ଶବ୍ଦ ପ୍ରମାଣ କାହାକୁ କହନ୍ତି ? ଶବ୍ଦ ପ୍ରମାଣ ଏପରି ପ୍ରମାଣ ଅଟେ ଯାହା ନିର୍ବିବାଦ
ସ୍ବୀକାର୍ଯ୍ୟ ଏବଂ ଯାହାକୁ କେହି ମଧ୍ୟ ସନ୍ଦେହ ଚକ୍ଷୁରେ ଦେଖନ୍ତି ନାହିଁ | ଏଭଳି ଅକାଟ୍ୟ
ପ୍ରମାଣର ଦୁଇଟି ଉତ୍ସ ରହିଛି: ଗୋଟିଏ ଉତ୍ସ ହେଉଛନ୍ତି ଆମ୍ଭମାନଙ୍କ ପରି ଜଣେ ଜୀବ, ଯିଏ “ମୁଁ”କୁ ଜାଣିଛନ୍ତି, ଯାହାଙ୍କୁ
ଆମେ ସନ୍ଥ ମହାପୁରୁଷ କହିଥାଏ | ଅନ୍ୟ ଉତ୍ସଟି ହେଉଛନ୍ତି ସ୍ବୟଂ ଭଗବାନ | ଏମାନେ ‘ମୁଁ’ ବା ଆତ୍ମାକୁ ଜାଣନ୍ତି, ତେଣୁ ଏମାନଙ୍କ ଠାରୁ ପଚାରି ବୁଝିବା |
କିନ୍ତୁ କେଉଁ ଜୀବ ‘ମୁଁ’କୁ ଜାଣିଛନ୍ତି, ତାହା ଆମେ ଜାଣିବା କିପରି ? ହଁ, ଏହା ବହୁତ ବଡ ସମସ୍ୟା ଅଟେ | ତାଛଡା,
ଆଜିକାଲି ସଂସାରରେ ଏତେ ବେଶୀ ପ୍ରତାରଣା ଯେ ବଡ ବଡ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ଧୋଖା ଖାଇ
ଯାଉଛନ୍ତି | ତେଣୁ ଆମେ କାହା ଉପରେ କିପରି ବିଶ୍ବାସ କରିବା ଯେ ଇଏ ‘ମୁଁ’କୁ ଜାଣିଥିବେ ? ନା, ସେହି ସବୁ ପ୍ରତାରଣାରୁ ଆମେ ଦୂରେଇ
ରହିବା | ତାହାହେଲେ କିଏ ଆମକୁ କହିବ, ‘ମୁଁ’ କିଏ ?
ଶବ୍ଦ ପ୍ରମାଣ ଦୁଇ ପ୍ରକାରର ହୋଇପାରେ | ଗୋଟିଏ ନିତ୍ୟ ଓ ଅନାଦି ଏବଂ ଅନ୍ୟଟି ସାଦି |
ସାଦି ପ୍ରମାଣ ଏକଦା ମହାପୁରୁଷମାନଙ୍କ ଦ୍ବାରା ଉପସ୍ଥାପିତ କରାଯାଇ ଥାଏ, ଯେପରି କି ବେଦାନ୍ତ ଦର୍ଶନ, ସାଂଖ୍ୟ ଦର୍ଶନ, ମୀମାଂସା ଦର୍ଶନ, ଭାଗବତ, ରାମାୟଣ ଇତ୍ୟାଦି | ଅଥଚ ବେଦ ନିତ୍ୟ ଓ ଅନାଦି ଅଟେ –
ଅନାଦି
ନିଧନା ବେଦାଃ |
ସ୍ବୟଂ ଭଗବାନ ମଧ୍ୟ ଏହାର ରଚୟିତା ନୁହଁନ୍ତି | ଏହାକୁ ଭଗବାନଙ୍କର ଶବ୍ଦ କୁହାଯାଇ ଥାଏ, କାରଣ ଏହା ଭଗବାନଙ୍କ ମୁଖନିଃସୃତ ଅଟେ
| କିନ୍ତୁ ବାସ୍ତବରେ –
ଜାକୀ ସହଜ ଶ୍ବାସ ଶୃତି
ଚାରୀ |
ଭଗବାନ ଗଭୀର ନିଦ୍ରାରେ ଶୟନ କରିଥିବା ସମୟରେ ତାଙ୍କ ନିଃଶ୍ବାସ ମାଧ୍ୟମରେ ବେଦ ପ୍ରକଟ ଲାଭ
