ଭଗବାନଙ୍କ ପ୍ରତି କୃତଜ୍ଞ ରହନ୍ତୁ --

ଗତ ଦୁଇ ଦିନର ଆଲୋଚନାରୁ ଆମେ ଏହା ଜାଣିବାକୁ ପାଇଲେ ଯେ ବାହ୍ୟ ପରିସ୍ଥିତି ବା ବସ୍ତୁ ସହିତ ଆନନ୍ଦର କୌଣସି ସମ୍ବନ୍ଧ ନାହିଁ | ତେଣୁ, ସୁଖୀ ହେବା ନିମନ୍ତେ ସର୍ବପ୍ରଥମେ ଆମେ ସୁଖାନୁଭୂତିକୁ ବାହ୍ୟ ପରିସ୍ଥିତି ଏବଂ ବସ୍ତୁ ଠାରୁ ପୃଥକ୍ ଭାବରେ ପ୍ରତ୍ୟକ୍ଷଣ କରିବା ଆବଶ୍ୟକ | ଆନନ୍ଦ ଅଭିଯାନର ତୃତୀୟ ଦିବସରେ ଆଜି ଆମେ ନିଜ ମନୋଭାବକୁ ସଂଶୋଧିତ କରି ଏକ ସୁଖକର ମନୋଭାବ ବିକସିତ କରିବାର କଳା ବିଷୟରେ ଜାଣିବା | ଦୁଃଖୀ ହେବା ପାଇଁ ବାହାରୁ ଆମେ କିଛି ଆବଶ୍ୟକ କରି ନ ଥାଏ | ସେଥିପାଇଁ ଆବଶ୍ୟକ କେବଳ ମନ ଭିତରେ ଦୁଃଖ-ବିଷାଦପୂର୍ଣ୍ଣ, ଦୁସ୍ଥ ବିଚାର ଉତ୍ପନ୍ନ କରିବା | ସେହିପରି, ସୁଖୀ ହେବା ପାଇଁ ଆମେ କେବଳ ନିଜ ମନୋଭାବକୁ ସାମାନ୍ୟ ସୁଧାରିବା ଆବଶ୍ୟକ |

