Happiness Challenge: Art of Happiness

                                                        Swami Mukundananda

 ସୁଖୀ ହେବାର କଳା

ଜୀବନରେ ଆମେ ଯେତେ ସବୁ କଳା ଆହରଣ କରିଥାଏ, ତନ୍ମଧ୍ୟରୁ ସର୍ବାଧିକ ମନୋରମ, ଆନନ୍ଦଦାୟକ ଏବଂ ଲାଭଦାୟକ କଳା ସୁଖୀ ହେବାର କଳା ଅଟେ | ଏଥିପାଇଁ କେବଳ ଆମ ଭାବାବେଗର ସଠିକ୍ ସମନ୍ବୟ ଆବଶ୍ୟକ | ଭାବାବେଗ ଯେହେତୁ ଆମ ସମସ୍ତଙ୍କ ବ୍ୟକ୍ତିତ୍ବର ଏକ ମହତ୍ତ୍ବପୂର୍ଣ୍ଣ ଦିଗ ଅଟେ, ଏହି କଳାଟି ଆହରଣ କରିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ | ବାରମ୍ବାର ସୁଖକର ବିଚାର ମନକୁ ଆଣିବାର ପରିଣାମ ସ୍ବରୂପ ଆମ ଭିତରେ ଏକ ସୁଖୀ ମନୋଭାବ ଗଢି ଉଠିଥାଏ | ସେହି ମନୋଭାବ କ୍ରମଶଃ ସଘନ ହୋଇ ଏକ ମାନସିକତାରେ ପରିଣତ ହୋଇଥାଏ |

 ଆପଣ ଏପରି କିଛି ଲୋକଙ୍କୁ ଭେଟିଥିବେ ଯେଉଁମାନେ ସର୍ବଦା ଖୁସୀ ରହିଥାଆନ୍ତି | ମୁଁ ଜଣେ ଜେଜେବାପାଙ୍କ ବିଷୟରେ ଶୁଣିଛି | ତାଙ୍କ ପିଲାମାନେ ଦୁନିଆର ବିଭିନ୍ନ ଅଞ୍ଚଳରେ ବସବାସ କରିବା ପରେ ସେ ଏକ ବୃଦ୍ଧାଶ୍ରମରେ ରହିବାକୁ ସ୍ଥିର କଲେ | ବୃଦ୍ଧାଶ୍ରମର ମ୍ୟାନେଜର୍ ତାଙ୍କ ପାଇଁ ଏକ କୋଠରୀର ବ୍ୟବସ୍ଥା କରିଦେଲେ ଏବଂ ତାଙ୍କୁ ସେହି କୋଠରୀ ବୁଲାଇ ଦେଖାଇବା ପାଇଁ ଜଣେ ନର୍ସଙ୍କୁ ନିୟୋଜିତ କଲେ | ନର୍ସ୍ ଜଣକ ବୃଦ୍ଧଙ୍କୁ ସାଙ୍ଗରେ ନେଇ ଯାଉଥିବା ସମୟରେ କୋଠରୀ ବିଷୟରେ ବର୍ଣ୍ଣନା କରିବାରେ ଲାଗିଥାଆନ୍ତି – “ଜାଣିଛନ୍ତି ଜେଜେ, ଆପଣଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀରେ ଗୋଟିଏ ଅତି ଆରାମଦାୟକ ଭଟ୍ଟୀ ଅଛି |” ଜେଜେ କହିଲେ, “ବାଃ, ବହୁତ ବଢିଆ |” ନର୍ସ୍ ପୁଣି କହିଲେ, “ଆପଣଙ୍କ କୋଠରୀର ଚଟାଣରେ ଅତ୍ୟନ୍ତ ସୁନ୍ଦର ଇଟାଲିୟାନ୍ ଗାଲିଚା ବିଛା ହୋଇଛି ଯାହା ଖୁବ୍ ବେଶୀ ଲୋଭନୀୟ ଏବଂ ଆଳଙ୍କରିକ ଅଟେ |” ଜେଜେ କହିଲେ, “ଆଃ ! ଅତି ସୁନ୍ଦର ! ମୁଁ ତାହା ପସନ୍ଦ କରେ |” ନର୍ସ୍ ଜଣକ ଆହୁରି କହିଲେ, “ଜେଜେ ! ଆପଣଙ୍କ କୋଠରୀର ଝରକାରେ ଯେଉଁ ପରଦା ଲାଗିଛି, ତାହା ଅତ୍ୟନ୍ତ ରମଣୀକ ଅଟେ “| ଜେଜେ କହିଲେ, “ଅତି ଉତ୍ତମ ! ମୁଁ ତାହା ଭଲ ପାଏ |” ଶେଷରେ ନର୍ସ୍ ଜଣକ କହିଲେ, “ଜେଜେ ! ବର୍ତ୍ତମାନ ସୁଦ୍ଧା ଆପଣ ନିଜ କୋଠରୀ ଦେଖିନାହାଁନ୍ତି | ଆପଣ କିପରି କହୁଛନ୍ତି ଯେ ଆପଣ ତାହା ଭଲ ପାଆନ୍ତି ଏବଂ ପସନ୍ଦ କରନ୍ତି ?” ଉତ୍ତର ଦେବାକୁ ଯାଇ ଜେଜେ କହିଲେ, “ଦେଖ ! ମୁଁ କଣ ପସନ୍ଦ କରିବି ବା କଣ ପସନ୍ଦ ନ କରିବି, ତାହା କୋଠରୀ ଉପରେ ନିର୍ଭର କରେ ନାହିଁ, ମୋ ନିଜ ଉପରେ ନିର୍ଭର କରେ |” ଏହି ବୃଦ୍ଧ ବ୍ୟକ୍ତି ଜଣକ ମନରେ ଉଚିତ୍ ବିଚାର, ଉଚିତ୍ ଭାବନା ଏବଂ ଆବେଗ ପୋଷଣ କରିବାରେ ଗୁରୁ ଥିଲେ |

