ଆଧ୍ୟାତ୍ମିକ ଅନୁସନ୍ଦିତ୍ସା - ୧
ପ୍ରେମାବତାର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଶରଣାପନ୍ନ ହୋଇ ଶ୍ରୀ ସନାତନ ଗୋସ୍ବାମୀ ତାଙ୍କୁ
ତିନୋଟି ପ୍ରଶ୍ନ ପଚାରିଥିଲେ – (୧) କେ ଆମି ? (୨) କେନେ ଆମାୟ ଜାରେ ତାପତ୍ରୟ ? (୩) କେମନେ
ହିତ ହୟ ? – ମୁଁ କିଏ ? ଏହି ତ୍ରିତାପରେ ମୁଁ କାହିଁକି ଦଗ୍ଧ ହେଉଛି ? ମୋର କଲ୍ୟାଣ କିପରି
ହେବ ? ଏହି ତିନୋଟି ପ୍ରଶ୍ନର ଉତ୍ତରରେ ଆମର ସବୁ ସମସ୍ୟାର ସମାଧାନ ରହିଛି ଏବଂ ସମସ୍ତ
ବେଦ-ଶାସ୍ତ୍ରର ସବୁ ସିଦ୍ଧାନ୍ତ ଏଥିରେ ସମାବିଷ୍ଟ | ଏଥିରୁ ପ୍ରଥମ ପ୍ରଶ୍ନ “ମୁଁ କିଏ”
ସର୍ବାଧିକ ମହତ୍ତ୍ବପୂର୍ଣ୍ଣ, କାରଣ ଏହାର ଉତ୍ତର ଜାଣିନେବା ପରେ ବାକି ପ୍ରଶ୍ନର ସମାଧାନ ଆପେ
ଆପେ ହୋଇଯାଏ | ପ୍ରଶ୍ନଟି ଶୁଣି ଆପଣମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଉଥିବେ କାରଣ ଏହାର
ଉତ୍ତର ତ ସମସ୍ତେ ଜାଣନ୍ତି | କିନ୍ତୁ ନା, କ୍ବଚିତ୍ ମନୁଷ୍ୟ ଏହାର ଉତ୍ତର ଜାଣନ୍ତି, କୋଟିକରେ ଗୋଟିଏ | ତାହାହେଲେ ଆମ୍ଭେମାନେ ମଧ୍ୟ ଜାଣିବା ଆବଶ୍ୟକ, କାରଣ ବେଦ କହେ –
ଇହ
ଚେଦବେଦୀଦଥ ସତ୍ୟମସ୍ତି ନ ଚେଦିହାବେଦୀନ୍ମହତୀ ବିନଷ୍ଟିଃ | (କେନୋ: ୨-୫)
ହେ ମନୁଷ୍ୟ ! ଏହି ପ୍ରଶ୍ନର ଉତ୍ତର ଜାଣିବା ଅତ୍ୟନ୍ତ ଆବଶ୍ୟକ | ନ ଜାଣିଲେ ବହୁତ ବଡ ହାନି
ହେବ | କେଉଁ ପ୍ରକାରର ହାନି ?
ଇହ ଚେଦଶକଦ୍ ବୋଦ୍ଧୁଂ ପ୍ରାକ୍
ଶରୀରସ୍ୟ ବିସ୍ରସଃ |
ତତଃ ସର୍ଗେଷୁ ଲୋକେଷୁ ଶରୀରତ୍ବାୟ କଳ୍ପତେ
|| (କଠୋପ:
୨-୩-୪)
ଏହି ପ୍ରଶ୍ନର ଉତ୍ତର ନ ଜାଣିଲେ ‘ସର୍ଗେଷୁ’, ଅର୍ଥାତ୍ କୋଟି କୋଟି କଳ୍ପ ଦୁଃଖ ଭୋଗ
କରିବାରେ ଲାଗିଥିବ | ଅନେକ ପ୍ରକାରର ଦୁଃଖ, ଅନେକ ପ୍ରକାରର ବନ୍ଧନ, ଯେପରିକି ତ୍ରିତାପ, ପଂଚକ୍ଲେଶ, ପଂଚକୋଷ, ତ୍ରିଶରୀର, ତ୍ରିଗୁଣ, ତ୍ରିକର୍ମ ତଥା ଅନ୍ୟ ଅନେକ ପ୍ରକାରର ଶାରୀରିକ-ମାନସିକ କଷ୍ଟ କୋଟି କୋଟି କଳ୍ପ ଭୋଗ
