ନିଜ ପାଇଁ ସୁଖକର ମନୋଭାବ ଚୟନ କରନ୍ତୁ --
ଆମ ପାଖରେ କେଉଁ ଦ୍ରବ୍ୟ ବା ବସ୍ତୁ ଥିଲେ ଆମେ ସୁଖୀ ହୋଇପାରିବା ? ବାସ୍ତବରେ, ସେପରି କୌଣସି ବସ୍ତୁ ନାହିଁ | ସୁଖୀ
ହେବା ପାଇଁ ଆମେ କେବଳ ସୁଖର ସେହି ମୂଳସ୍ରୋତ ସହିତ ଯୋଗାଯୋଗ କରିବା ଆବଶ୍ୟକ, ଯାହା ଆମ ଭିତରେ ହିଁ ରହିଛି | ଆମର
ସୁଖାନୁଭୂତି କୌଣସି ବାହ୍ୟ ବସ୍ତୁ ବା ବହିରଙ୍ଗ ପ୍ରାପ୍ତି ଉପରେ ନିର୍ଭରଶୀଳ ନୁହେଁ |
ଜଣେ ରାଜା ଏକଦା ନିଜ ରାଜପ୍ରାସାଦର ଛାତ ଉପରେ ଚିନ୍ତାକୁଳ ଅବସ୍ଥାରେ ଘୂରି ବୁଲୁଥିଲେ |
ରାଣୀଙ୍କ ସହିତ ମନୋମାଳିନ୍ୟ, ରାଜକୁମାରଙ୍କର ଅନୁଶାସନହୀନତା, ସେନାପତିଙ୍କର ବିଦ୍ରୋହୀ ମନୋଭାବ ଆଦି ଅନ୍ୟ ଅନେକ ସମସ୍ୟାକୁ
ନେଇ ରାଜାଙ୍କର ମନ ବିଷାଦଗ୍ରସ୍ତ ରହିଥାଏ | ଏହି ସମୟରେ ହଠାତ୍ ରାଜପ୍ରାସାଦ ପାର୍ଶ୍ବବର୍ତ୍ତୀ
ଦରିଦ୍ର ପରିବାରର କୁଡିଆରୁ ଆନନ୍ଦ ଏବଂ ହସର ଲହରୀ ତାଙ୍କ କାନରେ ପଡିଲା | ରାଜା ଆଶ୍ଚର୍ଯ୍ୟ
ହୋଇ ଭାବିଲେ, “ମୁଁ ଏହି ବିଶାଳ
ରାଜ୍ୟର ରାଜ-ରାଜେଶ୍ବର ହୋଇ ମଧ୍ୟ ଅସୁଖୀ ରହୁଛି, ଅଥଚ ଏହି ଗରୀବ ପରିବାରଟି ଅଭାବ ମଧ୍ୟରେ ବି ଏତେ
ଉଲ୍ଲାସଯୁକ୍ତ ଏବଂ ଆନନ୍ଦିତ ରହୁଛନ୍ତି କିପରି ? କାରଣ ଜାଣିବା ଉଦ୍ଦେଶ୍ୟରେ ରାଜା
ମନ୍ତ୍ରୀଙ୍କୁ ଡାକି ପଚାରିଲେ, “ଏହି ଦରିଦ୍ର ପରିବାରଟିର ସୁଖର ରହସ୍ୟ କ’ଣ, ତାହା ଆପଣ ମୋତେ
କହିପାରିବେ କି ?” ମନ୍ତ୍ରୀ କହିଲେ, “ମହାରାଜ ! ସେହି ଅମୂଲ୍ୟ ଜ୍ଞାନ-ରତ୍ନ ପ୍ରାପ୍ତ କରିବାକୁ
ହେଲେ ଆପଣ ମୋତେ ୯୯ଟି ସ୍ବର୍ଣ୍ଣ ମୁଦ୍ରା ଦିଅନ୍ତୁ |” ରାଜାଙ୍କଠାରୁ ପ୍ରାପ୍ତ ୯୯ଟି ସ୍ବର୍ଣ୍ଣ
ମୁଦ୍ରାକୁ ଗୋଟିଏ ପୋଟଳିରେ ବାନ୍ଧି ମନ୍ତ୍ରୀ ସେହିଦିନ ରାତିରେ ପୋଟଲିଟିକୁ ଗରୀବ ପରିବାରର