କରିଥାଏ | ଭଗବାନଙ୍କ ନାଭି କମଳରୁ ବ୍ରହ୍ମା ପ୍ରକଟ ହୋଇଥାଆନ୍ତି | ବେଦ ବ୍ରହ୍ମାଙ୍କ ସମ୍ମୁଖରେ
ପ୍ରକଟ ହୋଇ ତାଙ୍କୁ କହିଥାଏ – ମୋତେ ଅନ୍ତରସ୍ଥ କରି ସୃଷ୍ଟିର ସର୍ଜନା କର |
ତାଂ ନାଧ୍ୟଗଚ୍ଛଦ୍
(ଭାଗବତ: ୨-୯-୫)
ବ୍ରହ୍ମା ହଜାର ହଜାର ବର୍ଷ ଧ୍ୟାନରେ ସମାଧିସ୍ଥ ହୋଇ ସେହି ଦିଗରେ ପ୍ରଯତ୍ନ କଲେ, କିନ୍ତୁ ବେଦର ସମ୍ୟକ ଜ୍ଞାନ ପ୍ରାପ୍ତ
କରି ପାରିଲେ ନାହିଁ | ଶେଷରେ ଭଗବାନ କୃପା କଲେ –
ତେନେ ବ୍ରହ୍ମ ହୃଦା ୟ
ଆଦିକବୟେ (ଭାଗବତ: ୧-୧-୧)
ଭଗବାନ ବ୍ରହ୍ମାଙ୍କ ହୃଦୟରେ ପ୍ରକଟିତ ହୋଇ ତାଙ୍କୁ ବେଦର ଜ୍ଞାନ କରାଇ ଥିଲେ | ବେଦ ଏପରି
ଏକ ମହାନ୍ ବାଣୀ ଯାହା ନିତ୍ୟ ଏବଂ ଅନାଦି ହୋଇଥିବା ସହିତ ପୁଂଦୋଷ-ଶଙ୍କା-ପଙ୍କ-କଳଙ୍କରୁ
ସର୍ବଦା ରହିତ ଅଟେ | ଯେଉଁ ଚାରୋଟି ଦୋଷ ମନୁଷ୍ୟଠାରେ ରହିଛି, ବେଦ ସେହି ସବୁ ଦୋଷରୁ ମୁକ୍ତ ଅଟେ | ଅତଏବ, ବେଦ ହିଁ ସେହି ବିଶ୍ବସ୍ତ ସୂତ୍ର ଅଟେ ଯାହା ଦ୍ବାରା “ମୁଁ କିଏ”ର ସଠିକ୍ ନିରୂପଣ କରାଯାଇ
ପାରିବ | ବେଦ ସମସ୍ତ ସନ୍ଦେହ ଓ ସଂଶୟରୁ ମୁକ୍ତ ବିନିର୍ଗତ ବାଣୀ ଅଟେ | ବାଣୀ ତିନି ପ୍ରକାରର
ହୋଇପାରେ: କୃତ ବାଣୀ, ସ୍ମୃତ ବାଣୀ ଏବଂ ବିନିର୍ଗତ ବାଣୀ |
ମାୟାବଦ୍ଧ ଜୀବ ନିଜ ଧାରଣାରୁ ଯେଉଁ ପୁସ୍ତକ ରଚନା କରିଥାଏ, ତାହା କୃତ ବାଣୀ ଅଟେ | ଯେହେତୁ ସେମାନଙ୍କର ଜ୍ଞାନ ପରିପୂର୍ଣ୍ଣ ନୁହେଁ, ସେମାନଙ୍କର ବାଣୀରେ କିଛି ତ୍ରୁଟୀ ରହିବା
ସ୍ବାଭାବିକ | ସେଥିପାଇଁ ଯେଉଁମାନେ ମହାପୁରୁଷମାନଙ୍କର ଜୀବନ ଚରିତ ଲେଖିଥାଆନ୍ତି, ମାୟିକ ବୁଦ୍ଧିଯୁକ୍ତ ହୋଇଥିବା କାରଣରୁ, ସେମାନଙ୍କର ରଚନାରେ ଅନେକ ତ୍ରୁଟୀ
ପରିଲକ୍ଷିତ ହୋଇଥାଏ | ଯାହା ବିଷୟରେ ସେମାନେ ଲେଖୁଥାଆନ୍ତି, ସେହି କକ୍ଷର ଅନୁଭବ ସେମାନଙ୍କର ନ ଥାଏ, ସେଥିପାଇଁ ସେମାନଙ୍କର ରଚନା ପ୍ରାୟତଃ
ଭ୍ରମାତ୍ମକ ଅଟେ |
