ ତଥା ଆୟୁର୍ବେଦ
ଅଧ୍ୟୟନ କରିଥିଲେ |
୧୬ ବର୍ଷର ଅତି ଅଳ୍ପ ଆୟୁରେ ସେ ଚିତ୍ରକୂଟର ଶରଭଙ୍ଗ ଆଶ୍ରମ ସମୀପସ୍ଥ ସଘନ ବନରେ ଏବଂ
ବୃନ୍ଦାବନର ବଂଶୀବଟ ନିକଟସ୍ଥ ଜଙ୍ଗଲରେ ବାସ କରିଥିଲେ |
ଶ୍ରୀକୃଷ୍ଣ ପ୍ରେମରେ ବିଭୋର ଭାବଯୁକ୍ତ ଅବସ୍ଥାରେ ଯିଏ ବି ତାଙ୍କୁ ଦେଖୁଥିଲେ, ସେ ଆଶ୍ଚର୍ଯ୍ୟ ହୋଇ କହୁଥିଲେ ଇଏ ତ ପ୍ରେମର ସାକାର ସ୍ବରୂପ ଭକ୍ତିଯୋଗରସାବତାର ଅଟନ୍ତି |
ସେହି ସମୟରେ କେହି ମଧ୍ୟ ଏହା ଅନୁମାନ କରିପାରି ନ ଥିଲେ ଯେ ଜ୍ଞାନର ଅଗାଧ ଏବଂ ଅପରିମେୟ
ସମୁଦ୍ର ମଧ୍ୟ ତାଙ୍କ ଭିତରେ ଲୁକ୍କାୟିତ ଅବସ୍ଥାରେ ରହିଛି କାରଣ ପ୍ରେମର ସେହି ବିଚିତ୍ର
ଅବସ୍ଥାରେ ତାଙ୍କର ଦୈହିକ ସୁଧି-ବୁଧି ରହୁ ନ ଥିଲା ଏବଂ ଘଣ୍ଟା ଘଣ୍ଟା ଧରି ସେ ମୂର୍ଚ୍ଛିତ
ରହୁଥିଲେ | କେତେବେଳେ ସେ ଉଚ୍ଚ ଅଟ୍ଟହାସ କରୁଥିଲେ ତ କେତେବେଳେ ଭୟଙ୍କର ରୋଦନ କରୁଥିଲେ | ଖାଦ୍ୟ-ପେୟର
ତ କୌଣସି ଠିକଣା ନ ଥିଲା | ନେତ୍ରରୁ ତାଙ୍କର ଅବାରିତ ଅଶ୍ରୁଧାର ପ୍ରବାହିତ ହେବାରେ ଲାଗିଥିଲା
| କେତେବେଳେ କୌଣସି ଜଙ୍ଗଲୀ ଲତାଝାଡିରେ ତାଙ୍କର ବସ୍ତ୍ର ଛନ୍ଦି ହୋଇ ଯାଉଥିଲା ତ କେତେବେଳେ କଂକରିଳ
ରାସ୍ତାର କୌଣସି ପଥରକୁ ଝୁଣ୍ଟି ସେ ଧରାଶାୟୀ ହୋଇ ଯାଉଥିଲେ | କିନ୍ତୁ କ୍ରମଶଃ ସେ ନିଜର ଭାବକୁ
ଗୋପନ କରି ଶ୍ରୀକୃଷ୍ଣ ଭକ୍ତିର ପ୍ରଚାର କରିବାରେ ଲାଗିଲେ | ଏବେ ତାଙ୍କଠାରେ ପ୍ରେମ ସହିତ
ଜ୍ଞାନର ମଧ୍ୟ ପ୍ରକଟୀକରଣ ହେଲା |
୧୯୫୫ ମସିହାରେ ସେ ଚିତ୍ରକୂଟ ଠାରେ ଏକ ବିରାଟ ଦାର୍ଶନିକ ସମ୍ମିଳନୀ ଆୟୋଜନ କରିଥିଲେ, ଯେଉଁଥିରେ କାଶୀ ଆଦି ସ୍ଥାନରୁ ଅନେକ ବିଦ୍ବାନ ଏବଂ ସମସ୍ତ ଜଗଦଗୁରୁ ସମ୍ମିଳିତ ହୋଇଥିଲେ
| ୧୯୫୬ ମସିହାରେ ସେହିପରି ଏକ ବିଶାଳ ସନ୍ଥ ସମ୍ମିଳନୀ କାନପୁର ସହରରେ ଆୟୋଜନ କରିଥିଲେ | ସେହି
