ସଠିକ୍ ବିକଳ୍ପ ଚୟନ କରିବା---

ଜୀବନ ସର୍ବଦା ଆମ ସମ୍ମୁଖରେ ଭିନ୍ନ ଭିନ୍ନ ବିକଳ୍ପ ଉପସ୍ଥାପନ କରିଥାଏ, ଯନ୍ମଧ୍ୟରୁ ଆମେ ନିଜର ପସନ୍ଦୀୟ ବିକଳ୍ପ ଚୟନ କରେ | ସଠିକ୍ ଚୟନ ଆମକୁ ସଫଳତା, ପୂର୍ଣ୍ଣତା ଏବଂ ଆନନ୍ଦ ଅଭିମୁଖୀ କରିଥାଏ | ଅନ୍ୟ ପକ୍ଷରେ, ଭୁଲ୍ ଚୟନ ଆମ ପାଇଁ ଦୁଃଖ, ବିଫଳତା ଏବଂ ବିଷାଦର କାରଣ ହୋଇଥାଏ | ଆନନ୍ଦ ଅଭିଯାନ ଶୃଂଖଳାର ନବମ ଦିବସରେ ସୁଖୀ ହେବାର କଳା ଶିକ୍ଷା କରିବା କ୍ରମରେ ଆଜି ମୁଁ, ଜାଣତରେ ହେଉ ଅଥବା ଅଜାଣତରେ ହେଉ, ଜୀବନରେ ଆମେ କରୁଥିବା ଚୟନର ମହତ୍ତ୍ବ ସମ୍ପର୍କରେ ଆପଣମାନଙ୍କର ଦିଗଦର୍ଶନ କରାଇବାକୁ ଯାଉଛି |

