ନିଜ ଭାବନା ଚୟନ କରିବାରେ ଆମେ ସ୍ବତନ୍ତ୍ର --
ଆପଣଙ୍କ ଆନନ୍ଦର ଚାବିକାଠି ଆପଣ ଆଉ କାହା ହାତରେ ଧରାଇ ଦେଇଛନ୍ତି କି ? ଯଦି ତାହା ହୋଇଥାଏ
ଆପଣ ଦେଖିବେ, ତାଙ୍କ ବ୍ୟବହାରରେ ପରିବର୍ତ୍ତନ
ଅନୁଯାୟୀ ଆପଣଙ୍କର ଭାବନା ପ୍ରଭାବିତ ହେଉଅଛି, ଆପଣ ଦୁଃଖ-ସୁଖ ଅନୁଭବ କରୁଛନ୍ତି | ଅର୍ଥାତ୍, ଆପଣଙ୍କର ସୁଖାନୁଭୂତି ଅନ୍ୟ ଜଣଙ୍କର
ଏକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟବହାର ଉପରେ ନିର୍ଭର କରିଥାଏ | ଏଥିରେ ସମସ୍ୟା ଏହା ଯେ ସେହି
ବ୍ୟକ୍ତିଙ୍କ ପାଖରେ ଆପଣଙ୍କୁ ଦୁଃଖୀ କରିବାର ଚାବିକାଠି ମଧ୍ୟ ରହିଛି | ତାଙ୍କର ବ୍ୟବହାର
ଆପଣଙ୍କର ଆଶାନୁରୂପ ନ ହେଲେ, ଆପଣ ଦୁଃଖୀ ହୁଅନ୍ତି | ଅତଏବ, ଏହି ପ୍ରକାରର ଚିନ୍ତାଧାରାକୁ ଆମେ ପରିବର୍ତ୍ତିତ କରିବା ଆବଶ୍ୟକ | ଆନନ୍ଦ ଅଭିଯାନ
ଶୃଂଖଳାର ଆଜି ଚତୁର୍ଥ ଦିବସରେ ଆମେ ସେହି
ବିଷୟରେ ଆଲୋଚନା କରିବା |
ମନେକରନ୍ତୁ, ଆସନ୍ତା କାଲି ସକାଳ ୮.୩୦ ରେ ଅଫିସ୍
ମ୍ୟାନେଜରଙ୍କ ସହିତ ଆପଣଙ୍କର ମିଟିଂ ଧାର୍ଯ୍ୟ କରାଯାଇଛି | ପ୍ରାତଃ କାଳରେ ଉଠିବା ପାଇଁ ଆପଣ
ଘଡିରେ ଆଲାର୍ମ ଲଗାଇ ସେଦିନ ରାତିରେ ଶୋଇବାକୁ ଗଲେ, କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ଆଲାର୍ମ ବାଜିଲା ନାହିଁ | ଉଠିବାରେ ବିଳମ୍ବ
ହେବାରୁ ଆପଣ ତରବର ହୋଇ ସ୍ନାନାଗାରରେ ପ୍ରବେଶ କରିବାକୁ ଚେଷ୍ଟା କରି ଦେଖିଲେ କବାଟ ଭିତରୁ
ବନ୍ଦ ଅଛି | ଆପଣଙ୍କ ସ୍ତ୍ରୀ ସ୍ନାନାଗାରକୁ ଅକ୍ତିୟାର କରି ନେଇଛନ୍ତି | ଯାହାହେଉ, ଶେଷରେ ଆପଣ ନିତ୍ୟକର୍ମ ସାରି, ଅଫିସ୍
ଯିବା ପାଇଁ ପ୍ରସ୍ତୁତ ହୋଇ ଗାଡିରେ ବସିଲେ | କାର୍ ଚଳାଇ ରାଜପଥରେ ପହଞ୍ଚି ଆପଣ ଦେଖିଲେ
ଦୁର୍ଘଟଣା ଯୋଗୁଁ ରାସ୍ତା ଜାମ ହୋଇଛି | ସବୁ ପ୍ରକାରର ବାଧାବିଘ୍ନକୁ ଅତିକ୍ରମ କରି ପରିଶେଷରେ