ସମ୍ମିଳନୀରେ ବେଦ-ଶାସ୍ତ୍ରରେ ତାଙ୍କର ଅଦ୍ବିତୀୟ-ଅସାଧାରଣ ଜ୍ଞାନକୁ ଦେଖି ସେଠାରେ ଉପସ୍ଥିତ
କାଶୀର ମୂର୍ଧନ୍ୟ ବିଦ୍ବାନ ସ୍ତମ୍ଭୀଭୂତ ହୋଇଗଲେ | ସେହି ସମୟରେ ତାଙ୍କ ସମ୍ବନ୍ଧରେ କାଶୀର
ପ୍ରଖ୍ୟାତ ପଣ୍ଡିତ, ଶାସ୍ତ୍ରାର୍ଥ
ମହାବିଦ୍ୟାଳୟ (କାଶୀ) ର ସଂସ୍ଥାପକ, ଶାସ୍ତ୍ରାର୍ଥ ମହାରଥୀ, ଭାରତର ସର୍ବମାନ୍ୟ ଏବଂ ଅଗ୍ରଗଣ୍ୟ ଦାର୍ଶନିକ, କାଶୀ ବିଦ୍ବତ୍ ପରିଷଦର ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀ ରାଜନାରାୟଣ ଜୀ ଶୁକ୍ଲ ଷଟଶାସ୍ତ୍ରୀ
ସାର୍ବଜନୀକ ଭାବରେ ଯାହା ଘୋଷଣା କରିଥିଲେ, ତାହାର କିଛି ଅଂଶ
ଏହିପରି ଅଟେ - (କାନପୁର ୧୯-୧୦-୫୬)
କାଶୀର ପଣ୍ଡିତମାନେ ସହଜରେ କାହାକୁ
ସମସ୍ତ ଶାସ୍ତ୍ରର ଜ୍ଞାତା ସ୍ବୀକାର କରନ୍ତି ନାହିଁ | ଆମ୍ଭେମାନେ ପ୍ରଥମେ ତାଙ୍କୁ
ଶାସ୍ତ୍ରାର୍ଥ କରିବାକୁ ଆହ୍ବାନ କରିଥାଉ ଏବଂ ସବୁ ପ୍ରକାରର ମାପଦଣ୍ଡରେ କଷିବା ପରେ ଆମେ
ତାଙ୍କୁ ଶାସ୍ତ୍ରଜ୍ଞ ସ୍ବୀକାର କରିଥାଏ | ଆଜି ଆମେ ଏହି ମଞ୍ଚରୁ ଏଠାରେ ଉପସ୍ଥିତ ବିଶାଳ
ବିଦ୍ବାନମଣ୍ଡଳୀଙ୍କ ସମ୍ମୁଖରେ ଏହା ଘୋଷଣା କରିବାକୁ ଇଚ୍ଛା କରୁଅଛୁ ଯେ ସନ୍ଥାଗ୍ରଗଣ୍ୟ ଶ୍ରୀ
କୃପାଲୁ ଜୀ ମହାରାଜ ତଥା ତାଙ୍କର ଭଗବତ୍-ଦତ୍ତ ପ୍ରତିଭାକୁ ଆମେ ଚିହ୍ନିପାରିଛୁ ଏବଂ
ଆପଣମାନଙ୍କୁ ଆମେ ଏହି ଉପଦେଶ ଦେବାକୁ ଇଚ୍ଛା କରୁଛୁ ଯେ ଆପଣମାନେ ମଧ୍ୟ ତାଙ୍କୁ ଚିହ୍ନନ୍ତୁ ଏବଂ
ତାଙ୍କଠାରୁ ଲାଭ ଆଦାୟ କରନ୍ତୁ |
ଆପଣମାନଙ୍କର ପରମ ସୌଭାଗ୍ୟ ଯେ ଏପରି
ଦିବ୍ୟ ବାଙମୟ ସ୍ବରୂପ ଜଣେ ସନ୍ଥ ଆଜି ଆପଣଙ୍କ ଗହଣକୁ ଆଗମନ କରିଛନ୍ତି | କାଶୀ ସମଗ୍ର ବିଶ୍ବର
ଗୁରୁକୁଳ ଅଟେ ଏବଂ ଆମେ ସବୁ କାଶୀନିବାସୀ ଏଠାରେ ଉପସ୍ଥିତ ଅଛେ | ଗତକାଲି ଶ୍ରୀ କୃପାଲୁ ଜୀ
ମହାରାଜଙ୍କର ଅଲୌକିକ ବକ୍ତବ୍ୟ ଶୁଣି ଆମେ ସବୁ ନତମସ୍ତକ ହୋଇ ଯାଇଥିଲୁ | ଆମ୍ଭେମାନେ ଇଚ୍ଛା
