ସେବା ଓ ସମର୍ପଣ ଭାବ ରଖି ସମ୍ବନ୍ଧ ଦୃଢ କରିବା --
ପ୍ରତ୍ୟେକ ସମ୍ବନ୍ଧ ପାରସ୍ପରିକ
ଆଦାନ-ପ୍ରଦାନ ସମୀକରଣ ଉପରେ ଆଧାରିତ | ସ୍ବାର୍ଥପରତା ଦ୍ବାରା ସେମାନେ ବାଧା ପ୍ରାପ୍ତ ହୁଅନ୍ତି
ଏବଂ ସେବା ଓ ସମର୍ପଣ ମାଧ୍ୟମରେ ସେମାନେ ପୋଷଣ ପ୍ରାପ୍ତ କରି ଶକ୍ତିଶାଳୀ ହୋଇଥାଆନ୍ତି | ଆନନ୍ଦ
ଅଭିଯାନ ଶୃଂଖଳାର ସପ୍ତମ ଦିବସରେ ଆସନ୍ତୁ, ଏହା ଉପରେ ଆଜି ଆମେ
ବିଶଦ ଆଲୋଚନା କରିବା |
ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମୋ ପାଖକୁ
ଆସି କହିଲେ, “ସ୍ବାମୀଜୀ ! ଦୟାକରି ଆମକୁ ଆଶୀର୍ବାଦ କରନ୍ତୁ | ଆମେ ଦୁହେଁ ପୂର୍ଣ୍ଣ ବୈଦିକ ରୀତିରେ
ବିବାହ କରିବାକୁ ସ୍ଥିର କରିଅଛୁ | ଏକାନ୍ତରେ ମୁଁ ପୁଅକୁ ଡାକି ପଚାରିଲି, “ତୁମେ ଏହି ଝିଅକୁ କାହିଁକି ବିବାହ କରିବାକୁ ଇଚ୍ଛା କରୁଅଛ ?” ସେ କହିଲେ, “ସ୍ବାମୀଜୀ ! ସେ ଦେଖିବାକୁ ବହୁତ ସୁନ୍ଦର | ତାଙ୍କର ବାପା ଜଣେ ଧନାଢ଼୍ୟ ବ୍ୟକ୍ତି
ଅଟନ୍ତି | ତାଛଡା, ସେ ମୋତେ ବହୁତ ଭଲ ପାଆନ୍ତି | ତାଙ୍କୁ ବିବାହ କଲେ ମୁଁ ବହୁତ ଖୁସୀ ହେବି |” ତାପରେ ମୁଁ
ଝିଅଟିକୁ ଏକାନ୍ତରେ ଡାକି ପଚାରିଲି, “ଏହି ପୁଅ ସହିତ ବିବାହ କରିବାକୁ ତୁମେ
କାହିଁକି ଇଚ୍ଛା କରୁଅଛ ?” ସେ କହିଲେ, “ ତାଙ୍କର କ୍ୟାରିୟର୍ ବହୁତ ଆଶାଜନକ |
ତା ସହିତ ସେ ସାହସୀ ଏବଂ ସୁନ୍ଦର ଅଟନ୍ତି | ମୋର ସେ ବହୁତ ଯତ୍ନ ନେବେ |” ଶେଷରେ ମୁଁ
ଦୁହିଁଙ୍କୁ ଏକାଠି ବସାଇ କହିଲି, “ଦେଖ ! ତୁମେ ଦୁହେଁ ନିଜ ସୁଖ ପାଇଁ
ପରସ୍ପରକୁ ବିବାହ କରିବାକୁ ଇଚ୍ଛା କରୁଅଛ, ନିଜ ସାଥିର ସୁଖ ପାଇଁ
ନୁହେଁ | କୌଣସି କାରଣରୁ ତୁମେ ଆଶା କରୁଥିବା ସୁଖ ଯଦି ତୁମକୁ ନ ମିଳେ, ତେବେ ତୁମର ସବୁ ପ୍ରେମ ଭାବ ସମାପ୍ତ
ହୋଇଯିବ | ଏପରି ବିବାହ ବନ୍ଧନ ଅସୁରକ୍ଷିତ ଅଟେ | ତୁମେ ଯଦି ସେହି ବନ୍ଧନକୁ ଦୃଢ କରିବାକୁ
ଇଚ୍ଛା କରୁଥାଅ, ତେବେ ନିଃସ୍ବାର୍ଥପର ହେବାକୁ ଶିଖ |” କିନ୍ତୁ ଦୁର୍ଭାଗ୍ୟର କଥା, ଆମେ ତାହା ହୃଦୟଙ୍ଗମ