କରିବାକୁ ପଡିବ | ଏହି ମାନବ ଶରୀର ସର୍ବଦା ମିଳିବ ନାହିଁ`| ଏକ କଳ୍ପର ଅବଧି କେତେ ତାହା ଆପଣମାନେ ଜାଣନ୍ତି ? ଚାରି ଅର୍ବୁଦ, ଅଣତିରିଶ କୋଟି, ଚାଳିଶ ଲକ୍ଷ, ଅଶୀ ହଜାର ବର୍ଷକୁ ଏକ କଳ୍ପ କହନ୍ତି |
ଏହା ବ୍ରହ୍ମାଙ୍କର ଏକ ଦିନ ଅଟେ | ଏହିପରି ଗୋଟିଏ ନୁହେଁ, କୋଟି କୋଟି କଳ୍ପ ଭିନ୍ନ ଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରି ଦୁଃଖ ଭୋଗିବାକୁ ପଡିବ | ଅତଏବ, ଏହି ପ୍ରଶ୍ନର ଉତ୍ତର ଜାଣିବା ଆମ
ସମସ୍ତଙ୍କ ପାଇଁ ପରମ ଆବଶ୍ୟକ ଅଟେ |
ଦେଖନ୍ତୁ, ସଂସାରରେ ଦୁଇ ପ୍ରକାରର ତତ୍ତ୍ବ ଦେଖିବାକୁ ମିଳିଥାଏ: ଗୋଟିଏ ଜଡ ଏବଂ ଅନ୍ୟଟି
ଚୈତନ୍ୟ | ତୃତୀୟ କୌଣସି ତତ୍ତ୍ବ ଦେଖିବାକୁ ମିଳେନାହିଁ କି ଅନୁଭବରେ ମଧ୍ୟ ଆସେନାହିଁ | ଜଡ
ତତ୍ତ୍ବ କାହାକୁ କହନ୍ତି ? ପୃଥିବୀ, ଜଳ, ତେଜ, ବାୟୁ, ଆକାଶ – ଏମାନେ ସମସ୍ତେ ଜଡ ଅଟନ୍ତି |
ଏମାନଙ୍କ ଠାରେ ଜ୍ଞାନ ଶକ୍ତି ବା ଚୈତନ୍ୟତାର ଅଭାବ ପରିଲକ୍ଷିତ ହୋଇଥାଏ | ଚୈତନ୍ୟ କିଏ ?
ମନୁଷ୍ୟ, ପଶୁ-ପକ୍ଷୀ, କୀଟ-ପତଂଗ ଆଦି ସମସ୍ତ ଜୀବ ଚୈତନ୍ୟ
ଅଟନ୍ତି | ଏମାନେ ଚାଲନ୍ତି-ବୁଲନ୍ତି, ଦେଖନ୍ତି, ଶୁଣନ୍ତି, ଶୁଂଘନ୍ତି, ରସ ଆସ୍ବାଦନ କରନ୍ତି, ସ୍ପର୍ଶ ଅନୁଭବ କରନ୍ତି, ବିଚାର କରନ୍ତି, ନିର୍ଣ୍ଣୟ କରନ୍ତି | ଅତଏବ, ଏହି ଜଡ-ଚେତନ ଦୁଇଟି ତତ୍ତ୍ବ ମଧ୍ୟରୁ
କୌଣସି ଗୋଟିଏ ତତ୍ତ୍ବ ‘ମୁଁ’ ହୋଇଥିବ, କାରଣ ତୃତୀୟ କୌଣସି ତତ୍ତ୍ବ ହିଁ ନାହିଁ
|
ଆମେ ଜୀବିତ ରହିଥିବା ଯାଏଁ ‘ମୁଁ’କୁ କିଏ ମନୁଷ୍ୟ କହିଥାଏ ତ କିଏ ରାମଦେବ ବା ଅନ୍ୟ କୌଣସି ନାମରେ ସମ୍ବୋଧନ କରିଥାଏ | ମୃତ୍ୟୁବରଣ
କରିବା ପରେ ସମସ୍ତେ କହନ୍ତି, ‘ରାମଦେବ’ ଚାଲିଗଲା | କିନ୍ତୁ ତା’ର ଶରୀର ତ ଏଠାରେ ପଡିରହିଛି, ସେଥିରେ ସବୁ ଇନ୍ଦ୍ରିୟମାନେ ମଧ୍ୟ
