ଆନ୍ତରିକ ସୁଖ ଏବଂ ଆତ୍ମବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ---
କିଏ କେତେ ଲୋକପ୍ରିୟ ହୋଇଥାଆନ୍ତୁ, ନିଜ
ପାଇଁ କେତେ ଧନ ଏକତ୍ରିତ କରିଥାଆନ୍ତୁ, କେତେ ବିଳାସରେ ଜୀବନ ଜାପାନ
କରୁଥାଆନ୍ତୁ, ଅନ୍ତରଙ୍ଗ ସ୍ତରରେ ନିଜକୁ ଉନ୍ନତ ନ କରିବା ଯାଏଁ ବାସ୍ତବିକ ସୁଖାନୁଭୂତି ସେମାନଙ୍କ ପାଇଁ
ମରୁଭୂମିର ମରୀଚିକା ତୁଲ୍ୟ ହୋଇ ରହିଥିବ | ଆଜି, ଆନନ୍ଦ ଅଭିଯାନ ଶୃଂଖଳାର ଦ୍ବାଦଶ ଦିବସରେ, ଆମେ ଆଲୋଚନା କରିବା କିପରି ଭାବରେ ଆନନ୍ଦ ପ୍ରାପ୍ତିର ଶାଶ୍ବତ ନିୟମ ଏବଂ ଆତ୍ମବିକାଶର
ମାର୍ଗ ପ୍ରତ୍ୟକ୍ଷ ରୂପରେ ପରସ୍ପର ସହସମ୍ବନ୍ଧିତ ଅଟନ୍ତି |
ଜୀବନରେ ସର୍ବଦା ଆମେ ସୁଖର କାମନା
କରିବା – ଏହି ଶିକ୍ଷା କେବେ ଆମକୁ କିଏ ଦେଇଥିଲା କି ? ବାଲ୍ୟକାଳରେ ଯେପରି ଆମକୁ ଶିକ୍ଷା ଦିଆ
ଯାଇଥାଏ – ସର୍ବଦା ସତ୍ୟ କହିବ, ମିଥ୍ୟା କହିବ ନାହିଁ, ଚୋରୀ କରିବ ନାହିଁ ଇତ୍ୟାଦି – ସେହିପରି କିଏ ଆମକୁ କେବେ କହିଛନ୍ତି କି, ସର୍ବଦା ସୁଖର କାମନା କରିବ, ଦୁଃଖର କାମନା କରିବ ନାହିଁ ? ନା, ସେପରି ଶିକ୍ଷା କେହି ଆମକୁ ଦେଇନାହାଁନ୍ତି | ସୁଖ-ପ୍ରାପ୍ତିର କାମନା ଆମ ଭିତରେ ସ୍ବତଃ
ଜନ୍ମଗତ ଭାବରେ ଉତ୍ପନ୍ନ ହୋଇଥାଏ | ତେବେ ଆମେ ସମସ୍ତେ ସ୍ବଭାବତଃ ସୁଖର ଅନ୍ବେଷଣ କାହିଁକି
କରିଥାଏ ? ଏଥିପାଇଁ ଯେ ଆମେ ସବୁ ଜୀବ ଆନନ୍ଦ ସିନ୍ଧୁ ଭଗବାନଙ୍କର କ୍ଷୁଦ୍ରାଂଶ ଅଟେ |
ପ୍ରତ୍ୟେକ ଅଂଶ ଯେହେତୁ ଗୁରୁତ୍ଵାକର୍ଷଣ ବଳରେ ନିଜ ଅଂଶୀ ପ୍ରତି ଆକର୍ଷିତ ହୋଇଥାଆନ୍ତି, ଆମ୍ଭେମାନେ ସେହିପରି ଆନନ୍ଦ-ପ୍ରାପ୍ତିର ଇଚ୍ଛା-ରୂପୀ ଗୁରୁତ୍ବାକର୍ଷଣ ବଳରେ ଆମର ଅଂଶୀ