ଆପଣ ୪୫ ମିନିଟ୍ ବିଳମ୍ବରେ ଅଫିସରେ ପହଞ୍ଚିଲେ | ସେଥିପାଇଁ ମ୍ୟାନେଜରଙ୍କ ଠାରୁ ଆପଣଙ୍କୁ ବହୁତ
ଗାଳି ଶୁଣିବାକୁ ମିଳିଲା ଯାହା ଫଳରେ ପୂରା ଦିନଟି ଆପଣ ଗଭୀର ମନସ୍ତାପରେ ରହିଲେ | ଆପଣଙ୍କର
ଏହି ମାନସିକ ଅଶାନ୍ତି ପାଇଁ ଆପଣ କାହାକୁ ଦାୟୀ କରିବେ – ଆପଣଙ୍କ ଅଫିସର ମ୍ୟାନେଜର୍ ଯିଏ
ଆପଣଙ୍କୁ ଗାଳି ଦେଲେ, ଦୁର୍ଘଟଣା ଜନିତ ରାସ୍ତା ଜାମ, ଆପଣଙ୍କର ସ୍ତ୍ରୀ ଯିଏ ସ୍ନାନାଗାରର
କବାଟ ବନ୍ଦ ରଖିଥିଲେ, ନା ସେହି ବେକାର ଆଲାର୍ମ ଘଡି ଯିଏ
ଠିକ୍ ସମୟରେ ବାଜିଲା ନାହିଁ ? ବାସ୍ତବରେ ଏମାନଙ୍କ ଭିତରୁ କେହି ମଧ୍ୟ ଆପଣଙ୍କର ମାନସିକ
ସନ୍ତାପ ପାଇଁ ଦାୟୀ ନୁହଁନ୍ତି | କିପରି ? ତାହାର କାରଣ ଆପଣଙ୍କର ଭାବନା ବାହ୍ୟ ପରିସ୍ଥିତି
ଉପରେ ନିର୍ଭର କରେନାହିଁ | ଯେ କୌଣସି ପରିସ୍ଥିତିରେ ଆପଣ କିପରି ଭାବନାତ୍ମକ ପ୍ରତିକ୍ରିୟା
ଦେଖାଇବେ, ତାହା ଆପଣ ସ୍ବୟଂ ଚୟନ କରିପାରିବେ | ଏହି
ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କ ସମ୍ମୁଖରେ ଏକ ସୁନ୍ଦର ଆଖ୍ୟାନ ଉପସ୍ଥାପିତ କରିବାକୁ ଇଚ୍ଛା
କରୁଛି, ଯାହା ମୋର ଅତ୍ୟନ୍ତ ପ୍ରିୟ ଅଟେ |
ବିକଟର୍ ଫ୍ରାଂକଲ ଅଷ୍ଟ୍ରିଆର ଜଣେ ୟହୁଦୀ ଥିଲେ | ସେଠାରେ ସେ ଜଣେ ମନୋବିଜ୍ଞାନୀ ଭାବରେ କାର୍ଯ୍ୟରତ ଥିଲେ ଏବଂ ସେ ଏକ ନିବନ୍ଧ ଲେଖିଥିଲେ ଯାହା ବରିଷ୍ଠ ମନସ୍ତତ୍ତ୍ବବିତ୍ ତଥା ମନୋନୁଶୀଳନର ଜନକ ଭାବରେ ଖ୍ୟାତ ସିଗମଣ୍ଡ୍ ଫ୍ରଏଡଙ୍କ ଦ୍ବାରା ପ୍ରକାଶିତ କରାଯାଇ ଥିଲା | ଦ୍ବିତୀୟ ବିଶ୍ବ ଯୁଦ୍ଧ କାଳରେ, ୟୁରୋପରେ ହିଟଲର୍ ଯେତେବେଳେ ୟହୁଦୀମାନଙ୍କୁ ଧରି ବାନ୍ଧି ଯୁଦ୍ଧ ବନ୍ଦୀ ଶିବିରରେ ନିକ୍ଷେପ କରୁଥିଲେ, ସେତେବେଳେ ବିକଟର୍ ଫ୍ରାଂକଲଙ୍କୁ ତାଙ୍କର ସ୍ତ୍ରୀ, କନ୍ୟା ଏବଂ ଭାଇଙ୍କ ସହିତ ଏକ କୁଖ୍ୟାତ ଏବଂ କଦର୍ଯ୍ୟ ଶିବିରରେ ନିକ୍ଷେପ କରାଯାଇ ଥିଲା | ଫ୍ରାଂକଲଙ୍କୁ ତାଙ୍କର ସ୍ତ୍ରୀ, କନ୍ୟା ଏବଂ ଭାଇଙ୍କ ଠାରୁ ପୃଥକ୍ ରଖାଯାଇ ଥିଲା ଏବଂ ପରେ ସେ ଜାଣିବାକୁ ପାଇଲେ ଯେ ସେମାନେ ଆଉ ଜୀବିତ ନାହାଁନ୍ତି | ଶିବିରରେ ବନ୍ଦୀମାନଙ୍କୁ ଯେଉଁ ନିର୍ଯ୍ୟାତନା ସହ୍ୟ କରିବାକୁ ପଡୁଥିଲା, ତାହାର ବର୍ଣ୍ଣନା କରିବାକୁ ଯାଇ ବିକଟର୍ ଫ୍ରାଂକଲ କହନ୍ତି – ରାତିସାରା ସେମାନଙ୍କୁ ନଗ୍ନ ଶରୀରରେ ରାସ୍ତାରେ ଚାଲିବାକୁ ବାଧ୍ୟ କରାଯାଉ ଥିଲା | ସେମାନଙ୍କ ଉପରେ ଏତେ ଅତ୍ୟାଚାର କରାଯାଉ ଥିଲା ଯେ ପରଦିନ ସେମାନେ ଜୀବିତ ରହିବେ କି ନାହିଁ, ସେହି ବିଷୟରେ ସେମାନେ ନିଶ୍ଚିତ ନ ଥିଲେ | କିନ୍ତୁ ପରାଧୀନତାର ସେହି ବିଷମ ଅବସ୍ଥାରେ ମଧ୍ୟ ଫ୍ରାଂକଲ ଆବିଷ୍କାର କଲେ ଏବେ ବି ତାଙ୍କର ଗୋଟିଏ ସ୍ବାଧୀନତା ରହିଛି – ଖୁସୀ ହେବାର ସ୍ବାଧୀନତା- ଇଚ୍ଛା କଲେ ସେ ଏବେ ବି ଖୁସୀ ରହିପାରିବେ | ତା ପରଦିନ ଠାରୁ ଦେଖାଗଲା ସବୁ ସମୟରେ ଫ୍ରାଂକଲ ମୁରୁକେଇ ମୁରୁକେଇ ହସୁଛନ୍ତି ଏବଂ ବେଳେ ବେଳେ ଉଚ୍ଚ ସ୍ବରରେ ହସିବାରେ ଲାଗୁଛନ୍ତି | ବନ୍ଦୀଗୃହର ଗାର୍ଡ଼ ସମେତ ଅନ୍ୟ ସମସ୍ତେ ତାଙ୍କର ଏପରି ଆଚରଣ ଦେଖି ଆଶ୍ଚର୍ଯ୍ୟ ହେଲେ | ଅଳ୍ପ କିଛି ଦିନରେ ସେ ଅନ୍ୟ କଏଦୀ ତଥା ବନ୍ଦୀଗୃହର କର୍ମଚାରୀମାନଙ୍କ ପାଇଁ ଏକ ପ୍ରେରଣା ସ୍ରୋତ ସାବ୍ୟସ୍ତ ହେଲେ | ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଖୁସୀ ରହିବାରେ ଲାଗିଲେ | ତାପରେ ଯେତେବେଳେ ଯୁଦ୍ଧର ଅବସାନ ଘଟିଲା ଏବଂ ଜର୍ମାନୀ ଯୁଦ୍ଧରେ ହାରିଗଲା, ବନ୍ଦୀ ଶିବିରରୁ ମୁକ୍ତ ହୋଇ ବିକଟର୍ ଫ୍ରାଂକଲ ଇସ୍ରାଏଲରେ ଅବସ୍ଥାନ କଲେ | ପରେ ସେ ଗୋଟିଏ ପୁସ୍ତକ ରଚନା କରିଥିଲେ, ଯାହାର ଶୀର୍ଷକ ଥିଲା – Man’s Search for Meaning in Life – ଜୀବନର ଅର୍ଥ ଜାଣିବା ପାଇଁ ମନୁଷ୍ୟର ଅନୁସନ୍ଦିତ୍ସା | ପୁସ୍ତକଟି ବିଶ୍ବ ସ୍ତରରେ ଏତେ ବେଶୀ ଆଦୃତ ହୋଇଥିଲା ଯେ ପରବର୍ତ୍ତୀ ସମୟରେ ବିଶ୍ବର ୨୯ଟି ଭିନ୍ନ ଭିନ୍ନ ଭାଷାରେ ତାହାର ଅନୁବାଦ କରାଯାଇ ଥିଲା | ଦେଶ ବିଦେଶ ଭ୍ରମଣ କରି ଫ୍ରାଂକଲ ଭାଷଣ ଦେଉଥିଲେ ଏବଂ ସେଥିପାଇଁ ତାଙ୍କୁ ଅନେକ ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ମଧ୍ୟ ମିଳିଥିଲା | ନିଜ ବ୍ୟକ୍ତିଗତ ଅନୁଭୂତି ଆଧାରରେ ସେ ପ୍ରତିପାଦିତ କରିଥିଲେ ଯେ କଠିନ ପରିସ୍ଥିତି ସମସ୍ତଙ୍କ ଜୀବନରେ ଆସିଥାଏ, କିନ୍ତୁ ତାହାର ଅର୍ଥ ଏହା ନୁହେଁ ଯେ ଆମେ ସମସ୍ତେ ଦୁଃଖୀ ହେବା | କଥାରେ ଅଛି – ଯନ୍ତ୍ରଣା ଅପରିହାର୍ଯ୍ୟ, ଦୁଃଖ ଏକ ବିକଳ୍ପ | କୌଣସି କାରଣରୁ ଆମେ ଯେତେବେଳେ ଦୁଃଖ ଅନୁଭବ କରିଥାଏ, ଆମର ସ୍ବାଭାବିକ ପ୍ରବୃତ୍ତି ହେଉଛି ଅନ୍ୟ ଉପରେ ଦୋଷାରୋପଣ କରିବା – ଅମୁକ ବ୍ୟକ୍ତି, ବସ୍ତୁ ବା ପରିସ୍ଥିତି ମୋ ଦୁଃଖର କାରଣ ଅଟନ୍ତି | ସେମାନେ ପରିବର୍ତ୍ତିତ ନ ହେବା ଯାଏଁ ମୁଁ ସୁଖୀ ହେବି କିପରି ? ଏପରି ଦୋଷାରୋପଣ କରିବାର ଅର୍ଥ ନିଜ ଆନନ୍ଦର ଚାବିକାଠି ମୁଁ ସେମାନଙ୍କ ହାତରେ ଧରାଇ ଦେଇଛି | ଯେଉଁମାନେ ଏପରି ଭାବନ୍ତି, ସେମାନେ ସୁଖୀ ହେବା ପାଇଁ ସର୍ବଦା ବାହ୍ୟ ଅନୁକୂଳତା ଆଶା କରିଥାଆନ୍ତି | ସେମାନେ ବୁଝିପାରନ୍ତି ନାହିଁ ଯେ କୌଣସି ବ୍ୟକ୍ତି ବିଶେଷ ବା ପରିସ୍ଥିତିକୁ ପରିବର୍ତ୍ତିତ କରିବା ଆମ ହାତର କଥା ନୁହେଁ | ଅତଏବ, ଆମେ ଯେତେବେଳେ ଏହା ସ୍ଥିର କରିଥାଏ ଯେ ମୋର ଭାବନା ପାଇଁ ମୁଁ ଦାୟୀ ଅଟେ, ଅନ୍ୟ କେହି ଦାୟୀ ନୁହଁନ୍ତି, ସେତେବେଳେ ଆମର ମନୋଦଶାକୁ ଠିକ୍ କରିବାର ଦାୟୀତ୍ବ ଆମେ ବହନ କରିଥାଏ ଏବଂ ଫଳ ସ୍ବରୂପ ଧୀରେ ଧୀରେ ଆମେ ନିଜର ମନକୁ ଆୟତ୍ତ କରିବାକୁ ଆରମ୍ଭ କରେ | ତେଣୁ ମୁଁ ଯଦି ଦୁଃଖିତ, ସେଥିପାଇଁ ଏକମାତ୍ର ମୁଁ ହିଁ ଦାୟୀ ଅଟେ | ଇଚ୍ଛା କଲେ ସମାନ ପରିସ୍ଥିତିରେ ମୁଁ ସୁଖୀ ହୋଇପାରିବା |
--------------xxxxxxx--------------
Comments
Post a Comment