ରହିଛନ୍ତି | ତେବେ କିଏ ଚାଲିଗଲା ? ଶରୀରର ଚେତନ ତତ୍ତ୍ବ ଚାଲିଯାଇଛି, ଜଡ ଶରୀର ଏଠାରେ ପଡିରହିଛି | ଏହାର
ଅର୍ଥ, ଆମେ ଦୁଇଟି ତତ୍ତ୍ବ ଅଟେ: ଗୋଟିଏ
ଚୈତନ୍ୟ, ଅନ୍ୟଟି ଜଡ | ଅର୍ଥାତ୍, ଜଡ ଶରୀର ଭିତରେ ଗୋଟିଏ ଚେତନ ତତ୍ତ୍ବ ରହିଛି | ସେହି ଚେତନ ତତ୍ତ୍ବଟି ରହିଥିବା ଯାଏଁ
ଶରୀର-ଇନ୍ଦ୍ରିୟ ଚୈତନ୍ୟବତ୍ କାର୍ଯ୍ୟ କରିଥାଆନ୍ତି | ଯେତେବେଳେ ଚେତନ ତତ୍ତ୍ବଟି ଶରୀର ଛାଡି
ଚାଲିଯାଏ, ଶରୀର ନିଜର ମୌଳିକ ରୂପରେ ଅବସ୍ଥାପିତ
ହୋଇଯାଏ, ଅର୍ଥାତ୍ ଜଡ ହୋଇଯାଏ | ଅତଏବ, ଶରୀର ଆମକୁ ଏହା ବୋଧ କରାଇ ଥାଏ ଯେ ହେ
ମୂର୍ଖରାଜ ! ଦେଖ, ତୁମେ ଆଜିଯାଏଁ ମୋତେ ଚୈତନ୍ୟ ମନେ
କରୁଥିଲ, କିନ୍ତୁ ବାସ୍ତବରେ ମୁଁ ଜଡ ଅଟେ | ଭଗବାନ ଶ୍ରୀକୃଷ୍ଣଙ୍କୁ ଉଦ୍ଧବ ପଚାରି ଥିଲେ, ସବୁଠାରୁ ବଡ ମୂର୍ଖ କିଏ ? ଭଗବାନ
ଉତ୍ତର ଦେଇଥିଲେ –
ମୂର୍ଖୋ
ଦେହାଦ୍ୟହଂ ବୁଦ୍ଧିଃ | (ଭାଗ:
୧୧-୧୯-୪୨)
ସଂସାରରେ ସବୁଠାରୁ ବଡ ମୂର୍ଖ ସେ ଅଟେ ଯିଏ ନିଜକୁ ଦେହ ମନେ କରିଥାଏ | ପ୍ରତ୍ୟେକ ଦିନ ଲୋକ
ମରୁଛନ୍ତି, ଚୈତନ୍ୟ ଚାଲିଯାଉଛି, ଜଡ ଶରୀର ଏଠାରେ ପଡି ରହୁଛି | ନିଜ
ଆଖିରେ ଏସବୁ ଦେଖି ମଧ୍ୟ ଆମେ ଅନ୍ଧ ହୋଇ ରହିଅଛେ, ଆମର ଜ୍ଞାନ ଉଦୟ ହେଉନାହିଁ ଏବଂ ଆମେ ନିଜକୁ ଶରୀର ମନେ କରିବାରେ ଲାଗିଛେ | ଶରୀର ସହିତ
ସମ୍ବନ୍ଧିତ ବାପାଙ୍କୁ ନିଜର ବାସ୍ତବ ବାପା, ମା’ଙ୍କୁ ବାସ୍ତବ ମା’, ପୁତ୍ର-କନ୍ୟାଙ୍କୁ ନିଜର ବାସ୍ତବ
ପୁତ୍ର-କନ୍ୟା ମନେକରୁଛେ | ଶରୀର ଯେଉଁ ଗୃହରେ ବାସ କରୁଥାଏ, ତାହାକୁ ନିଜ ଘର ଏବଂ ଶରୀର ଦ୍ବାରା ଅର୍ଜିତ ସମ୍ପତ୍ତିକୁ ନିଜ ସମ୍ପତ୍ତି ମନେ କରିଥାଏ |
କିନ୍ତୁ, ଆମେ ଏମାନଙ୍କୁ ନିଜର ମନେ କରିଥାଏ, ଏହାର କିଛି ପ୍ରମାଣ ଅଛି କି ? ହଁ, ଅଛି କାରଣ ଏମାନଙ୍କ ବିୟୋଗରେ ଆମେ
ରୋଦନ କରିଥାଏ, ଦୁଃଖିତ ହୋଇଥାଏ | କାହିଁକି କାନ୍ଦୁଛ
? ମୋର ବାପା/ମା/ପୁତ୍ର/ପତି ଆଜି ଚାଲିଗଲେ | ଏମାନେ ତୁମର ଅଟନ୍ତି, ତୁମେ କ’ଣ ଶରୀର ଅଟ ? ଶରୀର ନୁହେଁ ତ ଆଉ କ’ଣ ? ବାଃ, ତୁମେ ତ ବହୁତ ବଡ ଜ୍ଞାନୀ ଅଟ
| ଅତଏବ, ଆମ୍ଭେମାନେ ଏତେ ବଡ ମୂର୍ଖ ଯେ
ଦିନରାତି ସତ୍ୟର ପ୍ରତ୍ୟକ୍ଷ କରୁଥିଲେ ବି ଆମେ ନିଜକୁ ଦେହ ମନେକରୁଛେ | ବାସ୍ତବରେ, ଏହି ଦେହ ଜଡ ଅଟେ; ଏହା ମଧ୍ୟରେ ଏକ ଚେତନ ତତ୍ତ୍ବ ପ୍ରବେଶ
କରିଥାଏ, ଯାହାକୁ ‘ଜୀବ’ କହନ୍ତି | ଜୀବ ସ୍ବୟଂ ଜୀବିତ ଅଟେ ଏବଂ
ଅନ୍ୟକୁ ମଧ୍ୟ ଜୀବିତ ରଖିଥାଏ | ତେଣୁ ଯେତେଦିନ ସେ ଶରୀର ମଧ୍ୟରେ ରହିଥାଏ, ଶରୀର ଜୀବିତ ରହିଥାଏ | ମୃତ୍ୟୁରେ ଜୀବ
ଯେତେବେଳେ ଶରୀର ତ୍ୟାଗ କରି ଚାଲିଯାଏ, ଶରୀର ଅଚେତନ-ଜଡ ହୋଇଯାଏ ଏବଂ ଧୀରେ ଧୀରେ ତାହା ସଢ଼ିବାରେ ଲାଗେ | ଆଶ୍ଚର୍ଯ୍ୟର କଥା ଏହା
ଯେ ଆମେ ସମସ୍ତେ ତାହା ସ୍ବୀକାର କରିଥାଏ | କୌଣସି ସ୍ତ୍ରୀ ତାଙ୍କ ମୃତ ପଟିର ଶବକୁ ପତି
ମାନନ୍ତି ନାହିଁ | ଯଦି ମାନୁଥାଆନ୍ତେ, ତେବେ ଶବଦାହ କରିବାକୁ କେବେ ଅନୁମତି ଦିଅନ୍ତେ ନାହିଁ, ସବୁଦିନ ପାଇଁ ସେହି ଶବକୁ ଘରେ ରଖି
ଥାଆନ୍ତେ | ଅତଏବ, ଚୈତନ୍ୟ ଜୀବ ଶରୀର ମଧ୍ୟରେ ଅବସ୍ଥାନ
କରିଥିବା କାରଣରୁ ଶରୀର ଚୈତନ୍ୟ ରହିଥାଏ | ଜୀବ ଶରୀର ତ୍ୟାଗ କରି ଚାଲିଯିବା ମାତ୍ରେ ଶରୀର
ନିଜର ମୂଳ ଜଡ ସ୍ବରୂପରେ ଅବସ୍ଥାପିତ ହୋଇଯାଏ |
ସ୍ଥୁଳ ବୁଦ୍ଧିରେ ଏହାକୁ ଏପରି ବୁଝନ୍ତୁ | ଗୋଟିଏ ଅନ୍ଧକାର କୋଠରୀ ମଧ୍ୟକୁ ଆପଣ
ଦୀପାଳିଟିଏ ହାତରେ ଧରି ପ୍ରବେଶ କଲେ | ଅନ୍ଧକାର ଅପସରି ଯାଇ କୋଠରୀଟି ଆଲୋକିତ ହୋଇଗଲା | ତାପରେ
ଆପଣ ଦୀପାଳିଟିକୁ ଅନ୍ୟ ଏକ କୋଠରୀକୁ ନେଇଗଲେ | ଏବେ ପ୍ରଥମ କୋଠରୀଟି ପୂର୍ବବତ୍ ଅନ୍ଧାର ହୋଇଯିବ
| ଠିକ୍ ସେହିପରି, ଜୀବ ବାହାରୁ ଆସି ଶରୀର ମଧ୍ୟରେ
