ଶ୍ରେଷ୍ଠ କର୍ମ କରି ପ୍ରସନ୍ନ ରହିବା---
ଜଣେ ବୃଦ୍ଧା ମହିଳା ଘରେ ଏକାକୀ ଥିବା
ବେଳେ କେହି ଜଣେ ତାଙ୍କ କବାଟର ଘଣ୍ଟି ବଜାଇଲେ | କବାଟ ଖୋଲି ବୃଦ୍ଧା ଦେଖିଲେ ବାହାରେ ଛୋଟ
ଝିଅଟିଏ ଠିଆ ହୋଇଛି | ଝିଅଟିର ମୁହଁ ପ୍ରସନ୍ନତାରେ ଉଜ୍ଜଳ ଦେଖାଯାଉଛି | ବୃଦ୍ଧା ତାକୁ
ପଚାରିଲେ, “କ’ଣ ଦରକାର ?” ଅତି ବିନୀତ ଭାବରେ ଝିଅଟି ଉତ୍ତର ଦେଲା, “ମାଉସୀ ! ଏହି ଅଞ୍ଚଳରେ ତିରିଶ କୋଟି ଖର୍ଚ୍ଚ ଅଟକଳ ରଖି ଆମେ ଗୋଟିଏ ହସପିଟାଲ୍ ନିର୍ମାଣ
କରିବାକୁ ଯାଉଛୁ | ସେହି ପ୍ରକଳ୍ପ ନିମନ୍ତେ ଅର୍ଥ ସଂଗ୍ରହ କରିବା ପାଇଁ ମୁଁ ଏହି ପେନସିଲ୍
ବିକ୍ରୀ କରୁଛି | ପ୍ରତି ପେନସିଲର ମୂଲ୍ୟ ମାତ୍ର ଏକ ଟଙ୍କା | ଆପଣ ମୋ ଠାରୁ କେତୋଟି ପେନସିଲ୍
କିଣିବେ କି ? ଈଷତ୍ ହସି ବୃଦ୍ଧା ଜଣକ କହିଲେ, “ତିରିଶ କୋଟିର ବିରାଟ
ପ୍ରକଳ୍ପ ପାଇଁ ତୁମେ ଏହି ଟଙ୍କିକିଆ ପେନସିଲ୍ ବିକ୍ରୀ କରୁଛ ? ଏହା ଦ୍ବାରା ତୁମେ କେତେ ଅର୍ଥ
ସଂଗ୍ରହ କରିପାରିବ ?” ଝିଅଟି କହିଲା, “ନା, ମାଉସୀ ! ଏହି ପ୍ରକଳ୍ପରେ ମୁଁ ଏକୁଟିଆ କାମ କରୁନାହିଁ | ରାସ୍ତାର ଅପର ପାର୍ଶ୍ବରେ ଆପଣ
ଯେଉଁ ପୁଅତିକୁ ଦେଖୁଛନ୍ତି, ସେ ମଧ୍ୟ ଏଥିପାଇଁ ପେନସିଲ୍ ବିକ୍ରୀ
କରୁଛି | ଆମେ ସବୁ ଏକାଠି ମିଶି ପ୍ରକଳ୍ପଟି ପାଇଁ ଅର୍ଥ ସଂଗ୍ରହ କରୁଛୁ |” ଏହା ଗୋଟିଏ
ଅତ୍ୟନ୍ତ ହୃଦୟସ୍ପର୍ଶୀ କଥା ନୁହେଁ କି ? ଛୋଟ ଝିଅଟି କିଛି ମହତ୍ତ୍ବପୂର୍ଣ୍ଣ ଏବଂ ହିତକାରୀ
କାର୍ଯ୍ୟ କରି ନିଜ ପାଇଁ ସୁଖ ଏବଂ ସନ୍ତୋଷ ଏକତ୍ରିତ କରୁଛି | ଗତ କାଲି ଆମେ ଆଲୋଚନା କରିଥିଲେ
କିପରି ଭାବରେ ନିଜକୁ ଉନ୍ନତ କରିବା ଦ୍ବାରା ଆମେ ସୁଖୀ ହୋଇଥାଏ | ଆନନ୍ଦ ଅଭିଯାନ ଶୃଂଖଳାର
ଚତୁର୍ଦ୍ଦଶ ଦିବସରେ ଆଜି ଆମେ ଆଲୋଚନା କରିବା ଉତ୍ତମ ବା ଶ୍ରେଷ୍ଠ କର୍ମ କରି ଆମେ କିପରି ସୁଖୀ ହେବା
|
କିଛି ଉପାଦେୟ ଏବଂ ଅର୍ଥପୂର୍ଣ୍ଣ କର୍ମ
କରିବାର ତୃଷ୍ଣା ଆମ ସମସ୍ତଙ୍କ ଭିତରେ ରହିଛି | ଗୋଟିଏ କାଠୁରିଆ ଥିଲା, ଯିଏ ମୁଣ୍ଡଫଟା ଖରାରେ ଗଛ କାଟିବା ପରି କଠିନ ପରିଶ୍ରମ କରି ନିଜର ଗୁଜୁରାଣ ମେଣ୍ଟାଉ
ଥିଲା | ଦିନେ ଜଣେ ମନସ୍ତତ୍ତ୍ବବିତ୍ ଗୋଟିଏ ପରୀକ୍ଷଣ କରିବା ଉଦ୍ଦେଶ୍ୟରେ ସେହି କାଠୁରିଆକୁ