ଆନନ୍ଦ ସିନ୍ଧୁ ଭଗବାନଙ୍କ ପ୍ରତି ଆକର୍ଷିତ ହେବା ସ୍ବାଭାବିକ | ଆନନ୍ଦ ସ୍ବରୂପ ସଚ୍ଚିଦାନନ୍ଦ
ଭଗବାନଙ୍କୁ ପ୍ରାପ୍ତ କରିବା ଦ୍ବାରା ହିଁ ଜୀବର ଆନନ୍ଦ ପ୍ରାପ୍ତିର ଇଚ୍ଛା ପୂର୍ଣ୍ଣ ହେବ | ‘ସତ’ର ତାତ୍ପର୍ଯ୍ୟ ନିତ୍ୟ, ‘ଚିତ୍’ର ତାତ୍ପର୍ଯ୍ୟ ନବାୟମାନ ଏବଂ ‘ଆନନ୍ଦ’ର ତାତ୍ପର୍ଯ୍ୟ ଅନନ୍ତ ମାତ୍ରାର ସୁଖ |
ଭୌତିକ ଇନ୍ଦ୍ରିୟ-ବିଷୟ-ସୁଖର ଲକ୍ଷଣ
କିପରି ଅଟେ ? ପ୍ରଥମତଃ, ଏହା ସୀମିତ ଅଟେ | ମନେକରନ୍ତୁ, ଏକ ବିରାଟ ଭୌତିକ ସୁଖର ସ୍ବପ୍ନକୁ
ସାକାର କରିବାକୁ ଯାଇ ଆପଣ ୪୫ ବର୍ଷ ବୟସରେ କୋଟିପତି ହୋଇଗଲେ | ଆପଣ ସୁଖୀ ହେଲେ କି ? ହଁ |
ତାପରେ ଆପଣ ଜଣେ ଅର୍ବୁଦପତିଙ୍କୁ ଭେଟିଲେ ଯାହା ପାଖରେ ଧନର ଭଣ୍ଡାର ସହିତ ନିଜସ୍ବ ବିମାନ ଥିଲା, ନିଜସ୍ବ ଜାହାଜ ଥିଲା | ତାଙ୍କୁ ଦେଖି ଆପଣ ଭାବିବେ, ଏସବୁ ପ୍ରାପ୍ତ ନ କରିବା ଯାଏଁ ମୁଁ ସୁଖୀ ହେବି କିପରି ? ତାତ୍ପର୍ଯ୍ୟ ଏହା ଯେ କେତେ
ବେଶୀ ସୁଖ ଆମେ ପ୍ରାପ୍ତ କଲେ ବି ତାହାଠାରୁ ଉଚ୍ଚତର ସୁଖ ରହିଛି, ଯାହାର କାମନା କରି ଆମେ ସର୍ବଦା ଅସନ୍ତୁଷ୍ଟ ରହିବା | ଅସୀମ ଅପରିମେୟ ଆନନ୍ଦ, ଯାହାକି ଏକମାତ୍ର ଭାଗବଦୀୟ ଆନନ୍ଦ ଅଟେ, ସେହି ଆନନ୍ଦକୁ ପ୍ରାପ୍ତ କରି ହିଁ ଆମର ଆତ୍ମା ତୃପ୍ତ ହେବ | ଦ୍ବିତୀୟତଃ, ସାଂସାରିକ ବିଷୟ-ସୁଖ ଅସ୍ଥାୟୀ ବା କ୍ଷଣିକ ଅଟେ | ଆଜି ରାତିରେ ଜଣେ ବ୍ୟକ୍ତି ରାଜକୀୟ
ସୁସ୍ବାଦୁ ଭୋଜନ ସହିତ ମଦ୍ୟପାନ କରି ଅତ୍ୟନ୍ତ ଖୁସୀ ହେଲେ | କିନ୍ତୁ ପରଦିନ ସକାଳେ ମଦ୍ୟପାନର
ଦୁଷ୍ପରିଣାମ ସ୍ବରୂପ ତାଙ୍କୁ ଭୀଷଣ ମୁଣ୍ଡବ୍ୟଥା ଅନୁଭବରେ ଆସିଲା | ରାତିର ସୁଖ ସକାଳକୁ ରହିଲା