ପ୍ରବେଶ କଲା, ଶରୀର ଚୈତନ୍ୟ ହୋଇଗଲା | ମୃତ୍ୟୁରେ ଜୀବ ଶରୀର ତ୍ୟାଗ କରି ଚାଲିଗଲା, ଶରୀର ଜଡ ହୋଇଗଲା | ଆପଣମାନେ କହିବେ, ଯିଏ ଶରୀର ମଧ୍ୟକୁ ଆସିଲା ଏବଂ ତ୍ୟାଗ
କରି ଚାଲିଗଲା, ସେ ‘ମୁଁ’ ଅଟେ | ନା, ସେ ମଧ୍ୟ ‘ମୁଁ’ ନୁହେଁ, କାରଣ ଶରୀର ତ୍ୟାଗ କରି ଜୀବ ଏକୁଟିଆ ଯାଇ ନ ଥାଏ |
ସ ଯଦାଽସ୍ମାଚ୍ଛରୀରାଦୁତ୍କ୍ରାମତି
ସହୈବୈତୈଃ ସର୍ବୈରୁତ୍କ୍ରାମତି | (କୌଷୀତକି:
୩-୪)
ସେ ଶରୀର-ଇନ୍ଦ୍ରିୟଙ୍କୁ ସାଙ୍ଗରେ ନେଇ ଯାଇଥାଏ | ଶରୀର-ଇନ୍ଦ୍ରିୟଙ୍କୁ ?? ଆରେ ! ଆମେ ତ
ସ୍ବଚକ୍ଷୁରେ ଏହା ଦେଖିବାକୁ ପାଉଛୁ ଯେ ମୃତ ବ୍ୟକ୍ତିର ଶରୀର-ଇନ୍ଦ୍ରିୟ ଏହିଠାରେ ପଡି ରହିଛି !
ହଁ, କିନ୍ତୁ ଶରୀର ତିନି ପ୍ରକାରର ଅଟେ:
ସ୍ଥୁଳ ଶରୀର, ସୂକ୍ଷ୍ମ ଶରୀର ଏବଂ କାରଣ ଶରୀର | ଏହି
ତିନି ପ୍ରକାରର ଶରୀର ମଧ୍ୟରୁ ଜୀବକୁ ସର୍ବପ୍ରଥମେ ସୂକ୍ଷ୍ମ ଶରୀର ପ୍ରାପ୍ତ ହୋଇଥାଏ | ସୂକ୍ଷ୍ମ
ଶରୀରରେ ଇନ୍ଦ୍ରିୟ, ମନ, ବୁଦ୍ଧି ଆଦି ସମସ୍ତେ ରହିଥାଆନ୍ତି |
କିପରି ?
ଦେଖନ୍ତୁ, ନିଦ୍ରାବସ୍ଠାରେ ବେଳେ ବେଳେ ଆପଣ ସ୍ବପ୍ନ ଦେଖିଥାଆନ୍ତି | ସେହି ସମୟରେ
ଆପଣଙ୍କର ଶରୀର-ଇନ୍ଦ୍ରିୟ ଅଚେତ ଅବସ୍ଥାରେ ଖଟ ଉପରେ ପଡି ରହିଥାଆନ୍ତି | ଅଥଚ ସ୍ବପ୍ନରେ ଆପଣ
କେତେବେଳେ ଇଂଲଣ୍ଡ ତ କେତେବେଳେ ଆମେରିକା, କାନାଡା ଆଦି ଦେଶମାନଙ୍କରେ, କେତେବେଳେ ଆକାଶରେ ତ କେତେବେଳେ ପାତାଳରେ ଘୂରି
ବୁଲୁଥାଆନ୍ତି | କେଉଁ ଶରୀରରେ ଆପଣ ସେଠାକୁ ଯାଆନ୍ତି ? ସ୍ବପ୍ନରେ ଆପଣ କେତେ ଦୃଶ୍ୟ
ଦେଖୁଥିବେ, କେତେ ଶବ୍ଦ ଶୁଣୁଥିବେ, ରସଗୋଲା ଆଦି ଭକ୍ଷଣ କରୁଥିବେ ? ହଁ | ବେଳେ ବେଳେ ମାଡ
ମଧ୍ୟ ଖାଉଥିବେ ? ହଁ,ହଁ, ବହୁତ ଥର ମାଡ ଖାଇଛି | ବେଳେ ବେଳେ ସ୍ବପ୍ନରେ ଆପଣ ମୃତ୍ୟୁବରଣ ମଧ୍ୟ କରୁଥିବେ ? ହଁ |
ସ୍ବପ୍ନରେ ଏହି ସବୁ କ୍ରିୟା କେଉଁ ଇନ୍ଦ୍ରିୟ-ମନ-ବୁଦ୍ଧି ଦ୍ବାରା ସମ୍ପାଦିତ ହୋଇଥାଏ ?
