ଆଧ୍ୟାତ୍ମିକ ଅନୁସନ୍ଦିତ୍ସା - ୨
ଆମ ସନାତନ ଧର୍ମର ମୁଖ୍ୟ ପ୍ରାମାଣିକ ଶାସ୍ତ୍ରମାନଙ୍କୁ ତିନୋଟି ପ୍ରସ୍ଥାନର
(ପ୍ରସ୍ଥାନତ୍ରୟୀ) ଅନ୍ତର୍ଭୁକ୍ତ କରାଯାଇ ଥାଏ : ଶ୍ରୁତି ପ୍ରସ୍ଥାନ, ସ୍ମୃତି ପ୍ରସ୍ଥାନ ଏବଂ ନ୍ୟାୟ
ପ୍ରସ୍ଥାନ | ବେଦର ସାର ଉପନିଷଦ ଶ୍ରୁତି ପ୍ରସ୍ଥାନ ଅନ୍ତର୍ଗତ ଅଟେ | ଉପନିଷଦର ଭୂରି ଭୂରି
ପ୍ରଶଂସା କରିବାକୁ ଯାଇ ପାଶ୍ଚାତ୍ୟ ଦାର୍ଶନିକମାନେ, ଏହା ସୂର୍ଯ୍ୟ ଅଟେ ଏବଂ ସମସ୍ତ ପାଶ୍ଚାତ୍ୟ
ଦର୍ଶନ ଏହା ସମ୍ମୁଖରେ କିରଣ ସଦୃଶ ଅଟନ୍ତି | ସପେନ୍ ହାଉର୍, ମାକ୍ସ ମୁଲରଙ୍କ ପରି ପ୍ରଖ୍ୟାତ
ଦାର୍ଶନିକମାନେ ମଧ୍ୟ ଏଥିରେ ଏକମତ ହୋଇଥାଆନ୍ତି | ବେଦ ପରି ଉପନିଷଦ ମଧ୍ୟ ଅନନ୍ତ ଅଟେ |
ମୁକ୍ତିକୋପନିଷଦ ଅନୁଯାୟୀ –
ଏକୈକସ୍ୟାସ୍ତୁ ଶାଖାୟା
ଏକୈକୋପନିଷନ୍ମତା | (ମୁକ୍ତିକୋ:
୧-୧୪)
ବେଦର ପ୍ରତ୍ୟେକ ଶାଖାର ଗୋଟିଏ ଗୋଟିଏ ଉପନିଷଦ ରହିଛି | ବର୍ତ୍ତମାନ କାଳରେ ଋଗବେଦର ୨୧ଟି
ଶାଖା, ଯଜୁର୍ବେଦର ୧୦୯ଟି ଶାଖା, ସାମବେଦର ୧୦୦୦ ଶାଖା ଏବଂ ଅଥର୍ବ ବେଦର
୫୦ଟି ଶାଖା, ଅର୍ଥାତ୍ ବେଦର ସମୁଦାୟ ୧୧୮୦ଟି ଶାଖା
ପ୍ରାପ୍ତ | ଏହିପରି ଭାବରେ ଉପନିଷଦର ସଂଖ୍ୟା ୧୧୮୦ ହୋଇଯାଏ | ତଦୁପରି, ପୂର୍ବ ତାପନୀୟ ଓ
ଉତ୍ତର ତାପନୀୟ ଭେଦରେ ଏହାର ସଂଖ୍ୟା ଆହୁରି ଅଧିକ ହୋଇଯାଏ | କିନ୍ତୁ –
ସର୍ବୋପନିଷଦାଂ ମଧ୍ୟେ
ସାରମଷ୍ଟୋତ୍ତରଂ ଶତମ୍ | (ମୁକ୍ତିକୋ:
୧-୪୪)
ସମସ୍ତ ଉପନିଷଦର ସାର ଏକ ଶହ ଆଠ ଉପନିଷଦରେ ରହିଛି ଏବଂ ତନ୍ମଧ୍ୟରୁ ନଅଟି ଉପନିଷଦ ପ୍ରମୁଖ
ଅଟନ୍ତି : ଈଶାବାସ୍ୟୋପନିଷଦ, କେନୋପନିଷଦ, କଠୋପନିଷଦ, ମୁଣ୍ଡକୋପନିଷଦ, ପ୍ରଶ୍ନୋପନିଷଦ, ମାଣ୍ଡୂକ୍ୟୋପନିଷଦ, ଏତରେୟୋପନିଷଦ, ତୈତ୍ତିରୀୟୋପନିଷଦ, ଶ୍ବେତାଶ୍ବତରୋପନିଷଦ | ଏମାନେ ଶ୍ରୁତି