କହିଲେ, “ତୁମେ ଦୈନିକ ଯେତିକି ଆୟ କରୁଅଛ, ତାହାର ଦୁଇ ଗୁଣ ବେତନ ଦେଇ ମୁଁ ତୁମକୁ
ନିଜ କାଠ ଫାର୍ମରେ ଗୋଟିଏ ଚାକିରୀ ଦେବାକୁ ଇଚ୍ଛା କରୁଛି |” କାଠୁରିଆଟି ତାଙ୍କ ପ୍ରସ୍ତାବରେ
ରାଜି ହୋଇଗଲା | ତାପରେ ମନସ୍ତତ୍ତ୍ବବିତ୍ ଜଣକ ତାକୁ ତା’ର କାମ ବୁଝାଇବାକୁ ଯାଇ କହିଲେ, “ଦେଖ, ତୁମେ କୁରାଢିରେ ଗଛକୁ ପ୍ରହାର କରିବ | କିନ୍ତୁ କୁରାଢିର ତୀକ୍ଷ୍ଣ ପାର୍ଶ୍ବରେ ପ୍ରହାର ନ
କରି ତା’ର ପଛ ଗୋଲାକାର ପାର୍ଶ୍ବରେ ପ୍ରହାର କରିବ |” କାଠୁରିଆଟି ଆଶ୍ଚର୍ଯ୍ୟ ହୋଇ କହିଲା, “ସେପରି କଲେ ତ ଗଛଟି କେବେ ବି କଟିବ ନାହିଁ !” ମନସ୍ତତ୍ତ୍ବବିତ୍ ଜଣକ କହିଲେ, “ସେଥିରେ ତୁମେ ମୁଣ୍ଡ ଖେଳାଅ ନାହିଁ | ଜାହାହେଲେ ବି ତୁମେ ଠିକ୍ ସମୟରେ ତୁମର ଦରମା
ପାଇବ |” ତାହା ଶୁଣି କାଠୁରିଆ କହିଲା, “ଠିକ୍ ଅଛି |” ଦିନ ଦିନ ଧରି ସେ
କୁରାଢିର ଗୋଲାକାର ପାର୍ଶ୍ବରେ ବୃକ୍ଷ ଉପରେ ପ୍ରହାର କରି ଚାଲିଲା | ମାତ୍ର ତିନି ଦିନରେ ସେ
ମନସ୍ତତ୍ତ୍ବବିତଙ୍କ ଆଗରେ କୁରାଢିଟିକୁ ରଖିଦେଇ କହିଲା, “ଆଜ୍ଞା, ମୁଁ ଏପରି କାମ କରିପାରିବି ନାହିଁ | ଆପଣଙ୍କ ଚାକିରୀରୁ ମୁଁ ଇସ୍ତଫା ଦେଉଛି |”
ମନସ୍ତତ୍ତ୍ବବିତ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କାହିଁକି ? କ’ଣ ଅସୁବିଧା ହେଲା ? ମୁଁ ତୁମକୁ ଦୁଇ ଗୁଣ ଦରମା ଦେବି | ସେତିକି ତୁମ ପାଇଁ ଯଥେଷ୍ଟ ନୁହେଁ
କି ?” କାଠୁରିଆ କହିଲା, “ନାହିଁ ଆଜ୍ଞା, ସେକଥା ନୁହେଁ | କୁରାଢିରେ ବୃକ୍ଷକୁ ପ୍ରହାର କରିବା ଫଳରେ ଯେଉଁ କାଠଖଣ୍ଡ ଏଣେତେଣେ
ବିଛାଡି ପଡିଥାଆନ୍ତା, ସେହି ଦୃଶ୍ୟ ମୋର ନଜରକୁ ଆସୁନାହିଁ | ଫାଲତୁରେ ବୃକ୍ଷକୁ ପ୍ରହାର କରିବାରେ ମୋର ମନ
ଲାଗୁନାହିଁ |” ସେହିପରି, ଆମ୍ଭେମାନେ ମଧ୍ୟ ନିଜ କର୍ମର କିଛି ଦୃଶ୍ୟମାନ ପରିଣାମ ଆଶା କରିଥାଏ – ଆମର ପ୍ରତ୍ୟେକ
ପ୍ରୟାସ କିଛି ପରିବର୍ତ୍ତନ ସୃଷ୍ଟି କରୁ | ସୃଷ୍ଟିର ସଂରଚନା ଏପରି ଭାବରେ କରାଯାଇଛି ଯେ ଗୋଟିଏ
ବୃକ୍ଷର କୌଣସି ଦୁଇଟି ପତ୍ର ଏକାପରି ନୁହଁନ୍ତି | ସେହିପରି, କୌଣସି ଦୁଇ ଜଣ ବ୍ୟକ୍ତିଙ୍କର ଶାରୀରିକ ସଂଘଟନ ପୂରାପୁରି ସମାନ ନୁହେଁ | ଆମ ସମସ୍ତଙ୍କର