ଆପଣଙ୍କର ଶରୀର ତ ଖଟ ଉପରେ ପଡିଛି, ଆପଣଙ୍କର ଇନ୍ଦ୍ରିୟମାନେ ମଧ୍ୟ ନିଶ୍ଚେଷ୍ଟ ରହିଛନ୍ତି ? ହଁ, ସ୍ବପ୍ନାବସ୍ଥାରେ ସବୁ କାର୍ଯ୍ୟ ଆମର ସୂକ୍ଷ୍ମ ଶରୀର-ଇନ୍ଦ୍ରିୟ-ମନ-ବୁଦ୍ଧି ଦ୍ବାରା
ସମ୍ପାଡାଟା ହୋଇଥାଏ | ମୃତ୍ୟୁରେ ସ୍ଥୁଳ ଶରୀର ତ୍ୟାଗ କରି ଜୀବ ସହିତ ଆମର ସୂକ୍ଷ୍ମ ଶରୀର ମଧ୍ୟ
ଚାଲି ଯାଇଥାଏ | ଅତଏବ, ମୃତ୍ୟୁରେ ଯିଏ ଶରୀର ତ୍ୟାଗ କରି
ଚାଲିଯାଆନ୍ତି, ସେମାନେ ସମସ୍ତେ ‘ମୁଁ’ ନୁହଁନ୍ତି | କେବଳ ମହାପ୍ରଳୟ କାଳରେ
ଜୀବ ଏକାକୀ ଭଗବାନଙ୍କ ମଧ୍ୟରେ ଲୀନ ହୋଇଥାଏ, ସେତେବେଳେ ଜୀବ ସହିତ ସୂକ୍ଷ୍ମ ଶରୀର ନ ଥାଏ କାରଣ ସୂକ୍ଷ୍ମ ଶରୀର ମଧ୍ୟ ମାୟାର ଉପଜ ଅଟେ,
ମାୟା ସାମ୍ରାଜ୍ୟର ଅନ୍ତର୍ଗତ ଅଟେ ଏବଂ ଭଗବାନଙ୍କ ରାଜ୍ୟରେ ମାୟାର ପ୍ରବେଶ ନିଷେଧ |
ନ ଯତ୍ର ମାୟା କିମୁତାପରେ ହରେରନୁବ୍ରତା ଯତ୍ର ସୁରାସୁରାର୍ଚିତାଃ
| (ଭାଗବତ: ୨-୯-୧୦)
ନ ଯତ୍ର
ସତ୍ତ୍ବଂ ନ ରଜସ୍ତମଶ୍ଚ ନ ବୈ ବିକାରୋ ନ ମହାନ୍ ପ୍ରଧାନମ୍ | (ଭାଗବତ: ୨-୨-୧୭)
ସେଠାକୁ ଯିବ କ’ଣ, ମାୟ ବିଚାରୀ ତ ଭଗବାନଙ୍କ ସମ୍ମୁଖରେ ଠିଆ ମଧ୍ୟ ହୋଇପାରେ ନାହିଁ |
ବିଲଜ୍ଜମାନୟା
ଯସ୍ୟ ସ୍ଥାତୁମୀକ୍ଷାପଥେଽମୁୟା | (ଭାଗବତ:
୨-୫-୧୩)
ମାୟା
ପରୈତ୍ୟଭିମୁଖେ ଚ ବିଲଜ୍ମମାନା | (ଭାଗବତ:
୨-୭-୪୭)
ମାୟାଂ
ବ୍ୟୁଦସ୍ୟ ଚିଚ୍ଛକ୍ତ୍ୟା କୈବଲ୍ୟେ ସ୍ଥିତ ଆତ୍ମନି | (ଭାଗବତ: ୧-୭-୨୩)
ମହାପ୍ରଳୟରେ କାରଣାର୍ଣ୍ଣବଶାୟୀ ଭଗବାନଙ୍କର ମହୋଦରକୁ କେବଳ ଜୀବ ନିଜର ସଂସ୍କାର ସହିତ
ଯାଇଥାଏ | ସୂକ୍ଷ୍ମ ଇନ୍ଦ୍ରିୟ-ମନ-ବୁଦ୍ଧିର ସେଠାକୁ ଗତି ନାହିଁ | ଅତଏବ, ମହାପ୍ରଳୟରେ ଯେଉଁ ଜୀବ ଭଗବାନଙ୍କ
ମହୋଦରରେ ପ୍ରବେଶ କରିଥାଏ, ବାସ୍ତବରେ ସେ ହିଁ ‘ମୁଁ’ ଅଟେ | ବାକି ସୂକ୍ଷ୍ମ ବା ସ୍ଥୁଳ ଶରୀର ଅନ୍ତର୍ଗତ ଇନ୍ଦ୍ରିୟ-ମନ-ବୁଦ୍ଧି, ଏମାନେ କେହି
‘ମୁଁ’ ନୁହଁନ୍ତି | ସେମାନେ ‘ମୁଁ’ ଯୁକ୍ତ ଅଟନ୍ତି, କିନ୍ତୁ ବାସ୍ତବ ‘ମୁଁ’ ନୁହଁନ୍ତି |