କରି ନ ଥାଏ |
ଅଧିକାଂଶତଃ, ଆମେ ଏପରି ଭାବିଥାଏ ଯେ ଅନ୍ୟମାନଙ୍କ ପାଇଁ ଆମେ ବହୁତ କିଛି କରୁଅଛେ | କିନ୍ତୁ ବାସ୍ତବରେ
ସବୁକିଛି ଆମେ ନିଜ ପାଇଁ କରିଥାଏ, ସବୁକିଛି ସ୍ବାର୍ଥ-ପ୍ରଣୋଦିତ ଅଟେ | ରାତିରେ କୌଣସି ଏକ ବିଷୟରେ ଚର୍ଚ୍ଚା କରି କରି ସ୍ବାମୀ-ସ୍ତ୍ରୀ ଶୋଇବାକୁ ଗଲେ | ନିଦ
ଆସିବା ପର୍ଯ୍ୟନ୍ତ ସେମାନଙ୍କର ଚର୍ଚ୍ଚା ଅବ୍ୟାହତ ରହିଥାଏ | ରାତି ୧୧ ଟାରେ ସେହି ଚର୍ଚ୍ଚା
ତର୍କର ରୂପ ନେଲା ଏବଂ ସେମାନେ କଳହ କରିବାରେ ଲାଗିଗଲେ | ଏମିତି ତ ସବୁଦିନ ସେମାନଙ୍କ ମଧ୍ୟରେ
କଳହ ଉପୁଜି ଥାଏ, କିନ୍ତୁ ସେଦିନର କଳହ ଟିକିଏ ଗୁରୁତ୍ତର ଥିଲା | କ୍ରମଶଃ ତାହା ଏତେ ଉଗ୍ର ରୂପ ଧାରଣ କଲା
ଯେ ସ୍ବାମୀ କ୍ରୋଧରେ ଶଯ୍ୟା ତ୍ୟାଗ କରି ଉଠି ବାହାରକୁ ଚାଲିଗଲେ ଏବଂ ଗ୍ୟାରେଜରେ ତାଙ୍କ କାର୍
ଭିତରେ ଯାଇ ଶୋଇଗଲେ | ଘଣ୍ଟାଏ ପରେ ସ୍ତ୍ରୀଙ୍କର ହୃଦବୋଧ ହେଲା ସେ ତାଙ୍କର ସ୍ବାମୀଙ୍କୁ କେତେ
ଭଲ ପାଆନ୍ତି | ସେ ଫ୍ରିଜରୁ ନିଜ ସ୍ବାମୀଙ୍କର ପସନ୍ଦ ସୋଡା ବୋତଲ କାଢି ତାଙ୍କୁ ଦେବାକୁ ଗଲେ |
କାର୍ ପାଖରେ ପହଞ୍ଚି ସେ ଦେଖିଲେ ତାଙ୍କର ସ୍ବାମୀ ଗଭୀର ନିଦ୍ରାରେ ଶୋଇ ଯାଇଛନ୍ତି | ଯାହାହେଉ, କାରର କବାଟ ଖୋଲି ସୋଡା ବୋତଲଟିକୁ ସେ ତାଙ୍କ ପାଖରେ ରଖିଦେଲେ ଏହି ଆଶାରେ ଯେ ନିଦରୁ ଉଠି
ତାଙ୍କର ସ୍ବାମୀ ଯେତେବେଳେ ସୋଡା ବୋତଲଟିକୁ ଦେଖିବେ, ସେ ଜାଣିପାରିବେ ତାଙ୍କର ପତ୍ନୀ ତାଙ୍କୁ କେତେ ବେଶୀ ଭଲପାଆନ୍ତି ଏବଂ ତାପରେ ସବୁ ଝଗଡା
ସମାପ୍ତ ହୋଇଯିବ ଏବଂ ସେ ଦୁହେଁ ପୁଣି ହସ-ଖୁସୀରେ ଦିନ କାଟିବେ | କଥାଟି ଯଦି ପରୀ ରାଇଜର
ଗୋଟିଏ କାହାଣୀ ହୋଇଥାଆନ୍ତା ତେବେ ତାହାର ଅନ୍ତ ହୁଏତ ଏହିପରି ହୁଅନ୍ତା | ଏହା କିନ୍ତୁ ବାସ୍ତବ
ଜୀବନର ଏକ ନମୁନା ଥିଲା | ନିଦ ଭାଙ୍ଗିବା ପରେ ମଧ୍ୟ ସ୍ବାମୀଙ୍କର କ୍ରୋଧାଗ୍ନି ଶାନ୍ତ ହୋଇ ନ
ଥିଲା | ପାଖରେ ସୋଡା ବୋତଲଟିକୁ ଦେଖି ତାହା ଆହୁରି ତେଜୀୟାନ ହୋଇ ଉଠିଲା | ତେଣୁ ବୋତଲ ଖୋଲି
