ସମ୍ବନ୍ଧରେ ସନ୍ତୁଳନ ରକ୍ଷା କରିବା ----

ପ୍ରତ୍ୟେକ ସମ୍ବନ୍ଧ ଗୋଟିଏ ବ୍ୟାଙ୍କ ଜମା-ଖାତା ପରି ଅଟେ, ଯହିଁରେ ଆପଣ ଧନ ରାଶି ଜମା କରନ୍ତି ଏବଂ ଆବଶ୍ୟକ ସ୍ଥଳେ ସେଥିରୁ ପ୍ରତ୍ୟାହାର ମଧ୍ୟ କରନ୍ତି | ଜମା ରାଶିର ପରିମାଣ ଅନୁସାରେ ଆପଣ ପ୍ରତ୍ୟାହାର କରିଥାଆନ୍ତି | କିନ୍ତୁ ଆମର ସମ୍ବନ୍ଧ-ରୂପୀ ଜମା-ଖାତା ଅଧିକାଂଶତଃ ଅତ୍ୟଧିକ ଉଠାଣ ଦର୍ଶାଇ ଥାଏ, ଅର୍ଥାତ୍ ଜମାରାଶି ଠାରୁ ଅତ୍ୟଧିକ ପରିମାଣର ରାଶି ଆମେ ସେଥିରୁ ପ୍ରତ୍ୟାହାର କରିଥାଏ | ସେହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ସେଥିରେ ଅଧିକ ରାଶି ଜମା କରିବା ଆବଶ୍ୟକ | ଦେଖନ୍ତୁ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କିଛି ପଇସା ନାହିଁ | ଆପଣ ଯଦି ବ୍ୟାଙ୍କ କ୍ୟାସିୟର୍ ହାତକୁ ଚେକ୍ ବଢାଇ ତାହାକୁ ନଗଦ କରିବାକୁ କହିବେ, ସେ ଆପଣଙ୍କୁ କହିବେ, “ସାର୍, ଆପଣଙ୍କ ଖାତାରେ ତ ଆଦୌ ଜମାରାଶି ନାହିଁ, ମୁଁ ଚେକ୍ ପରିମାଣକୁ ନଗଦ କରିବି କିପରି ?” ସେହିପରି, ସମ୍ବନ୍ଧ କ୍ଷେତ୍ରରେ ବେଳେ ବେଳେ ଆମେ ନିଜ ସମ୍ବନ୍ଧୀଙ୍କ ଠାରୁ ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି କାମ ଆଶା କରିଥାଏ, ତାଙ୍କୁ ଅପମାନିତ କରିଥାଏ, କଟୁ କଥା କହିଥାଏ, ଗାଳି ଦେଇଥାଏ – ଏହା ବ୍ୟାଙ୍କରୁ ପ୍ରତ୍ୟାହାର ସଦୃଶ ଅଟେ | ସେପରି ପ୍ରତ୍ୟାହାର କରିବାକୁ ଯିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ ତାଙ୍କ ସହିତ ସମ୍ବନ୍ଧ ଖାତାରେ ଆମେ ପର୍ଯ୍ୟାପ୍ତ ପରିମାଣରେ ରାଶି ଜମା ରଖିଅଛେ କି ନାହିଁ | ସାହାଯ୍ୟ, ସେବା, ସ୍ନେହ, ପ୍ରଶଂସା ଆଦି ସେହି ଜମା-ଖାତାର ଜମାରାଶି ଅଟନ୍ତି | କିନ୍ତୁ ପ୍ରାୟତଃ ଏପରି ଦେଖାଯାଏ ଯେ ନିଜର ସମ୍ବନ୍ଧ, ବିଶେଷ କରି ପୁରାତନ ସମ୍ବନ୍ଧ, ପ୍ରତି ଖାମଖିଆଲି ହୋଇ ଆମେ ସେଥିରେ ଆବଶ୍ୟକ ପରିମାଣର ରାଶି ଜମା କରିବାକୁ ଭୁଲି ଯାଇଥାଏ |

