ପ୍ରେରଣା ଏବଂ ଉତ୍ସାହର ଶକ୍ତି ---

ଏପରି କୁହାଯାଏ ଯେ ଜୀବନର ଦୈର୍ଘ୍ୟର ଆକଳନ ଆମେ ଗ୍ରହଣ କରୁଥିବା ଶ୍ବାସର ସଂଖ୍ୟାରୁ କରାଯାଏ ନାହିଁ, ବରଂ ଜୀବନର ଯେତେ ଗୁଡିଏ ମୁହୂର୍ତ୍ତ ଭାବାବେଗରେ ଆମର ଶ୍ବାସରୁଦ୍ଧ ହୋଇଯାଏ, ତାହାର ସଂଖ୍ୟା ହିଁ ଆମ ଜୀବନକାଳର ବାସ୍ତବ ପରିମାପ ଅଟେ | ସେପରି ଚମତ୍କାର ଏବଂ ସର୍ବତୋ ଭାବରେ ସମୃଦ୍ଧ ମୁହୂର୍ତ୍ତ ଆମ ଜୀବନରେ କିପରି ଆସିଥାଏ ? ତାହାର ଉପାଦାନ ପ୍ରେରଣା ଅଟେ | ପ୍ରେରଣା ସେହି ଇନ୍ଧନ ଅଟେ ଯାହା ଆମ ଭିତରେ ଉର୍ଜା ଉତ୍ପନ୍ନ କରିଥାଏ | ପ୍ରେରଣା ଆମକୁ ଶକ୍ତି ଯୋଗାଇ ଥାଏ ଯଦ୍ବାର ଆମେ ନିଜର ସର୍ବୋତ୍ତମ ଯୋଗ୍ୟତା ଏବଂ ପ୍ରତିଭାର ପରିପ୍ରକାଶ ନିଜ କାର୍ଯ୍ୟକ୍ଷେତ୍ରରେ କରିବାକୁ ସକ୍ଷମ ହୋଇଥାଏ | ଆନନ୍ଦ ଅଭିଯାନ ଶୃଂଖଳାର ପଞ୍ଚଦଶ ଦିବସରେ ଆଜି ଆମେ ଗୋଟିଏ ଅନୁପ୍ରେରିତ ଜୀବନର ରହସ୍ୟ ବିଷୟରେ ଆଲୋଚନା କରିବା |

ବିଦ୍ୟାଳୟର ଗ୍ରୀଷ୍ମ ଅବକାଶରେ ଜଣେ ଛାତ୍ର ନିକଟସ୍ଥ ଏକ ମଲରେ ଅଂଶକାଳିକ ଚାକିରୀଟିଏ ପାଇଁ ଆବେଦନ କଲେ | ସାକ୍ଷାତକାର ପାଇଁ ତାଙ୍କୁ ଡାକରା ଆସିଲା | କିନ୍ତୁ ନିର୍ଦ୍ଦିଷ୍ଟ ତାରିଖରେ ସାକ୍ଷାତକାର ଦେବାକୁ ଯାଇ ସେ ଦେଖିଲେ ଆବେଦନକାରୀଙ୍କ ଧାଡ଼ିରେ ତାଙ୍କର ସ୍ଥାନ ୨୧ ନମ୍ବରରେ | ଚାକିରୀଟି ପାଇବା ପାଇଁ ସେ ବହୁତ ଉତ୍ସୁକ ଥିଲେ | ଏତେ ଜଣଙ୍କ ପରେ ସାକ୍ଷାତକାର ଦେବାକୁ ଗଲେ ହୁଏତ ତାଙ୍କୁ ଚାକିରୀଟି ମିଳି ନ ପାରେ, ଏହା ଭାବି ସେ ଗୋଟିଏ ଛୋଟ କାଗଜରେ କିଛି ଲେଖି ଚିଠାଟିକୁ ରିସେପ୍ସନିଷ୍ଟଙ୍କୁ ଦେଇ କହିଲେ, “ଦୟାକରି ଏହି ଚିଠାଟିକୁ ଭିତରେ ବସିଥିବା ମ୍ୟାନେଜରଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ |” ଚିଠାଟିକୁ ପଢି ମ୍ୟାନେଜର ଅନୁଭବ କଲେ ଯେ ଚାକିରୀଟି ପାଇବା ପାଇଁ ଇଏ ହିଁ ଯୋଗ୍ୟ ପ୍ରାର୍ଥୀ ଅଟନ୍ତି | ଚିଠାରେ ଛାତ୍ର ଜଣକ ଲେଖିଥିଲେ, “ସାର୍ ! ଚାକିରୀ ପାଇଁ ଆବେଦନକାରୀ ମାନଙ୍କର ଧାଡିରେ ମୁଁ ୨୧ତମ ପ୍ରାର୍ଥୀ ଅଟେ | ଦୟାକରି ମୋ ସହିତ ସାକ୍ଷାତକାର ନ ହେବା ଯାଏଁ କୌଣସି ନିଷ୍ପତ୍ତି ଗ୍ରହଣ କରନ୍ତୁ ନାହିଁ |” ସେହି କେତୋଟି ଶବ୍ଦରେ ଛାତ୍ରଟି ନିଜର ଉତ୍ସାହ ବ୍ୟକ୍ତ କରିଥିଲା |

