ମନୋଭାବ ଚୟନ କରିବାରେ ଆମେ ସ୍ବତନ୍ତ୍ର   

ଆମେ ନିଜର ମନୋଭାବକୁ ନିୟନ୍ତ୍ରଣ କରିବା କିପରି ? ସେଥିପାଇଁ ସର୍ବପ୍ରଥମେ ଆମେ ଏହା ହୃଦୟଙ୍ଗମ କରିବା ଆବଶ୍ୟକ ଯେ ନିଜର ମନୋଭାବ ଚୟନ କରିବାରେ ଆମେ ସ୍ବାଧୀନ ଏବଂ ସ୍ବତନ୍ତ୍ର ଅଟେ | ଅନ୍ୟ ଉପରେ ଦୋଷ ଢାଳି ଦେବା ବହୁତ ସହଜ – ଏହି କାରଣରୁ ମୋର ମନୋଦଶା ଖରାପ ହୋଇଛି; ଏହି ବ୍ୟକ୍ତି ଜଣକ ମୋତେ ଏକଥା କହିଲେ, ସେଥିପାଇଁ ମୋର ମନ ଖରାପ ହୋଇ ଯାଇଛି; ମୋର ଜେଜେ ବାପା- ବଡ଼ ବାପା ଆଜି ଚାଲିଗଲେ, ସେଥିପାଇଁ ମୁଁ ଭାଙ୍ଗି ପଡିଛି ଆଦି କାରଣ ଦର୍ଶାଇ ଆମେ ନିଜର ମନୋଭାବକୁ ଯଥାର୍ଥ ସିଦ୍ଧ କରିଥାଏ | ଆମେ ଏହା ଭୁଲି ଯାଇଥାଏ ଯେ ନିଜର ମନୋଭାବକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ଆମ ସମସ୍ତଙ୍କର ରହିଛି | ବିକ୍ଟର୍ ଫ୍ରାଂକଲ୍ ନାମକ ଜଣେ ବ୍ୟକ୍ତି ଏହାକୁ ବିଶେଷ ଭାବରେ ସ୍ପଷ୍ଟ କରିଥିଲେ |