ପିଇବା ପରିବର୍ତ୍ତେ ସେ ତାହାକୁ ତଳେ ଢାଳି ଦେଲେ ଏବଂ ବୋତଲଟିକୁ ରାସ୍ତାରେ କଚାଡି ଭାଙ୍ଗି
ଚୁରମାର୍ କରିଦେଲେ | ସ୍ବାମୀଙ୍କର ଏପରି ନିଷ୍ଠୁର ବ୍ୟବହାରରେ ସ୍ତ୍ରୀ ଅତ୍ୟନ୍ତ ମର୍ମାହତ ହେଲେ
| ସେ ମୋ ପାଖକୁ ଆସି କହିଲେ, “ଦେଖନ୍ତୁ ସ୍ବାମୀଜୀ ! ମୁଁ ନିଷ୍କାମ
ଭାବ ରଖି ମୋ ସ୍ବାମୀଙ୍କ ପାଇଁ ଏତେ ସବୁ କଲି, ଅଥଚ ସେ ମୋ ସହିତ କିପରି
ବ୍ୟବହାର କଲେ !” ମୁଁ ତାଙ୍କୁ ପଚାରିଲି, “ଆପଣ ନିଜ ସ୍ବାମୀଙ୍କ ଠାରୁ କ’ଣ ଆଶା କରୁଥିଲେ ?” ମୋର ପ୍ରଶ୍ନ ଶୁଣି ସତେ ଯେମିତି ତାଙ୍କ ମସ୍ତକରେ ବଜ୍ରପାତ ହୋଇଗଲା |
ସେ ବୁଝିପାରିଲେ ଯେ ଯାହାକୁ ସେ ନିଷ୍କାମ ମନେ କରୁଥିଲେ, ବାସ୍ତବରେ ତାଙ୍କର ସେହି ପ୍ରେମ ସ୍ବାର୍ଥଯୁକ୍ତ ଥିଲା | ନିଜ ସ୍ବାମୀଙ୍କ ପାଇଁ ସେ ଯାହା
ସବୁ କରୁଥିଲେ, ତାହାର ପୃଷ୍ଠଦେଶରେ କିଛି ପାଇବାର ଆଶା ରହିଥିଲା ଏବଂ ସେହି ପୂରଣ ନ ହେବା ଯୋଗୁଁ ସେ
ହତାଶ ହେଲେ |
ଏହାର ଗଭୀର ଅନୁଧ୍ୟାନ କଲେ ଆମେ
ଜାଣିପାରିବା ଯେ ଯେତେ ପ୍ରକାର ସମ୍ବନ୍ଧ ଆମର ରହିଛି, ସବୁ ସମ୍ବନ୍ଧରେ ଆମେ ଲାଭ, ପୁରଷ୍କାର ଏବଂ ପ୍ରତିଦାନର ଆଶା
ଦ୍ବାରା ପ୍ରେରିତ ହୋଇଥାଏ | ତେଣୁ କୌଣସି ପ୍ରକାର ପ୍ରତିଦାନର ଆଶା ନ ରଖି ସେବା ଓ ସମର୍ପଣ
ଭାବକୁ ଆପଣଙ୍କ ସମ୍ବନ୍ଧର ଆଧାର ଭାବରେ ଗ୍ରହଣ କରନ୍ତୁ | ତାପରେ ଆପଣ ଲକ୍ଷ୍ୟ କରିବେ ଆପଣଙ୍କର ସମ୍ବନ୍ଧ
ପୂର୍ବ ଅପେକ୍ଷା ଅଧିକ ସୁସ୍ଥ ଏବଂ ସୁଦୃଢ ହୋଇଯାଇଛି | ବାସ୍ତବରେ କିଛି ପାଇବାର ଇଚ୍ଛା ହିଁ ଆମ
ଅସନ୍ତୋଷର ମୁଖ୍ୟ କାରଣ ଅଟେ | ଅତଏବ, ସମ୍ବନ୍ଧ ରକ୍ଷା କରିବାକୁ ଯାଇ ସର୍ବଦା
ଚିନ୍ତାକରନ୍ତୁ ଆପଣ ନିଜ ସମ୍ବନ୍ଧୀଙ୍କୁ କେତେ ଅଧିକ ଦେଇପାରିବେ |
----------xxxxxx---------
Happiness
Challenge Day 7
Swami
Mukundananda
Swamiji Pranam,It is an eye-opening message for one and all.
ReplyDeleteସ୍ବାର୍ଥ ନିହିତ କର୍ମ କଦାପି ପ୍ରେମ ର ପରିଚାୟକ ନୁହେଁ।
ReplyDelete