ନାହିଁ | ଏହିପରି ଯେଉଁ ସୁଖ ଆସେ ଏବଂ ଜାଏ, ତାହା ସର୍ବଦା ଆମକୁ
ଅସନ୍ତୁଷ୍ଟ ରଖିବ | ତୃତୀୟତଃ, ସାଂସାରିକ ସୁଖ ନିରନ୍ତର ହ୍ରାସ
ପାଇବାରେ ଲାଗିଥାଏ | ଆପଣଙ୍କ ସହରର ସିନେମା ହଲରେ ଆଜି ଗୋଟିଏ ନୂଆ ହିନ୍ଦୀ ଚଳଚିତ୍ରର ବିମୋଚନ
ହେଲା | ତାହାକୁ ଦେଖି ଆପଣ ବହୁତ ଖୁସୀ ହେଲେ | ପରଦିନ ଆପଣଙ୍କର ବନ୍ଧୁ ଆସି କହିଲେ, “ମୁଁ ଶୁଣିବାକୁ ପାଇଲି ତୁମ ଘର ପାଖ ସିନେମା ହଲରେ ଗୋଟିଏ ନୂଆ ଚଳଚିତ୍ର ଚାଲିଛି | ଚାଲ, ଦେଖିବାକୁ ଯିବା |” ଆପଣ ଭାବିଲେ, “ହେ ଭଗବାନ ! ସେହି ଚଳଚିତ୍ରକୁ ଆଉ
ଠାରେ ଦେଖିବି ?” କିନ୍ତୁ କ’ଣ କରିବେ, ବନ୍ଧୁଙ୍କର ଅନୁରୋଧକୁ ଏଡାଇ ନ ପାରି ଆପଣ ପୁନର୍ବାର ସେହି ସିନେମାଟିକୁ ଦେଖିବାକୁ ଗଲେ |
ଏଥର ଆପଣଙ୍କୁ ପୂର୍ବ ଅପେକ୍ଷା କମ୍ ଆନନ୍ଦ ମିଳିଲା | କିଛି ଦିନ ପରେ ଆପଣଙ୍କର ଜଣେ ସମ୍ପର୍କୀୟ
ଅନ୍ୟ ସହରରୁ ଆସି ଆପଣଙ୍କ ଘରେ ପହଞ୍ଚିଲେ ଏବଂ ସେ ଆପଣଙ୍କୁ ତାଙ୍କ ସହ ସିନେମା ଦେଖି ଯିବାକୁ
ବାଧ୍ୟ କଲେ | ଆପଣ କହିଲେ, “କ୍ଷମା କରନ୍ତୁ, ଆପଣ ମୋତେ ଅନ୍ୟ କିଛି ଦଣ୍ଡ ଦେବାକୁ
ଥିଲେ, ଦେଇପାରନ୍ତି | କିନ୍ତୁ ଦୟାକରି ତୃତୀୟ ଥର ପାଇଁ ସେହି ଗୋଟିଏ ସିନେମା ଦେଖିବାକୁ ମୋତେ
ବାଧ୍ୟ କରନ୍ତୁ ନାହିଁ |” ଦେଖନ୍ତୁ, ଆନନ୍ଦ କିପରି କ୍ରମଶଃ ହ୍ରାସ ପାଇ ଶେଷରେ ସମାପ୍ତ ହୋଇଗଲା
| ଅତଏବ, ଭୌତିକ ଇନ୍ଦ୍ରିୟ-ବିଷୟରୁ ପ୍ରାପ୍ତ ହେଉଥିବା ଆନନ୍ଦରେ ଏହି ତିନୋଟି ସମସ୍ୟା ରହିଛି |
ସେଥିପାଇଁ ବେଦ କହେ, ଭଗବଦୀୟ ନିତ୍ୟ-ନବାୟମାନ, ଅସୀମ ଦିବ୍ୟାନନ୍ଦକୁ ପ୍ରାପ୍ତ କରିବା
ଦ୍ବାରା ହିଁ ତୁମର ଆତ୍ମା ତୃପ୍ତ ହୋଇପାରିବ | ସୁତରାଂ, ସୁଖୀ ହେବାର ଏକମାତ୍ର ଉପାୟ ହେଉଛି