ନବ-ବିବାହିତ ପତି-ପତ୍ନୀ ଦୁହେଁ ସାୟଂ କାଳରେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି | ହଠାତ୍ ପତିଦେବ ପତ୍ନୀଙ୍କ ହାତକୁ ଆସ୍ତେ କରି ଧରି ତାଙ୍କୁ ରାସ୍ତାର ପାର୍ଶ୍ବକୁ ନେଇ ଆସିଲେ | ପତ୍ନୀ ପଚାରିଲେ, “କଣ ହେଲା ?” ସେ କହିଲେ, “କିଛି ନାହିଁ | ମଝି ରାସ୍ତାରେ କାଦୁଅ-ପାଣି ଥିଲା, ତୁମ ପାଦରେ କାଦୁଅ ଲାଗିଯାଇ ଥାଆନ୍ତା |” ସେହି ଘଟଣାର ପାଞ୍ଚ ବର୍ଷ ପରେ ଠିକ୍ ସେହିପରି ପତି-ପତ୍ନୀ ଚାଲି ଚାଲି ଯାଉଥିବା ବେଳେ ରାସ୍ତା ମଝିରେ କାଦୁଅ ଦେଖି ପତ୍ନୀଙ୍କ ଉଦ୍ଦେଶ୍ୟରେ ପତିଦେବ କହିଲେ, “ଦେଖିକରି ଚାଲ | ଆଗରେ କାଦୁଅ ଅଛି, ତୁମ ପାଦରେ ଲାଗିଯିବ |” ପୁଣି ପାଞ୍ଚ ବର୍ଷ ପରେ ପତି-ପତ୍ନୀ ରାସ୍ତାରେ ଯାଉଥିବା ବେଳେ ମଝି ରାସ୍ତାରେ କାଦୁଅ ଦେଖି ପତିଦେବ ପତ୍ନୀଙ୍କୁ ଭର୍ତ୍ସନା କରି କହିଲେ, “ଅନ୍ଧୁଣୀ ହୋଇଗଲ କି ? ଦେଖା ଯାଉନାହିଁ ରାସ୍ତା ମଝିରେ କାଦୁଅ ଅଛି ? ଘୁଞ୍ଚି କରି ଚାଲ |” ପତିଦେବଙ୍କର ବ୍ୟବହାରରେ ଏପରି ପରିବର୍ତ୍ତନ କାହିଁକି ଆସିଲା ? ତାହାର କାରଣ ସମୟ କ୍ରମେ ପତ୍ନୀଙ୍କ ସହିତ ନିଜର ସମ୍ବନ୍ଧକୁ ପତିଦେବ ଅତି ଖାମଖିଆଲି ଭାବରେ ଗ୍ରହଣ କରି ନେଇଥିଲେ | ପତ୍ନୀଙ୍କ ସହିତ ସମ୍ବନ୍ଧର ଜମା-ଖାତାରେ ସ୍ନେହ, ପ୍ରେମ,ସେବା, ସମର୍ପଣ ଆଦି ଧନ ରାଶି ଜମା କରିବାକୁ ସେ ଗୁରୁତ୍ବ ଦେଉ ନ ଥିଲେ | କିନ୍ତୁ ଏପରି ପୁଞ୍ଜି ନିବେଶ ଦ୍ବାରା କିଏ ଅବା ପ୍ରଭାବିତ ନ ହେବ ?