ସିଦ୍ଧ ମହାପୁରୁଷଙ୍କର ବାଣୀ ସ୍ମୃତ ବାଣୀ ଅଟେ | ଯେଉଁମାନଙ୍କର ପୂର୍ଣ୍ଣ ଜ୍ଞାନ, ପୂର୍ଣ୍ଣ ଭଗବତ୍-ପ୍ରାପ୍ତି, ଏବଂ ସର୍ବତୋ ଭାବରେ ମାୟାନିବୃତ୍ତି
ହୋଇ ଯାଇଥାଏ, ସେହିପରି ଆତ୍ମାରାମ, ପୂର୍ଣ୍ଣକାମ, ପରମ ନିଷ୍କାମ ପରମହଂସ ମାନଙ୍କଠାରୁ
ମଧ୍ୟ ଉର୍ଦ୍ଧ୍ବରେ ମହାପୁରୁଷମାନଙ୍କର ସ୍ଥିତି | ପରମହଂସ ତ ସନ୍ୟାସର ଏକ ଅବସ୍ଥା ଅଟେ |
ପରମହଂସ ସର୍ବଜ୍ଞ ନୁହଁନ୍ତି | ଆଶ୍ରମୋପନିଷଦରେ ଚାରି ପ୍ରକାରର ସନ୍ୟାସୀଙ୍କ ବିଷୟରେ
କୁହାଯାଇଛି : କୁଟୀଚକ, ବହୁଦକ, ହଂସ, ପରମହଂସ | ନାରଦପରିବ୍ରାଜକୋପନିଷଦରେ
ଛଅ ପ୍ରକାରର ସନ୍ୟାସୀଙ୍କ ବିଷୟରେ କୁହାଯାଇଛି : କୁଟୀଚକ, ବହୁଦକ, ହଂସ, ପରମହଂସ, ତୁରୀୟାତୀତ, ଅବଧୂତ | କିନ୍ତୁ ଏମାନେ
କେହି ପରିପୂର୍ଣ୍ଣ ନୁହଁନ୍ତି | ବ୍ରହ୍ମଜ୍ଞାନୀମାନେ ମଧ୍ୟ ପରିପୂର୍ଣ୍ଣ ନୁହଁନ୍ତି କାରଣ
ସେମାନେ କେବଳ ବ୍ରହ୍ମଙ୍କର ଅନୁଭବ କରିଥାଆନ୍ତି, ସଗୁଣ-ସାକାର ଭଗବାନଙ୍କର ଲୀଳା-ରସ ଆସ୍ବାଦନ କରି ନ ଥାଆନ୍ତି | ସେଥିପାଇଁ ସେମାନଙ୍କୁ
ମଧ୍ୟ ପରିପୂର୍ଣ୍ଣ କୁହାଯିବ ନାହିଁ |
ତେଣୁ, ମହାପୁରୁଷ, ଯେଉଁମାନେ ସବୁ ଦୃଷ୍ଟିରୁ ପରିପୂର୍ଣ୍ଣ ଅଟନ୍ତି, ସେମାନଙ୍କ ଦ୍ବାରା ରଚନା କରାଯାଇଥିବା ଗ୍ରନ୍ଥ ସ୍ମୃତ ଗ୍ରନ୍ଥ ଅଟେ, ଯଥା: ମହର୍ଷି
ବେଦବ୍ୟାସଙ୍କ ଦ୍ବାରା ରଚିତ ଭାଗବତ, ମହାଭାରତ, ଅଷ୍ଟାଦଶ ପୁରାଣ ଏବଂ ଦେବର୍ଷି ନାରଦ
ବିରଚିତ ଭକ୍ତି ସୂତ୍ର, ପାଂଚରାତ୍ର ଆଦି ଗ୍ରନ୍ଥ | ଏହିସବୁ
ରଚନାରେ କୌଣସି ଶଙ୍କା-ସଂଶୟ ରହି ନ ପାରେ, ତଥାପି ଆମେ ଶଙ୍କା କରିଥାଏ | ଆମ୍ଭମାନଙ୍କର ବୁଦ୍ଧି
ତ ଏପରି ଯେ ଆମେ ଭଗବାନଙ୍କୁ ମଧ୍ୟ ଛାଡି ନ ଥାଏ | ରାମାବତାର କାଳରେ ଜଣେ ସାଧାରଣ ଧୋବଣୀ ଭଗବାନ
ରାମଙ୍କୁ ଆକ୍ଷେପ କରିଦେଲା | କୃଷ୍ଣାବତାର କାଳର କଥା ନ କହିଲେ ଭଲ | ସେହି ସମୟରେ ଆମ୍ଭେମାନେ