ଜଣେ ସତସଂଗୀ ଦିନେ ନିଜର ଏକ ପାରିବାରିକ ସମସ୍ୟାକୁ ନେଇ ମୋ ପାଖକୁ ଆସିଲେ ଯେ ତାଙ୍କର ଶାଶୁ-ଶ୍ବଶୁର ଏବେ ତାଙ୍କ ପାଖରେ ରହିବାକୁ ଆସିଛନ୍ତି ଏବଂ ସେଥିପାଇଁ ସେ ଅତ୍ୟନ୍ତ ଦୁଃଖୀ | ସେ କହିଲେ, “ସ୍ବାମୀଜୀ ! ମୋ ସ୍ତ୍ରୀଙ୍କୁ ମୁଁ ବହୁତ ଭଲପାଏ, କିନ୍ତୁ ତାଙ୍କର ସମ୍ବନ୍ଧୀମାନଙ୍କୁ ବରଦାସ୍ତ କରିବା ମୋ ପକ୍ଷରେ ଅସହ୍ୟ | ଏହି ସଂକଟରୁ ମୁଁ କିପରି ମୁକ୍ତି ପାଇବି, ସେଥିପାଇଁ ଆପଣ ମୋତେ କିଛି ଉପଦେଶ ଦେଇ ପାରିବେ କି ?” ମୁଁ କହିଲି, “ଆଚ୍ଛା, ଆପଣଙ୍କ ଘରେ କୁକୁର ଅଛନ୍ତି ?” ସେ କହିଲେ, “ନା” | ମୁଁ କହିଲି, “ବାସ୍ତବରେ ତାହା ହିଁ ଆପଣଙ୍କର ସମସ୍ୟା ଅଟେ | ଗୋଟିଏ କାମ କରନ୍ତୁ, ନିଜ ଘରେ କେତୋଟି କୁକୁର ରଖିବାର ବ୍ୟବସ୍ଥା କରନ୍ତୁ |” ସତସଂଗୀ ଜଣକ ବହୁତ ବେଶୀ ଅନୁଗତ ଥିଲେ | ମୋର ଉପଦେଶ ମାନି ସେ ସେହି ଦିନ ଘରକୁ ତିନୋଟି କୁକୁର ଛୁଆ ନେଇ ଆସିଲେ | ସପ୍ତାହକ ପରେ ସେ ପୁନର୍ବାର ମୋ ପାଖକୁ ଆସିଲେ | ମୁଁ ପଚାରିଲି, “ଏବେ ଆପଣ କଣ ଅନୁଭବ କରୁଛନ୍ତି ?” ସେ କହିଲେ, “ସ୍ବାମୀଜୀ ! ଆପଣଙ୍କ କଥା ମାନି ମୁଁ ଘରକୁ କୁକୁର ଛୁଆ ନେଇ ଆସିଲି, କିନ୍ତୁ ସେମାନେ ତ ମୋର ଅବସ୍ଥା ଆହୁରି ଦୟନୀୟ କରିଦେଲେ | ମୋର ଦୁଃଖ ଆହୁରି ବଢିଗଲା | ଏବେ ମୁଁ କଣ କରିବି ?” ମୁଁ କହିଲି, “ଆପଣଙ୍କ ଘରେ ବିଲେଇ ଅଛନ୍ତି ?” ସେ କହିଲେ, “ନା” | ମୁଁ କହିଲି, “ସେଥିପାଇଁ ଆପଣ ଏତେ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ମୋ ମତରେ, ଆପଣ କୁକୁର ସହିତ ନିଜ ଘରେ କେତୋଟି ବିଲେଇ ରଖିବା ଆବଶ୍ୟକ |” ସତସଂଗୀ ଜଣକ ଘରକୁ କେତୋଟି ବିଲେଇ ଛୁଆ ମଧ୍ୟ ନେଇ ଆସିଲେ | କିନ୍ତୁ ମାତ୍ର ତିନି ଦିନ ପରେ ସେ ଧାଇଁ ଧାଇଁ ଆସି ମୋ ପାଖରେ ପହଞ୍ଚିଲେ | ମୁଁ ପଚାରିଲି, “ଏବେ କଣ ହେଲା ?” ସେ କହିଲେ, “କଣ କହିବି, ସ୍ବାମୀଜୀ ! ମୋ ଜୀବନ ତ ଜାଣ ନର୍କରେ ପରିଣତ ହୋଇଯାଇଛି | ଘରେ କୁକୁର-ବିଲେଇଙ୍କର ନାଟ ଲାଗିଛି – କୁକୁର ବିଲେଇକୁ ଗୋଡାଉଛନ୍ତି ଏବଂ ବିଲେଇମାନେ କୁକୁରଙ୍କ ସହିତ ଲଢେଇ କରୁଛନ୍ତି | ଆପଣଙ୍କ ପାଖକୁ ମୁଁ ସୁଖୀ ହେବାର କଳା ଶିକ୍ଷା କରିବାକୁ ଆସିଥିଲି, ଅଥଚ ଆପଣ ମୋତେ ପୂର୍ବ ଅପେକ୍ଷା ଅଧିକ ଦୁଃଖୀ କରିଦେଲେ |” ତାଙ୍କୁ ଆଶ୍ବସ୍ତ କରିବାକୁ ଯାଇ ମୁଁ କହିଲି, “ବ୍ୟସ୍ତ ହୁଅନ୍ତୁ ନାହିଁ | ଗୋଟିଏ କାମ କରନ୍ତୁ, ଆଜି ହିଁ ସବୁ ବିଲେଇ-କୁକୁରଙ୍କୁ ଘରୁ ବାହାର କରିଦିଅନ୍ତୁ |” ମୋ କଥା ମାନି ସେ ତୁରନ୍ତ ସବୁ ବିଲେଇ-କୁକୁରଙ୍କୁ ବାହାରକୁ କାଢିଦେଲେ ଏବଂ ତିନି ଦିନ ପରେ ମୋ ପାଖକୁ ଆସିଲେ | ଏଥର ସେ ବହୁତ ଶାନ୍ତ ମନେହେଉ ଥାଆନ୍ତି | ତାଙ୍କୁ ଦେଖି ମୁଁ ପଚାରିଲି, “ଏବେ ଆପଣ ସୁଖୀ ତ ?” ସେ କହିଲେ, “ହଁ, ସ୍ବାମୀଜୀ ! ଏବେ ମୁଁ ବହୁତ ଶାନ୍ତି ଅନୁଭବ କରୁଛି |” ମୁଁ କହିଲି, “କିନ୍ତୁ ଆପଣଙ୍କ ଶାଶୁ-ଶ୍ବଶୁର ତ ଏବେ ବି ଆପଣଙ୍କ ଘରେ ଅଛନ୍ତି ......|” ଅତଏବ, ଯେଉଁ ଶାନ୍ତି, ସନ୍ତୋଷ ଏବଂ ଆନନ୍ଦ ଆମେ ଅନୁଭବ କରିଥାଏ, ତାହା ବାହ୍ୟ ପରିସ୍ଥିତି ଉପରେ ନିର୍ଭରଶୀଳ ନୁହେଁ | ପରିସ୍ଥିତି ଯାହା ହୋଇଥାଉ ନା କାହିକି, ଆମେ ନିଜର ମନୋଭାବ ବା ଦୃଷ୍ଟିକୋଣକୁ ଟିକିଏ ପରିବର୍ତ୍ତିତ କରିଦେବା, ବାସ୍ | କୌଣସି ପରିସ୍ଥିତିରେ ଦୁଃଖ ଅନୁଭବ କରିବା ଆମ ପାଇଁ ବାଧ୍ୟତାମୂଳକ ନୁହେଁ | ଆମର ଭାବନା ଅନୁଯାୟୀ ଆମେ ଦୁଃଖ-ସୁଖର ଅନୁଭବ କରିଥାଏ | ତେବେ ଗୋଟିଏ ସଦା ପ୍ରଫୁଲ୍ଲିତ ମନୋଭାବ ଆମେ କିପରି ବିକଶିତ କରିବା ? ଏହା ଅତି ସରଳ | ଏଥିପାଇଁ କେବଳ ଏତିକି ଆବଶ୍ୟକ ଯେ ଭଗବାନଙ୍କର ଅସୀମ କୃପାର ନିଦର୍ଶନ ସ୍ବରୂପ ଆମେ ତାଙ୍କଠାରୁ ଯାହା ପ୍ରାପ୍ତ କରିଅଛେ, ସେଥିପାଇଁ ଆମେ ତାଙ୍କ ପ୍ରତି କୃତଜ୍ଞ ରହିବା | କିନ୍ତୁ ଦୁର୍ଭାଗ୍ୟବଶତଃ, ଭଗବାନଙ୍କ ଦୟାରୁ ଯାହା ସବୁ ଆମ ପାଖରେ ଅଛି, ଆମେ ତାହାର ମୂଲ୍ୟ ବୁଝି ନ ଥାଏ |