କରୁଛୁ ଅନ୍ୟ ସମସ୍ତେ ଶ୍ରୀ କୃପାଲୁ ଜୀ ମହାରାଜଙ୍କୁ ଜାଣନ୍ତୁ ଏବଂ ତାଙ୍କ ସଂସ୍ପର୍ଶରେ ଆସି
ତାଙ୍କର ସରଳ, ସରସ, ଅନୁଭବାତ୍ମକ ଏବଂ ବିଲକ୍ଷଣ ଉପଦେଶ ଶ୍ରବଣ କରନ୍ତୁ ତଥା ଜୀବନରେ କ୍ରିୟାତ୍ମକ ରୂପରେ
ତାହାର ଉପଯୋଗ କରି ନିଜର କଲ୍ୟାଣ କରନ୍ତୁ |
ତତ୍ ପଶ୍ଚାତ୍ କାଶୀ ବିଦ୍ବତ୍ ପରିଷଦ (ଭାରତର ପ୍ରାୟ ୫୦୦ ଶୀର୍ଷସ୍ଥ ଶାସ୍ତ୍ରଜ୍ଞ ବେଦଜ୍ଞ
ବିଦ୍ବାନମାନଙ୍କର ସଭା) ତାଙ୍କୁ କାଶୀ ଆଗମନ କରିବାକୁ ନିମନ୍ତ୍ରଣ ଜଣାଇ ଥିଲା | ମାତ୍ର ୩୪-ବର୍ଷୀୟ
ଶ୍ରୀ ମହାରାଜ ଜୀଙ୍କୁ ଏତେ ଜଣ ବୟୋବୃଦ୍ଧ ବିଦ୍ବାନଙ୍କ ଗହଣରେ ଦେଖି କେହି କେହି ଭାବୁକ ଭକ୍ତ
ଏପରି କହିବାରେ ଲାଗିଲେ –
ଉଦିତ ଉଦୟ ଗିରି ମଂଚ ପର ରଘୁବର ବାଲ ପତଂଗ
କଠିନ ସଂସ୍କୃତ ଭାଷାରେ ଶ୍ରୀ କୃପାଲୁ ଜୀଙ୍କର ବିଲକ୍ଷଣ ପ୍ରବଚନକୁ ଶୁଣି ଏବଂ ଭକ୍ତିରସରେ
ଓତଃପ୍ରୋତ ତାଙ୍କ ଅଲୌକିକ ବ୍ୟକ୍ତିତ୍ବର ଅବଲୋକନ କରି ସେଠାରେ ଉପସ୍ଥିତ ସମସ୍ତ ବିଦ୍ବାନ
ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ | ସେମାନେ ସ୍ବୀକାର କରିଥିଲେ ଯେ ଇଏ କେବଳ ବେଦ, ଶାସ୍ତ୍ର, ପୁରାଣର ମର୍ମଜ୍ଞ ହିଁ
ନୁହଁନ୍ତି, ବରଂ ପ୍ରେମର ସାକାର ସ୍ବରୂପ ମଧ୍ୟ ଅଟନ୍ତି | ତାପରେ ସେମାନେ ଏକମତ ହୋଇ ଶ୍ରୀ କୃପାଲୁ
ଜୀଙ୍କୁ “ଜଗଦଗୁରୁତ୍ତମ” ଉପାଧିରେ ବିଭୂଷିତ
କରିଥିଲେ | ସେମାନେ ଏହା ସ୍ବୀକାର କରିଥିଲେ ଯେ ଶ୍ରୀ କୃପାଲୁ ଜୀ ଜଗଦଗୁରୁମାନଙ୍କ ମଧ୍ୟରେ
ସର୍ବୋତ୍ତମ ଅଟନ୍ତି –
.......ଧନ୍ୟୋ ମାନ୍ୟ ଜଗଦଗୁରୁତ୍ତମପଦୈଃସୋଽୟଂ ସମଭ୍ୟର୍ଚ୍ୟତେ |
କେବଳ ସେତିକି ନୁହେଁ, ତାଙ୍କର ଅନୁଭବାତ୍ମକ
ଦିବ୍ୟ ଜ୍ଞାନ ଓ ଭକ୍ତିରସ ଓତଃପ୍ରୋତ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ ସେହି ବିଦ୍ବାନମାନେ