କୁଟୀର ସମ୍ମୁଖରେ ରଖି ଆସିଲେ | ପରଦିନ ସକାଳେ ଦାଣ୍ଡ ଦୁଆର ଖୋଲିବା ମାତ୍ରେ ବାହାରେ
ସ୍ବର୍ଣ୍ଣମୁଦ୍ରା ଭରା ପୋଟଳିଟିକୁ ଦେଖି ପରିବାର ମୁଖିଆଙ୍କର ମନ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଲା
– ଭଗବାନଙ୍କର ଅଶେଷ କୃପା | ପୋଟଳିରେ କେତୋଟି ମୋହର ଅଛି, ଜାଣିବାକୁ ଇଚ୍ଛା କରି ସେମାନେ
ତାହାର ଗଣନା ଆରମ୍ଭ କଲେ – ୧,୨,୩, ୪..........୯୬, ୯୭, ୯୮...୯୯ ବାସ୍ | ସେମାନେ ଭାବିଲେ, ଭଗବାନଙ୍କର ଯଦି ଦେବାର ଥିଲା, ତେବେ ପୂରା ୧୦୦ଟି ମୁଦ୍ରା
ଦେଇଥାଆନ୍ତେ | ୯୯ !! ଏପରି ଏକ ଅଛିଣ୍ଡା ସଂଖ୍ୟାରେ ଆମେ ସୁଖୀ ହେବୁ କିପରି ? କିଛି ସମୟ
ସେଥିପାଇଁ ସେମାନେ ଟିକିଏ ଦୁଃଖ ଅନୁଭବ କଲେ | କିନ୍ତୁ ତାପରେ ସେମାନେ ସ୍ଥିର କଲେ, ଯେପରି ହେଉ ୧୦୦ତମ ମୁଦ୍ରାଟି ସେମାନେ
ନିଜ ଚେଷ୍ଟାରେ କ୍ରୟ କରିବେ | ସେଥିପାଇଁ ସେମାନେ ଗୋଟିଏ ସଞ୍ଚୟ ଯୋଜନା ପ୍ରସ୍ତୁତ କଲେ ଏବଂ
ତଦନୁଯାୟୀ ପରଦିନ ଠାରୁ ନିଜର ଆୟ-ବ୍ୟୟ ଅଟକଳକୁ ସାମାନ୍ୟ ବ୍ୟବସ୍ଥିତ କରିବାକୁ ସ୍ଥିର କଲେ |
କିଛି ଦିନ ପରେ ଦେଖାଗଲା, ଯୋଜନା ମୁତାବକ ଯେଉଁଦିନ କିଛି ସଞ୍ଚୟ ହୋଇପାରେ ନାହିଁ, ପରିବାରରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହେଉଛି | ସ୍ତ୍ରୀଙ୍କୁ ଆକ୍ଷେପ କରି
ସ୍ବାମୀ କହୁଛନ୍ତି, “ତୁମେ ଅଧିକ ଖର୍ଚ୍ଚ କରିଦେଉଚ୍ଛ |” ସ୍ବାମୀଙ୍କୁ ଆକ୍ଷେପ କରି ସ୍ତ୍ରୀ କହୁଛନ୍ତି, “ଆଜି ତୁମର ରୋଜଗାର ବହୁତ କମ୍ ଥିଲା
|” ଏହିପରି ଭାବରେ ଦିନକୁ ଦିନ କଳହ ବୃଦ୍ଧି ଲାଭ କରିବାର ଫଳସ୍ବରୂପ ପରିବାରର ଶାନ୍ତି ନଷ୍ଟ
ହୋଇଗଲା |