ପ୍ରସ୍ଥାନ ଅନ୍ତର୍ଭୁକ୍ତ ଅଟନ୍ତି – ଅନ୍ତିମ ଏବଂ ଅକାଟ୍ୟ ପ୍ରମାଣ | ଅତଏବ, ଏମାନଙ୍କ ଦ୍ବାରା ଆମେ ଜାଣିବା ‘ମୁଁ
କିଏ’ | ‘ମୁଁ’ ସମ୍ପର୍କରେ ମୋଟାମୋଟି ଆପଣମାନେ ଏହା ଜାଣି ପାରିଛନ୍ତି ଯେ ଯାହା ‘ମୋର’ ନୁହେଁ, ତାହା ‘ମୁଁ’ ଅଟେ | ଅର୍ଥାତ୍ ‘ମୁଁ’ ବ୍ୟତିତ ଅନ୍ୟ କିଛି ତତ୍ତ୍ବ ମଧ୍ୟ
ଅଛନ୍ତି ? ହଁ, ବେଦ କହେ, ‘ମୁଁ’ ଅର୍ଥାତ୍ ଜୀବ ଅତିରିକ୍ତ ଅନ୍ୟ ଦୁଇଟି ତତ୍ତ୍ବ
ଅଛନ୍ତି |
ସର୍ବାଜୀବେ ସର୍ବସଂସ୍ଥେ ବୃହନ୍ତେ ଅସ୍ମିନ୍ ହଂସୋ ଭ୍ରାମ୍ୟତେ ବ୍ରହ୍ମଚକ୍ରେ |
ପୃଥଗାତ୍ମାନଂ ପ୍ରେରିତାରଂ ଚ ମତ୍ଵା ଜୁଷ୍ଟସ୍ତତସ୍ତେନାମୃତତ୍ବମେତି || (ଶ୍ବେତା:
୧-୬)
(ନାରଦପରିବ୍ରାଜକୋ:
୯-୫)
ଅର୍ଥାତ୍, ତିନୋଟି ତତ୍ତ୍ବ : ଗୋଟିଏ ଜୀବ, ଗୋଟିଏ ବ୍ରହ୍ମ, ଗୋଟିଏ ମାୟା | ଆଗକୁ
ଶ୍ବେତାଶ୍ବତରୋପନିଷଦ ଆହୁରି କହୁଛି –
ସଂଯୁକ୍ତମେତତ୍ କ୍ଷରମକ୍ଷରଂ ଚ ବ୍ୟକ୍ତାବ୍ୟକ୍ତଂ ଭରତେ ବିଶ୍ବମୀଶଃ |
ଅନୀଶଶ୍ଚାତ୍ମା ବଧ୍ୟତେ ଭୋକ୍ତୃଭାବାଜ୍ଞାତ୍ବା ଦେବଂ ମୁଚ୍ୟତେ ସର୍ବପାଶୈଃ || (ଶ୍ବେତା:
୧-୮)
ଜ୍ଞାଜ୍ଞୌ ଦ୍ବାବଜାବୀଶନୀଶାବଜା ହ୍ୟେକା ଭୋକ୍ତୃଭୋଗ୍ୟାର୍ଥଯୁକ୍ତା |
ଅନନ୍ତଶ୍ଚାତ୍ମା ବିଶ୍ବରୂପୋ ହ୍ୟକର୍ତା ତ୍ରୟଂ ଯଦା ବିନ୍ଦତେ ବ୍ରହ୍ମମେତତ୍ || (ଶ୍ବେତା:
୧-୯)
କ୍ଷରଂ ପ୍ରଧାନମମୃତାକ୍ଷରଂ ହରଃ କ୍ଷରାତ୍ମାନାବୀଶତେ ଦେବ ଏକଃ |
ତସ୍ୟାଭିଧ୍ୟାନାଦ୍ ଯୋଜନାତ୍ ତତ୍ତ୍ବଭାବାଦ୍ ଭୂୟଶ୍ଚାନ୍ତେ ବିଶ୍ବମାୟାନିବୃତ୍ତିଃ || (ଶ୍ବେତା:
୧-୧୦)
ଏତଜ୍ଜ୍ଞେୟଂ ନିତ୍ୟମେବାତ୍ମସଂସ୍ଥଂ ନାତଃ ପରଂ ବେଦିତବ୍ୟଂ ହି କିଂଚିତ୍ |
ଭୋକ୍ତା ଭୋଗ୍ୟଂ ପ୍ରେରିତାରଂ ଚ ମତ୍ଵା ସର୍ବଂ ପ୍ରୋକ୍ତଂ ତ୍ରିବିଧଂ ବ୍ରହ୍ମମେତତ୍ || (ଶ୍ବେତା:
୧-୧୨)
ନାରଦପରିବ୍ରାଜକୋପନିଷଦ (୯-୫, ୯-୭, ୯-୮, ୯-୯, ୯-୧୧) ମଧ୍ୟ ଠିକ୍ ଏହି କଥା କହିଥାଏ |
ଅର୍ଥାତ୍ ସବୁ ବେଦ ମନ୍ତ୍ର ତିନୋଟି ତତ୍ତ୍ବର ନିରୂପଣ କରିଥାଆନ୍ତି : ଜୀବ, ବ୍ରହ୍ମ ଓ ମାୟା | ଏହି ତିନୋଟି
ତତ୍ତ୍ବ ମଧ୍ୟରୁ ଦୁଇଟି ଚୈତନ୍ୟ ଅଟନ୍ତି ଏବଂ ଗୋଟିଏ ତତ୍ତ୍ବ ଜଡ ଅଟେ | ଦୁଇଟି ଚୈତନ୍ୟ ତତ୍ତ୍ବ
–
ଦ୍ବା ସୁପର୍ଣ୍ଣା ସୟୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ବଜାତେ |
ତୟୋରନ୍ୟଃ ପିପ୍ପଳଂ ସ୍ବାଦ୍ବତ୍ତ୍ୟନଶ୍ନନ୍ନନ୍ୟୋ ଅଭିଚାକଶୀତି || (ଶ୍ବେତା:
୪-୬)
ଗୋଟିଏ ‘ମୁଁ’ ବା ଜୀବ ଏବଂ ଅନ୍ୟଟି ବ୍ରହ୍ମ – ଏ
ଦୁହେଁ ଚୈତନ୍ୟ ଅଟନ୍ତି | ଦୁହେଁ ଜୀବର ହୃଦୟରେ ନିବାସ କରିଥାଆନ୍ତି | ଅତଏବ, ଦୁହିଁଙ୍କ ମଧ୍ୟରେ କିଛି ସମ୍ବନ୍ଧ
ଅବଶ୍ୟ ଥିବ ? ହଁ, ଜୀବ ମହାଚୈତନ୍ୟ ବ୍ରହ୍ମଙ୍କର ତଟସ୍ଥ ଶକ୍ତି ଅଟେ | ଶକ୍ତିମାନ ବ୍ରହ୍ମ ଏବଂ ଶକ୍ତି
ଜୀବ ମଧ୍ୟରେ ଭେଦାଭେଦ ସମ୍ବନ୍ଧ ରହିଛି | ଅର୍ଥାତ୍, ସେମାନଙ୍କ ମଧ୍ୟରେ କିଛି ମାତ୍ରାରେ ଭେଦ ବି ରହିଛି ଏବଂ କେତେକ ଦୃଷ୍ଟିରୁ ସେମାନଙ୍କର
ସମ୍ବନ୍ଧ ଅଭେଦ ମଧ୍ୟ ଅଟେ | ଭ୍ରମବଶତଃ, କେହି କେହି ସେମାନଙ୍କ ମଧ୍ୟରେ କେବଳ ଭେଦ ହିଁ ଲକ୍ଷ୍ୟ
କରିଥାଆନ୍ତି ଏବଂ ଅନ୍ୟ କେହି କେହି ସେମାନଙ୍କୁ ଅଭିନ୍ନ ପ୍ରତିପାଦିତ କରିଥାଆନ୍ତି | କିନ୍ତୁ
ବେଦ-ଉପନିଷଦ, ସ୍ମୃତି, ବେଦାନ୍ତ ଆଦି ସମସ୍ତ ଶାସ୍ତ୍ର
ଅନୁଯାୟୀ, ଜୀବ ଓ ବ୍ରହ୍ମଙ୍କ ମଧ୍ୟରେ ସମ୍ବନ୍ଧ
ଭେଦାଭେଦ ଅଟେ | ଜୀବର ସ୍ବରୂପ ଲକ୍ଷଣ ଅନୁଯାୟୀ, ଜୀବ ଭଗବାନଙ୍କର ତଟସ୍ଥ ଶକ୍ତି ଅଟେ ଏବଂ ତଟସ୍ଥ ଲକ୍ଷଣ ଅନୁଯାୟୀ, ଜୀବ ଭଗବାନଙ୍କର ଦାସ