ସ୍ବଭାବ ଏବଂ ପ୍ରତିଭା ଭିନ୍ନ ଭିନ୍ନ ଅଟେ |
ନିଜ ଅନ୍ତର୍ନିହିତ ପ୍ରତିଭା ଏବଂ
ଦକ୍ଷତାର ପରିପ୍ରକାଶ ନିମନ୍ତେ ପ୍ରୟାସ କରନ୍ତୁ | ବଣମଲ୍ଲୀ ବଣରେ ଫୁଟି ବଣରେ ଝଡିଯିବା ପରି
ନିଜର ପ୍ରତିଭାକୁ ପ୍ରକାଶିତ ହେବା ପୂର୍ବରୁ ନିଃଶେଷ ହେବାକୁ ଦିଅନ୍ତୁ ନାହିଁ | ପ୍ରଖ୍ୟାତ
ଶିଳ୍ପୀ ମିସେଲ୍ ଆଞ୍ଜେଲୋଙ୍କ ବିଷୟରେ ଆପଣମାନେ ଜାଣିଥିବେ | ଶିଳ୍ପକଳା ଜଗତରେ ସେ ଏଗାରଟି
ବିଶେଷ କୃତିର ସର୍ଜନା କରିଥିଲେ | କିନ୍ତୁ ଯେହେତୁ ସେ ୪୪ ବର୍ଷ ବୟସରେ କାମ କରିବାକୁ ଆରମ୍ଭ
କରିଥିଲେ, ମୃତ୍ୟୁ ପୂର୍ବରୁ ନିଜର ଶେଷ କୃତିଟିକୁ ସମ୍ପୂର୍ଣ୍ଣ କରି ପାରିଲେ ନାହିଁ | ଅତଏବ, ନିଜର ଅନ୍ତର୍ନିହିତ ପ୍ରତିଭାକୁ ଭିତରେ ଭିତରେ ମାରିବାକୁ ଦିଅନ୍ତୁ ନାହିଁ | ଭଗବାନ
ଆମ୍ଭମାନଙ୍କୁ ନିଜ ନିଜର ଅନନ୍ୟ ପ୍ରତିଭା ଏବଂ ଯୋଗ୍ୟତାରେ ଅନୁଗୃହୀତ କରିଛନ୍ତି | ଆମେ ତାହାର
ସଦୁପଯୋଗ କରିବା ଆବଶ୍ୟକ | ଆମେ ଯେତେବେଳେ ଯଥା ସମ୍ଭବ ଶ୍ରେଷ୍ଠ କାର୍ଯ୍ୟ କରିବାକୁ ଆରମ୍ଭ
କରିବା ଏବଂ ଗତକାଲିର ଆଲୋଚନା ପ୍ରକାରେ ଯଥା ସମ୍ଭବ ଶ୍ରେଷ୍ଠ ହେବାରେ ଲାଗିବା, ଆମେ ହୃଦୟଙ୍ଗମ କରିବା ଯେ ସ୍ବାଭାବିକ ଭାବରେ ଆମେ ନିଜ ଭିତରେ ପ୍ରସନ୍ନତା ଅନୁଭବ କରୁଅଛେ
| ଏହା ହିଁ ସୁଖର ବାସ୍ତବ ରହସ୍ୟ |
ଗତ ଚଉଦ ଦିନ ଧରି ଆମେ ଯାହା ଆଲୋଚନା
କଲେ, ତାହା ଆନନ୍ଦ ପ୍ରାପ୍ତିର ସିଦ୍ଧାନ୍ତ ଅଟେ | ଏହାପରେ ଆମେ ଆଲୋଚନା କରିବା ସେହି
ସିଦ୍ଧାନ୍ତକୁ ବ୍ୟବହାରିକ ସ୍ତରରେ କ୍ରିୟାନ୍ବିତ କରି ଆମେ କିପରି ଜୀବନରେ ସେହି ସ୍ଥିତିକୁ
ପ୍ରାପ୍ତ କରିବା | ଆଜି ପାଇଁ ଆମ୍ଭେମାନେ ଚିନ୍ତା କରିବା କେଉଁ କେଉଁ ପ୍ରତିଭା ବା ଯୋଗ୍ୟତାରେ
ଆମେ ସମ୍ପନ୍ନ ଅଟେ ଏବଂ ତାହାର ଗୁଣବତ୍ତା ବୃଦ୍ଧି କରି ସର୍ବୋତ୍ତମ ଉପାୟରେ ଆମେ କିପରି ଭାବରେ
ଅନ୍ୟମାନଙ୍କର କଲ୍ୟାଣାର୍ଥେ ବା ହରି-ଗୁରୁଙ୍କର ସେବାରଥେ ତାହାର ସଦୁପଯୋଗ କରିପାରିବା |
-------------xxxxx-----------
Happiness
Challenge Day 14
Swami
Mukundananda
Comments
Post a Comment