            ବିକ୍ଟର୍ ଫ୍ରାଂକଲ୍ ଅଷ୍ଟ୍ରିୟାର ଜଣେ ଇହୁଦୀ ଥିଲେ | ଦ୍ବିତୀୟ ବିଶ୍ବ ଯୁଦ୍ଧ ପୂର୍ବରୁ ସେ ସେଠାରେ ଜଣେ ବୃତ୍ତିଧାରୀ ମନସ୍ତତ୍ତ୍ବବିତ୍ ଭାବରେ କାର୍ଯ୍ୟ କରୁଥିଲେ | ବିଶ୍ବ ଯୁଦ୍ଧ ଆରମ୍ଭ ହେବା ପରେ ଅଷ୍ଟ୍ରିୟା ଯେତେବେଳେ ହିଟଲରଙ୍କର ଶାସନାଧୀନ ହୋଇ ଯାଇଥିଲା, ସେତେବେଳେ ସେ ଇହୁଦୀମାନଙ୍କୁ ନଜରବନ୍ଦୀ ଶିବିରରେ ରଖିଥିଲେ | ବିକଟର୍ ଫ୍ରାଂକଲଙ୍କୁ ମଧ୍ୟ ତାଙ୍କର ସ୍ତ୍ରୀ, ସନ୍ତାନ ଏବଂ ଭାଇଙ୍କ ସମେତ ସେହି ଶିବିରରେ ନିକ୍ଷେପ କରାଯାଇ ଥିଲା | ତାଙ୍କୁ ନିଜର ସ୍ତ୍ରୀ-ପିଲାଙ୍କଠାରୁ ଅଲଗା ରଖାଯାଇ ଥିଲା ଏବଂ ପରେ ସେ ଜାଣିବାକୁ ପାଇଲେ ଯେ ସେମାନେ ଆଉ ଜୀବିତ ନାହାଁନ୍ତି | ନାଜି ବନ୍ଦୀ ଶିବିରରେ କଏଦୀମାନଙ୍କୁ ଅନେକ ପ୍ରକାରର ଯାତନା ଭୋଗ କରିବାକୁ ପଡୁଥିଲା | ରାତିରେ ସେମାନଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚାଲିବାକୁ କୁହାଯାଉ ଥିଲା | କିନ୍ତୁ ସେହିସବୁ ଜଘନ୍ୟ କଟୁ ଅନୁଭବ ଭିତରେ ବିକଟର୍ ଫ୍ରାଂକଲ୍ ଚିନ୍ତା କରିଥିଲେ ଯେ ଏବେ ବି ତାଙ୍କର ଗୋଟିଏ ସ୍ବାଧୀନତା ରହିଛି ଯାହାକୁ କେହି ମଧ୍ୟ ତାଙ୍କଠାରୁ ଛଡାଇ ନେଇ ପାରିବେ ନାହିଁ | ନିଜ ମନୋଭାବରେ ତାଙ୍କର ସ୍ବାଧୀନତା | ବାହ୍ୟ ପରିସ୍ଥିତି ଯେପରି ହୋଇଥାଉ ନା କାହିଁକି, ଆନ୍ତରିକ ସ୍ତରରେ ସେ ଖୁସୀ ରହି ପାରିବେ | ତାଙ୍କର ସେହି ସକାରାତ୍ମକ ମନୋଭାବ ଯୋଗୁଁ ଅନ୍ୟ ବନ୍ଦୀମାନଙ୍କ ପାଇଁ ସେ ପ୍ରେରଣାର ସ୍ରୋତ ହୋଇଗଲେ | କାରାଗୃହର ରକ୍ଷୀମାନେ ତାଙ୍କୁ ସମ୍ମାନ ଦେବାରେ ଲାଗିଲେ | ବିଶ୍ବ ଯୁଦ୍ଧର ପରିସମାପ୍ତି ଘଟିବା ପରେ କାରାଗାରରୁ ମୁକ୍ତ ହୋଇ ସେ ଇସ୍ରାଏଲରେ ଅବସ୍ଥାନ କରିଥିଲେ ଏବଂ ସେହି ସମୟରେ ସେ “The search for meaning in life” ଶୀର୍ଷକ ଏକ ପୁସ୍ତକ ରଚନା କରିଥିଲେ ଯାହା ମାଧ୍ୟମରେ ସାରା ବିଶ୍ବକୁ ସେ ଏହି ସନ୍ଦେଶ ଦେଇଥିଲେ ଯେ ଅତ୍ୟନ୍ତ ବିକଟ ପରିସ୍ଥିତିରେ ମଧ୍ୟ ଖୁସୀ ରହିବାର ମନୋନୟନ ବ୍ୟକ୍ତିର ନିଜସ୍ବ ଅଟେ | ପୁସ୍ତକଟି ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କଲା | ବିକଟର୍ ଫ୍ରାଂକଲ୍ ମନୋବିଜ୍ଞାନର ପ୍ରାଧ୍ୟାପକ ଭାବରେ ପୁନଃ ସଂସ୍ଥାପିତ ହେଲେ ଏବଂ ସେହି ପୁସ୍ତକଟି ପାଇଁ ତାଙ୍କୁ ପନ୍ଦରଟି ବିଶ୍ବ ବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇ ଥିଲା | ସେ ଏହା ସ୍ପଷ୍ଟ କରିଥିଲେ ଯେ ନିଜର ମନୋଭାବକୁ ଚୟନ କରିବାରେ ଆମ ସମସ୍ତଙ୍କର ସ୍ବତନ୍ତ୍ରତା ରହିଛି | ତେଣୁ, ଆମ ମନୋଭାବରେ ଉନ୍ନତି ସେତେବେଳେ ପରିଦୃଷ୍ଟ ହୋଇଥାଏ ଯେତେବେଳେ ଆମେ ନିଜେ ତାହାର ଦାୟିତ୍ବ ଗ୍ରହଣ କରିଥାଏ | ଏହାକୁ କହନ୍ତି ଅଗ୍ରସକ୍ରିୟତା ଏବଂ ଏହାର ବିପରୀତ ହେଉଛି ପ୍ରତିକ୍ରିୟଶୀଳତା – ମୁଁ ଦାୟୀ ନୁହେଁ | ଅନ୍ୟମାନେ ମୋ ସହିତ ସେପରି ବ୍ୟବହାର କଲେ, ସେଥିପାଇଁ ମୋର ମନୋଭାବ ଖରାପ ହୋଇଗଲା |