କେତେ ଶହ ବର୍ଷ ପୂର୍ବେ ଆମ ଭାରତବର୍ଷରେ ଜଣେ ସନ୍ଥ ଥିଲେ, ଗୋସ୍ବାମୀ ତୁଳସୀଦାସ | ହିନ୍ଦୀ ରାମାୟଣର ରଚୟିତା ଭାବରେ ଆଜି ସେ ସାରା ବିଶ୍ବରେ ଖ୍ୟାତ | କିନ୍ତୁ ଯୁବାବସ୍ଥାରେ ତାଙ୍କର ଚରିତ୍ର ସାଧୁ ସ୍ବଭାବର ନ ଥିଲା | ସତ କହିବାକୁ ଗଲେ, ସେ ଜଣେ ଦୁଶ୍ଚରିତ୍ର ପୁରୁଷ ଥିଲେ | ନିଜ ପତ୍ନୀଙ୍କ ପ୍ରତି ସେ ଏତେ ମାତ୍ରାରେ ଆସକ୍ତ ଥିଲେ ଯେ ତାଙ୍କ ବିନା ସେ ଗୋଟିଏ ଦିନ ମଧ୍ୟ ରହିପାରୁ ନ ଥିଲେ | ଥରେ ତାଙ୍କ ପତ୍ନୀ ବାପଘରକୁ ଯାଇଥିବା ବେଳେ ପଛେ ପଛେ ତୁଳସୀଦାସ ମଧ୍ୟ ସେଠାକୁ ଯିବାକୁ ବାହାରିଲେ | ଶ୍ବଶୁର ଘରକୁ ଯିବା ପାଇଁ ବାଟରେ ନଦୀ ଅତିକ୍ରମ କରିବାକୁ ପଡେ | ଦୁର୍ଭାଗ୍ୟକୁ ଝଡ-ତୋଫାନ ରାତି ହୋଇଥିବାରୁ କୌଣସି ନାବିକ ତାଙ୍କୁ ନଦୀ ପାର କରାଇବାକୁ ରାଜି ହେଲେନାହିଁ | ହଠାତ୍ ତୁଳସୀଦାସଙ୍କର ନଜର ନଦୀରେ ଭାସି ଯାଉଥିବା ଗୋଟିଏ କାଠଗଣ୍ଡି ଉପରେ ପଡିଲା | ତାହାକୁ ଆଶ୍ରୟ କରି ସେ ନଦୀ ପାର କରିଗଲେ | ଶ୍ବଶୁର ଘରେ ତାଙ୍କ ପତ୍ନୀଙ୍କର ପ୍ରକୋଷ୍ଠ ଉପର ମହଲାରେ | ଏତେ ରାତିରେ ସେ ଉପରକୁ ଚଢିବେ କିପରି ? ସେ ଦେଖିଲେ, ଉପର ମହଲାର ଗୋଟିଏ ଝରକାରୁ ରସିଟିଏ ତଳକୁ ଝୁଲିଛି | ସେହି ରସିକୁ ଧରି ସେ ଉପରକୁ ଚଢିଗଲେ | ସେ ଭାବିଥିଲେ, ରାତିରେ ଅଚାନକ ତାଙ୍କୁ ଦେଖି ତାଙ୍କର ପତ୍ନୀ ନିଶ୍ଚୟ ଖୁସୀ ହେବେ | କିନ୍ତୁ ପରିଣାମ ଠିକ୍ ଓଲଟା ହେଲା | ତାଙ୍କଠାରୁ ତାଙ୍କର ଯାତ୍ରା ବୃତ୍ତାନ୍ତ ଜାଣି ପତ୍ନୀ କ୍ରୋଧିତ ହେବା ସହିତ ଦୁଃଖିତ ମଧ୍ୟ ହେଲେ | ତୁଳସୀଦାସଙ୍କୁ ଭର୍ତ୍ସନା କରି ତାଙ୍କର ପତ୍ନୀ କହିଲେ, “ଦେଖ ! ମୋ ପ୍ରତି ତୁମର ଘୋର ଆସକ୍ତି ଯୋଗୁଁ  ତୁମେ ଜାଣିପାରିଲ ନାହିଁ କାଠଗଣ୍ଡି ଭାବି ନଦୀ ପାର କରିବାକୁ ଯାହାର ତୁମେ ଆଶ୍ରୟ ଗ୍ରହଣ କରିଥିଲ, ବାସ୍ତବରେ ତାହା ଗୋଟିଏ ଶବ ଥିଲା | ସେହିପରି, ରସି ମନେକରି ଯାହା ସାହାଯ୍ୟରେ ତୁମେ ଉପରକୁ ଚଢିଥିଲ, ତାହା ଗୋଟିଏ ସାପ ଥିଲା | ମୋ ପ୍ରତି ତୁମ ହୃଦୟରେ ଯେଉଁ ଆସକ୍ତି ରହିଛି, ତାହାର ଗୋଟିଏ ଭାଗ ଆସକ୍ତି ଯଦି ତୁମର ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥାଆନ୍ତା, ତେବେ କେଉଁ ଦିନରୁ ତୁମର ଭଗବତ୍-ପ୍ରାପ୍ତି ହୋଇ ସାରନ୍ତାଣି |” ପତ୍ନୀଙ୍କର ସେହି ଭର୍ତ୍ସନା ତୁଳସୀଦାସଙ୍କ ପାଇଁ ଗୋଟିଏ ସତର୍କ ଘଣ୍ଟି ଥିଲା | ସେହି ମୁହୂର୍ତ୍ତରେ ସେ ସଂକଳ୍ପ କଲେ, “ନା, ଆଉ ନୁହେଁ | ମନକୁ ମୁଁ ଆଉ ଏହି ଅଧଃପତିତ ଅବସ୍ଥାରେ ରହିବାକୁ ଦେବିନାହିଁ |” ସଂସାର ପ୍ରତି ପୂର୍ଣ୍ଣ ବିମୁଖ ହୋଇ ସେ ଭକ୍ତି ସାଧନା କଲେ ଏବଂ ସନ୍ଥ ତୁଳସୀଦାସ ନାମରେ ପ୍ରସିଦ୍ଧି ଲାଭ କଲେ | ସେହି ରାତିରେ ସେ ଯେଉଁ ଗୋଟିଏ ଚୟନ କରିଥିଲେ, ତାହା ତାଙ୍କର ସମଗ୍ର ଜୀବନକୁ ପରିବର୍ତ୍ତିତ କରିଦେଲା |

