ସ୍ବସ୍ଥ ଏବଂ ସୁଖମୟ ସମ୍ବନ୍ଧ ସ୍ଥାପନ କରିବା ---

ମଣିଷ ଜୀବନକାଳର ବହୁତ ବଡ ଭାଗ, ଘରେ ହେଉ କି କର୍ମକ୍ଷେତ୍ରରେ ହେଉ କିମ୍ବା ବୃହତ୍ତର ସ୍ତରରେ ସମାଜରେ ହେଉ, ଲୋକମାନଙ୍କ ସହିତ କାରବାର କରିବାରେ ଅତିବାହିତ ହୋଇଥାଏ | ଅନେକ ପ୍ରକାରର ସମ୍ପର୍କ ଆମକୁ ସ୍ଥାପନ କରିବାକୁ ପଡିଥାଏ ଏବଂ ଜୀବନର ଲକ୍ଷ୍ୟ ହାସଲ କରିବା ପାଇଁ ସମ୍ପର୍କରେ ସମନ୍ବୟ ମଧ୍ୟ ରକ୍ଷା କରିବାକୁ ପଡିଥାଏ | ତଥାପି, ଜୀବନରେ ସେହି ସବୁ ସମ୍ପର୍କ ଆମ୍ଭମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇ ଠିଆ ହୋଇଥାଏ | ଆନନ୍ଦ ଅଭିଯାନ ଶୃଂଖଳାର ଷଷ୍ଠ ଦିବସରେ ଆଜି ଆମେ ସୁସ୍ଥ ଏବଂ ସୁଖକର ସମ୍ବନ୍ଧ ସ୍ଥାପନ କରିବାର କଳା ବିଷୟରେ ଆଲୋଚନା କରିବା |

ଏପରି ଏକ ଦୃଶ୍ୟର କଳ୍ପନା କରନ୍ତୁ – ତିନି ବର୍ଷର ଛୋଟ ଝିଅଟିଏ ନିଜ ମାଙ୍କର ହାତ ଧରି ମଲ୍ ଭିତରେ ବୁଲୁଛି | ତାକୁ ଦେଖିଲେ ମନେ ହେଉଛି ସତେ ଯେମିତି ଛୋଟ ପରୀଟିଏ ହସି ହସି ଧରାପୃଷ୍ଠରେ ବିଚରଣ କରୁଛି | ମଲରେ କିଣାକିଣି ସାରି ସେ ଦୁହେଁ ଯେତେବେଳେ ଯାଞ୍ଚ କାଉଣ୍ଟର୍ ପାଖରେ ପହଞ୍ଚିଲେ, ହଠାତ୍ ଦୃଶ୍ୟପଟରେ ପରିବର୍ତ୍ତନ ଆସିଲା | ଝିଅଟି ପାଖ ଦୋକାନର କାଚ ଆଲମାରୀ ଭିତରୁ ଦେଖା ଯାଉଥିବା ଚକୋଲେଟ୍ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କଲା | ଝିଅର ଇଚ୍ଛା ପୂରଣ କରିବାକୁ ଯାଇ ମା ଯଦି ତା ପାଇଁ ଚକୋଲେଟ୍ କିଣି ଦେଇଥାଆନ୍ତେ ତେବେ ପରିସ୍ଥିତି ପୂର୍ବବତ୍ ସାଧାରଣ ରହିଥାଆନ୍ତା | କିନ୍ତୁ ଦୁର୍ଭାଗ୍ୟକୁ ମା ଝିଅର ଇଚ୍ଛା ପୂରଣ କଲେନାହିଁ | ବାସ୍, ମୁହୂର୍ତ୍ତକରେ ସେଠାରେ ପ୍ରଳୟର ତାଣ୍ଡବ ସୃଷ୍ଟି ହୋଇଗଲା | ଝିଅଟି ପାଦ କଚାଡି, ମାଙ୍କର ବସ୍ତ୍ରକୁ ଟଣା-ଓଟରା କରି ଉଚ୍ଚ ସ୍ବରରେ ଚିତ୍କାର କରିବାରେ ଲାଗିଲା | ସମସ୍ତେ ତା ଆଡକୁ ଆଶ୍ଚର୍ଯ୍ୟ ହୋଇ ଚାହିଁବାରେ ଲାଗିଲେ | ମା ବିଚାରୀ ଲଜ୍ଜିତ ହୋଇ ଭାବୁଥାଆନ୍ତି ଏପରି ଗୋଟିଏ ଝିଅ ସେ କାହିଁକି ଜନ୍ମ କଲେ | କିନ୍ତୁ ଏପରି କାହିଁକି ହେଲା ? ଅଳ୍ପ କେତୋଟି ସେକେଣ୍ଡରେ ପରୀଟିଏ ରାକ୍ଷସୀରେ ପରିଣତ ହୋଇଗଲା କିପରି ? ଏସବୁ ଆଶା-ଆକାଂକ୍ଷାର ଖେଳ | ମା ଝିଅଟିର ଆଶା ପୂରଣ କରୁଥିବା ଯାଏଁ ସବୁକିଛି ଠିକ୍ ଥିଲା | ଯେତେବେଳେ ଝିଅର ଆଶା ପୂରଣ କରିବାକୁ ମା ବାରଣ କରିଦେଲେ, ବାସ୍, ସମ୍ପର୍କରେ ତିକ୍ତତା ଆସିଗଲା |

