ଅସ୍ଥାୟୀ ସୁଖ ବନାମ ବାସ୍ତବିକ ଚିରସ୍ଥାୟୀ ସୁଖ----
କିଛି ବର୍ଷ ପୂର୍ବେ ଦିନେ
ମୁଁ ଗୋଟିଏ ଭାରତୀୟ ବସରେ ଯାତ୍ରା କରୁଥିବା ସମୟରେ ମୋ ପାଖରେ ଜଣେ ଦରିଦ୍ର ଭିକାରୀ ବସିଥିଲେ |
ସଂଯୋଗବଶତଃ, ଆମେ ଦୁହେଁ ଗୋଟିଏ ଜାଗାରେ ବସରୁ ଓହ୍ଲାଇଲୁ | ତଳକୁ ଆସି ମୁଁ ଦେଖିଲି ସେହି
ବ୍ୟକ୍ତି ଜଣକ ଛୋଟେଇ ଛୋଟେଇ ଚାଲୁଛନ୍ତି | ତାଙ୍କର ସେହି ଅକ୍ଷମତାକୁ ନେଇ ମୋ ମନରେ ଟିକିଏ ଦୟା
ଜାତ ହେଲା, କିନ୍ତୁ ତାପରେ ମୁଁ ଦେଖିବାକୁ ପାଇଲି ଯେ ବ୍ୟକ୍ତି ଜଣକ ଗୋଟିଏ ପାଦରେ ଗୋଟିଏ
ହାଇ-ହିଲ୍ ଚପଲ ପିନ୍ଧିଛନ୍ତି ଏବଂ ତାଙ୍କର ଅନ୍ୟ ପାଦଟି ଖାଲି ଅଛି, ଯେଉଁଥି ପାଇଁ ସେ ଛୋଟେଇ
ଚାଲୁଛନ୍ତି | ମୁଁ ତାଙ୍କୁ ପଚାରିଲି, “ଆପଣଙ୍କର ଗୋଟିଏ ଚପଲ କେଉଁଠି ହଜି ଯାଇଛି କି ? ସେ
କହିଲେ, “ନା ସ୍ବାମୀଜୀ, ମୋର ଚପଲ ହଜିନାହିଁ, ଏହି ଗୋଟିଏ ଚପଲ ଆଜି ମୁଁ ପାଇଛି |” ଦେଖନ୍ତୁ,
କିପରି ବିଡମ୍ବନା ! ବ୍ୟକ୍ତି ଜଣଙ୍କୁ ଗୋଟିଏ ଚପଲ ମିଳିଥିଲା ଏବଂ ସେହି ଚପଲଟିକୁ ସେ ଗୋଟିଏ
ପାଦରେ ପିନ୍ଧି ନିଜ ପାଇଁ କେତେ କଷଣ ଡାକି ଆଣୁଛନ୍ତି !! ସେହିପରି, ଆମ୍ଭେମାନେ ମଧ୍ୟ ଜୀବନରେ
ଅଧିକାଂଶତଃ ଭୁଲ୍ ବା ଅନୁଚତ ପସନ୍ଦ କରି ନିଜ ପାଇଁ ଅତୁଳନୀୟ କଷ୍ଟ ଡାକି ଆଣିଥାଏ | ଆନନ୍ଦ
ଅଭିଯାନ ଶୃଂଖଳାର ଦଶମ ଦିବସରେ ଆଜି ମୁଁ ଆପଣମାନଙ୍କୁ ଗୋଟିଏ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ
ଜ୍ଞାନ-ରତ୍ନର ସନ୍ଧାନ ଦେବୀ ଯାହା ଉତ୍ତମ ବିକଳ୍ପ ଚୟନ କରିବା ଦିଗରେ ଆପଣମାନଙ୍କୁ ସକ୍ଷମ
କରାଇବ | କଠୋପନିଷଦ ଅନୁଯାୟୀ –
ଶ୍ରେୟ ଆଦଦାନସ୍ୟ ସାଧୁ
ଭବତି ହୀୟତେର୍ଥାଦ୍ୟ ଉ ପ୍ରେୟୋ ବୃଣୀତେ |
ସୁଖ ଦୁଇ ପ୍ରକାରର ଅଟେ :