ଏକ ମାସ ପରେ ଦିନେ ରାଜା ସେହିପରି ନିଜ ପ୍ରସାଦର ଛାତ ଉପରେ ପଦଚାଳନା କରୁଥିବା ସମୟରେ
ପାର୍ଶ୍ବବର୍ତ୍ତୀ କୁଟୀରରୁ ହସ ପରିବର୍ତ୍ତେ ଗାଳି-ଗୁଲ୍ଜଜ ଏବଂ ମାରପିଟର ଶବ୍ଦ ଶୁଣି
ଆଶ୍ଚର୍ଯ୍ୟ ହେଲେ | ମନ୍ତ୍ରୀଙ୍କୁ ଡାକି ସେ ପଚାରିଲେ, “କଥା କ’ଣ ? ଏହି ପରିବାରରେ ହଠାତ୍ ଏପରି କ’ଣ ହୋଇଗଲା ?” ମନ୍ତ୍ରୀ କହିଲେ, ରାଜା ସାହେବ ! ଏହା ୯୯ର ପ୍ରହେଳିକା ଅଟେ | ପରିବାରଟି ଏବେ ୯୯ର ଜାଲରେ ପଡି ଯାଇଛନ୍ତି |
ସେମାନେ ଭାବୁଛନ୍ତି, ଆଜି ଆମ ପାଖରେ ଯେତିକି ଅଛି, ତାହା ସୁଖୀ ହେବା ପାଇଁ ଯଥେଷ୍ଟ ନୁହେଁ କାରଣ ଆମ ପାଖରେ ମାତ୍ର ୯୯ ଅଛି |
ଆମ ସମସ୍ତଙ୍କର ଅବସ୍ଥା ସେହିପରି ଅଟେ | ଆମେ ସମସ୍ତେ ସେହି ୯୯ର ଜାଲରେ ପଡିଅଛେ | ଆମ
ସମସ୍ତଙ୍କ ପାଖରେ ଏହି ଶରୀର ଅଛି, ଶିକ୍ଷା-ଦୀକ୍ଷା ଅଛି, ଖାଇବାକୁ ଆବଶ୍ୟକ ପରିମାଣରେ ଖାଦ୍ୟ ଅଛି, ପିନ୍ଧିବାକୁ ଦୁଇ ଯୋଡି ବସ୍ତ୍ର ଅଛି | ତା’ ସତ୍ତ୍ବେ ବି ଏହି ତଥାକଥିତ ମୂଷିକମାନଙ୍କର ଦୌଡରେ ନିଜକୁ
ସାମିଲ କରି ଆମେ ଅହର୍ନିଶି ଧଇଁବାରେ ଲାଗିଛେ କାରଣ ଆମେ ଭାବୁଛେ, “ମୋ ପାଖରେ ଯେତିକି ଅଛି, ତାହା ଯଥେଷ୍ଟ ନୁହେଁ | ମୋ ପାଖରେ ତ ମାତ୍ର ୯୯ ଅଛି, ୧୦୦ତମ ମୁଦ୍ରାଟି ପ୍ରାପ୍ତ କରିପାରିଲେ
ମୁଁ ନିଶ୍ଚିତ ଭାବରେ ସୁଖୀ ହୋଇଯିବି |” ଅତଏବ, ପ୍ରତ୍ୟେକ ବ୍ୟକ୍ତିଙ୍କର ଏହି ଧାରଣା ଯେ ସୁଖ ପରବର୍ତ୍ତୀ କକ୍ଷରେ ଅଛି; ଆମ ଆଖି ସେପାରିର ଘାସ ଅଧିକ ସବୁଜ ଅଟେ
| କିନ୍ତୁ ବାସ୍ତବରେ ସୁଖ ଗୋଟିଏ ଲକ୍ଷ୍ୟ ନୁହେଁ ଯାହା ଆମେ ଦିନେ ପ୍ରାପ୍ତ କରିବା – ଏକଥା
କେହି ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି | ସୁଖ ମୋର ଲକ୍ଷ୍ୟ ଅଟେ, ଏହି ସିଦ୍ଧାନ୍ତକୁ ନେଇ ଯଦି ଆପଣ ଯାତ୍ରା କରୁଥିବେ, ତେବେ ଜୀବନର ୪୦, ୫୦, ୬୦, ୭୦ ବର୍ଷ ଆପଣଙ୍କର କେବଳ