ତାଙ୍କୁ ଅନ୍ୟ ଅନେକ ଉପାଧି ପ୍ରଦାନ କରିଥିଲେ –
ଶ୍ରୀମତ୍ପଦବାକ୍ୟପ୍ରମାଣପାରାବାରୀଣ, ବେଦମାର୍ଗପ୍ରତିଷ୍ଠାପନାଚାର୍ଯ୍ୟ,
ନିଖିଳଦର୍ଶନସମନ୍ବୟାଚାର୍ଯ୍ୟ,
ସନାତନବୈଦିକଧର୍ମପ୍ରତିଷ୍ଠାପନସତସମ୍ପ୍ରଦାୟପରମାଚାର୍ଯ୍ୟ,
ଭକ୍ତିଯୋଗରସାବତାର
ଭଗବଦନନ୍ତ
ଶ୍ରୀବିଭୂଷିତ ଜଗଦଗୁରୁ ୧୦୦୮ ସ୍ବାମୀ ଶ୍ରୀ କୃପାଲୁ ଜୀ ମହାରାଜ
ଶ୍ରୀ କୃପାଲୁ ଜୀ ମହାରାଜଙ୍କର ଦର୍ଶନ ‘କୃପାଲୁ ଭକ୍ତିଯୋଗ ତତ୍ତ୍ବ ଦର୍ଶନ’ ନାମରେ ସୁପ୍ରସିଦ୍ଧ ଅଟେ | ଅଧୁନା ସମ୍ପୂର୍ଣ୍ଣ ବିଶ୍ବରେ ଏଗାରଟି ଧର୍ମ ପ୍ରଚଳିତ: ହିନ୍ଦୁ
ବୈଦିକ ଧର୍ମ, ଜୈନ ଧର୍ମ, ବୌଦ୍ଧ ଧର୍ମ, ଈସାଈ ଧର୍ମ, ଶିଖ ଧର୍ମ, ୟହୂଦୀ ଧର୍ମ, ପାରସୀ ଧର୍ମ, ଇସଲାମ୍ ଧର୍ମ, ତାଓ ଓ କନ୍ଫ୍ୟୁସିୟନ୍ ଧର୍ମ ଏବଂ ସିଣ୍ଟୋ ଧର୍ମ |
ଜୀବାତ୍ମାର ପରମ-ଚରମ ଲକ୍ଷ୍ୟ ଆନନ୍ଦ-ପ୍ରାପ୍ତିର ସାଧନକୁ ନେଇ ଏହି ସବୁ ଧର୍ମମାନଙ୍କ
ମଧ୍ୟରେ ବିରୋଧାଭାସ ପରିଲକ୍ଷିତ ହୋଇଥାଏ | ଗୋଟିଏ ଧର୍ମରେ ହିଁ ଅନେକ ବିରୋଧ ରହିଥାଏ | ନିଖିଳଦର୍ଶନସମନ୍ବୟାଚାର୍ଯ୍ୟ
ଜଗଦଗୁରୁ ଶ୍ରୀ କୃପାଲୁ ଜୀ ମହାରାଜ ସବୁ ଧର୍ମର ସମ୍ମାନ କରି ସେମାନଙ୍କ ମଧ୍ୟରେ ଥିବା
ବିରୋଧାଭାସର ସୁନ୍ଦର ସମନ୍ବୟ ପୂର୍ବକ ଏପରି ଏକ ମାର୍ଗର ଦିଗଦର୍ଶନ କରିଛନ୍ତି ଯାହା
ସାର୍ବଭୌମିକ ଅଟେ | ଜାତି-ଧର୍ମ ନିର୍ବିଶେଷରେ ଜନସାଧାରଣଙ୍କର ଏକୀକରଣ କରି ଶ୍ୟାମା-ଶ୍ୟାମଙ୍କର
ଦିବ୍ୟ ପ୍ରେମ ସନ୍ଦେଶ ସର୍ବ ଜନରେ ବିତରଣ କରିବା ପାଇଁ ଶ୍ରୀ ମହାରାଜ ଜୀ ନିଜର ସର୍ବସ୍ବ
ସମର୍ପିତ କରି ଦେଇଛନ୍ତି |
ତାପତ୍ରୟରେ ପୀଡିତ କଳିମଳ ଗ୍ରସିତ ଅଧମ ଜୀବ ନିମନ୍ତେ ଶାଶ୍ବତ ଦିବ୍ୟ ପ୍ରେମାନନ୍ଦ ପ୍ରାପ୍ତିର ସର୍ବସୁଗମ ମାର୍ଗ ପ୍ରଶସ୍ତ କରିବାକୁ ଯାଇ ଜଣେ ଆଦର୍ଶ କର୍ମଯୋଗୀ ପରି ସେ ନିଶିବାସର ପ୍ରଯତ୍ନଶୀଳ ରହୁଥିଲେ |