ସମ୍ବନ୍ଧଟିଏ ସ୍ଥାପନ କରିବା ଏବଂ ସେହି ସମ୍ବନ୍ଧକୁ ରକ୍ଷା କରିବା ଦୃଷ୍ଟିରୁ ବିଚାର କଲେ, ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ପରିପକ୍ବତା ସ୍ତର ସେହି ତିନି-ବର୍ଷୀୟ ଝିଅଟିର ସ୍ତର ଠାରୁ କୌଣସି ଗୁଣରେ ଉନ୍ନତ ନୁହେଁ | ସଂସାରରେ ଆମର ବାପା-ମା, ଭାଇ-ଭଉଣୀ, ସ୍ବାମୀ-ସ୍ତ୍ରୀ, ପୁତ୍ର-କନ୍ୟା ଆଦି ସମ୍ବନ୍ଧୀଙ୍କଠାରୁ ଆମେ କିଛି ନା କିଛି ଆଶା ରଖିଥାଏ | ଯେତେଦିନ ଯାଏଁ ସେମାନେ ଆମର ଆଶା ପୂରଣ କରୁଥିବେ, ଆମ ଦୃଷ୍ଟିରେ ସେମାନେ ଭଲ ହୋଇ ରହିଥିବେ | ସେମାନଙ୍କର ବ୍ୟବହାର ଯେତେବେଳେ ଆମର ଆଶାନୁରୂପ ନ ହେବ, ଆମର ମନୋଦଶା ବିଗିଡି ଯିବ, ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇଯିବ | ତେଣୁ ସୁଖୀ ହେବା ନିମନ୍ତେ ଆମେ କଣ କରିବା ଆବଶ୍ୟକ ? ବାସ୍, ସେହି ସବୁ ଆଶାକୁ ତ୍ୟାଗ କରିବା ଆବଶ୍ୟକ | ଏମିତି ଦେଖିବାକୁ ଗଲେ ତ ସବୁ କ୍ଷେତ୍ରରେ ଆମର ସମସ୍ତ ଆଶା କେବେ ବି ପୂରଣ ହୋଇପାରିବ ନାହିଁ ଏବଂ କେତେ ଚେଷ୍ଟା କରି ମଧ୍ୟ ଆମେ ସମସ୍ତଙ୍କର ଆଶା ପୂରଣ କରିପାରିବା ନାହିଁ |

କର୍ମକ୍ଷେତ୍ରରେ ଆପଣଙ୍କ କମ୍ପାନୀର ମାଲିକ ଆଶା କରନ୍ତି, କମ୍ପାନୀ ପ୍ରତି ଆପଣଙ୍କର ଆନୁଗତ୍ୟ ଏବଂ ସମର୍ପଣ ଭାବର ନିଦର୍ଶନ ସ୍ବରୂପ ଆପଣ ରାତି ଆଠଟା ଯାଏଁ ଅଫିସରେ କାମ କରିବେ | ଘରେ ଆପଣଙ୍କର ନବ ବିବାହିତା ପତ୍ନୀ ଆଶା କରନ୍ତି, ଆପଣ ସନ୍ଧ୍ୟା ଛଅଟା ପୂର୍ବରୁ ଅଫିସରୁ ଘରକୁ ଫେରିବେ, ଯାହା ଫଳରେ ସେ ଆପଣଙ୍କ ସହିତ କିଛି ଫାଙ୍କା ସମୟ ବ୍ୟତୀତ କରିପାରିବେ | ସେ କ୍ଷେତ୍ରରେ, ଆପଣ ଯଦି ଜଣକର ଆଶା ପୂରଣ କରିବାକୁ ଚେଷ୍ଟା କରିବେ, ଅନ୍ୟ ଜଣେ ନିରାଶ ହେବେ | ତେଣୁ ନିରାଶା ସ୍ବାଭାବିକ ଅଟେ | କେହି ମଧ୍ୟ ସମସ୍ତଙ୍କର ଆଶା ପୂରଣ କରିପାରିବେ ନାହିଁ ଏବଂ ତାହା ହିଁ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ |

ଦିନସାରା ଅଫିସରେ ଖଟି ଖଟି ଗୃହସ୍ବାମୀ ଘରକୁ ଫେରିଲେ | ସେ ଆଶା କରୁଥିଲେ, ଘରେ ତାଙ୍କର ସ୍ତ୍ରୀ ଏବଂ ପିଲାମାନେ ତାଙ୍କର ରାଜକୀୟ ସତ୍କାର କରିବେ, ଯାହା ହେଲେ ବି ସେମାନଙ୍କର ଭରଣ-ପୋଷଣ ନିମନ୍ତେ ହିଁ ତ ସେ ଏତେ ପରିଶ୍ରମ କରୁଛନ୍ତି | କିନ୍ତୁ ଘରେ ତାଙ୍କର ସ୍ତ୍ରୀ ଦିନସାରା ଚୁନ୍ନୁ-ମୁନ୍ନୁ ଦୁଇ ପୁଅଙ୍କର ଜଞ୍ଜାଳ ସମ୍ଭାଳି ଥକି ଯାଇଥିଲେ | ତାଙ୍କର ଅନ୍ୟ ଏକ ପ୍ରକାରର ଆଶା ରହିଥିଲା | ସ୍ବାମୀ ଘରେ ପାଦ ଦେଉ ଦେଉ ସେ କହିଲେ, ଦେଖ ! ସାନ ପୁଅ ମୁନ୍ନୁ ଘର ଚଟାଣରେ କଫି ଢାଳି ଦେଇଛି | ଚଟାଣ ସଫା କରି ରାତ୍ରୀ ଭୋଜନ ପରଷିବାରେ ମୋତେ ଟିକିଏ ସାହାଯ୍ୟ କର | ବିଚରା ସ୍ବାମୀଙ୍କର ସବୁ ଆଶା ମରିଗଲା | ସ୍ତ୍ରୀଙ୍କ ଆଦେଶ ମୁତାବକ ସବୁ କାମ ସାରି ରାତ୍ରୀ ଭୋଜନ ଉପରାନ୍ତେ ସେ ଟି.ଭି ଦେଖିବାକୁ ବସିଛନ୍ତି, ବଡ଼ ପୁଅ ଚୁନ୍ନୁ ଆସି କହିଲା, ପାପା ! ମୋ ସହିତ ଭିଡିଓ ଗେମ୍ ଖେଳନ୍ତୁ | ଗୃହସ୍ବାମୀ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ | ଚିତ୍କାର କରି ସେ କହିଲେ, “ଏ ଘରେ କେହି ମୋତେ ଭଲ ପାଆନ୍ତି ନାହିଁ, ମୋର ଆଦର କରନ୍ତି ନାହିଁ | ତୁମ୍ଭମାନଙ୍କୁ ନେଇ ମୁଁ ଅତିଷ୍ଠ ହୋଇଗଲିଣି |”- କ୍ରୋଧ ଏବଂ ବିରକ୍ତିରେ ସେ ସେଠାରୁ ଉଠି ଶୋଇବା ଘରକୁ ଚାଲିଗଲେ | ପରିବାରର ସମସ୍ତେ ହତବାକ୍ ହୋଇ ଚାହିଁ ରହିଥାଆନ୍ତି | ବାପାଙ୍କର ରାଗିବାର କାରଣ କେହି ମଧ୍ୟ ବୁଝିପାରିଲେ ନାହିଁ |

ଏହି କ୍ଷେତ୍ରରେ, ଗୃହସ୍ବାମୀ ଜଣକ ଯଦି ତାଙ୍କର ଆଶାର ଦଣ୍ଡକୁ ଟିକିଏ ତଳକୁ କରିଦେଇ ଥାଆନ୍ତେ ତେବେ ପରିବାରର ଅନ୍ୟ ସଦସ୍ୟମାନଙ୍କ ଠାରୁ ସେ ହୁଏତ କିଛି ଭିନ୍ନ ପ୍ରତିକ୍ରିୟା ପାଇଥାନ୍ତେ | ସେଥିପାଇଁ କୁହାଯାଏ, ଅନ୍ୟମାନେ ଆପଣଙ୍କୁ ବୁଝନ୍ତୁ, ଏହା ଆଶା କରିବା ପୂର୍ବରୁ ପ୍ରଥମେ ଆପଣ ଅନ୍ୟମାନଙ୍କୁ ବୁଝନ୍ତୁ | ଅନ୍ୟମାନଙ୍କର ମଧ୍ୟ ନିଜସ୍ବ ସମସ୍ୟା, ଚିନ୍ତା ଏବଂ ଉଦବେଗ ରହି ଥାଇପାରେ | ଯଦି ସେମାନେ ଆମର ଆଶା ପୂରଣ କରିପାରୁ ନାହାଁନ୍ତି, ତେବେ ଆମେ ସେମାନଙ୍କୁ ଟିକିଏ ରିହାତି ଦେବା ଉଚିତ୍ ନୁହେଁ କି ? ନିଜ ପାଇଁ ଉଚ୍ଚ ମାନ ରଖି, ଆମେ ଯଦି ଅନ୍ୟମାନଙ୍କ ପାଇଁ ଆଶାର ଏହି ଉଚ୍ଚ ମାନକୁ ହ୍ରାସ କରିପାରିବା ତେବେ ଉନ୍ନତ ସମ୍ବନ୍ଧ ସ୍ଥାପନ କରି ଆମେ ସୁଖମୟ ଜୀବନ ଯାପନ କରିପାରିବା |

     -------------xxxxx---------

                                                                                    Happiness Challenge Day 6

                                                                                    Swami Mukundananda

 

                                                 

 

 



 

Comments

Popular posts from this blog