ନିଜ ଅନ୍ତଃକରଣର ସ୍ଥିତି ପାଇଁ ଆମେ ନିଜେ ଦାୟୀ ଅଟେ, ଏକଥା ଯେତେବେଳେ ଆମେ ବୁଝିଯିବା, ସେତେବେଳେ ବାହ୍ୟ ପରିବେଶ ଯେପରି ହୋଇଥାଉ ନା କାହିଁକି, ଆଧ୍ୟାତ୍ମିକ ସ୍ତରରେ ଆମେ ଉନ୍ନତ ହେବାକୁ ଆରମ୍ଭ କରିଥାଏ ଏବଂ ସେ ଦିଗରେ ଅଗ୍ରଗତି କରିବା ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ କରି ନେଇଥାଏ | ତେବେ ଏଠାରେ ପ୍ରଶ୍ନ ଉଠେ, ଆମେ ନିଜର ମନୋଭାବକୁ ଉନ୍ନତ କରିବା କିପରି ? ବଜାରରେ ସେଥିପାଇଁ ଅନେକ ପୁସ୍ତକ ମିଳିବ | ଆମାଜନରେ ସେହି ଉଦ୍ଦେଶ୍ୟରେ ‘ଆତ୍ମ-ସହାୟତା’ (Self-help) ଶୀର୍ଷକ ଏକ ସ୍ବତନ୍ତ୍ର ବିଭାଗ ରହିଛି | ସେହି ସବୁ ପୁସ୍ତକରେ ଚିନ୍ତା ମୁକ୍ତ ରହି ଜୀବନ ଯାପନ କରିବା କିପରି, ଭୟମୁକ୍ତ ରହିବା କିପରି, ଏହା ହାସଲ କରିବା କିପରି, ତାହା ହାସଲ କରିବା କିପରି ଆଦି ଅନେକ ବିଷୟରେ ଆଲୋଚନା କରାଯାଇ ଉପାୟ ନିର୍ଦ୍ଦେଶ କରାଯାଇଛି | ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ସେହିପରି ପୁସ୍ତକ ଛପା ଯାଉଛି | କିନ୍ତୁ ସମସ୍ୟା ଏହା ଯେ ସେହି ପୁସ୍ତକଗୁଡିକ ଆମର କୌଣସି କାମରେ ଆସନ୍ତି ନାହିଁ | ଡେଲ୍ କାରନିଜିଙ୍କର ପୁସ୍ତକ ପଢିବା ପରେ ଆପଣ ଚିନ୍ତା କରିବା ଛାଡି ଦେଇଛନ୍ତି କି ? ବିଭିନ୍ନ ସଂଗଠନ ସେହି ଉଦ୍ଦେଶ୍ୟରେ ବ୍ୟକ୍ତିଗତ ପ୍ରଶିକ୍ଷକ ନିଯୁକ୍ତ କରିଥାଆନ୍ତି ଯେଉଁମାନେ ଅନେକ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠାନ କରି ଲୋକମାନଙ୍କର ମନୋବୃତ୍ତି ପରିବର୍ତ୍ତିତ କରିବାକୁ ପ୍ରୟାସ କରିଥାଆନ୍ତି | ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ସାକ୍ଷାତ କରି ମୁଁ ସେମାନଙ୍କ ପ୍ରୟାସର ଫଳାଫଳ ବିଷୟରେ ପଚାରିଛି | ସେମାନେ କହନ୍ତି, ଅଧିକାଂଶ କ୍ଷେତ୍ରରେ ଆମକୁ କୌଣସି ସୁଫଳ ମିଳି ନ ଥାଏ | ଯଦି ଅବା ମିଳିଥାଏ, ତେବେ ତାହା ମାତ୍ର ଦୁଇ ପ୍ରତିଶତ ଅଟେ | ସେମାନଙ୍କର ଉତ୍ତର ଶୁଣି ମୁଁ ସେମାନଙ୍କୁ କହେ, ଆପଣମାନଙ୍କର ଏହିସବୁ କାର୍ଯ୍ୟକ୍ରମ, ଯାହାପାଇଁ ସଂସ୍ଥା ଏତେ ଅଧିକ ଅର୍ଥ ବ୍ୟୟ କରୁଛି, ସେଥିରୁ ଯଦି ମାତ୍ର ଦୁଇ ପ୍ରତିଶତ ଲାଭ ମିଲୁଥାଏ, ତେବେ କାର୍ଯ୍ୟକ୍ରମରେ ନିଶ୍ଚିତଭାବରେ କିଛି ଦୋଷ-ତ୍ରୁଟି ରହିଥିବ, ଏକଥା ଆପଣ ଭାବୁ ନାହାଁନ୍ତି କି ? ସେହିପରି ପ୍ରୋଗ୍ରାମ୍ ମୁଁ ମଧ୍ୟ କରୁଛି ଏବଂ ମୁଁ ଦେଖୁଛି ସେଥିରୁ ଶହେ ପ୍ରତିଶତ ସୁଫଳ ମିଳୁଛି | ହଜାର ହଜାର ଲୋକଙ୍କର ଜୀବନ ତଦ୍ବାରା ପରିବର୍ତ୍ତିତ ହୋଇପାରୁଛି | ତାହାହେଲେ ଆପଣମାନଙ୍କର ପ୍ରୋଗ୍ରାମରେ କ’ଣ ଅଭାବ ରହିଛି ?