ଉତ୍ସାହ ଏବଂ ପ୍ରେରଣା ଆମ ବ୍ୟକ୍ତିତ୍ବର ସେହି ଉପାଦାନ ଅଟନ୍ତି ଯାହା ଆମର ଅନ୍ତର୍ନିହିତ ଶ୍ରେଷ୍ଠତ୍ବର ପରିପ୍ରକାଶ ନିମନ୍ତେ ଶକ୍ତି ଯୋଗାଇ ଥାଏ | ଅଭିପ୍ରେରଣାର ଗୁଣରେ ବିଭୂଷିତ ହୋଇପାରିଲେ, ବିଶ୍ବବିଖ୍ୟାତ ହୋଣ୍ଡା ଅଟୋମୋବାଇଲ ସାମ୍ରାଜ୍ୟର ପ୍ରତିଷ୍ଠାତା ସୋଚିରୋ ହୋଣ୍ଡାଙ୍କ ପରି ଆମର ଗତି ମଧ୍ୟ ଅବାଧ ହୋଇଯିବ | କୌଣସି ସମ୍ଭ୍ରାନ୍ତ ପରିବାରର ଶିଶୁମାନଙ୍କ ପରି ହୋଣ୍ଡା ନିଜ ମୁହଁରେ ସୁନା ଚାମଚ ଧରି ଜନ୍ମ ଗ୍ରହଣ କରି ନ ଥିଲେ | ସେ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିଲେ | ଇଂଜିନିୟରିଂ ସ୍କୁଲରେ ପାଠ ପଢୁଥିବା ବେଳେ ସେ ପିଷ୍ଟନ୍ ରିଂଗର ଗୋଟିଏ ନୂତନ ରୂପରେଖ ପ୍ରସ୍ତୁତ କରି ଅନୁମୋଦନ ପାଇଁ ଟୋୟଟା ନିଗମ ସମ୍ମୁଖରେ ଉପସ୍ଥାପିତ କରିଥିଲେ | ଟୋୟଟା ନିଗମ ତାଙ୍କର ସେହି ନୂଆ ଡିଜାଇନକୁ ଅନୁମୋଦନ କଲା ଏବଂ ହୋଣ୍ଡାଙ୍କୁ ନିଜର କାରଖାନା ନିର୍ମାଣ କରି ତହିଁରେ ବହୁଳ ପରିମାଣରେ ପିଷ୍ଟନ୍ ରିଂଗ୍ ପ୍ରସ୍ତୁତ କରିବା ପାଇଁ ପୁଞ୍ଜି ମଧ୍ୟ ଯୋଗାଇ ଦେଲା | କିନ୍ତୁ କାରଖାନାର ନିର୍ମାଣ କାର୍ଯ୍ୟ ପ୍ରାୟ ସମାପ୍ତ ହୋଇ ଆସୁଥିବା ବେଳେ ହଠାତ୍ ଜାପାନରେ ଏକ ଭୂମିକମ୍ପ ଆସିଲା ଏବଂ କାରଖାନାଟି ଧୂଳିସାତ୍ ହୋଇଗଲା | ନିରୁତ୍ସାହିତ ନ ହୋଇ ହୋଣ୍ଡା ତାହାକୁ ପୁନର୍ବାର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯେତେବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଗଲା, ଯେଉଁଥିରେ ଜାପାନ ମଧ୍ୟ ଜର୍ମାନୀ ପକ୍ଷରୁ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବରେ ଯୋଗ ଦେଇଥିଲା | ଦେଶରେ ସେହି ସମୟରେ ସିମେଣ୍ଟର ଘୋର ଅଭାବ | କିନ୍ତୁ ନିଜର ଉତ୍ସାହ ବଳରେ ସିମେଣ୍ଟ ପ୍ରସ୍ତୁତ କରିବାର ଏକ ନୂତନ କୌଶଳ ଆବିଷ୍କାର କରି ହୋଣ୍ଡା ତାଙ୍କ କାରଖାନାର ପୁନଃନିର୍ମାଣ କରି ଚାଲିଲେ | ଯୁଦ୍ଧର ଭୟାବହତା ଦିନକୁ ଦିନ ବୃଦ୍ଧି ଲାଭ କରିବାରେ ଲାଗିଥାଏ | ଜର୍ମାନୀ ଏବଂ ତାହାର ସହଯୋଗୀ ରାଷ୍ଟ୍ରମାନଙ୍କ ବିପକ୍ଷରେ ଆମେରିକା ସେତେବେଳକୁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇ ଆସିଲାଣି | ହଠାତ୍ ଦିନେ ଆମେରିକା ଜାପାନ ଉପରେ ବୋମା ବର୍ଷଣ କରିଦେଲା ଏବଂ ସେଥିରେ ହୋଣ୍ଡାଙ୍କର କାରଖାନା ଧ୍ବଂସ ହୋଇଗଲା | ତା ସତ୍ତ୍ବେ ବି ହୋଣ୍ଡା ନିରାଶ ହେଲେ ନାହିଁ | ବୋମା ବର୍ଷଣକାରୀ ଜାହାଜମାନେ ଗ୍ୟାସ୍ ବ୍ୟବହାର କରି ଯେଉଁସବୁ ଗ୍ୟସୋଲିନ ଟ୍ୟାଙ୍କକୁ ଏଣେତେଣେ ଫିଙ୍ଗି ଦେଉଥିଲେ, ତାହାକୁ ବ୍ୟବହାର କରି ହୋଣ୍ଡା ତାଙ୍କର କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ | କାରଖାନା ପ୍ରସ୍ତୁତ ହୋଇ ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବା ବେଳେ ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ଘଟିଲା ଏବଂ ଜାପାନ ତାହାର ସହଯୋଗୀ ରାଷ୍ଟ୍ରମାନଙ୍କ ସହିତ ଯୁଦ୍ଧରେ ହାରିଗଲା | ଦେଶରେ ତୈଳ ସଂକଟ ଦେଖାଦେଲା | ଗାଡି ଚଳାଇବାକୁ ଲୋକଙ୍କ ପାଖରେ ତେଲ ନାହିଁ, ସେପରି ସ୍ଥିତିରେ ଟୋୟଟା ନିଗମ ଭଲା ତାଙ୍କ ଠାରୁ ପିଷ୍ଟନ୍ ରିଂଗ୍ କ୍ରୟ କରନ୍ତା କାହିଁକି |