ଶ୍ରୀ ମହାରାଜ ଜୀଙ୍କର ଦିବ୍ୟାତିଦିବ୍ୟ
ପ୍ରବଚନର ବୈଶିଷ୍ଟ୍ୟ
ଜଗଦଗୁରୁ ଶ୍ରୀ କୃପାଲୁ ଜୀ ମହାରାଜ ବେଦମାର୍ଗପ୍ରତିଷ୍ଠାପନାଚାର୍ଯ୍ୟ ଅଟନ୍ତି | ସେ ଯେଉଁ ବେଦମାର୍ଗ ପ୍ରତିସ୍ଥାପିତ କରିଛନ୍ତି, ତାହା ସାର୍ବଭୌମିକ ଅଟେ | ବୈଦିକ ସିଦ୍ଧାନ୍ତର ସାରତତ୍ତ୍ବକୁ ପ୍ରକଟିତ କରି ଜଗଦଗୁରୁ
ଶ୍ରୀ କୃପାଲୁ ଜୀ ମହାରାଜ ଭଗବତ୍-ପ୍ରାପ୍ତିର ସର୍ବସୁଗମ ତଥା ସର୍ବସାଧ୍ୟ ମାର୍ଗ ପ୍ରଶସ୍ତ
କରିଛନ୍ତି | ବେଦ-ଶାସ୍ତ୍ର, ପୁରାଣ ଏବଂ ଅନ୍ୟ
ଧର୍ମଗ୍ରନ୍ଥମାନଙ୍କରେ ଯେଉଁ ବିରୋଧାଭାସର ପ୍ରତୀତି ହୋଇଥାଏ, ତାହାର ସମ୍ପୂର୍ଣ୍ଣ ନିରାକରଣ କରି ସେ ଅତ୍ୟନ୍ତ ସରଳ ମାର୍ଗର ଉପସ୍ଥାପନା କରିଛନ୍ତି ଯାହା
ଅଦ୍ବିତୀୟ ଏବଂ ଅଭୂତପୂର୍ବ ହୋଇଥିବା ସହିତ କଳିଯୁଗର ସବୁ ଜୀବଙ୍କ ନିମନ୍ତେ ଗ୍ରାହ୍ୟ ଅଟେ |
କଠିନରୁ କଠିନ ଶାସ୍ତ୍ରୀୟ ସିଦ୍ଧାନ୍ତକୁ ଜନସାଧାରଣଙ୍କ ପାଇଁ ବୋଧଗମ୍ୟ କରାଇବା ତାଙ୍କ ପ୍ରବଚନ ଶୈଳୀର ବିଶେଷତା ଅଟେ | ଗୂଢ଼ରୁ ଗୂଢ଼ତର ଶାସ୍ତ୍ରୀୟ ସିଦ୍ଧାନ୍ତକୁ ସେ ଏପରି ମନମୋହକ ଶୈଳୀରେ ଉପସ୍ଥାପିତ କରିଥାଆନ୍ତି ଯେ ନିରନ୍ତର ତାହାର ଶ୍ରବଣ କରି ଅତି ସାଧାରଣ ମନ୍ଦବୁଦ୍ଧି-ସମ୍ପନ୍ନ ବ୍ୟକ୍ତି ମଧ୍ୟ ଶାସ୍ତ୍ର-ବେଦର ଜ୍ଞାତା ହୋଇଯାଆନ୍ତି ଏବଂ ତର୍କରେ ବଡ ବଡ ବିଦ୍ବାନମାନଙ୍କୁ ପରାସ୍ତ କରିଦେଇ ଥାଆନ୍ତି | ସରଳତା ଏବଂ ସରସତା ସହିତ ତାଙ୍କ ପ୍ରବଚନରେ ଦୈନନ୍ଦିନ ଜୀବନର କ୍ରିୟାତ୍ମକ ଅନୁଭବର ମିଶ୍ରଣ ତାହାକୁ ଆହୁରି ବିଶେଷକରିଥାଏ | ସାଧାରଣ କଥିତ ଭାଷାରେ ସେ କଠିନରୁ କଠିନ ଶାସ୍ତ୍ରୀୟ ସିଦ୍ଧାନ୍ତକୁ ଜୀବର ମସ୍ତିଷ୍କରେ ଭରି ଦେଇଥାଆନ୍ତି ଯାହା ଜଣେ ଶ୍ରୋତ୍ରିୟ-ବ୍ରହ୍ମନିଷ୍ଠ ମହାପୁରୁଷ ହିଁ କରିବାକୁ ସକ୍ଷମ ଅଟନ୍ତି | ପ୍ରବଚନରେ ପ୍ରମାଣସ୍ବରୂପ ସେ ଯେତେବେଳେ ଶାସ୍ତ୍ର-ବେଦର ଶ୍ଲୋକ ଉଦ୍ଧାର କରିଥାଆନ୍ତି, ସେତେବେଳେ ମନେହୁଏ ସତେ ଯେପରି ସମସ୍ତ ବେଦଶାସ୍ତ୍ର କରବଦ୍ଧ ହୋଇ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ରହିଛନ୍ତି ଏବଂ ସେ ଗୋଟିଏ ପରେ ଗୋଟିଏ ପୃଷ୍ଠା ଉନ୍ମୋଚନ କରୁଛନ୍ତି | କାଶୀ ବିଦ୍ବତ୍ ପରିଷତ୍ ଦ୍ବାରା ପ୍ରଦତ୍ତ ଉପାଧି ଶ୍ରୀମତ୍ପଦବାକ୍ୟପ୍ରମାଣପାରାବାରୀଣ ତାଙ୍କ ପ୍ରବଚନରେ ସ୍ପଷ୍ଟ ଦୃଷ୍ଟିଗୋଚର ହୋଇଥାଏ |
ଶ୍ରୀ ମହାରାଜ ଜୀଙ୍କର ଅମୃତ ବଚନ ଦିବ୍ୟ ଅଟେ ଏବଂ ତାହା ଏତେ ସରଳ ଯେ ତାଙ୍କ କୃପାରୁ ଘୋର
ଅଜ୍ଞାନୀ, ନିରକ୍ଷର ଜୀବର ମଧ୍ୟ ପୂର୍ଣ୍ଣ ତତ୍ତ୍ବଜ୍ଞାନ ହୋଇଯାଏ | ଯିଏ ଯେଉଁ କକ୍ଷର ସାଧକ, ନିଜ ଅନ୍ତଃକରଣର ସ୍ଥିତି
ଅନୁଯାୟୀ ସେ ତାହାକୁ ଆତ୍ମସାତ୍ କରିଥାଏ | ହଁ, ଏହା ସମସ୍ତେ ଅନୁଭବ
କରିଥାଆନ୍ତି ଯେ ଏପରି ବିଲକ୍ଷଣ ପ୍ରବଚନ ଆମେ ପୂର୍ବରୁ କେବେ ଶୁଣି ନ ଥିଲୁ | ପ୍ରତ୍ୟେକ
ପ୍ରବଚନ ନବୀନ ଏବଂ ବିଲକ୍ଷଣ ପ୍ରତୀତ ହୋଇଥାଏ, ପ୍ରତ୍ୟେକ ସିଦ୍ଧାନ୍ତକୁ
ପ୍ରତିପାଦିତ କରିବାକୁ ଯାଇ ପ୍ରମାଣର ଝଡ ଲାଗିଯାଏ | ବେଦ, ରାମାୟଣ, ଭାଗବତ, ଗୀତା, କୋରାନ୍, ବାଇବେଲ୍, ଉପନିଷଦ, ପୁରାଣ ଆଦିର ଉଦ୍ଧରଣ ପ୍ରଦାନ କରି ଶ୍ରୀ ଗୁରୁବର ସମସ୍ତ ସିଦ୍ଧାନ୍ତର ସମନ୍ବୟ
କରିଥାଆନ୍ତି | ସେଥିପାଇଁ ତ ତାଙ୍କୁ ନିଖିଳଦର୍ଶନସମନ୍ବୟାଚାର୍ଯ୍ୟ
ଏବଂ ଜଗଦଗୁରୁତ୍ତମ ଉପାଧିରେ ବିଭୂଷିତ
କରାଯାଇ ଥିଲା |
ପ୍ରାକୃତ ବୁଦ୍ଧିରେ ଶ୍ରୀ
ମହାରାଜ ଜୀଙ୍କ ଅଲୌକିକ ପ୍ରବଚନର ବିବେଚନା କରିବା ଅସମ୍ଭବ | ତାଙ୍କର ଦିବ୍ୟ ପ୍ରବଚନ ଅନିର୍ବଚନୀୟ
ଅଟେ | କିଂଚିତ୍ ଶ୍ରଦ୍ଧାପୂର୍ବକ ଶ୍ରୀ ମହାରାଜ ଜୀଙ୍କ ଦିବ୍ୟ ଓଜସ୍ବୀ ବାଣୀର ଶ୍ରବଣ ମାତ୍ରେ
ହୃଦୟ ଶ୍ରୀ ରାଧାକୃଷ୍ଣଙ୍କ ପ୍ରେମରେ ବିଭୋର ହୋଇ ଯାଇଥାଏ ତଥା ଯୁଗଳ ମାଧୁରୀର ଦର୍ଶନ ଲାଳସା