ଉନବିଂଶ ଶତାବ୍ଦୀରେ ଦାର୍ଶନିକମାନଙ୍କର ଏକ ବଢି ସୃଷ୍ଟି ହୋଇଥିଲା | ଆୟନ୍ ରାଣ୍ଡ୍, ଜିନ୍-ପଲ-ସାଟ୍ରେ, ଅର୍ନେଷ୍ଟ୍ ହେମିଂ ୱେ, ଆଲବର୍ଟ୍ କାମସ୍, ଫ୍ରେଡରିକ୍ ନିତସେ ଆଦି ଅନେକ ଦାର୍ଶନିକ ଆସିଥିଲେ | ବିଶେଷତଃ, ଯେଉଁ ଦାର୍ଶନିକମାନଙ୍କର ନାମ ମୁଁ ଏଠାରେ କହିଲି, ସେମାନେ ଗୋଟିଏ ଦୃଷ୍ଟିରୁ ସମାନ ଅଟନ୍ତି | ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେମାନଙ୍କର ଜୀବନ କାଳରେ ପାଗଳ ହୋଇ ଯାଇଥିଲେ ଏବଂ ଚାରି ଜଣ ଆତ୍ମହତ୍ୟା କରିଥିଲେ | ଜିନ୍-ପଲ-ସାଟ୍ରେ ନିଜର କାରକୁ ଚଳାଇ ଶିଖର ଉପରକୁ ଚଢାଇ ଦେଇଥିଲେ | ଅର୍ନେଷ୍ଟ ହେମିଂୱେ ବନ୍ଧୁକ  ଦ୍ବାରା ନିଜକୁ ଗୁଳି କରିଦେଇ ଥିଲେ | ଆଲବର୍ଟ୍ କାମସ୍ ଏବଂ ଆର୍ଥର୍ କୋସଲର୍ ଆତ୍ମହତ୍ୟା କରିଥିଲେ | ଆୟନ୍ ରାଣ୍ଡ୍ ଏବଂ ଫ୍ରେଡରିକ୍ ନିତସେ ପାଗଳ ହୋଇ ଯାଇଥିଲେ | ଅନ୍ୟ ଶବ୍ଦରେ କହିବାକୁ ଗଲେ, ସେମାନଙ୍କର ସିଦ୍ଧାନ୍ତ ସେମାନଙ୍କ ନିଜ କ୍ଷେତ୍ରରେ ମଧ୍ୟ କାମ ଦେଲାନାହିଁ | ଆମେ ଏପରି କିଛି ଇଚ୍ଛା କରେ ଯାହା ଆମପାଇଁ ଉପକାରୀ ସିଦ୍ଧ ହେବ | ମନ ଶୁଦ୍ଧ ହେଲେ ହିଁ ଆମ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବ | ମନକୁ ଶୁଦ୍ଧ ନ କଲେ ମନୋବୃତ୍ତିକୁ ପରିବର୍ତ୍ତିତ କରିବା ଦିଗରେ ଆପଣ କେବଳ ସଂଘର୍ଷ ହିଁ କରି ଚାଲିଥିବେ | ମନକୁ ଶୁଦ୍ଧ କରିବା ପାଇଁ ଭଗବାନଙ୍କର ଭକ୍ତି କରନ୍ତୁ | ଏହା ହୁଏତ ଆପଣଙ୍କୁ ଏକ ଔଷଧୀୟ ବଟିକା ତୁଲ୍ୟ ତିକ୍ତ ମନେ ହୋଇପାରେ , କିନ୍ତୁ ଭଗବତ୍ ଭକ୍ତି ବିନା କୌଣସି ସିଦ୍ଧାନ୍ତ ଆପଣଙ୍କ କାମରେ ଆସିବ ନାହିଁ | ରାମାୟଣ କହେ –