ଗୋଟିଏ ଶ୍ରେୟ ଏବଂ ଅନ୍ୟଟି ପ୍ରେୟ | ପ୍ରେୟ ସୁଖ ପ୍ରାରମ୍ଭରେ ଅମୃତ ତୁଲ୍ୟ ମଧୁର, କିନ୍ତୁ ପରେ
ତାହା ବିଷରେ ପରିବର୍ତ୍ତିତ ହୋଇଯାଏ | ତା’ର ଠିକ୍ ବିପରୀତ ଶ୍ରେୟ ସୁଖ, ଯାହା ପ୍ରାରମ୍ଭରେ ବିଷ
ତୁଲ୍ୟ କଟୁ ମନେହୁଏ, କିନ୍ତୁ ପରବର୍ତ୍ତୀ ସମୟରେ
ତାହା ଅମୃତ ତୁଲ୍ୟ ମଧୁର ଅନୁଭୂତ ହୋଇଥାଏ | ଭୋଜନରେ ଅତିଶୟତା, ଚତୁର୍ଥ ଗୋଲାପ ଜାମୁ ଖାଇବା
ପରେ ପଞ୍ଚମଟି ପ୍ରତି ପ୍ରବୃତ୍ତ ହେବା – ଏସବୁ ପ୍ରେୟ ସୁଖର ଉଦାହରଣ ଅଟେ | ଏହା ଦ୍ବାରା ଆପଣ
ହୁଏତ ସାମୟିକ ଭାବରେ ଅତ୍ୟଧିକ ଇନ୍ଦ୍ରିୟ-ତୁଷ୍ଟି ଏବଂ ତଦଜନିତ ଆନନ୍ଦ ଅନୁଭବ କରିପାରନ୍ତି |
କିନ୍ତୁ ପରବର୍ତ୍ତୀ ସମୟରେ ସେହି କାରଣରୁ ଯେତେବେଳେ ଆପଣ ଉଦର ପୀଡା ଅନୁଭବ କରନ୍ତି, ଆପଣଙ୍କୁ
ଉପବାସ କରିବାକୁ ବା ପରବର୍ତ୍ତୀ ଭୋଜନ ଏଡାଇବାକୁ ପଡିଥାଏ, ଆପଣ କହନ୍ତି, ଏହା ଏକ ଭୟଙ୍କର
ଅନୁଭୂତି ଅଟେ | ଅତଏବ, ପ୍ରେୟ ସୁଖ ବର୍ତ୍ତମାନରେ ମଧୁର ହୋଇଥିଲେ ବି ତାହାର ପରିଣାମ ତିକ୍ତ
ଅଟେ | ଅନ୍ୟ ପକ୍ଷରେ, ଶ୍ରେୟ ସୁଖ ବର୍ତ୍ତମାନରେ ତିକ୍ତ ହୋଇଥାଇ ପାରେ | ଉଦାହରଣ ସ୍ବରୂପ, ଯଦି
ଜଣେ ବିଦ୍ୟାର୍ଥୀ ନିଜକୁ ଅଧ୍ୟୟନରେ ନିୟୋଜିତ ରଖିବାକୁ ଇଚ୍ଛା କରନ୍ତି, ସେଥିପାଇଁ ତାଙ୍କୁ
ନିଜର ମନକୁ କେନ୍ଦ୍ରିତ କରି ସବୁ ପ୍ରକାରର ଚିତ୍ତ ବିକ୍ଷେପ ତଥା ଇନ୍ଦ୍ରିୟ-ସୁଖରୁ ଦୂରେଇ
ରହିବାକୁ ପଡିଥାଏ | ଏହି ଅନୁଭୂତି ଗୋଟିଏ କଟୁ ଔଷଧ ଢୋକିବା ପରି ଅଟେ | କିନ୍ତୁ ପରବର୍ତ୍ତୀ
ସମୟରେ ତା’ର ପରିଣାମ ସ୍ବରୂପ ବିଦ୍ୟାର୍ଥୀ ଜଣକୁ ଯେତେବେଳେ ଗୋଟିଏ ଭଲ କଲେଜରେ ପ୍ରବେଶାଧିକାର
ମିଳିଥାଏ, ତାଙ୍କର ଭବିଷ୍ୟତ କ୍ୟାରିୟର୍ ଉଜ୍ଜଳ ହୋଇଥାଏ, ସେତେବେଳେ ତାଙ୍କୁ ସବୁ ତପସ୍ୟାର
ଅମୃତ ତୁଲ୍ୟ ମଧୁର ଫଳ ମିଳିଥାଏ | ତେଣୁ ବାଲ୍ୟାବସ୍ଥାର ଅଭିବୃଦ୍ଧି କାଳରେ ହେଉ କିମ୍ବା