ମଧ୍ୟ ଥିଲେ ଏବଂ ଶ୍ରୀକୃଷ୍ଣଙ୍କୁ ଦେଖି ଆମେ ସବୁ ଟିପ୍ପଣୀ ଦେଇଥିଲେ, ଇଏ ଜଣେ ଲଫଙ୍ଗା ଯିଏ ଦିନରାତି
ଝିଅମାନଙ୍କ ପଛରେ ଘୂରି ବୁଲୁଥାଏ | ଶ୍ରୀକୃଷ୍ଣଙ୍କୁ ଆମେ ଭଗବାନ ମାନି ନ ଥିଲେ | କ’ଣ କରିବା, ଆମ୍ଭମାନଙ୍କର ବୁଦ୍ଧି ତ ମାୟିକ ଅଟେ | ନିଜ ବୁଦ୍ଧିରେ ଆମେ ତାଙ୍କୁ ଚିହ୍ନିପାରିବା ନାହିଁ
| ମାୟିକ ଇନ୍ଦ୍ରିୟ-ମନ-ବୁଦ୍ଧିର ଅନୁଭବ ମାୟିକ ହିଁ ହେବ ଏବଂ ସେହି ମାୟିକ ତର୍କ ଦ୍ବାରା ଆମେ
ମହାପୁରୁଷ ଓ ଭଗବାନଙ୍କୁ ମାପିବାକୁ ଚେଷ୍ଟା କରିବା |
ଦେଖନ୍ତୁ, କାହା ପ୍ରତି ଆମ ମନରେ ଯେତେବେଳେ କ୍ରୋଧ ଜାତ ହୋଇଥାଏ, ଭିତରେ ଭିତରେ ଆମର ଚିନ୍ତନ ଆରମ୍ଭ
ହୋଇଯାଏ – “ମୁଁ ତା’ର କିଛି ନା କିଛି ଅନିଷ୍ଟ କରିବି | ମୁଁ
ତାକୁ ମାରିଦେବି | କିନ୍ତୁ ତାକୁ ମାରିଦେଲେ ମୋତେ ଫାଶୀ ଦଣ୍ଡ ମିଳିବ | ମିଳିଲେ ମିଳୁ, ମୁଁ ତାକୁ ନିଶ୍ଚୟ ମାରିବି |” –
ଏହିପରି ଲଗାତାର ଚିନ୍ତନର ପରିଣାମ ସ୍ବରୂପ ଆମ ଭିତରେ କ୍ରୋଧାଗ୍ନି ଉତ୍ତରୋତ୍ତର ବୃଦ୍ଧି ଲାଭ
କରିଥାଏ, ଆମର ବୁଦ୍ଧି ସମାପ୍ତ ହୋଇଯାଏ ଏବଂ ଆମେ
ହତ୍ୟା ବା ସେପରି କିଛି ଗୁରୁତ୍ତର ଅପରାଧ କରିବସେ | ଅତଏବ, ହତ୍ୟା ପରି ବଡ ବଡ ଅପରାଧ କରିବା ପୂର୍ବରୁ ଆମ ମନରେ କ୍ରୋଧ ଜାତ ହୋଇଥାଏ | ଅଥଚ,
ମହାଭାରତ ଯୁଦ୍ଧରେ ମନରେ କୌଣସି କ୍ରୋଧ ଭାବ ନ ରଖି ଅର୍ଜୁନ ହଜାର ହଜାର ବୀରଙ୍କର ନିଧନ
କରୁଛନ୍ତି | ସର୍ବତ୍ର ସୀତାରାମଙ୍କର ଦର୍ଶନ କରୁଥାଇ ମଧ୍ୟ ହନୁମାନ ହଜାର ହଜାର ବ୍ରାହ୍ମଣଙ୍କର
ହତ୍ୟା କରୁଛନ୍ତି, ଲଙ୍କାକୁ ଜାଳି-ପୋଡି ଛାରଖାର କରି
ଦେଉଛନ୍ତି | ଏହା ଆମେ ବିଶ୍ବାସ କରିବା ? ନା, ଅସମ୍ଭବ | ଯାହା ଆମେ କରିପାରେ ନାହିଁ, ତାହା କେହି ମଧ୍ୟ କରିପାରିବେ ନାହିଁ, ସେ ମହାପୁରୁଷ ହୁଅନ୍ତୁ କି ଭଗବାନ ହୁଅନ୍ତୁ | ତେଣୁ ନିଜ ବୁଦ୍ଧିରେ ଯେହେତୁ ଆମେ