ହୋଣ୍ଡା ନିଜର ସାଇକେଲ୍ ଚଳାଇ ଯିବା-ଆସିବା କରୁଥାଆନ୍ତି | ହଠାତ୍ ଦିନେ ତାଙ୍କ ମସ୍ତିଷ୍କରେ ଏକ ଖିଆଲ ଆସିଲା, ଏଥିରେ ମୋଟୋରଟିଏ ଖଞ୍ଜିଦେଲେ ଆଉ ପ୍ୟାଡଲ୍ ମାରିବାକୁ ପଡନ୍ତା ନାହିଁ | ପରଦିନ ସେ ନିଜ ସାଇକେଲରେ ମୋଟୋର ଖଞ୍ଜି ଚଳାଇବାରେ ଲାଗିଲେ | ତାହା ତାଙ୍କର ପଡୋଶୀମାନଙ୍କୁ ଖୁବ୍ ବେଶୀ ଆମୋଦିତ କରିଥିଲା ଏବଂ ସେମାନେ ହୋଣ୍ଡାଙ୍କୁ ଅନୁରୋଧ କରିଥିଲେ ସେମାନଙ୍କ ପାଇଁ ମଧ୍ୟ ସେହିପରି ଗୋଟିଏ ଗୋଟିଏ ମୋଟୋର୍ ଚାଳିତ ସାଇକେଲ୍ ନିର୍ମାଣ କରନ୍ତୁ | ପାଖ-ପଡିଶା ଲୋକଙ୍କ ପାଇଁ ୧୫-୨୦ ଟି ସାଇକେଲ୍ ତିଆରି କରିବା ପରେ ହୋଣ୍ଡା ଭାବିଲେ, ବ୍ୟାପକ ସ୍ତରରେ ଏହାର ମାର୍କେଟିଂ ମଧ୍ୟ କରାଯାଇ ପାରନ୍ତା | ସେହି ଚିନ୍ତାଧାରାକୁ ନେଇ ସେ ଜାପାନର ସମୁଦାୟ ୮୦୦୦ ସାଇକେଲ୍ ବ୍ୟାପାରୀଙ୍କର ଠିକଣା ସଂଗ୍ରହ କଲେ ଏବଂ ତନ୍ମଧ୍ୟରୁ ୫୦୦୦ ବ୍ୟାପାରୀଙ୍କୁ ନିଜ ହାତରେ ଚିଠି ଲେଖି ସାଇକେଲର ଅର୍ଡର୍ ସହିତ ଋଣ ଆକାରରେ କିଛି ଆର୍ଥିକ ସହାୟତା ମଧ୍ୟ ଯାଚନା କଲେ | ପ୍ରାୟ ୧୮୦୦ ସାଇକେଲ୍ ବିକ୍ରେତା ତାଙ୍କର ସହାୟତା କରିବାକୁ ରାଜି ହୋଇଗଲେ | ହୋଣ୍ଡା ତାଙ୍କର ପ୍ରଥମ ମୋଟୋର୍ ସାଇକେଲ୍ ନିର୍ମାଣ କଲେ, ଯାହାର ନାମ ସେ ରଖିଥିଲେ “ସୁପର୍ କବ୍” | ତାହା ଥିଲା ତାଙ୍କ ମୋଟୋର୍ ସାଇକେଲ୍ ଉଦ୍ୟୋଗର ଶୁଭାରମ୍ଭ | ନିଜ ଜୀବନକାଳରେ ସୋଚିରୋ ହୋଣ୍ଡା ‘ହୋଣ୍ଡା କର୍ପୋରେସନ୍’ ଅନ୍ତର୍ଗତ ବିଶ୍ବ ସ୍ତରରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିପାରି ଥିଲେ | ଆଜି ତାହାର ବିସ୍ତୃତି କାହିଁ କେତେ ବେଶୀ ବୃଦ୍ଧି ଲାଭ କରିଛି | ସୋଚିରୋ ହୋଣ୍ଡାଙ୍କର ଏହି ସଫଳତାର ଶ୍ରେୟ କେବଳ ତାଙ୍କର ଆନ୍ତରିକ ଉତ୍ସାହ ଏବଂ ପ୍ରେରଣାକୁ ଦିଆଯାଇ ପାରେ | ପାଶ୍ଚାତ୍ୟ ଦାର୍ଶନିକ ହେନରୀ ଡାଭିଡ୍ ଥୋରେ କହନ୍ତି, “ଜୀବନରେ ଆପଣ ସବୁକିଛି ହରାଇ ଦେଇପାରନ୍ତି, କିନ୍ତୁ ଆପଣଙ୍କର ଉତ୍ସାହ ଯଦି ଉଜ୍ଜୀବିତ ରହିଥିବ ତେବେ ଆପଣ ସବୁକିଛି ଫେରି ପାଇବେ | ଦେବାଳିଆ ବାସ୍ତବରେ ତାଙ୍କୁ ହିଁ କୁହାଯିବ ଯିଏ ନିଜର ପ୍ରେରଣା ଏବଂ ଉତ୍ସାହ ହରାଇ ବସିଥାଆନ୍ତି |” ଅତଏବ, ଆମ୍ଭେମାନେ ଆଜି ଚିନ୍ତା କରିବା କିପରି ଭାବରେ ଆମେ ନିଜକୁ ପ୍ରେରିତ କରିବା | ଉତ୍ସାହ ରୂପୀ ଇନ୍ଧନ ଦ୍ବାରା ନିଜ କର୍ମର ଗୁଣବତ୍ତା ଉନ୍ନତ କରି ଶ୍ରେଷ୍ଠ ମନୁଷ୍ୟ ହେବା ନିମନ୍ତେ ପ୍ରୟାସ କରିବା |

 ------------xxxxx------------

                                                                                    Happiness Challenge Day 15

                                                                                    Swami Mukundananda  

 

 

 


 

Comments

Popular posts from this blog