ବର୍ତ୍ତମାନର ଜୀବନ ସଂଘର୍ଷରେ ହେଉ, ସର୍ବଦା ଆମ ସମ୍ମୁଖରେ ଚୟନ କରିବାକୁ ଦୁଇଟି ବିକଳ୍ପ
ରହିଥାଏ | ଇଚ୍ଛା କଲେ ଆମେ ପ୍ରେୟ ସୁଖକୁ ଚୟନ କରିବା ନଚେତ୍ ଶ୍ରେୟ ସୁଖ ଚୟନ କରିବା | ଏହି
ଚୟନକୁ ନେଇ ମାତା-ପିତା ଏବଂ ପିଲାଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥାଏ | ମାତା-ପିତା ପୂଅ
ପାଇଁ ଦୀର୍ଘକାଳୀନ ଲାଭ ଇଚ୍ଛା କରିଥାନ୍ତି, ଅଥଚ ପୂଅ ତତ୍କାଳିକ ସନ୍ତୁଷ୍ଟି ଇଚ୍ଛା କରିଥାଏ |
ସେଥିପାଇଁ ସେମାନେ ପୁଅକୁ ବୁଝାଇ କହନ୍ତି –
ବଡୋଁ କା କହା ଔର ଆମଲା
କା ଖାୟା, ବାଦ ମେଁ ପତା ଚଲତା ହୈ |
ଅଁଳା ଗୋଟିଏ ଗୋଟିଏ
ପ୍ରକାରର କୋଳିର ଭାରତୀୟ ନାମ ଅଟେ, ଯେଉଁଥିରେ ଦଶଟି କମଳା ପରିମାଣର ଭିଟାମିନ୍ ସି ରହିଛି ଏବଂ
ଯାହା ଗୋଟିଏ ଅକ୍ସୀକରଣ ରୋଧକ ମଧ୍ୟ ଅଟେ | ପ୍ରତିଦିନ ଗୋଟିଏ ଅଁଳା ଖାଇବାର ଫଳ ସ୍ବରୂପ
ଆପଣଙ୍କର କୌଣସି ଭୂତାଣୁ ବା ସଂକ୍ରାମକ ଦ୍ବାରା ଆକ୍ରାନ୍ତ ହେବାର ସମ୍ଭାବନା ପାଞ୍ଚ ପ୍ରତିଶତ
ହ୍ରାସ ପାଇଥାଏ | କିନ୍ତୁ ସେହି ବହୁ ଉପକାରୀ ଅଁଳାର ସ୍ବାଦ କଟୁ ଅଟେ | ସେଥିପାଇଁ ମା’
ଯେତେବେଳେ ତାଙ୍କର ସନ୍ତାନକୁ ଅଁଳା ଖାଇବାକୁ କହନ୍ତି, ସେମାନେ ମନା କରିଦିଅନ୍ତି | ମା’
ତାଙ୍କୁ ବୁଝାଇ ଥାଆନ୍ତି, “ଦେଖ, ଅଁଳାର ଉପକାରିତା ଏବଂ ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କର ଉପଦେଶର
ମହତ୍ତ୍ବ ପରବର୍ତ୍ତୀ ସମୟରେ ଉପଲବଧିରେ ଆସିଥାଏ | ଅଁଳା କୋଳି ସମ୍ବନ୍ଧରେ ଗୋଟିଏ ମଜା କଥା ଏହା
ଯେ ଏହାକୁ ପାଟିରେ ଦେଉ ଦେଉ କଟୁ ସ୍ବାଦ ଅନୁଭବରେ ଆସିଥାଏ ସତ, କିନ୍ତୁ ମୁଖ ଗହ୍ବରରେ ମାତ୍ର
ଦୁଇ ମିନିଟ୍ ରଖିବା ପରେ ଏହାର ସ୍ବାଦ ପରିବର୍ତ୍ତିତ ହୋଇ ଏହା ମିଠା ଲାଗେ | ଅର୍ଥାତ୍, ବିଶେଷ