ଭବିଷ୍ୟତ ସୁଖ-ପ୍ରାପ୍ତି ଆଶାରେ କଟିଯିବ | ତାପରେ ସେଠାରେ ପହଞ୍ଚିବା ପରେ ଆପଣ ଯେ ବାସ୍ତବରେ
ସୁଖୀ ହେବେ, ତାହାର କିଛି
ଗ୍ୟାରେଣ୍ଟି ନାହିଁ | ଭାରତୀୟ ଇଂରାଜୀ କବି ରସ୍କିନ୍ ବଣ୍ଡ୍ ଅତି ସୁନ୍ଦର ବାକ୍ୟଟିଏ କହିଥିଲେ –
There
are only two disappointments in life – to seek something and not getting it,
and to seek something and get it . ଜୀବନରେ ନିରାଶା ଦୁଇ ପ୍ରକାରରେ ଆସିଥାଏ – କିଛି ଆଶା କରି ତାହାକୁ ପ୍ରାପ୍ତ କରି ନ
ପାରିବା ଏବଂ କିଛି ଆଶା କରି ତାହାକୁ ପ୍ରାପ୍ତ କରିବା | ଉଭୟ କ୍ଷେତ୍ରରେ ପରିଣାମ ନିରାଶା ହିଁ
ଅଟେ | ସେଥିପାଇଁ ଭବିଷ୍ୟତରେ ସୁଖ-ପ୍ରାପ୍ତିର ଆଶା ନେଇ ଅପେକ୍ଷା କରି ବସିବା, ଏକ ବହୁତ ବଡ଼ ନିର୍ବୋଧତା ଅଟେ | ତା’ ପରିବର୍ତ୍ତେ, ଜୀବନ-ଯାତ୍ରାର
ପ୍ରତ୍ୟେକ ଦିନକୁ, ପ୍ରତ୍ୟେକ କ୍ଷଣ-ଅନୁକ୍ଷଣକୁ ଆମେ ସୁଖକର କରିବା | କିପରି କରିବା ? ଉପାୟଟି ଅତି ସରଳ |
ସର୍ବପ୍ରଥମେ, ଆପଣ ନିଜର
ସୁଖାନୁଭୂତିକୁ ବାହ୍ୟ ବସ୍ତୁ, ପରିବେଶ ଏବଂ ପରିସ୍ଥିତି ଠାରୁ ପୃଥକ୍ ରଖନ୍ତୁ | ନିଶ୍ଚୟ କରନ୍ତୁ – ମୋ ପାଖରେ ଯାହା
ଯେତିକି ଅଛି, ତହିଁରେ ମୁଁ ସୁଖୀ
ରହିବି | ଆନନ୍ଦ କୌଣସି ବାହ୍ୟ ତତ୍ତ୍ବ ନୁହେଁ, ଏହା ଏକ ମନୋଭାବ ଅଟେ ଯାହା ଆମେ ନିଜ ପାଇଁ ଚୟନ କରିଥାଏ | ନିଜ ପାଇଁ ବାରମ୍ବାର ଏକ
ସୁଖକର ମନୋଭାବ ଚୟନ କରନ୍ତୁ |
--------------xxxxxxxxx-------------
Happiness Challenge Day 2
Swami Mukundananda
Comments
Post a Comment