ଅଟେ – ନିତ୍ୟ ଦାସ | ଚେଷ୍ଟା କରି ମଧ୍ୟ ସେହି ଦାସତ୍ବ ବନ୍ଧନରୁ ଜୀବ ନିଜକୁ ମୁକ୍ତ କରିପାରିବ ନାହି
ଏବଂ ଭଗବାନଙ୍କର ମଧ୍ୟ ସାହସ ନାହିଁ ଯେ ଦାସତ୍ବର ସେହି ଅଧିକାରରୁ ସେ ଜୀବକୁ ବଂଚିତ କରିପାରିବେ
| ଅତଏବ, ଉଭୟ ଚୈତନ୍ୟ ଜୀବ ଏବଂ ମହାଚୈତନ୍ୟ
ବ୍ରହ୍ମ ଆମ ସମସ୍ତଙ୍କ ହୃଦୟରେ ନିବାସ କରିଥାଆନ୍ତି | ଯିଏ ‘ମୁଁ’କୁ ଜାଣେ, ସେ ଏକଥା ମଧ୍ୟ ଜାଣିଥାଏ ଯେ ‘ମୋର’ ବ୍ରହ୍ମ ଅଟନ୍ତି | ଅନ୍ୟ ଏକ ‘ମୋର’ ମାୟା ଅଟେ | ଯେଉଁମାନେ ‘ମୁଁ’କୁ ଜାଣି ନ ଥା’ନ୍ତି, ସେମାନେ ମାୟାକୁ ‘ମୋର’ ମନେ କରିଥାଆନ୍ତି | ମାୟା କ’ଣ ?
ମାୟାଂ ତୁ ପ୍ରକୃତିଂ ବିଦ୍ୟାନ୍ମାୟିନଂ ତୁ ମହେଶ୍ବରମ୍ | (ଶ୍ବେତା:
୪-୧୦)
ପରାସ୍ୟ ଶକ୍ତିର୍ବିବିଧୈବ ଶ୍ରୁୟତେ ସ୍ବାଭାବିକୀ ଜ୍ଞାନବଲକ୍ରିୟା ଚ | (ଶ୍ବେତା:
୬-୮)
ଅସ୍ମାନ୍ମାୟୀ ସୃଜତେ ବିଶ୍ବମେତତ୍ ତସ୍ମିଂଶ୍ଚାନ୍ୟୋ ମାୟୟା ସଂନିରୁଦ୍ଧଃ | (ଶ୍ବେତା: ୪-୯)
ଏହି ମାୟା ତ୍ରିଗୁଣାତ୍ମିକା ଅଟେ –
ଲୋହିତଶୁକ୍ଲକୃଷ୍ନାମ୍ | (ଶ୍ବେତା: ୪-୫)
ଶ୍ବେତ ବର୍ଣ୍ଣ, ରକ୍ତ ବର୍ଣ୍ଣ, ଏବଂ କୃଷ୍ଣ ବର୍ଣ୍ଣ – ସତ୍ତ୍ବ, ରଜ ଏବଂ ତମ | ଜୀବ, ବ୍ରହ୍ମ ଓ ମାୟା – ଏହି ତିନୋଟି
ତତ୍ତ୍ବ ଅଜ ଏବଂ ଅନାଦି ଅଟନ୍ତି | ଅର୍ଥାତ୍, ଭଗବାନ ଜୀବକୁ ଗଢି ନାହାଁନ୍ତି କି ମାୟାକୁ ଗଢି ନାହାଁନ୍ତି; ଜୀବ ଭଗବାନଙ୍କୁ ଗଢି ନାହିଁ କି ମାୟାକୁ ଗଢି ନାହିଁ | ତାଛଡା, ମାୟା ତ ଜଡ ଅଟେ, ସେ ଅବା ଜୀବ ଓ ଭଗବାନଙ୍କୁ କିପରି
ଗଢନ୍ତା | ଏମାନେ ସମସ୍ତେ ଅନାଦି-ଅନନ୍ତ, ସନାତନ ଏବଂ ନିତ୍ୟ ଅଟନ୍ତି | ଏମାନେ କେହି କାହାକୁ ଗଢି ନାହାଁନ୍ତି କି କେହି କାହାର
ବିନାଶ ମଧ୍ୟ କରିପାରିବେ ନାହିଁ | ଆପଣ କହିବେ, ଭଗବାନ ତ ସର୍ବସମର୍ଥ ଅଟନ୍ତି, ସେ ଇଚ୍ଛା କଲେ କ’ଣ ଜଡ ମାୟାକୁ ସମାପ୍ତ କରିପାରିବେ