ଗୋଟିଏ ଦମ୍ପତ୍ତି ନିଜର ଛୋଟ ଘରଟିକୁ ନେଇ ସର୍ବଦା ମନସ୍ତାପ କରୁଥାଆନ୍ତି | ଆଖି ଆଗରେ ନିଜ ସାଙ୍ଗ-ସାଥୀମାନଙ୍କର ବିଶାଳ ଭବନକୁ ଦେଖି ସେମାନେ ଅଶାନ୍ତି ଅନୁଭବ କରିବା ସହିତ ଭଗବାନଙ୍କୁ ଦୋଷ ଦେଉଥାଆନ୍ତି – ଭଗବାନ ଆମକୁ କିଛି ଦେଇନାହାଁନ୍ତି, ସଂସାରରେ ଆମେ ସବୁଠାରୁ ନିଃସ୍ବ ଅଟୁ, ସୁଖୀ ହେବା ପାଇଁ ଆମ ପାଖରେ କିଛି ନାହିଁ | ଇତ୍ୟବସରରେ ସେମାନଙ୍କ ଜୀବନରେ ବହୁତ ବଡ଼ ଏକ ସଂକଟ ଆସିଲା | ସ୍ବାମୀ-ସ୍ତ୍ରୀ ଦୁଇଜଣଙ୍କ ମଧ୍ୟରୁ ସ୍ତ୍ରୀ ଜଣେ ସାଧାରଣ ଗୃହିଣୀ ଥିଲେ, ସ୍ବାମୀଙ୍କ ଦରମାରେ ପରିବାରର ଭରଣ-ପୋଷଣ ହେଉଥିଲା | ହଠାତ୍ ଦିନେ ସ୍ବାମୀଙ୍କର ଚାକିରୀ ଚାଲିଗଲା | ଆୟର ଅନ୍ୟ କୌଣସି ପନ୍ଥା ନାହିଁ | ପରିବାରର ଖର୍ଚ୍ଚ ତୁଲାଇବା ମୁସ୍କିଲ୍, ଘର କିଣା ବାବଦକୁ ବ୍ୟାଙ୍କରୁ ଆଣିଥିବା ଋଣର କିସ୍ତୀ ସେମାନେ ଦାଖଲ କରନ୍ତେ କିପରି ? ବ୍ୟାଙ୍କରୁ ନୋଟିସ୍ ଆସିଗଲା – ଆସନ୍ତା ଶନିବାର ଭିତରେ କିସ୍ତି ଦାଖଲ କରି ନ ପାରିଲେ, ବ୍ୟାଙ୍କ ସେମାନଙ୍କର ଘର ନିଲାମ କରିଦେବ | ଏବେ ସ୍ବାମୀ-ସ୍ତ୍ରୀଙ୍କର ଭାଲେଣି ପଡିଗଲା – ଛୋଟ ହେଉ ପଛେ ଘରଟିଏ ତ ଥିଲା | ଏବେ ସେଇଟି ହାତରୁ ଚାଲିଗଲେ, ଆମେ ତ ଦାଣ୍ଡର ଭିଖାରୀ ହୋଇଯିବା !! ଯାହାହେଉ, ଭଗବାନଙ୍କ ଦୟାରୁ ଶନିବାର ସକାଳେ ସ୍ବାମୀଙ୍କର ଅନ୍ୟ ଏକ କମ୍ପାନୀରେ ଚାକିରୀ ହୋଇଗଲା | କମ୍ପାନୀରୁ ଅଗ୍ରୀମ ଆକାରରେ ସେ ଯେଉଁ ଅର୍ଥ ଆବେଦନ କରିଥିଲେ, ତାହା ମଧ୍ୟ ତାଙ୍କୁ ମିଳିଗଲା ଏବଂ ଘରଟିକୁ ନିଲାମ ହେବାରୁ ସେ ରକ୍ଷା କରିପାରିଲେ | ଏବେ ତାଙ୍କର ସେହି ଛୋଟ ଘରଟି ତାଙ୍କୁ ବହୁତ ବଡ଼ ମନେହେଲୟ | ସେହି ଏକା ଘର, ଯାହାକୁ ନେଇ ପୂର୍ବରୁ ସେମାନେ ଏତେ ଅସନ୍ତୁଷ୍ଟ ଥିଲେ | ଅଥଚ ଏବେ ତାହା ସେମାନଙ୍କୁ ଭଗବାନଙ୍କର ଉପହାର ରୂପରେ ଅତ୍ୟନ୍ତ ମୂଲ୍ୟବାନ ପ୍ରତୀତ ହେଲା ଏବଂ ସେଥିପାଇଁ ସେମାନେ ଭଗବାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କଲେ |