ଆପଣମାନେ ନିଜ ବିଷୟରେ ଚିନ୍ତା କରନ୍ତୁ, ଜୀବନରେ ଆଜି ଆପଣ କେଉଁଠାରେ ଅଛନ୍ତି | ପନ୍ଦର ବର୍ଷ ପୂର୍ବେ ଆପଣ ନିଜ ପାଇଁ ଯେଉଁ ବିକଳ୍ପ ଚୟନ କରିଥିଲେ – ଇଂଜିନିୟରିଂ ପଢିବେ କି ଡାକ୍ତରୀ ପଢିବେ, ଚାଟାର୍ଡ ହେବେ କି ଓକିଲ ହେବେ, ବିବାହ କରିବେ କି ନାହିଁ ଇତ୍ୟାଦି, ତଦନୁଯାୟୀ ଆପଣଙ୍କ ଜୀବନ ରୂପ ନେଇଥାଏ | ତେବେ ଏପରି ନୁହେଁ ଯେ ଜୀବନରେ ଥରେ ଯେଉଁ ବିକଳ୍ପ ଆପଣ ଚୟନ କରିଛନ୍ତି, ତାହା ସାରା ଜୀବନ ଅପରିବର୍ତ୍ତନୀୟ ରହିବ | ଆଜି ମଧ୍ୟ ଆମେ ନିଜର ପସନ୍ଦ-ନାପସନ୍ଦ ଅନୁଯାୟୀ ବିକଳ୍ପ ଚୟନ କରିପାରିବା | ହାସ୍ୟ ଅଭିନେତା ଜେରୀ ଲୁଇସ୍ କହନ୍ତି, ନିଜର ବୈବାହିକ ଜୀବନକୁ ନେଇ ସେ ଯେତେବେଳେ ହତାଶା ଅନୁଭବ କରନ୍ତି, ସେତେବେଳେ ସେ ତାଙ୍କର ବିବାହ କାର୍ଯ୍ୟକ୍ରମର ଭିଡ଼ିଓକୁ ଓଲଟା ଚଳାନ୍ତି | ଭିଡ଼ିଓଟି ଓଲଟା ଚାଲି ଚାଲି ଶେଷରେ ଏକ ଦୃଶ୍ୟ ଆସେ ଯେତେବେଳେ ତାଙ୍କର ବିବାହ ହେବାକୁ ବାକି ଥାଏ ଏବଂ ନିଜକୁ ଅବିବାହିତ ଅବସ୍ଥାରେ ଦେଖି ସେ ଶାନ୍ତିରେ ନିଃଶ୍ବାସ ମାରନ୍ତି | ସେ ବୁଝି ପାରିଥିଲେ, ଜୀବନରେ ଏହା ତାଙ୍କର ଏପରି ଏକ ଚୟନ, ଯାହା ଅପରିବର୍ତ୍ତନୀୟ ଅଟେ | ତେଣୁ ହତାଶାକୁ ସେ ହସରେ ଉଡାଇ ଦିଅନ୍ତି | ଅବଶ୍ୟ ଇଚ୍ଛା କରିଥିଲେ ସେହି ପରିସ୍ଥିତିରେ ସେ ନିଜ ପତ୍ନୀଙ୍କ ସହିତ ବୁଝାମଣା କରିପାରି ଥାଆନ୍ତେ କିମ୍ବା ତାଙ୍କଠାରୁ ଛାଡପତ୍ର ନେବା ପାଇଁ ଆବେଦନ କରିପାରି ଥାଆନ୍ତେ |