ନାହିଁ ? ହଁ, ସେ ସର୍ବସମର୍ଥ ଅଟନ୍ତି, କିନ୍ତୁ ନିତ୍ୟ ବସ୍ତୁ ସର୍ବଦା ନିତ୍ୟ
ରହିବ | ତାଛଡା, ମାୟା ତ ଭଗବାନଙ୍କର ଶକ୍ତି ଅଟେ, ନିଜ ଶକ୍ତିକୁ କିଏ କାହିଁକି ବିଲୋପ
କରିବ ? ଦେଖନ୍ତୁ, ଅଗ୍ନିର ଦୁଇଟି ଶକ୍ତି : ଦାହକତ୍ବ ଏବଂ ପ୍ରକାଶକତ୍ବ | ଏହି ଦୁଇଟି ଶକ୍ତିରୁ
ଅଗ୍ନିକୁ ପୃଥକ୍ କରି ହେବନାହିଁ | ସେହିପରି, ମାୟା ଭଗବାନଙ୍କର ଶକ୍ତି ଅଟେ ଏବଂ ନିତ୍ୟ ଶକ୍ତି ଅଟେ |
ଭୂମିରାପୋଽନଲୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ |
ଅହଂକାର ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା || (ଗୀତା:
୭-୪)
ଅପରେୟମିତସ୍ତ୍ବନ୍ୟାଂ ପ୍ରକୃତିଂ ବିଦ୍ଧି ମେ ପରାମ୍ |
ଜୀବଭୂତାଂ ମହାବାହୋ ଯୟେଦଂ ଧାର୍ଯ୍ୟତେ ଜଗତ୍ || (ଗୀତା:
୭-୫)
ଅର୍ଥାତ୍, ଭଗବାନଙ୍କର ଦୁଇଟି ଶକ୍ତି ମଧ୍ୟରୁ
ମାୟା ଶକ୍ତି ଅପରା ଅର୍ଥାତ୍ ନିକୃଷ୍ଟ ଅଟେ କାରଣ ଏହା ଜଡ ଅଟେ | ଅନ୍ୟ ପକ୍ଷରେ, ଜୀବ ଶକ୍ତି ପରା ଅର୍ଥାତ୍ ଶ୍ରେଷ୍ଠ
ଅଟେ କାରଣ ଏହା ଚୈତନ୍ୟ ଅଟେ | ଅତଏବ, ସମୁଦାୟ ତିନୋଟି ତତ୍ତ୍ବର କ୍ରମ ଏହିପରି ଅଟେ (୧) ମହାଚୈତନ୍ୟ ଭଗବାନ, (୨) ଚୈତନ୍ୟ ଜୀବ, (୩) ଜଡ ମାୟା |
କ୍ରମଶଃ ..............................
Thanks to all the readers of this blog. I have created this blog in Oriya to make available for the satsangis of Orissa the gems of wisdom generously bestowed upon us by Jagadguru Shri Kripalu Ji Maharaj and his wise preacher Swami Mukundananda.
ReplyDeleteଧନ୍ୟବାଦ ଦିଦି
Delete