ଅଭ୍ୟାସଅଭ୍ୟାସଅଭ୍ୟାସ ---

ଯେଉଁସବୁ କର୍ମ ଆପଣ କରନ୍ତି, ସେଥିରେ ଆପଣଙ୍କର ସର୍ବୋଚ୍ଚ ଦକ୍ଷତା ଏବଂ ସର୍ବାଧିକ ସାମର୍ଥ୍ୟ ପ୍ରତିଫଳିତ ହୋଇଥାଏ, ଏହା ଆପଣ ବିଶ୍ବାସ କରନ୍ତି କି ? ଯଦି ନୁହେଁ, ତେବେ ନିଜ କର୍ମ କରିବାର ଉପକରଣକୁ ଅଧିକ ତୀକ୍ଷ୍ଣ କରିବା ଦିଗରେ କିଛି ସମୟ ବିନିଯୋଗ କରି ଆପଣ ନିଶ୍ଚିତ ଭାବରେ ଉପକୃତ ହେବେ | ଆନନ୍ଦ ଅଭିଯାନ ଶୃଂଖଳାର ଆଜି ଷୋଡଶ ଦିବସରେ ଆମେ ଆଲୋଚନା କରିବା ଏକ ସୁଖୀ ମନୋଭାବ ବିକଶିତ କରିବା ପାଇଁ ମୂଲ୍ୟ ଭାବରେ ଆମକୁ କଣ ଦେବାକୁ ପଡିଥାଏ |

ଜଣେ ବୃଦ୍ଧ ଅଥଚ ବଳବାନ କାଠକଟାଳି ଜଙ୍ଗଲରେ ଏକ କାଠ ଫାର୍ମର ମାଲିକଙ୍କ ପାଖରେ କାମ କରୁଥିଲେ | କିଛି ଦିନ ପରେ ଫାର୍ମର ଉତ୍ପାଦନ ବୃଦ୍ଧି କରିବା ପାଇଁ ମାଲିକ ଜଣେ ୨୦-ବର୍ଷୀୟ ଯୁବା କାଠକଟାଳିଙ୍କୁ ମଧ୍ୟ ନିଯୁକ୍ତି ଦେଲେ | ଯୁବା କାଠକଟାଳି ଜଣକ ବହୁତ ଅଧିକ ବେଗରେ କାଠ କାଟୁଥିବା ଦେଖି ମାଲିକ ତାଙ୍କର ବେତନ ବୃଦ୍ଧି କଲେ | ଏବେ ବୃଦ୍ଧ କଟାଳିଙ୍କଠାରୁ ଯୁବା କଟାଳି ଜଣକ ଅଧିକ ଦରମା ପାଉଥାଆନ୍ତି | ତାହା ଜାଣି ବୃଦ୍ଧ କାଠକଟାଳି ଜଣକ ଖୁବ୍ ବେଶୀ ଆହତ ହେଲେ | ମାଲିକଙ୍କ ପାଖକୁ ଯାଇ ସେ କହିଲେ, “ଆଜ୍ଞା, ଗତ ୨୫ ବର୍ଷ ଧରି ପୂର୍ଣ୍ଣ ଅନୁଗତ ଭାବରେ ମୁଁ ଆପଣଙ୍କ ପାଖରେ କାମ କରୁଛି | ଏହି ଯୁବା କଟାଳି ଜଣକ ମାତ୍ର ବର୍ଷକ ପୂର୍ବରୁ କାମରେ ଯୋଗ ଦେଇଛନ୍ତି, ଅଥଚ ସେ ମୋ ଠାରୁ ଅଧିକ ଦରମା ପାଉଛନ୍ତି | ଏହା ଅନ୍ୟାୟ ନୁହେଁ କି ?” ଫାର୍ମ ମାଲିକ କହିଲେ, “ଦେଖ, ମୁଁ ଗୋଟିଏ ଲାଭକାରୀ ବ୍ୟବସାୟିକ ସଂସ୍ଥା ଚଳାଉଛି, କୌଣସି ଧର୍ମାର୍ଥ ଅନୁଷ୍ଠାନ ନୁହେଁ | ନୂଆ କାଠକଟାଳି ଜଣକ ତୁମଠାରୁ ଦୁଇ ଗୁଣ ଅଧିକ ବେଗରେ କାଠ କାଟୁଛନ୍ତି | ତୁମେ ନିଜର ଉତ୍ପାଦନ କ୍ଷମତା ବଢାଅ, ମୁଁ ତୁମକୁ ମଧ୍ୟ ଅଧିକ ଦରମା ଦେବି |” ସେଠାରୁ ଫେରି ବୃଦ୍ଧ କଟାଳି ଜଣକ ପୂର୍ବ ଅପେକ୍ଷା ଅଧିକ ନିଷ୍ଠାର ସହ କାମ କରିବାରେ ଲାଗିଲେ | ସକାଳରୁ ରାତି ପର୍ଯ୍ୟନ୍ତ ଅବିଶ୍ରାନ୍ତ ସେ ନିଜର ପୂର୍ଣ୍ଣ ଶାରୀରିକ ଶକ୍ତି ବିନିଯୋଗ କରି ଯଥା ସମ୍ଭବ ପ୍ରୟାସ କଲେ | କିନ୍ତୁ ତା ସତ୍ତ୍ବେ ବି ସେ ଯୁବା କଟାଳିଙ୍କର ବେଗ ସହିତ ତାଳ ଦେଇପାରିଲେ ନାହିଁ | ପୁନର୍ବାର ସେ ମାଲିକଙ୍କ ପାଖକୁ ଯାଇ କହିଲେ, “କଣ କରିବି ଆଜ୍ଞା, ଯେତେ ଚେଷ୍ଟା କଲେ ବି ଦିନକରେ ମୁଁ ସେତିକି କାଠ କାଟି ପାରୁନାହିଁ |” ମାଲିକ ତାଙ୍କୁ ଯୁବା କଟାଳିଙ୍କର ପରାମର୍ଶ ଲୋଡ଼ିବାକୁ କହିଲେ | ତାପରେ ବୃଦ୍ଧ ସେହି ଯୁବା କଟାଳିଙ୍କ ପାଖକୁ ଯାଇ କହିଲେ, “ମୁଁ ତୁମଠାରୁ ଅଧିକ ବଳବାନ, ଅଧିକ ଅନୁଭବୀ ଅଟେ | ତଥାପି ତୁମେ ମୋଠାରୁ ଦୁଇ ଗୁଣ ବେଗରେ କାଠ କାଟୁଛ କିପରି ? ଯୁବକ ଜଣକ ଉତ୍ତର ଦେଲେ, “ଗୋଟିଏ ଗଛ କାଟିବା ପରେ ମୁଁ କିଛି ସମୟ ନିଜ କୁରାଢିକୁ ଘଷି ତୀକ୍ଷ୍ଣ କରେ | ଆପଣ ସେପରି କରନ୍ତି କି ? ଏବେ ବୃଦ୍ଧ ବୁଝିପାରିଲେ ଯେ ମଝିରେ ମଝିରେ ସେ ନିଜ କାଠକଟା ଉପକରଣକୁ ଘଷି ତୀକ୍ଷ୍ଣ କରୁନାହାଁନ୍ତି, ସେଥିପାଇଁ ତାଙ୍କର ଉତ୍ପାଦନ ହ୍ରାସ ପାଉଛି |