ତୀବ୍ରତର ହୋଇଥାଏ | ଶ୍ରୀ ମହାରାଜ ଜୀଙ୍କର ପ୍ରତ୍ୟେକ ପ୍ରବଚନ କୁମ୍ଭରେ ସାଗର ସଦୃଶ ଅଟେ |
ଜ୍ଞାନର ଅଗାଧ ସିନ୍ଧୁ ଅଟେ, ଯହିଁରେ ଅବଗାହନ କରି
ଶୁଷ୍କରୁ ଅଧିକ ଶୁଷ୍କ ହୃଦୟ ମଧ୍ୟ ସଂଶୟରହିତ ହୋଇ ପ୍ରେମ ରସରେ ଉଦବୁଦ୍ଧ ହୋଇ ଯାଇଥାଏ |
ତାଙ୍କର ଦିବ୍ୟ ବାଣୀ ତାଙ୍କ ଦ୍ବାରା
ପ୍ରଦତ୍ତ ହଜାର ହଜାର ପ୍ରବଚନ ରୂପରେ, ତାଙ୍କ ଦ୍ବାରା ରଚିତ
‘ପ୍ରେମ ରସ ସିଦ୍ଧାନ୍ତ’, ‘ପ୍ରେମ ରସ ମଦିରା’, ‘ଭକ୍ତି ଶତକ’ ଆଦି ଗ୍ରନ୍ଥ ରୂପରେ, ଏବଂ ଭକ୍ତି ମନ୍ଦିର, ପ୍ରେମ ମନ୍ଦିର ଆଦି
ଦିବ୍ୟ ସ୍ମାରକ ରୂପରେ ସଦୈବ ତାଙ୍କ ଉପସ୍ଥିତିର ସାକ୍ଷାତ ଅନୁଭବ କରାଇ ଯୁଗ ଯୁଗ ଭଗବତ୍-ତତ୍ତ୍ବ
ଜିଜ୍ଞାସୁମାନଙ୍କର ମାର୍ଗ ଦର୍ଶନ କରାଉଥିବ |
--------- ---------- -----------
In this blog, I am going to post regularly the spiritual gems in oriya for the oriya satsangis of Jagadguru Shri Kripalu Ji Maharaj.
ReplyDeleteRadhey Radhey. I am extremely grateful to recieve the message Dr G.Dr G.S Acharya.
ReplyDeleteଶ୍ରୀ ମହାରାଜଜି ଙ୍କ ବିଷୟରେ ବହୁତ ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ । ରାଧେ ରାଧେ ।।
ReplyDeleteThe detail presentation and narration of Sri Maharaj ji is absolutely necessary to a devotee who will go through this blog.. my heartfelt thanks and gratitude to you for chosen this platform to share Sri Maharaj ji's philosophy and Swamiji's invaluable words of life lessons.
ReplyDelete