ଜୀବନରେ ଯେଉଁ ବିକଳ୍ପ ଆମେ ଚୟନ କରିଥାଏ, ତାହାର ପରିଣାମ କ୍ଷଣସ୍ଥାୟୀ ହୋଇପାରେ ଅଥବା ଦୀର୍ଘସ୍ଥାୟୀ ହୋଇପାରେ | ଗୋସ୍ବାମୀ ତୁଳସୀଦାସଙ୍କ ପରି ଏକ ବିବେକପୂର୍ଣ ଦୀର୍ଘସ୍ଥାୟୀ ଚୟନ ଆଜି ଆମେ କରିପାରିବା କି? ଆପଣମାନେ ପଚାରି ପାରନ୍ତି, “ସ୍ବାମିଜୀ | ଜୀବନ ପରିବର୍ତ୍ତନ କ’ଣ ଏତେ ସହଜ ଯେ କେବଳ ଏକ ଚୟନ ଆମର ସମଗ୍ର ଜୀବନକୁ ପରିବର୍ତ୍ତିତ କିଦେଇ ପାରିବ?” ଆଦୌ ନୁହେଁ | ଚୟନ କରିବା ସହିତ ସେହି ଦିଗରେ ଆମର ସଂକଳ୍ପ ମଧ୍ୟ ଦୃଢ ହୋଇଥିବା ଆବଶ୍ୟକ | ଜଣେ ବ୍ୟକ୍ତି ସକାଳେ ସଂକଳ୍ପ କଲେ ସେ ଆଉ ଧୂମପାନ କରିବେ ନାହିଁ ଏବଂ ରାତିରେ ପୁନର୍ବାର ଧୂମପାନ କରିବାରେ ଲାଗିଲେ – ଏହାକୁ ଦୃଢ ସଂକଳ୍ପ କୁହାଯିବ ନାହି | ଏକ ଦୃଢ ସଂକଳ୍ପ ମହାତ୍ମା ଗାନ୍ଧୀଙ୍କର ଥିଲା ଯେତେବେଳେ ଦକ୍ଷିଣ ଆଫ୍ରିକାରେ ସେ ଜାତିଗତ ଭେଦଭାବର ଶରବ୍ୟ ହୋଇଥିଲେ | ତାଙ୍କ ଚୟନର ପ୍ରତିବଦ୍ଧତା, ଯାହା ସହିତ ସେ କୌଣସି ପ୍ରକାରେ ସାଲିସ୍ କରି ନ ଥିଲେ, ତାଙ୍କୁ ଏକ ବିରାଟ ସ୍ବାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇବା ପାଇଁ ସମର୍ଥ କରିଥିଲା ଏବଂ ବିନା ହିଂସାରେ ସେ ବ୍ରିଟିଶ ସାମ୍ରାଜ୍ୟକୁ ଭାରତରୁ ତଡି ବାହାର କରି ଦେଇଥିଲେ | ତେଣୁ ଏହା କେବଳ ଆମ ପସନ୍ଦୀୟ ବିକଳ୍ପର ଚୟନ ନୁହେଁ, ବରଂ ସେହି ଚୟନର ପ୍ରତିବଦ୍ଧତା ଯାହା ହୁଏତ ଆମ ଜୀବନକୁ ଅଧିକ ପତନୋନ୍ମୁଖୀ କରିଦିଏ କିମ୍ବା ଅଧିକ ପବିତ୍ର, ଉଦାତ୍ତ, ଶ୍ରେଷ୍ଠ ଏବଂ ସୁଖୀ କରିଥାଏ | ତେଣୁ, ଦୈନନ୍ଦିନ ଜୀବନରେ ଆପଣ ନିଜ ସମ୍ମୁଖରେ ଉପସ୍ଥିତ ବିକଳ୍ପ ଗୁଡିକ ବିଷୟରେ ଚିନ୍ତା କରନ୍ତୁ – “ମୁଁ ଏଠାରେ କ’ଣ ଭାବିବା ଉଚିତ୍, କ’ଣ କରିବା ଉଚିତ୍ |” ନିଜ ପସନ୍ଦ ବିଷୟରେ ସଚେତନ ହୁଅନ୍ତୁ ଏବଂ ସଠିକ୍ ଚୟନ କରନ୍ତୁ |

              ---------------xxxxx--------------

                                                                                    Happiness Challenge Day 9

                                                                                    Swami mukundananda       

 




 

Comments

Popular posts from this blog