ଅନ୍ୟ ପକ୍ଷରେ, ଏପରି କିଛି ଲୋକ ଦେଖିବାକୁ ମିଳନ୍ତି ଯେଉଁମାନେ ନିଜ ଭିତରେ ଦୁଃଖ ଉତ୍ପନ୍ନ କରିଥାଆନ୍ତି | ଦିନେ ମୁଁ ହିନ୍ଦୀ ସାହିତ୍ୟ ଜଗତର ପ୍ରସିଦ୍ଧ ହାସ୍ୟ କବି କାକା ହାଥରସୀଙ୍କୁ ଭେଟିଥିଲି | ସେତେବେଳେ ସେ କାନ୍ଦୁଥିଲେ | ମୁଁ ତାଙ୍କୁ କାନ୍ଦିବାର କାରଣ ପଚାରିବାରୁ ସେ ମୋତେ କହିଲେ, “ସ୍ବାମୀଜୀ ! ମୋର ଜଣେ କାକା ମରିଗଲେ ଯିଏ ମୋ ପାଇଁ ଉତ୍ତରାଧିକାରୀ ସୂତ୍ରରେ ୧୦ ଲକ୍ଷ ଟଙ୍କା ଛାଡି ଯାଇଛନ୍ତି |” ମୁଁ କହିଲି, “କାକା ! ଆପଣଙ୍କ ପାଇଁ ସେ ଏତେ ବ୍ୟବସ୍ଥା କରି ଯାଇଛନ୍ତି, ତେଣୁ ତାଙ୍କର ମୃତ୍ୟୁରେ ଆପଣ ଦୁଃଖିତ ହେଉଛନ୍ତି କାହିଁକି ?” କାକା କହିଲେ, “ମୋର ଅନ୍ୟ ଜଣେ କାକା ମଧ୍ୟ ମରିଗଲେ, ଯିଏ ମୋ ପାଇଁ ୨୦ ଲକ୍ଷ ଟଙ୍କା ଛାଡି ଯାଇଛନ୍ତି |” ମୁଁ କହିଲି, “ତାହାହେଲେ ତ ଆପଣ ଖୁସୀ ହେବା ଉଚିତ୍, ଆପଣ କାନ୍ଦୁଛନ୍ତି କାହିଁକି ?” କାକା ପୁଣି କହିଲେ, “କେବଳ ସେତିକି ନୁହେଁ, ମୋର ତୃତୀୟ କାକା ମଧ୍ୟ ମରିଗଲେ ଏବଂ ସେ ମୋ ପାଇଁ ୪୦ ଲକ୍ଷ ଟଙ୍କା ଛାଡି ଯାଇଛନ୍ତି |” ମୁଁ କହିଲି, “ବାଃ, କାକା ! ଆପଣଙ୍କର ତ ଜାଣ ଲଟେରୀ ଖୋଲିଗଲା, ଆପଣ ଖୁସୀ ହେବା ପରିବର୍ତ୍ତେ କାନ୍ଦୁଛନ୍ତି କାହିଁକି ?” କାକା ହାଥରସୀ କହିଲେ, “ସ୍ବାମୀଜୀ ! ମୁଁ ଏଥିପାଇଁ କାନ୍ଦୁଛି ଯେ ଏବେ ମୋର ଆଉ କେହି କାକା ନାହାଁନ୍ତି ଯିଏ ମରିଗଲା ପରେ ମୋ ପାଇଁ କିଛି ଛାଡିଯିବେ |” ଦେଖନ୍ତୁ, ଏହା ନିଜ ଭିତରେ ଦୁଃଖ ସୃଷ୍ଟି କରିବାର ଏକ ନିଦର୍ଶନ ଅଟେ |

ଆମ ନିଜର ବିଚାର, ଭାବନା, ଆବେଗ ଏବଂ ମନୋଭାବ ହିଁ ଆମ ପାଇଁ ଆନନ୍ଦ ଅଥବା ଦୁଃଖ ଆଣିଦେଇ ଥାଆନ୍ତି | ଏହି ସବୁ ଆନ୍ତରିକ ସମ୍ବଳର କିପରି ଭାବରେ ଉପଯୋଗ କରିପାରିଲେ ଆମେ ଦୁଃଖ ପରିବର୍ତ୍ତେ ସର୍ବଦା ଆନନ୍ଦ ଅନୁଭବ କରିବା, ଆନନ୍ଦ ଅଭିଯାନର ଏହି ଏକୋଇଶୀ-ଦିବସୀୟ ଶୃଂଖଳାରେ ଆମେ ତାହାର ସୂତ୍ର ସମ୍ବନ୍ଧରେ ଜାଣିବା |

                                                ----------xxxxxxx---------

 

Comments

  1. Introduction of the 21-days Happiness Challenge series in English by Swami Mukundananda.

    ReplyDelete
  2. Manju madame it is really excellent. Happiness depends upon individual thinking and expectation. Thankks for the message. Wish you all the best. Dr G.S Acharya.

    ReplyDelete

Post a Comment

Popular posts from this blog