                                    ପ୍ରେମ ଭଗତି ଜଲ ବିନୁ ଖଗରାଈ |

                                    ଅଭିଅନ୍ତର ମଲ କବହୁଁ ନ ଜାଈ ||

ଭଗବାନଙ୍କର ପ୍ରେମମୟୀ ଭକ୍ତି ରୂପୀ ଶୁଦ୍ଧ ଜଳ ଦ୍ବାରା ମନକୁ ଧୌତ ନ କରିବା ଯାଏଁ ଆମର ଆଭ୍ୟନ୍ତରୀଣ ଆବର୍ଜନା କେବେ ବି ସଫା ହେବ ନାହିଁ | ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏହାକୁ ଅତି ସୁନ୍ଦର ଭାବରେ ସ୍ପଷ୍ଟ କରିଛନ୍ତି _

                                    ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତି ଯୋଗେନ ସେବତେ |

                                    ସ ଗୁଣାନ୍ ସମତୀତୈତାନ୍ ବ୍ରହ୍ମଭୂୟାୟ କଲ୍ପତେ ||

ଅର୍ଜୁନ ! ଏହା ଅତ୍ୟନ୍ତ ସ୍ପଷ୍ଟ ଅଟେ | ମାୟାର ତିନୋଟି ଗୁଣ ରହିଛି – ସତ୍ତ୍ବ, ରଜ ଏବଂ ତମ | ମନ ମାୟା ଦ୍ବାରା ନିର୍ମିତ, ଅତଏବ ଏହି ତ୍ରିଗୁଣ ମନରେ ମଧ୍ୟ ରହିଛି | ସେଥିପାଇଁ ମନ ଅଶୁଦ୍ଧ ଅଟେ | ଏହାକୁ ଶୁଦ୍ଧ କରିବା କିପରି ? ଉପାୟ ଅତି ସରଳ | ଏହାକୁ ପରମ ଶୁଦ୍ଧ ଭଗବାନଙ୍କ ଠାରେ ସଂଲଗ୍ନ କରିଦିଅ | ମୁଁ ତ୍ରିଗୁଣର ଉର୍ଦ୍ଧ୍ବରେ ସ୍ଥିତ ଗୁଣାତୀତ ତତ୍ତ୍ବ ଅଟେ | ମନକୁ ମୋ ଠାରେ ନିବେଶ କରିଦେଲେ ତାହା ତ୍ରିଗୁଣାତ୍ମିକା ମାୟା କବଳରୁ ମୁକ୍ତ ହୋଇ ନିର୍ମଳ ହୋଇଯିବ |

ଭଗବାନଙ୍କୁ ପ୍ରେମ କରିବାର ଏହି ନିର୍ଦ୍ଦେଶ ସର୍ବଶ୍ରେଷ୍ଠ ନିର୍ଦ୍ଦେଶ ଅଟେ, କାରଣ ଏହା ଆପଣଙ୍କର ମନୋଭାବକୁ ଉନ୍ନତ କରିବାରେ ସହାୟକ ହୋଇଥାଏ | ଏତଦ୍ ବ୍ୟତିତ ଏହାର ଅନେକ ବ୍ୟବହାରିକ ଉପକାରିତା ମଧ୍ୟ ରହିଛି, ଯଥା: ଆପଣଙ୍କର କର୍ମ କୁଶଲତା ବୃଦ୍ଧି ଲାଭ କରିଥାଏ ଏବଂ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଥାଏ | ପୁନଶ୍ଚ, ଅନ୍ତଃକରଣର ଗୁଣବତ୍ତା ଉନ୍ନତ ହେବା ଯୋଗୁଁ ବାହ୍ୟତଃ ମଧ୍ୟ ଆପଣ ସବୁ କ୍ଷେତ୍ରରେ ସଫଳ ହେବେ | ସବୁ ଧର୍ମ ଏହା ସ୍ବୀକାର କରନ୍ତି | ଯୀଶୁଖ୍ରୀଷ୍ଟଙ୍କୁ ଯେତେବେଳେ ପଚରା ଗଲା, ଆପଣଙ୍କର ସର୍ବାଧିକ ମହତ୍ତ୍ବପୂର୍ଣ ଧର୍ମାଦେଶ କ’ଣ, ସେ ଏକଥା କହି ନ ଥିଲେ ଯେ ଚିନ୍ତାମୁକ୍ତ ରହି ଜୀବନ ଯାପନ କର | ବରଂ ସେ କହିଥିଲେ, The first and the foremost commandment is to love the Lord, thy God with all thy heart, all thy might and all thy soul.” ଭଗବାନଙ୍କ ପ୍ରତି ହୃଦୟର ପ୍ରେମ ଏକ ସଂଖ୍ୟା ସଦୃଶ ଅଟେ, ଯାହା ଆଗକୁ ପ୍ରତ୍ୟେକ ଶୂନ୍ ତାହାର ମୂଲ୍ୟ ବୃଦ୍ଧି କରିଥାଏ | କିନ୍ତୁ ସେହି ସଂଖ୍ୟା ବ୍ୟତିତ ସବୁ ଶୂନ୍ ମୂଲ୍ୟହୀନ ଅଟେ | ସେହିପରି, କୋରାନ୍ ଶରିଫର ଅନ୍ତିମ ଆଦେଶ ଏହା ଅଟେ – ହେ ମନୁଷ୍ୟ ! ତୁମେ ଆଲ୍ଲାହଙ୍କ ଦ୍ବାରା ସୃଷ୍ଟ | ତୁମେ ତାଙ୍କର ଇବାଦତ୍ କରିବା ଆବଶ୍ୟକ | ଇବାଦତ୍ ଅର୍ଥ ଭଲ ପାଇବା | ଯିଏ ଭଗବାନଙ୍କୁ ଭଲ ପାଏ, ସେ ଇନସାନ୍ ଏବଂ ଯିଏ ଭଲ ନ ପାଏ, ସେ ସୟତାନ୍ | ଶ୍ରୀମଦ୍ ଭାଗବତ ମହାପୁରାଣ ବାରମ୍ବାର ଏହି କଥା କହିଥାଏ –