ସକାଳୁ ଜଣେ ବ୍ୟକ୍ତି ନିଜର ଦାଣ୍ଡ କବାଟ ଖୋଲି ଦେଖିଲେ, ପଡୋଶୀଙ୍କ ପୋଷା କୁକୁର ମୁହଁରେ ଗୋଟିଏ ଖବର କାଗଜ ଧରି ତାଙ୍କ ଦୁଆରେ ଠିଆ ହୋଇଛି | କୁକୁରଟିର ସେବା ଭାବ ବ୍ୟକ୍ତି ଜଣଙ୍କର ହୃଦୟକୁ ସ୍ପର୍ଶ କଲା | ସେ ରୋଷେଇ ଘରୁ ଦୁଇଟି ବିସ୍କୁଟ୍ ଆଣି କୁକୁରକୁ ଦେଲେ | ପର ଦିନ ସକାଳେ କବାଟ ଖୋଲି ସେ ଦେଖିଲେ କୁକୁରଟି ଗୋଟିଏ ନୁହେଁ, ପାଖ ପଡିଶାରୁ ଆଠଟି ଖବର କାଗଜ ସଂଗ୍ରହ କରି ତାଙ୍କ ଦୁଆରକୁ ବୋହି ଆଣିଛି | ପୂର୍ବ ଦିନ ବ୍ୟକ୍ତି ଜଣକ କୁକୁରଟି ପ୍ରତି ଯେଉଁ ସ୍ନେହ ପ୍ରଦର୍ଶନ କରିଥିଲେ, ଏହା ତାହାର ପରିଣାମ ଅଟେ | ସ୍ନେହ ଦ୍ବାରା ସମସ୍ତଙ୍କୁ ଦ୍ରବୀଭୂତ କରାଯାଇ ପାରେ | ଅତଏବ, ଆମ ସମ୍ବନ୍ଧର ଜମା-ଖାତାରେ ଆମେ ସ୍ନେହ, ସଦିଚ୍ଛା, ସହାୟତା ଆଦି ରୂପରେ ଯେଉଁ ରାଶି ଜମା କରିଥାଏ, ତଦନୁଯାୟୀ ଆମ ପ୍ରତି ସେମାନଙ୍କର ବ୍ୟବହାର ହୋଇଥାଏ | ତେଣୁ ସମୟ ସମୟରେ ଆପଣ ନିଜ ପ୍ରିୟ-ପରିଜନଙ୍କ ସହିତ ଆପଣଙ୍କ ସମ୍ବନ୍ଧର ଜମା-ଖାତାକୁ ତଦାରଖ କରିବା ଆବଶ୍ୟକ – ସେଥିରେ ପର୍ଯ୍ୟାପ୍ତ ପରିମାଣରେ ଜମା ନ କରି ଆପଣ ପ୍ରତ୍ୟାହାର କରୁନାହାଁନ୍ତି ତ ? ସେଥିପାଇଁ ଆପଣଙ୍କ ପ୍ରତି ସେମାନଙ୍କର ବ୍ୟବହାର ଏତେ ରୁକ୍ଷ ହୋଇଯାଉଛି କି ? ଚିନ୍ତା କରନ୍ତୁ, ଶେଷ ଥର ପାଇଁ ଆପଣ କେବେ ନିଜ ପତ୍ନୀଙ୍କର ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କର ପ୍ରଶଂସା କରିଥିଲେ |

ଅତଏବ, ନିଜ ସମ୍ବନ୍ଧକୁ ସନ୍ତୁଳିତ ରଖିବା ପାଇଁ ସମ୍ବନ୍ଧର ଜମା-ଖାତାକୁ ନିୟମିତ ଭାବରେ ତଦାରଖ କରନ୍ତୁ | ସମ୍ବନ୍ଧକୁ ସର୍ବଦା ସକାରାତ୍ମକ ରଖିବା ପାଇଁ ସମ୍ବନ୍ଧ ଖାତାର ଜମାରାଶିକୁ କିପରି ବୃଦ୍ଧି କରିବେ, ସେହି ବିଷୟରେ ଚିନ୍ତା କରନ୍ତୁ | ଖାତାରେ ଜମାରଶିର ପରିମାଣ ବୃଦ୍ଧି କରିବା ଅତ୍ୟନ୍ତ ଆବଶ୍ୟକ | ତାହାହେଲେ, କେତେବେଳେ ଯଦି ଆପଣ ଅନ୍ୟ ଦ୍ବାରା କିଛି ଅପ୍ରୀତିକର ବା ଅସାଧ୍ୟ କାମ କରାଇବାକୁ ଇଚ୍ଛା କରିବେ, ତେବେ ଆପଣ ଆରାମରେ ସେହି ପ୍ରତ୍ୟାହାର କରିପାରିବେ କାରଣ ତାଙ୍କ ଜମା-ଖାତାରେ ଆପଣ ବୁଝି-ସୁଝି ପର୍ଯ୍ୟାପ୍ତ ପରିମାଣର ରାଶି ଜମା କରିଛନ୍ତି |

                                    --------------xxxxx------------

                                                                                    Happiness Challenge Day 8

                                                                                    Swami Mukundananda   

 

 

 

                                        



 

Comments

  1. ରାଧେ ରାଧେ ସ୍ୱାମୀଜୀ ଏହା ଏକ ବହୁ ପ୍ରତିକ୍ଷିତ ସେବା। ଏହା ଓଡ଼ିଆ ଅଧ୍ଷତ୍ମିକ ଜଗତ ରେ ଏକ ମହା ବିପ୍ଳବ ଆଣିବା ବୋଲି ଆଶା ।

    ReplyDelete

Post a Comment

Popular posts from this blog