ଆମେ ସମସ୍ତେ ଭଗବାନଙ୍କ ଠାରୁ ଉପହାର ସ୍ବରୂପ ବହୁତ କିଛି ପ୍ରାପ୍ତ କରିଅଛେ | ଆମେ ଯଦି ସେସବୁର ଗଣନା କରିବାରେ ଲାଗିବା, ତେବେ ସୁଖୀ ହେବା ପାଇଁ ଆମକୁ ଲକ୍ଷ ଲକ୍ଷ କାରଣ ମିଳିଯିବ | ଅତଏବ, ସୁଖୀ ଏବଂ ଆନନ୍ଦିତ ହେବା ପାଇଁ ଆମେ ନିଜର ମନୋଭାବକୁ ସୁଧାରିବା ସହିତ ଆମେ ଯାହା ପାଇଛେ ସେଥିପାଇଁ ଈଶ୍ବରଙ୍କ ପ୍ରତି କୃତଜ୍ଞତା ଭାବ ବିକଶିତ କରିବା ଆବଶ୍ୟକ | କୃତଜ୍ଞତା ଭାବ ବିକଶିତ କରି ଆସନ୍ତୁ ଆମେ ନିଜନିଜ ଭିତରେ ପ୍ରବାହିତ ସୁଖର ଝରଣାକୁ ଠାବ କରିବା |

                                                -----------xxxxxxx----------

                                                                        Happiness Challenge Day 3

                                                                            Swami Mukundananda

Comments

Popular posts from this blog