ସେହିପରି, ଗତ ପନ୍ଦର ଦିନ ଧରି ସୁଖୀ ହେବାର ଯେଉଁସବୁ କଳା ଆମେ ଶିକ୍ଷା କଲେ ସେଥିରେ ଦକ୍ଷତା ପ୍ରାପ୍ତ କରିବା ପାଇଁ ଆମକୁ ତାହାର ମୂଲ୍ୟ ଭାବରେ କିଛି କରିବାକୁ ପଡିବ | କଣ ସେହି ମୂଲ୍ୟ ? ଅଭ୍ୟାସ | ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ଯେତେବେଳେ କିଛି କରିବାକୁ ଆରମ୍ଭ କରନ୍ତି, ସେମାନେ ତାହାକୁ ସଚେତନ ଭାବରେ କରୁଥିଲେ ବି, ସେଥିରେ ସେମାନଙ୍କର ଅସାମର୍ଥ୍ୟର ଝଲକ ଦେଖିବାକୁ ମିଳିଥାଏ (ସଚେତନ ଅସାମର୍ଥ୍ୟ) | ତାପରେ ଅଭ୍ୟାସ ବଳରେ ସେଥିରେ କୁଶଳତା ବା ସାମର୍ଥ୍ୟ ପ୍ରତିଫଳିତ ହୋଇଥାଏ (ସଚେତନ ସାମର୍ଥ୍ୟ) | ପୁନଶ୍ଚ ଅଧିକ ଅଭ୍ୟାସ କରିବାର ଫଳ ସ୍ବରୂପ, ସେହି ସାମର୍ଥ୍ୟ ସେମାନଙ୍କର ଅଜାଣତରେ ମଧ୍ୟ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ (ଅଚେତନ ସାମର୍ଥ୍ୟ) | ଅତଏବ, ଆମ କାର୍ଯ୍ୟଦକ୍ଷତାର ରହସ୍ୟ ପୁନରାବର୍ତ୍ତ ଅଭ୍ୟାସ ଅଟେ | ଭଗବାନ ଶ୍ରୀକୃଷ୍ଣ ଠିକ୍ ଏହି କଥା ଭଗବଦ୍ ଗୀତାରେ କହିଛନ୍ତି | ଅର୍ଜୁନ ଯେତେବେଳେ କହିଥିଲେ, “ଏହି ମନ ଏତେ ଚଞ୍ଚଳ ଯେ ଏହାକୁ ନିୟନ୍ତ୍ରଣ କରିବା ମୋତେ ବାୟୁର ଗତି ନିୟନ୍ତ୍ରଣ ଠାରୁ ମଧ୍ୟ କଠିନ ପ୍ରତୀତ ହେଉଛି”, ସେତେବେଳେ ତାଙ୍କୁ ଆଶ୍ବାସନା ଦେବାକୁ ଯାଇ ଭଗବାନ କହିଥିଲେ,