ତାହାହେଲେ, ଏହି ‘ମୁଁ’ ନାମକ ତତ୍ତ୍ବଟି କ’ଣ ? ସ୍ଥୁଳ ବୁଦ୍ଧିରେ ବିଚାର କରି
କହିଲେ, ଯାହା ‘ମୋର’ ନୁହେଁ, ତାହା ‘ମୁଁ’ ଅଟେ | ଏହା ମୋର ଘର ଅଟେ, ଆପଣ ଘର ଅଟନ୍ତି କି ? ଭାଇ ! ମୁଁ ଘର
କେମିତି ହେବି ? ସେହିପରି, ଏହା ମୋର ଶରୀର ଅଟେ, ଅର୍ଥାତ୍ ମୁଁ ଶରୀର ନୁହେଁ | ଯାହା ମୋର ଅଟେ, ତାହା ମୁଁ କିପରି ହେବି ? ମୋର ମନ ଲାଗୁନାହିଁ, ମୋର ବୁଦ୍ଧି କାମ କରୁନାହିଁ | ଅର୍ଥାତ୍, ମନ-ବୁଦ୍ଧି ମଧ୍ୟ ମୁଁ ନୁହେଁ | ଏହିପରି ଭାବରେ ଯେଉଁଠି ଯେଉଁଠି ଆମେ ମୋର ଶବ୍ଦ ବ୍ୟବହାର
କରିଥାଏ, ତାହା ‘ମୁଁ’ ନୁହେଁ | ତାହା ସମ୍ବନ୍ଧ କାରକ
ଅର୍ଥାତ୍ ‘ମୁଁ’ର ଅଟେ, ‘ମୁଁ’ ନୁହେଁ | ସବୁ ‘ମୋର’ ସମାପ୍ତ ହୋଇଯିବା ପରେ ଅବଶିଷ୍ଟ ଯେଉଁ
ତତ୍ତ୍ବଟି ରହେ, ତାହା ‘ମୁଁ’ ଅଟେ | କିନ୍ତୁ ତାହାକୁ ଆମେ ଜାଣିବା
କିପରି ? ଜାଣିବାର ଉପକରଣ ଭାବରେ ଆମ ପାଖରେ ଯାହା ଯାହା ଅଛି – ଇନ୍ଦ୍ରିୟ, ମନ, ବୁଦ୍ଧି ଇତ୍ୟାଦି – ସେହି ସବୁ ଉପକରଣ
ମାୟିକ ଅଟେ | ଇନ୍ଦ୍ରିୟ ଦ୍ବାରା ଆମେ ବିଷୟକୁ ଗ୍ରହଣ କରିଥାଏ, ମନ ବିଚାର କରେ, ବୁଦ୍ଧି ନିର୍ଣ୍ଣୟ କରେ, ତେବେଯାଇଁ ଆମେ କୌଣସି ବସ୍ତୁ ବା
ବିଷୟକୁ ଜାଣିଥାଏ | କିନ୍ତୁ ଏମାନଙ୍କ ଦ୍ବାରା କେବଳ ମାୟିକ ବିଷୟକୁ ହିଁ ଜାଣି ହୋଇଥାଏ ଏବଂ
ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନୁହେଁ କାରଣ ଏମାନଙ୍କର ଶକ୍ତି ସୀମିତ ଅଟେ | ସେପରି ସ୍ଥଳେ, ଦିବ୍ୟ ଆତ୍ମାକୁ ଏମାନଙ୍କ ଦ୍ବାରା ଆମେ
ଜାଣିବା କିପରି ? ଆଜିଯାଏଁ ଆତ୍ମାକୁ କେହି ଦେଖିପାରି ନାହାଁନ୍ତି | ବଡ ବଡ ବୈଜ୍ଞାନିକମାନେ
ଅତ୍ୟନ୍ତ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ସୂର୍ଯ୍ୟଙ୍କୁ, ମଙ୍ଗଳ ତଥା ଅନ୍ୟ ଗ୍ରହ-ଉପଗ୍ରହମାନଙ୍କୁ
ଦେଖି ପାରୁଛନ୍ତି | କିନ୍ତୁ ‘ମୁଁ’କୁ ଦେଖିପାରୁ ନାହାଁନ୍ତି | ସମସ୍ତେ ବସି ଏକ ଲୟରେ ଚାହିଁ ରହିଛନ୍ତି, ‘ମୁଁ’ କେଉଁବାଟେ ଚାଲିଗଲା କେହି ଜାଣି ପାରିଲେ ନାହିଁ | ସେ ଏତେ ସୂକ୍ଷ୍ମ ଯେ କୌଣସି ଯନ୍ତ୍ର