ମହାପୁରୁଷଙ୍କୁ ଚିହ୍ନି ପାରିବା ନାହିଁ, ସେମାନଙ୍କର ବାଣୀରେ ଆମର ପୂର୍ଣ୍ଣ ଆସ୍ଥା ନ ରହିବା ସ୍ବାଭାବିକ | ଏବେ ଏକମାତ୍ର ଅବଲମ୍ବନ
ବେଦ ଅଟେ ଯାହା ସାହାଯ୍ୟରେ ଆମେ ‘ମୁଁ’କୁ ଜାଣିବା | କିନ୍ତୁ ବେଦକୁ ବୁଝିବା ସହଜ ନୁହେଁ | ଏହା ଅତି ବିଚିତ୍ର ଅଟେ –
ପରୋକ୍ଷବାଦୋ ବେଦୋଽୟମ୍ (ଭାଗବତ: ୧୧-୩-୪୪)
ବେଦରେ ଗୋଟିଏ ଶବ୍ଦର ବ୍ୟବହାର ଭିନ୍ନ ଭିନ୍ନ ଅର୍ଥରେ କରାଯାଇ ଥାଏ ବା ଏପରି କୁହାଯାଇ
ପାରେ ଯେ ଗୋଟିଏ ତତ୍ତ୍ବ ପାଇଁ ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରାଯାଇ ଥାଏ | ଭାଷାକୋଷ
ସାହାଯ୍ୟରେ ବୈଦିକ ଶବ୍ଦର ଅର୍ଥ ଖୋଜିବାକୁ ବସିଲେ, ଜାଣ ସର୍ବନାଶ | ବେଦରେ ଭଗବାନଙ୍କ ଉଦ୍ଦେଶ୍ୟରେ କେଉଁଠି କେଉଁଠି ‘ପ୍ରାଣ’, କେଉଁଠି ‘ଆକାଶ’, କେଉଁଠି ‘ଜୀବ’ ତ ଆଉ କେଉଁଠି ‘ଆତ୍ମା’ ଶବ୍ଦ ବ୍ୟବହାର କରାଯାଇ ଥାଏ | ତେଣୁ
ଭାଷାକୋଷ ସାହାଯ୍ୟରେ ଆମେ ଏହାର ଅର୍ଥ ନିରୂପଣ କରିବାକୁ ଚେଷ୍ଟା କରିବା ତ ଅର୍ଥର ଅନର୍ଥ କରି
ବସିବା |
ବେଦସ୍ୟ ଚେଶ୍ବରାତ୍ମତ୍ବାତ୍
ତତ୍ର ମୁହ୍ୟନ୍ତି ସୂରୟଃ | (ଭାଗବତ:
୧୧-୩-୪୩)
ବେଦ ଈଶ୍ବର ସ୍ବରୂପ ଅଟେ | ଅତଏବ, ଈଶ୍ବର ଯେପରି ବୁଦ୍ଧିଗ୍ରାହ୍ୟ ନୁହଁନ୍ତି, ସେହିପରି ବେଦ ମଧ୍ୟ ବୁଦ୍ଧିର ଅତୀତ ଅଟେ | ବଡ ବଡ ଯୋଗୀନ୍ଦ୍ର-ମୁନୀନ୍ଦ୍ର ଏହାକୁ ବୁଝି
ପାରନ୍ତି ନାହିଁ |
ବେଦା ବ୍ରହ୍ମାତ୍ମ
ବିଷୟାଃ | (ଭାଗବତ:
୧୧-୨୧-୩୫)
ବେଦ ବ୍ରହ୍ମ ସ୍ବରୂପ ଅଟେ | ବ୍ରହ୍ମଙ୍କ ସଦୃଶ ବେଦ ମଧ୍ୟ ଇନ୍ଦ୍ରିୟ-ମନ-ବୁଦ୍ଧିର ଅତୀତ
ଅଟେ | କିନ୍ତୁ –
ନାବେଦବିନ୍ମନୁତେ ତଂ
ବୃହନ୍ତମ୍ | (ଶାଟ୍ୟାୟନୀ ଉପ:
୪)
ବେଦକୁ ନ ଜାଣିଲେ ‘ମୁଁ’କୁ ଜାଣିପାରିବ ନାହିଁ କି ‘ମୋର’କୁ ମଧ୍ୟ ଜାଣିପାରିବ ନାହିଁ | ଅତଏବ ବେଦରୁ ଆମେ ଜାଣିବା ବାସ୍ତବରେ “ମୁଁ କିଏ” |
-----xxx-----

Comments
Post a Comment