                                    ଏତାବାନ୍ ଏବ ଲୋକେଽସ୍ମିନ୍ ପୁଂସାଂ ଧର୍ମଃ ପରସ୍ମୃତଃ |

                                    ଏକାନ୍ତ ଭକ୍ତିର୍ ଗୋବିନ୍ଦ ଯତ୍ ସର୍ବତ୍ର ତଦୀକ୍ଷଣମ୍ ||

ମାନବ ଶରୀରରେ ଲକ୍ଷ୍ୟ ପ୍ରାପ୍ତ କରିବାର ସର୍ବଶ୍ରେଷ୍ଠ ମାର୍ଗ ହେଉଛି ଭଗବାନଙ୍କୁ ଭଲ ପାଇବା ଏବଂ ଭକ୍ତିର ତାତ୍ପର୍ଯ୍ୟ ସର୍ବତ୍ର ଭଗବାନଙ୍କର ଦର୍ଶନ କରିବା | ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏହି ନିର୍ଦ୍ଦେଶର ପୁନରାବୃତ୍ତି ଅନେକ ସ୍ଥାନରେ କରିଛନ୍ତି |

                                    ପୁରୁଷଃ ସ ପରଃ ପାର୍ଥ ଭକ୍ତ୍ୟା ଲଭ୍ୟସ୍ତ୍ବନନ୍ୟୟା  |

                                    ଯସ୍ୟାନ୍ତ ସ୍ଥାନି ସର୍ବାଣି ଯେନ ସର୍ବଂ ମିଦଂ ତତମ୍ ||

ଅର୍ଜୁନ ! ଭଗବାନ ସର୍ବତ୍ର ବିଦ୍ୟମାନ | ତୁମେ କେବଳ ତାଙ୍କୁ ପ୍ରେମ କର, ତୁମର କଲ୍ୟାଣ ହୋଇଯିବ | ଅତଏବ, ଆଜି ଆମେ ଆମ ମନୋଭାବର ମହତ୍ତ୍ବ ଏବଂ ମନୋଭାବକୁ ପରିବର୍ତ୍ତିତ କରିବା ଦ୍ବାରା ବାହ୍ୟ ସଂସାରରେ ଆମର ଅନୁଭବରେ କିପରି ପରିବର୍ତ୍ତନ ଆସିଥାଏ, ସେସବୁ ବିଷୟରେ ଜାଣିବାକୁ ପାଇଲେ | ମନୋଭାବରେ ଏହି ପରିବର୍ତ୍ତନ ମନକୁ ଶୁଦ୍ଧ କରିବା ଦ୍ବାରା ଆସିଥାଏ | ତେବେ ମନକୁ ଆମେ ଶୁଦ୍ଧ କରିବା କିପରି ? ଏଥିପାଇଁ ସର୍ବାଧିକ ଶକ୍ତିଶାଳୀ ସାଧନ ହେଉଛି ଭଗବାନଙ୍କ ପ୍ରତି ମନରେ ପ୍ରେମ ଭାବ ବିକଶିତ କରିବା |

                                       ----xxx----- 

Comments

Popular posts from this blog