ଦ୍ବାରା ତାକୁ ଦେଖିହେବ ନାହିଁ, ତେଣୁ ଜାଣିବାର ପ୍ରଶ୍ନ ହିଁ ଉଠୁନାହିଁ | ସଂସାରରେ ଏପରି କୌଣସି
ବୁଦ୍ଧିମାନ ବ୍ୟକ୍ତି ଜନ୍ମ ଗ୍ରହଣ କରିନାହାନ୍ତି, ଯିଏ କି ନିଜ ବୁଦ୍ଧି ବଳରେ ଆତ୍ମାକୁ ଜାଣି ପାରିଛନ୍ତି | ଅତଏବ, ପ୍ରତ୍ୟକ୍ଷ ପ୍ରମାଣ ଦ୍ବାରା ଆତ୍ମା ବା
‘ମୁଁ’କୁ ଜାଣିହେବ ନାହିଁ | କେହି କେହି
କହନ୍ତି, ପ୍ରତ୍ୟକ୍ଷ ପ୍ରମାଣ ଦ୍ବାରା ଜାଣି ନ
ହେଲେ ମଧ୍ୟ ଆତ୍ମା ସମ୍ବନ୍ଧରେ ଆମେ କିଛି ଅନୁମାନ ତ କରିପାରିବା | ହଁ –
ଯତ୍ର
ଯତ୍ର ଧୂମସ୍ତତ୍ର ତତ୍ରାଗ୍ନିଃ | (ନ୍ୟାୟ
ଦର୍ଶନ)
ନ୍ୟାୟ ଦର୍ଶନର ଏହି ତର୍କ ଅନୁଯାୟୀ, ଧୂଆଁକୁ ଦେଖି ଅଗ୍ନିର ଉପସ୍ଥିତି ସମ୍ବନ୍ଧରେ ଅନୁମାନ କରା ଯାଇପାରେ | ସେହିପରି, ଲକ୍ଷଣକୁ ଦେଖି ଆତ୍ମାର ସ୍ବରୂପ
ସମ୍ବନ୍ଧରେ କିଛି ଅନୁମାନ ତ କରାଯାଇ ପାରିବ | କିନ୍ତୁ ଆତ୍ମା ଏତେ ସୂକ୍ଷ୍ମ ଏବଂ ଅମୂର୍ତ୍ତ ଯେ
ଏହା ସମ୍ବନ୍ଧରେ କୌଣସି ଅବଧାରଣା ବା ଅନୁମାନ ସର୍ବଗ୍ରାହ୍ୟ ହୋଇ ନ ଥାଏ | ଅତଏବ, ପ୍ରତ୍ୟକ୍ଷ ଏବଂ ଅନୁମାନ ପ୍ରମାଣ
ଦ୍ବାରା ‘ମୁଁ’କୁ ଜାଣିବା ସମ୍ଭବ ନୁହେଁ | ଅବଶିଷ୍ଟ
ଶବ୍ଦ ପ୍ରମାଣ ରହିଲା, ଯାହା ସାହାଯ୍ୟରେ ଆମେ “ମୁଁ କିଏ ?”ର
ଉତ୍ତର ଖୋଜିବାକୁ ଚେଷ୍ଟା କରିବା |
କ୍ରମଶଃ...........................................
Many thanks for such a valuable post. Radhe Radhe 🙏
ReplyDeleteରାଧେ ରାଧେ.
ReplyDeleteIt is very true.Maharajee in his Prabachan told n convinced us so many times,still we forget.
ReplyDeleteIt's a immensely helpful to our odiya people for healthy understanding of Shree Maharajji's transcendental pravachan .
ReplyDeleteKnowledge ka reminded horaha hai Radhe Radhe urin nahin ho sakenge maharajji
ReplyDelete