ଭଗବାନଙ୍କର ସମୀପସ୍ଥ ହେବା | କିନ୍ତୁ ଦୁଃଖର କଥା, ଅଧିକାଂଶ ବ୍ୟକ୍ତି ଏହି ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ସୂତ୍ରଟି ପ୍ରତି ଧ୍ୟାନ ଦେଇ ନ
ଥାନ୍ତି |
ଜୀବନରେ ଆପଣ ନିଜର ଆତ୍ମବିକାଶକୁ
ଅଗ୍ରାଧିକାର ଦେଇଥାଆନ୍ତି କି ? ବର୍ଷକରେ କେତେ ଘଣ୍ଟା ଆପଣ ଭଲ ମଣିଷଟିଏ ହେବା ଦିଗରେ ଖର୍ଚ୍ଚ
କରନ୍ତି ? ଜୀବନରେ ଆମେ ଏହାକୁ ଏକ ନମ୍ବର୍ ପ୍ରାଥମିକତା ଦେବା ଆବଶ୍ୟକ | ତାପରେ ଆମେ ଦେଖିବା,
ସୁଖ ଆସି ଆମ ଦ୍ବାରଦେଶରେ କରାଘାତ କରୁଛି | ଏତଦ୍ ବ୍ୟତିତ, ଭଲ ମଣିଷଟିଏ ହେବାକୁ ଜୀବନର ଲକ୍ଷ୍ୟ
ଭାବରେ ଗ୍ରହଣ କରିବା ପରେ ଆମେ ଦେଖିବା, ବାହ୍ୟ ସଫଳତା ସ୍ବତଃ ଆମର ପଦାଙ୍କ
ଅନୁସରଣ କରୁଛି | ଏଠାରେ ଆପଣମାନେ ପ୍ରଶ୍ନ କରିପାରନ୍ତି, “ସ୍ବାମୀଜୀ ! ତାହାହେଲେ କ’ଣ ଆମେ ବାହ୍ୟ ସଫଳତା ପ୍ରତି ଅବହେଳା
ପ୍ରଦର୍ଶନ କରିବା ଆବଶ୍ୟକ ? ନା, ତାହାର ଅନୁଗମନ କରନ୍ତୁ କାରଣ ଭିତରୁ
ଉନ୍ନତ ହେବା ପାଇଁ ତାହା ଆପଣଙ୍କୁ ବାଧ୍ୟ କରିବ | କିନ୍ତୁ ମନେରଖନ୍ତୁ, ଆଭ୍ୟନ୍ତରୀଣ ଉନ୍ନତି ବିନା ବହିରଙ୍ଗ ବିକାଶ ମୂଲ୍ୟହୀନ ଅଟେ | ସେଥିପାଇଁ
ଅନ୍ତର୍ନିରୀକ୍ଷଣ କରି ତଉଲି ଦେଖନ୍ତୁ, ବାହ୍ୟ ସଫଳତା ଉଦ୍ଦେଶ୍ୟରେ ଆପଣ କେତେ ବେଶୀ ପ୍ରଯତ୍ନ
କରୁଛନ୍ତି ଏବଂ ଆତ୍ମବିକାଶ ନିମନ୍ତେ ଆପଣଙ୍କର ପ୍ରୟାସ କେତେ | ତାପରେ ସଂକଳ୍ପ କରନ୍ତୁ, ଜୀବନରେ ଆତ୍ମବିକାଶକୁ ଆପଣ ଅଧିକ
ପ୍ରାଧାନ୍ୟ ଦେବେ |
-----------xxxxx----------
Happiness
Challenge Day 12
Swami
Mukundananda
Radhey Radhey.
ReplyDelete