ଲାଭ ପାଇବା ପାଇଁ ଏହାର ତିକ୍ତତାକୁ ମାତ୍ର ଦୁଇ ମିନିଟ୍ ବରଦାସ୍ତ କରିବାକୁ ପଡିଥାଏ | ସେତିକି
ସଂଯମରୁ ଆମେ ପଛଘୁଞ୍ଚା ଦେଇଥାଏ |
ଛୋଟ ପିଲାଙ୍କ ପରି ଆମର
ମନ ଏବଂ ଇନ୍ଦ୍ରିୟ ତତ୍କାଳିକ ସନ୍ତୁଷ୍ଟି ଇଚ୍ଛା କରିଥାଆନ୍ତି | କିନ୍ତୁ ବୁଦ୍ଧି ଦୀର୍ଘକାଳୀନ
ଉପକାରିତା ପ୍ରତି ଧ୍ୟାନ ଦେଇଥାଏ | ସେଥିପାଇଁ ଗୋଟିଏ ପକ୍ଷରେ ବୁଦ୍ଧି ଏବଂ ଅନ୍ୟ ପକ୍ଷରେ ମନ ଓ
ଇନ୍ଦ୍ରିୟ – ଏହି ଦୁଇ ପକ୍ଷ ମଧ୍ୟରେ ଅହରହ ସଂଘର୍ଷ ଲାଗି ରହିଥାଏ | ଏହି ଦୁଇଟି ବିକଳ୍ପ
ମଧ୍ୟରୁ ଆପଣ କାହାକୁ ଚୟନ କରିବେ ? ଅସ୍ଥାୟୀ ତତ୍କାଳିକ ସନ୍ତୁଷ୍ଟି ନା ଦୀର୍ଘକାଳୀନ କଲ୍ୟାଣ ?
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମ ସମ୍ମୁଖରେ ଏହି ଦୁଇଟି ବିକଳ୍ପ ରହିଥାଏ | ବାସ୍ତବରେ ସୁଖ,
ଯାହା ଆମ ପାଇଁ ଲାଭକାରୀ, ଯାହା ଆମ ପାଇଁ ଉତ୍ଥାନକାରୀ, ତାହା ଆମ ହାତ ପାହାନ୍ତାରୁ
ଉର୍ଦ୍ଧ୍ବରେ ଥାଏ | ଅର୍ଥାତ୍, ତାହାକୁ ପ୍ରାପ୍ତ କରିବା ପାଇଁ ଆମକୁ କିଛି କଷ୍ଟ ସ୍ବୀକାର
କରିବାକୁ ପଡିଥାଏ | ତେଣୁ ଭାବି-ଚିନ୍ତି ଆମେ ଉପଯୁକ୍ତ ବିକଳ୍ପର ଚୟନ କରିବା ଆବଶ୍ୟକ | ନିଜ
ବ୍ୟକ୍ତିତ୍ବରେ ଆମେ ଯଦି ଅନୁଶାସନର ମାନସିକତା ବିକଶିତ କରିପାରିବା, ତେବେ ଶ୍ରେୟ ସୁଖ ବ୍ୟତିତ
ଆମେ ଅନ୍ୟ କିଛି ଚୟନ କରିବା ନାହିଁ | ଆସନ୍ତାକାଲି ଆମେ ସେହି ଅନୁଶାସନର ମାନସିକତା ବିଷୟରେ
ଆଲୋଚନା କରିବା ଯାହା ଆମ ପାଇଁ ଆଶୀର୍ବାଦ, ଶାନ୍ତି, ଦୀର୍ଘସ୍ଥାୟୀ କଲ୍ୟାଣ, ତଥା ମହାନ୍ ସୁଖର
ବିଶାଳ ସମ୍ଭାବନାର ଦ୍ବାରା ଉନ୍ମୁକ୍ତ କରିବ |
----------xxxxx----------
Happiness
Challenge Day 10
Swami
Mukundananda
Comments
Post a Comment