                        ଅସଂଶୟଂ ମହାବାହୋ ମନୋ ଦୁର୍ନିଗ୍ରହମଚଲମ୍ |

                        ଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୃହ୍ୟତେ ||  (ଗୀତା: ୬-୩୫)

ହେ ଅର୍ଜୁନ ! ତୁମେ ଯାହା କହୁଛ, ତାହା ନିଃସନ୍ଦେହ ଭାବରେ ସତ୍ୟ ଅଟେ | କିନ୍ତୁ ବୈରାଗ୍ୟ ଏବଂ ପୁନରାବର୍ତ୍ତ ଅଭ୍ୟାସ ଦ୍ବାରା ଚଞ୍ଚଳ ମନକୁ ବଶୀଭୂତ କରାଯାଇ ପାରିବ | ହିନ୍ଦୀ ଭାଷାରେ ଗୋଟିଏ ପଦ୍ୟ –

                        ରସରୀ ଆବତ ଜାତ ହୈ, ଶିଲ ତେ ହୋତ ନିଶାନ |

                        କରତ କରତ ଅଭ୍ୟାସ ତେ, ଜଡ ମାଟି ହୋତ ସୁଜାନ ||

କୂଅରୁ ବାଲଟିରେ ପାଣି କାଢିବା ପାଇଁ ଯେଉଁ ଦଉଡି ବ୍ୟବହାର କରାଯାଇ ଥାଏ, ତାହା ଘାସରେ ନିର୍ମିତ | ପାଣି କାଢିବା କ୍ରମରେ କୂଅର ପଥର କାନ୍ଥରେ ସେହି ଘାସ ଦଉଡ଼ିର ବାରମ୍ବାର ଘର୍ଷଣ ଫଳରେ ପଥରରେ ମଧ୍ୟ ଖୋଲ ସୃଷ୍ଟି ହୋଇଯାଏ | ସେହିପରି, ଜ୍ଞାନର ପୁନରାବର୍ତ୍ତ ଅଭ୍ୟାସ ଦ୍ବାରା ଜଣେ ମୁର୍ଖ ମଧ୍ୟ ବିଦ୍ବାନ ହୋଇଯାଇ ପାରେ | ତେଣୁ ଗତ କିଛିଦିନ ଧରି ଆମ୍ଭେମାନେ ଯେଉଁ ଜ୍ଞାନ ପ୍ରାପ୍ତ କଲେ, ସେଥିରେ ନିପୁଣତା ହାସଲ କରିବା ନିମନ୍ତେ ମୂଲ୍ୟ ଭାବରେ ଆମେ ତାହାର ଅଭ୍ୟାସ କରିବା ଆବଶ୍ୟକ | ନିଜର ଆଭ୍ୟନ୍ତରୀଣ ମନୋଭାବ ଉପରେ ଆମେ ଯଦି ନିୟନ୍ତ୍ରଣ ପ୍ରାପ୍ତ କରିବାକୁ ଇଚ୍ଛା କରୁଥାଏ, ତାହାର ମୂଲ୍ୟ ମଧ୍ୟ ଆମକୁ ଅଭ୍ୟାସ ମାଧ୍ୟମରେ ଦେବାକୁ ପଡିବ | ସୁତରାଂ, ଅଭ୍ୟାସର ମହତ୍ତ୍ବ ଉପରେ ବିଚାର କରନ୍ତୁ ଏବଂ ଯେଉଁସବୁ ବିଷୟରେ ଆପଣ ଦକ୍ଷତା ପ୍ରାପ୍ତ କରିବାକୁ ଇଚ୍ଛା କରୁଛନ୍ତି, ତାହାର ଅଭ୍ୟାସ କରନ୍ତୁ |

                        ------------xxxxx-----------

                                                                                    Happiness Challenge Day 16

                                                                                    Swami Mukundananda 

 

 

 

 

 


 

Comments

  1. ସ୍ବାମୀ ମୁକୁନ୍ଦ।ନନ୍ଦ ଙ୍କ ନିର୍ଦ୍ଦେଶନାରେ ଆପଣଙ୍କର ଏହି ମହନୀୟ ଉଦ୍ୟମ ପ୍ରତ୍ୟେକ ଭଗବତ ପ୍ରେମୀ ଙ୍କ ନିକଟରେ ପହଞ୍ଚିବା ଏକ ମାତ୍ର ଲକ୍ଷ୍ୟ। ଆପଣଙ୍କ ଉପସ୍ଥାପନା ଅତ୍ୟନ୍ତ ଉଚ୍ଚ କୋଟି ର। ବହୁତ୍ ବହୁତ୍ ଶୁଭେଚ୍ଛା।

    ReplyDelete
  2. धन्यवाद सभी को अब ओडिसा भासा में lekha miluchi swami ji nk ra

    ReplyDelete

Post a Comment

Popular posts from this blog